
ବିଶିଷ୍ଟ ଭେଷଜ ଚିକିତ୍ସକ ଡା. ଇନ୍ଦ୍ରମଣି ଜେନାଙ୍କ ଦ୍ୱାରା ରଚିତ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ ହେଉଛି ସମ୍ରାଟ ଖାରବେଳଙ୍କୁ ଆଧାର କରି ଓଡ଼ିଶାର ଗୌରବମୟ ଇତିହାସକୁ ଉଜାଗର କରିବାର ଏକ ନିଷ୍ଠାପର ଉଦ୍ୟମ। ଏହାକୁ ଐତିହାସିକ ଉପନ୍ୟାସର ବର୍ଗରେ ସ୍ଥାନିତ କରିବା ଅଧିକ ସମୀଚୀନ ହେବ। ଉପନ୍ୟାସଟିର ପୃଷ୍ଠାଗୁଡ଼ିକ ଓଲଟାଇଲେ ଏଥିରେ ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳଶୈଳ’ର ଅନ୍ତଃସ୍ୱର କିଛିମାତ୍ରାରେ ଅନୁଭବ କରିହୁଏ। ଏକ ଐତିହାସିକ ଓ କିଂବଦନ୍ତୀ ଆଧାରିତ ବିଷୟବସ୍ତୁକୁ ଉପନ୍ୟାସ ଆକାରରେ ପରିବେଷଣ କରିବାବେଳେ ସୁରେନ୍ଦ୍ର ମହାନ୍ତି ଯେପରି ତାଙ୍କର ମୁଖ୍ୟଚରିତ୍ର ରାମଚନ୍ଦ୍ର ଦେବଙ୍କ ବ୍ୟତୀତ ଲଳିତା ପାଟଦେଈ ଓ ସରଦେଈଙ୍କ ପରି ଚରିତ୍ରଗୁଡ଼ିକୁ ମଧ୍ୟ ଜୀବନ୍ତକରି ଗଢ଼ିତୋଳିଛନ୍ତି, ସେହିପରି ‘ନିଶାର୍ଦ୍ଧ ଶାଳଭଞ୍ଜିକା’ରେ ସମ୍ରାଟ ଖାରବେଳଙ୍କ ବ୍ୟତୀତ ଯେଉଁ ଚରିତ୍ରଟି ଆମ ସମ୍ମୁଖରେ ବାରମ୍ବାର ଉଭାହୋଇଛି ସେ ହେଉଛି ଶାଳଭଞ୍ଜିକା। କିନ୍ତୁ କୌତୁହଳର ବିଷୟ ହେଲା ଯେ, ଏହି ଶାଳଭଞ୍ଜିକା କୌଣସି ମାନବୀୟ କିମ୍ବା ଐତିହାସିକ ଚରିତ୍ର ନୁହେଁ; ବରଂ ଭୁବନେଶ୍ୱର ସହରର ଉପକଣ୍ଠରେ ଥିବା ଉଦୟଗିରି ବା କୁମାରୀଗିରିରେ ଖୋଦିତ ଏକ ନାରୀ ମୂର୍ତ୍ତି ମାତ୍ର। ଲେଖକ ବହିଟିର ଉପକ୍ରମରେ ସୂଚାଇଛନ୍ତି ଯେ, ‘କୁମାରୀଗିରିର ଗୁମ୍ଫାତୋରଣରେ ଶାଳଭଞ୍ଜିକା ସର୍ବପୁରାତନ ଭାରତୀୟ ଶିଳାଶିଳ୍ପର କୃତି।’ ପୁଷ୍ପିତା ନାମକ ଏହି ଶାଳଭଞ୍ଜିକାର ଅବଶ୍ୟ ଉପନ୍ୟାସଟିର କଥାବସ୍ତୁରେ ବିଶେଷ ଭୂମିକା ନାହିଁ; ଏବଂ ସେ କେବଳ ଜଣେ କଥକର ଭୂମିକାରେ ଅବତୀର୍ଣ୍ଣା ହୋଇଛନ୍ତି ।
ଏହି ଆଲୋଚ୍ୟ ପୁସ୍ତକରେ ଆମେ ‘ନୀଳଶୈଳ’ ଉପନ୍ୟାସର ଗଢ଼ଣ ଓ ଉପସ୍ଥାପନା ଶୈଳୀ କିଛିମାତ୍ରାରେ ପାଇଲେ ମଧ୍ୟ ସୁରେନ୍ଦ୍ର ମହାନ୍ତିଙ୍କ ବର୍ଣ୍ଣନାଶୈଳୀ ଓ ଭାଷାବିନ୍ୟାସର ପୋଖତପଣିଆଠାରୁ ଏହା ଦୂରତା ବହନ କରେ। ତାହା ସତ୍ତ୍ୱେ କଳିଙ୍ଗାଧିପତି ଖାରବେଳଙ୍କର ପରାକ୍ରମ ଓ ଆଦର୍ଶ ବ୍ୟକ୍ତିତ୍ୱ ସମ୍ପର୍କରେ ଓଡ଼ିଆ-ପ୍ରାଣରେ ଗୌରବବୋଧ ସଞ୍ଚାର କରିବାପାଇଁ ଯେ କୌଣସି ଇତିହାସ ଗ୍ରନ୍ଥ ଅପେକ୍ଷା, ଏକ ଐତିହାସିକ ଉପନ୍ୟାସ ଭାବରେ ଏହା ବରଂ ଅଧିକ ପ୍ରଭାବଶାଳୀ। ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ଖଣ୍ଡଗିରି, ଉଦୟଗିରି ଓ ଓଡ଼ିଶାର ଅନ୍ୟ କେତେକ ଐତିହାସିକ ସ୍ଥଳର ପ୍ରସ୍ତରମୂର୍ତ୍ତି ଓ ଶିଳାଲିପି ଆଦିର ସଂଖ୍ୟାଧିକ ଫଟୋଚିତ୍ର ଏଥିରେ ପରିବେଷିତ କାହାଣୀର ଇତିହାସ-ସମ୍ମତ ବାସ୍ତବତା ପ୍ରତିପାଦନ କରିବାର ଭୂମିକା ନିର୍ବାହ କରିଛି।
ଉପନ୍ୟାସଟିର ଶେଷ ଅଧ୍ୟାୟରେ ଶାଳଭଞ୍ଜିକା ପୁଷ୍ପିତା ଅଶ୍ରୁପୂର୍ଣ୍ଣ ନୟନରେ ଆମ ସମକ୍ଷକୁ ଆସି ଅତ୍ୟନ୍ତ ମାର୍ମିକତାର ସହିତ କହିଛନ୍ତି, “(କଳିଙ୍ଗାଧିପତି) ଆଜିର ସମୃଦ୍ଧ କଳିଙ୍ଗର ଗୋଟିଏ ମାନସିକ ଉଦାହରଣ ଭାବରେ ମୋ ପରି କ୍ଷୁଦ୍ର କୁମାରୀଗିରି ଶାଳଭଞ୍ଜିକା ଖୋଦନ କରାଇବାର ମାନସିକତା ନେଇଥିଲେ ସମୃଦ୍ଧ କଳିଙ୍ଗର ସ୍ୱପ୍ନ ନେଇ। … ଶାଳଭଞ୍ଜିକା ଅଙ୍କନ କରନ୍ତି ସେଇ ମହାରାଜା ଯିଏ ନିଜ ରାଜ୍ୟକୁ ସବୁଜ, ପ୍ରାଣବନ୍ତ ଆଉ ଉର୍ବର ପ୍ରାଣଜ ଶକ୍ତିର କରି ଗଢ଼ିତୋଳିବାର ଅଭିପ୍ରାୟ ରଖନ୍ତି। ମୋର ସ୍ରଷ୍ଟା କଳିଙ୍ଗାଧିପତି ମୋତେ ଗଢ଼ିତୋଳିବାର ଯେଉଁ ମାନସିକତା ନେଇଥିଲେ ତାହା ଶେଷ ହୋଇଛି। ମୋତେ ତାଙ୍କ ଆଦର୍ଶକୁ ବଞ୍ଚାଇବାକୁ ଯେଉଁ ଆଶା ରଖିଛନ୍ତି ତାହା ଚରିତାର୍ଥ ହୋଇଛି।”
ବହିଟି ପ୍ରତ୍ୟେକ ସ୍ୱାଭିମାନୀ ଓଡ଼ିଆଙ୍କ ପାଇଁ ଅବଶ୍ୟ ସଂଗ୍ରହଣୀୟ। ଆମେ ଏହା ମଧ୍ୟ ଆଶାକରୁ ଯେ ଏଥିରେ ଥିବା ଅଳ୍ପ କିଛି ମୁଦ୍ରାପ୍ରମାଦ ପରବର୍ତ୍ତୀ ସଂସ୍କରଣ ବେଳକୁ ସୁଧୁରିଯାଇଥିବ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ଖାରବେଳଙ୍କ ଇତିହାସ ସମ୍ପର୍କରେ ଅଧିକ ତଥ୍ୟ ଏହି ବହିରୁ ଜାଣିବାକୁ ମିଳିବ ବୋଲି ଆଶା।