ରୁବାଇ

ରୁବାଇ ହେଉଛି ଏକ ଚାରିଧାଡ଼ିଆ ମିନିକବିତା, ଯାହାର ଆଗମନ ହୋଇଛି ପାରସ୍ୟ ଭାଷାର ସାହିତ୍ୟରୁ। ଗୋପାଳ କାନୁନଗୋଙ୍କ ଦ୍ବାରା ଓମାର୍ ଖାୟାମ୍‌ଙ୍କ ‘ରୁବାୟତ୍’ ଅନୂଦିତ ହେବାପରେ ଓଡ଼ିଆ କବିତାରେ ଆରମ୍ଭ ହୋଇଥିଲା ‘ରୁବାଇ’ର ଧାରା।

ଜାକିର ଖାନ୍

(୧) ବେଣୀ ତୋ ସର୍ପିଣୀ ପରି
ଚାଲି ତୋର ମୃଗୀ ପରି
ତୁ ପୁରା ରହସ୍ୟମୟୀ
କୁହୁକ ପହେଳି ପରି ।

(୨) ଭସା ଭସା ତୋର ସେଇ ଆଖି
ନିଶା ଭରା ତୋର ସେଇ ଆଖି
ଆନମନା କରି ଦିଏ ମୋତେ
ସ୍ୱପ୍ନ ଝରା ତୋର ସେଇ ଆଖି ।

(୩) କିଛି କଥା ରହିଅଛି ମନେ
କିଛି କଥା ରହିଛି ଗୋପନେ
ଏବେ ବି ଅନେକ ବାକି ଅଛି
ଯାହା ରହିଛି ମୋ’ରି ସପନେ ।

(୪) ସ୍ବପ୍ନାତୁର ଏ ମନରେ ଆଜି
ସ୍ବପ୍ନ ଖାଲି ସ୍ୱପ୍ନର ଭଉଁରୀ
ନିରସ ଜୀବନ ଆଜି ଲାଗେ
ଫୁଲ ସିଏ ପୁରା ସ୍ବପ୍ନ ପରି ।

(୫) ସ୍ବପ୍ନ ପୁଞ୍ଜେ ଏ ମନରେ ଭରି
ସ୍ବପ୍ନ ଖାଲି ସ୍ୱପ୍ନରେ ପହଁରି
କାଟୁଚି ଜୀବନ ଏଠି ମୋର
ଜୀବନକୁ ମ କରି ସ୍ବପ୍ନ ତରୀ ।

(୬) ତୁମେ ହିଁ ତ ମୋର ଜୀବନ ସଙ୍କେତ
ମୋ ମଥା ପରେ ଆକାଶ ପରି ଛାତ
ତୁମ ବିନା କିଛି ଭାବିପାରେନା ମୁଁ
ତୁମେ ହିଁ ମୋ ସ୍ୱପ୍ନେ ନିତି ଆତଯାତ ।

(୭) ସପନ ତୋତେ ମୁଁ ଭଲପାଏ
ଏ ମନ ତୋତେ ମୁଁ ଭଲପାଏ
ଭଲ ପାଏ ଭଲ ପାଇବାକୁ
ଜୀବନ ତୋତେ ମୁଁ ଭଲପାଏ ।

(୮) ଆଖିର ଇଶାରା ଆଖି ପଢ଼ିଥାଏ
ମନର ଭାବକୁ ମନ ଜାଣିଥାଏ
ଭାବ ଦିଆ ନିଆ ଚାଲି ଥାଏ ଏଠି
ସଂସାରେ ପ୍ରେମ ପସରା ଭରିଥାଏ।

(୯) ବିରହରେ ବିରହରେ ଆଜି ଗୀତ ଗାଏ
ଝୁଣ୍ଟି ଝୁଣ୍ଟି ପୁଣି ମୁଁ ଯେ ମୋର ପଥ ପାଏ
ଅଙ୍କାବଙ୍କା ରାସ୍ତାରେ ତ ଚାଲିଛି ଜୀବନ
ମୁଁ ଯେ ଜୀବନ ସହିତ ନିତି ଚାଲୁଥାଏ ।

(୧୦) କେଉଁଠାରେ ହଜିଛି ଏ ମନ
କେଉଁଠାରେ ଅଛି ଆଜି ଧ୍ୟାନ
ମନ ଏ ଖୋଜୁଛି ନୂଆ କିଛି
ମିଳନ୍ତା ମୋତେ ତୁମ ସେ ମନ ।

(୧୧) ସେବେ ଅଭାବେ ବି ଭଲ ଥିଲା ସ୍ୱଭାବଟି ଆମ
ଏବେ ଏତେ ପୁଣି ନୀଚ୍ଚ କିଆଁ ଆମ ସବୁ କାମ
କେମିତି କେମିତି କୁହ, ବଦଳିଲା ସବୁକିଛି
ସତରେ ଯାଇଛି ବଦଳି ବା ଏହା ମୋର ଭ୍ରମ ।

(୧୨) ଦୁଷ୍ଟ, ଦୁଷ୍ଟ ସେଇ ତୁମ ଆଖି
ନଷ୍ଟ, ନଷ୍ଟ କରେ ମୋର ରାତି
ସ୍ପଷ୍ଟ, ସ୍ପଷ୍ଟ କରି ଭାବେ ଯେତେ
ଭ୍ରଷ୍ଟ, ଭ୍ରଷ୍ଟ ହୁଏ ମୁହିଁ ସାଥୀ ।

(୧୩) ଗୋଧୂଳି ସଞ୍ଜେ ଦେଖିଥିଲି ଦିନେ ଗଛ ଉହାଡରେ ତୋତେ
ସେଦିନ ଯେବେ ମୁଁ ଫେରୁଥିଲି ତୁମ ଗାଁ ବାଟ ଦେଇ ସତେ
ଏଯାଏଁ ତୋର ଚେହେରାଟି ମୋର ମନେ ଅଛି, ମନେ ଅଛି
ଖୋଜିଛି ଖୋଜିଛି ଅନେକ ମୁହିଁ ବୁଝି ପାରିବୁ କି କେତେ ?

(୧୪) ଆକାଶରେ ଆଜି ଜହ୍ନ ଅଛି
ମୋ ପ୍ରିୟା ତ ଆଜି ମୌନ ଅଛି
କହୁ ନାହିଁ ପଦେ ମିଠା କଥା
ମନେ ବୋଧେ ଅଭିମାନ ଅଛି ।

(୧୫) ଏବେ ଏବେ ତ ଏ ପୁରା ରାତି ଅଛି
ଆଗକୁ ଅନେକ କିଛି ବାକି ଅଛି
ସ୍ୱପ୍ନ ଅନେକ ମୋ ଦେଖିବାର ଅଛି
ଏମିତି ମନେ ଅନେକ କିଛି ଅଛି ।

4 thoughts on “ରୁବାଇ

  1. ଜାକିର ବାବୁଙ୍କ ଲେଖା ବିଷୟରେ କିଛି କହିବାର ନାହିଁ ।ସେ ସବୁ ସାହିତ୍ୟ ବିଭାଗରେ କିଛି ନା କିଛି ନୂଆ ସୃଷ୍ଟି କରନ୍ତି।ଏହି ରୁବାଇ ହିଁ ତାର ଉଦାହରଣ।ସୁନ୍ଦର ସରଳ ଶବ୍ଦରେ ଲିଖିତ ଏହି ରୁବାଇ ସର୍ବାଦୃତ ହେବ ନିଶ୍ଚୟ।

  2. ଅତି ସୁନ୍ଦର ଛନ୍ଦ ରେ ସୁକ୍ଷ୍ମ କବିତା ସବୁ ସଜା ହେଇଛି। ଚମତ୍କାର ସୃଷ୍ଟି।

  3. ଓଡ଼ିଆ କବିତା ଜଗତ ପାଇଁ ନିଃସନ୍ଦେହେ ଏକ ଅପୂର୍ବ ଦାନ

Leave a Reply

Your email address will not be published. Required fields are marked *