ଆମ ଓଡ଼ିଆ ଭାଷା ଆଉ ଅକ୍ଷତ ହୋଇ ନାହିଁ।

ଆଜ୍ଞାମାନେ! ଶୀର୍ଷକକୁ ଦେଖି ଆପଣ ମୁହଁ ବୁଲେଇ ନେବେନି। ଏମିତି କିଛି କରିବାକୁ ହୁଦାସ ମନ କହିଲା। ସଂପାଦକ ଆଜ୍ଞା ବଦଳାଇବାକୁ କହିଥିଲେ ପହିଲେ। ଏ ଅଧମ କିନ୍ତୁ ଏମିତି ରହସ୍ୟରେ ରଖିଦେଲା। ଏ ‘ହସନ୍ତ’ ବିଷୟରେ କହିବାକୁ କେବଳ ଅଭିଧାନ ଛଡ଼ା ମୋ’ ପାଖରେ କିଛି ବିଧାନ ନାହିଁ। ଏମିତି ଶବ୍ଦର ବିଭୂତିଯୋଗ ଆଉ ଏକ ଶବ୍ଦର ପ୍ରୟୋଗରେ ହୁଏନି କି? ଦେଖନ୍ତୁ, ମୁଁ ଯଦି କହିବି ‘ଘା’ଟି ବାତିଗଲା’, ଆପଣ ନାକ ଟେକିବେ। ଯଦି କହିବି ‘କ୍ଷତଟି ବିସର୍ପିଗଲା’, ତେବେ ଆପଣ କୃଷ୍ଣ କୃଷ୍ଣ କହି ବ୍ୟାଧିକୁ ଆଦର କରିବେ। ମୁଁ ଯଦି କହିବି, ‘ସେ ହଗି ମୂତି ମଲେ’, ଆପଣ ‘ଛ୍ୟାଃ’ କହି ପଳେଇବେ କକରଛନିଆ। ଯଦି କହେ, ‘ମୂତ୍ର ପୁରୀଷୋତ୍ସର୍ଗ କରି ଇହଧାମ ପରିତ୍ୟାଗ କଲେ’, ସେତେବେଳେ ଆତ୍ମାର ଶାନ୍ତି ପାଇଁ କାମନା କରିବେ ନା ନାଇଁ? ଏଣୁ, ‘ହସନ୍ତ’ ଭଳି ଶବ୍ଦଟିଏ ଦେବାର ଅଭିପ୍ରାୟ ଏହିକି ଯେ, ‘ହଳନ୍ତ’ ଶବ୍ଦ ଶୁଣି ଶୁଣି ଆପଣଙ୍କୁ ବିଜାରିଆ ଲାଗିବଣି। ‘ହସନ୍ତ’ ଓ ‘ହଳନ୍ତ’ – ଦୁଇଟି ଶବ୍ଦର ଅର୍ଥ ଏକ। ଏ ପରା ‘ସାହିତ୍ୟ ଚର୍ଚ୍ଚା’। ଅତଏବ ନୂଆଟେ ନ ହେଲେ ବି ଅପ୍ରଚଳିତଟିକୁ ଉଖରାଯାଉ। ଭଣ୍ଡାର ଉଛୁଳୁ। ନାଁ କ’ଣ କହୁଛନ୍ତି କହୁନାହାନ୍ତି?
‘ହଳନ୍ତ’ ଏକ ଚିହ୍ନ ବା ପ୍ରତୀକ। ଏହାର ମଞ୍ଜ (ଧାତୁ) ହେଉଛି ‘ହଳ୍’। ‘ହଳ୍’ର ଅର୍ଥ ଆପଣମାନେ ଜାଣିଥିବେ। ମାଟିକୁ ଆକର୍ଷଣ କରିବା ବା ମାଟିରେ ଗାର ପକାଇବା ହେଉଛି ‘ହଳ୍’। ଏଣୁ ଓଡ଼ିଆବର୍ଣ୍ଣ କଥା ବିଚାରିଲେ ‘ସ୍ୱରହୀନ ବ୍ୟଞ୍ଜନବର୍ଣ୍ଣ’ ବା ‘ଶୁଦ୍ଧ ବ୍ୟଞ୍ଜନବର୍ଣ୍ଣ’କୁ ଚିହ୍ନେଇବା ପାଇଁ ବ୍ୟଞ୍ଜନବର୍ଣ୍ଣ ତଳେ ( ୍ ) ହଳନ୍ତ ଚିହ୍ନ ଦିଆଯାଏ। କଥାଟା ଟିକେ ଫରଚା କରିଦେଉଚି। ଥୟ ଧରନ୍ତୁ।
ଅକ୍ଷର ବ୍ରହ୍ମ
‘କ’ ଏକ ବ୍ୟଞ୍ଜନବର୍ଣ୍ଣ। ଏହା ଗୋଟିଏ ଶୁଦ୍ଧ ବ୍ୟଞ୍ଜନବର୍ଣ୍ଣ ଓ ଗୋଟିଏ ସ୍ୱରବର୍ଣ୍ଣର ସମଷ୍ଟି। ଯେମିତି (କ୍+ଅ), ‘କ୍’ ହେଉଛି ‘କ’ର ମୌଳରୂପ। ବୁଝିଲେ ନା? ଆମେ କେଡ଼େ ଭାଗ୍ୟବାନ କହୁନାହାନ୍ତି ! ଆମର ବର୍ଣ୍ଣ ୪୯, ୫୦, ୫୨, ୫୪ ବା ଆହୁରି ମଧ୍ୟ ବଢ଼ିପାରେ। ଆମ ଜଗାଠାକୁର ଯେମିତି ଅସୀମ (ଇନ୍ଫିନାଇଟ୍), ସେମିତି ଆମର ବର୍ଣ୍ଣ ଅସୀମ ହୋଇଥାଇପାରେ। ଲୋକେ ଯେତେ ହସନ୍ତୁ, ଆମେ ଗର୍ବକରିବା ଯେ, ଆମର ‘ଅକ୍ଷର ହେଉଛି ବ୍ରହ୍ମ’, ଆମର ‘ଶବ୍ଦ’ ହେଉଛି ବ୍ରହ୍ମ। ଅକ୍ଷରବ୍ରହ୍ମର ଗ୍ରନ୍ଥ ହେଉଛି ‘ଓଡ଼ିଆ ଭାଗବତ’, ଶବ୍ଦବ୍ରହ୍ମର ଗ୍ରନ୍ଥ ହେଉଛି ‘ଏକାକ୍ଷର’, ‘ଅଣାକ୍ଷର’, ‘ଓଁ’ ଓ ‘ଅୁøଁ’। ଛାଡ଼ନ୍ତୁ, ଏତେ ଗହୀରକୁ ହଳ ମଡ଼ାଇବା ନାହିଁ। ପାଠକୁ ଆସିବା।
ଭାଇମାନେ! ରାଗିବେନି। ଆଉ ଗୋଟିଏ କଥା ମୁଁ ଆପଣମାନଙ୍କୁ ଖାଲି ମନେ ପକାଇଦେବି ବା ଆପଣଙ୍କୁ ପୁଣିଥରେ ଜଣାଇ ବିରକ୍ତ କରିବି। ଦୟାକରି ଆପଣମାନେ ମୋତେ କିଛିକ୍ଷଣ ସହିବେ। କେତେ ସହିଛନ୍ତି – ସହନ୍ତୁ ଆଉଥରେ। ଇଂରାଜୀରେ ଯେଉଁ ୨୬ଟି ଅକ୍ଷର ଅଛି – ଏଥିମଧ୍ୟରୁ ସବୁ ବ୍ୟଞ୍ଜନବର୍ଣ୍ଣ ବା କନ୍ସୋନାଣ୍ଟ ହେଉଛନ୍ତି ‘ଧ୍ୱନି’। ଆମେ ଯେମିତି ‘କ’ ଲେଖିଲେ ‘କ୍’ (ବ୍ୟଞ୍ଜନ ଧ୍ୱନି) ସହ ‘ଅ’ ସ୍ୱରବର୍ଣ୍ଣକୁ ଯୋଡୁଛେ, ସେମିତି ଇଂରାଜୀରେ ‘କେ’ ଲେଖିବାବେଳେ ଯୋଡୁନାହୁଁ। ଏଣୁ ଏହା ଏକ ଧ୍ୱନି ‘କ୍’। ଯଦି ଇଂରାଜୀରେ ‘କ’ କହିବାବେଳେ ‘କେ’ ସହ ‘ଏ’ ଯୋଡ଼ିବାକୁ ବାଧ୍ୟ, ଏଣୁ ଆମର ବତା ହୋଇଅଛି ତହିଁରେ ଯୋଡ଼ିବା କଷ୍ଟର ଦ୍ୱିରୁକ୍ତି ନାହିଁ। ଉଚ୍ଚାରଣ ମଧ୍ୟ ଆରାମରେ ଆମେ ବସାଇ ବସାଇ କରିପାରିବା, ‘ବ’କୁ ‘ବ୍’ କହିବା ନାହିଁ। ଏତିକିମାତ୍ର ସୂଚେଇ ଆପଣମାନଙ୍କୁ ମୁଁ ପିଣ୍ଡି ଉପରକୁ ନେଇଯାଉଛି।
ଅଙ୍ଗେନିଭା କଥା:
ଗୋଟିଏ ସଭାକୁ ଯାଇଥାଏ। ମୁଖ୍ୟ ଅତିଥି ଜଣେ ନେତୃସ୍ଥାନୀୟ ବ୍ୟକ୍ତି। ସେ ସବୁକଥାକୁ ସୁଶ୍ରାବ୍ୟ କରିବାକୁ ‘ହଳନ୍ତିଆ’ କରିଦେଉଥାଆନ୍ତି। ଯେମିତି: ଆପଣମାନେ ସ୍ୱୀକାର୍ କରିବେ ଯେ, ଭାରତବର୍ଷ୍ ଏବେ ଅର୍ଥନୀତିକ୍ ଉନ୍ନତି ଆଡ଼କୁ ଅଗ୍ରସର୍ ହେଉଛି।
ସମସ୍ତେ ତାଳି ଠୋକିଦେଇଗଲେ। ମୁଁ ବିଚରା ପାଠ ଭୁଲିଗଲି। ଆଉ ଗୋଟିଏ ବିଦ୍ୟାଳୟରେ ଅତିଥି ଶିଶୁମାନଙ୍କୁ କହୁଥାଆନ୍ତି – ‘ପିଲାମାନେ! ଲଘୁଶଙ୍କା ପରେ ସାମୂହିକ୍ ଜଲ୍ପାନ୍ ଅଛି।’ ଅତିଥି ଜଳପାନ ଉପରେ ଏତେ ଗୁରୁତ୍ୱ ଦେଲେ ଯେ, ଗୋଟିଏ ଘଟଣା ତତ୍କ୍ଷଣାତ ଆଖିଆଗରେ ଘଟିଗଲା। ସେ ଜଣେ ପରିଚାରିକାକୁ ପଚାରୁଥାନ୍ତି, ‘ଜଲ୍ପାନ୍ ଆଣିବେ ତ?’ ତତ୍କ୍ଷଣାତ ପରିଚାରିକାଟି ‘ଦର୍ପଣ’ଟିଏ ଆଣି ଅତିଥିଙ୍କୁ ଧରାଇଦେଲେ। ଅତିଥି ରାଗି ଖୁମାର୍। ବିଚାରୀ ଅଯଥାରେ ସାମୂହିକ ଗାଳି ଖାଇଲା।

ମଥାରେ ଚନ୍ଦନ୍
ଅତିଥି ପୁଣି କହୁଥାନ୍ତି: ଅଭିଭାବକ୍ମାନେ! ପରୀକ୍ଷାକୁ ଆସିବା ବେଳକୁ ପିଲାମାନଙ୍କ ମଥାରେ ‘ଚନ୍ଦନ୍’ ଦେଉଛନ୍ତି ତ?
ଅଭିଭାବକ ଜଣେ ଠିଆହୋଇ ପଚାରିଲେ: ଆଜ୍ଞା! ପିଲାମାନେ ଦଶମରେ ପଢ଼ିଲେଣି। ତାଙ୍କ ମଥାରେ ‘ଚୁମ୍ବନ୍’ ଦେବାର କ’ଣ ଆବଶ୍ୟକତା ଅଛି? ସଭାରେ ହାସ୍ୟରୋଳ ହେଲା। ବିଚରା ଅଭିଭାବକଟି କି ଭୁଲ୍ କରିଛି ବୋଲି ମୁଣ୍ଡ କୁଣ୍ଡେଇ ହେଉଥିଲା। କି କଥା କହିଲେ? ଭୁଲକୁ ଭୁଲ୍ କହିଲେ ଚଳିବ। ଠିକକୁ ଠିକ୍ କହିଲେ ଚଳିବ। ଚଳେଇତ ଦେଲୁଣି – ଛାଡ଼ନ୍ତୁ। ‘ଜଳପାନ’ ଭଳି ଶବ୍ଦକୁ ‘ଜଲ୍ପାନ୍’ କହିଦେଲେ ‘ଦର୍ପଣ’ ମିଳିବାରେ ତ୍ରୁଟି କ’ଣ ଅଛି। ‘ଚନ୍ଦନ’ ଭଳି ଶବ୍ଦକୁ ‘ଚନ୍ଦନ୍’ କରିଦେଲେ ସେଥିରୁ ବାସ ବାହାରିବ ତ?
ଏଣେ ତ ଆମ ଓଡ଼ିଆ ଆଉ ଅକ୍ଷତ ହୋଇନାହିଁ। ‘ବର୍ଣ୍ଣ’ମାନ କ୍ଷର ହୁଏ ନାହିଁ ବୋଲି ‘ଅକ୍ଷର’। ତାକୁ କ୍ଷତାକ୍ତ କରି ଆମେ ‘ଢେର୍ ସାରା’, ‘ଫିର୍ସେ’, ‘ଥୋଡ଼ିନା’, ‘ବହୁତ୍ସାରା’ ଚଳେଇ ଦେଲୁଣି। ପୁଣି ଆମ ଓଡ଼ିଆକୁ ଖୋଦ୍ ଦାମୀନାମୀମାନେ ଯଦି ଏମିତି ଦେଢ଼ଗୋଡ଼ିଆ କରିବେ, ତା’ହେଲେ କ’ଣ କରିବା କୁହନ୍ତୁ ତ?
ଆମେ ଭାଗ୍ୟବାନ ଯେ, ଆମର ‘ଳ’ ଅଛି ‘ଲ’ ଅଛି। ‘ଣ’ ଅଛି ‘ନ’ ଅଛି। ଏଠି ‘ଚାଳ’ ଚାଲ ନୁହେଁ। ‘କାଳ’ ‘କାଲ୍’ ନୁହେଁ। ‘ଶୁଣ’ ‘ଶୁନ’ ନୁହେଁ। ଆମେ ବହୁ କାମିକା – ବହୁ ଦାମିକା। ଇଂରାଜୀ ବର୍ଣ୍ଣର ‘ଆଲଫାବେଟ୍’ ଆମର ପରିପୂର୍ଣ୍ଣ ବର୍ଣ୍ଣ। ତାଙ୍କର ‘ସିଲାବଲ୍’ ହେବା ପାଇଁ ଆଣ୍ଠେଇବାକୁ ପଡ଼ିବ। ନହେଲେ ‘ଖ୍’ ‘ଖ’ ହେବନାହିଁ କି ‘ଗ୍’ ‘ଗ’ ହେବନାହିଁ। ପୁଣି ବିଚିତ୍ର ଯେ, ଯୋଗ ପ୍ରଣାଳୀ। କେତେବେଳେ ଇଂରାଜୀରେ ‘ୟୁ’ ‘ଉ’ ପରି ଉଚ୍ଚାରିତ ତ କେତେବେଳେ ‘ଅ’ ପରି, କେତେବେଳେ ‘ଏ’ ‘ଆ’ ପରି ଉଚ୍ଚାରିତ ତ କେତେବେଳେ ‘ଅ’ ପରି। ଅତି କଦର୍ଯ୍ୟ ଏ ସନ୍ଧି। ବିଷମ ସନ୍ଧି, ଆମର ତ ତୋଫାଜହ୍ନ ପରି ସଫା। ଝରଣାର ସଫାଜଳ ନଈପାଣି ଗୋଳିଆ। ଆମର ଝରଣା ତାଙ୍କର ନଈ। ତା’ହେଲେ ‘ହଳନ୍ତ’କୁ ଧରି ହଳ ବୁଲାଇବା କାହିଁକି? ହଳ ବୁଲିବା କାହିଁକି?
ଏପରି ଭାଷଣରେ ‘ଭାଷା’ କାହିଁ? ଭାଷାଯୋଗ୍ୟ ହେବାକୁ ହେଲେ ନିରର୍ଥକ ଧ୍ୱନି ବା ବର୍ଣ୍ଣଗୁଡ଼ିକୁ ପଦ୍ଧତିବଦ୍ଧ କରି ମିଶାଇବାକୁ ପଡ଼େ। ଖାଣ୍ଟି ସୁନାରେ ଗହଣା ଗଢ଼ାଯାଇପାରେ। ବର୍ଣ୍ଣ ବା ଧ୍ୱନିର ଅର୍ଥ ପ୍ରକାଶଧର୍ମୀ ଶୃଙ୍ଖଳିତ ସଜାସଜିରେ ସାର୍ଥକ ମିଶ୍ରଣ ହୁଏ। ତା’ହେଲେ ଏହା ଭାଷା ବୋଲାଇବ। ନଚେତ୍ ନିରର୍ଥକ ପ୍ରୟାସରେ ବର୍ଣ୍ଣ ତା’ର ଯୋଗ୍ୟତା ହରାଇ ଶ୍ରୋତାକୁ ବିଭ୍ରାନ୍ତ କରାଇବ। ଜଲ୍ପାନ ସ୍ଥାନରେ ‘ଦର୍ପଣ’ ପହଞ୍ôଚବ। ‘ଚନ୍ଦନ’ ସ୍ଥାନରେ ‘ଚୁମ୍ବନ’ ଦିଆଯିବ। ଭାଷାଯୋଗ୍ୟ ସାର୍ଥକ ଧ୍ୱନିର ସମାହାର ହେଉ ବା ବର୍ଣ୍ଣର ସମଷ୍ଟି ହେଉ, ତହିଁରୁ ‘ଶବ୍ଦ’ ଉତୁରିବ। ‘ଫ’ ସହିତ ‘ଳ’ ମିଶିଲେ ‘ଫଳ’ ହେବ, ଫଲ୍ ନୁହେଁ। ‘ଗ’ ସହିତ ‘ଛ’ ମିଶିଲେ ‘ଗଛ’ ହେବ, ଗଛ୍ ନୁହେଁ। ଏ ଦୁଇଟି ମିଶିଲେ ଯାଇ ‘ଫଳଗଛ’ ହେବ। ନ ହେଲେ ଚଷୁ କୁଟୁଥା।
‘ଶବ୍ଦ’ ହେଉଛି ବ୍ରହ୍ମ। ଏଣୁ ରଥର ଚିତ୍ର ନକରି ‘ରଥ କହିଦେଲେ ଆମ ଆଖିଆଗରେ ଚିତ୍ରଟି ଭାସିଉଠେ। ଉଚ୍ଚାରଣ ହେଉଛି ବସ୍ତୁର ପ୍ରତୀକ। ମୌଖିକ ଧ୍ୱନିର ପ୍ରତିନିଧିତ୍ୱ କରୁଥିବା ଦୃଶ୍ୟମାନ ସଂକେତ ହେଉଛି ଲିପି।
ଲିପି ସମ୍ଭାର
ଆପଣମାନେ ଜାଣନ୍ତି ଯେ, ପୃଥିବୀର ସମସ୍ତ ଭାଷାର ଲିପି ନାହିଁ। ବିକଶିତ ଓ ସମୃଦ୍ଧ ଭାଷାମାନଙ୍କର ଅବବୋଧ ଓ ଅସ୍ମିତାକୁ ‘ଲିପି’ ମାଧ୍ୟମରେ ସାଇତାଯାଏ। ପୁଣି କେତେକ ଭାଷାର ମୌଖିକ ଓ ଲିଖିତ ରୂପ ମଧ୍ୟରେ ଆକାଶ-ପାତାଳ ଫରକ। ଆମର ଭାଗ୍ୟ ଯେ, ଆମ ଭାଷାର ସ୍ୱତନ୍ତ୍ର ଲିପି ରହିଛି। ବଙ୍ଗଳା ଓ ଅହମିୟାର ଗୋଟିଏ ଲିପି। ଆମେରିକାରେ ‘ଇଂରାଜୀ’ ପ୍ରଚଳିତ ହେଲେ ବି ମନ ବୁଝେଇବାକୁ ଟିକିଏ ବଙ୍କାଟଙ୍କା କରି ସେମାନେ ଏହାକୁ ‘ଆମେରିକାନ୍’ ଭାଷା କହନ୍ତି। ଦେବନାଗରୀ ଲିପି ଭାରତର ବିଭିନ୍ନ ପ୍ରାନ୍ତରେ ରେଖାହୀନ ରେଖାଯୁକ୍ତ ହୋଇ ସେମାନଙ୍କର ଭାଷାକୁ ଚିହ୍ନାଏ। ଚୀନାମାନଙ୍କର ତ ଚିତ୍ରରେ ଶବ୍ଦ ଅଙ୍କା ହୋଇଥାଏ।
ଏ ପାଠ କି ପାଠ ଯେ, ମୁଁ ଆପଣଙ୍କୁ ବତେଇବି। କେବଳ ନିଜକୁ ବିଜ୍ଞପିତ ଓ ଆଧୁନିକ କରିବା ପାଇଁ ଆମେ ହିନ୍ଦୀ ବା ଇଂରାଜୀର ଅନୁକରଣରେ ଆମ ମୌଖିକ ଓଡ଼ିଆକୁ ‘ହସନ୍ତୀ’ ବା ଶୀତଦିନର ଲୁହାକଡ଼େଇରେ ଦାଉଦାଉ ଜଳୁଥିବା ଅଙ୍ଗାରନିଆଁକୁ ସ୍ୱାହା କରିଦେବା ଠିକ୍ ହେଉଛି କି ଆଜ୍ଞା। ଯଦି ହଁ, ତା’ହେଲେ ବ୍ୟାକରଣକୁ ବି ଉହ୍ମେଇ ଭିତରକୁ ଫିଙ୍ଗିଦେବା। ଏମିତି ‘ହସନ୍ତ’ ବା ‘ହଳନ୍ତ’ର ଯାଦୃଚ୍ଛିକ ଦୁରୁପଯୋଗରେ ଆମେ ଚନ୍ଦାଚିକ୍କଣ ହୋଇ ଅନ୍ୟମାନଙ୍କ ଆଗରେ ଦେଖାଇହେବା ଆଗରୁ ମାତୃଭାଷା ପ୍ରତି ଅପମାନ ପ୍ରଦାନକରି ‘ମାତୃଦ୍ରୋହୀ’ର ଘୃଣିତ ଶିରିକପଡ଼ା ପିନ୍ଧିବା କେତେଦୂର ସମୀଚୀନ ହେବ, ତାହା ଆପଣମାନେ ବିଚାରିବେ।
ଆପନ୍ମାନେ ଯାହା ଭାବୁଛନ୍ତି ଭାବନ୍ତୁ – ମୋର୍ ଆଉ ଅଧିକ୍ କିଛି କହିବାର୍ ଆବଶ୍ୟକ୍ତା ନାହିଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
Bahut saaragarbhaka tathyare paripurna lekha. Dhanyavaada