ଘଷରା ସଂସାର

ଆମେ ବରଣୀୟ ଓ ସ୍ମରଣୀୟ ହେବାର ମରୀଚିକା ପଛରେ ଧାଉଁଛୁ କି?

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ମୁଁ ଯେ ‘ମରଣୀୟ’ ଜାଣେ ବୋଲି ମନେ
ରଖିନାହିଁ ତିଳେ ଭୟ
ତା ପୂର୍ବରୁ କେବେ ‘ସ’ ଯୋଡ଼ିଦେଇ
କରେଁନାହିଁ ‘ସ୍ମରଣୀୟ’

‘ବରଣୀୟ’ ହୁଏଁ ଅଥବା ନ ହୁଏଁ
କୃତି ହେଉ ‘କରଣୀୟ’
ମନ, ପ୍ରାଣ, ଶକ୍ତି, ଆଗ୍ରହ ସହିତ
ଅଜାଡ଼ି ଦିଏଁ ମୁଁ ଲୟ

ନଶ୍ବର ବୋଲି ମୁଁ କରିଚାଲୁଥାଏଁ
ନିତି ଅମୃତ ସଂଧାନ
ମିଳିଲେ ଅଳପ ନିଜେ ନ ଚାଟି ମୁଁ
କରିବି ସବୁ ବଂଟନ

ମୋର ଥିବା ଅବା ନ ଥିବା ଉପରେ
କିଛି କରେନି ନିର୍ଭର
ଗୋଟିଏ ଘଷରା ଢଂଗରେ ଚଳୁଛି,
ଚଳୁଥିବ ଏ ସଂସାର

ଯାହା ହୁଏ, ଘଟେ ଗ୍ରହଣ ନ କରି
ଆଶା କଲେ କିଛି ଭିନ୍ନ
ନିରୀହ ମନକୁ ବିନା କାରଣରେ
କରାଯାଏ ଅପ୍ରସନ୍ନ

ଏହି ଅଭ୍ୟାସକୁ ଛାଡ଼ିଦେବା ପାଇଁ
ଲୋଡ଼ା ମାନସିକ ବଳ
କିଂତୁ ଏଠି ଲୋକେ ସଦା ଖେଳୁଥାଂତି
ନିଜ ଅହଂ ସହ ଖେଳ

2 thoughts on “ଘଷରା ସଂସାର

  1. ବରଣୀୟ ଅଥବା ସ୍ମରଣୀୟ ହେବାପାଇଁ ଯୋଗ୍ୟ ବ୍ୟକ୍ତି ଆପେ ଆପେ ବିନା ଚେଷ୍ଟାରେ ହୋଇଯାଏ। ତଥାପି କେତେଲୋକ ଚେଷ୍ଟା କରୁଥାଆନ୍ତି।

  2. ଦର୍ଶନ ସମ୍ବଳିତ କବିତାଟି ହୃଦୟରେ ରହିଲା।

Leave a Reply

Your email address will not be published. Required fields are marked *