ଲୋକଟି କହିଲା, ମୋ କବିତା ମୋ ମୁହଁରେ; ମୁଁ ଲେଖିକି ଆଣିନି।

ଯେବେ ଲହର ବହୁଥିଲା ରାତିଦିନ ହୁ ହୁ ହେଇ, ଥଣ୍ଡା ବର୍ଷୁଥିଲା ବରଫ ବର୍ଷାପରି, ସୁଏଟର ଜାକେଟ ଟୋପି ଭିତରୁ ମୁହଁଟିମାନ ଦେଖେଇ ଥୁରୁ ଥୁରୁ ଦେହରେ ଭିଡ଼ ଜମୁଥିଲା ସାରାଦିନ ଚା ଦୋକାନରେ, ସହରର ସାହିତ୍ୟିକଙ୍କ ମଥାକୁ ଆସିଲା ଶୀତ ସାହିତ୍ୟ ଆୟୋଜନର। ଶୀତ ସାହିତ୍ୟ ପାଇଁ ମୌସୁମ ଇଏ। ସାହିତ୍ୟ ସଂସଦରେ ପ୍ରସ୍ତାବ ପଡୁପଡୁ ଗୃହୀତ ହେଇଗଲା ବହୁମତରେ। ଏଥର ଶୀତ ଆସର ହେବ ଉଦାହରଣୀୟ। ଏକ ପ୍ରକାରେ ଶୀତସାହିତ୍ୟର ପର୍ବ। କବିତା ପଢ଼ିବାବେଳେ ଯଦି ଦାନ୍ତ ଠକଠକ ନହେଲା, କି ଶୀତ ଆସର? ଶ୍ରୋତା ନେଉଥିବେ ଚା’ର ମଜା, ମୁହଁରୁ ଉଠୁଥିବ ଧୂଆଁ। ଘୋଡ଼ିଘାଡି ହେଇ ଶୁଣୁଥିବେ କବିତା। ଟାଉନ ହଲକୁ ଭଡ଼ାରେ ନିଆଗଲା ନିଆଗଲା କାର୍ଯ୍ୟକ୍ରମ ପାଇଁ। ଟେଣ୍ଟହାଉସକୁ ଦିଆଗଲା ବରାଦ ସଜେଇବାର। ମାଇକ୍ ଓ ପୋଷ୍ଟରରେ ପ୍ରଚାର ହେଲା ଜୋରଦାର।
ନିର୍ଦ୍ଦିଷ୍ଟଦିନ ହେଲା ଉପଗତ। ହଲ୍ ସାମ୍ନାରେ ଗେଟ୍। କପଡା ଉପରେ ଫୁଲର କାରୁକାର୍ଯ୍ୟ। ଫୁଲର ଅକ୍ଷରରେ ଲେଖା – ଶୀତ ସାହିତ୍ୟ। ହଲରେ ଏକରଙ୍ଗୀ ଚେୟାର, ଏ ମୁଣ୍ଡରୁ ସେ ମୁଣ୍ଡ। ଷ୍ଟେଜ ଦେଖିବା ଭଳି ସଫେଦ କପଡା କଭରରେ ସଜ୍ଜିତ ସୋଫା ଓ ଟି’ପୟ। ଷ୍ଟେଜ୍ ସାମନାରେ ଫୁଲଭର୍ତ୍ତି। ଭାଷଣ ଷ୍ଟାଣ୍ଡରେ ଝୁଲୁଛି ଧାଡିଧାଡି ଗେଣ୍ଡୁମାଳ। ହଲ୍ ଲାଗୁଛି କୌଣସି ଥିଲାବାଲାର ମାଙ୍ଗଳିକ କାର୍ଯ୍ୟକ୍ରମ। ଦିନ ଦଶ ସୁଦ୍ଧା ହଲ୍ ଲୋକାରଣ୍ୟ। ବସିଗଲେ ଆପଣା ଆପଣାର ସିଟଧରି କବିଙ୍କ ସମେତ ଶ୍ରୋତା।
ମଞ୍ଚରେ ମୁଖ୍ୟଅତିଥି ମୁନିସିପାଲିଟି ଚେୟାରମାନ ଶ୍ରୀମତୀ ସୁଶୀଳା ସିଂ। ମୁଖ୍ୟବକ୍ତା ସ୍ଥାନୀୟ କଲେଜରେ ଓଡ଼ିଆ ପ୍ରାଧ୍ୟାପକ। ସମ୍ମାନିତ ଅତିଥି ଦୁଇଜଣଙ୍କ ସହ ସଭାପତି ସଂସଦର ମୁଖ୍ୟ ନିଜେ।
କବିତାସବୁ ସଂଗ୍ରହ ହେଇସାରିଥିଲା ନିର୍ଦ୍ଦିଷ୍ଟ ସମୟରେ। ମଞ୍ଚସ୍ଥ ଅତିଥିଙ୍କୁ ଚାରିପାଞ୍ଚ ମିନିଟ କହିବାକୁ ଦେଇ ଆସିଲା କବିତା ପଢ଼ାର ଅସଲ ପର୍ବ। ଯୁବ କବୟିତ୍ରୀ ଯଶୋଧାରା ନେଇଥାଆନ୍ତି ସଂଯୋଜନାର ଦାୟିତ୍ୱ l ସୁନ୍ଦର ସାବଲୀଳ ଶବ୍ଦ ଓ ବୀଣାଜିଣା କଣ୍ଠରେ କବିତା ସମ୍ପର୍କରେ ସମ୍ୟକ ବଖାଣି ଡ଼ାକିବାକୁ ଆରମ୍ଭ କଲେ ଜଣଙ୍କ ପରେ ଜଣେ କବିଙ୍କୁ। କାନ ଉପରୁ ଟୋପି ଟେକି, କେହି ମୁଣ୍ଡରୁ ମଫଲର ହଟେଇ ବନେଇ ଚୁନେଇ ପଢ଼ୁଥାଆନ୍ତି ଆପଣା ଆପଣାର କବିତା। ତାଳି ମାଡ଼ରେ ଉଛୁଳୁଥାଏ ହଲ। ଦିନ ଗୋଟାଏକୁ ସରିଲା କବିତା ସବୁ। ସଂଯୋଜିକା ସମାପ୍ତି ଘୋଷଣା କଲେ କବିତାପଢ଼ାର l

ହଠାତ୍ ଶ୍ରୋତାଙ୍କ ମଝିରେ ଠିଆହେଲେ ଗରିବ ମଣିଷ ଜଣେ। ତାଙ୍କ ଚେହେରା ଓ ବସ୍ତ୍ରରୁ ଫୁଟି ଉଠୁଥାଏ ତାଙ୍କ ଗରିବୀ। କିଛି ନକହି ଖାଲି ଠିଆ ହେଇ ରହିଲେ। ସଂଯୋଜିକାଙ୍କ ଆଖି ପଡ଼ିଲା ତାଙ୍କ ଉପରେ। ପଚାରିଲେ, ଆପଣ କଣ କବିତା ପଢ଼ିବେ?
-ହଁ
ଲୋକଟି ଶବ୍ଦଟିଏରେ ରଖିଲା ତା ଉତ୍ତର। ସମସ୍ତଙ୍କ ଆଖି ଏବେ ତା ଉପରେ।
ସଂଯୋଜିକା ଡ଼ାକିଲେ ତା’ଙ୍କୁ ଷ୍ଟେଜରେ ମାଇକ୍ ପାଖକୁ। ଲୋକଟି ଯାଇ ସମସ୍ତଙ୍କୁ ନମସ୍କାର କରି ଉଠିଲା ଷ୍ଟେଜ୍କୁ। ସଂଯୋଜିକା କହିଲେ, ଆପଣଙ୍କର କବିତା ଦେଲେ, ମୁଁ ଦେଖେ।
ଲୋକଟି କହିଲା, ମୋ କବିତା ମୋ ମୁହଁରେ। ମୁଁ ଲେଖିକି ଆଣିନି। ସଂଯୋଜିକା ଆଶ୍ଚର୍ଯ୍ୟ ହେଇ କହିଲେ, ଇଏ କି କଥା? କଣ ମନେ ଅଛି ସମ୍ପୂର୍ଣ କବିତା?
-ଅଛି ଆଜ୍ଞା। ଆପଣ ଶୁଣିବେନିକି।
-ହଉ ପଢ଼ଯାଇ।
ଲୋକଟି ମାଇକ୍ବକ୍ସ ପାଖକୁ ଯାଇ ପ୍ରଣାମ ଜଣେଇଲା ସମସ୍ତଙ୍କ ଉଦ୍ଦେଶ୍ୟରେ। ଆରମ୍ଭ କଲା। କଲାଯେ ଚାଲିଲା କବିତାର ଧାରା। ଅଛିଣ୍ଡା, ଅନବରତ। ଟିକେ ଅଟକିବା, କି ମନେ ପକେଇବାର ପ୍ରଶ୍ନଇ ଉଠେନା। ପ୍ରଥମେ ଈଶ୍ବର ବନ୍ଦନାରୁ ଆରମ୍ଭ କରି ପରେ ପରିବାର, ସମାଜ, ସରକାର, ପ୍ରକୃତି, ମଣିଷ, ଓ ଏବର ସାମାଜିକ ଅବସ୍ଥା, ବିଶେଷକରି ଅଧୋପତନର କାରଣ ଓ ନିରାକରଣ କିଛି ବାକି ନ ଥିଲା କବିତା ଭଣତିରେ। ସୁନ୍ଦର ସାବଲୀଳ କଥିତ ଭାଷାରେ ମିତ୍ରାକ୍ଷରରେ ବର୍ଣ୍ଣିତ ପଂକ୍ତିସବୁ ସହଜେ ବୋଧଗମ୍ୟ। ସୁନ୍ଦର ଅନୁଭବର କବିତା। ନିରବ ନିସ୍ତବ୍ଧ ହଲରେ ଆଗ୍ରହୀ ଶ୍ରୋତା। ପଢ଼ୁପଢ଼ୁ କେତେବେଳେ ବିତିଗଲା ପୂରା ଅଧଘଣ୍ଟା, କେହି ଜାଣି ପାରିଲେ ନାହିଁ। ଗୋଟେରୁ ହେଇ ସାରିଥିଲା ଦେଢ଼ଟା। ମଞ୍ଚାସୀନ ଅତିଥି ଅନେଇ ଥାଆନ୍ତି ବିମୁଗ୍ଧ ନୟନରେ। କବି ଶେଷରେ ନମସ୍କାର ପୂର୍ବକ ଷ୍ଟେଜ ଛାଡିବାକୁ ଉଦ୍ୟତ ହେଉଥିବା ବେଳେ ମୁଖ୍ୟଅତିଥି ଅଟକେଇଲେ ତା’ଙ୍କୁ। ପଚାରିଲେ, କଉଠୁ ଆସିଛ? ଶିକ୍ଷାଗତ ଯୋଗ୍ୟତା କ’ଣ ତମର?
-ମୁଁ ପଞ୍ଚମ ଯାକେ ପଢ଼ିଛି। ଆସିଛି ଏଠୁ ଦଶ ମାଇଲ ଦୂରରୁ । ମୁଁ ଜଣେ ଚାଷୀ ଗାଁ’ର। ସାହିତ୍ୟକୁ ଭଲପାଏ। ଲେଖେ କିଛି। ମନେରଖେ ଅଧିକ।
-ଏ କବିତା କ’ଣ ନିଜ ଲେଖା?
-ଆଜ୍ଞା। ଆହୁରି ଅଛି ଅନେକ।
ଆଶ୍ଚର୍ଯ୍ୟ ହେଲେ ଶ୍ରୋତା ଓ ଅତିଥି। ପ୍ରକୃତ ସାହିତ୍ୟିକ ଏଇ ଜଣକ। ମାଟିର କବି।
ମୁଖ୍ୟ ଅତିଥିଙ୍କ ଅନୁରୋଧରେ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା ସେଇଠି। ସେଇ ମୁହୂର୍ତ୍ତରେ। ଦେହରେ ପଡିଲା ଶାଲ। ହାତରେ ଫୁଲତୋଡ଼ା। ମାଡାମ୍ ସମ୍ବୋଧନ କଲେ ତା’ଙ୍କୁ ‘ମାଟିର କବି’ ଭାବରେ। ଘୋଷଣା ସହ ବେଶ ପ୍ରଶଂସା ବି କଲେ ଏବଂ କହିଲେ, “ମୁନିସପାଲିଟି ତରଫରୁ ଦଶହଜାର ଟଙ୍କା ଦେବାକୁ ମୁଁ ଘୋଷଣା କରୁଛି। ଆମ ଲୋକ ମାନପତ୍ର ସହ ଟଙ୍କା ନେଇ ଦେଇ ଆସିବେ ତମକୁ ଘରେ। ସତରେ ତମେଇ ମୋ ମାଟିର କବି, ଅସଲି ସାହିତ୍ୟିକ ଆମ ଭାଷାର। ତମକୁ ମୋର ପ୍ରଣାମ।”
ହସିହସି କବି ଷ୍ଟେଜ୍ରୁ ଫେରୁଥିବା ବେଳେ ହଲ୍ଟି କମ୍ପୁଥିଲା ତାଳିମାଡ଼ରେ। ନିର୍ବାକ୍ ଥିଲେ ଅନ୍ୟ କବିଗଣ।
ସୁନ୍ଦର ପରିକଳ୍ପନା ସଂଯୋଜନା ଓ ଉପସ୍ଥାପନ। ପ୍ରଫୁଲ୍ଲ ବାବୁ ସୂଚେଇ ଦେଲେ ଯେ କବିତା ଓ ସାହିତ୍ୟ କେବଳ ସହରରେ ନାହିଁ ଗାଁରେ ବି ଅଛି, ଧନୀରେ ନାହିଁ ଗରିବ ପାଖରେ ବି ଅଛି ଆଉ କେବଳ ଶିକ୍ଷିତଙ୍କ ପାଖରେ ନାହିଁ,ଅଳ୍ପ ଶିକ୍ଷିତ ବା ମୂର୍ଖ ପାଖରେ ମଧ୍ୟ ଅଛି।ଚମତ୍କାର ଲେଖା। ଲେଖକ ମହାଶୟଙ୍କୁ ଧନ୍ୟବାଦ।