ଦୁଇଟି ମିନିଗପ

ଡ୍ରାଇଭର ଭଡ଼ା ପଇସାକୁ ଖାତିର ନକରି ଗାଡ଼ିକୁ ଦୌଡ଼ାଇଲା ଶହେ ଉପରେ।

ଲକ୍ଷ୍ମୀଧର ସାହୁ

ଉବର୍‌

ନିର୍ଜନ ରାତି। ପୁରୁଷଜଣକ ଉବର୍‌ରେ ଚଢ଼ିଲା। ଆଉଜଣେ ମହିଳା ପୂର୍ବରୁ ବସିଛି। ପୁରୁଷଟି ବସିଲା। ଗାଡ଼ି ଚାଲିଲା। ମହିଳାଜଣକ ପର୍ସରେ ଅଣ୍ଡାଳୁଥାଏ ପେପର ସ୍ପ୍ରେ, ଥରେ ଆଗକୁ, ଥରେ କଡ଼କୁ ଦେଖି। ପୁରୁଷଟି ବ୍ୟାଗରେ ଥିବା କଇଁଚିକୁ ଅଣ୍ଡାଳୁଥାଏ ସନ୍ଦେହଭରା ଦୃଷ୍ଟିରେ ଗାଡ଼ିସାରା ନଜର ବୁଲେଇ। ଡ୍ରାଇଭର ଗାଡ଼ି କମ୍ପାର୍ଟ ଖୋଲି ଖୋଜୁଥାଏ ସ୍କୃ ଡ୍ରାଇଭର, ଆଇନାରେ ପାସେଞ୍ଜରଙ୍କୁ ଦେଖି। ମହିଳା ଖବରକାଗଜରେ ଦେଖିଥିଲା କେମିତି ଚଳନ୍ତି ଗାଡ଼ି ଭିତରେ ଅଧରାତିରେ ହୋଇଥିଲା ବଳାତ୍କାର। ପୁରୁଷଟି ଶୁଣିଥିଲା ତା’ ସହକର୍ମୀଙ୍କୁ କେମିତି ହନିଟ୍ରାପରେ ଫସେଇ ନିଖୋଜ କରିଦେଇଥିଲେ। ଆଜି ବେଶି କାମ ଥିଲା ବୋଲି ଏତେ ରାତି ହେଲା। ଡ୍ରାଇଭର ଗାଁରେ କଥାଟା ସରଗରମ ଅଛି, ଥରେ ଏମିତି ତାଙ୍କ ଗାଁରୁ ସହରକୁ କାମ କରିବାକୁ ଆସିଥିବା ଲୋକର କିଡ଼ନୀ ହାର୍ଟ ସବୁ ବିକ୍ରି କରିଥିଲେ ସହରର ବେନାମୀ ଗ୍ୟାଙ୍ଗ। ଅନେକ ଆଖିର ଛକାପଞ୍ଝା ଓ ନିର୍ଜନତା ଭିତରେ ବିତିଗଲା ଦେଢ଼ ଘଣ୍ଟା। 

ଉବର୍ ଆସି ରହିଲା ତିନିମୁହାଣୀରେ। ପୁରୁଷ ମହିଳା ଦୁହେଁ ଗାଡ଼ିରୁ ଓହ୍ଲେଇ ତୀବ୍ର ଭାବେ ଦୌଡ଼ିଲେ ବିପରୀତ ଦିଗରେ। ଡ୍ରାଇଭର ମଧ୍ୟ ଭଡ଼ା ପଇସାକୁ ଖାତିର ନକରି ଗାଡ଼ିକୁ ଦୌଡ଼ାଇଲା ଶହେ ଉପରେ। ଦୁଇଘଣ୍ଟା ପରେ ମେସେଜ ଦେଖିଲା ଉଭୟ ପାସେଞ୍ଜରଙ୍କ ଆକାଉଣ୍ଟରୁ ଭଡ଼ା ପଇସା ଆସି ଯାଇଥିଲା ଅନଲାଇନ୍‌। ସମସ୍ତ ମାମଲା ପ୍ରଶମିତ ହେଇଯାଇଥିଲା।

ଅବସାଦ

ଏକୁଟିଆ ରହୁଥିଲା ଝିଅଟି। ତା’ ମନରେ ଭୟ ଥିଲା, ତେଣୁ ଦୁଆରେ ନିଜ ଚପଲ ସହିତ ଦୁଇ ହଳ ପୁରୁଷ ଜୋତା ଓ ସ୍ଲିପର ମଧ୍ୟ ସଜାଡ଼ି ରଖୁଥିଲା। ସଞ୍ଜବେଳେ ଜୋର ଭଲ୍ୟୁମରେ ସମାଚାର ଶୁଣୁଥିଲା। ନିଜ ପୋଷାକ ସହ ପୁରୁଷ ଲୁଙ୍ଗି, ଗେଂଜି, ସାର୍ଟ ଓଦା କରି ଶୁଖାଉଥିଲା। ଭଏସ୍ ଚେଞ୍ଜିଙ୍ଗ ଆପ୍‌ରେ ପୁଅ ଭଏସ୍ ନକଲ କରି ମଝିରେ ମଝିରେ ଲଗେଇ ଦେଉଥିଲା। ବେଳେ ବେଳେ ଦାଢ଼ିକଟା ଯନ୍ତ୍ର, ପୁରୁଷ ଅନ୍ତଃବସ୍ତ୍ର ବି ମଗେଇ ଥିବାର ପଡ଼ୋଶୀ ଦେଖିଛନ୍ତି। କିନ୍ତୁ କେହି ଦେଖିନାହାନ୍ତି ସେ ପୁଅକୁ ଯିଏ ତା’ ସହିତ ରହୁଥିଲା। ଥରେ ପାଞ୍ଚଦିନ ବିତିଗଲା, ସେ ବାହାରକୁ ବାହାରିଲାନି। କଲୋନୀ ଲୋକେ ଆଶଙ୍କା କଲେ। ତା’ କୋଠରିର ତାଲା ଭାଙ୍ଗିଲା ବେଳକୁ ଅନେକ ଖାଲି ବୋତଲ ମଝିରେ ପଡ଼ିଥିଲା ତାର ମୁର୍ଦ୍ଦାର। 

ପୋଲିସ ଆସିଲା, ତା’ ପରିବାର ଆସିଲେ। ପୋଲିସ ସେ ମନଗଢ଼ା ପୁଅକୁ ଦୋଷୀ ମାନି ନେଲେ। ପରିବାର ଭାବିଲେ ଚାକିରି ନାଁ କହି ଝିଅ ଲିଭ୍‌-ଇନ୍‌ରେ ରହୁଥିଲା, ଶବ ନେବାକୁ ବି ମନା କରିଦେଲେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

3 thoughts on “ଦୁଇଟି ମିନିଗପ

  1. ସୁନ୍ଦର ଗପ। ଲକ୍ଷ୍ମୀଧର ବାବୁଙ୍କୁ ଶୁଭେଚ୍ଛା

  2. ସୁନ୍ଦର ଗପ ଦୁଇଟି ମନଛୁଆଁ ଗପ।ଲେଖକ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ।

Leave a Reply

Your email address will not be published. Required fields are marked *