ଜେ.ପି. ଦାସ – ଏକ ଅନୁଭୂତି

ଜେ.ପି ଦାସ ଜଣେ ଯୁବ ଆଇ.ଏ.ଏସ୍‌. ଅଫିସର ଥିବାବେଳେ କୌଣସି ଏକ ଅଜଣା ପତ୍ର-ପ୍ରେରକଠାରୁ ପାଇଥିଲେ ଏକ ଚିଠି, ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ ତାଙ୍କ ନିଶ ନଥିବା ମୁହଁ ଆଦୌ ପସନ୍ଦଯୋଗ୍ୟ ନୁହେଁ।

ନିଖିଳାନନ୍ଦ ପାଣିଗ୍ରାହୀ

ବର୍ଷେ ମଧ୍ୟ ପୂରିନି। ୨୦୨୫ ଅକ୍ଟୋବର ୩୦ ତାରିଖରେ ଗୋଟିଏ ଫଟୋ ମୋ’ ସ୍ମାର୍ଟଫୋନର ହ୍ୱାଟସ୍‌ଆପ୍‌ରେ ଆବିର୍ଭାବ ହେଲା। ମୁଁ ଚମକି ପଡ଼ିଲି। ଏହାଥିଲା ଦାଢ଼ିଥିବା ମୋ’ର ଜଣେ ପରିଚିତ ବୟୋଜ୍ୟେଷ୍ଠ ବିଖ୍ୟାତ ସାହିତ୍ୟିକଙ୍କର। ଥୋଡ଼ିରେ ଅଜବ ଧରଣର ପାଚିଲା ଦାଢ଼ି। ଫଟୋ ତଳେ ସନ୍ଦେଶଥିଲା, ‘ଧନ୍ୟବାଦ ନିଖିଳାନନ୍ଦ’। ମୁଁ ଏବେ ଦାଢ଼ି ରଖିଛି (ସ୍ପୋର୍ଟ ଏ ବିଅର୍ଡ୍‌, ଅର୍ଥାତ୍ ଆମୋଦ କରିବା କିମ୍ବା ଆଡ଼ମ୍ବରପୂର୍ଣ୍ଣ ଭାବେ ପ୍ରଦର୍ଶନ କରିବା), ଯାହା ପରବର୍ତ୍ତୀ ସମୟ ପାଇଁ।
ମରଦର ମୁଚ୍ଛ
‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର ୨୦୨୫ ସଂଖ୍ୟାରେ ମୋର ଗୋଟିଏ ପ୍ରବନ୍ଧ ‘ମରଦର ମୁଚ୍ଛ ଓ ଜେ.ପି. ଦାସ’ ପ୍ରକାଶ ପାଇଲା, ଯାହାର ପୂର୍ବ ସୂଚନା ମୁଁ ସମ୍ମାନନୀୟ ଜଗନ୍ନାଥ ପ୍ରସାଦ (ଜେ.ପି) ଦାସଙ୍କୁ ଜଣାଇଥିଲି। ମୋ’ ଲେଖାର ଭିତ୍ତିଭୂମି ଥିଲା: ଜେ.ପି ଦାସ ଜଣେ ଯୁବ ଆଇ.ଏ.ଏସ୍‌. ଅଫିସର ଥିବାବେଳେ କୌଣସି ଏକ ଅଜଣା ପତ୍ର-ପ୍ରେରକଠାରୁ ପାଇଥିବା ଚିଠି, ଯେଉଁଥିରେ ଉଲ୍ଲେଖ ହୋଇଥିଲା ଯେ ତାଙ୍କ ନିଶ ନଥିବା ମୁହଁ ଆଦୌ ପସନ୍ଦଯୋଗ୍ୟ ନୁହେଁ। ବିଶେଷ ଭାବେ ତାଙ୍କ ମନମତାଣିଆ ଚେହେରା ସକାଶେ ନିଶ ନିହାତି ମହତ୍ତ୍ୱପୂର୍ଣ୍ଣ। ଖବରକାଗଜରେ ଜେ.ପିଙ୍କ ପ୍ରକାଶିତ ଫଟୋରେ ସେ ନିଶ ଖଞ୍ଜି ଏହି ମତ ଦେଇଥିଲେ, ଆପଣ କେତେ ସୁନ୍ଦର ଦେଖାଯାଉଛନ୍ତି। ମାନେ ଆପଣଙ୍କ ଯେଉଁ ମନଲୋଭା ସୌନ୍ଦର୍ଯ୍ୟ, ତାହା ଶତଗୁଣ ବୃଦ୍ଧି ପାଇଛି। ଆମର ଗୋଟିଏ ଛୋଟ ମିନତି ରଖିବେ? ଆପଣ ନିଶ ରଖନ୍ତୁ – ରଖିବେ ନାଁ? ନ ହେଲେ ଆମର ମନ ବହୁତ ବହୁତ ଦୁଃଖ ହେବ।

ଏହି ଚିଠିର ପ୍ରଭାବ ଜେପିଙ୍କ ଉପରେ ପଡ଼ିଛି କି ନାହିଁ, ତାହା ଅଲଗା କଥା। ତେବେ ଏହି ପତ୍ର ପାଇବାର ଚାରିବର୍ଷ ପରେ ସେ ଆଜୀବନ ଚମତ୍କାର ନିଶ-ଧାରଣ କରିଥିବା ଦୃଶ୍ୟ ଦେଖିବାକୁ ମିଳିଲା। କିନ୍ତୁ ଦାଢ଼ି ଉକ୍ତ ସ୍ମାର୍ଟଫୋନ୍ ଚିତ୍ରରେ ଆବିଷ୍କାର କରି ମୁଁ ବିସ୍ମୟାଭିଭୂତ ହୋଇଯାଇଥିଲି। ମନକୁ ମନ ମୁଁ ନିଜକୁ ପ୍ରଶ୍ନକଲି, ଏ ଦାଢ଼ି, ତୁ କାହୁଁ ଓହ୍ଲାଇ ଆସିଲୁରେ? ଥୋଡ଼ିରେ ଏତେଦିନ ଲୁଚି ରହିଥିଲୁ କାହିଁକି?
ପିଲାଦିନେ ଶୁଣିଥିବା ଗୋଟିଏ ହିନ୍ଦୀ ଗଳ୍ପ ମୋ’ର ମନେପଡ଼ିଲା। ଥରେ ଜଣେ ଲୋକ ଗୋଟିଏ ନୂଆ ସହରକୁ ଆସିଲେ। ତାଙ୍କର ଚିରାଫଟା ପୋଷାକ ମରାମତି କରିବାକୁ ଗୋଟିଏ ଦରଜିକୁ ଦେଲେ। ଦରଜି ତା’ ପରଦିନ ଆସି ଲୁଗା ନେବାକୁ କହିଲା। ଦୋକାନର କୌଣସି ନାମଫଳକ ନଥିଲା। କିନ୍ତୁ ତାକୁ ଚିହ୍ନଟ କରିବାକୁ ଗରାଖଙ୍କ ମୁଣ୍ଡକୁ ଗୋଟିଏ ଅଜବ ବୁଦ୍ଧି ଜୁଟିଲା। ଦେଖିଲେ ଯେ ଦୋକାନ ସାମନାରେ ଗୋଟିଏ ଷଣ୍ଢ ଶୋଇଛି। ଏହି ନିଦର୍ଶନ ସେ ନିର୍ଭୁଲ ଭାବେ ମନେ ରଖିଲେ।
ତା’ ପରଦିନ ସିଲେଇ ଦୋକାନକୁ ଠାବ କରିବାକୁ ସେ ପୂର୍ବ ପରିଚିତ ଷଣ୍ଢକୁ ଖୋଜି ତାର ପତ୍ତା ପାଇବା ପରେ ଆନନ୍ଦରେ ଅଭିଭୂତ ହୋଇଗଲେ। ଦୈବାତ୍ ସେଠାରେ ମଧ୍ୟ ଗୋଟିଏ ଦର୍ଜି ଦୋକାନଥିଲା। କିନ୍ତୁ ଦରଜିକୁ ଲୁଗା ମାଗିବା ବେଳେ ଅବିଶ୍ୱାସର ସହ ତାଙ୍କ ପାଟିରୁ ଯାହା ଆପେଆପେ ବାହାରିଲା, ‘ରାତେଁ ରାତ ଲମ୍ବୀ ଦାଢ଼ି!’ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ଯେ ରାତିକ ମଧ୍ୟରେ ଜଣକ ମୁହଁରେ ଏତେ ଲମ୍ବା ଦାଢ଼ି ଉଠିବ!
ଜେପିଙ୍କ ମୁହଁରେ ଅକଳ୍ପନୀୟ ଅଜବ ଦାଢ଼ି ଫଟୋରେ ଆବିଷ୍କାର କରି ମୁଁ ସେଇ ଲୋକଟି ପରି ଚମକି ପଡ଼ିଲି। ତେବେ ତାଙ୍କୁ ପ୍ରତ୍ୟୁତ୍ତର ଦେଇଥିଲି, ‘ମୁଁ ଆଗ୍ରହର ସହ ଅପେକ୍ଷା କରୁଛି। ହୁଏତ ଏଇ ବିଷୟରେ ଲେଖନୀ ଚାଳନା କରିବାକୁ ଭବିଷ୍ୟତରେ କିଛି ଭାବନା ମୋତେ କବଳିତ କରିବ।’
ଆମୋଦ ପ୍ରଦାୟକ ଫଟୋ
ଏହି ବିଷୟରେ ଲେଖିବା ପାଇଁ ମୋ’ ମନରେ ଆଶା ରହିଥାଏ। ନିରବରେ ଏହାର ଅଙ୍କୁରୋଦଗମ୍ ହେଲା। ଉକ୍ତ ଫଟୋଟିର ଢଙ୍ଗ ଥିଲା ବିଚିତ୍ର ଓ ପ୍ରଭାବଶାଳୀ। ତାହା ଥିଲା, ଆମୋଦ ପ୍ରଦାୟକ, କୌତୁକାବହ। କିନ୍ତୁ ଏହା ପଛରେ ଜେପିଙ୍କ ବ୍ୟକ୍ତିତ୍ୱ ଯେ ଉପସ୍ଥିତ, ତାହା ଅଣଦେଖା କରିହେବନାହିଁ। ସେ ଥିଲେ ଜଣେ ଅସାମାନ୍ୟ ପ୍ରତିଭାଶାଳୀ ସ୍ରଷ୍ଟା। କେବଳ ସାହିତ୍ୟିକ ନୁହନ୍ତି, ନାଟ୍ୟକାର ମଧ୍ୟ। ଦେଶ, କାଳ, ପାତ୍ର ବହିର ରଚୟିତା ଭାବେ ସେ ଚିର ସ୍ମରଣୀୟ ହୋଇ ରହିବେ।
ମୁଁ ମନେ ମନେ ଖୋଜୁଥାଏ ଏପରି ଜଣେ ସୁପ୍ରତିଷ୍ଠିତ ବ୍ୟକ୍ତିଙ୍କୁ, ଯିଏ ଏକାଧାରରେ ଅଭିନୟରେ ନିପୁଣ ହେବା ସହ ଆମୋଦିତ କରିପାରିବାରେ ଦକ୍ଷ ଥିବେ। ଏମିତି ଜଣକ ସହ ଜେ.ପିଙ୍କୁ ଯୋଡ଼ିବା ଉଚିତ ହେବ। ମୋ’ ଖୋଜାଲୋଡ଼ା ଚାଲିଥିଲାବେଳେ କିଶୋର କୁମାର ମୋ’ ମନ ଆଗରେ ହସିହସି ଠିଆହେଲେ। ତାଙ୍କ ମୁହଁକୁ ମୁଁ ବାରମ୍ବାର ଚାହିିଁଲି। ତାଙ୍କ ରହସ୍ୟଜନକ ନିଶ, ଦାଢ଼ି ପରଖିବାକୁ ମୁଁ କଳ୍ପନାଜଳ୍ପନାରେ ମାତିଲି। ସେ କେଉଁ ଅବତାରରେ ହାଜରହୋଇ ଦର୍ଶକଙ୍କୁ ଚମତ୍କୃତ କରିବେ, ତାହା ଅନୁମାନ କରିବା ପ୍ରମାଦପୂର୍ଣ୍ଣ। ତାଙ୍କ ଜୀବନର ଘଟଣାବଳି ଏହା ପୁଷ୍ଟିକରେ। ଏଇ ବିଷୟମାନ ମୋ’ ମନରେ ନାଚିଲା।
ଚଳଚ୍ଚିତ୍ର ଜଗତର ଉକ୍ତ ପ୍ରଖ୍ୟାତ ଅଭିନେତା ଓ ପାଶ୍ୱର୍ଗାୟକ କିଶୋର କୁମାର (୧୯୨୯-୧୯୮୭, ଜନ୍ମସ୍ଥାନ: ଖଣ୍ଡୱା, ମଧ୍ୟପ୍ରଦେଶ)ଙ୍କ ବିଷୟରେ କେତେକ ରୋଚକ ଘଟଣା ଶୁଣିବାକୁ ମିଳେ, ଯାହା ତାଙ୍କର ବିଲକ୍ଷଣ ସ୍ୱଭାବର ପରିଚାୟକ।

ପାଉଣା ଅସୁଲର ନୀତି
ସେ ଗୋଟିଏ ଅଜବ ପଦ୍ଧତି ଅବଲମ୍ବନ କରିବା ପାଇଁ ପ୍ରସିଦ୍ଧ। ଫିଲ୍ମ ଅଭିନୟରେ ନିଜ ପୂରା ପାଉଣା ଅସୁଲ କରିବାକୁ ତାଙ୍କ ନୀତି ହେଉଛି ‘ଅଧା ପୈସା ତୋ ଅଧା ମେକ୍ ଅପ୍।’ ସେ ପୂରା ମେକ୍ ଅପ୍ ସହ ଫିଲ୍ମ ସୁଟିଂକୁ ଯାଆନ୍ତି, କିନ୍ତୁ ପଇସା ଦେବାରେ ପ୍ରଯୋଜକ ଟାଳଟୁଳ କଲେ ମୁଣ୍ଡର ଅଧା ଓ ନିଶଦାଢ଼ିରୁ ଅର୍ଦ୍ଧେକ କେଶ ଚାଞ୍ôଛ ସଫାକରି ଦିଅନ୍ତି। ନାଚାର ପ୍ରଯୋଜକ ତା’ପରେ ଠିକ୍ ରାସ୍ତାକୁ ଆସିଯାନ୍ତି।
୧୯୭୧ ମସିହାର ଗୋଟିଏ ଅବିଶ୍ୱସନୀୟ ଘଟଣା। ଚଳଚ୍ଚିତ୍ର ଜଗତର ଜଣେ ମାନ୍ୟଗଣ୍ୟ ନିର୍ମାତା ତଥା ନିର୍ଦ୍ଦେଶକ ହେଉଛନ୍ତି ହୃଷିକେଶ ମୁଖାର୍ଜୀ। ‘ଆନନ୍ଦ’ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ସେ କିଶୋର କୁମାରଙ୍କୁ ମନୋନୀତ କରିଥିଲେ। କିନ୍ତୁ ଏଥିରେ କିଶୋରଙ୍କ ଆଗ୍ରହ ନଥିଲା। କିଶୋରଙ୍କୁ କେଉଁ ଚେହେରାରେ ଫିଲ୍ମରେ ପ୍ରଦର୍ଶନ କରାଯିବ, ତାହା ବିଚାର କରିବା ସକାଶେ ନିର୍ଦ୍ଦେଶକ ଦିନଧାର୍ଯ୍ୟ କରିଥିଲେ। ସେତେବେଳେ କିଶୋର ଘଟଣା ସ୍ଥଳରେ ଦରଖଣ୍ଡିଆ ନିଶ ଓ ଲଣ୍ଡା ମୁଣ୍ଡରେ ପହଞ୍ଚି ନାଚଗୀତ ସହ ଡିଆଁଡେଇଁ କଲେ। ଉକ୍ତ ଫିଲ୍ମ ପାଇଁ ହୃଷିକେଶଙ୍କ ସମେତ ଅମିତାଭ ବଚ୍ଚନ ଏବଂ ଅନ୍ୟମାନେ ସେଠାରେ ଜମା ହୋଇଥିଲେ। କିଶୋରଙ୍କ ଏମିତି ଅଜବ ଅବସ୍ଥା ସେମାନଙ୍କୁ ସ୍ତମ୍ଭୀଭୂତ କରିଦେଲା। ନିର୍ଦ୍ଦେଶକଙ୍କୁ ମଜାରେ କିଶୋର କହିଲେ ଯେ ଏଇ ଲଣ୍ଡା ମୁଣ୍ଡରେ କେମିତି ଫିଲ୍ମ ଚାଲିବ, ହୃଷିକେଶ ବୁଝିଗଲେ ଯେ ଅବ୍ୟବସ୍ଥିତ, ଚଞ୍ଚଳମନା କିଶୋର ଉକ୍ତ ଫିଲ୍ମର ଚରିତ୍ର ପାଇଁ ଅନୁପଯୁକ୍ତ। ସେ ତାଙ୍କୁ ବଦଳାଇ ରାଜେଶ ଖାନ୍ନାଙ୍କୁ ବାଛିଲେ। ସଂଳାପକାର ଗୁଲଜାରଙ୍କ ପ୍ରତ୍ୟକ୍ଷଦର୍ଶୀ ବିବରଣୀରେ ଏହା ଉଲ୍ଲେଖ ହୋଇଛି।
ପୁରୁଷମାନଙ୍କ ଜୀବନରେ ନିଶ ଦାଢ଼ିର ଗୁରୁତ୍ୱପୂର୍ଣ୍ଣ ଅବଦାନ ବିଷୟରେ ସମସ୍ତେ ଅବଗତ ହୋଇନଥାନ୍ତି। ଏହାର ମାଧ୍ୟମରେ ଯେ କେତେକ ଅସମ୍ଭବ ଓ ଅବିଶ୍ୱସନୀୟ ସଫଳତା ପ୍ରାପ୍ତ ହୋଇପାରିବ, ତା’ର କାଇଦା ଅନୁଭବୀମାନେ ଠଉରାଇ ପାରିବେ। ଅନେକ ବ୍ୟକ୍ତି ଏହାକୁ ଅଦରକାରୀ ଓ ବିରକ୍ତିଜନକ ବୋଲି ବିଚାର ପରି ପ୍ରତିଦିନ ମୁହଁ ସଫା କରିଥାଆନ୍ତି। କିନ୍ତୁ ସେମାନଙ୍କ ଏହି କେଶହୀନ ମୁହଁକୁ କେହି କେହି ବିରସ ବିଧବାର ଏକ ପୁରୁଷ-ସଂସ୍କରଣ ବୋଲି ନାକ ଟେକନ୍ତି।
ହାସ୍ୟରସ ପ୍ରତି ଆଦର
ତେବେ ଜେ.ପି ଅବଶ୍ୟ କିଶୋର କୁମାରଙ୍କ ପରି ମନୋଭାବର ବଶବର୍ତ୍ତୀ ହୋଇ ନିଶ ଓ ପରବର୍ତ୍ତୀ କାଳର ଆଲୋଚ୍ୟ କୌତୁକିଆ ଦାଢ଼ି ରଖିନଥିଲେ। ତଥାପି କିଶୋର କୁମାରଙ୍କ ସହ ତାଙ୍କ ଦୃଷ୍ଟିଭଙ୍ଗୀରେ କିଛି ସମାନତା ପରିଲକ୍ଷିତ ହୋଇଥାଏ। ତାହା ହେଉଛି ହାସ୍ୟରସ ପ୍ରତି ଆଦର, ଯାହା ଜେ.ପିଙ୍କ ମୁନିଆ ନିଶରେ ଅନ୍ତର୍ନିହିତ।
ଏତଦ୍‌ବ୍ୟତୀତ ଏହି ପରିପ୍ରେକ୍ଷୀରେ ଜେ.ପିଙ୍କୁ ଉଦ୍ଧୃତ କରିବା ସମୀଚୀନ ହେବ।
“ମୁଁ ଯେତେବେଳେ ମୋ’ର ନନ୍‌ସେନ୍‌ସ କବିତା ବହି ଆଳୁକୁଚି ମାଳୁକୁଚି ଛପାଇବା ପାଇଁ ପଠାଇଲି, ଜଣେ ଲେଖିକା ମତେ କହିଥିଲେ, ଏ ବହି ବାହାରିବା ପରେ କେହି ଆପଣଙ୍କ ଲେଖାକୁ ଗମ୍ଭୀରତାର ସହିତ ନେବେନାହିଁ। (ଅବଶ୍ୟ ଆଗରୁ ଯେ ମତେ ପାଠକମାନେ ଗମ୍ଭୀରତାର ସହ ନେଉଥିଲେ, ତା’ ମଧ୍ୟ ମତେ ଜଣାନଥିଲା)। ତାଙ୍କ କଥାର ମର୍ମ ଥିଲା ଯେ ଓଡ଼ିଶାରେ ହାଲୁକା ହାସ୍ୟରସାତ୍ମକ ଲେଖାର ଆଦର ନାହିଁ ଏବଂ ହାସ୍ୟରସର ଲେଖକ ସମ୍ମାନର ଯୋଗ୍ୟ ନୁହେଁ। ମୋ’ର ବହିଟି ପ୍ରକାଶିତ ହେବା ପରେ ତା’ର କୌଣସି ଆଲୋଚନା ହୋଇନଥିଲା, ତେବେ ଗୋଟିଏ ଲିଟିଲ୍ ମ୍ୟାଗାଜିନ୍ (ଶ୍ରୀ ହରିବୋଲ ନଭେମ୍ବର-ଡିସେମ୍ବର, ୨୦୦୫) ଏହି ବହିର ଉଲ୍ଲେଖକରି ଏଭଳି ମନ୍ତବ୍ୟ କରିଥିଲେ: ଓଡ଼ିଶାର ମହାନ୍ ଲେଖକମାନଙ୍କ ବିନୋଦ ବୃତ୍ତି ଉପରେ ପାଠକଙ୍କର ଘୋର ସନ୍ଦେହ। ହସି ଦେଲେ କାଳେ ପାଠକ ଖୁସି ହୋଇଯିବେ, ଫଳରେ ତାଙ୍କର ପ୍ରେଷ୍ଟିଜ୍ ଚାଲିଯିବ, ହୁଏତ ଏଭଳି ଭୟ ତାଙ୍କୁ ହାସ୍ୟ ରଚନାରୁ ନିବୃତ୍ତ କରି ରଖିଛି।” …. ଏଇ ଲେଖକମାନଙ୍କ ପାରିବାରିକ ଜୀବନ ସୁଖମୟ ହେଉ, ଚାକିରିରେ ପ୍ରମୋସନ ମିଳିଥାଉ ଏବଂ ସେମାନେ ଅନ୍ୟୂନ ଖଣ୍ଡିଏ ହସହସ ପୁସ୍ତକ ଜରିଆରେ ପାଠକଙ୍କ ଗହଣକୁ ଆସନ୍ତୁ ବୋଲି ସମସ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଛନ୍ତି।
“ଏଇ ମନ୍ତବ୍ୟ ତଥା ପ୍ରଥମରେ ଦିଆଯାଇଥିବା ଅଗ୍ରଲେଖରୁ ସ୍ପଷ୍ଟ ହେବ ଯେ ଗୋଟିଏ ଜାତି ଭାବରେ ଆମେ ହାସ୍ୟରସ ପ୍ରତି ବିମୁଖ। ଆମର ସାହିତ୍ୟ ମଧ୍ୟ ହସରୁ ନିଜକୁ ଦୂରେଇ ରଖିଆସିଛି।
“ମଣିଷର ଭାବାନୁଭୂତିମାନଙ୍କୁ ଭରତ ମୁନି ତାଙ୍କର ନାଟ୍ୟଶାସ୍ତ୍ରରେ ଯେଉଁ ଆଠ ଶ୍ରେଣୀରେ ବିଭକ୍ତ କରିଛନ୍ତି, ହାସ୍ୟରସ ତା’ ମଧ୍ୟରୁ ଅନ୍ୟତମ। (ନବରସ ଅନ୍ତର୍ଭୁକ୍ତ ଶାନ୍ତ ରସ ଭରତଙ୍କ ତାଲିକାରେ ନଥିଲା) ଏହି ଆଠଟି ରସ ଭିତରୁ ପୁଣି ସେ ହାସ୍ୟରସକୁ ଶୃଙ୍ଗାର ରସ ସହ ଏକାଠିକରି କହିଥିଲେ, ଶୃଙ୍ଗାରାତ୍ ଜାୟତେ ହାସ୍ୟଃ। ଆମର ପ୍ରାଚୀନ ଓଡ଼ିଆ ଲେଖକମାନେ କିନ୍ତୁ ନିଜ ଲେଖାରେ ଶୃଙ୍ଖଳାକୁ ଅତି ମାତ୍ରାରେ ପ୍ରାଧାନ୍ୟ ଦେଇଥିବାବେଳେ ହାସ୍ୟକୁ କ୍ୱଚିତ ବ୍ୟବହାର କରିଛନ୍ତି।
“ଏହାର କାରଣ ବୋଧହୁଏ ଯେ ହସିବାକୁ ଆମର ଶାସ୍ତ୍ରକାରମାନେ ଏକ ଉଚ୍ଚ ଆଚରଣ ବୋଲି ଗ୍ରହଣ କରୁନଥିଲେ।”
ଜେ.ପି ଦାସ, ୬ ମେ’, ୨୦୨୩।
ଜେ.ପିଙ୍କ ଏହି ମନ୍ତବ୍ୟ କାହାରି ମନରେ ଭୁଲ୍ ଧାରଣା ନ ଜନ୍ମାଉ ଯେ ସେ ସାହିତ୍ୟକୁ କେବଳ ହାଲୁକା ଭାବେ ବିଚାର କରୁଛନ୍ତି। ଏହି ମର୍ମରେ ଗୋଟିଏ ବ୍ୟକ୍ତିଗତ ଘଟଣା ଉଲ୍ଲେଖ କରାଯାଇପାରେ।
୨୦ ଡିସେମ୍ବର ୨୦୨୩ ତାରିଖରେ ଦୁଇଟି ପଲିଥିନ ବ୍ୟାଗରେ ସେ ଅନେକ ଛୋଟବଡ଼ କାଗଜ ଖଣ୍ଡ ଭର୍ତ୍ତିକରି ମୋ’ ପାଖକୁ ପଠାଇଥିଲେ। ଏଗୁଡ଼ିକ ଥିଲା, ସେ ବହୁବର୍ଷ ଧରି ତାଙ୍କ ଲେଖାଲେଖି ସକାଶେ ସଂଗ୍ରହ କରିଥିବା ତଥ୍ୟ ସମ୍ବଳିତ କାଗଜପତ୍ର। ସେଥିରେ ପୃଷ୍ଠାମାନ ଏମିତି ଖୁନ୍ଦାଖୁନ୍ଦି ହୋଇ ରହିଥିଲା ଯେ ଆଉ ଖଣ୍ଡିଏ କାଗଜ ପୂରାଇବାକୁ ସାମାନ୍ୟତମ ଖାଲି ଜାଗା ନଥିଲା। ପୁଣି ସେଇ କାଗଜମାନଙ୍କ ମଝିମଝିରେ ସେ ନିଜ ହସ୍ତାକ୍ଷରରେ କିଛି ଟିପ୍ପଣୀ ଲେଖିଥିଲେ। ଅକ୍ଷରଗୁଡ଼ିକ ପୋକପରି ଛୋଟ ଏବଂ ବାଇଗଣ ମଞ୍ଜିପରି ସୁନ୍ଦର ତଥା ସ୍ପଷ୍ଟ। ଏହି ପ୍ୟାକେଟ୍‌ଟି ପଠାଇବା ପୂର୍ବରୁ ସେ ସୂଚାଇଥିଲେ ଯେ ଆଗ୍ରହ ଓ ଆତୁରତାର ସହ ଏକତ୍ର କରିଥିବା ଏହି କାଗଜମାନ ସେ ଆଉ ବ୍ୟବହାର କରିବା ସ୍ଥିତିରେ ନାହାନ୍ତି ଏବଂ ଏହି ଦାୟିତ୍ୱ ମୋ’ ଉପରେ ନ୍ୟସ୍ତ କରିଥିଲେ।
ବଳ ନାହିଁ କି ବୟସ
ସେଗୁଡ଼ିକ ମଧ୍ୟରୁ କେତେକ ଅନୁଧ୍ୟାନ କରିବା ପରେ ମୋ’ର ହୃଦ୍‌ବୋଧ ହେଲା ଯେ ତାହା ଅମୂଲ୍ୟ। କିନ୍ତୁ ଏହି ପରିଣତ ବୟସରେ ତାହା ମୁଁ ଉପଯୋଗ କରିବା ପାଇଁ ମୋ’ର ସାମର୍ଥ୍ୟ ଅନ୍ତର୍ହିତ ହୋଇଗଲାଣି। ମୋ’ର ଆଉ ବଳ ନାହିଁ କି ବୟସ। ତାଙ୍କ କ୍ଷୁଦ୍ରାକ୍ଷରରେ ଲିଖିତ ତାଙ୍କ ସୁଚିନ୍ତିତ ଟିପ୍ପଣୀମାନ ମୁଁ ଚଷମା ପିନ୍ଧିଲେ ମଧ୍ୟ ପଢ଼ିପାରୁନଥାଏ। ତେବେ ଏହି ଅନୁଭୂତି ମତେ ପଚାଶ ବର୍ଷ ତଳକୁ ନେଇଗଲା, ମୁଁ ଯେତେବେଳେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନରେ ଗବେଷଣାରତ ଥିବାବେଳେ ଏମିତି ପଦ୍ଧତି ଅନୁସରଣ କରୁଥିଲି। ଏହି ପୃଷ୍ଠଭୂମିରେ ମୁଁ ତାଙ୍କ ତୀବ୍ର ଅନୁସନ୍ଧିତ୍ସା ଓ ଅକ୍ଲାନ୍ତ ପରିଶ୍ରମର ପରିଚୟ ପାଇବା ସହ ଦୃଢ଼ ନିଶ୍ଚିତ ହୋଇଗଲି ଯେ ସେ ଗମ୍ଭୀରତାର ସହ ସାହିତ୍ୟ ସର୍ଜନା ସହ ସଂପୃକ୍ତ। ତେବେ ସେ ଏକାଧାରରେ ମାନସିକ ସ୍ତରରେ ଦୃଢ଼ ଓ ହାସ୍ୟରସ ଦ୍ୱାରା ପ୍ରଫୁଲ୍ଲିତ, ଯାହା ଏକ ଦୁର୍ଲଭ ସହାବସ୍ଥାନ।
ଥରେ ମୁଁ ଗୋଟିଏ ଉପନ୍ୟାସ ଲେଖିବାକୁ ମନ ବଳାଇଲି। ସେଥିର କିଛି ଅଂଶ ମୋ ଜୀବନ ସହ ସମ୍ପର୍କିତ, ଯଦିଚ ବହିଟି ମୂଳତଃ କାଳ୍ପନିକ। ଆଇପିଏସ ଚାକିରିର ଇଣ୍ଟରଭ୍ୟୁ ପରେ ମେଡିକାଲ ଟେଷ୍ଟ ହୁଏ। ଆବଶ୍ୟକତା ଉଚ୍ଚତାଠାରୁ ମୁଁ ଦୁଇ ସେଣ୍ଟିମିଟର ଛୋଟ। ତେଣୁ ମୁଁ ଏଥିପାଇଁ ଯୋଗ୍ୟ ହୋଇନଥିଲି।
ତେବେ ଜେ.ପି ଖୁବ୍ ଲମ୍ବା, ମୁଁ ତାଙ୍କୁ ଜଣାଇଥିଲି “ଆପଣ ମୋତେ ଆପଣଙ୍କ ଉଚ୍ଚତାରୁ ଦୁଇ ସେଣ୍ଟିମିଟର ଦେଇଥିଲେ ମୁଁ ଲାଭବାନ ହୋଇଥାନ୍ତି। ଆପଣ ଏତେ ଉଚ୍ଚ ଯେ ଏଇ ଦାନ ଆପଣଙ୍କ କୌଣସି କ୍ଷତି କରିପାରି ନଥାନ୍ତା।’
ମୋର ଉକ୍ତ ଉପନ୍ୟାସରେ ତାଙ୍କୁ ଗୋଟିଏ ଚରିତ୍ର କରି ଏହା ଉଲ୍ଲେଖ କରିଥିଲି- ଅବଶ୍ୟ ତାଙ୍କ ଅନୁମତି ନେଇ।
ସାହିତ୍ୟର ବିଭିନ୍ନ ବିଭାଗରେ ସେ ଥିଲେ ଜଣେ ଯଶସ୍ୱୀ ସ୍ରଷ୍ଟା। ଏହାର ସୂକ୍ଷ୍ମ ବିଚାର ପାଇଁ ୨୫ ଫେବୃଆରୀ ୧୯୭୯ରେ ପ୍ରକାଶିତ ଏକ ସାକ୍ଷାତକାରର କିୟଦଂଶ ଆଲୋଚନା ସାପେକ୍ଷ।

ପ୍ରଶ୍ନ: କବିତାରୁ ଆତ୍ମବିଶ୍ୱାସ ହରାଇବା ପରେ ଆପଣ ନାଟକ ରଚନା କରିବାକୁ ପ୍ରୟାସୀ ହୋଇଛନ୍ତି କି? ଆମ ମତରେ ଆପଣଙ୍କ ନାଟକ ଦୁଇଟି କବିତା ଅପେକ୍ଷା ଅଧିକ ସଫଳ – ଏ ସଂପର୍କରେ ଆପଣଙ୍କ ମତ କ’ଣ?
ଉତ୍ତର: ମୋ’ର ଦୁଇଟି ନାଟକ ମୋ’ର କବିତାଗୁଡ଼ିକ ଅପେକ୍ଷା ଅଧିକ ସଫଳ ମନେହେଲା ଜାଣି ଖୁସି ହେଲି। କିନ୍ତୁ ଯଦି ମୋ’ର କବିତା ନାଟକ ଅପେକ୍ଷା ଅଧିକ ସଫଳ ମନେ ହୋଇଥାନ୍ତା, ମୁଁ ଅଧିକ ଖୁସି ହୋଇଥାନ୍ତି। କାରଣ କବିତା ମୋ’ର ପ୍ରଥମ ପ୍ରେମ।
ଜେପିଙ୍କ ସକାଶେ କବିତା-ସର୍ଜନାର ପ୍ରମୁଖତା ସୁସ୍ପଷ୍ଟ। ତାଙ୍କ କବିତାର ସମ୍ଭାରରୁ ଜଣାପଡ଼େ, ଏହା ନାନା ପ୍ରକାର ଭାବନା ଓ ଉଦ୍ଦେଶ୍ୟ ଦ୍ୱାରା ସମୃଦ୍ଧ। ଏପରିକି ଏଥିରେ ବିଭାଜନ-ରେଖା ନିର୍ଦ୍ଦିଷ୍ଟ ଭାବେ ଟାଣିବାରେ ଦ୍ୱନ୍ଦ୍ୱ ନଥାଏ। ବିଷୟଟି ପ୍ରାଞ୍ଜଳ କରିବା ପାଇଁ କିଛି ଦୃଷ୍ଟାନ୍ତ ଉପସ୍ଥାପନ କରାଯାଇପାରେ।
ନନ୍‌ସେନ୍‌ସ (ନିରର୍ଥକ) କବିତା ବହି ‘ଆଳୁକୁଚି ମାଳୁକୁଚି’ରେ ଜେ.ପି ଯେଉଁ କବିତାମାନ ସ୍ଥାନିତ କରିଛନ୍ତି, ସେଗୁଡ଼ିକ ଅତି ସରଳ। ଏହାର ସଂରଚନାରେ କୌଣସି କଟକଣା, ନିଧାର୍ଯ୍ୟ ନିୟମ ନାହିଁ। ଏହାର ଦୈର୍ଘ୍ୟ ମାତ୍ର ଗୋଟିଏ ସ୍ତବକ ବା ପଦ ହୋଇପାରେ। ଦୀର୍ଘ ବର୍ଣ୍ଣନାତ୍ମକ ଅନେକ ପଙ୍‌କ୍ତି ମଧ୍ୟ ରହିପାରେ। ଅନେକ ସମୟରେ ସେଥିରେ ବ୍ୟବହୃତ ଶବ୍ଦମାନଙ୍କର କୌଣସି ଅର୍ଥ ନ ରହିବା ସମ୍ଭବ। କିନ୍ତୁ ସେମାନଙ୍କ ମିଶ୍ରିିତ ପ୍ରଭାବ ଶ୍ରୁତିମଧୁର ଓ ମଉଜିଆ ଲାଗିପାରେ। ଏହି ମୁକ୍ତ ପଦ୍ୟ ପାଠକମାନଙ୍କୁ ଆମୋଦିତ କରିଥାଏ। ଇଂରେଜି ସାହିତ୍ୟରେ ଲୁଇସ୍ କାରୋଲ୍ ଏହି ଧରଣର ରଚନା ପାଇଁ ସୁପ୍ରସିଦ୍ଧ।
ଉଡ଼ିଗଲା ଗେଣ୍ଡାଳିଆ
ଉଡ଼ିଗଲା ଗେଣ୍ଡାଳିଆ ଝାଡ଼ିଦେଲା ପର
ଭଦଭଦଳିଆ ଗଲା ଭଦ୍ରଖରୁ ସୋରୋ।
ଖେଳରେ ରେଫେରି କଲେ କଜଳପାତିକୁ
ମାଛରଙ୍କା ଝାମ୍ପ ଦେଲା ମଗର ପାଟିକୁ।
କୁମ୍ଭାଟୁଆ ଗୀତ ଗାଏ ଆକାଶ ବାଣୀରେ
ପାଣିକୁଆ ବୁଡ଼ିଗଲା ଆଣ୍ଠୁଏ ପାଣିରେ।
ଶଙ୍ଖଚିଲ ମରିଗଲା ହୋଇ ଦୁର୍ଘଟଣା
କାଠହଣା ଜଙ୍ଗଲକୁ ଆସିବାକୁ ମନା।

ହାସ୍ୟ ସୃଷ୍ଟିକାରୀ ଅନ୍ୟ ଏକ ପ୍ରକାର କବିତା ରଚିତ ହେଉଛି, ଯାହା ଲିମେରିକ ଭାବେ ଜନପ୍ରିୟ ହୋଇଛି। ଏହାର ମୁଖ୍ୟ ସନ୍ଦେଶ ହେଉଛି ଯେ କବିତା ଲଘୁ, ହାସ୍ୟପୂର୍ଣ୍ଣ, ନିରର୍ଥକ ଓ ହାଲକା-ଫୁଲକା ହୋଇପାରେ। କିନ୍ତୁ ଏଥିରେ ସନ୍ନିବେଶିତ ଧାଡ଼ିରେ ଥିବା ଧ୍ୱନି, ଶବ୍ଦ, ପଦ ବା ପାଦର ପ୍ରଭାବ ଛନ୍ଦ (ମିଟର) ବିଶିଷ୍ଟ ହେବା ଦରକାର। ଏହା ସଂଗୀତମୟ ହେବ ଏବଂ ଘୋଡ଼ାପରି ଦ୍ରୁତଗତିରେ ଧାବମାନ ହେଉଥିବା ଧାରଣା ଜନ୍ମାଇବ। ଏହାର ଧ୍ୱନିମେଳ (ରାଇମ୍‌)ର ରୂପରେଖ ହେଉଛି ଇଇଈଈଇ। ଏଥିରେ ପାଞ୍ଚଧାଡ଼ି ରହିବ, ଯେଉଁଥିରେ ୧ମ, ୨ୟ ଓ ୫ମ ଧାଡ଼ି ମଧ୍ୟରେ ଧ୍ୱନିମେଳ ରହିବ ଏବଂ ଏହି ଦୁଇଟି ଧାଡ଼ି ଅନ୍ୟ ଧାଡ଼ିମାନଙ୍କଠାରୁ ଛୋଟ ହେବ। ଏହାର ପଞ୍ଚମ ଧାଡ଼ିର ମର୍ଯ୍ୟାଦା ସ୍ୱତନ୍ତ୍ର, କାରଣ ଏହା ଲୋକଙ୍କୁ ଖୁବ୍ ହସାଏ ଏବଂ ଚିନ୍ତା କରିବାକୁ ପ୍ରେରିତ କରେ। ସାରା କବିତାର ମଣି ହେଉଛି ଏହି ଶେଷ ଧାଡ଼ିଟି। ଊନବିଂଶ ଶତାବ୍ଦୀରେ ସାହିତ୍ୟିକ ଏଡୱାର୍ଡ ଲିଅର୍ କବିତା ଭାବନାତ୍ମକ କିମ୍ବା ଗମ୍ଭୀର ହେବାକୁ ବାଧ୍ୟ ନୁହେଁ ବୋଲି ପ୍ରଚାର କରିବାରେ ସଫଳ ହୋଇଥିଲେ।
ଜେ.ପିଙ୍କ ଦେହାନ୍ତ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ‘କାନ୍ଦ ମାଷ୍ଟ୍ରେ’ ନାମକ ଜନପ୍ରିୟ ଓଡ଼ିଆ ନାଟକର ନାଟ୍ୟକାର ଜାକିର ଖାନ୍ କେତୋଟି ଲିମେରିକ୍ ଉତ୍ସର୍ଗ କରିଥିଲେ। ତନ୍ମଧ୍ୟରେ ଥିଲା:
“ଦିନେ ହାତୀଟିଏ ପିନ୍ଧିକରି ଗୋଟେ ଧଳା ଲୁଙ୍ଗି
କହିଲା, ବାହାରିଲି ମୁଁ ଦେଖି ଆସିବାକୁ ଟୁଙ୍ଗି
ଛନ୍ଦି ହେଲା ଖାଲି ସିଏ ବାଟରେ
ଚାଲି ପାରିଲାନି ଜମା ଥାଟରେ
ଯେଣୁ ପିଲେ ପଛେ ତା’ର ବଜାଇ ଉଠିଲେ ପୁଙ୍ଗି।”

ଶୋକକୁ ବାରଣ
ଜେ.ପିଙ୍କ ଦଶାହ ଦିନ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିବା ବସନ୍ତ ବେହେରା ସ୍ମୃତିଚାରଣ ଅବସରରେ ଜଣାଇଛନ୍ତି ଯେ ସେ (ଜେ.ପି) ସବୁବେଳେ କହୁଥିଲେ, ପାରିବ ତ ଶିଶୁ/କିଶୋରମାନଙ୍କ ପାଇଁ ହାସ୍ୟରସାତ୍ମକ କବିତା ଲେଖ। ସେ ତ କୌଣସି ପ୍ରକାର ଶୋକ ବ୍ୟକ୍ତ କରିବାକୁ ବାରଣ କରିଛନ୍ତି। ନିମ୍ନ ଲିମେରିକ୍ ମାଧ୍ୟମରେ ସେ ସ୍ମୃତିଚାରଣ କରିଛନ୍ତି:
“କାଳଷଣ୍ଢପୁରର ବାଳକୃଷ୍ଣ ଭାଇନା
ଦିନକୁ ଦୁଇଶ ଥର ଦେଖୁଥାନ୍ତି ଆଇନା
ଆଖି ଦୁଇଟା କଣା
ଭାଇନା ମନ ଊଣା
ଚଷମା ପିନ୍ଧନ୍ତି କିନ୍ତୁ ‘ମେଡ୍ ଇନ୍ ଚାଇନା!”

ଜେ.ପିଙ୍କ ବୈଶିଷ୍ଟ୍ୟ ସହ ପରିଚିତ ହେବାକୁ ସାହିତ୍ୟ, ଚିତ୍ର, ନାଟକ, ଗବେଷଣା, ଅନୁବାଦ, ସଂଗଠନ ଓ ପ୍ରଶାସନ କ୍ଷେତ୍ରରେ ତାଙ୍କ କାର୍ଯ୍ୟକଳାପକୁ ଅନୁଧ୍ୟାନ କରିବା ଆବଶ୍ୟକ। ଜଣେ ସମାଲୋଚକଙ୍କ ଭାଷାରେ ତାଙ୍କର ‘ବହୁମୁଖୀ କାର୍ଯ୍ୟଧାରା ଭିତରେ ଦେଖିବାକୁ ମିଳେ ପଦ୍ମପତ୍ରରେ ପାଣିଟୋପାପରି ଅନାସକ୍ତ ଆସକ୍ତି।’ ସଂସାରରୁ ଚିର ବିଦାୟ ନେବା ଅବସରରେ ତାଙ୍କୁ କିଏ କିପରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବ, ଏହା ଏକ ବ୍ୟକ୍ତିଗତ ବ୍ୟାପାର। ନିଜ ଢଙ୍ଗରେ ଜଣେ ତାଙ୍କର ସହଜାତ ଗୁଣମାନଙ୍କ ମଧ୍ୟରୁ ଏକ ବା ଏକାଧିକ ପ୍ରକୃତିକୁ ନିର୍ବାଚନ କରିପାରେ।
ତେବେ ଜାକିର ଖାନଙ୍କ ପରି ଜଣେ ପୋଖତ ଓ ବସନ୍ତ ବେହେରାଙ୍କ ପରି ଜଣେ ଉଦୀୟମାନ କବି ତାଙ୍କ ନନ୍‌ସେନ୍‌ସ କବିତାକୁ କେନ୍ଦ୍ରକରି ଲିମେରିକ୍ ମାଧ୍ୟମରେ ଯେଉଁ ପ୍ରକାରେ ଆନ୍ତରିକ ଶ୍ରଦ୍ଧା ନିବେଦନ କରିଛନ୍ତି, ତାହା ତାତ୍ପର୍ଯ୍ୟପୂର୍ଣ୍ଣ। ‘ଶ୍ରୀ ହରିବୋଲ’ ପତ୍ରିକାର ସଂପାଦକ ରାଧୁ ମିଶ୍ରେ ହାସ୍ୟସ୍ରଷ୍ଟାଙ୍କ ବିଷୟରେ ଯେଉଁ କ୍ଷୋଭ ପ୍ରକଟ କରିଥିଲେ, ତାହା ଏଥି ଦ୍ୱାରା କିଛି ପରିମାଣରେ ଖାରଜ ହୋଇଯାଇଛି। ମିଶ୍ରେ ଉଦ୍‌ବିଗ୍ନ ହୋଇଥିଲେ ଯେ ହସକଥାକୁ ଜଣେ ଲେଖକ ତା’ ଲେଖନୀ ପାଇଁ ଆବୋରି ନେଲେ, ଲୋକଙ୍କ ଆଖିରେ ତାର (ପ୍ରେଷ୍ଟିଜ୍‌) ମର୍ଯ୍ୟାଦା ହାନି ହେବା ସଂକଟ ଦେଖାଦିଏ। କିନ୍ତୁ ଜେପିଙ୍କୁ ଏହି ହାସ୍ୟ ସାହିତ୍ୟ ମହିମା-ମଣ୍ଡିତ କରିଛି। ସାହିତ୍ୟ ଜଗତର ଏକ ଅନୁର୍ବର ଟାଙ୍ଗରା ଭୂମିରେ ଏହା ଏକ ବିଶାଳ ସବୁଜ ବୃକ୍ଷର ଉପସ୍ଥିତି ଜାହିର କରିଛି। ହୁଏତ ଏହା ପଛରେ ଜେପିଙ୍କ ଦୁଃସାହସିକତା ରହିଛି ବୋଲି କେହିକେହି ମତ ଦେଇପାରନ୍ତି।
ହସ ହୋଇଛି ବିରଳ
ଫତୁରାନନ୍ଦ-ଶତବାର୍ଷିକୀ ଉତ୍ସବରେ ପ୍ରଧାନ ଅତିଥି ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, “ଆଜିକାଲି ହସିବା ବିରଳ ହୋଇଯାଇଛି। ଖୁବ୍ କମ୍ ଲୋକଙ୍କୁ ହସିବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ରାଜନେତାଙ୍କଠାରୁ ଆରମ୍ଭକରି ସାହିତ୍ୟିକ ଓ ବୁଦ୍ଧିଜୀବୀ ଗୋଷ୍ଠୀ ସାମାନ୍ୟ ବ୍ୟଙ୍ଗ ସହିବା ଅବସ୍ଥାରେ ନାହାନ୍ତି। ଅତି ସାମାନ୍ୟ ବିଦ୍ରୂପ ପ୍ରକାଶ ପାଇଲେ ସେମାନେ ଯୁଦ୍ଧ କରିବା ପରିସ୍ଥିତି ସୃଷ୍ଟି କରିଦିଅନ୍ତି।” (ସମ୍ବାଦ, ୩ ମାର୍ଚ୍ଚ ୨୦୧୫)
ଏହି ଖବରଟି ଉପରେ ଜେ.ପି ମନ୍ତବ୍ୟ ଦେଇଥିଲେ ଯେ ଆମ ସାହିତ୍ୟରେ ଅବସ୍ଥା ମଧ୍ୟ ଏକାଭଳି। ଅତୀତରେ ରଚିତ ଆମ ସାହିତ୍ୟର ଗୋଟିଏ ବଡ଼ଭାଗ ‘ଛାତି ପିଟିବାରେ, ଝୁରିବାରେ, ସକେଇବାରେ, ବାହୁନିବାରେ ତଥା କାନ୍ଦବୋବାଳିରେ’ ପରି ଘଟଣାର ବର୍ଣ୍ଣନା ଦ୍ୱାରା ଆଚ୍ଛାଦିତ ହୋଇଛି। ତେଣୁ ସେ ବ୍ୟଙ୍ଗକରି କହିଥିବା ମତ ଦେଇଥିଲେ, ମୋ’ର ଭୟ ହେଉଛି ହୁଏତ କେତେବେଳେ ଏୟାରପୋର୍ଟ ଓ ଷ୍ଟେସନରୁ ବାହାରିବା ବେଳେ ଆଖିରେ ସାଇନବୋର୍ଡ ପଡ଼ିବ: ‘ଆପଣ ବର୍ତ୍ତମାନ ଓଡ଼ିଶାରେ: ଏଠାରେ ହସିବା ମନା।’ (ବିଶ୍ୱ ହାସ୍ୟ ଦିବସ ଉପଲକ୍ଷେ, ୭ ମଇ, ୨୦୨୩)। ଅତୀତରେ ଯେତେବେଳେ ‘ଜେମାଦେଇ କାନ୍ଦ’ ସାଧାରଣଙ୍କ ମଧ୍ୟରେ ପ୍ରିୟ ହୋଇଥିଲା, ସେତେବେଳେ ‘ଜେମାଦେଇ ହସ’ ପୁସ୍ତକ ରଚିତ ହୋଇ ପ୍ରସାରଣ କରାଯାଇଥିଲେ ଆମ ସାହିତ୍ୟିକ ବାତାବରଣ ଏବଂ ଭିନ୍ନ ଓ ଅଧିକ ସଂପୂର୍ଣ୍ଣ ଓ ସଂପନ୍ନ ହୋଇପାରିଥାନ୍ତା ବୋଲି ଜେପିଙ୍କ ମତ।
ପ୍ରସଙ୍ଗକ୍ରମେ ନିମ୍ନ ବୃତ୍ତାନ୍ତଟି ବିଚାର କରାଯାଇପାରେ: “ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ନେତୃତ୍ୱରେ ପ୍ରକାଶିତ ‘ବର୍ଣ୍ଣମାଳା’ ବହି ଦେବାକୁ ମୁଁ ଓ ପ୍ରସିଦ୍ଧ ଅନୁବାଦକ ତଥା କବି ରବୀନ୍ଦ୍ର କୁମାର ସ୍ୱାଇଁ ତାଙ୍କ (ଜେ.ପି) ସୂର୍ଯ୍ୟନଗର ଘରକୁ ଯାଇଥିଲୁ। ଆମକୁ ଫଟୋ ଉଠାଇବାକୁ ବାରଣକରି ସେ ବହି ରଖି ବହୁତ ଗପିଲେ।” (ସୂର୍ଯ୍ୟ ମିଶ୍ର, ଫେସ୍‌ବୁକ୍‌, ୬ ଜୁନ୍‌, ୨୦୨୬)
ଏହି ପରିପ୍ରେକ୍ଷୀରେ ପ୍ରାୟ ଛଅ ମାସ ପୂର୍ବେ ଅଚାନକ ଜେ.ପିଙ୍କ ଦାଢ଼ି ଥିବା ମଜାଳିଆ ଫଟୋଟିଏ ମୋ’ ହ୍ୱାଟସଆପ୍ ପରଦାରେ ଆବିର୍ଭାବ ହେବା ମୋ’ ପାଇଁ ଏକ ଆମୋଦଦାୟକ ଚମତ୍କାର ଥିଲା। ଏହାକୁ କେନ୍ଦ୍ରକରି କିଛି ଲେଖିବା ପାଇଁ ତତ୍କାଳ ମୋ’ ମନ ଡାକିଲା। କିଛି ମାସ ପରେ ମୋ’ ଭାବନା ବାସ୍ତବ ରୂପ ନେଲା। ସେଇ ଅବସରରେ ଲେଖନୀ ଚାଳନା କରିବା ଉଦ୍ଦେଶ୍ୟରେ ଫଟୋଟି ଡାଉନଲୋଡ୍ କରିବାକୁ ମନ ବଳାଇଲି। କିନ୍ତୁ ତାହା ଗୋଟିଏ ଆୟତାକାର କ୍ଷେତ୍ର ହୋଇ ପୂରା କଳା ପଡିଯାଇଥିବା ଘଟଣା ମତେ ଅତିଶୟ ନିରାଶ କଲା। ସେହି ଆପ୍‌ରୁ ସନ୍ଦେଶ ପାଇଲି ଯେ ତାହା ଡାଉନଲୋଡ୍ ହୋଇପାରୁନି। ପୁଣିଥରେ ପୋଷ୍ଟ କରିବାକୁ ମତେ ପରାମର୍ଶ ଦିଆଯାଇଥିଲା। ଅବଶ୍ୟ ମୁଁ ଏହା ମାନିଥାନ୍ତି। କିନ୍ତୁ ମୋ’ ତରଫରୁ ବିଳମ୍ବ ହୋଇସାରିଥିଲା। ମୁଁ ମନକୁମନ ବୁଝାଇଲି, ଫଟୋଟି ବିଜୁଳି ପରି କ୍ଷଣପ୍ରଭା ହୋଇନଥାନ୍ତା କି!
ଯିଏ ଗୋଟିଏ କାହିଁକି ଅଗଣିତ ଛବି ଯୋଗାଇ ପାରିଥାନ୍ତେ, ସିଏ ମୋ’ ଅନୁରୋଧ ଶୁଣିବାକୁ ଆଉ ଇହଧାମରେ ନାହାନ୍ତି। ସେତେବେଳେ ମୋ’ କାନରେ ଅନୁରଣିତ ହେଲା:
ହମ ଢୁଁଡ୍‌ତେ ହୈଁ ଉନ୍‌କୋ,
ଜୋ ମିଲ୍‌କେ ନହିଁ ମିଲତେ।
ଦିଲ୍‌ନେ ଜିସେ ପାୟା ଥା,
ଆଖୋଁନେ ଗଁବାୟା ହୈ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ, ୨୦୨୬ ସଂଖ୍ୟାରେ ପ୍ରକାଶିତ।)

Leave a Reply

Your email address will not be published. Required fields are marked *