କବିତାରେ ଅବୋଧ୍ୟତା

କିଛି ବର୍ଷ ତଳେ ବର୍ଷୀୟାନ୍ କବି ରମାକାନ୍ତ ରଥ ଆମ ପତ୍ରିକା ସହିତ ଏକ ସାକ୍ଷାତକାରରେ, ତାଙ୍କର କେହି ଜଣେ ବନ୍ଧୁ କରିଥିବା କଟାକ୍ଷକୁ ଏହିଭଳି ଭାବରେ ବ୍ୟକ୍ତ କରିଥିଲେ, “ରମାକାନ୍ତ କି କବି? ତାଙ୍କର ତ ସବୁ କବିତା ବୁଝି ହୋଇଯାଉଛି!” ଅବଶ୍ୟ କବି ରମାକାନ୍ତ ଯେ କେତୋଟି ଅବୁଝା କବିତା ମଧ୍ୟ ଲେଖିନାହାନ୍ତି, ସେ କଥା ଆମେ କହୁନାହୁଁ। କିନ୍ତୁ ପ୍ରଶ୍ନ ହେଲା, ଯେଉଁ କେତେଜଣ କବି ନିଜ କବିତାର ଗୁରୁତ୍ୱ ବଢ଼ାଇବା ପାଇଁ ଜାଣିଶୁଣି ସେମାନଙ୍କ ଭାଷା ଓ ଭାବବିନ୍ୟାସରେ ଅବୋଧ୍ୟତାର ଆଶ୍ରୟ ନେଉଛନ୍ତି, ସେମାନଙ୍କୁ କ’ଣ କହିବା?
ଏହି ପ୍ରସଙ୍ଗକୁ ନେଇ ଆମ ପତ୍ରିକାରେ ପ୍ରାବନ୍ଧିକ ବ୍ରହ୍ମାନନ୍ଦ ବିଶ୍ୱାଳ ଲେଖିଥିବା ‘ଆଧୁନିକ କବିତାରେ ବୋଧଗମ୍ୟତା’ ଶୀର୍ଷକ ଏକ ପ୍ରବନ୍ଧରେ ଓଡ଼ିଆ କବିତାକୁ ତିନୋଟି ସରଳ ବର୍ଗରେ ବିଭାଜିତ କରାଯାଇଥିଲା; ଯଥା, ସୁବୋଧ୍ୟ, ଅବୋଧ୍ୟ ଓ ଦୁର୍ବୋଧ୍ୟ। ପ୍ରଥମ ଓ ତୃତୀୟ ବର୍ଗର କବିତା ତ ସ୍ୱାଗତଯୋଗ୍ୟ, କିନ୍ତୁ ଯାହା ଆମପାଇଁ ଚିନ୍ତାଜନକ, ତାହା ହେଲା ଦ୍ୱିତୀୟଟି, ଅର୍ଥାତ୍ ଅବୋଧ୍ୟ କବିତା।
ଇଂରାଜୀ ଭାଷାରେ ‘ଅବୋଧ୍ୟ’ର ପ୍ରତିଶବ୍ଦ ହେଲା ‘ଅନ୍‌ଇଣ୍ଟେଲିଜିବଲ୍‌’; ଅର୍ଥାତ୍ ଯାହାକୁ ଜମା ବୁଝିହେବ ନାହିଁ। ଅନ୍ୟପକ୍ଷରେ ଦୁର୍ବୋଧ୍ୟ କବିତାକୁ ଆୟତ୍ତ କରିବା ହୁଏତ କଷ୍ଟସାଧ୍ୟ ହୋଇପାରେ; କିନ୍ତୁ ତାହାର ଜାଲ ଭେଦ କରି ଟିକିଏ ଭିତରକୁ ଗଲେ, ସେଥିର ବକ୍ତବ୍ୟଟିକୁ ଖୋଜିପାଇବା ଆମ ପାଇଁ ଅସମ୍ଭବ ହୁଏନାହିଁ। ଜଣେ ପାଠକ ଯେତେବେଳେ ଅବୋଧ୍ୟ କବିତାଟିଏ ପଢ଼େ, ସେ ତା’ର କିଛି ହିଁ ଥଳକୂଳ ପାଏନାହିଁ। ଏଭଳି ଶ୍ରେଣୀର କବିତା ଉଦ୍ଭଟ କବିତା ଭାବରେ ମଧ୍ୟ ପରିଗଣିତ ।
ଏହି ସନ୍ଦର୍ଭରେ ମନେପଡ଼େ ଜଣେ ସମକାଳୀନ କବି, ଉମାକାନ୍ତ ରାଉତ (ଅରୂପ)ଙ୍କର ଗୋଟିଏ ଉକ୍ତି,
“କବିତା ଲେଖିବୁ ଏମିତି
କେହି ବୁଝିପାରିବେନି ଯେମିତି,
ତୋ କବିତା ଯଦି ବୁଝି ହେଇଯିବ
ବଡ଼ କବି ହେବୁ କେମିତି?”
ଅବଶ୍ୟ ଏହି ଅବୁଝାପଣିଆ ପାଇଁ ଆମେ କେବଳ କବିମାନଙ୍କୁ ଦାୟୀ କରିବା ଉଚିତ ହେବନାହିଁ। ଉଦ୍ଭଟତା ଗୋଟିଏ ସମୟରେ ଆମ ଜନଜୀବନ ଓ ବ୍ୟକ୍ତିଚିନ୍ତନର ଏକ ଲକ୍ଷଣ ଭାବରେ ପ୍ରକଟିତ ହେଲା, ଯାହାର ପ୍ରତିଫଳନ ସ୍ୱାଭାବିକ ଭାବରେ ଘଟିଲା ଆମ କବିତାରେ ମଧ୍ୟ।
ତେବେ କାହାକୁ ଆଶ୍ରୟ କରି ଗଢ଼ିଉଠିଥାଏ ଏହି ଅବୋଧ୍ୟ କବିତା? ପ୍ରଥମତଃ, ଏହାକୁ ତଳେଇ ଦେଖିଲେ ଜଣାଯାଏ ଯେ ଏହା କେତେକ ଅବାସ୍ତବ ତଥା ଖିଆଲି ଭାବନା ଓ ଶବ୍ଦମାନଙ୍କ ଉପରେ ନିର୍ଭରଶୀଳ, ଯାହା ବେଳେବେଳେ ବ୍ୟାକରଣ ବିବର୍ଜିତ ମଧ୍ୟ ହୋଇଥାଏ। ଏଥିରେ ବ୍ୟବହୃତ ହୋଇଥିବା ପ୍ରତୀକାତ୍ମକ ଶବ୍ଦ ଓ ମେଟାଫର୍‌ଗୁଡ଼ିକର ମର୍ମ ସହଜରେ ବୁଝିହୁଏ ନାହିଁ। ସେହିପରି ମଧ୍ୟ ଗୋଳମାଳିଆ ଏହାର ଚିତ୍ରକଳ୍ପ। ଏହାର ବର୍ଣ୍ଣନାଶୈଳୀ ଅବ୍ୟବସ୍ଥିତ ହୋଇଥାଏ। ଆଉ ମଧ୍ୟ ଏଭଳି କବିତାର ବିଷୟବସ୍ତୁରେ କବିଙ୍କର କେବଳ ଆତ୍ମମୁଖୀ ଚିନ୍ତନ ହିଁ ଅଧିକ ମାତ୍ରାରେ ଦେଖିବାକୁ ମିଳେ। ଅବଶ୍ୟ, ଆମ ଭାଷାର କବିତାରେ ଏମନ୍ତ ଶ୍ରେଣୀର ରଚନାକୁ ପ୍ରଶ୍ରୟ ମିଳିଲା ଇଂରାଜୀ ସାହିତ୍ୟରେ ଟି.ଏସ୍‌.ଇଲିଅଟ୍ ଓ ଏଜରା ପାଉଣ୍ଡଙ୍କ ଦ୍ୱାରା ଆଧୁନିକତାର ଧାରା ପ୍ରବର୍ତ୍ତିତ ହେବା ପରେ, ଯାହାକୁ ସେତେବେଳର କିଛି ଅଗ୍ରଣୀ ଓଡ଼ିଆ କବି ମଧ୍ୟ ଅନୁକରଣ କରିବା ଆରମ୍ଭ କଲେ।
ତେବେ ସୁଖର କଥା ଯେ ଚଳନ୍ତି ସମୟର ଯୁବପିଢ଼ିଙ୍କ ଦ୍ୱାରା ରଚିତ କେତେକ କବିତା କ୍ରମେ ସରଳ ଓ ସୁବୋଧ୍ୟ ହେବା ଆରମ୍ଭ କରିଛି। ଛନ୍ଦ ମଧ୍ୟ ଫେରିଲାଣି କବିତାକୁ। ଏହା ହୁଏତ ଆମର କବିତା ସାଧାରଣ ପାଠକମାନଙ୍କଠାରୁ ଦୂରେଇଯିବା ଭଳି ଏକ ଅପ୍ରିୟ ସମ୍ଭାବନା ଦୂର କରିପାରିବ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “କବିତାରେ ଅବୋଧ୍ୟତା

Leave a Reply

Your email address will not be published. Required fields are marked *