ଆମ ବର୍ଣ୍ଣବୋଧ

ହଁ, ଏହା ଆମ ବର୍ଣ୍ଣବୋଧ। ଏହା ନା ମଧୁସୂଦନ ରାଓଙ୍କର, ନା ଗାଆଁ ଚାଟଶାଳୀର ଅବଧାନଙ୍କର, ନା ଭାଷାପଣ୍ଡିତମାନଙ୍କର, ନା ଓଡ଼ିଶା ସରକାରଙ୍କର; ବରଂ ଆମ ସମସ୍ତଙ୍କର। ଏହାକୁ ଆମ ଭାଷାର ଏକ ଜାତୀୟ ସମ୍ପତ୍ତି ବୋଲି କୁହାଯାଇପାରେ। ପିଢ଼ି ପରେ ପିଢ଼ି, ଏ ବହିଟି ଆମ ଓଡ଼ିଆଙ୍କର ଭାଷାଭାବନାରେ ଏମିତି ବସିଯାଇଛି ଯେ ଏହାକୁ ଆମେ ଅତି ଆପଣାର ମଣୁ।
ଓଡ଼ିଶା ସରକାର ଏହାର ପୁନର୍ମୁଦ୍ରଣ କରିବା ପରେ ବହିଟି ଏବେ ପୁଣି ଚର୍ଚ୍ଚାକୁ ଆସିଛି। ପୂର୍ବରୁ ଥରେ ଏହା ବିବାଦକୁ ଆସିଥିଲା ୨୦୧୪ ମସିହାରେ, ଯେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଏହି ‘ବର୍ଣ୍ଣବୋଧ’ର ଏକ ପରିମାର୍ଜିତ ସଂସ୍କରଣର ବିତରଣ ଉପରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଏବେ ଦୀର୍ଘ ୧୧ ବର୍ଷ ପରେ ରାଜ୍ୟ ସରକାର ପୁଣି ସେଥିରେ ହାତ ଦେଇଛନ୍ତି। କିନ୍ତୁ ଏଥର ଭକ୍ତକବି ମଧୁସୂଦନଙ୍କ ପ୍ରଣୀତ ‘ବର୍ଣ୍ଣବୋଧ’ରେ ସେମିତି କିଛି ପରିବର୍ତ୍ତନ କରାନଯାଇ, ତାହାର ଯଥାବତ୍ ମୁଦ୍ରଣ କରାଯାଇଛି ମାତ୍ର। କଥା ଉଠେ, ଏଭଳି ପୁନର୍ମୁଦ୍ରଣର କିଛି ଆବଶ୍ୟକତା ଥିଲା କି?
ଭକ୍ତକବି ମଧୁସୂଦନଙ୍କ ଜୀବଦ୍ଦଶାରେ ବର୍ଣ୍ଣବୋଧର ଅନେକଗୁଡ଼ିଏ ସଂସ୍କରଣ ପ୍ରକାଶିତ ହୋଇଥିଲା। ତନ୍ମଧ୍ୟରୁ ୧୯୦୧ ମସିହାରେ ପ୍ରକାଶିତ ସଂସ୍କରଣଟିକୁ ଏବେ ଅବିକଳ ଭାବରେ ଛାପିଛନ୍ତି ରାଜ୍ୟ ସରକାର। ତେବେ ଯାହା ମନେହୁଏ, ଏହାର ପୁନର୍ମୁଦ୍ରଣ କରି ବହିଟିକୁ ରାଜ୍ୟର ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ପ୍ରଚଳନ କରିବାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କର ନାହିଁ। ଏଭଳି ଉଦ୍ଦେଶ୍ୟ ରହିବା ଉଚିତ ମଧ୍ୟ ନୁହେଁ; କାରଣ ଭାଷାଶିକ୍ଷାର ଧାରା ସର୍ବଦା ସମୟ ଅନୁସାରେ ବଦଳି ଚାଲିଥାଏ। ଶହେରୁ ଅଧିକ ବର୍ଷ ତଳର ଭାଷାଶିକ୍ଷା ପୁସ୍ତକ ବର୍ତ୍ତମାନର ସମୟ ପାଇଁ ଅନୁକୂଳ ହୋଇପାରିବ ନାହିଁ। ସମୟକ୍ରମେ ଏହାର ପରିବର୍ତ୍ତନ ଆବଶ୍ୟକ। ୧୮୮୬ ମସିହାରେ ମଧୁସୂଦନ ରାଓ ଯେତେବେଳେ ପ୍ରଥମେ ବର୍ଣ୍ଣବୋଧ ରଚନା କଲେ, ସେତେବେଳେ ସେ ପୂର୍ବରୁ ପ୍ରଚଳନରେ ଥିବା ଗୋବିନ୍ଦ ରଥଙ୍କର ‘ବର୍ଣ୍ଣବୋଧକ’ ନାମକ ବହିରେ କିଛି ସଂସ୍କାର ଆଣିବା ଉଦ୍ଦେଶ୍ୟରେ ହିଁ ଏହା କରିଥିଲେ।
କିନ୍ତୁ ତାଙ୍କର ସେହି ବର୍ଣ୍ଣବୋଧର କେତେକ ଅଂଶ ଏବେ ଅପ୍ରାସଙ୍ଗିକ ହୋଇ ପଡ଼ିଲାଣି। ଉଦାହରଣ ସ୍ୱରୂପ ଏବେ ମୁଦ୍ରିତ ହୋଇଥିବା ବହିଟିର ୪୮ ପୃଷ୍ଠାରେ ଅଛି ଯେ ମାଛିମାନଙ୍କ ଦ୍ୱାରା ଆମର ଉପକାର ସାଧିତ ହୁଏ; ଯେହେତୁ ସେତେବେଳେ ବୈଜ୍ଞାନିକମାନେ ଜାଣିନଥିଲେ ଯେ ମାଛି ହେଉଛି ହଇଜା ଓ ଅନ୍ୟ କେତେକ ରୋଗ ବ୍ୟାପିବାର ମୁଖ୍ୟ କାରଣ। ସେହିଭଳି ପୂର୍ବର ବହିରେ ଏଭଳି କେତେକ ଶବ୍ଦର ଉଦାହରଣ ଦିଆଯାଇଛି ଯାହାର ପ୍ରୟୋଗ ଆଜିକାଲି ବିଶେଷ ନାହିଁ। ଏଣୁ ରାଜ୍ୟ ସରକାରଙ୍କ ଦ୍ୱାରା ସେହି ପୁରୁଣା ବର୍ଣ୍ଣବୋଧ ବହିର ପୁନର୍ମୁଦ୍ରଣ ଏବର ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହୋଇପାରିବ ନାହିଁ।
ଅପର ପକ୍ଷରେ ଆମ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତଥାକଥିତ ‘ଆନାଲିଟିକ୍‌’ ପଦ୍ଧତି ଅନୁସରଣ କରି ପ୍ରାୟ ୨୦ ବର୍ଷ ତଳୁ ପ୍ରଚଳନ କରାଯାଇଥିବା ‘ହସଖେଳ’ ନାମକ ବହି କିପରି ଆମର ଭାଷାଶିକ୍ଷାକୁ ବିପର୍ଯ୍ୟସ୍ତ କରିଛି ସେକଥା ଜାଣିବା ପାଇଁ ପାଠକମାନେ ଆମ ପତ୍ରିକାର ଫେବ୍ରୁଆରି, ୨୦୨୫ ସଂଖ୍ୟାରେ ପ୍ରକାଶିତ, ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ‘ଷାଠିଏ ମହଣ ଘିଅ ଓ ଆମ ଭାଷା ରାଧିକା’ ଶୀର୍ଷକ ଲେଖାଟି ଦେଖିପାରନ୍ତି। ଏଣୁ ଏବର ଆବଶ୍ୟକତା ହେଉଛି, ଏକ ସୁଲିଖିତ ନୂତନ ଭାଷାଶିକ୍ଷା ପୁସ୍ତକ ଯାହା ଏବର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ ପ୍ରାଥମିକ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁକୂଳ ହୋଇପାରିବ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ , ୨୦୨୫ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )

Leave a Reply

Your email address will not be published. Required fields are marked *