
ପୁସ୍ତକଟିର ସମ୍ପୂର୍ଣ୍ଣ ଶିରୋନାମା ହେଲା, ‘ଶୁଭଂ ଭବତୁ ଶୁଭାନି ଭବନ୍ତୁ – ରମାକାନ୍ତ ଭାଇନା’। ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଗ୍ରଗଣ୍ୟ କବି ରମାକାନ୍ତ ରଥଙ୍କ ମହାପ୍ରୟାଣ ପରେ ବର୍ଷୀୟାନ୍ ସୁସାହିତ୍ୟିକ ଶ୍ରୀନିବାସ ଉଦ୍ଗାତାଙ୍କ କଲମରୁ ରୂପ ନେଇଥିବା ଏହି ବହି କବିଙ୍କର ସାରସ୍ୱତ ଓ ବ୍ୟକ୍ତିଗତ ଜୀବନକୁ ବୁଝିବା ପାଇଁ ଏକ ଉପଯୋଗୀ ମାଧ୍ୟମର ଭୂମିକା ତୁଲାଇଛି। ଛାତ୍ରଜୀବନଠାରୁ ନେଇ ପରିଣତ ବୟସରେ ଉପନୀତ ହେବା ପର୍ଯ୍ୟନ୍ତ ବିବିଧ ସମୟକ୍ରମରେ ଲେଖକ ପାଇଥିବା ରମାକାନ୍ତଙ୍କର ଅଭୁଲା ସାନ୍ନିଧ୍ୟକୁ ଏକ ଜୀବନ୍ତ ରୂପ ଦେବାକୁ ଚେଷ୍ଟା କରିଛନ୍ତି ଏହି ପୁସ୍ତକରେ।
ସମଗ୍ର ପୁସ୍ତକଟିରେ ସେ ରମାକାନ୍ତଙ୍କୁ ‘ଭାଇନା’ ବୋଲି ସମ୍ବୋଧିତ କରିଛନ୍ତି। ସେ ଠାଏ ମଧ୍ୟ ଲେଖିଛନ୍ତି, “ଭାଇନା, ଆପଣଙ୍କର ଅନୁପମ ଶାନ୍ତ ପ୍ରଶାନ୍ତ ସଖ୍ୟ ସନ୍ନିଧି ମୋତେ ସବୁବେଳେ ଏକ ସତ୍ପୁରୁଷ, ଉଦାର, ସିଦ୍ଧ ତପସ୍ୱୀ ଯୋଗୀର ସାନ୍ନିଧ୍ୟ ଭଳି ମନେ ହେଉଥିଲା।” (ପୃ- ୧୬)
କହିବା ବାହୁଲ୍ୟ, ଶ୍ରୀନିବାସ ଉଦ୍ଗାତା ଓ ରମାକାନ୍ତ ରଥଙ୍କର ସାରସ୍ୱତ ଯାତ୍ରା ପରସ୍ପର ସହିତ ନିବିଡ଼ ସମ୍ପର୍କରେ ବାନ୍ଧିହୋଇଥିଲା। ଉଭୟ ନିଜ ସର୍ଜନାତ୍ମକ ଜୀବନର ବିଭିନ୍ନ ମୋଡ଼ରେ ହାତ ଧରାଧରି ହୋଇ ଆଗକୁ ବଢ଼ିଥିଲେ। ଏପରିକି ଏକଦା ରମାକାନ୍ତ ନିଜର ଏହି ସାହିତ୍ୟିକବନ୍ଧୁଙ୍କୁ କହିଥିଲେ, “ଶ୍ରୀନିବାସ, ତୁମ୍ଭଠାରୁ ଅନେକ କିଛି ଶିଖିବାର ଅଛି।”
ଆଲୋଚ୍ୟ ପୁସ୍ତକଟିରେ ଲେଖକ ଯେ କେବଳ ରମାକାନ୍ତ ରଥଙ୍କ ସ୍ମୃତି ବିଜଡ଼ିତ ଅନୁଭୂତି ହିଁ ବାଣ୍ଟିଛନ୍ତି ତାହା କହିହେବ ନାହିଁ। ଏହି ପ୍ରସଙ୍ଗରେ ଅନ୍ୟ କେତେଜଣ ସାହିତ୍ୟଧର୍ମୀ ବ୍ୟକ୍ତିତ୍ୱଙ୍କ ସହିତ ତାଙ୍କର ସାନ୍ନିଧ୍ୟ ମଧ୍ୟ ଚର୍ଚ୍ଚାକୁ ଆସିଛି। ବିଶେଷତଃ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଥିବା ସମୟର ବିଭିନ୍ନ ଘଟଣାବଳୀ ଏଥିରେ ବିଶଦ ଭାବରେ ବର୍ଣ୍ଣିତ ହୋଇଛି। ଏହି କ୍ରମରେ କେତେକ ରୋଚକ ତଥ୍ୟ ମଧ୍ୟ ପାଠକମାନଙ୍କ ଦୃଷ୍ଟିକୁ ଆସିଛି। ରମାକାନ୍ତଙ୍କ ‘ଶ୍ରୀରାଧା’ ସରସ୍ୱତୀ ସମ୍ମାନ ସକାଶେ ତାଲିକାଭୁକ୍ତ ହେବାପରେ ଭାରତୀୟ ପ୍ରଶାସନ ସେବାର କିଛି ଜଣ ଅଧିକାରୀ ଷଡ଼୍ଯନ୍ତ୍ର କରି ଏହି କାବ୍ୟ ଧର୍ମବୀର ଭାରତୀଙ୍କ ‘କନୁପ୍ରିୟା’ର ଅନୁକରଣରେ ଲେଖାଯାଇଛି ବୋଲି କହି ସେହି ପୁରସ୍କାରର କର୍ତ୍ତୃପକ୍ଷଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ।
ଏହି ସଂସ୍ମରଣରେ ରମାକାନ୍ତଙ୍କୁ ନେଇ ଲେଖକଙ୍କର ଏକପାଖିଆ ଭାବାବେଗର ଆଭାସ ଦେଖିବାକୁ ମିଳେ। କିନ୍ତୁ ସେହି ଭାବାବେଗକୁ ନେଇ ଗଢ଼ିଉଠିଥିବା ଅନୁଭୂତିକୁ ଏକ ରଚନାର ରୂପ ଦେବାପାଇଁ ଯେଉଁ ବସ୍ତୁନିଷ୍ଠତା ବା ସନ୍ତୁଳନର ଆବଶ୍ୟକ, ତାହାର ହୁଏତ କିଛି ଅଭାବ ରହିଯାଇଛି ଏଥିରେ। ରମାକାନ୍ତଙ୍କ ପରଲୋକ ଗମନ ତାଙ୍କର ହୃଦୟତନ୍ତ୍ରୀକୁ ଦୋହଲାଇଦେଇଛି, ଯାହାର ପରିଣାମରେ ସେ ନିଜର ସ୍ମୃତିର ଫରୁଆକୁ ଖୋଲିଦେଇଛନ୍ତି ବିନା କୌଣସି ପ୍ରସ୍ତୁତିରେ। ବୋଧହୁଏ ଲେଖକ ତାଙ୍କ ରଚନାର ଏହି ଦିଗଟି ପ୍ରତି ସଚେତନ ଅଛନ୍ତି; କାରଣ ସେ ଠାଏ ସ୍ୱଗତୋକ୍ତି କରିଛନ୍ତି, “ଆପଣଙ୍କର ସ୍ମୃତି ସମର୍ପିତ ଏ ଯେ ଆଲେଖ ଲେଖିଚାଲିଛି, ତାହା କେଉଁ ବର୍ଗର? ତାକୁ କ’ଣ ବୋଲି କହିବି, ଯାହା ଗ୍ରନ୍ଥାକାରରେ ପ୍ରକାଶିତ ହେବାବେଳେ ଆପଣା ବର୍ଗର ପରିଚୟ ଦେବ?” ସେ ପାଠକମାନଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି, “ଦୋଷ ନ ଧରି ପଢ଼ିବେ, ପ୍ରମାଦ ଦେଖିଲେ ଉଦାର ପଣରେ ଆପେ ସୁଧାରି ଦେବେ ବୋଲି ମୋର ବିନୀତ ଅନୁରୋଧ କରୁଛି।” ଏଣୁ ବହିଟିରେ ଆମର ଦୃଷ୍ଟିକୁ ଆସିଥିବା ଆଉ ଅଳ୍ପ କିଛି ପ୍ରମାଦର ଚର୍ଚ୍ଚା କରିବାରୁ ଆମେ ଏଠାରେ ବିରତ ହେଲୁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୫ ସଂଖ୍ୟାରେ ପ୍ରକାଶିତ। )