ସେତେବେଳେ ସାଇକେଲ ରଖିବାକୁ ଚାରେଣା ପଇସା ଲାଗିଥାଏ, ମାତ୍ର ଲେଖାଥାଏ ରଖିବ ତ ନିଜ ଦାୟିତ୍ୱରେ ରଖ।

ଅଭୟ ଦାଶ ଯେବେ ବଜାରକୁ ଗୋଡ଼ କାଢ଼ିଲା ସେତେବେଳେ ସାଇକେଲ ଖଣ୍ଡିଏ ଥାଏ ତା’ ପାଖରେ। ସେଇ ସାଇକେଲରେ ପୁରୀରୁ ସାକ୍ଷୀଗୋପାଳ ଯିବା ଆସିବା କରେ। ସେଇ ସାଇକେଲ ପାଇଁ ପଞ୍ଚାୟତ ଅଫିସରେ ଟଙ୍କାଏ ଚାରଣାର ଲାଇସେନ୍ସ କରିବାକୁ ହୁଏ। ଟଙ୍କାଏ ଚାରଣା ଜମା କଲେ ଗୋଟାଏ ଟିଣ ପାତିଆରେ ଚନ୍ଦନପୁର ଗ୍ରାମ ପଞ୍ଚାୟତ ଲେଖା ହୋଇ ତାରିଖ ସହ ମିଆଦ ଲେଖାହୋଇଥାଏ। ଭାବୁଥାଏ, ଟଙ୍କାଏ ଚାରଣାରୁ ଆଠଣା ତ ଏ ଟିଣପାତିଆର ରଙ୍ଗ କରିବା ପ୍ରସ୍ତୁତି ଆଦିରେ ଖର୍ଚ୍ଚ ହୋଇଥିବ? ରହିଲା କେତେ? ବାରେଣା। ଏଥିରେ କି ଜନମଙ୍ଗଳ କାର୍ଯ୍ୟ ହେବ? ଲଜ୍ଜା ନାହିଁ ଏ ସରକାରଙ୍କୁ? ସେ ସମୟ ଥିଲା ସେମିତି।

ସାଇକେଲ ନେଇ ସାକ୍ଷୀଗୋପାଳ ସାଇକେଲ ଷ୍ଟାଣ୍ଡରେ ଜମାକରି, ଅଁଳାନବମୀ ଯାତ୍ରା ରାଧାରାଣୀଙ୍କ ପାଦ ଦର୍ଶନକୁ ଯାଇଥାଏ, ସାଇକେଲ ରଖିବାକୁ ସାଇକେଲ ଷ୍ଟାଣ୍ଡ୍କୁ ଗଲା। ସେତେବେଳେ ସାଇକେଲ ରଖିବାକୁ ଚାରେଣା ପଇସା ଲାଗିଥାଏ, ମାତ୍ର ଲେଖାଥାଏ ରଖିବ ତ ନିଜ ଦାୟିତ୍ୱରେ ରଖ। ଭାବିଲା, ତୁମେ ଜଗୁଆଳି ଶୁଳ୍କ ନେବ ଚାରେଣା, ମାତ୍ର ଦାୟିତ୍ୱ ମୋର? ସାଇକେଲ ଚୋରୀ କରାଇବାକୁ ବି ପଇସା ଦେବା ଦରକାର?
ସେହିପରି ମୋଟର ଗାଡ଼ି ମୋଟର ସାଇକେଲ ପାର୍କିଂରେ ଲେଖା ଥିବା ଦେଖାଯାଏ, ପାର୍କିଂ ନିଜ ଦାୟିତ୍ୱରେ: ‘ଆଟ୍ ଓନର୍ସ୍ ରିସ୍କ୍’। ତା’ହେଲେ ତୁମର କାମ କଣ? ଜଗିବା ନା ଚୋରୀ କରାଇବା? ଜଗୁଆଳିର କିଛି ଦାୟିତ୍ୱ ନାହିଁ? ଚୋରୀ ହେଲେ ପୁଲିସର କିଛି ଦାୟିତ୍ୱ ଅଛି କି ନାହିଁ ବୁଝିହୁଏ ନାହିଁ। ତା’ପରେ ଏମିତି ଗୋଟାଏ ସମୟ ଆସିଛି, ଯେତେବେଳେ ଦେଖିବାକୁ ହୋଇଛି ଗାଡ଼ି ମୋଟର ରଖାଯିବା ସ୍ଥାନ ବା ପାର୍କିଂପ୍ଲେସ୍ ରେ ନିଜ ଦାୟିତ୍ୱରେ ରଖ: ‘ପାର୍କିଂ ଆଟ୍ ଓନର୍ସ୍ ରିସ୍କ୍’। ଭାବିବାକୁ ହେଲା, କିଛି ଗୋଟାଏ ରିସ୍କ୍, ମାନେ ଆକସ୍ମିକ ଅବସ୍ଥା ଅଛି ବୋଧହୁଏ? ପାର୍କିଂ ଚାର୍ଜ ଦେଇ ରିସ୍କ୍ଟା ନିଜ ଆଡ଼କୁ ନେବା କେଉଁ ବୁଦ୍ଧିମତ୍ତାର କାର୍ଯ୍ୟ? ଯାହାହେଉ ପାର୍କିଂ ତ କରିବାକୁ ହେବ ନା?
ଥରେ ଡ଼ାକ୍ତରଖାନା ଯାଇଥାଏ ,କଣ ଗୋଟାଏ ଅପରେସନ୍ କରିବାକୁ କହିଲେ ଡ଼ାକ୍ତର। ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ରକ୍ତ ଗ୍ରହଣ ପର୍ଯ୍ୟନ୍ତ ସବୁଠେଇଁ ଗୋଟାଏ କରାରନାମା ଲେଖିଦେବାକୁ ହେବ, ”ଏ ପରୀକ୍ଷାରେ ବିପଦ ଥାଇପାରେ ଜାଣି ମଧ୍ୟ ମୁଁ ନିଜ ଇଛାରେ ଏ ରକ୍ତ ପରୀକ୍ଷା ଓ ତତ୍ ସଂଲଗ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛି। କିଛି ଅଘଟଣ ଘଟିଲେ ଡାକ୍ତରଖାନା ଦାୟୀ ହେବେ ନାହିଁ।” ଭାବୁଥାଏ ତୁମେ ଡାକ୍ତର ବାବୁ କହିଲ ଅପରେସନ୍ ଦରକାର। ଆର ଡାକ୍ତର ବାବୁ କହିଲେ ପରୀକ୍ଷା ଟେଷ୍ଟ୍ ସବୁ ଦରକାର, ଦାୟିତ୍ୱ ଟା ମୋର? ଇଏ କୁଆଡର କଥା? ମୋତେ ଟିକିଏ ବୁଝାଇଦେଲ ! ତା’ହେଲେ ସେ ଅପରେସନ୍ ପୂର୍ବରୁ ଲେଖଦେବି କି,ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ? ଏମିତି ଭାବି ଚାଲିଲି ଜଗନ୍ନାଥ ମନ୍ଦିର। ଟିକିଏ କାଳିଆକୁ ଦରଶନ କରିଦେଇ ଆସେ। କାଲି କଣ ହେବ କିଏ ଜାଣେ? ଗରୁଡ଼ ସ୍ତମ୍ଭ ପାରି ହୋଇ ଡାହାଣକୁ ମୋଡ଼ିଛି, ଖୁଣ୍ଟରେ ଲେଖା ହୋଇଛି, ‘ନିଜର ଟଙ୍କା ପଇସା ସୁନା ଅଳଙ୍କାର ନିଜ ଦାୟିତ୍ୱରେ ରଖନ୍ତୁ। ଚୋର ପକେଟମାରୁଙ୍କୁ ସାବଧାନ।’ ହେ ମାହାପୁରୁ, ଏଠି ସମସ୍ତେ ନିଜ ଦୋଷ ଛଡାଇବାରେ ବ୍ୟସ୍ତ। ମୁଁ ଜାଣିଛି ମାହାପୁରୁ, ତୁମେ ଲେଖିନା ସେ ଖୁଣ୍ଟରେ। ଏଇ ମଣିଷ ତୁମ ନିଜର ସାଜି ଅନ୍ୟ ମଣିଷମାନଙ୍କୁ ଭୁଆଁ ବୁଲାଉଛି; ତାକୁ ଯେମିତି କେହି ଦୋଷ ନ ଦିଅନ୍ତି! ଏକଥା ତୁମେ ଜାଣିଛ, ଆମେ ବି ଜାଣିଛୁ। ହେଲେ ନିଜ ଦାୟିତ୍ୱ ନିଜେ ନେବାକୁ ହେବ। ସତ କଥା ,”ନିଜେ ନ ମରି, କିଏ ସ୍ୱର୍ଗ ଦେଖିଲାଣି ?”
ସେଇ କଥା ଅଭୟ ଦାଶ ନିଜକୁ ପଚାରୁଥାଏ। ସେଦିନ ସ୍ୱର୍ଗଦ୍ବାରରେ ସେ ପଣ୍ଡିତ ମନ୍ତ୍ର ପଢ଼ୁଥାଏ ଶବ ଦେହରେ ଅଗ୍ନି ସଂଯୋଗ ପୂର୍ବରୁ, “ଯଦି ବା ଟିକିଏ ଜୀବନ ଥାଏ ନିଆଁ ଲଗାଇବା ଦୋଷ ମୋର ନୁହେଁ। ଦୋଷ ପାଇଁ କ୍ଷମା ଚାହୁଁଛି।” ମାନେ କେହି କିଛି ଦାୟିତ୍ୱ ନେବାକୁ ଚାହାନ୍ତି ନାହିଁ। ସବୁ ‘ଆଟ୍ ଓନର୍ସ୍ ରିସ୍କ୍’? ନିଜ ଦାୟିତ୍ୱରେ?
ଛୋଟ କଥାକୁ ସୁନ୍ଦର ଭାବରେ ଅବତାରଣା କରି ବ୍ୟଙ୍ଗ ରଚନା କରିଛନ୍ତି ଅଭୟ ବାବୁ। ଚମତ୍କାର ଉପସ୍ଥାପନା। ଆଗକୁ ବଢନ୍ତୁ।
Very good write up. It brings out the humour and originality.
ସତେ ତ ! ଏକଥାଟି ପିଲାଦିନୁ ଦେଖି ଆସୁଥିଲେ ବି କେବେ ଏତେ କଥା ଭାବି ନଥିଲି ।
ଭାରି ବଢ଼ିଆ ହୋଇଛି ଲେଖାଟି।ଦାୟୀ ହେବାକୁ କେହି ପ୍ରସ୍ତୁତ ନୁହଁ।
ଠିକ୍ କଥା କହିଛନ୍ତି ଅଭୟ ଭାଇ। ସର୍ତ୍ତାବଳୀକୁ ଠିକ୍ ଭାବରେ ପଢ଼ିଲା ପରେ ଦସ୍ତଖତ କରିବାକୁ ମନ ବଳିବନି କି ହାତ ଯିବନି। ସେଥିପାଇଁ ଯୋଉଠି କୁହାଯାଏ, ସେଠି ଦସ୍ତଖତ କରିବାକୁ ହୁଏ… ସବୁ ସତରେ ନିଜ ଦାୟିତ୍ୱରେ…
😄😄😄😄 ଆଜିର ଦାୟିତ୍ୱହୀନ generations ଏହି କଥା ବୁଝିବାକୁ ଚେଷ୍ଟା କଲେ ବଢିଆ ହୁଅନ୍ତା.
As usual ଆପଣଙ୍କ ସାବଲୀଳ ଶୈଳୀ. 🙏🙏
Excellent. Nicely written. Kudos to you Abhay. Keep it up. Yeh dil mange more. Dr Hari Hara Dash