ଦୀପଟି ଆଗେ ହାତ ଯୋଡ଼ିଲେ ମଣିଷ ଭାବ ଜାଗେ।

ଯେଉଁ ଥାନେ ବି ଦୀପ ଜଳିଲେ
ଶୁଭ ଭାବନା ଜାଗେ,
ସବୁରି ହିତ ହେଉ ଜଗତେ
ଅନ୍ତର ଆପେ ମାଗେ।
ଦୀପଟି ଆଗେ ହାତ ଯୋଡ଼ିଲେ
ମଣିଷ ଭାବ ଜାଗେ,
ନିଜକୁ ଭୁଲି ସବୁରି ଭଲ
ଜଗତକୁ ସେ ମାଗେ।
ଯେଉଁ ଥାନେ ବି ଦୀପ ଜଳିଲେ
ଶୁଭ ଭାବନା ଜାଗେ,
ସବୁରି ହିତ ହେଉ ଜଗତେ
ଅନ୍ତର ଆପେ ମାଗେ। (୦)
ଦୀପ ଜାଳିଲେ ମଣିଷ ଦେହେ
ନୂଆ ଉତ୍ସାହ ଜାଗେ,
ସୁଖେ ହସିଲା ଜଗତଟିର
ସପନ ଉଏଁ ଆଗେ।

ସପନଟିକୁ ତୋଳିବା ପାଇଁ
ମନେ ସଂକଳ୍ପ ଜାଗେ,
କେବେ କେମିତି କ’ଣ କରିବ
ଯୋଜନା ରହେ ଆଗେ।
ଦୀପ ଆଗର ଏହି ସଂକଳ୍ପ
ମନରେ ଯେବେ ଜାଗେ,
ସବୁକୁ ଭୁଲି ମଣିଷ ଏହି
କାମଟିରେ ହିଁ ଲାଗେ।
ଶକତି ଯେବେ ଗୋଟେ କାମରେ
ପରାଣ ଢାଳି ଲାଗେ,
କାମଟି ଦିନେ ସୁରୁଖୁରୁରେ
ସାକାର ହୁଏ ଆଗେ।
ଯେଉଁ ଥାନେ ବି ଦୀପ ଜଳିଲେ
ଶୁଭ ଭାବନା ଜାଗେ,
ସବୁରି ହିତ ହେଉ ଜଗତେ
ଅନ୍ତର ଆପେ ମାଗେ। (୧)
ଦୀପାବଳିରେ ପ୍ରତିଟି ମନେ
ଯେବେ ସଂକଳ୍ପ ଜାଗେ,
ଜଗତକୋଳେ ନୂଆ ଯୁଗର
ସପନଟିଏ ଜାଗେ।
ସବୁରି ମନେ ଶୁଭ ଭାବନା
ସବୁରି ସୁଖ ମାଗେ,
ଏହି ଭାବନା ଶକତି ବଳେ
ସୁଖର ନଈ ଭାଗେ।
ଏ ସୁଖ ନଈ ପରଶ ପାଇ
ପ୍ରତି ପରାଣ ଜାଗେ,
ପରସ୍ପରର ସିନିହ ବୋଳି
ସରଗ ଫୁଟେ ଆଗେ।
ସାରା ଜଗତେ ଆଲୁଅ ଖେଳେ
ଘନ ଅନ୍ଧାର ଭାଗେ,
ଦାନବ ହଜେ ମାନବ ଜାଗେ
ଶୁଭ ଭାବନା ଜାଗେ।
ଯେଉଁ ଥାନେ ବି ଦୀପ ଜଳିଲେ
ଶୁଭ ଭାବନା ଜାଗେ,
ସବୁରି ହିତ ହେଉ ଜଗତେ
ଅନ୍ତର ଆପେ ମାଗେ। (୨)
ବର୍ତ୍ତମାନ ତଳେ ଦିଆଯାଇଥିବା ଲିଙ୍କ୍ରୁ କବି ବିନୟକୃଷ୍ଣ ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି କବିତାଟିର ସୁଲଳିତ ଆବୃତ୍ତି।
ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। 🌷🌷🙏
ଦୀପାବଳୀର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।