ବହିର ଭବିଷ୍ୟତ

ଲେଖକଙ୍କର ପ୍ରକାଶ ଅପେକ୍ଷାରେ ଥିବା ଏକ ପୁସ୍ତକ ‘ବହି ବହି ବହି’ର ଗୋଟିଏ ଅଧ୍ୟାୟ।

ମାନସ ରଂଜନ ମହାପାତ୍ର

ସମ୍ପାଦକଙ୍କ ଇଚ୍ଛା, ବହିର ଭବିଷ୍ୟତ ସଂପର୍କରେ ଏଥରକ କିଛି ଆଲୋଚନା ହେଉ। ପୂର୍ବର ଅଧ୍ୟାୟଗୁଡ଼ିକରେ ଆମେ ସଂପାଦନାଠୁ ଆରମ୍ଭ କରି ମୁଖବନ୍ଧ, ଚିତ୍ରଭାଷା ଆଦି ବିଷୟରେ କଥାବାର୍ତ୍ତା ହେଇସାରିଲେଣି। ବହିର ବିପଣନ ଓ ବିତରଣ ସଂପର୍କରେ ବି କଥା ହେଲେଣି। ଓଡ଼ିଆ ବହିର ଏଗୁଡ଼ିକ ଅନାଲୋଚିତ ଦିଗ। ଆମେ ତାଳପତ୍ର ପୋଥିରୁ ଆସି ଇଲେକ୍ଟ୍ରୋନିକ୍ ବହିରେ ପହଞ୍ଚିଲେଣି, ତଥାପି ବି ଅନେକ ବାଟ ଚାଲିବାକୁ ବାକି ଅଛି।
ଆମେ ମୁଦ୍ରିତ ବହି ଦେଖିଆସିଛୁ। ମୁଦ୍ରିତ ବହିର ମହକରେ ଜୀବନ ବଞ୍ଚିଛୁ। ଏବେ ଡିଜିଟାଲ ଜଗତ ଓ ଯୁଗ। ହେଲେ, ଆମେ ବହି ସହ ବଞ୍ଚିଛୁ ଓ ମରିବୁ ମଧ୍ୟ। ଆମ ଭାଷାରେ ଲେଖକ ଅଧିକ, ପାଠକର ମରୁଡ଼ି କଥା ନିକଟରେ ନିହାର ଶତପଥୀ ତାଙ୍କ ସଂପାଦିତ ‘ସାହିତ୍ୟ ଚର୍ଚ୍ଚା’ ତଥା ଏକ ବିଦେଶୀ ପତ୍ରିକାରେ ଲେଖିଥିଲେ। ବହି ହାଟ ତ ଏବେ ନାହିଁ, ବହି ବଜାରର ଘଟିଛି ଆକସ୍ମିକ ଅପ୍ରତ୍ୟାଶିତ ମୃତ୍ୟୁ। ଏବେ ଆମେ ମୁଦ୍ରିତ ବହି ବିନା ଜୀବଦ୍ଦଶାରେ ବଞ୍ଚିପାରିବୁ ନାହିଁ। ଡିଜିଟାଲ ବହି ମୁଦ୍ରିତ ବହିର ବିକଳ୍ପ ହୋଇପାରିବ ନାହିଁ। ସେଇଥିପାଇଁ ତ ବହିମେଳାମାନଙ୍କରେ ଏତେ ଭିଡ଼।
ତେବେ ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ୍‌ରେ ଥିବା ମଡ଼ର୍ଣ୍ଣ ବୁକ୍ ଡିପୋ କାହିଁକି ବନ୍ଦ ହୋଇଗଲା? ଏହା ଏକ ଅସମାହିତ ପ୍ରଶ୍ନ। ଆମେ ଅର୍ଦ୍ଧଶତାବ୍ଦୀ ତଳେ ଏଠାରେ ପାଉଥିଲୁ ଭାରତୀୟ ଓ ବିଶ୍ୱ ସାହିତ୍ୟର ଅତୁଳନୀୟ ଭଣ୍ଡାର। ପାଠକ ତ ଥିଲେ, ସରକାର ବି ଥିଲା। ଘର ମାଲିକକୁ ମଦ ଦୋକାନର ଭଡ଼ା ବହିଦୋକାନ ଦେଇପାରିବା ସମ୍ଭବ ନୁହେଁ। ଏହା ‘ମାଗୁଣିର ଶଗଡ଼’ କାହାଣୀ ପରି। ଶିଳ୍ପ ବିପ୍ଲବ ଆମ କୌଳିକ ପେସାକୁ ହତ୍ୟା କଲା। ନୂଆ ବସ୍ ଆସିଲ।। ଶଗଡ଼ ଚାଲିଲାନି, କାଳିଆ କସରା ଅନାହାରରେ ମରିଗଲେ। ହେଲେ ପରିବହନର ମୂଳଭିତ୍ତି ହେଉଛି ଶଗଡ଼। ଶଗଡ଼ ନଥିଲେ ବସ୍‌, ଟ୍ରକ୍‌, ରେଳଗାଡ଼ି ଅଚଳ, ମାଲ୍ ଜମିରୁ ରେଳଯାଏଁ ଆଣିପାରିବ କେବଳ ଶଗଡ଼।

ବହିର କାହାଣୀ ସେହିପରି। ଗାଆଁ ମୁଣ୍ଡ ବା ଛୋଟ ସହରର ହାଟରେ ଏକଦା କାହ୍ନୁଚରଣଙ୍କ ଉପନ୍ୟାସ ମିଳୁଥିଲା। ମିଳୁଥିଲା ବି ଖୁଲଣା ସୁନ୍ଦରୀ, ଅମର ବିକାଶ, ସୁଶୀଳ ମାଳତୀ, ଶୁଆଶାରୀ କାହାଣୀ, ଅବୋଲକରା କାହାଣୀ, ଫଣିକରନାଥ ରେଣୁଙ୍କ ‘ମୈଲା ଆଞ୍ଚଲ’ ଏହିପରି ଏକ ଗ୍ରାମୀଣ ହାଟରୁ ପାଇଥିଲେ ପ୍ରକାଶକ ଓମ୍‌ପ୍ରକାଶ। ସେ ବହିର ବେପାରକରି ବେପାରୀ ଉପାର୍ଜନ କଲେ କୋଟି କୋଟି ଟଙ୍କା। ହେଲେ ଲେଖକର ଭାଗ୍ୟ ବଦଳିଲା କି?
ଲେଖକର ଭାଗ୍ୟ
ଲେଖକର ଭାଗ୍ୟ କେବେ ବଦଳେ ନାହିଁ। ମାୟାଧର ମାନସିଂହ ବା ମୁକ୍ତିବୋଧଙ୍କୁ ଏକାଡ଼େମୀ ପୁରସ୍କାର ମିଳିବାର ଅନେକ ଆଗରୁ ଏଜରା ପାଉଣ୍ଡଙ୍କୁ ନୋବେଲ ପୁରସ୍କାର ମିଳିନଥିଲା। ସମାନ ଭାଗ୍ୟ ବି ଘଟିଥିଲା ଲିଓ ଟଲଷ୍ଟୟଙ୍କ ଭାଗ୍ୟରେ। କ’ଣ ହେଇଗଲା ସେଇଠୁ! ମଲାପରେ ଜୀବନାନନ୍ଦ ଦାସଙ୍କୁ ମିଳିଲା ଏକାଡ଼େମୀ ପୁରସ୍କାର, ହେଲେ ଏ ପୁରସ୍କାର ସେ କ’ଣ ସ୍ୱର୍ଗରେ ପାଇଲେ? ଏମାନେ ସମସ୍ତେ ବିଶ୍ୱ ସାହିତ୍ୟରେ ଅମର। ଶରତ ଚନ୍ଦ୍ରଙ୍କୁ ନୋବେଲ ପୁରସ୍କାର ମିଳିଲା ନାହିଁ, ହେଲେ ସେ ତ ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ଲେଖକ। ଖ୍ରୀଷ୍ଟୋଫର ମାର୍ଲୋ ବଞ୍ଚିଥିଲେ ସେକ୍‌ସପିୟର ରଙ୍ଗମଞ୍ଚର ଜଗୁଆଳି ହୋଇ ରହିଯାଇଥାନ୍ତେ। ଆମ ସମୟର ଦୁଇଜଣ ପ୍ରମୁଖ କବି ବ୍ରଜନାଥ ରଥ ଓ ହରିହର ମିଶ୍ର ଓଡ଼ିଶାର ସାହିତ୍ୟ-ରାଜନୀତି ହେତୁ ଏକାଡ଼େମୀ ପୁରସ୍କାର ପାଇଲେ ନାହିଁ। ତାଙ୍କ ପାଠକ କ’ଣ କମ୍ ହୋଇଗଲେ? ପାଠକଟିଏ ବଞ୍ଚିଥିଲେ କବି ମରେନାହିଁ। କୁମାର ମହାନ୍ତି ବା ଦୁର୍ଗାଚରଣ ପରିଡ଼ା ପାଠକୀୟ ସ୍ୱୀକୃତି ପାଇଛନ୍ତି ପ୍ରଚୁର। ଏମାନଙ୍କ ବହି ଅମର, ଯାହା ପୁରସ୍କାରର ଅପେକ୍ଷା ରଖେନାହିଁ । ଫଣିକରନାଥ ରେଣୁଙ୍କ କଥା ଆମେ ଆଗରୁ ଆଲୋଚନା କରିଛେ। ଏମାନେ ପୁରସ୍କାରଠାରୁ ଅନେକ ଊର୍ଦ୍ଧ୍ୱରେ।
ଆମ ଲେଖକମାନେ ପାଠକ ପାଇଁ ଲେଖନ୍ତି କି? ଏକଦା ଅକ୍ଷର ପୁସ୍ତକ ମେଳାରେ ମୋ’ ପତ୍ନୀ ଲେଖିକା ଶୈଳବାଳା ମହାପାତ୍ରଙ୍କର ବହିଟିଏ ଉନ୍ମୋଚନ ହେଉଥାଏ। ଦୁଇଜଣ ପ୍ରମୁଖ ଲେଖକ ତଥା ଅବସରପ୍ରାପ୍ତ ଅଧ୍ୟାପକ ସେଠି ପହଞ୍ଚିଲେ। ଉନ୍ମୋଚନର ପରଂପରା ଅନୁସାରେ ସେମାନେ ଖଣ୍ଡେ ଖଣ୍ଡେ ବହି ହାତରେ ଧରିଲେ ଓ ପରେ ଲେଖିକାଙ୍କୁ ତାହା ସେମାନଙ୍କ ନାଆଁ ଲେଖି ଉପହାର ଭାବେ ଦେବାକୁ କହିଲେ। ବିଚରା ପ୍ରକାଶକ କାନମୁଣ୍ଡ ଆଉଁଶି ରହିଲା। ପୁସ୍ତକ ମେଳାରେ ଏବେ ଇଂରାଜୀ ବହି, ପାଠ୍ୟପୁସ୍ତକ। ଫାଷ୍ଟପୁଡ଼୍ ବିକ୍ରି ହୁଏ, ଲେଖକମାନେ ବି ତାଙ୍କ ସମସାମୟିକ ଲେଖକମାନଙ୍କ ବହି ପଢ଼ନ୍ତି ନାହିଁ, କିଣିବା ତ ଦୂରର କଥା। ପାଶ୍ୱର୍ବର୍ତ୍ତୀ ରାଜ୍ୟ ବଙ୍ଗରେ ପୁସ୍ତକ ମେଳା ଲୋକେ ଟିକେଟ୍ କିଣି ଯାଆନ୍ତି, ଆମ ଲେଖକ ବା ପାଠକଙ୍କୁ ଅନୁରୋଧ କଲେ ବି ସେମାନେ ପୁସ୍ତକମେଳାକୁ ଆସନ୍ତି ନାହିଁ। ଯଦି ଆସନ୍ତି, ତେବେ ବନ୍ଧୁମିଳନ, ଚାହାପାନ (ମାଗଣାରେ) ଓ ଫାଷ୍ଟଫୁଡ଼୍ ଖାଇବା ପାଇଁ। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚକରି ପୁସ୍ତକମେଳା କରନ୍ତି, ହେଲେ ପୁସ୍ତକ କିଣନ୍ତି ନାହିଁ। ପାଠକମାନେ ଚିରକାଳ ଥିଲେ ଓ ରହିବେ। ଏକଦା ସମ୍ବଲପୁରର ଜଣେ ପାଠକବନ୍ଧୁ କବିମାନଙ୍କୁ ନିୟମିତ ଉତ୍ସାହଭରା ଚିଠି ଲେଖୁଥିଲେ। ସେତେବେଳେ ପୋଷ୍ଟକାର୍ଡ଼ର ପ୍ରଚଳନ ଥିଲା। ଏବେ ମୋବାଇଲରେ ବି ଫୋନ୍ ଆସେ । ଭଦ୍ରକରୁ ଜଣେ ପାଠକ ଗତବର୍ଷର ଏକ ପତ୍ରିକାରୁ ଫୋନ୍ ନମ୍ବର ପାଇ ଫୋନ୍ କଲେ। ଆଜିକାଲି ବହୁ ଲୋକେ ଫୋନ୍ ନମ୍ବର ପାଇ ଆର୍ଥିକ ସହାୟତା ପାଇଁ ଫୋନ୍ କରୁଛନ୍ତି। ସଂପାଦକମାନେ ସେଥିପାଇଁ ଫୋନ୍ ନମ୍ବର ଛାପନ୍ତି ନାହିଁ। ବଦଳରେ ମେଲ୍ ଆଇଡ଼ି ଛାପି ଦିଅନ୍ତି। ହେଲେ ସବୁ ପାଠକମାନଙ୍କ ପାଖେ ମେଲ୍ କରିବାର ସୁବିଧା ନାହିଁ। ଏ ପ୍ରକାର ପାଠକ ବିରଳ ।
ବହି ମରିବ ନାହିଁ
ହୃଦୟୀ ପାଠକଟିଏ ଥିଲେ ବହି ମରିବ ବା ହଜିବ ନାହିଁ। ଏକଦା ଆମାଜନ୍ ନଦୀ ପାଖରେ ଏକ ବିମାନ ଦୁର୍ଘଟଣା ହେଲା। ତାହାର ଜଣେ ଯାତ୍ରୀ ବଞ୍ଚିଗଲେ। ନିକଟରେ ଥିବା ଏକ ଚାଳଘର ଥିଲେ ଜଣେ ମତ୍ସ୍ୟଜୀବୀ । ତାଙ୍କ ପାଖରେ ଥିଲା ଚାର୍ଲସ ଡିକେନ୍‌ସଙ୍କ ଅନେକ ବହି। ସେ କିନ୍ତୁ ଥିଲେ ନିରକ୍ଷର। ଦୁର୍ଘଟଣାଗ୍ରସ୍ତ ବିମାନ ଯାତ୍ରୀ ତାଙ୍କୁ ଡିକେନ୍‌ସ୍‌ଙ୍କ ଗପ ପଢ଼ି ଶୁଣାଇଲେ। ଅଦ୍ୱୈତ ମଲ୍ଲ ବର୍ମନ ବଙ୍ଗଳାରେ ଲେଖିଥିଲେ ଉପନ୍ୟାସ ‘ତି ତାସ ଏକ୍‌ଟି ନଦୀର ନାମ’। ସେ ପାଣ୍ଡୁଲିପିଟି ଅଦ୍ୱୈତ ମଲ୍ଲ ବର୍ମନଙ୍କ ମୃତ୍ୟୁ ପରେ ଆବିଷ୍କୃତ ହେଲା। ଅଦ୍ୱୈତ ମଲ୍ଲ ବର୍ମନ ବି ଥିଲେ ଜଣେ ମତ୍ସ୍ୟଜୀବୀ ବା ନାଉରିଆ। ଏ ବହିଟି ଆନନ୍ଦ ପବ୍ଲିଶର୍ସ ପ୍ରକାଶ କଲାପରେ ତାହା ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହେଲା। ଚଳଚ୍ଚିତ୍ର ବି ହେଲା। ଆମ ନୟାଗଡ଼ର ଦାଶରଥୀ ପଟ୍ଟନାୟକ ନିଜ ଉଦ୍ୟମରେ ସଂଗ୍ରହାଳୟ, ପାଠାଗାର ଓ ସାହିତ୍ୟ ସଂସଦ ନୟାଗଡ଼ଠାରୁ ଚାଳିଶ କିଲୋମିର ଦୂରରେ ନୂଆଗାଁ ଉଦୟପୁରରେ କରିଥିଲେ। ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ତାଙ୍କୁ ଆଜୀବନ ଓଆରଟିସି ବସ୍‌ର ପାସ୍ ଦେବା ଆଗରୁ ସେ ନିଜ ଉଦ୍ୟମରେ ସାରା ରାଜ୍ୟ ବୁଲି ବହି ଓ ଅନ୍ୟାନ୍ୟ ସଂଗ୍ରହଣୀୟ ବସ୍ତୁମାନ ସଂଗ୍ରହ କରି ସଂଗ୍ରହାଳୟ ସ୍ଥାପନ କରିଥିଲେ। ତାଙ୍କ ଅକାଳ ମୃତ୍ୟୁପରେ ସେ ସଂଗ୍ରହାଳୟ ଏବେ ସରକାରୀ ତତ୍ତ୍ୱାବଧାନରେ ଚାଲିଛି। ଏଭଳି ବହୁ ଅଜଣା ପାଠକ ପୁସ୍ତକ ସଂସ୍କୃତିକୁ ବଞ୍ଚେଇ ରଖିଛନ୍ତି। ଏମାନେ ଚିରକାଳ ଥିଲେ ଓ ରହିବେ।
ପଠନ ସଂସ୍କୃତିର ପତନ ପାଇଁ ତତ୍କାଳୀନ ଶାସନ ବି ଦାୟୀ। ନେବଚନ୍ଦ ନାଜେର ବାବିଲୋନ୍ ଜିଣିବା ପରେ ସେଠାର ପାଠାଗାର ଧ୍ୱଂସ କରିଦେଇଥିଲେ। ଆଲେକଜାଣ୍ଡ୍ରିଆର ପାଠାଗାର ବି ତତ୍କାଳୀନ ଶାସକ ଅବା ବିଜେତା ପକ୍ଷ ଧ୍ୱଂସ କରିଥିଲେ। ରଘୁନନ୍ଦନ ପାଠାଗାର ଧ୍ୱଂସ ହେବା ଆମେ ଆମ ଆଖି ଆଗରେ ଦେଖିଲୁ। ତଥାପି ଏ ପ୍ରକାର ଆକ୍ରମଣ ବହିର ଆଦରକୁ ହ୍ରାସ କରିପାରିନାହିଁ। ବହିର ଆଦର ଇଲେକ୍ଟ୍ରୋନିକ୍ ଗଣମାଧ୍ୟମ ବଢ଼ାଇ ଦେଇଛି। ବହିର ଆଦର ବଢ଼ାନ୍ତି ପୁସ୍ତକ ବିକ୍ରେତାମାନେ। ସରକାରୀ କ୍ରୟ ନଥିଲା ବେଳେ ବି ଏହି ପୁସ୍ତକ ବିକ୍ରେତାମାନେ ବହିର ବଜାର ରକ୍ଷା କରିଥିଲେ। ଏବେ ଅବଶ୍ୟ ଧୀରେ ଧୀରେ ଭଲ ପୁସ୍ତକ ବିକ୍ରେତା ଓ ବିକ୍ରୟ କେନ୍ଦ୍ରମାନ ହଜିଗଲେଣି। ପତ୍ରପତ୍ରିକା ବିକ୍ରି ଉପରେ ଏବେ ବହି ବଜାର ନିର୍ଭରଶୀଳ । ସଂପାଦକମାନେ ଏବେ କେବଳ ସଂକଳକ। ପୂଜାସଂଖ୍ୟାମାନଙ୍କରେ ପ୍ରଚୁର ମୁଦ୍ରଣ ତ୍ରୁଟି। ଯଦି ଏ ପରିସ୍ଥିତିରେ ଓଡ଼ିଆ ପାଠକ ଇଂରାଜୀ ବହି କିଣୁଥାଏ ବା ପଢ଼ୁଥାଏ, ତାଙ୍କୁ ଦୋଷ ଦିଆଯାଇପାରିବ ନାହିଁ।


ବଙ୍ଗଳା ଭଳି ବହି କିଣି ପଢ଼ୁଥିବା ପାଠକମାନେ ଓଡ଼ିଶାରେ ବିରଳ। ବିହାରରେ ମଧ୍ୟ ବହି କିଣି ଲୋକେ ପଢ଼ନ୍ତି। ମହାରାଷ୍ଟ୍ର ଓ କେରଳରେ ଲେଖକ ସମବାୟ ସମିତିମାନେ ପୁସ୍ତକ ଶିଳ୍ପ ଓ ପଠନ ପରମ୍ପରାକୁ ବଞ୍ଚାଇ ରଖିଛନ୍ତି । ଓଡ଼ିଶାର ଲେଖକ ସମବାୟ ସମିତି ପନ୍ଦରରୁ କମ୍ ।
ଓଡ଼ିଆ ପୁସ୍ତକର ପରିସର
ଓଡ଼ିଶାର ଲେଖକମାନଙ୍କର ରଚନା ପରିସର ସୀମିତ। ବିଶ୍ୱ ଦୃଷ୍ଟି ଓଡ଼ିଆ ଲେଖକମାନଙ୍କର ନାହିଁ କହିଲେ ଚଳେ। ଓଡ଼ିଶାରେ ପ୍ରେମ ବା ଯୌନ ସାହିତ୍ୟର ଚାହିଦାଠାରୁ ଚିରନ୍ତନ ସାହିତ୍ୟ ବା ଶାସ୍ତ୍ରୀୟ ସାହିତ୍ୟ ଯଥେଷ୍ଟ କମ୍। ପାଠକଙ୍କୁ ଦୋଷ ଦେଇହେବ ନାହିଁ । ଓଡ଼ିଆ ଭାଷାରେ ଗଲା ପଚାଶ ବର୍ଷ ଭିତରେ ଉତ୍କୃଷ୍ଟ ସାହିତ୍ୟ ପାଠକଙ୍କ ଚାହିଦା ଅନୁସାରେ ସୃଷ୍ଟି ହୋଇପାରି ନାହିଁ କହିଲେ ଚଳେ। ଆମ ପୁସ୍ତକ ସଂସ୍କୃତି କିଛି ବଙ୍ଗଳା, ହିନ୍ଦୀ ବା ଇଂରାଜୀରୁ ଅନୂଦିତ ବା ନକଲକରା ସାହିତ୍ୟ ଉପରେ ନିର୍ଭରକରି ଚାଲିଛି।
ସାଂପ୍ରତିକ ସମୟର କ୍ରମବର୍ଦ୍ଧିଷ୍ଣୁ ମାନସିକ ଅବସାଦ ସମଗ୍ର ପୃଥିବୀର ପଠନ ସଂସ୍କୃତିକୁ ପ୍ରଭାବିତ କରିଛି। ଓଡ଼ିଆ ପୁସ୍ତକର ସଂସାର ଏହି ଅବସାଦରୁ ମୁକ୍ତ ହୋଇପାରିନାହିଁ। ଏପଟେ ଉତ୍କୃଷ୍ଟ ପୁସ୍ତକର ଅଭାବ, ଲେଖକମାନଙ୍କର ବହୁବିଧ ରଚନା ଓ ବିଶ୍ୱଦୃଷ୍ଟିର ଦୁର୍ଭିକ୍ଷ, ବୈଜ୍ଞାନିକ କଳକୌଶଳର ସାହିତ୍ୟ ଉପରେ ପ୍ରଭାବ ଓ କେତେବେଳେ ଦୁଷ୍ପ୍ରଭାବ। ସେପଟେ ମାନସିକ ଅବସାଦ, ପ୍ରତିଦ୍ୱନ୍ଦ୍ୱିତା, ଉପରକୁ ଚଢ଼ିବାର ଦୌଡ଼, ପାଠକ ବିଚରା ଏବେ ହତପ୍ରଭ। ଗଣମାଧ୍ୟମ ଏବେ ମୁଷ୍ଟିମେୟ ବେପାରିଙ୍କ ହାତରେ। ବଡ଼ ବଡ଼ ପୁସ୍ତକାଳୟଠୁ ଛୋଟ ଛୋଟ ପାଠାଗାର ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟର ଶିକାର। ଏବେ ବହି ଇ-ବୁକ୍ ବା ପେନ୍ ଡ୍ରାଇଭ୍‌ରେ ବନ୍ଦି। ତଥାପି ଆମେ କିଛି ସ୍ୱପ୍ନବିଳାସୀ ବହିର ଭବିଷ୍ୟତକୁ ନେଇ ଏବେବି ଆଶାବାଦୀ। ଆମର ବିଶ୍ୱାସ, ପଠନ ସଂସ୍କୃତିର ମୃତ୍ୟୁ ମାନବ ସମାଜର ବୌଦ୍ଧିକ ମୃତ୍ୟୁକୁ ଡାକି ଆସିବ। ବିଜ୍ଞାନ ଓ ସୂଚନାର ଏହି ଯୁଗ ଦିନେ ନା ଦିନେ ପଠନ ସଂସ୍କୃତିରେ ହିଁ ସରିବ। ପୁସ୍ତକର ବିକଳ୍ପ ପେନ୍ ଡ୍ରାଇଭ୍ ବା ଇ-ବୁକ୍ ହୋଇପାରିବେ ନାହିଁ। ଯନ୍ତ୍ର ମଣିଷର ବିକଳ୍ପ ହେବା ସମ୍ଭବ ନୁହେଁ, ମଣିଷ ହିଁ ଯନ୍ତ୍ରର ଉଦ୍ଭାବକ ଓ ଚାଳକ। ଓଡ଼ିଆ ସଂପାଦକମାନେ ବିଜ୍ଞାନ ସଂପାଦନାରେ ଦୁର୍ବଳ। ଚିତ୍ରର ସଂପାଦକ ଓଡ଼ିଶାରେ ନାହାନ୍ତି କହିଲେ ଚଳେ। ତକ୍‌ନିକୀର ସଂପାଦନା ଓ ସାହିତ୍ୟ ସଂପାଦନା ଭିତରର ପାର୍ଥକ୍ୟ ଓଡ଼ିଆ ପ୍ରକାଶକମାନେ ଓ ସଂପାଦକମାନେ ନ ବୁଝିବା ପର୍ଯ୍ୟନ୍ତ ପାଠକେ ବି କେବଳ ଭୁଆଁ ବୁଲିବେ, ବହିର ଭବିଷ୍ୟତ ଅନ୍ଧକାରମୟ ହେବା ନିଶ୍ଚିତ। କବି ଓଡ଼ିଶାରେ ପ୍ରବଳ, ପ୍ରଶାସନିକ ଅଧିକାରୀମାନେ ପ୍ରାୟତଃ କବି। କବିତାର ସଂପାଦକ ଜ୍ଞାନୀନ୍ଦ୍ର ବର୍ମାଙ୍କ ପରେ ଓଡ଼ିଶାରେ ନାହାନ୍ତି କହିଲେ ଚଳେ।
ପୁସ୍ତକର ପ୍ରସାର
ସାମାଜିକ ଗଣମାଧ୍ୟମରୁ ସମର୍ଥନ ଓଡ଼ିଆ ପ୍ରକାଶନ ପାଇଁ ନାହିଁ। ଓଡ଼ିଶା ପ୍ରକାଶକମାନେ ହାତରୁ ଖର୍ଚ୍ଚକରି ବିଜ୍ଞାପନ ଦେବା ତ ଛାଡ଼, ବହିଟିଏ ବି ସମୀକ୍ଷା ପାଇଁ ପତ୍ରପତ୍ରିକା ବା ସମ୍ବାଦପତ୍ରକୁ ପଠାନ୍ତି ନାହିଁ। ଯାହା ସମୀକ୍ଷା ଖବରକାଗଜରେ ପ୍ରକାଶିତ ହୁଏ, ତାହା ପୁସ୍ତକ ପରିଚୟ କେବଳ। ଇଂରାଜୀ ଖବରକାଗଜମାନଙ୍କରେ ଅଧାପୃଷ୍ଠା ପୁସ୍ତକ ସମୀକ୍ଷା ପ୍ରକାଶିତ ହେଉଥିବାର ଦେଖାଯାଏ। ଓଡ଼ିଶାରେ ବହିର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ବିସ୍ତୃତ ପୁସ୍ତକ ସମୀକ୍ଷା ପତ୍ରପତ୍ରିକାରେ ପ୍ରକାଶିତ ହେବା ଜରୁରି ।
ଏକଦା ପୁସ୍ତକଚର୍ଚ୍ଚା ଓ ନୂତନ ସୃଷ୍ଟିର ଆଲୋଚନା ପାଇଁ ବିଭିନ୍ନ ସାହିତ୍ୟ ଖଟି ବା ସାହିତ୍ୟିକ ମିଳନସ୍ଥଳୀ ଛକ, ବସଷ୍ଟାଣ୍ଡ, ଚା’ ଦୋକାନମାନଙ୍କରେ ଥିଲା । ଓଡ଼ିଶାର ପୁରୀ, କଟକ, ବ୍ରହ୍ମପୁର, ରାଉରକେଲାରେ ଏହି ଖଟିରୁ ଏକଦା ଜନ୍ମ ନେଇଥିଲେ ଅନେକ ସାହିତ୍ୟ ସଂସଦ। ଏବେ ସେହି ସଂସଦମାନ ରାଜନୈତିକ ଆଲୋଚନା କେନ୍ଦ୍ର ପାଲଟି ଗଲାଣି।
ଏବେ ବିଳମ୍ବରେ ହେଉପଛେ, ଅନେକ ଅନୁବାଦ ପୁସ୍ତକ ପ୍ରକାଶିତ ହେଲାଣି। ଆଗରୁ ଏହା ଥିଲା ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଯାଏଁ ସୀମାବଦ୍ଧ। ଏବେ ଭାରତ ଓ ପୃଥିବୀର ବିଭିନ୍ନ ଭାଷା ଶିଖି ଲୋକେ ସେହି ଭାଷାମାନଙ୍କର ସାହିତ୍ୟ ସିଧାସଳଖ ଓଡ଼ିଆରେ ଅନୁବାଦ କଲେଣି। ଅନେକ ନୂଆ ଲେଖକ ବି ଓଡ଼ିଶାରେ ଜନ୍ମ ନେଇଛନ୍ତି। ଲୋକପ୍ରିୟ ବିଜ୍ଞାନକୁ ଏବେ ସାହିତ୍ୟର ମର୍ଯ୍ୟାଦା ମିଳିଲାଣି। ଏହି ନୂଆ ବହି ଓ ନୂଆ ଲେଖକମାନେ ଓଡ଼ିଆ ବହିର ଭବିଷ୍ୟତକୁ ମଞ୍ଜୁଳ କରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ ।
ବହି ଜଗତ ମରିବ ନାହିଁ। ଝଡ଼ ବର୍ଷା ଆସିପାରେ, ଆକାଶ ଦିନେ ନିର୍ମଳ ହେବ। ରୂପ ବଦଳିପାରେ, ମାତ୍ର ସୌନ୍ଦର୍ଯ୍ୟ ବଦଳିବ ନାହିଁ।

(ଖୁବ୍ ଶୀଘ୍ର ‘ସାହିତ୍ୟ ଚର୍ଚ୍ଚା’ ଦ୍ଵାରା ପ୍ରକାଶିତ ହେବ ମାନସ ରଂଜନ ମହାପାତ୍ରଙ୍କ ବହି ପ୍ରସ୍ତୁତିର କୌଶଳ ସମ୍ପର୍କିତ ଗୋଟିଏ ପୁସ୍ତକ, ‘ବହି ବହି ବହି’। ଏହି ରଚନାଟି ପ୍ରକାଶ ଅପେକ୍ଷାରେ ଥିବା ସେହି ପୁସ୍ତକର ଗୋଟିଏ ଅଧ୍ୟାୟ।)

2 thoughts on “ବହିର ଭବିଷ୍ୟତ

  1. ସାରସ୍ବତ ସର୍ଜନା । ଅନୁଭୂତି ଆଲେଖ୍ୟରେ ପ୍ରାଞ୍ଜଳ ବର୍ଣ୍ଣନା । ନିଛକ ସତ କଥାର ଅବତାରଣା । ସ୍ରଷ୍ଟା ଙ୍କ ଲେଖନୀକୁ ଶତ ପ୍ରଣାମ !

  2. ଆଶାବାଦୀ ଲେଖା ସତ୍ତ୍ଵେ ନିରାଶା ବାରି ହେଇ ପଡ଼ୁଛି।‌ ଓଡ଼ିଆ ସାହିତ୍ୟର ଭବିଷ୍ୟତ ପଛକୁ ଥାଉ, ଭାଷା ମଧ୍ୟ ବିପନ୍ନ। ଏହା ମୋର ନିଜସ୍ବ ମତ।

    ଯାହା ଦେଖୁଛି, ଯାହା ପଢ଼ୁଛି ଓ ଯାହା ତୁଳନା କରୁଛି ଅନ୍ୟ ବୈଶ୍ଵୟିକ ଭାଷା ଓ ସାହିତ୍ୟ ସହିତ।

    ଆଶାବାଦୀ ହେବା ଭଲ। ଶାନ୍ତି ମିଳିବ।

Leave a Reply

Your email address will not be published. Required fields are marked *