ଆମ ପାଖରେ ତ କଫି ନ ଥିଲା, ଆମେ ଆଉ କେତେ ସମୟ ବା ଅପେକ୍ଷା କରିଥାନ୍ତୁ?

ଏହି ପ୍ରକରଣଟି ବନ୍ଧୁ ସୁଶାନ୍ତ ପଣ୍ଡା ଶୁଣାଇଥିଲେ ମୋତେ। ତା’ଙ୍କଠାରୁ ଏଇଟି ଶୁଣିବା ହିଁ ଥିଲା ମୋ ପାଇଁ ଏକ ଅପୂର୍ବ ଅନୁଭୂତି।
ସୁଶାନ୍ତ ବାବୁ ଜଣେ ସଫଳ କଫି ଚାଷୀ। କୋରାପୁଟରେ କଫିର ବିଶାଳ ଫାର୍ମ। ତାଙ୍କର ସଉକି ହେଲା ଫଟୋଗ୍ରାଫି। ନିଜ କଫି ବଗିଚାରେ ଶହ ଶହ ପ୍ରଜାତିର ପକ୍ଷୀଙ୍କ ଫଟୋ ଉଠାଇବା, ରାତି ଆକାଶରେ ଗ୍ରହ, ନକ୍ଷତ୍ର ଓ ମହାକାଶରେ ଥିବା ନେବୁଲା ଆଦିର ଫଟୋ ଉଠାଇବା ତାଙ୍କର ନିତିଦିନିଆ କାମ । ତାଙ୍କର କଫି ବଗିଚା ବୁଲିଗଲେ କଫି ପିଆନ୍ତି ଓ ନିଜ ଅନୁଭୂତି କାହାଣୀ ସବୁ ଶୁଣାନ୍ତି।

ଏବେ ଏବେ ସେ ଫଟୋଗ୍ରାଫି ପାଇଁ ଯାଇଥିଲେ ବାନ୍ଧବଗଡ଼ ଅଭୟାରଣକୁ। ମନରେ ପ୍ରବଳ ଇଛା, ବାଘକୁ ପ୍ରାକୃତିକ ପରିବେଶରେ ଦେଖି କ୍ୟାମେରାରେ ତାହାକୁ ବନ୍ଦି କରିବାକୁ।
ଯିବା ପୂର୍ବରୁ ତାଙ୍କ ପୂର୍ବରୁ ଯାଇଥିବା ଜଣେ ବନ୍ଧୁ ତାଙ୍କୁ କହିଲେ, ବାନ୍ଧବଗଡ଼ରେ ବାଘ ଏତେ ଅଛନ୍ତି ଯେ ଜଣେ ସେଠାକୁ ଗଲେ ବାଘ ଦେଖି ଫେରିବା ସୁନିଶ୍ଚିତ। ଆଉ ଯଦି କିଏ କୁହେ ସେ ବାଘ ଦେଖିପାରିଲା ନାହିଁ, ତା’ମାନେ ସେ ଶୋଇଥିଲା। ତେଣୁ ଖୁସି ମନରେ ସାଙ୍ଗସାଥୀ ଧରି ସେ ପହଞ୍ଚିଲେ ଅଭୟାରଣରେ। ଗାଇଡ୍ ଜିପ୍ ତା’ଙ୍କୁ ଜଙ୍ଗଲର ଅନ୍ଦି କନ୍ଦି ଘୂରାଇବା ପରେବି ବାଘର ଦର୍ଶନ ନାହିଁ। ଯେଉଁ ବନ୍ଧୁ ବାଘ ଦେଖିବା ସୁନିଶ୍ଚିତ ବୋଲି କହିଥିଲେ ତାଙ୍କୁ ମନେ ମନେ ବହେ ଗାଳିଦେଇ ଆଗକୁ ଯିବା ଅବସରରେ ସେ ଦେଖିଲେ ଯେ ଜଣେ ବିଦେଶୀ ଫଟୋଗ୍ରାଫର ଜିପ୍ ଉପରେ ବସି ନିର୍ମିମେଷ ନୟନରେ ଜଙ୍ଗଲର ଏକ ଦିଗକୁ ଚାହିଁରହିଛି, ହାତରେ ଲମ୍ବା ଲେନ୍ସ ଥିବା କ୍ୟାମେରା। ତାର ଜିପ୍ ସାରା ଅନେକ କ୍ୟାମେରା ଲାଗିଛି ଓ ଆଉ ଗୋଟିଏ ଜିପରେ ତା’ର ସାହାଯ୍ୟକାରୀମାନେ ବସିଛନ୍ତି। ପଚାରି ବୁଝିଲେ ଯେ ଗୋଟିଏ ବାଘ ଅଳ୍ପ ସମୟ ତଳେ ତାର ତିନିଟି ଛୁଆ ଧରି ଯାଇଛି, ଦୁଇଟି ଛୁଆ ତା’ ସାଙ୍ଗରେ ଚାଲିଗଲେ, କିନ୍ତୁ ଆଉ ଗୋଟିଏ ଛୁଆ ସେ ବୁଦା ପଛରେ ଏବେବି ଅଛି ଓ ନିଶ୍ଚୟ ବାହାରିବ। ବାସ।, ସେହି କ୍ଷଣକୁ ଅପେକ୍ଷାକରି ବିଦେଶୀ ଜଣକ ଅନେକ ସମୟ ହେଲାଣି ବସିଛି। ସୁଶାନ୍ତ ବାବୁ ଓ ତାଙ୍କ ଦଳ ମଧ୍ୟ କ୍ୟାମେରା ପ୍ରସ୍ତୁତ କରି ନିଜ ଗାଡ଼ିରେ ବସି ରହିଲେ। ସମସ୍ତଙ୍କ ନଜର ସେଇ ବୁଦା ଆଡକୁ। ପାଂଚ ମିନିଟ, ଦଶ ମିନିଟ, ଅଧ ଘଣ୍ଟା, ଘଣ୍ଟାଏ ଗଲାଣି। ବିଦେଶୀ ଜଣକ ସେମିତି ଏକାଗ୍ର ମନରେ ନିଶ୍ଚଳ ହୋଇ କ୍ୟାମେରା ଲେନ୍ସରେ ଦେଖୁଛି। ସୁଶାନ୍ତ ବାବୁ ଓ ତାଙ୍କ ବନ୍ଧୁମାନଙ୍କ ଧୈର୍ଯ୍ୟ ନାହିଁ। ନିଜ ନିଜ ଭିତରେ କଥା ହେଲେ ଯେ ଆଉ କେତେ ସମୟ ଅପେକ୍ଷା କରିବା, ଚାଲ ପଳାଇବା।
କାହାଣୀ ଏଇଠି ରଖି ବନ୍ଧୁ ସୁଶାନ୍ତ ବାବୁ ଚୁପ ରହିଲେ। ମୁଁ ପଚାରିଲି, ତାପରେ କଣ ହେଲା, ସେ ବାଘ ଛୁଆ କଣ ଦେଖାଗଲା? ଆପଣ କଣ ତାର ଫଟୋ ଉଠାଇଲେ?

ସୁଶାନ୍ତ ବାବୁ କହିଲେ, ନା , ଆମେ ଆଉ ସେଠି ରହିବା ପାଇଁ ଧୈର୍ଯ୍ୟ ନଥିଲା, ଆମେ ସେ ବିଦେଶୀକୁ ଛାଡି ଚାଲିଲୁ ଆଗକୁ।
କାହିଁକି? ଯଦି ସେ ବିଦେଶୀ ପାଖରେ ଧୈର୍ଯ୍ୟ ଥିଲା, ଆପଣ କାହିଁକି ଏତେ ଅଧୈର୍ଯ୍ୟ ହେଲେ? ଆମେ ପଚାରିଲୁ।
କାରଣ ଆମ ପାଖରେ କଫି ନଥିଲା , ସୁଶାନ୍ତ ବାବୁ ବଡ଼ ନାଟକୀୟ ଢଙ୍ଗରେ କହିଲେ।
କଫି? କଫିର ଧୈର୍ଯ୍ୟ ସାଙ୍ଗରେ କଣ ସମ୍ପର୍କ! ଏଥର ଅଧୈର୍ଯ୍ୟ ହେବାର ପାଳି ମୋ’ର।
ସୁଶାନ୍ତବାବୁ କହିଲେ ଯେ ବିଦେଶୀ ଜଣକ ଏକ କଫି ଗୁଣ୍ଡ କରିବା ମେସିନ କାଢ଼ିଲା ଓ କଫି ବିନ୍କୁ ମେସିନ୍ରେ ପୂରାଇ ଗୁଣ୍ଡ କଲା; ତା ଫ୍ଲାସ୍କରୁ ଗରମ ପାଣି ବାହାର କରି ଗୁଣ୍ଡ କଫିରେ ଢ଼ାଳିଲା, ସେଇ କଫିକୁ ସେ ପିଇଲା ଓ ତା ଡ୍ରାଇଭର୍ ଓ ସହଯୋଗୀଙ୍କୁ ଦେଲା। ଏସବୁ କରିବା ଭିତରେ ତା ଆଖି କିନ୍ତୁ ଦୂରରେ ଥିବା ବାଘ ଛୁଆ ରହୁଥିବା ବୁଦା ଉପରେ ଥାଏ।
ତା’ ହାବଭାବ ଦେଖି ଆମେ ଜାଣିଗଲୁ ଯେ ସେ ଅନ୍ତତଃ ଆଉ ଦୁଇଘଣ୍ଟା ସେମିତି ନିରବ ନିଶ୍ଚଳ ହୋଇ ବସି ରହିବାକୁ ଶକ୍ତି ପାଇଗଲା।
ଆଉ ଆମେ? ଆମ ପାଖରେ ତ କଫି ନ ଥିଲା, ଆମେ ଆଉ କେତେ ସମୟ ଅପେକ୍ଷା କରିବୁ? ଫେରି ଆସିଲୁ।
ତେଣୁ ବୋଧହୁଏ ଆଜି କୋରାପୁଟରେ ଥିବା ନିଜର ଫାର୍ମରେ ଉତ୍ପାଦିତ କଫି ଜରିଆରେ ସମସ୍ତ କଫିପ୍ରେମୀଙ୍କୁ ଧୈର୍ଯ୍ୟବାନ କରିବାର ବ୍ରତରେ ଲିପ୍ତ ଅଛନ୍ତି ସୁଶାନ୍ତ ବାବୁ।
Beautifully narrated—simple on the surface yet deeply insightful. Through a light, almost playful incident, you’ve captured a profound truth about patience, observation, and preparedness. The contrast between restless eagerness and calm, coffee-fueled stillness lingers long after the story ends. It’s one of those pieces that makes you smile first and reflect later. Thoroughly enjoyed this quiet lesson wrapped in an engaging real-life moment.
Very interesting tale
Coffee and patience directly proportional. Excellent experience shared by him (sushant Babu)
ଅତି ସୁନ୍ଦର ଲେଖା l ପଢି ଖୁସି ହେଲି l