କିଏ ଯଦି ଦେଖାହୋଇ କହିଦେଲେ, ଆପଣଙ୍କ ଲେଖାଟି ବହୁତ ବଢ଼ିଆ ହୋଇଛି, ଭାବନ୍ତୁନି ଯେ ସେ ସତ କହୁଛନ୍ତି; ବା ସିଏ ଆପଣଙ୍କ ଲେଖା ପଢ଼ିଛନ୍ତି।

ଅଭୟ ଦାଶ ଯେବେଠାରୁ ସାହିତ୍ୟରେ ହଳ ଯୋଚିବ ବୋଲି ଭାବିଲା, ସେତେବେଳକୁ ହଳ ଲଙ୍ଗଳ ସବୁ କଟକର ମିଶ୍ରଶାଳ ଅକ୍ତିଆରରେ। ଟ୍ରାକ୍ଟର ଆସିଲା ଧାନକିଆରୀ ଭିତରକୁ। ନୂଆ ନୂଆ ଡ୍ରାଇଭର ସାଜିଛି ଅଭୟ ଦାଶ। ଇଏ କିଛି ସହଜ ଚାଷ ନୁହେଁ। ସାହିତ୍ୟ ଚାଷ। ସେଥିରେ ପୁଣି ନାନା ମୁନି, ନାନା ମତ। ଜଣେ ଯଦି କହେ ସେ ଅମୁକଟା ସ୍ତ୍ରୀଲିଙ୍ଗ, ଆଉ ଜଣେ କହିବ ପୁଲିଙ୍ଗ। ଏବେ ତୃତୀୟ ଲିଙ୍ଗି ଶବ୍ଦ ବି ଆସିଲାଣି। ହର୍ସ୍ବ, ଦୀର୍ଘ, ସଟ୍, ଲଙ୍ଗ୍, ତାଲବ୍ୟ, ମୁର୍ଦ୍ଧନ୍ୟ, ଦନ୍ତ; କେତେବେଳେ କ’ଣ ହେବ ଜଣାପଡ଼ୁନାହିଁ। ନା ହେଉନାହିଁ! ହେବ ନାହିଁ ଏ ସାହିତ୍ୟ ଗହୀରରେ ଚାଷ ମୋ ଦ୍ବାରା। ଓଡ଼ିଆ ସାହିତ୍ୟ ଟି! ଇଏ କଣ ସହଜ କଥା ହୋଇଛି? ଏ ସାହିତ୍ୟ ପୋଖରୀକୁ ଗୋଡ଼ ବଢ଼ାଇବା ଅର୍ଥ, ବିପଦକୁ ନିମନ୍ତ୍ରଣ ଦେବା କଥା। ଯାହା ହେଉ ଦେଖିବା, ନିଜେ ନ ମରି କିଏ ସ୍ୱର୍ଗ ଦେଖିଲାଣି?
ଆଖି ବୁଜି ଡ଼େଇଁ ପଡ଼ିଛି ସାହିତ୍ୟ ଜଙ୍ଗଲ ଭିତରକୁ। ଯିବ କୁଆଡେ? କେହି ପଦେ କହୁ ନାହାନ୍ତି, କେମିତି ହୋଇଛି ଲେଖାଟି। ଦୁନିଆ ଯେପରି ସ୍ଥିର ହୋଇଯାଇଛି ଭୁବନେଶ୍ୱର ମାଟିରେ। ଏଠି ଓଡ଼ିଆ ସାହିତ୍ୟ? ଲଙ୍କାରେ ହରି ଶବ୍ଦ। ଛାଡ଼ନ୍ତୁ ଆଜ୍ଞା; ସେ ବିବାଦ ଭିତରେ କିଏ ପଶୁଛି?
ଏଠି ନାନା ପ୍ରକାର ଲୋକ ମିଳିବେ। କାହା କଥାରେ ଭାସିଯିବା ଠିକ୍ ହୋଇନପାରେ। କିଏ ଯଦି ଦେଖାହୋଇ କହିଦେଲେ, ଆପଣଙ୍କ ଲେଖାଟି ବହୁତ ବଢ଼ିଆ ହୋଇଛି, ଭାବନ୍ତୁନି ଯେ ସେ ସତ କହୁଛନ୍ତି; ବା ସିଏ ଆପଣଙ୍କ ଲେଖା ପଢ଼ିଛନ୍ତି। ସେତିକିରେ ସନ୍ତୋଷ ନ ରହି ଆଗକୁ ବଢ଼ିବାରେ କିଛି ଲାଭନାହିଁ। ସେ କହିଲେ, ଆପଣ ଶୁଣିଲେ। ସେଇ ଗୋଟିଏ ଯାଗାକୁ ଆପଣ ଦୁହେଁ ଆସିଥିବା ଗୋଟିଏ ସଂଯୋଗ ହୋଇପାରେ। କଣ ତ କହିବେ, କହିଦେଲେ। ଗମ୍ଭୀରତା ସହ ନ ନେଲେ ଭଲ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏ ପ୍ରକାର ଚଳଣି କିଛି ନୂଆ ନୁହେଁ । ଏମିତି କେତେ ଆସି କେତେ ଗଲେଣି, କିଏ ମନେ ରଖିଛି?

ଅଭୟ ଦାଶର ସାହିତ୍ୟ ସୃଜନ ନିଶା ତାକୁ କଲବଲ କରୁଥାଏ। ବହୁତ ସାର୍ମାନଙ୍କ ଦ୍ବାରସ୍ଥ ହୋଇଛି, ପଦେ ଭଲ କରି ସଂଶୋଧନ କରିଦେବାକୁ। କିଏ ଶୁଣୁଛି? ମନେକରନ୍ତୁ, ଜଣେ କଡା ଲେଖକ, ମାନେ, ଏକାଡ଼େମୀ ମାର୍କା ଯଦି ମିଳିଗଲେ ଜାଣନ୍ତୁ ଆପଣଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ମାତ୍ର ସେମିତି କିଛି ଗ୍ୟାରେଣ୍ଟି ନାହିଁ। ସେମାନେ ଯେ ଆପଣଙ୍କ ଲେଖାକୁ ପଢିବେ, ସେମିତି ମାନେ ନାହିଁ। ଯାହା ହେଉ ଆପଣଙ୍କୁ ସନ୍ତୋଷ ରହିବାକୁ ହେବ। ନହେଲେ ସେମିତି ମୁଣ୍ଡ ବାଡ଼ଉଥିବେ। ଏ ଲେଖା ଲେଖି ବଜାର ଏତେ ସହଜ ନୁହେଁ, ଯାହା ଆମେ ଅନୁଭବ କରିଛୁ। ଇଂରେଜୀରେ ଯାହାକୁ କହନ୍ତି, “କଟ୍ ଥ୍ରୋଟ୍ କମ୍ପିଟେସନ୍“! ଜଣେ ଯଦି ଭଲ କହିଦେଲା, ଜାଣନ୍ତୁ ହୋଇଗଲା। ମାନେ, ବୃହସ୍ପତି ପଞ୍ଚମରେ। ଆଉ କେତେଜଣ ସେଇଠି କହିପାରନ୍ତି, ”ସେଇଟା କଣ ଜାଣିଛି? କି ଲେଖକ ସିଏ? ଚୋରି ଚୋରି, ମରାଠୀ ସାହିତ୍ୟରୁ ଚୋରି।“ ସବୁ ଶୁଣି ଚୁପ୍ ରହିବାକୁ ହେବ। ନହେଲେ ଭୋଗିବ ! ଭାବି ନିଅନ୍ତୁ ଏହା ହିଁ ସାହିତ୍ୟ ର ଭବିଷ୍ୟତ।
ସ୍ବାମୀ ଅଭୟାନନ୍ଦ, ଓରଫ ଅଭୟ ଦାଶ ଏପରି ପରିସ୍ଥିତିକୁ ନୂଆ ହୋଇଥିବାରୁ ଚୁପ୍ ରହିବାକୁ ଶ୍ରେୟ ମନେକରେ। ଲେଖି ଦେଲା; କିଏ ନ ପଢନ୍ତୁ! ଠିକ୍ ଅଛି। ପଢ଼ିଲେ ବି ଭଲମନ୍ଦ ପଦେ ଆଶା କରିବା ବୃଥା। ବହି ଛପେଇବ? କାହିଁକି? କାହା ପାଇଁ? କିଏ ପଢିଲା, ନ ପଢ଼ିଲା କିଏ ବୁଝିବ? କେତେପ୍ରକାରେ ଗଣନା, ସର୍ଭେ ପ୍ରକାଶ ପାଉଛି, ପାଠକ ନାହାନ୍ତି, ବହି ବିକ୍ରି ହେଉନାହିଁ, ସବୁ ପ୍ରକାର ମନଭାଙ୍ଗୁଣିଆ ମତାମତ ଯେମିତି ପଛକୁ ଟାଣୁଛି।
ଏ ପ୍ରକାର ଭାବନା ମଧ୍ୟରେ ଦେଖାଦେଲା ମୋବାଇଲ ସାହିତ୍ୟ। ହ୍ବାଟସ୍ଆପ୍ ସାହିତ୍ୟ କହିଲେ, ଯାହା ଲେଖୁଛ ମୋବାଇଲ ଫୋନ୍ରେ ଟାଇପ୍ କରି, ଛାଡ଼ିଦେଇ ବସିଯାଅ। କିଏ ଆଙ୍ଗୁଠି ଦେଖେଇଲାଣି ତ କିଏ ଦାନ୍ତ ଦେଖେଇଲାଣି, ଇମୋଜି ନାମରେ। ଏହାଠାରୁ ଅଧିକ ଆଶା ନ କଲେ ଭଲ। ଏହାର ଗୋଟାଏ ସକାରାତ୍ମକ ଦିଗ ବା ଆଡ୍ଭାଣ୍ଟେଜ୍ ହେଲା, ଏଥିରେ ଖର୍ଚ୍ଚ ନାହିଁ। ଘରେ ବସି ମୋବାଇଲ୍ରେ ଛାଡ଼ିଦେଇ ନିଶ୍ଚିନ୍ତ ହୋଇ ବସିଯାଆନ୍ତୁ। କିଏ ପଢ଼ିଲେ, ନ ପଢ଼ିଲେ କିଛି କଥା ନାହିଁ। ଜଣେ ଅଧେ ଦୋଷ ଖୋଜି ଲେଖିପାରନ୍ତି; ମାତ୍ର ଅନେକ ଚୁପ୍ ରହିବାକୁ ଶ୍ରେୟ ମନେ କରନ୍ତି। ସେଥିରେ ବି ଆପଣଙ୍କର କିଛି ଯାଏ ଆସେ ନଥିଲେ ଭଲ। ବେଶି ଘାଣ୍ଟ ଚକଟ ଭିତରେ ନ ପଶି ଚୁପ୍ ରହିବା ଉଚିତ। ନହେଲେ, “ବାତ୍ ନିକଲେଗି ତୋ ଦୂର ତକ୍ ଯାଏଗି।“
ଏମିତି ଭାବି ସେ ମୋବାଇଲ ବିରୁଡ଼ି ବସାରେ ହାତମାରିଦେଇଛି ତ ଯିବ କୁଆଡେ? ମୋବାଇଲ ଜିନିଷ ସେଇଆ। ଗୋଡ଼େଇ ଗୋଡ଼େଇ ବିନ୍ଧିବା ଆରମ୍ଭ ହୋଇଗଲା। ଯିଏ ଦେଖିଲା ସିଏ ଗୋଟାଏ ପଥର ମାରିଲା। ଏତେ ଗୁଡ଼ାଏ ପଢୁଛି କିଏ? କିଏ ଜଣେ ଯାହା ଲେଖିଦେଲା, ସେଇ ଦେଖା ଦେଖି ଅନ୍ୟ କେତେଜଣ ସେଇ ଭାଷାରେ ଲେଖିଲେ। ମୋବାଇଲ ଢଙ୍ଗରେ ତିନି ପ୍ରକାର ଶୈଳୀ ଅଛି; ଲାଇକ୍, ଫରୱାର୍ଡ ଓ ସବ୍ସକ୍ରାଇବ୍କୁ ମିଶାଇ ଏମିତି ବିନ୍ଧିଲେ ଯେ ମନବୋଧ ହୋଇଗଲା ଅଭୟ ଦାଶର। କାହାକୁ କିଛି ଜବାବ ନ ଦେଇ ଭାବୁଥାଏ, ଏ ବେପାର ଆମପାଇଁ ନୁହେଁ। କିଏ ଜଣେ ସେଇ ହ୍ବାଟସଆପ୍ରେ ପଚାରିଦେଲା, ଅଭୟ ଦାଶର କାଇଁ ସୋର ଶବଦ ନାହିଁ? ଅଛି ଟି? ଭାବୁଥାଏ ଇଏ କଣ ସତରେ ତାର ପ୍ରଶଂସକ ନା କଟା ଘାଆରେ ଲୁଣ ଟିକିଏ ଛାଟି ଦେଉଛି? ମନକୁ ବୁଝାଉଥାଏ, ଏ ସାହିତ୍ୟ ବେପାରଟା ସେଇଆ। “କହଦୋ କୋଇ ନା କରେ ୟହାଁ ପ୍ୟାର୍, ୟହାଁ ଖୁସିଆଁ ହୈ କମ୍ , ବେସୁମାର୍ ହୈ ଗମ୍, ଏକ୍ ହଁସି ଅଉର୍ ଆଂଶୁ ହଜାର୍।”
ଅଭୟ ବାବୁଙ୍କ ବକ୍ରୋକ୍ତି ପ୍ରଣିଧାନ ଯୋଗ୍ୟ।ସତ କହିଲେ ସେ ସତ କହି ସମସ୍ତଙ୍କୁ ଚେତେଇ ଦେଇଛନ୍ତି ଓଡ଼ିଆ ସାହିତ୍ୟର ପଥ ସେତେ ସହଜ ନୁହଁ।ତାଙ୍କ ବକ୍ତବ୍ୟକୁ ମାପିବା ମୋ କ୍ଷମତା ବାହାରେ ବୋଲି ମୁଁ ଭାବୁଛି କାରଣ ମୁଁ ବି ନୂଆ ନୂଆ ପଦ ଥାପିଛି ସେଇ ଜଙ୍ଗଲ ଭିତରେ ଥରେ ଲେଖି କିଛି ବର୍ଷ ଶୋଇ ଗଲାପରେ।ତେଣୁ ଅଭୟ ବାବୁଙ୍କ ଲେଖା ପାଇଁ ଅଭିନନ୍ଦନ ଓ ଧନ୍ୟବାଦ ଦେବା ସହ ସେ ଏପରି ଲେଖା ଲେଖି ଚାଲନ୍ତୁ ବୋଲି ଶୁଭେଚ୍ଛା ଜଣାଉଛି।