“ତୁମ ଘରେ ଯେଉଁମାନେ ଅଛନ୍ତି, ତାଙ୍କ ମଧ୍ୟରୁ ଯାହାଙ୍କୁ ତୁମେ ସବୁଠାରୁ ବେଶି ଭଲପାଅ, ତାଙ୍କୁ ଏହି ମାଳଟି ଉପହାର ଦିଅ।“

ଯେଉଁ ଘଟଣାର ମୁଁ ଅବତାରଣା କରିବାକୁ ଯାଉଛି ତାହା ମୋ’ର ଜଣେ ପୂର୍ବତନ ସହକର୍ମୀ ତଥା ପ୍ରିୟବନ୍ଧୁଙ୍କଠାରୁ ଶୁଣିଥିଲି। ପ୍ରକରଣଟି ଥିଲା ତାଙ୍କର ମାତ୍ର ଚାରିବର୍ଷ ବୟସ୍କ ନାତି, ଜୋଜୋକୁ ନେଇ। ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକଙ୍କୁ ଫୋନରେ ପଚାରିଥିଲି, ଏହା ପ୍ରକାଶଯୋଗ୍ୟ ହେବ କି ନାହିଁ। ସେ ଉତ୍ତର ଦେଲେ, “କାହିଁକି ହେବନାହିଁ!” ତାଙ୍କଠାରୁ ଉତ୍ସାହ ପାଇ ଏହା ଲେଖୁଛି।
ଗୋଟିଏ ସୁପ୍ରତିଷ୍ଠ ଇଂରାଜୀ ମାଧ୍ୟମ ସ୍କୁଲର ପ୍ରାରମ୍ଭିକ ଶ୍ରେଣୀରେ ପଢ଼ୁଥିବା ଜୋଜୋ ସେଦିନ ଏକ ଧ୍ୟାନରେ ଲାପଟପ୍ ଆଗରେ ବସି ତା’କୁ ଚାହିଁ ରହିଥିଲା। ତା’ର ଟିକିଟିକି ଅଙ୍ଗୁଳିଗୁଡ଼ିକ ଲାପଟପ୍ର କି’ବୋର୍ଡ଼ ଉପରେ ସ୍ଥିର ହୋଇ ରହିଥିଲା। ଲାପଟପ୍ର ବାମ ପାର୍ଶ୍ଵରେ ଟେବୁଲ ଉପରେ କିଛି ଫୁଲ ଓ ଛୁଞ୍ଚିଲଗା ସୂତା ରଖା ହୋଇଥିଲା। ସେଦିନ ଜୋଜୋ ସମେତ ତା’ଶ୍ରେଣୀର ସମସ୍ତ ସହପାଠୀଙ୍କର ଅନଲାଇନ୍ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜର ଘରେ ଅନୁଷ୍ଠିତ ହେଉଥିଲା। ମିସ୍ଙ୍କର ମୁହଁ ଲାପଟପ୍ ଉପରେ ଭାସିଉଠିବା ଦେଖି ଜୋଜୋ ସତର୍କ ହୋଇଯାଇଥିଲା। ମିସ୍ କୋମଳ ଓ ସ୍ପଷ୍ଟ ସ୍ଵରରେ କହିଥିଲେ, “ମୁଁ ଦେଖିପାରୁଛି ଯେ, ମୋ କହିବା ମୁତାବକ ସମସ୍ତଙ୍କ ଟେବୁଲ୍ ଉପରେ ଫୁଲ ଓ ଛୁଞ୍ଚିସୂତା ରଖାଯାଇଛି। ବର୍ତ୍ତମାନ ତମେ ସବୁ ନିଜେନିଜେ ସେଥିରେ ଗୋଟିଏ ଗୋଟିଏ ଫୁଲମାଳ ତିଆରି କରିବ। ପ୍ରଥମେ ତୁମେ ସବୁ ମୋ ହାତକୁ ଲକ୍ଷ୍ୟ କର। ଦେଖ, ମୁଁ କିପରି ଗୋଟିଏ ପରେ ଗୋଟିଏ ଫୁଲ ଛୁଞ୍ଚିରେ ପୂରାଇ ମାଳା ତିଆରି କରୁଛି। ଏବେ ତୁମେ ସବୁ ସତର୍କତା ଓ ଯତ୍ନର ସହକାରେ ମାଳା ତିଆରି ପାଇଁ ଫୁଲ ଗୁନ୍ଥିବା ଆରମ୍ଭ କର।”

ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶ ସରୁ ସରୁ ସମସ୍ତ ଶିଶୁ ମାଳା ଗୁନ୍ଥିବା ଆରମ୍ଭ କରିଥିବେ ନିଶ୍ଚୟ । କିଛି ସମୟ ମଧ୍ୟରେ ତିରିଶଜଣ ଯାକ ଶିଶୁ ତିରିଶଟି ମାଳା ତିଆରି କରିଦେଇଥିଲେ। ମିସ୍ ଯେଉଁ କେତେକ ମାଳାକୁ ପ୍ରଶଂସା କରିଥିଲେ ସେଥିରେ ଜୋଜୋର ଫୁଲମାଳ ମଧ୍ୟ ଥିଲା। ସମସ୍ତ ଶିଶୁଙ୍କୁ ଧନ୍ୟବାଦ ଜଣାଇବା ପରେ ମିସ୍ କହୁଥିଲେ, “ତୁମ ଘରେ ଯେଉଁମାନେ ଅଛନ୍ତି, ତାଙ୍କ ମଧ୍ୟରୁ ଯାହାଙ୍କୁ ତୁମେ ସବୁଠାରୁ ବେଶି ଭଲପାଅ, ତାଙ୍କୁ ଏହି ମାଳଟି ଉପହାର ଦିଅ।“
ଜୋଜୋର ଶିଶୁ ମାନସରେ ଏହା ଗୋଟିଏ ଛୋଟିଆ ସମସ୍ୟା ରୁପେ ଉଭା ହୋଇଥିଲା। ସେ ବସିଥିବା ଚେୟାରକୁ ଘୂରାଇ ଡ୍ରଇଂରୁମରେ ତାହାର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିବା ସମସ୍ତ ଗୁରୁଜନ, ଯଥା ଅଜା, ଆଈ, ବାପା, ମାଆଙ୍କୁ ଦେଖିବା ପରେ ମୁଖ୍ୟ ଦ୍ଵାରରେ ଠିଆ ହୋଇଥିବା କାମବାଲି ନାନୀଙ୍କ ଉପରେ ତାଙ୍କର ଦୃଷ୍ଟି ସ୍ଥିର ହୋଇ ଯାଇଥିଲା। ସେତେବେଳକୁ ନାନୀଙ୍କ ହାତରେ ଜୋଜୋର ସଫା ହୋଇସାରିଥିବା ପ୍ୟାଣ୍ଟ୍, ସାର୍ଟ ଓ ମୋଜା ଶୁଖାଇବା ପାଇଁ ପ୍ରସ୍ତୁତ ଥିଲା। ଜୋଜୋ ଆଉ କିଛି ଚିନ୍ତା ନକରି ନିଜେ ଗୁନ୍ଥିଥିବା ମାଳାକୁ ହାତରେ ଧରି ଟିକିଟିକି ପାହୁଣ୍ଡ ପକାଇ କାମବାଲି ନାନୀଙ୍କ ପାଖରେ ପହଞ୍ଚିଥିଲା। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି, ସେ ଧରିଥିବା ଫୁଲମାଳକୁ ନେଇ ନାନୀଙ୍କୁ ପିନ୍ଧାଇ ଦେଇଥିଲା। ବିଧବା ତଥା ପୁଅ-ବୋହୂଙ୍କଦ୍ଵାରା ନିର୍ଯାତିତା ହୋଇ ଏକୁଟିଆ ଅଲଗା ରହୁଥିବା କାମବାଲି ନାନୀ ସ୍ନେହ ଓ ଆଦରରେ ଜୋଜୋକୁ ଆଲିଙ୍ଗନ କରିଥିଲା। ତା’ର ଆଖିରୁ କୃତଜ୍ଞତା ଓ ସ୍ନେହର ନିଦର୍ଶନ ସ୍ୱରୂପ କେତେଟୋପା ଲୁହ ଜୋଜୋର ମୁଣ୍ଡ ଉପରେ ପଡ଼଼ିବାରୁ ସେ ଆଶ୍ଚର୍ଯ୍ୟ ହୋଇ ତା’ର ଦରୋଟି କଣ୍ଠରେ ନାନୀଙ୍କୁ କହିଥିଲା, “ଆରେ ତମେ କାନ୍ଦୁଛ କାହିଁକି? ମୁଁ ତ ସମସ୍ତଙ୍କୁ ଛାଡ଼ି ତୁମକୁ ମାଳାଟି ଦେଲି।”
Short and Sweet
ଅତି ସୁନ୍ଦର ଉପସ୍ଥାପନା।
ପିଲାଟିର ନିର୍ଭେଜାଲ ଭଲପାଇବା
ପିଲାଙ୍କ ଦୁନିଆ ହିଁ ଅଲଗା। ସେମାନଙ୍କ ଦେଖିବା, ବୁଝିବା, ଆଉ ଅନୁଭବ କରିବା ଏକ ଭିନ୍ନ ସ୍ତରର ହୋଇଥାଏ ଯେ ପର୍ଯ୍ୟନ୍ତ ସେମାନେ ସଂସାରର ଅଙ୍କ କଷା ଶିଖି ନ ଥାନ୍ତି।
ପିଲାମାନଙ୍କ ମନ ନିର୍ମଳ ଥାଏ। ସେଥିରେ ନଥାଏ କୃତ୍ରିମତା। ସୁନ୍ଦର ଗପ