ଯାତନା

ଆଲୋଚ୍ୟ ଉପନ୍ୟାସଟି ସୁଲେଖକ ନିଖିଳାନନ୍ଦ ପାଣିଗ୍ରାହୀଙ୍କ ଲେଖନୀ ନିଃସୃତ ଏକ ଭିନ୍ନ ସ୍ୱାଦର ପ୍ରତିବେଦନ। ଉପନ୍ୟାସଟିର ଗଢ଼ଣ ଓ କଥନଶୈଳୀରେ ଥିବା ନବୀନତା ପାଠକକୁ ମୁଗ୍ଧ କରିରଖିବାର କ୍ଷମତା ରଖେ। ଏହାର ଉପସ୍ଥାପନା ଢାଞ୍ଚା ପତ୍ରୋପନ୍ୟାସ ପ୍ରତିମ; କାରଣ ଏଥିର ଗୋଟିଏ ଗୋଟିଏ ଅଧ୍ୟାୟ ପ୍ରୋଟାଗୋନିଷ୍ଟ ନିଜର ପ୍ରେମିକା ଶୋଭନାକୁ ଲେଖିଥିବା ପତ୍ର ମାଧ୍ୟମରେ ହିଁ ଉପସ୍ଥାପିତ।
ଏହି ଉପନ୍ୟାସର ବହୁବିଧ ବିଭାବକୁ ସମାଲୋଚକୀୟ ବିବେଚନାର ପରିସରକୁ ଅଣାଯାଇ ପାରେ, କିନ୍ତୁ ସେହି ସମସ୍ତ ଆଲୋଚନାଯୋଗ୍ୟ ପ୍ରସଙ୍ଗ ଏହି କ୍ଷୁଦ୍ର ସମୀକ୍ଷାର କଳେବର ମଧ୍ୟରେ ଅନ୍ତର୍ଭୁକ୍ତ କରିବା ସମ୍ଭବ ନୁହେଁ। ତେବେ ପ୍ରଥମତଃ ଦୃଷ୍ଟିକୁ ଆସେ ଏଥିରେ ସୃଷ୍ଟି କରାଯାଇଥିବା କାଳଭ୍ରମ (ଆନାକ୍ରୋନିଜମ୍‌)। କଥାବସ୍ତୁର ପୂର୍ବାଭାସଟି ପ୍ରାକ୍‌ସ୍ୱାଧୀନତାକାଳୀନ ବ୍ରିଟିଶ୍ ଶାସନାଧୀନ ଓଡ଼ିଶାର ଏକ ଅଞ୍ଚଳରେ ସଂଘଟିତ ହୋଇଛି। ସେ ସମୟର ବିଦେଶୀ ଶାସନର ଅବିଚାରିତ କର୍ତ୍ତୃତ୍ୱର ପ୍ରେକ୍ଷାପଟରେ ଯୁଝୁଥିବା ମଣିଷର ବ୍ୟଥା ଓ କଥାରୁ ହିଁ ଆରମ୍ଭ ହୋଇଛି ଉପନ୍ୟାସଟିର ପ୍ରଥମ ପ୍ରସଙ୍ଗ, ଯାହାକୁ ଲେଖକ ଏକ ‘ଉପକ୍ରମଣିକା’ ବୋଲି କହିଛନ୍ତି।
ଏହାପରେ ପ୍ରଥମ ଅଧ୍ୟାୟରେ ସ୍ଥାନିତ ହୋଇଛି ନାୟିକା ଶୋଭନା ପାଖକୁ ନାୟକ ଚେତନ ଲେଖିଥିବା ଏକ ପତ୍ର ଯେଉଁଠି କାହାଣୀର ପ୍ରଥମ ଚରଣ ରୂପ ନେବା ଆରମ୍ଭ କରିଛି। ଇତିମଧ୍ୟରେ ଆମ ସାମନାରେ ମଧ୍ୟ ପ୍ରତିଭାତ ହୋଇଛି ବିଜୟ ନାମକ ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଚରିତ୍ର, ଯିଏ ଜଣେ ସମ୍ବାଦଦାତା ବା ସୂତ୍ରଧରର ଭୂମିକାରେ ଅବତୀର୍ଣ୍ଣ ହୋଇ ପାଠକ ନିକଟରେ କାହାଣୀର ଉନ୍ମୋଚନ କରିଛି। ଏହାପରେ ପ୍ରେମ ଓ ବିଚ୍ଛେଦର ବିବିଧ କ୍ରମ ଭିତର ଦେଇ ଚେତନ ଓ ତାହାର ଏକାଧିକ ପ୍ରେମିକାଙ୍କର ମଧ୍ୟରେ ବିଫଳ ସମ୍ପର୍କର ଆଲେଖ୍ୟ ବହନ କରେ ଏହି ଦୁଃଖାନ୍ତକ ଉପନ୍ୟାସଟି। ଏହାର ସାରାଂଶ ହେଉଛି ଏହାର ଶେଷ ଅଧ୍ୟାୟ, ଅର୍ଥାତ ଉପସଂହାରର ଶେଷପୃଷ୍ଠାରେ ଥିବା ଅନ୍ତିମ ବାକ୍ୟଟି, “ପ୍ରେମ ଗୋଟିଏ ଖେଳ। ଏଥିରେ ଯିଏ ଜିତେ, ସେ ଟ୍ରଫି ପାଏ। ଯିଏ ହାରେ, ସେ ହୋଇଯାଏ ସେଲିବ୍ରିଟି।”
ଉପନ୍ୟାସଟିର ଥିମ୍ ସହିତ ସମୁଦ୍ର ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ମଲାଟର ପଛ ପୃଷ୍ଠାରେ ଏ ବିଷୟରେ ସ୍ପଷ୍ଟ ସୂଚନା ଦିଆଯାଇ କୁହାଯାଇଛି ଯେ ‘ଉପନ୍ୟାସର ଆରମ୍ଭରେ ସମୁଦ୍ର, ଅନ୍ତରେ ମଧ୍ୟ ସମୁଦ୍ର; ମଧ୍ୟସ୍ଥଳରେ ମଧ୍ୟ ତରଙ୍ଗାୟିତ ସମୁଦ୍ର ବିବିଧ ରୂପ ଓ ଛଟାରେ ଆତ୍ମପ୍ରକାଶ କରିଛି।’
‘ସାହିତ୍ୟ ଚର୍ଚ୍ଚା’ର ଗତ ସଂଖ୍ୟାରେ ପ୍ରକାଶିତ ଏକ ତାତ୍ତ୍ୱିକ ପ୍ରବନ୍ଧରେ ସୁବିଦିତ କବି ବିପିନ ନାୟକ ଉପନ୍ୟାସର ଏକ ନୂଆ ଉପବିଭାଗ ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି – ଆତ୍ମୋପନ୍ୟାସ ବା ଅଟୋଫିକ୍ସନ୍‌। ସେଇଟି ପଢ଼ିବା ପରେ ଆମ ମନକୁ ଗୋଟିଏ କଥା ଆସେ ଯେ ଏଠାରେ ଆମେ ଆଲୋଚନା କରୁଥିବା ଉପନ୍ୟାସଟି ଏକ ଆତ୍ମୋପନ୍ୟାସ କି! କିଛି ଦିନ ତଳେ ଆମ ପତ୍ରିକା ସହିତ ଏକ ସାକ୍ଷାତକାରରେ ଲେଖକ ନିଖିଳାନନ୍ଦ ପାଣିଗ୍ରାହୀ ତା’ଙ୍କ ଜୀବନର ଯେଉଁ କେତୋଟି ଘଟଣା ବା ଅନୁଭବର ଅବତାରଣା କରିଛନ୍ତି, ତାହା ପଢ଼ିଲେ ତାଙ୍କର ଏହି ଉପନ୍ୟାସଟିରେ ଆତ୍ମୋପନ୍ୟାସର କିଛି ତତ୍ତ୍ୱ ମହଜୁଦ ଥିବାର ଆଭାସ ମିଳେ। କିନ୍ତୁ ଆମ ମତରେ, ପାଠକଟିଏ ଲେଖକଙ୍କର ବାସ୍ତବ ଜୀବନର ଅନୁଭୂତି ବା ଜୀବନୀ ନ ପଢ଼ିଥିଲେ, ବା ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣିନଥିଲେ, ଏଥିରୁ ଆତ୍ମୋପନ୍ୟାସ ଜନିତ ଉପାଦାନ ବା ଖୋଜିପାଇବ କେମିତି? ଏହା ଏକ ଅସମାହିତ ପ୍ରଶ୍ନ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ଯାତନା

Leave a Reply

Your email address will not be published. Required fields are marked *