ଯେଉଁମାନେ କୌଣସି ସାହିତ୍ୟ ପୁରସ୍କାରର ବିଚାରକମଣ୍ଡଳୀରେ ସ୍ଥାନ ପାଆନ୍ତି, ସେମାନେ ଉଚିତ ବିଚାର କରିବା ପାଇଁ ପକ୍ଷପାତିତା ଓ ଆବେଗରୁ ମୁକ୍ତ ତ?

ଏକଦା କୃତିତ୍ୱ ସକାଶେ ପୁରସ୍କାର ଥିଲା ପ୍ରତୀକାତ୍ମକ। ଅଲମ୍ପିକ ପ୍ରତିଯୋଗିତାରେ କୃତୀ ଖେଳାଳିମାନଙ୍କୁ ପତ୍ରଟିଏ କିମ୍ବା ପତ୍ରନିର୍ମିତ ମୁକୁଟଟିଏ ପ୍ରଦାନ କରାଯାଉଥିଲା। ମାତ୍ର ଆଜି ପୁରସ୍କାର ଆଉ ପ୍ରତୀକାତ୍ମକ ହୋଇ ରହିନାହିଁ। ପୁରସ୍କାର ସହ ସଂଯୁକ୍ତ ହୋଇଛି ଲୋଭନୀୟ ଅର୍ଥରାଶି। ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏହା ପ୍ରଚଳିତ ହେଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀର ସମସ୍ତ ପୁରସ୍କାର ସହିତ ମୋଟା ଅଙ୍କର ଅର୍ଥରାଶି ସଂଯୁକ୍ତ। ଓଡ଼ିଶା ସରକାର ସାହିତ୍ୟ ଏକାଡେମୀର ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାରର ଅର୍ଥରାଶି ୧ଲକ୍ଷରୁ ୫ଲକ୍ଷ, ଏକାଡେମୀ ପୁରସ୍କାର ୫୦ ହଜାରରୁ ୨ଲକ୍ଷ ଓ ସମ୍ବର୍ଦ୍ଧନା ରାଶି ୧ଲକ୍ଷକୁ ବୃଦ୍ଧି କରିଛନ୍ତି। ସରକାର ବୋଧହୁଏ ଭାବୁଛନ୍ତି, ପୁରସ୍କାର ଅର୍ଥରାଶି ବଢ଼ିଲେ ଲେଖକମାନେ ଉତ୍ସାହିତ ହୋଇ ଉନ୍ନତମାନର ସାହିତ୍ୟ ସୃଷ୍ଟି କରିବେ। ମାତ୍ର ପୁରସ୍କାର ସହ ଅର୍ଥରାଶି ସଂଯୁକ୍ତ ହେବା ଦିନଠାରୁ ସାହିତ୍ୟ ଏକ ପ୍ରତିଯୋଗିତାର କ୍ଷେତ୍ର ହୋଇଗଲାଣି। କିଛି ସାହିତ୍ୟିକ ପୁରସ୍କାର ପାଇବା ଆଶାରେ ଲେଖନୀ ଚାଳନା କରୁଛନ୍ତି। ପ୍ରାବନ୍ଧିକ, କବି, ଗାଳ୍ପିକ, ଔପନ୍ୟାସିକମାନଙ୍କ ସଂଖ୍ୟା ବଢ଼ୁଛି। ମାତ୍ର ସେମାନଙ୍କ ଅନ୍ତରାଳରେ ସ୍ୱତଃସ୍ଫୂର୍ତ୍ତ ପ୍ରେରଣା ନାହିଁ କି ନିଜସ୍ୱ ଅନୁଭୂତି ନାହିଁ। ମୁଣ୍ଡ ଟେକିଚି ଏକ ତୀବ୍ର ପ୍ରତିଯୋଗିତା। ଅନ୍ୟକୁ ଅତିକ୍ରମ କରିବା ପାଇଁ କେହିକେହି ସାହିତ୍ୟିକ ଅନ୍ୟର କୃତିକୁ ନକଲ କରୁଛନ୍ତି ତ ଆଉ କେହିକେହି ପୁରସ୍କାର ଚୟନ କର୍ମକର୍ତ୍ତାମାନଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି।
ଅତୀତରେ ଏହି ପ୍ରସଙ୍ଗରେ ପ୍ରକାଶ ମହାପାତ୍ରଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଫାର୍ସ ୨୦୧୦’ ସାହିତ୍ୟ ଜଗତରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ସଂପାଦକ ମହାଶୟ ଭାରତରେ ପ୍ରଚଳିତ ଉଭୟ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀର ପୁରସ୍କାରକୁ ଏକ ପ୍ରହସନ ଭାବରେ ପ୍ରତିପାଦନ କରିଥିଲେ।

ଏକ ବିସ୍ଫୋରକ ମନ୍ତବ୍ୟ
ସେତେବେଳେ ବାଲେଶ୍ୱରର ଏକ ସଭାରେ ବିଭୂତି ପଟ୍ଟନାୟକଙ୍କ ଏକ ବିସ୍ଫୋରକ ମନ୍ତବ୍ୟ ପୁରସ୍କାର ବିବାଦକୁ ତୀବ୍ର କରିଥିଲା। ସେ କହିଥିଲେ, ସାହିତ୍ୟ ଏକାଡେମୀ ପୁରସ୍କାର ଚୟନରେ ସ୍ୱଚ୍ଛତା ନାହିଁ। ଏହି ଚୟନ ପ୍ରକ୍ରିୟା ଅନ୍ତରାଳରେ ଏକ ବଡ଼ ଲବି ଚାଲିଛି। ସେ ସେତେବେଳେ ଓଡ଼ିଆ ଭାଷା ପରାମର୍ଶଦାତା ପରିଷଦର ଆବାହକ ହୋଇ ମଧ୍ୟ ଏ ପ୍ରକାର ମନ୍ତବ୍ୟ ଦେଇଥିବାରୁ ସାହିତ୍ୟିକମାନଙ୍କ ମଧ୍ୟରେ ଏହା ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ଏକଥା ବି ସତ ଯେ ଯେତେବେଳେ ବି ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହେଉଛି, ଏହା ବହୁ ସାହିତ୍ୟିକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଅତୀତରେ ବିଶିଷ୍ଟ କବି ବ୍ରଜନାଥ ରଥ, ପ୍ରାବନ୍ଧିକ ଡ. ଆଦିକନ୍ଦ ସାହୁ, କଥାକାର ଡ. ଅଜୟ ସ୍ୱାଇଁ, ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ବରେନ୍ଦ୍ରକୃଷ୍ଣ ଧଳ ଆଦି ଅନେକ ସାହିତ୍ୟ ଏକାଡେମୀ ପୁରସ୍କାର ଚୟନରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଡ. ଆଦିକନ୍ଦ ସାହୁ କହିଛନ୍ତି, “ସାଧାରଣ ତହସିଲ ଅଫିସ୍ଠାରୁ ମଧ୍ୟ ବେଶି ଦୁର୍ନୀତିଗ୍ରସ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର।” ଡ. ଅଜୟ ସ୍ୱାଇଁଙ୍କ ଭାଷାରେ, “ଭାଷା ସାହିତ୍ୟର ଶ୍ରେଷ୍ଠ ଲେଖକ ପୁରସ୍କାର ପାଇବାର ଗ୍ୟାରେଣ୍ଟି କିଛି ନାହିଁ।” ବିଶିଷ୍ଟ ସମାଲୋଚକ ଅସିତ ମହାନ୍ତି କହିଛନ୍ତି, “ଏହା ସତ୍ୟ ଯେ କାହାଣୀର ବିଲୁଆ ଓ ଅଙ୍ଗୁର ଉପାଖ୍ୟାନକୁ ମିଥ୍ୟା ପ୍ରତିପାଦିତ କରି କିଛି ଚତୁର ବିଲୁଆ ଚେଷ୍ଟାକରି ଅଙ୍ଗୁର ପାଇଯାଆନ୍ତି। ବହୁ ବିଲୁଆ ଚେଷ୍ଟାକରି ମଧ୍ୟ ଅଙ୍ଗୁର ପାଆନ୍ତି ନାହିଁ ଏବଂ ତାହାକୁ ଖଟା ବୋଲି କହନ୍ତି। ମାତ୍ର ଏପରି ବି କିଛି ଭାଗ୍ୟବାନ ବା ଭାଗ୍ୟବତୀ ବିଲୁଆ ଥାଆନ୍ତି, ଯେଉଁମାନେ ଚେଷ୍ଟା ନ କରି ମଧ୍ୟ ସେମାନଙ୍କ ପାଟି ପାଖରେ ଅଙ୍ଗୁର ଆସି ପହଞ୍ଚେ। ଦୁର୍ଭାଗ୍ୟକୁ ଆମ ସାହିତ୍ୟରେ ସେପରି ଲୋକଙ୍କ ସଂଖ୍ୟା ସ୍ୱଳ୍ପ।” (ଫାର୍ସ ୨୦୧୦, ପୃ:୫୯)। ସେତେବେଳେ ପୁରସ୍କାର ଚୟନ ପଦ୍ଧତି ଓ ବିଚାରକମାନଙ୍କ ଚୟନ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶକରି ବରେନ୍ଦ୍ରକୃଷ୍ଣ ଧଳ ଅନ୍ୟୂନ ଚାରୋଟି ପ୍ରବନ୍ଧ ଲେଖିଥିଲେ। ଯଥା: ‘ଓଡ଼ିଆ ସାହିତ୍ୟିକ ଓ କେନ୍ଦ୍ର ଏକାଡେମୀ’, ‘କେନ୍ଦ୍ର ଏକାଡେମୀ ଓ ବତ୍ରିଶ ସିଂହାସନ’, ‘ଓଡ଼ିଆ ସାହିତ୍ୟିକ ଓ ପୁରସ୍କାର’ ଓ ‘ହେ ନ୍ୟାୟାଧୀଶ – ଓଡ଼ିଆ ସାହିତ୍ୟକୁ ବଞ୍ଚାନ୍ତୁ।’
ବତ୍ରିଶ ସିଂହାସନ
ସାହିତ୍ୟ ପୁରସ୍କାର ଦେବା ପାଇଁ ଯେଉଁମାନେ ବିଚାରକ ଥାଆନ୍ତି, ସେମାନଙ୍କ ସଂପର୍କରେ କହିବାକୁ ଯାଇ ବରେନ୍ଦ୍ରକୃଷ୍ଣ ଧଳ ‘ବତ୍ରିଶ ସିଂହାସନ’ର କାହାଣୀରେ ଉଲ୍ଲେଖ କରିଛନ୍ତି। ଉଜ୍ଜୟିନୀର ଏକ ସ୍ତୂପ ଉପରେ ଗାଈଆଳ ଟୋକାଟିଏ ଯେଉଁ ନ୍ୟାୟ ବିଚାର କରୁଥିଲା, ତାହା ହେଉଥିଲା ସର୍ବଜନାଦୃତ। ଏହାର ରହସ୍ୟ ଜାଣିବା ପାଇଁ ରାଜା ଭୋଜ ସେହି ସ୍ତୂପକୁ ଖୋଳାଇଲେ ଓ ସେଠାରୁ ଆବିଷ୍କୃତ ହେଲା ୩୨ଟି ପିତୁଳା ଥିବା ବତ୍ରିଶ ସିଂହାସନ। ଏକ ପୁଣ୍ୟତିଥିରେ ରାଜା ସେହି ସିଂହାସନ ଆରୋହଣ କରିବାକୁ ଯାଇ ପ୍ରଥମ ପାହାଚରେ ପାଦ ପକାଇବାକୁ ଉଦ୍ୟତ ହୁଅନ୍ତେ, ପାଶ୍ୱର୍ରେ ଥିବା ପିତୁଳାଟି ପଚାରିଲା, ‘ରାଜନ୍! ଏହି ସିଂହାସନରେ ବସୁଥିଲେ ମହାରାଜ ବିକ୍ରମାଦିତ୍ୟ, ଯିଏ ଥିଲେ ନିଷ୍ଠାପର ଓ ସତ୍ୟବଦ୍ଧ। ଆପଣଙ୍କ ପାଖରେ ଏହି ଗୁଣ ଅଛି ତ?’ ରାଜା ଲଜ୍ଜିତ ହୋଇ ଫେରିଆସିଲେ ଓ ସତ୍ୟନିଷ୍ଠ ହେବା ପାଇଁ ସାଧନାକଲେ। ବର୍ଷକ ପରେ ନିଜକୁ ଯଥାସମ୍ଭବ ପ୍ରସ୍ତୁତକରି ସିଂହାସନ ଆରୋହଣ କରିବା ପାଇଁ ଉଦ୍ୟତ ହୁଅନ୍ତେ, ଦ୍ୱିତୀୟ ପିତୁଳା କହିଲା, ‘ରାଜନ! ବିକ୍ରମାଦିତ୍ୟଙ୍କ ଭଳି ଆପଣ ପକ୍ଷପାତିତା ଦୋଷରୁ ମୁକ୍ତ ତ?’ ରାଜା ଏହି ଦୋଷରୁ ମୁକ୍ତ ନଥିବାରୁ ଫେରିଆସି ନିରପେକ୍ଷ ହେବା ପାଇଁ ସାଧନାକଲେ। ତା’ପରେ ପୁଣି ସିଂହାସନ ଆରୋହଣ କରିବାକୁ ପହଞ୍ଚନ୍ତେ ତୃତୀୟ ପିତୁଳାଟି କହିଲା, ‘ରାଜନ! ବିକ୍ରମାଦିତ୍ୟଙ୍କ ଭଳି ଆପଣ ସମସ୍ତ ପ୍ରକାର ମାନସିକ ଆବେଗରୁ ମୁକ୍ତ ତ? ଯଦି ନୁହନ୍ତି ପ୍ରଥମେ ଆବେଗଶୂନ୍ୟ ହୁଅନ୍ତୁ, ତା’ପରେ ଏହି ସିଂହାସନ ଆରୋହଣ କରିବା ପାଇଁ ଯୋଗ୍ୟ ହେବେ।’ ଏହିପରି ପ୍ରଶ୍ନପରେ ପ୍ରଶ୍ନ ଶୁଣି ରାଜା ବିରକ୍ତ ହେଲେ ଓ କହିଲେ, ‘ରାଜା ବିକ୍ରମାଦିତ୍ୟଙ୍କ ପରେ ଯେଉଁମାନେ ବସିଥିଲେ ସମସ୍ତେ କ’ଣ ଏହିସବୁ ଗୁଣର ଅଧିକାରୀ ଥିଲେ?’ ପିତୁଳାଟିଏ କହିଲା, ‘ରାଜନ! ରାଜା ବିକ୍ରମାଦିତ୍ୟଙ୍କ ପରେ ଏହା ଉପରେ ବସିଥିଲା ସେହି ଗାଈଆଳ ଟୋକା, କୁଦ ଉପରେ ବସି ଯିଏ ବିଚାର କରୁଥିଲା। ସେ ଥିଲା ଜଟିଳତାମୁକ୍ତ, ପକ୍ଷପାତଶୂନ୍ୟ ଓ ଆବେଗଶୂନ୍ୟ। ଏଣୁ ତା’ର ବିଚାର ସମସ୍ତଙ୍କ ପାଇଁ ଗ୍ରହଣୀୟ ହେଉଥିଲା।’ ବରେନ୍ଦ୍ର ବାବୁଙ୍କ ପ୍ରଶ୍ନଥିଲା, ଯେଉଁମାନେ ସାହିତ୍ୟ ବିଚାରକମଣ୍ଡଳୀରେ ସ୍ଥାନ ପାଆନ୍ତି, ସେମାନେ ଉଚିତ ବିଚାର କରିବା ପାଇଁ ଏହିଭଳି ପକ୍ଷପାତିତା ଓ ଆବେଗମୁକ୍ତ ତ?
ଏହି ପ୍ରସଙ୍ଗରେ ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ କହନ୍ତି, ପୁରସ୍କାର ଚୟନରେ ବେଳେବେଳେ ଯୋଗାଯୋଗର ଭୂମିକା ଥାଏ। କେତେବେଳେ ଏହାଦ୍ୱାରା ଉପଯୁକ୍ତ ସାହିତ୍ୟ ମର୍ଯ୍ୟାଦା ଲାଭକରେ ତ କେତେବେଳେ ଅନୁପଯୁକ୍ତ ସାହିତ୍ୟ ବି ମର୍ଯ୍ୟାଦା ଆୟତ୍ତ କରିନିଏ। ସମସ୍ତଙ୍କ ବୋଧଶକ୍ତି ଓ ରୁଚିଜ୍ଞାନ ସମାନ ନୁହେଁ। ସମାଲୋଚନାରେ ଏହିସବୁ ଗୁଣ ରହିବା ଉଚିତ, କିନ୍ତୁ ସମାଲୋଚକ ନିରପେକ୍ଷ ହେବା ସମ୍ଭବ ନୁହେଁ। ବହୁ ସଚେତନ ଓ ଅବଚେତନ କାରଣ ତାକୁ ପରିଚାଳିତ କରେ। ଏଣୁ ଯଦି କୌଣସି ପୁସ୍ତକ ପୁରସ୍କୃତ ନ ହୁଏ, ତା’ର ସାହିତ୍ୟିକ ମୂଲ୍ୟବୋଧ ନାହିଁ କହିବା ବା ତାହା ଏକ ଭଲ ବହି ନୁହେଁ କହିବା ଠିକ୍ ନୁହେଁ। କାଳିନ୍ଦୀଚରଣ ପାଣିଗ୍ରାହୀ, ମାୟାଧର ମାନସିଂହଙ୍କ ଭଳି କବି ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇନଥିଲେ। ତଥାପି ସେମାନେ ଅବିସ୍ମରଣୀୟ କବି। ପୁରସ୍କାର ପାଇଲେ ଯେ ଜଣେ ଉଚ୍ଚକୋଟୀର ଲେଖକ, ସେପରି ଭାବିବା ସଂପୂର୍ଣ୍ଣ ଭୁଲ୍। ନୋବେଲ ପୁରସ୍କାର ମିଳି ନ ଥିଲେ ମଧ୍ୟ ଗର୍କୀଙ୍କ ‘ମଦର’, ଟଲଷ୍ଟୟଙ୍କ ‘ୱାର୍ ଏଣ୍ଡ୍ ପିସ୍’ ଅମର ହୋଇ ରହିଛି। ଏଣୁ ଆନୁଷ୍ଠାନିକ ପୁରସ୍କାର ନୁହେଁ, ପାଠକୀୟ ସ୍ୱୀକୃତି ହିଁ ଲେଖକର ପ୍ରକୃତ ପୁରସ୍କାର। ଏହି ପ୍ରସଙ୍ଗରେ ସୁରେନ୍ଦ୍ର ମହାନ୍ତିଙ୍କ ଜୀବନର ନିମ୍ନୋକ୍ତ ଘଟଣା ଗୁରୁତ୍ୱପୂର୍ଣ୍ଣ ମନେହୁଏ।

ଶୁଦ୍ଧୋଦନ ବନାମ ମହତାବ
ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧଦିଗନ୍ତ’ ଉପନ୍ୟାସକୁ ଉପାୟନ ଦେବା ପାଇଁ ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ଜଣାଇ ଦିଆଯାଇଥିଲା। ସେତେବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ହରେକୃଷ୍ଣ ମହତାବ। ତାଙ୍କୁ ବୁଝାଇ ଦିଆଗଲା ଯେ ଏହି ଉପନ୍ୟାସର ଶୁଦ୍ଧୋଦନ ଚରିତ୍ର ମହତାବଙ୍କ ପ୍ରତିରୂପ। ସେ ଥିଲା ସ୍ୱାଧୀନତା ପରବର୍ତ୍ତୀ କାଳରେ କ୍ଷମତା ରାଜନୀତିର ବିକୃତି ଓ ସ୍ଖଳନର ପ୍ରତୀକ। କିନ୍ତୁ ପ୍ରକୃତରେ ମହତାବଙ୍କୁ ବ୍ୟଙ୍ଗ କରିବା ସୁରେନ୍ଦ୍ର ମହାନ୍ତିଙ୍କ ଧାରଣାରେ ବି ନଥିଲା। ତଥାପି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ନର କିନ୍ନର’ ଉପନ୍ୟାସକୁ ଶ୍ରେଷ୍ଠ ଉପନ୍ୟାସ ଭାବରେ ଉପାୟନ ଦିଆଗଲା। ସୁରେନ୍ଦ୍ର ମହାନ୍ତି ଚାହିଁଥିଲେ ଏହି ନିଷ୍ପତ୍ତି ବିରୋଧରେ କୋର୍ଟର ଆଶ୍ରୟ ନେଇପାରିଥାନ୍ତେ। ମାତ୍ର ସେ କହିଲେ, ‘ଶାନ୍ତନୁ ମୋ’ର ଜଣେ ସ୍ନେହାସ୍ପଦ ଲେଖକ। ତାଙ୍କର ‘ନର କିନ୍ନର’ ଉପନ୍ୟାସ ବାହାରିବା ପରେ ଏହାର ସମୀକ୍ଷା ପାଇଁ ସେ ମୋତେ ଅନୁରୋଧ କରିଥିଲେ। ମୁଁ ‘କଳିଙ୍ଗ’ରେ ଏହି ଉପନ୍ୟାସର ଖୁବ୍ ତାରିଫ କରିଥିଲି। ବର୍ତ୍ତମାନ ‘ନର କିନ୍ନର’ ଉପାୟନ ପାଇବାରୁ ମୁଁ ଯଦି ମୋକଦ୍ଦମା କରେ, ତା’ହେଲେ ଫଳ ଯାହା ହେଉନା କାହିଁକି, ମୋ’ର ହାତଟା ଅନ୍ତତଃ ମଇଳା ହୋଇଯିବ। ଲାଭ କ’ଣ? ମୁଁ ଏହା ଲେଖିଲା ବେଳକୁ ‘ଅନ୍ଧ ଦିଗନ୍ତ’ର ତୃତୀୟ ସଂସ୍କରଣ ବଜାରରେ ଚାଲିଛି। ଏହି ତୃତୀୟ ସଂସ୍କରଣର ଭୂମିକାରେ ମୁଁ ଏ ପ୍ରସଙ୍ଗର କେତେକ ସୂଚନା ମଧ୍ୟ ଦେଇଛି। ଏହା ସେଦିନ ଓଡ଼ିଶା ସାହିତ୍ୟ ଏକାଡେମୀର ସ୍ୱୀକୃତି ଲାଭରୁ ବଞ୍ôଚତ ହୋଇଥିଲା ସତ୍ୟ; ମାତ୍ର ଏପର୍ଯ୍ୟନ୍ତ ସୁଦ୍ଧା ଏହା ଓଡ଼ିଆ ସାହିତ୍ୟରେ ଏକମାତ୍ର ଶ୍ରେଷ୍ଠ ରାଜନୈତିକ ଉପନ୍ୟାସ ରୂପେ ସ୍ୱୀକୃତ ଓ ମର୍ଯ୍ୟାଦାପ୍ରାପ୍ତ। ସେଥିପାଇଁ ମୁଁ ତରୁଣ ସାହିତ୍ୟିକମାନଙ୍କୁ ବରାବର କହିଆସିଛି ‘ଆନୁଷ୍ଠାନିକ ସ୍ୱୀକୃତି, ସାହିତ୍ୟିକର ଆଦୌ ପୁରସ୍କାର ନୁହେଁ। ପାଠକର ଶ୍ରଦ୍ଧା ଓ ସ୍ୱୀକୃତି ହେଉଛି ଲେଖକର ଶ୍ରେଷ୍ଠ ଜୟମାଲ୍ୟ।’ (ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ ଓ ପୃଥିବୀ’ରୁ ଗୃହୀତ)
ଏହି ପ୍ରସଙ୍ଗରେ ମନୋଜ ଦାସଙ୍କ ଏକ କୌତୂହଳୋଦ୍ଦୀପକ ଅନୁଭୂତି ମନେପଡ଼େ। ୧୯୫୫ ମସିହାର କଥା। ସୀମା ଆନ୍ଦୋଳନର ନେତୃତ୍ୱ ନେଉଥିବା ବେଳେ ମନୋଜ ଦାସଙ୍କୁ ଗିରଫ କରାଗଲା ଓ ଥାନା ହାଜତରେ ରଖାଗଲା। ମଧ୍ୟାହ୍ନ ସମୟରେ ଯୁବ ଇନ୍ସପେକ୍ଟର ତାଙ୍କୁ ଦିବାହାର ପାଇଁ ଡାକିନେଲେ। ଥାନା ପଛପଟେ ଥିବା ଟେବୁଲକୁ ସରୁଚାଉଳ ଭାତ, ଦଶ ପ୍ରକାର ତିଅଣ, ଦହି, ମିଠା ଆଦି ଅଣାଗଲା। ସେ ଖାଉଁଖାଉଁ କହିଲେ, ‘ହାଜତ୍ ବନ୍ଦିମାନଙ୍କୁ ଏତେ ଚମତ୍କାର ଖାଦ୍ୟ ଯୋଗାଇବାର ବ୍ୟବସ୍ଥା ଅଛି’ ବୋଲି ମୁଁ ଜାଣିନଥିଲି। ଇନ୍ସପେକ୍ଟର କହିଲେ, ‘ହାଜତ ବନ୍ଦିମାନଙ୍କୁ ନୁହେଁ, ଆପଣଙ୍କୁ। ମୋ’ ସ୍ତ୍ରୀ ଯେତେବେଳେ ଶୁଣିଲେ ଆପଣ ଗିରଫ ହୋଇ ମୋ’ ଦାୟିତ୍ୱରେ ଆଜି ଦିନକ ରହିଛନ୍ତି, ସେ କହିଲେ ଆଜି ତାଙ୍କ ପାଇଁ ଏକ ସୁଯୋଗ – ତାଙ୍କ ପ୍ରିୟ ଲେଖକଙ୍କୁ ସେ ନିଜେ ରାନ୍ଧି ଖୁଆଇବେ। ଏସବୁ ସେ ପଠାଇଛନ୍ତି। ମନୋଜ ଦାସ ଏହି ଘଟଣାକୁ ମନେରଖି କହିଥିଲେ, ‘ବୋଧହୁଏ ଲେଖକ ଜୀବନରେ ତାହା ହିଁ ଥିଲା ମୋ’ର ପ୍ରଥମ ପୁରସ୍କାର। ଅଦ୍ୟାବଧି ତାହା ଅନ୍ୟତମ ଶ୍ରେଷ୍ଠ ଏବଂ ଅବିସ୍ମରଣୀୟ ପୁରସ୍କାର ହୋଇ ରହିଛି।’ ବାସ୍ତବିକ ଅର୍ଥରାଶି ସଂଯୁକ୍ତ ପୁରସ୍କାର ସାହିତ୍ୟିକର ମର୍ଯ୍ୟାଦା ବଢ଼ାଏନାହିଁ, ପାଠକୀୟ ଶ୍ରଦ୍ଧା ଓ ସ୍ୱୀକୃତି ହିଁ ସାହିତ୍ୟିକ ପାଇଁ ପ୍ରକୃତ ପୁରସ୍କାର।
ନିରାସକ୍ତ ଲେଖନୀ ଚାଳନା
ଏଣୁ ସାହିତ୍ୟ ଏକାଡେମୀ ଦ୍ୱାରା ଘୋଷିତ ମୋଟା ଅର୍ଥରାଶିଯୁକ୍ତ ପୁରସ୍କାର ଲୋଭରେ ସାହିତ୍ୟିକ ଲେଖନୀ ଚାଳନା ନ କରି ସ୍ୱତଃସ୍ଫୂର୍ତ୍ତ ପ୍ରେରଣାଚାଳିତ ହୋଇ ପ୍ରତିଦାନର ଆଶା ନ ରଖି ଲେଖନୀ ଚାଳନା କରୁ। ଏହି ପ୍ରସଙ୍ଗରେ ଘଟଣାଟିଏ; ସ୍ୱାସ୍ଥ୍ୟଗତ କାରଣରୁ ଏକ ନିର୍ଜନ କୋଠରିରେ ରହୁଥିଲେ ଜଣେ ଶେଠ୍। ପ୍ରତ୍ୟେକ ସକାଳେ ସେ କୌଣସି ଏକ ମଧୁର କଣ୍ଠରୁ ଭକ୍ତିସଙ୍ଗୀତ ଶୁଣି ମୁଗ୍ଧ ହେଉଥିଲେ। ସେ ଜାଣିବାକୁ ପାଇଲେ ଯେ ଜଣେ ବାରବୁଲା ସାଧୁ ରାତିରେ ତାଙ୍କ ବାହାର ବାରଣ୍ଡାରେ ଆଶ୍ରୟ ନିଅନ୍ତି ଓ ସକାଳେ ଗୀତ ବୋଲନ୍ତି। ଦିନେ ସକାଳେ ଶେଠ୍ ତାଙ୍କ ସଂଗୀତରେ ମୁଗ୍ଧହୋଇ ତାଙ୍କୁ ଏକଶତଟଙ୍କା ପୁରସ୍କାର ଦେଲେ ଓ ଏକ ନିର୍ଦ୍ଦିଷ୍ଟ ସଂଗୀତ ଗାଇବାକୁ ଅନୁରୋଧ କଲେ। ସାଧୁ ଜଣକ ଟଙ୍କା ଗ୍ରହଣକଲେ ଓ ଅନେକ ଦିନଧରି ସେହି ଗୀତଟିକୁ ବାରମ୍ବାର ଗାଇବା ପରେ ହଠାତ୍ ଦିନେ ସେହି ଟଙ୍କା ଶେଠଙ୍କୁ ଫେରାଇଦେଇ କହିଲେ, ‘ବାବୁ! ମୁଁ ସବୁଦିନ ଗୀତ ଗାଉଥିଲି ମୋ’ ଆତ୍ମାର ସନ୍ତୋଷ ପାଇଁ। କିଛିଦିନ ହେବ ତୁମ ପାଖରୁ ଅର୍ଥନେଇ ଗୀତ ବୋଲୁଚି ତୁମର ସନ୍ତୋଷ ପାଇଁ। ସେଥିରେ ମୋ’ ଆତ୍ମା ବିଦ୍ରୋହ କରୁଛି।’ ଏତକ କହି ସାଧୁଜଣକ ଚାଲିଗଲେ ଓ ଆଉ ଅର୍ଥ ବଦଳରେ ଶେଠ୍ଙ୍କୁ ସନ୍ତୁଷ୍ଟ କରିବା ପାଇଁ ସଂଗୀତ ଗାଇଲେ ନାହିଁ। ଏହି ସାଧୁ ହିଁ ସାହିତ୍ୟିକମାନଙ୍କ ପାଇଁ ଆଦର୍ଶ। ସନ୍ଥ ତୁଳସୀ ଦାସ ମଧ୍ୟ ‘ରାମଚରିତ ମାନସ’ ଲେଖିବା ବେଳେ କହିଥିଲେ, ‘ସ୍ୱାନ୍ତସୁଖାୟ, ତୁଳସୀ ରଘୁନାଥ ଗାଥା’, ଅର୍ଥାତ୍ ମୁଁ ରଘୁନାଥଙ୍କ ଚରିତ୍ର ଲେଖୁଚି, ମୋ’ ନିଜର ସନ୍ତୋଷ ପାଇଁ। ଏହା ହିଁ ପ୍ରକୃତ ସାହିତ୍ୟିକର ଧର୍ମ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)