ପ୍ରବୀଣ କଥାକାର ରବି ସ୍ୱାଇଁଙ୍କ ସହିତ ସାରସ୍ୱତ ଆଳାପ

ଆମକୁ ବିଶ୍ୱାସ ରଖିବାକୁ ପଡ଼ିବ ଯେ ନୂଆ ପିଢ଼ିର ଗାଳ୍ପିକମାନେ ଏବେଠାରୁ ଆହୁରି ଉନ୍ନତ ମାନର ଗଳ୍ପ ସୃଷ୍ଟିକରିବେ।

କଥାକାର ରବି ସ୍ୱାଇଁ ଜଣେ ବରିଷ୍ଠ ସ୍ରଷ୍ଟା ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ। ୧୯୫୦ ମସିହାରେ ଜନ୍ମିତ ଏହି ପ୍ରତିଭାଧର ଗଳ୍ପ ବ୍ୟତୀତ ଉପନ୍ୟାସ, ସାହିତ୍ୟସମାଲୋଚନା ଓ କବିତା ଆଦିର ସୃଜନରେ ମଧ୍ୟ ସିଦ୍ଧହସ୍ତ। ତାଙ୍କ ଦ୍ୱାରା ରଚିତ ବହୁ ସଂଖ୍ୟକ ପୁସ୍ତକ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ସେ ପାରାଦୀପ ଅଞ୍ଚଳରେ ଦୀର୍ଘକାଳ ଶିକ୍ଷକତା କରିବା ପରେ ଅବସର ଗ୍ରହଣ କରିଛନ୍ତି। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଦ୍ୱାରା ଲିଖିତ ପୁସ୍ତକର ସଂଖ୍ୟା ୩୫ରୁ ଅଧିକ। କିନ୍ତୁ ସେଥିମଧ୍ୟରୁ କବିତା ସଂକଳନ ମାତ୍ର ତିନୋଟି। ଅର୍ଥାତ୍ ଆପଣଙ୍କର ଗଦ୍ୟରଚନା ତୁଳନାରେ କବିତାର ସଂଖ୍ୟା ନଗଣ୍ୟ ବୋଲି କହିଲେ ଚଳେ। ଏହାର କାରଣ କ’ଣ?
ରବି ସ୍ୱାଇଁ: ପ୍ରକୃତରେ ପ୍ରଥମେ ମୁଁ କବିତା ହିଁ ଲେଖୁଥିଲି; ଏବଂ ମୋର ଆଗ୍ରହ ଥିଲା ଜଣେ କବି ହେବି ବୋଲି। କିନ୍ତୁ ସମୟକ୍ରମେ ଯୁବଲେଖକ ସମ୍ମିଳନୀ ଏକଦା ବହୁତ ସକ୍ରିୟ ହେଲା। ସେମାନେ ଆଭାସ ଗପ ଓ ମିନି ଗପକୁ ଉତ୍ସାହିତ କଲେ। ଏଣୁ ଆଭାସ ଗପର ପ୍ରେମରେ ପଡ଼ି ମୁଁ କବିତାଠାରୁ ଧ୍ୟାନ ହଟାଇନେଲି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆମେ ଯେତେବେଳେ ଏହି ପ୍ରଥମ ପ୍ରଶ୍ନଟି ପଚାରିଲୁ, ଏହାର ଉତ୍ତରରେ ଆପଣଙ୍କଠାରୁ ଆଉ କିଛି ଶୁଣିବୁ ବୋଲି ଆଶା କରିଥିଲୁ। ଏହାର ସମ୍ପର୍କ ଅଛି ଆଜିକୁ ୪୭ ବର୍ଷ ତଳେ, ଅର୍ଥାତ୍ ୧୯୭୯ ମସିହାରେ କଟକଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆୟୋଜିତ ଗୋଟିଏ ତିନିଦିନିଆ ଗଳ୍ପଲେଖକ କର୍ମଶାଳା ସହିତ, ଯେଉଁଥିରେ ଆପଣଙ୍କ ସହିତ ଆମେ ମଧ୍ୟ ଥିଲୁ। ଏହା ଆପଣଙ୍କର ମନେ ଅଛି କି?
ରବି ସ୍ୱାଇଁ: ହଁ, ନିଶ୍ଚୟ।
ସାହିତ୍ୟ ଚର୍ଚ୍ଚା: ଆପଣ କବିତା ନ ଲେଖିବା ପଛରେ ବୋଧହୁଏ ଏହି କର୍ମଶାଳାର ଏକ ଭୂମିକା ଅଛି। କାରଣ ଆମେ ମଧ୍ୟ ସେହି କର୍ମଶାଳା ପରେ କବିତା ଲେଖିବା ଏକ ପ୍ରକାର ଛାଡ଼ିଦେଲୁ।
ରବି ସ୍ୱାଇଁ: ଏହା ମଧ୍ୟ ଗୋଟିଏ କାରଣ; ତେବେ ଏହା ପୂର୍ବରୁ ମଧ୍ୟ ମୁଁ କବିତା ଲେଖିବା ଛାଡ଼ିଦେଇଥିଲି। କାରଣ ମୁଁ ଯେଉଁ ଆଭାସ ଗଳ୍ପସବୁ ଲେଖୁଥିଲି ତାହା କବିତାର ପାଖାପାଖି ହିଁ ଥିଲା।
ସାହିତ୍ୟ ଚର୍ଚ୍ଚା: ଆଭାସ ଗଳ୍ପ ଲେଖିବା ପରେ ଆପଣ ଯେ କବିତାପ୍ରତିମ ଗଳ୍ପ ଲେଖିବା ପାଇଁ ଗୋଟିଏ ବିକଳ୍ପ ପାଇଗଲେ, ସେ ତ ଭିନ୍ନ କଥା। କିନ୍ତୁ ଆପଣଙ୍କର ମନେଥିବ ଯେ ସେହି କର୍ମଶାଳାରେ ଓଡ଼ିଆ ସାହିତ୍ୟର ଧୁରୀଣ ସ୍ରଷ୍ଟାମାନେ ଆମକୁ ପରାମର୍ଶ ଦେଇ କହିଥିଲେ, “ଓଡ଼ିଆ ସାହିତ୍ୟରେ କବିତା ବହୁତ ହୋଇଗଲା। ତୁମେମାନେ ଆଉ କବିତା ଲେଖିବ ନାହିଁ। ଏବେ ଗଳ୍ପ ଓ ପ୍ରବନ୍ଧ ଲେଖି ଆମର ଗଦ୍ୟସାହିତ୍ୟକୁ ସବଳ କର।’
ରବି ସ୍ୱାଇଁ: ହଁ ସେମାନେ କହିଥିଲେ ଏ କଥା।
ସାହିତ୍ୟ ଚର୍ଚ୍ଚା: ସେତେବେଳେ ଆମକୁ ଲେଖିବାର କଳା ଶିଖାଇବା ପାଇଁ ସେହି କର୍ମଶାଳାକୁ ଆସି ଯେଉଁମାନେ ଆମକୁ ପରାମର୍ଶ ଦେଇଥିଲେ, ସେମାନଙ୍କ ମଧ୍ୟରେ ଥିଲେ ସେତେବେଳର ଦିଗ୍ଗଜ ଲେଖକଗଣ – ଗୋପୀନାଥ ମହାନ୍ତି, ଅଖିଳ ମୋହନ ପଟ୍ଟନାୟକ, ଚନ୍ଦ୍ରଶେଖର ରଥ…
ରବି ସ୍ୱାଇଁ: ଆହୁରି ଥିଲେ ମଧ୍ୟ ହରେକୃଷ୍ଣ ମହତାବ, ମହାପାତ୍ର ନୀଳମଣି ସାହୁ, କୃଷ୍ଣପ୍ରସାଦ ମିଶ୍ର ପ୍ରଭୃତି। ସେହି କର୍ମଶାଳାରେ ଭଲ ପରିବେଶଟିଏ ସୃଷ୍ଟି ହେଲା। ସେତେବେଳକୁ ମୋର ଗୋଟିଏ ଗଳ୍ପ ବହି ବାହାରିଗଲାଣି।

ସାହିତ୍ୟ ଚର୍ଚ୍ଚା: ଆଜି ଆମେ ଆପଣଙ୍କ ପାଖକୁ ଏହି ସାକ୍ଷାତକାର ପାଇଁ ଆସୁଥିବା ଶୁଣି, ଆପଣଙ୍କର ଜଣେ ପ୍ରଶଂସକ ଆପଣଙ୍କ ଦ୍ୱାରା ଲିଖିତ ସେତେବେଳର ଆଭାସ ଗଳ୍ପ ପୁସ୍ତିକାଟିଏ ଆମକୁ ଦେଇଛନ୍ତି, ଯାହା ଆମେ ଏବେ ନେଇକରି ଆସିଛୁ। ଏଥିରେ ଥିବା ପ୍ରତ୍ୟେକଟି ଗପ ସଂବିତ୍‌କୁ ଚହଲେଇ ହେବାପରି ଗୋଟିଏ ଗୋଟିଏ ସୃଷ୍ଟି। ଏପରିକି ଏଥିରେ ଆପଣଙ୍କର ମାତ୍ର ଦୁଇଧାଡ଼ିଆ ଆଭାସ ଗପଟିଏ ମଧ୍ୟ ଅଛି। ଏଇଟି ଦେଖି ଆମର ମନେହୁଏ ଯେପରି ଓଡ଼ିଆ ସାହିତ୍ୟରେ ଆପଣ ହିଁ ଆଭାସ ଗପର ଉନ୍ମେଷ ଘଟାଇଥିଲେ।
ରବି ସ୍ୱାଇଁ: ସେକଥା ତ ମୁଁ ନିଜେ କହିବା ଅନୁଚିତ। ଏହା ପୂର୍ବରୁ ଅବଶ୍ୟ ଛୋଟ ଛୋଟ ଗପସବୁ ମିନିଗପ ଭାବରେ ଲେଖା ହେଉଥିଲା। କିନ୍ତୁ ମୋର ଯେଉଁ ଗପ ସେତେବେଳେ ପାଠକମାନଙ୍କ ନିକଟରେ ପହଞ୍ଚିଲା, ତାହାସବୁ ଥିଲା ମିନିଗପଠାରୁ ଅଲଗା। ଏଥିରେ ପ୍ରାୟତଃ କାହାଣୀ ନାହିଁ; କିନ୍ତୁ ଅଛି ବକ୍ତବ୍ୟ, ଯାହା ବେଳେ ବେଳେ କାବ୍ୟିକ ହୋଇଉଠିଛି ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ଆପଣ ମଝିରେ କବିତା ଲେଖିବାର ଯେଉଁ ବାଟଟା ହୁଡ଼ି ଦେଲେ, ସେହି କବିତାର ଭାବସବୁ ପ୍ରକାଶ କରିବା ପାଇଁ ଆପଣ ବୋଧହୁଏ ଗପକୁ ଏକ ମାଧ୍ୟମ ଭାବରେ ବାଛିଲେ।
ରବି ସ୍ୱାଇଁ: ଏକ୍‌ଜାକ୍ଟଲି!
ସାହିତ୍ୟ ଚର୍ଚ୍ଚା: ତେଣୁ ତ ଆପଣଙ୍କ ଗଳ୍ପଗୁଡ଼ିକ କବିତାପ୍ରତିମ।
ରବି ସ୍ୱାଇଁ: ତାହାକୁ ଗଦ୍ୟ-କବିତା କୁହାଯାଇପାରିବ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ‘ଆଭାସ ଗପ’ ନାମକ ଏହି ପୁସ୍ତିକାଟିରେ ଅତି ପ୍ରଣିଧାନଯୋଗ୍ୟ ଗପଟିଏ ଅଛି ‘ଅମରି’ ନାମରେ। ଏଥିରେ ଅଛି ମାତ୍ର ଚାରୋଟି ଛୋଟ ବାକ୍ୟ, ଯାହାକି ଦୁଇଟି ଧାଡ଼ି ମଧ୍ୟରେ ସରିଯାଇଛି। ଏଠାରେ ମନା ନାମକ ଚରିତ୍ରଟିଏକୁ ଆପଣ ଗପ ଭିତରକୁ ଆଣିଛନ୍ତି ଏବଂ ଏହି ଚରିତ୍ରର କଥା ଚାରିଗୋଟି ବାକ୍ୟରେ କହିଛନ୍ତି। “ମନା ମରିଗଲା ଏବଂ ଆତତାୟିତ୍ୱ ମୋ’ ଭିତରେ ପ୍ରବେଶ କଲା।’ ଏହା କହି ଆପଣ ପ୍ରକୃତରେ କ’ଣ ସୂଚାଇଦେବାକୁ ଚାହିଛନ୍ତି?
ରବି ସ୍ୱାଇଁ: ଏହାର ମୂଳ ସନ୍ଦେଶଟା ହେଉଛି, ଜଣେ ମାରିଲା ବୋଲି ମୁଁ ତା’କୁ ମାରିଦେଉଛି। ଜଣେ ଆତତାୟୀକୁ ମୁଁ ମାରୁଛି। କିନ୍ତୁ ଏଇଟା ଗୋଟିଏ ହିଂସା। ଅଥଚ ହିଂସା ମାଧ୍ୟମରେ କେବେହେଲେ ହିଂସାର ସମାଧାନ ହୋଇନପାରେ।
ସାହିତ୍ୟ ଚର୍ଚ୍ଚା: ଆତତାୟୀକୁ ମାରୁଥିବା ବ୍ୟକ୍ତି ମଧ୍ୟ ଜଣେ ଆତତାୟୀ!
ରବି ସ୍ୱାଇଁ: ହଁ, ସେ ମଧ୍ୟ ଜଣେ ଆତତାୟୀ ହୋଇଯାଇଛି।
ସାହିତ୍ୟ ଚର୍ଚ୍ଚା: ସତୁରି ଦଶକରେ ଯେତେବେଳେ ଆପଣ ଭୁବନେଶ୍ୱରର ରିଜିଓନାଲ୍ କଲେଜରେ ପଢ଼ୁଥିଲେ, ସେ ସମୟରେ ବାଣୀବିହାରରେ ସାହିତ୍ୟର ଏକ ବିଶେଷ ଧାରା ଜନ୍ମ ନେଇଥିଲା ‘ନବତରଙ୍ଗ’ ନାମରେ। ଏହାକୁ ଆଧାର କରି ସେତେବେଳେ ‘ନବତରଙ୍ଗ’ ନାମରେ ପତ୍ରିକାଟିଏ ମଧ୍ୟ ପ୍ରକାଶ ପାଉଥିଲା।
ରବି ସ୍ୱାଇଁ: ମୁଁ ପଢ଼ା ଶେଷ କରିବା ପରେ ଏହି ପତ୍ରିକାଟି ଆରମ୍ଭ ହେଲା।
ସାହିତ୍ୟ ଚର୍ଚ୍ଚା: ହଁ, ୧୯୭୩ରୁ ୧୯୭୬ ପର୍ଯ୍ୟନ୍ତ ପୀତବାସ ରାଉତରାୟଙ୍କ ଉଦ୍ୟମରେ ବାଣୀବିହାରରୁ ଏହି ପତ୍ରିକା ପ୍ରକାଶ ପାଉଥିଲା। ଆପଣ ଥିଲେ ଏହି ଧାରାର ଅନ୍ୟତମ ପ୍ରେରଣା। ତେବେ ଏହି ଗୋଷ୍ଠୀର ନିଆରା ଦୃଷ୍ଟିଭଙ୍ଗୀ କ’ଣ ଥିଲା?
ରବି ସ୍ୱାଇଁ: ସେତେବେଳେ ଆମ ସାହିତ୍ୟରେ ଦୁଇଟି ଧାରା ଥିଲା। ଗୋଟିଏ ଥିଲା ପ୍ରତିଷ୍ଠିତମାନଙ୍କର ଧାରା, ଯାହାର ପ୍ରତିନିଧିତ୍ୱ କରୁଥିଲା ‘ଝଙ୍କାର’ ପତ୍ରିକା। ‘ଝଙ୍କାର’ରେ ଯେଉଁମାନେ ଲେଖୁଥିଲେ ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଢଙ୍ଗର ରଚନା ଲେଖୁଥିଲେ। ସେମାନେ ଲେଖୁଥିଲେ ପ୍ରୟୋଗବାଦୀ କବିତା, ବୌଦ୍ଧିକ ଗଳ୍ପ ଓ ତାହାକୁ ନେଇ ବିଭିନ୍ନ ଆଲୋଚନା। ତା’କୁ ବିରୋଧ କରି ଯୁବଲେଖକ ସମ୍ମିଳନୀ ଆରମ୍ଭ କରାଗଲା। କିନ୍ତୁ ଏହା ବେଶି ଭାବରେ ଗୋଟିଏ ସଂଗଠନ ହୋଇ ରହିଗଲା।
ସାହିତ୍ୟ ଚର୍ଚ୍ଚା: ତେବେ ଯୁବ ଲେଖକ ସମ୍ମିଳନୀର ଏହି ଚିନ୍ତନକୁ କ’ଣ ପରିପ୍ରଚାର କରୁଥିଲା ‘ନବତରଙ୍ଗ’ ପତ୍ରିକା?
ରବି ସ୍ୱାଇଁ: ‘ନବତରଙ୍ଗ’ ତାହାଠାରୁ ଆହୁରି ଅଧିକ ଉଚ୍ଚତାକୁ ମଧ୍ୟ ଯାଇଛି। ଏଥିରେ ଥିଲା ନୂଆ ଗୋଟିଏ କିଛି କରିବାର ମାନସିକତା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଆମେ ଶୁଣିଛୁ ଯେ ଯେତେବେଳେ ସୁବୋଧ୍ୟ ଓ ସାବଲୀଳ ସାହିତ୍ୟରୁ ମୋଡ଼ ବଦଳାଇ ଓଡ଼ିଆ ସାହିତ୍ୟ ଦୁର୍ବୋଧ୍ୟ ଓ ଅବୋଧ୍ୟ ହେବା ଆରମ୍ଭକଲା, ସେତେବେଳେ ତାହାକୁ ପାଠକଙ୍କ ମଧ୍ୟରେ ବୋଧଗମ୍ୟ କରାଇବା ଥିଲା ‘ନବତରଙ୍ଗ’ର ପ୍ରୟାସ।
ରବି ସ୍ୱାଇଁ: ମୁଁ ଏଥିରେ ସମ୍ପୃକ୍ତ ହେଲି, କାହିଁକି ନା ରିଜିଓନାଲ୍ କଲେଜରେ ସେତେବେଳେ ମୋର ଯିଏ ଶିକ୍ଷକ ଥିଲେ, ଅଧ୍ୟାପକ ଅଭିନ୍ନ ଚନ୍ଦ୍ର ସାହୁ, ସେ ପୀତବାସ ବାବୁଙ୍କ ସହିତ ଏହି ପତ୍ରିକା ସମ୍ପାଦନାରେ ଜଡ଼ିତ ଥିଲେ।
ସାହିତ୍ୟ ଚର୍ଚ୍ଚା: ଯେମିତି ଆଜି ଆରମ୍ଭରେ ଆମେ କହିଥିଲୁ, ଆପଣ କବିତା ଖୁବ୍ କମ୍ ଲେଖିଛନ୍ତି। ଆପଣଙ୍କର ମାତ୍ର ତିନୋଟି କବିତା ସଂକଳନ ପ୍ରକାଶ ପାଇଛି। କିନ୍ତୁ ସେଥିରେ ଆପଣ ନିଜର କବିତାକୁ ‘ଅକବିତା’ ବୋଲି କାହିଁକି କହିଛନ୍ତି?
ରବି ସ୍ୱାଇଁ: ସେ ବି ଆଉ ଗୋଟିଏ କଥା। ପ୍ରକୃତରେ ମୁଁ କବିତା ଲେଖିବା ଛାଡ଼ିଦେଇଥିଲି। ୧୯୯୨ ମସିହାରେ ପାରାଦୀପରେ ଆମର ଗୋଟିଏ ସାମାଜିକ ଆନ୍ଦୋଳନ ଆରମ୍ଭ ହେଲା। ସେତେବେଳେ ମୋତେ ପାଞ୍ଚ ବର୍ଷ କାଳ ପାରାଦୀପ ସାକ୍ଷରତା ସମିତିରେ କାର୍ଯ୍ୟ କରିବାକୁ ପଡ଼ିଲା। ସେତେବେଳେ ଏତେ ବ୍ୟସ୍ତତା ଭିତରେ ରହିଲି ଯେ ମୁଁ ଆଉ ଗପ ଲେଖିପାରିଲି ନାହିଁ। କିନ୍ତୁ ମନ ବହୁତ ବ୍ୟାକୁଳ ହୁଏ ଏବଂ ବହୁତ ଚିନ୍ତା ଆସେ। ସେସବୁ କାଗଜରେ ଟିପିନିଏ। ଏସବୁକୁ ପରେ କବିତା ଆକାରରେ ପ୍ରକାଶ କଲି ଯାହାର ନାମ ଦିଆଗଲା ‘ଅକବିତା’।
ସାହିତ୍ୟ ଚର୍ଚ୍ଚା: ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ଯେଉଁ କର୍ମଶାଳାର କଥା ଆମେ ଆଲୋଚନା କରିଥିଲେ ଟିକିଏ ଆଗରୁ, ସେଥିରେ ଆପଣ ଗୋଟିଏ ଗପ ପଢ଼ିଥିଲେ ‘ନିଶବଦ’ ନାମରେ, ଯାହାକି ପରବର୍ତ୍ତୀ ସମୟରେ ଆପଣଙ୍କ ଶ୍ରେଷ୍ଠ ଗଳ୍ପ ସଂକଳନରେ ପ୍ରକାଶ ପାଇଛି। ଏଥିରେ ଆପଣ ଗୋଟିଏ ଶିଶୁର କଥା କହିଛନ୍ତି ଯିଏ କି କାଗଜରେ ମଣିଷର ଚିତ୍ରଟିଏ ଆଙ୍କିଛି। ଶେଷରେ କିନ୍ତୁ ସେ ଚିତ୍ରଟିକୁ ଟିକି ଟିକି କରି ଚିରିଦେଇଛି। ଏଥିରେ ଆପଣ କେଉଁ ଥିମ୍ ଚିତ୍ରିବାକୁ ପ୍ରୟାସ କରିଛନ୍ତି?
ରବି ସ୍ୱାଇଁ: ଏଥିରେ ମଣିଷର ନିଃସଙ୍ଗତାକୁ ବୁଝାଇବାକୁ ଚାହିଛି। ସେଥିରେ ଅଛନ୍ତି ଜଣେ ବୃଦ୍ଧ, ଯାହାଙ୍କର ସଂସାରରେ କେହି ନାହାନ୍ତି। ପିଲାଟି ଆଙ୍କିଥିବା ଚିତ୍ରଟି ମାଧ୍ୟମରେ ମୁଁ ସୂଚାଇବାକୁ ଚାହିଁଛି ଯେ ମଣିଷ-ଜୀବନର ପ୍ରକୃତ ଅର୍ଥ କ’ଣ?
ସାହିତ୍ୟ ଚର୍ଚ୍ଚା: ଆପଣ ଟି.ଏସ୍ ଇଲିଅଟ୍‌ଙ୍କର କ୍ଲାସିକ୍ ଧାରା ଉପରେ ଏକ ସମାଲୋଚନାତ୍ମକ ଗ୍ରନ୍ଥ ଲେଖିଛନ୍ତି।
ରବି ସ୍ୱାଇଁ: ଏହା ତାଙ୍କର ସମାଲୋଚନା-ସାହିତ୍ୟର ଅନୁବାଦ ମାତ୍ର।
ସାହିତ୍ୟ ଚର୍ଚ୍ଚା: କେବଳ ଇଲିଅଟ୍ ନୁହନ୍ତି, ତାଙ୍କର ସମସାମୟିକ ଏଜ୍‌ରା ପାଉଣ୍ଡ, ଡବ୍ଲ୍ୟୁ. ବି. ୟିଟ୍‌ସ୍ ପ୍ରଭୃତିଙ୍କର ତତ୍‌କାଳୀନ ଓଡ଼ିଆ କବିତା ଉପରେ ଗଭୀର ପ୍ରଭାବ ପଡ଼ିଥିଲା ବୋଲି ଆମେ କହିପାରିବା କି?
ରବି ସ୍ୱାଇଁ: ହଁ, ତାଙ୍କର ପ୍ରଭାବ ପଡ଼ିଛି। ଟି.ଏସ୍‌. ଇଲିଅଟଙ୍କ ସାହିତ୍ୟର ତିନୋଟି ଦିଗ ଅଛି; ତାଙ୍କର କବିତା, ନାଟକ ଓ ଆଲୋଚନା। ତାଙ୍କର ନାଟକର କୌଣସି ପ୍ରଭାବ ଆମ ସାହିତ୍ୟରେ ପଡ଼ିନାହିଁ। କିନ୍ତୁ ଆଧୁନିକ ଓଡ଼ିଆ କବିତା ସମ୍ପୂର୍ଣ୍ଣ ଭାବରେ ଟି.ଏସ୍‌. ଇଲିଅଟଙ୍କୁ ଅନୁସରଣ କରିଛି। ଦ୍ୱିତୀୟଟି ହେଉଛି ଆଲୋଚନା। ଏଥିରେ ମଧ୍ୟ ତାଙ୍କର କିଛିଟା ପ୍ରଭାବ ପଡ଼ିଛି।
ସାହିତ୍ୟ ଚର୍ଚ୍ଚା: ଟି.ଏସ୍ ଇଲିଅଟଙ୍କ ନେତୃତ୍ୱରେ ସମାଲୋଚନା ସାହିତ୍ୟର ଗୋଟିଏ ନୂଆ ଧାରା ଆରମ୍ଭ ହୋଇଥିଲା ‘ନିଉ କ୍ରିଟିସିଜମ୍‌’ ନାମରେ। ଆମେ ଭାବୁ ଯେ ସେ ସମୟର ହେଉ ଅବା ଏବର, ଓଡ଼ିଆ ସମାଲୋଚନା ସାହିତ୍ୟରେ ତ କାହିଁ ଏହାର କାଣିଚାଏ ବି ପ୍ରଭାବ ପଡ଼ିନାହିଁ।
ରବି ସ୍ୱାଇଁ: ଗୋଟିଏ ଦୃଷ୍ଟିରୁ ଆପଣ ଠିକ୍ କହିଛନ୍ତି।
ସାହିତ୍ୟ ଚର୍ଚ୍ଚା: ‘ନିଉ କ୍ରିଟିକ୍‌’ମାନେ କହିଥିଲେ ଯେ ଆମେ ବ୍ୟକ୍ତିକୁ ଦେଖିବୁ ନାହିଁ, କେବଳ କୃତିକୁ ଦେଖିବୁ।
ରବି ସ୍ୱାଇଁ: ଏହାକୁ ସେମାନେ ଅବଜେକ୍‌ଟିଭ୍ କ୍ରିଟିସିଜମ୍ ବୋଲି କହୁଥିଲେ।
ସାହିତ୍ୟ ଚର୍ଚ୍ଚା: ଏହାର ତ କାହିଁ କିଛି ପ୍ରଭାବ ପଡ଼ିବା ଭଳି ମନେହେଉ ନାହିଁ ଆମ ସାହିତ୍ୟରେ।
ରବି ସ୍ୱାଇଁ: ଆମ ସମାଲୋଚନା ସାହିତ୍ୟ ଦୁଇ ପ୍ରକାରର। ପ୍ରଥମଟି ହେଉଛି ଗୋଟିଏ ଐତିହାସିକ ଧାରା। ଦ୍ୱିତୀୟଟି ହେଲା ଲେଖକମାନଙ୍କୁ ଖୁସି କରିବା ଉଦ୍ଦେଶ୍ୟରେ ଲେଖାଯାଇଥିବା ସମାଲୋଚନା।
ସାହିତ୍ୟ ଚର୍ଚ୍ଚା: ଆମର ଏଠି ତ ସମାଲୋଚନା ନାମରେ ଲେଖକମାନଙ୍କର ଜୀବନୀ କେବଳ ଆଲୋଚନା ହୁଏ। ତାପରେ ସେଥିରେ ଲେଖକମାନଙ୍କର ମଧ୍ୟ ଅଯଥା ପ୍ରଶଂସା ମଧ୍ୟ କରାଯାଇଥାଏ। ଏହା ସମାଲୋଚନାର ଧର୍ମ ପାଳନ କରେ କି।
ରବି ସ୍ୱାଇଁ: ନା, କରେନାହିଁ; ଏପରି ହେବା ଉଚିତ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଶେଷରେ, ଆପଣଙ୍କ ଅନୁଭୂତିର ଆଧାରରେ ଟିକିଏ କହିପାରିବେ କି ଆମ ନୂଆ ପିଢ଼ିର କଥାକାରମାନଙ୍କ କଲମରେ ଆମର କଥାସାହିତ୍ୟ ଭବିଷ୍ୟତରେ କି ପ୍ରକାର ରୂପ ନେବାକୁ ଯାଉଛି!
ରବି ସ୍ୱାଇଁ: କଥା ସାହିତ୍ୟରେ ନିଶ୍ଚିତ ଭାବରେ ଗୋଟିଏ ନୂଆ ପିଢ଼ିର ଯୁଗ ଆସୁଛି। ଆମକୁ ବିଶ୍ୱାସ ରଖିବାକୁ ପଡ଼ିବ ଯେ ସେମାନେ ଏବେଠାରୁ ଆହୁରି ଉନ୍ନତ ମାନର ଗଳ୍ପ ସୃଷ୍ଟିକରିବେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଉପଯୋଗୀ ବାର୍ତ୍ତାଳାପ ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୬  ସଂଖ୍ୟାରେ ପ୍ରକାଶିତ। )

Leave a Reply

Your email address will not be published. Required fields are marked *