ବାପା

ବାପାକୁ ବୁଝିବାକୁ ବୟସ ବି ହୁଏ ନାହିଁ ଲୋଡ଼ା।

ଉମାକାନ୍ତ ମହାପାତ୍ର

ବାପା ଗୋଟେ ଶବ୍ଦନୁହେଁ
ମୁଠାଏ ସ୍ୱପ୍ନର ଆକାଶ,
ବାପା ଗୋଟେ ବସ୍ତୁ କିବା
ବ୍ୟକ୍ତିଟିଏ ନୁହଁ
ଜୀବନର ଅଚିହ୍ନା ସୁବାସ।

ବାପାକୁ ବୁଝିବାକୁ ବୟସ ବି
ହୁଏ ନାହିଁ ଲୋଡ଼ା,
ଗପ କି କବିତା ଅବା ପ୍ରବନ୍ଧର
ଧାଡ଼ିପରି ଲେଖାଟିଏ ନୁହେଁ ସିଏ
ଖୁବ ଅସଜଡ଼ା,
ସମ୍ବଳ ସମ୍ପତ୍ତି ଯେତେ ଥାଉ ଆମ
ଅତୀତର ବାସ୍ନା ଆଉ ଅତରରେ
ଭିଜା ତାର କମିଜରେ
ବର୍ତ୍ତମାନ ବଳିପଡ଼େ,
ଖେଳ କୁଦ ଗମାତର ସିଏ ଏକ
ସୁଦୀର୍ଘ ଖସଡ଼ା।

ବାପା ଗୋଟେ ପ୍ରଶ୍ନ କିବା ଉତ୍ତରର
ଧାଡ଼ିଟିଏ ନୁହଁ କା’ର
ତେଲ ଲୁଣ ସଂସାରର ସ୍ରୋତସ୍ୱିନୀ
ସୁନାବ୍ୟା ନଦୀର ଧାରା
ସହଜ ଓ ସରଳ
ହସି ହସି ସବୁବେଳେ ପିଉଥାଏ
ଆନନ୍ଦେ ଗରଳ,
ନିଜେ ଇଁ ତ ନିଜର ଗୁମର
ଖୋଜିଲେ ଖୋଲିଲେ ତା’ର
ମିଳେନାଇଁ ସମାଧାନ ସୂତ୍ର,
ଭବିଷ୍ୟରେ ନଥାଏ ନଜର।

ରେଳର ଧାରଣାପରି ବାପା
ପିଚ୍ଛିଳ ଓ ଟାଣ
ଜୀବନର ସବୁଜ ଧୂସର ଗୋଟେ
ପରିକ୍ରମା ସିଏ ପୁନର୍ନବା
ପାପ ଓ ଅପାପ ସିଏ
ପବିତ୍ର ପାର୍ବଣ,
ଛାତିର ଛ’ମାଣ ପରି
ମସୃଣ ଚଟାଣ ବାପା
ଆମ ଛାତଟିଏ ସୁନାର ଛପର,
ବାପା ଗୋଟେ ପ୍ରଶ୍ନ ନୁହଁ
ସୁଦୀର୍ଘ ଉତ୍ତର
ବାପା ବ୍ୟାପ୍ତି ନୁହଁ ବ୍ୟକ୍ତି ନୁହଁ
ବୈୟକ୍ତିକ ଜୀବନର
ପୁଣ୍ୟ ପରିତ୍ରାଣ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ବାପା

  1. ବାପା – ଏପରି ଏକ ଶବ୍ଦ, ଥିଲେ ମୂଲ୍ୟ ବୁଝିହୁଏନା ଆଉ ଦୂରକୁ ଚାଲିଗଲେ ଫେରି ପାଇହୁଏନା। ବାପା ଥିଲେ ଘରର ସବୁ ଖୁସି ବଳବତ୍ତର ରହିଥାଏ ଆଉ ବାପା ଚାଲିଗଲେ ସବୁ ଖୁସି ଚାଲିଯାଏ। ବାପା କବିତାଟି ମନକୁ ଛୁଇଁଲା।

Leave a Reply

Your email address will not be published. Required fields are marked *