ଗୋଟାଏ କବିତା ଲେଖା ୱାର୍କସପ୍ ବା କୋଚି଼ଂ ସେଣ୍ଟର ଖୋଲାଯାଉ।

ସ୍ବାମୀ ଅଭୟାନନ୍ଦକୁ ଆପଣମାନେ ଜାଣିଛନ୍ତି କି ନାହିଁ, କହିପାରିବି ନାହିଁ। ସେମିତି ଗୋଟାଏ କିଛି ବଡ଼ ଲୋକ ନୁହେଁ। ନଜାଣିଲେ ବି ଦୁଃଖ ନାହିଁ। ଦୁଃଖ ନାହିଁ ବୋଲି ସିନା କହୁଛି, ହେଲେ ଭିତରେ ଭିତରେ କୋରିହେଉଛି। ଯାହା ସବୁ ଲୋକଙ୍କ ପାଖରେ ଅଳ୍ପ ବହୁତ ଥାଏ; ଅଭୟ ଦାଶ ସେଇ ମଣିଷ ତ ! ମଣିଷ ବୋଲି କଣ ଖାଲି ମଣିଷ? ଓଡ଼ିଆ ମଣିଷ, ମାନେ ମେଡ୍ ଇନ୍ ଓଡ଼ିଶା। କଣଟାଏ ପରିଚୟ ପାଇବା ଆଶାରେ ସ୍ବାମୀ ଅଭୟାନନ୍ଦ ପାଲଟି ଯାଇଛି ମନେ ମନେ। କେହି ଏଇଟାକୁ ମାନନ୍ତୁ କି ନାହିଁ, ସେଇଥିରେ ତାର ଆନନ୍ଦ! ଏହା ଯେ ସମ୍ପୁର୍ଣ ସତ, ସେମିତି କିଛି ମାନେ ନାହିଁ। ସିଏ କଣ ସାହିତ୍ୟିକ? ସମାଜସେବୀ? ନା ଆଉ କଣ? ନିଜେ ଜାଣିନି। ଏମିତି ଗୁଡ଼ାଏ କାଗଜପତ୍ର ଓଲଟାଉ ଓଲଟାଉ ମନେ ପଡୁଥାଏ ପିଲାଦିନ। ସେଇ ବାବା ବୈଦ୍ୟନାଥ ପାଢ଼ୀ, ପରମାନନ୍ଦ ଖଣ୍ଡେୟୀ ଓ ଅନ୍ୟ ଅନୁଭବୀ ଶିକ୍ଷକ ବା ‘ଏକ୍ସପେରିଏନ୍ସଡ୍ ଟିଚର’, ଯେଉଁମାନେ ଆମକୁ ପରୀକ୍ଷା ବୈତରଣୀ ପାର ହେବାକୁ ଦେଇଯାଇଛନ୍ତି କେତେକ କି’ ବହି, ବା ସରଳୀକରଣ ବହି, ପ୍ରଶ୍ନୋତ୍ତର ବହି ବା ମେଡ୍ ଇଜି, କୁଞ୍ଜି ବହି ଆଦି। ସେଇ ନମସ୍ୟ ଶିକ୍ଷକମାନେ ନଥିଲେ କଣ ଏ ଅଭୟ ଦାଶ ମାଟ୍ରିକ୍ ପାଶ୍ କରିଥାଆନ୍ତା? ବର୍ତ୍ତମାନ ଯେଉଁ ଅବସ୍ଥାରେ ପହଞ୍ଚିଛି, ଭାବୁଛି, କଣଟାଏ କରିପକାନ୍ତା! କଣ କରିବ? ଆଇଡ଼ିଆ ଆସିଗଲା ! କୋଚିଂ ସେଣ୍ଟର! ଇଂରେଜୀ, ଗଣିତ, ଫିଜିକ୍ସ୍, କେମିଷ୍ଟ୍ରି? ଉଁହୁଁ, ନୁହେଁ! ଓଡିଆ, ସଂସ୍କୃତ? ନା, ହବନାହିଁ । କିଏ ପଢ଼ିବ? କିଏ ପଢାଇବ? ଆଉ କିଛି? ରାସ୍ତା ଦିଶୁନାହିଁ।ବାହାରିବ, ରାସ୍ତା ବାହାରିବ। ହଁ, ହୋଇଗଲା! ଗୋଟାଏ କବିତା ଲେଖା ୱାର୍କସପ୍ ବା କୋଚି଼ଂସେଣ୍ଟର ଖୋଲାଯାଉ।

ମାତ୍ର ସେଥିରେ ଆଉ କାହାକୁ ନ ପୂରାଇ ନିଜେ ସବୁ ଦାୟିତ୍ୱ ନେବାକୁ ହେବ। କାହିଁକି ନା, କାହାକୁ ନେଲେ ଏକେ ତ ଯାହା ଦି’ ପଇସା ଆସିବା ଆଶାଥିବ, ଗଲା। ଆଉ ଗୋଟାଏ ବେମାରୀ, ଯିଏ ଆସିବେ ସିଏ ନିଜର ମାମଲତକାରୀ ଦେଖେଇ ଖାଲି କଥା କଟାକଟି ହେବେ। ଏଇଟା ନାହିଁ ସେଇଟା, ସେ ବନାନ ଭୁଲ୍, ସେ ଅର୍ଥ ଭୁଲ୍ ,ସେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ବିନୋଦ କାନୁନଗୋ , ଜ୍ଞାନମଣ୍ଡଳ, ସେ ଅମୁକ ବ୍ୟାକରଣ ଏମିତି ଘାଣ୍ଟିବେ ଯେ ପଛ ଆଡ଼କୁ ଭିଡି ଧରିବେ। ଏ ସବୁ ଯନ୍ତ୍ରଣାରୁ ରକ୍ଷା ପାଇବାକୁ ଖଣ୍ଡମଣ୍ଡଳ ବୁଲିବାକୁ ହୋଇଛି। ସବୁ କାଲି ଭଳିଆ ମନେଅଛି ଆଜ୍ଞା! ସେଥିପାଇଁ ସବୁ ଦାୟିତ୍ୱ ନିଜ ହାତରେ ରଖି କାମ ଆରମ୍ଭ କରିବାକୁ ହୋଇଛି। ଗୋଟାଏ ନୂଆ କାମ ଆରମ୍ଭ ହେଉଛି ଯେତେବେଳେ, ଆକସ୍ମିକ ଅବସ୍ଥାକୁ ଧ୍ୟାନ ଦେବାକୁ ହେବ ନା!
ସବୁ ଆଡ଼କୁ ଦୃଷ୍ଟି ରଖି ଆଗକୁ ପଛକୁ ଚାହିଁ ସିଲାବସ୍ ବା ପାଠ୍ୟକ୍ରମ ତିଆରି ରେ ଲାଗିପଡିଛି ଅଭୟ ଦାଶ। କବିତା, ଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ, ମିତ୍ରାକ୍ଷର, ଅମିତ୍ରାକ୍ଷର, ଗଜଲ, ଭଜନ, ଜଣାଣ ସବୁ ଶୃଙ୍ଖଳାକୁ ଆଖି ଆଗରେ ରଖି ପାଠ୍ୟକ୍ରମ ତିଆରି କରାଯାଉଛି। ପାଠ୍ୟକ୍ରମ ସାଙ୍ଗକୁ ଆଖି ଦୁରୁଶା ବିଜ୍ଞାପନ ଦରକାର। ସେଥିପାଇଁ ବଛା ବଛା ଲେଖକ ଯେମିତି ରମାକାନ୍ତ ରଥ, ସଚି ରାଉତରା, ସୀତାକାନ୍ତ ମହାପାତ୍ର, ସୌଭାଗ୍ୟ ମିଶ୍ର ଆଦିଙ୍କ ଫଟୋ ସ଼ଂଗ୍ରହ କରି ଇସ୍ତାହାର ଛପାଇଦେବାକୁ ହେବ ଯେ ଏମାନେ ଆମ ଅନୁଷ୍ଠାନର ଛାତ୍ର ଥିଲେ। ତା’ହେଲେ ସିନା ଛାତ୍ର ଆସିବେ। ଆଉ ରହିଲା ପ୍ରଚାର। ଏହି ଅନୁଷ୍ଠାନର ଛାତ୍ର, ମାନେ ସାହିତ୍ୟ ଏକାଡେମୀ, ସରସ୍ବତୀ ସମ୍ମାନ, ଜ୍ଞାନପୀଠ ସମ୍ମାନ ଥୁଆ। ନୋବେଲ୍ କହିଲେ ଅତ୍ୟୁକ୍ତି ହୋଇ ଯିବ। ଧରାପଡିଯିବା ସାର ହେବ ସିନା କିଛି ଲାଭ ହେବ ନାହିଁ। ସେଇ ରାଜ୍ୟ ବା କେନ୍ଦ୍ର ସାହିତ୍ୟ ଏକାଡେମୀ ଭିତରୁ ଗୋଟିଏ ମିଳିଗଲେ ହୁଅନ୍ତା ଯେ, ସେ ଦୁଇ ସଂସ୍ଥାରେ ତ ଏବେ କେଁ ପଶିଗଲାଣି।
କୋର୍ସେସ୍ ଅଫ୍ ଷ୍ଟଡିଜ୍ ପାଠ୍ୟକ୍ରମ ଡ଼ିଜାଇନ୍ କରିବାକୁ ଯାଇ ଜଗନ୍ନାଥ ଭଜନ ବା ଜଣାଣକୁ ବିଚାରକୁ ନିଆଯାଉ। ଯାହା ଗାଇବେ, କାଳିଆ, ଜଗା, ଏ ଦୁଇଟି ଶବ୍ଦକୁ ଜମା ଛାଡ଼ିବେ ନାହିଁ। ସବୁ ପଦରେ ଦୁଇଥର ଜଗା, ଦୁଇ ଚାରିଥର କାଳିଆ ଜରୁର ଲେଖିବେ। ସେ ପୁରୁଣା ମୃଗୁଣୀ ସ୍ତୁତି, ଗଜ ଉଦ୍ଧାରଣର ମାର୍କେଟ୍ ନାହିଁ। “କିଛି ମାଗୁନାହିଁ ତୋତେ,” କେବେ ଭୁଲ୍ରେ କହିବେ ନାହିଁ। “ମାଗୁଛି ସରଧା ବାଲିରୁ ହାତେ,“ ନୋ ନୋ କଦାପି ନୁହେଁ। ତିନି ହଜାର ବର୍ଗ ମିଟରରୁ କମ୍ ଜମା ନୁହେଁ। ଦେଖୁଛଟି ଜଣେ ଆର୍ ଆଇ, ମୃତ୍ତିକା ସଂରକ୍ଷଣ ବାବୁ କି ଜଙ୍ଗଲ ବାବୁଙ୍କ ଘରୁ କେତେ ମାଲ ବାହାରୁଛି? ମାଗିବ ଜଗନ୍ନାଥଙ୍କୁ ସିଏ ପୁଣି ହାତେ ବାଲି? ଛି ଛି, ହବ ନାହିଁ। ଯଦି ପ୍ରେମ କବିତା ଲେଖିବେ, ସେ ଆଖି, ନାକ, ବାଳ, ଚୁଟି ବର୍ଣ୍ଣନାକୁ ଟିକିଏ ଗ୍ଲୋବାଲ୍ ଟଚ୍ ଦେବା ଠିକ୍ ହେବ। ଘନ କୁନ୍ତଳାକୁ କଲର୍ କୁନ୍ତଳା, କଣ୍ଟାକ୍ଟ୍ ଲେନ୍ସ୍ ନୟନା ଆଦି ନୂତନତ୍ବର ଯୋଗ କରିପାରନ୍ତି। ବଜାର ଦର ଉପରେ କେବେ କବିତା ଲେଖି ନିଜର ଦାରିଦ୍ର୍ୟ ଦେଖାଇବା ଠିକ୍ ନୁହେଁ। ବିପ୍ଳବୀ କବିତା ଯଥା, ମାରିଦିଅ ଟାଙ୍ଗିଦିଅ ଆଦି ଶବ୍ଦଠାରୁ ଦୂରେଇ ରହିବେ, ନହେଲେ ନକ୍ସଲ୍ ଆଇନ ଅଛି ନା? ଆଉ କଣ ସେ ସ୍ବାଧୀନତା ପୂର୍ବ ସମୟ ଅଛି ଯେ ଜାଗିଉଠ, ମାଡ଼ି ଯାଅ କବିତା, କି ସତ୍ୟ ଅହି଼ଂସା ଗାନ୍ଧୀ ମାର୍କା କବିତାର ମାର୍କେଟ୍ ଅଛି? ଆଜିକାଲି ସମସ୍ତେ “ନିଜ ହାତରେ ନିଜେ ଚଉଦ ପା“, କାହାକୁ ବେଶି ଗୁଡ଼ାଏ ଜ୍ଞାନ ବାଣ୍ଟିବେ ନାହିଁ। ଇଏ କର, ସିଏ କର କହି ନିଜକୁ ବଦନାମ କରିବା ସିନା, ସମାଜର କିଛି ମଙ୍ଗଳ ହେବ ନାହିଁ। ନିଜ ପିଲାଏ ଯେଉଁଠି କଥା ମାନୁନାହାନ୍ତି, ସେଠି ଅନ୍ୟମାନଙ୍କୁ କହି କି ଲାଭ? ସେଥିପାଇଁ ଏକ ସନ୍ତୁଳିତ ପାଠ୍ୟକ୍ରମର ଯେଉଁ ଆବଶ୍ୟକତା ଥିଲା ତାହା ପୁରଣ ହେବାକୁ ଯାଉଛି ଏହା ସ୍ୱୟଂ ମୁଖ୍ୟ ମନ୍ତ୍ରୀ କି ଶିକ୍ଷା ମନ୍ତ୍ରୀଙ୍କ ତୁଣ୍ଡରେ କୁହାଇବାକୁ ଚେଷ୍ଟା କରାଯାଇ ପାରେ, କହନ୍ତି ସ୍ବାମୀ ଅଭୟାନନ୍ଦ। ଇଏ ତ ଭିତ୍ତିପ୍ରସ୍ତର ମାତ୍ର । ଫିତା କଟା ସରିଲେ ଦେଖାଯିବ କଣ ହେଉଛି!
ଏ ପାଠ୍ୟକ୍ରମ ପ୍ରସ୍ତୁତି ପୂର୍ବରୁ ଆମ୍ଭେ ସ୍ବାମୀ ଅଭୟାନନ୍ଦ ହିନ୍ଦୀ, ଉର୍ଦ୍ଦୁ ଆଦି ଭାରତୀୟ କବି ଓ ଲେଖକମାନଙ୍କ ରଚନାର ସାହାଯ୍ୟ ନେଇଛୁ । ଯଥା ହରିବଂଶ ରାଏ ବଚ୍ଚନ, ଗୁଲ୍ଜାର୍ , ଜାଭେଦ୍ ଅଖତର୍ ଆଦି। ଯେମିତି ଗଜଲରେ ଯେଉଁଠି ସମା ସେଇଠି ପରୱାନା , ଯେଉଁଠି ଦିଆ ସେଇଠି ହାୱା, ଏହିପରି ବନ୍ଧନ ବା ଫର୍ମୁଲାକୁ ବିଚାରକୁ ନେଇଛୁ। ଏହାକୁ ଆମର ଜାତୀୟ ସଂହତି ବା ନେସନାଲ୍ ଇଣ୍ଟିଗ୍ରେସନ୍ ମନୋବୃତ୍ତିର ଝଲକ ରୂପେ ଗ୍ରହଣ କରି ପାରନ୍ତି।
କବିତା ଲେଖିବା ଆଜିକାଲି ମନ
ମୋର କହୁଛି। ଆପଣଙ୍କର କୋଚିଙ୍ଗ କ୍ଲାସ ରେ ଜଏନ କରିବାକୁ ଇଚ୍ଛା ଅଛି। ଦୟାକରି ଜଣାଇବେ।
ବ୍ୟଙ୍ଗ ରଚନା ରେ ବେଶ୍ ପାରଙ୍ଗମ ଆପଣ। ହସି ହସାଇବା ସହ ମନୋରଞ୍ଜନ କରୁଥାନ୍ତୁ।