ପୁନରାବୃତ୍ତି ରଚନା, ବକ୍ତବ୍ୟ, ଆଲୋଚନା ସାମ୍ପ୍ରତିକ ସାହିତ୍ୟକୁ ସ୍ଥବିର କରିଦେବ।

ଧୀରେ ଘେନ;
‘ରମଣୀମଣି ସର ସରସ ରସସାର ସାରଙ୍ଗ-ରଙ୍ଗ-ବରଧନ।
ଧନର ନ ରସିବା ଶିବାରି ବାରିଦେବା ଦେବାଦି ବାଦିର କି ମାନ ରେ।
ମାନିନୀର। ନୀରସ ରସଦା ହେବାର। ବାର ତରତରେ ବିହର।
ହରଷ ରସଭାବ ଭାବନି ବନୀ ଯିବ ଜୀବର ବର ସୁଖ ଘର ରେ ।’
ପୌନଃପୁନିକବୋଧର ଏଇ ଯମକ ଅଭିମନ୍ୟୁ ସାମନ୍ତସିଂହାରଙ୍କ ସାହିତ୍ୟ ସର୍ଜନାର ଏକ ନିଛକ୍ ଉଦାହରଣ। ଏହା ଓଡ଼ିଆ ସାହିତ୍ୟରେ ଭିନ୍ନାର୍ଥବ୍ୟଞ୍ଜକ ଓ ସମୋଚ୍ଚାରିତ ଶବ୍ଦମାନଙ୍କର ପୁନରାବୃତ୍ତି ଶବ୍ଦାଳଙ୍କାର। ବୀରବର ମଧ୍ୟ ତାଙ୍କର ପଦ୍ୟଗ୍ରନ୍ଥରେ ଏହି ଭଳି ଅନେକ ଅଳଙ୍କାର, ଛନ୍ଦ, ପଦବିନ୍ୟାସ ଓ ଛଟା ପାଇଁ ସର୍ବବିଦିତ। ଉପେନ୍ଦ୍ର ଭଞ୍ଜଙ୍କର ସର୍ଜନାବୋଧର ପରିଚୟ ମିଳେ ତାଙ୍କର ବୈଦେହୀଶ ବିଳାସ, ଲାବଣ୍ୟବତୀ, ଅବନାରସତରଙ୍ଗ, କଳାକଉତୁକ, ଗୀତାଭିଧାନ, ବଜାରବୋଲି, ଚିତ୍ରକାବ୍ୟ ବନ୍ଧୋଦୟ, ଦଶପୋଇ, ପ୍ରଭୃତି ରଚନାରୁ। ଏକକୁ ଆରେକ ବଳି। ଏହି ସର୍ଜନା ସବାକ୍ରାନ୍ତ କେଭେହେଁ ନଥିଲା। ସଭିଏଁ ଜୀବନ୍ତ ସାହିତ୍ୟର ଏହି ଚଉବର୍ଗରେ। ଉପର୍ଯ୍ୟୁପରି ପାଠକ, ଶ୍ରୋତା, ଗାୟକ, ଦର୍ଶକ ସଭିଙ୍କ ମନ ପ୍ରାଣ ଓ ଆତ୍ମାକୁ ଉଲ୍ଲସିତ କରି ରଖୁଥିଲା ଏଇ ସାହିତ୍ୟ ସମ୍ଭାର ସମଗ୍ର। ଆମ୍ରେଡ଼ନ ନଥିଲା ଏଇ ଗ୍ରନ୍ଥସମୂହରେ; ହେଲେ ଗଦ୍ଗଦନାଦୀ ବୋଧରେ ଆଜି ମଧ୍ୟ ସାହିତ୍ୟପ୍ରେମୀ ଆତ୍ମବିସ୍ମୃତ ଏଇ ଆଦିରସାଶ୍ରିତ ସାହିତ୍ୟରେ। ତେଣୁ ତ ଉତ୍କଳମଣି ସହର୍ଷବୋଧରେ ଓଡ଼ିଶାର ଏଇ ବରପୁତ୍ରଙ୍କ ଶ୍ରଦ୍ଧା ଓ ସମ୍ମାନରେ ଉଦ୍ଘୋଷ କରିଥିଲେ ଯେ,
‘ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ, ପଥେ ପାନ୍ଥ ହୃଷ୍ଟମନା,
ବିଲେ ବୋଲେ ଚଷା ଅନ୍ତଃପୁରେ ଯୋଷା ନୃତ୍ୟରଙ୍ଗେ ବାରାଙ୍ଗନା।’
ଅର୍ଥାନ୍ତରେ ସାମ୍ପ୍ରତିକ ସାହିତ୍ୟ ସଂସାରରେ ଅଧିକାଂଶ ଆଗଧାଡ଼ିଆଙ୍କ ସର୍ଜନାର କଥିତ ବସ୍ତୁ ଓ କୃତକାର୍ଯ୍ୟରେ ଚର୍ବ୍ୱିତଚର୍ବ୍ୱଣର ପ୍ରଭାବ ସୁସ୍ପଷ୍ଟ। ହୁଏତ ବିଲେଇ ଆଖି ମୁଦି କ୍ଷୀର ପିଇଲା ଭଳି ଏହି ସାହିତ୍ୟିକଗଣ ସମ୍ମାନ, ଉପାଧି ତଥା ପାଠକୀୟଶ୍ରଦ୍ଧାବୋଧ ଆଳରେ ଅନେକ ପ୍ରସଙ୍ଗ ଓ ଭାବବୋଧ ଆପଣାର ରଚନାରେ ନିସଂଶୟ ଭାବରେ ପୁନରାବୃତ୍ତି କରିଛନ୍ତି। ବିଭିନ୍ନ ପୁରାଣକଥା ଓ ପୁରୁଣା କଥାକୁ ନିଜ ରଚନାରେ ସ୍ଥାନ ଦେଇ ସେହି ତତ୍ତ୍ୱ ଓ ତଥ୍ୟକୁ ଆପଣା ଶବ୍ଦବୋଧର ଉପଲେପନ କରି ‘ବାଃ ବାଃ’ ସାଉଁଟିବାରେ ପଶ୍ଚାତ୍ତାପ କରିନାହାନ୍ତି। କେବଳ ରଚନାରେ ନୁହେଁ; ଅନେକ ସାହିତ୍ୟିକ, ମଞ୍ଚ, ପଦପଦବୀ, ପୁରସ୍କାର ମଣ୍ଡପରେ ଉନ୍ମତ୍ତପ୍ରାୟ ହୋଇ ଦର୍ଶକ ଓ ଶ୍ରୋତାଙ୍କୁ ଯାହା ବକ୍ତବ୍ୟ ଦେଇଥାନ୍ତି ସେଥିରେ ମଧ୍ୟ କ୍ରିୟାସମଭିହାର ଲକ୍ଷଣ ବାରି ହୋଇ ପଡ଼େ। ଏହି ଭଳି ପୁନରାବୃତ୍ତି ରଚନା, ବକ୍ତବ୍ୟ, ଆଲୋଚନା ସାମ୍ପ୍ରତିକ ସାହିତ୍ୟକୁ ସ୍ଥବିର କରି ଦେବ। ସାହିତ୍ୟ ପ୍ରତ୍ୟେକ ସମାଜ ଓ ସଂସ୍କୃତିର ଏକ ସ୍ୱଚ୍ଛ ଦର୍ପଣ। ସାହିତ୍ୟ ନନ୍ଦିଘୋଷରେ ଯଦି ନିତ୍ୟନୈମିତ୍ତିକ ତତ୍ତ୍ୱ ଓ ତଥ୍ୟ ସହ ଭବିଷ୍ୟବୋଧର ନୂତନତ୍ୱ ନରହେ ତେବେ ପାଠକଙ୍କୁ ତାହା ନିରାଶ କରିବ ତଥା ସମାଜକୁ ବୈପ୍ଲବିକ ଚେତନା ଓ ମାନବସମାଜକୁ ସମୃଦ୍ଧିର ବଡ଼ଦାଣ୍ଡରେ ଗଡ଼ାଇ ନେବାରେ ବିଫଳ ହେବ। ସାହିତ୍ୟରେ ନୂତନ ପ୍ରୟୋଗ ଓ ଚିନ୍ତାଧାରା ସମାଜର ସାଂସ୍କୃତିକ ଓ ବୌଦ୍ଧିକ ପ୍ରଗତିରେ ସହାୟକ ହେବ।
ହେ ମୋର ଚର୍ବ୍ୱିତଚର୍ବ୍ୱଣରେ ଆକ୍ରାନ୍ତ ସାହିତ୍ୟିକଗଣ, ଓଡ଼ିଆ ସାହିତ୍ୟ ସବାରିକୁ ବିଶ୍ୱସାହିତ୍ୟ ଧାରରେ ପହଞ୍ଚାଇବା ପାଇ କାନ୍ଧିଆବେହେରା ହୁଅ। ଆଗକାନ୍ଧିଆମାନେ ପଛକାନ୍ଧିଆକୁ ଉପଯୁକ୍ତ ଡାକ ଦେଇ ସବାରିର ସନ୍ତୁଳନ ରଖିବାରେ ସହାୟକ ହୁଅନ୍ତୁ। ଏହା ହିଁ କାମ୍ୟ।
*ଚର୍ବ୍ୱିତଚର୍ବ୍ୱଣ: କଥିତ ପ୍ରସଙ୍ଗର ପୁନଃକଥନ
ପ୍ରଭୂ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଲେଖକ ମହାଶୟ ଏଇ ଲେଖାଟି ମାଧ୍ୟମରେ ଯାହା ପ୍ରକାଶ କହିଛନ୍ତି ତାହା ବିଶେଷ ପ୍ରଣିଧାନ ଯୋଗ୍ୟ।ତାଙ୍କର ଆଶଙ୍କା ସତ୍ୟ ହେବା ଆଗରୁ ଆମକୁ ତାହା ବଦଳାଇବାକୁ ହେବ ନଚେତ୍ ଓଡ଼ିଆ ସାହିତ୍ୟ ପଛେଇଯିବ ହୁଏତ ତାଙ୍କ ଆଶଙ୍କା ସତ୍ୟ ହୋଇଯାଇପରେ।କିନ୍ତୁ ଓଡ଼ିଆ ସାହିତ୍ୟ ଏତେ ଦୁର୍ବଳ ନୁହଁ।ହେ ମୋର ପ୍ରିୟ ସାହିତ୍ୟିକମାନେ ଆମ ସାହିତ୍ୟକୁ ଆଗକୁ ନେବା ପାଇଁ ଆଗେଇ ଆସନ୍ତୁ ଓ ଏ କୁଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ।