ପୁସ୍ତକ ସଂସ୍କୃତିର ମୃତ୍ୟୁ ନାହିଁ। ପୁସ୍ତକ ସମୀକ୍ଷାର ବି।

ପୁସ୍ତକ ଆମର ଦୈନନ୍ଦିନ ଜୀବନର ଏକ ଅଂଶ ହୋଇଯାଇଛି, ସେ ମୁଦ୍ରିତ ରୂପରେ ହେଉ ବା ଇଲେକ୍ଟ୍ରନିକ୍ ଗଣମାଧ୍ୟମ ବା ଇ-ବୁକ୍ ରୂପରେ ହେଉ। ମୁଦ୍ରଣ ଯନ୍ତ୍ରର ବିକାଶ ପଞ୍ଚଦଶ ଶତାବ୍ଦୀରେ ହେବା ପରେ ଧୀରେ ଧୀରେ ମୁଦ୍ରିତ ପୁସ୍ତକ ଓ ତାହାର ବିପଣନର ବିଭିନ୍ନ ମାଧ୍ୟମ ଗଢ଼ିଉଠିଲା। ପୁସ୍ତକ ବିପଣନର ଏକ ଧାରା ବା ପଥ ଭାବରେ ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ପତ୍ରପତ୍ରିକାମାନଙ୍କରେ ପୁସ୍ତକ ବିଚାର ବା ପୁସ୍ତକ ସମୀକ୍ଷା ୟୁରୋପୀୟ ଦେଶମାନଙ୍କରେ, ବିଶେଷକରି ଇଂଲଣ୍ଡ ଓ ଫ୍ରାନ୍ସରେ ପ୍ରକାଶିତ ହେଲା। ଊନବିଂଶ ଶତାବ୍ଦୀରେ ପ୍ରକାଶିତ ଏଡିନବର୍ଗ ରିଭିଉ ଓ କ୍ୱାଟର୍ଲି ରିଭିଉକୁ ସାହିତ୍ୟ ପତ୍ରିକାମାନଙ୍କରେ ପୁସ୍ତକର ପ୍ରଥମ ସମୀକ୍ଷା ଭାବରେ ଗ୍ରହଣ କରାଯାଏ। ଏହି ସମୟରେ ମଧ୍ୟ ବଙ୍ଗୀୟ ପତ୍ରପତ୍ରିକାରେ ପୁସ୍ତକ ସମୀକ୍ଷା ପ୍ରକାଶିତ ହେବା ଆରମ୍ଭ ହୋଇଥିଲା।
୧୬୬୫ ମସିହାରେ ପ୍ରକାଶିତ ‘ଡେସ୍ କାଭାନ୍ସ’ (ଫ୍ରାନ୍ସ) ଓ ‘ଫିଲସଫିକାଲ୍ ଟ୍ରାଞ୍ଜାକସନସ ଅଫ୍ ଦି ରୟାଲ ସୋସାଇଟି’ (ଇଂଲଣ୍ଡ)କୁ ବୈଜ୍ଞାନିକ ବିଚାରର ପ୍ରଥମ ସମ୍ବାଦପତ୍ର ବା ଜର୍ଣ୍ଣାଲ ଭାବରେ ଗଣାଯାଏ। ଆଧୁନିକ ବୌଦ୍ଧିକ ବିଚାର ଏବଂ ‘ପିଅର୍ ରିଭିଉ’ର ଏହାହିଁ ଆରମ୍ଭ। ତତ୍ ପରବର୍ତ୍ତୀ ଦୁଇଶହ ବର୍ଷ ମଧ୍ୟରେ ସାଂସ୍କୃତିକ ତଥା ଶୈକ୍ଷିକ ବିଚାର ସହ ସାମ୍ପ୍ରତିକ ଚେତନା ପତ୍ରପତ୍ରିକାମାନଙ୍କର ଭିତ୍ତି ଭାବରେ ନିଆଗଲା। ପ୍ରଥମ ପ୍ରକାଶିତ ପତ୍ରିକା ‘ମରକ୍ୟୁର୍ ଗ୍ୟାଲାଣ୍ଟ’ (୧୬୭୨, ଫ୍ରାନ୍ସ) ଠାରୁ ଭାରତରେ ସ୍ୱାଧୀନୋତ୍ତର କାଳରେ ପ୍ରକାଶିତ ‘ଦି ବୁକ୍ ରିଭିଉ’, ‘ଇଣ୍ଡିଆନ୍ ଲିଟରେଚର୍’, ‘ଜର୍ଣ୍ଣାଲ ଅଫ୍ ପୋଷ୍ଟ’, ‘କଲୋନିଆନ୍ ରାଇଟିଂ’ ଓ ‘ଇଣ୍ଡିଆନ୍ ଜର୍ଣ୍ଣାଲ ଅଫ୍ କମ୍ପାରେଟିଭ ଲିଟରେଚର୍ ଆଣ୍ଡ୍ ଟ୍ରାନ୍ସଲେସନ ଷ୍ଟଡିଜ୍’ ପର୍ଯ୍ୟନ୍ତ ପ୍ରାୟ ତିନିଶହ ବର୍ଷ ହୋଇଛି ପୁସ୍ତକ ସମୀକ୍ଷାର ବିକାଶ। ଗତ ଚାରି ଦଶକ ମଧ୍ୟରେ ‘ଦି ନ୍ୟୁଜ୍ ଇଣ୍ଡିଆ’, ‘ପୁସ୍ତକ ସଂସ୍କୃତି’, ‘ଦି ବୁକ୍ ରିଭିଉ ଓଲକି’, ‘ସମକାଳୀନ ଭାରତୀୟ ସାହିତ୍ୟ’ ଆଦି ଶତାଧିକ ସାହିତ୍ୟ-ସଂସ୍କୃତି ଭିତ୍ତିକ ପତ୍ରିକାରେ ଅଗଣିତ ପୁସ୍ତକ ସମୀକ୍ଷା ପ୍ରକାଶିତ ହୋଇଛି।

ପୁସ୍ତକ ସମୀକ୍ଷାର ସ୍ୱରୂପ
ପତ୍ରିକାର କେତେ ଭାଗ ଅଂଶ ପୁସ୍ତକ ସମୀକ୍ଷା ଲାଗି ଦିଆଯିବ, ତାହା ସଂପାଦକ ମଣ୍ଡଳର ନିଷ୍ପତ୍ତି ଉପରେ ନିର୍ଭର କରେ। ସାହିତ୍ୟ ଏକାଡେମୀର ଇଣ୍ଡିଆନ ଲିଟରେଚର୍ ବା ସମକାଳୀନ ଭାରତୀୟ ସାହିତ୍ୟର ଏକ ଚତୁର୍ଥାଂଶ ସ୍ଥାନ ପୁସ୍ତକ ସମୀକ୍ଷା ପାଇଁ ନିର୍ଦ୍ଧାରିତ। ‘ଦି ବୁକ୍ ରିଭିଉ ଉଇକ୍ଲି’ ସମ୍ପୂର୍ଣ୍ଣ ଭାବରେ ପୁସ୍ତକ ସମୀକ୍ଷାର ପତ୍ରିକା। ଅନ୍ୟ ପତ୍ରିକାମାନେ ମଧ୍ୟ ସମ୍ପୃକ୍ତ ବିଷୟର ପୁସ୍ତକମାନଙ୍କର ସମୀକ୍ଷା ପ୍ରକାଶ କରିଥାନ୍ତି।
ପୁସ୍ତକ ସମୀକ୍ଷା ଗୋଟିଏ ରଚନା ବା ପ୍ରବନ୍ଧ ପରି। ବିଦ୍ୟାଳୟରେ ଆମେ ଯେଉଁ ରଚନା ବା ପ୍ରବନ୍ଧ ଲେଖା ଶିଖୁ, ତାହାର ମୁଖ୍ୟତଃ ତିନୋଟି ଭାଗ ଥାଏ। ସେଗୁଡିକ ହେଲା:
୧. ଉପକ୍ରମ
୨. ବର୍ଣ୍ଣନା
୩. ଉପସଂହାର
ତେବେ, ଏହି ବର୍ଣ୍ଣନା ସ୍ଥାନରେ ପୁସ୍ତକ ସମୀକ୍ଷାରେ ଥାଏ ପୁସ୍ତକର ଆଲୋଚନା ଓ ସଂପୃକ୍ତ ଲେଖକଙ୍କ ବିଶେଷତା ସମ୍ପର୍କରେ ସମାଲୋଚକୀୟ ମନ୍ତବ୍ୟ। ପୁସ୍ତକ ସମୀକ୍ଷା ସମ୍ପୃକ୍ତ ଲେଖକ ଲେଖେ ନାହିଁ। ଏକଦା ପ୍ରେମଚାନ୍ଦ ପତ୍ରପତ୍ରିକାମାନଙ୍କରେ ତାଙ୍କ ସମକାଳୀନ ଲେଖକମାନଙ୍କର ପୁସ୍ତକ ସମୀକ୍ଷା ଲେଖୁଥିଲେ। ବିଶିଷ୍ଟ ନାଟ୍ୟକାରଙ୍କ ପ୍ରାରମ୍ଭିକ ଲେଖକ ଜୀବନରେ ପୁସ୍ତକ ସମୀକ୍ଷା ଲେଖିବା ଥିଲା ଗୁଜୁରାଣର ମାଧ୍ୟମ। ଓଡ଼ିଶାର ବିଶିଷ୍ଟ ଲେଖକ ମନୋଜ ଦାସ ତତ୍କାଳୀନ ମାଡ୍ରାସରୁ ପ୍ରକାଶିତ ‘ଦି ହିନ୍ଦୁ’ ଖବରକାଗଜରେ ପ୍ରତି ସପ୍ତାହରେ ପୁସ୍ତକ ସମୀକ୍ଷା ଲେଖୁଥିଲେ। ‘ଇଣ୍ଡିଆନ ଲିଟରେଚର’ରେ ନିୟମିତ ପୁସ୍ତକ ସମୀକ୍ଷା ଲେଖୁଥିଲେ ପରବର୍ତ୍ତୀ ସମୟରେ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ହୋଇଥିବା ବୀରେନ୍ଦ୍ର କୁମାର ଭଟ୍ଟାଚାର୍ଯ୍ୟ।
ଓଡ଼ିଶାରେ ‘ଇସ୍ତାହାର’, ‘ମୂଲ୍ୟାୟନ’, ‘ସପ୍ତର୍ଷି’, ‘ବାଇଶି ପାହାଚ’, ‘ଅନୁଶୀଳନ’ ଆଦି ସାହିତ୍ୟ ପତ୍ରିକାରେ ଅଶୀ ଦଶକରୁ ଆରମ୍ଭଠାରୁ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ପର୍ଯ୍ୟନ୍ତ ସମୀକ୍ଷା ପ୍ରକାଶିତ ହେଉଥିଲା। ପୁସ୍ତକ ସମୀକ୍ଷାର ଏକମାତ୍ର ପତ୍ରିକା ଏକଦା ଥିଲା ‘ବହି ବିଚାର’। ତେବେ ଓଡ଼ିଶାରେ ତଥାକଥିତ ସମାଲୋଚକମାନଙ୍କ ଦ୍ୱାରା ଆଉ ପୁସ୍ତକ ସମୀକ୍ଷା ନ ଲେଖାଯିବା ଫଳରେ ଏହି ବିଶିଷ୍ଟ ସାହିତ୍ୟିକ ଧାରାଟିର ବିକାଶ ଓଡ଼ିଶାରେ ହୋଇପାରି ନାହିଁ।
ପୁସ୍ତକ ପରିଚୟ
ଖବରକାଗଜ ଓ ପତ୍ରପତ୍ରିକାକୁ ଆସୁଥିବା ପର୍ଯ୍ୟାପ୍ତ ବହିର ପୁସ୍ତକ ସମୀକ୍ଷା ନ ହୋଇପାରିବା ଫଳରେ ବହିର ପ୍ରାପ୍ତିସ୍ୱୀକାର ସୂଚାଇ ଗୋଟିଏ ପାରାଗ୍ରାଫ୍ରେ ବହିର ନାମ, ଲେଖକଙ୍କ ନାମ, ପ୍ରକାଶକଙ୍କ ନାମ, ମୂଲ୍ୟ ଆଦି ସୂଚାଇ ପ୍ରକାଶିତ ହେଲା। ସାହିତ୍ୟ ଏକାଡେମୀର ‘ଇଣ୍ଡିଆନ ଲିଟରେଚର’ର ପଛପଟ ପ୍ରଚ୍ଛଦର ଭିତର ଭାଗରେ ବହିମାନଙ୍କର ଆଇଏସବିଏନ୍ ନମ୍ବର ସହ ପାରାଗ୍ରାଫମାନ ପ୍ରକାଶ ପାଇବା ଆମ ଦୃଷ୍ଟିକୁ ଆସିଛି।
ଏକଦା ବହି ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଗଣାଯାଉଥିଲା। ବହିର ବିଜ୍ଞାପନ ଦର ଥିଲା ଅନ୍ୟାନ୍ୟ ବାଣିଜ୍ୟିକ ବସ୍ତୁଠାରୁ ଯଥେଷ୍ଟ କମ୍। ଗତ ଦଶବର୍ଷ ଭିତରେ ବହିର ବିଜ୍ଞାପନ ଦର ଓ ସାବୁନର ବିଜ୍ଞାପନ ଦର ଭିତରେ ବିଶେଷ ପ୍ରଭେଦ ନାହିଁ। ଏବେ ତ ପ୍ରକାଶକ ବହି ସମୀକ୍ଷା ପାଇଁ ବି ଦିଅନ୍ତି ନାହିଁ, ସେ ପୁଣି ବିଜ୍ଞାପନ କରିବେ? ଅଧିକାଂଶ ଓଡ଼ିଆ ବହିର ସମୀକ୍ଷା ହେତୁ ପ୍ରୟାସ ବା ବିଜ୍ଞାପନର ବ୍ୟବସ୍ଥା ଆର୍ଥିକ ସ୍ୱଚ୍ଛଳ ଲେଖକମାନେ କରିଥାନ୍ତି; ସେଇଟି ପୁଣି ସାହିତ୍ୟିକ ପତ୍ରିକାମାନଙ୍କରେ ରିହାତି ମୂଲ୍ୟରେ।
ବହିର ପ୍ରଚାର ବା ସମୀକ୍ଷା ପାଇଁ ଓଡ଼ିଶାରେ ହେଉଥିବା ସଭା ସମିତିରେ ଏବେ ରାଜନୀତିଜ୍ଞ ବା ବ୍ୟୁରୋକ୍ରାଟମାନେ ଆସି ସେଇ ବହି ବିଷୟରେ କୁହନ୍ତି, ଯାହା ସେମାନେ ପଢ଼ି ନ ଥାନ୍ତି। ସେଇ ସଭାରେ ବହି ବିଷୟରେ ଜଣେ ଦି’ଜଣ କୁହନ୍ତି, ହେଲେ ସେମାନଙ୍କ ଜ୍ଞାନ ବହିର ମୁଖବନ୍ଧ ବା ପଛପଟ ପ୍ରଚ୍ଛଦପଟ ଉପରେ ନିର୍ଭରଶୀଳ ଥାଏ। ଗୋଟିଏ ସଭାରେ ଲୋକସଭାର ତତ୍କାଳୀନ ଅଧ୍ୟକ୍ଷ ମୀରା କୁମାର କହିଲେ, ‘ଏବେ ମୁଁ ଯେଉଁ ବହିଟି ଉନ୍ମୋଚନ କଲି, ତାହା ଗତ ମାସରୁ ମୋ ପାଖେ ଅଛି। କାର୍ଯ୍ୟବ୍ୟସ୍ତତା ହେତୁ ମୁଁ ଏହାକୁ ପଢ଼ିପାରି ନାହିଁ। ଏବେ ସମୟ ହେଲେ ପଢ଼ିବି।’ ଏଥିରୁ ଜଣାପଡେ ଯେ, ତଥାକଥିତ ବିଶେଷଜ୍ଞମାନେ ସାରା ଦେଶରେ କ୍ୱଚିତ୍ କ୍ଷେତ୍ରରେ ବକ୍ତବ୍ୟ ଦେବା ଆଗରୁ ସଂପୃକ୍ତ ପୁସ୍ତକଟି ପଢ଼ିଥାନ୍ତି। ରାଜନୈତିକ ନେତା ବା ବ୍ୟସ୍ତ ବ୍ୟୁରୋକ୍ରାଟ୍ମାନଙ୍କ ପାଖରେ ବହି ପଢ଼ିବା ପାଇଁ ସମୟ ନାହିଁ।
ବହିର ସମୀକ୍ଷା ପରି ଆଉ ଏକ ପ୍ରସାର ଅଭିମୁଖୀ ବ୍ୟବସ୍ଥା ଇଂରାଜୀ ପୁସ୍ତକମାନଙ୍କ ପାଇଁ କରାଯାଏ। ଏହାର ଆରମ୍ଭ ସିଙ୍ଗାପୁରରେ ହୋଇଥିଲା। ଏହାକୁ ‘ପ୍ରାକ୍-ପ୍ରକାଶନ ସମୀକ୍ଷା’ ବା ଇଂରାଜୀରେ ‘ପ୍ରି ପବ୍ଲିକେଶନ ରିଭିଉ’ ବୋଲି କୁହାଯାଏ। ବହିର ପ୍ରକାଶକ ପ୍ରବୀଣ ସଂପାଦକମାନଙ୍କୁ ପ୍ରକାଶନ ପୂର୍ବରୁ ବହିର ମୁଦ୍ରିତ ପାଠ ଦେଇ ଏହି ବ୍ୟବସ୍ଥା କରାଇଥାନ୍ତି। ଅନେକ କ୍ଷେତ୍ରରେ ପ୍ରି ପବ୍ଲିକେଶନ ପାର୍ଟି ବା ପ୍ରାକ୍ ପ୍ରକାଶନ ଭୋଜି ମଧ୍ୟ ଫ୍ରାନ୍ସରେ ହୁଏ। ଭାରତର କଲିକତାରେ ଏକଦା ଏ ପ୍ରକାର ଭୋଜି ହେଉଥିଲା। ବଙ୍ଗଳା ଖବରକାଗଜ ‘ଆନନ୍ଦ ବଜାର ପତ୍ରିକା’ ଏ ପ୍ରକାର ସମ୍ବାଦ ଅଗ୍ରାଧିକାର ଭିତ୍ତିରେ ପ୍ରକାଶ କରୁଥିଲେ। ଏହି ଭୋଜି ସଭାରେ ଲେଖକ, ପ୍ରକାଶକ, ସମାଲୋଚକ, ସମୀକ୍ଷକ ଆଦି ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖୁଥିଲେ। ଓଡ଼ିଶାରେ ଏ ପ୍ରକାର ପ୍ରାକ୍ ପ୍ରକାଶନ ଭୋଜି ବା ଖବରକାଗଜର ସାପ୍ତାହିକ ସାହିତ୍ୟ ପୃଷ୍ଠାରେ ଲେଖା ଛପିବାର ନଜିର ନାହିଁ। ଏକଦା ଭଗବାନ ନାୟକ ବର୍ମା ‘ଧରିତ୍ରୀ’ ସାପ୍ତାହିକୀରେ ଏହା କରିବାକୁ ଚାହିଁଥିଲେ, ମାତ୍ର ସଂପାଦକଙ୍କ ଅନୁମତି ମିଳିଲା ନାହିଁ।

ବୁକ୍ସ ଅନ୍ ଡିମାଣ୍ଡ
ଗତ ଦୁଇ ଦଶନ୍ଧି ଭିତରେ ଲେଖକ ନିଜ ଇଚ୍ଛା ଅନୁସାରେ ସୀମିତ ସଂଖ୍ୟକ ବହି ପ୍ରକାଶ କରେଇ ପାରୁଛନ୍ତି। ବହୁ ବଡ଼ ବଡ଼ ପ୍ରକାଶକ ଏବେ ଲେଖକ ବା ପାଠକଙ୍କ ଚାହିଦା ମୁତାବକ ବହି ପ୍ରକାଶ କରୁଛନ୍ତି। ଏ ବହିମାନଙ୍କର ସମୀକ୍ଷା ହୁଏ ନାହିଁ କହିଲେ ଚଳେ। ଅନେକ ନିର୍ଦ୍ଦିଷ୍ଟ ବହି ଦୋକାନ ସାମ୍ନାରେ ପ୍ରକାଶକଙ୍କ ସହ ଠିଆହୋଇ ଫଟୋ ନେଇ ପୁସ୍ତକ ଉନ୍ମୋଚନ ଖବର ଭାବେ ସମ୍ବାଦପତ୍ରରେ ପ୍ରକାଶ କରିଥାନ୍ତି। ଆମାଜନ୍, ଫ୍ଲିପ୍କାର୍ଟ ଏବଂ ଅନ୍ୟାନ୍ୟ ପ୍ରସାର ବ୍ୟବସ୍ଥାରେ ଅନ୍ଲାଇନ ବହି କିଣା ପାଠକ ବା କ୍ରେତାଙ୍କ ଚାହିଦା ମୁତାବକ ହୋଇଥାଏ। ଏ ପ୍ରକାର ବହିଗୁଡ଼ିକର ମୁଦ୍ରଣ ସଂଖ୍ୟା ୫୦ରୁ ୧୦୦ ଭିତରେ। କିଣ୍ଡଲ୍ ମାଧ୍ୟମରେ ପ୍ରସାରିତ ଇ-ବୁକ୍ମାନଙ୍କର ବିକ୍ରି ଅସୀମ, ହେଲେ ତାହାର ହିସାବ ମିଳିବା କଷ୍ଟକର। ଏହି ବହିମାନଙ୍କର ସମୀକ୍ଷା ସଂପୃକ୍ତ ୱେବସାଇଟ୍ରେ ହେଉଥିବାରୁ ସାଧାରଣ ପାଠକ ତାହା ପଢ଼ିବା ସମ୍ଭବ ନୁହେଁ, ଇ-ବୁକ୍ ବା କିଣ୍ଡଲ ରିଡରର ପ୍ରସାର ଭାରତରେ ଏବେ ବିଶେଷ ହୋଇନାହିଁ।
ବୁକ୍ସ ଅନ୍ ଡିମାଣ୍ଡ ଓ ବାଏ ବ୍ୟାକ୍ ପଦ୍ଧତି ଆମ ପଠନ ସଂସ୍କୃତିର ପର୍ଯ୍ୟାପ୍ତ କ୍ଷତି କରିଛି। ବଜାରରେ ଏ ବହି ନ ମିଳିବା ଫଳରେ ପଠନ ପ୍ରବୃତ୍ତି ବି କ୍ଷତିଗ୍ରସ୍ତ। ପୁସ୍ତକ ସମୀକ୍ଷା ବି ତଦନୁରୂପ ଭାବେ କ୍ଷୟମାଣ। ଚା’ ଦୋକାନ ବା ବଜାରରେ ନୂଆ ବହି ବିଷୟରେ ଆଲୋଚନା ହେଉନାହିଁ କହିଲେ ଚଳେ। ଏବେ ଏକ ନୂଆ ପ୍ରକାରର ବହି ଦୋକାନ ଖୋଲିଲାଣି। ଏହାର ନାମ ବୁକ୍ କାଫେ, ଯାହାକି ସମ୍ଭ୍ରାନ୍ତବର୍ଗ ବା ଆର୍ଥିକ ସ୍ୱଚ୍ଛଳ ପାଠ ପଢ଼ୁଆ ଲୋକଙ୍କ ଭିତରେ ସୀମାବଦ୍ଧ।
ତେବେ, କିଣ୍ଡଲ୍ ବା ଆମାଜନ୍ କ୍ରେତାମାନେ ନିଜ ମୂଲ୍ୟାଙ୍କନ ବା ରେଟିଂ ଓ ସମୀକ୍ଷା ପୁସ୍ତକ ପ୍ଲାଟଫର୍ମରେ ଦେଇପାରିବେ। କେତେକ ପାଠକ ଗୁଡରିଡ୍ସ୍ ସାଇଟ୍ରେ ଭଲ ଲାଗିଥିବା ବହିର ମୂଲ୍ୟାଙ୍କନ କରିଥାନ୍ତି। ସାମାଜିକ ଗଣମାଧ୍ୟମ ଏବଂ ବ୍ଲଗ୍ ମାଧ୍ୟମରେ, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମର ପ୍ଲାଟଫର୍ମରେ କେତେଜଣ ପାଠକ ବି ନିଜ ସମୀକ୍ଷା ଦେଇପାରନ୍ତି। ଏଗୁଡିକ ବୃତ୍ତିଗତ ସମୀକ୍ଷକ ବା ବ୍ଲଗରମାନେ ପାଶ୍ଚାତ୍ୟ ଦେଶମାନଙ୍କରେ କରନ୍ତି, ହେଲେ ଭାରତ ଭଳି ଦେଶରେ ଏହାର ବିଶେଷ ବିକାଶ କିମ୍ବା ପ୍ରସାର ହୋଇନାହିଁ।
ସମୀକ୍ଷାର ପ୍ରସାରଣ
ବିକାଶଶୀଳ ଦେଶମାନଙ୍କରେ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଯାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ପୁସ୍ତକ ସମୀକ୍ଷାର ନିଃଶୁଳ୍କ ବିତରଣ ଘଟିବା ଏବେ ଦେଖାଯାଇଛି। ତେଣୁ ପାଠକବର୍ଗ ନିର୍ଦ୍ଧାରିତ ବହିର ପ୍ରସାର ଆର୍ଥିକ ଦେୟ ମାଧ୍ୟମରେ ହୁଏ, ତେଣୁ ସେହି ପାଠକବର୍ଗଙ୍କୁ ନିର୍ଦ୍ଧିଷ୍ଟ ପେସାଦାର ସମୀକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ ପୁସ୍ତକ ସମୀକ୍ଷା ଦେବା ଫଳରେ ପଠନ ରୁଚିର ବିକାଶ ହେଉଛି ବୋଲି କୁହାଯାଉଛି। ତେବେ ଏହା ଯୁକ୍ତିସାପେକ୍ଷ।
ଭାରତରେ ଜାତୀୟ ପୁସ୍ତକ ନ୍ୟାସର ଏକ ଅନୁଭାଗ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକବର୍ଗଙ୍କ ପାଇଁ ପରିଚାଳିତ ପାଠକ ମଞ୍ଚ ମାଧ୍ୟମରେ ପଠନ ସଂସ୍କୃତିର ତୃଣମୂଳ ସ୍ତରରେ ବିକାଶର ଉଦ୍ୟମ ଭଳି ସିଙ୍ଗାପୁର ଆଦି ଦେଶମାନଙ୍କର ପାଠକ ମଞ୍ଚ ଯୋଜନା ଗତ ଦୁଇ ଦଶକରେ ଆରମ୍ଭ ହୋଇଥିଲା। ତେବେ, ଆନୁଷ୍ଠାନିକ ପ୍ରୋତ୍ସାହନ ଅଭାବରୁ କୋଭିଡ୍ ମହାମାରୀ କାଳରେ ଏହି ମହଲର ଉଦ୍ୟମ ଶିଥିଳ ହୋଇଛି। ଏହି ଆନ୍ଦୋଳନ ମାଧ୍ୟମରେ ତରୁଣ ପାଠକମାନଙ୍କ ଦ୍ୱାରା ପଠିତ ପୁସ୍ତକର ସମୀକ୍ଷା ଏବଂ ସେ ଦିଗରେ ହୋଇଥିବା ଲକ୍ଷାଧିକ ଆଲୋଚନାଚକ୍ର ତଥା କର୍ମଶାଳା ମାଧ୍ୟମରେ ପୁସ୍ତକ ସମୀକ୍ଷା ଏକ ଗଣ ଆନ୍ଦୋଳନର ରୂପ ନେଇଥିଲା।
ଶିକ୍ଷାନୀତି ଓ ପୁସ୍ତକ ପ୍ରସାର
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟରେ ଆରମ୍ଭ କରାଯାଇଥିବା ନୂତନ ଶିକ୍ଷାନୀତି ଏବଂ ତତ୍ପୂର୍ବରୁ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଆରମ୍ଭ କରାଯାଇଥିବା ଅପରେସନ୍ ବ୍ଲାକ୍ବୋର୍ଡ ବିଭିନ୍ନ ପର୍ଯ୍ୟାୟ ଦେଇ ଏବେ ନୂତନ ଶିକ୍ଷାନୀତି, ୨୦୨୦ ଏବଂ ନ୍ୟାସନାଲ କରିକୁଲମ ୨୦୨୩ ସହ ସମଗ୍ର ଶିକ୍ଷା ଯୋଜନା ମାଧ୍ୟମରେ ପଠନ ସଂସ୍କୃତିର ବିକାଶ ପାଇଁ କାର୍ଯ୍ୟ କରୁଛି। ଏହା ବିଷୟରେ ଆଲୋଚନା ନ କଲେ ପୁସ୍ତକ ସମୀକ୍ଷାର ଭାରତୀୟ ଉପମହାଦେଶରେ ବିକାଶ ସମ୍ପର୍କରେ ଆଲୋଚନା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ।
ପ୍ରାଥମିକ ବିଦ୍ୟାଳୟରେ ପାଠାଗାର ସୃଷ୍ଟି ସହ ପାଠ୍ୟ ଅତିରିକ୍ତ ପୁସ୍ତକ ବା ଲାଇବ୍ରେରୀ ପୁସ୍ତକ ଅପରେସନ ବ୍ଲାକ୍ବୋର୍ଡ ବା କଳାପଟା ଅଭିଯାନ ସମୟରେ ଆରମ୍ଭ ହୁଏ। ନବେ ଦଶକରେ ପଠନ ସଂସ୍କୃତି ବଢ଼ାଇବା ପାଇଁ ସ୍ଥାପିତ ହୁଏ ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର। ସମକାଳରେ ରାଜସ୍ଥାନରେ ଲୋକ ଜୁମ୍ବିସ୍ ମିଶନ ଦ୍ୱାରା ବାଳିକା ଶିକ୍ଷା ଶିବିର ଯୋଜନା ଆରମ୍ଭ ହୁଏ। ଏହି ଯୋଜନାରେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ଲକ୍ଷ ଲକ୍ଷ ବାଳିକା ତିନି ବର୍ଷ କ୍ରାସ୍ କୋର୍ସ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ପାଞ୍ଚବର୍ଷ ପାଠ୍ୟକ୍ରମ ସରନ୍ତି। ଏହି ମିଶନର ଏକ ପ୍ରମୁଖ ଭାଗ ଥିଲା ପାଠାଗାର ଏବଂ ଶିଶୁ ଓ ଶିକ୍ଷକମାନଙ୍କ ଦ୍ୱାରା ପୁସ୍ତକ ପଠନ ଓ ସମୀକ୍ଷା। ଏହି ସମୀକ୍ଷାମାନ ବାଳିକା ଶିକ୍ଷା ଶିବିରରେ ପଠନ ସାମଗ୍ରୀ ଭାବେ ଗଚ୍ଛିତ ହୋଇ ରହୁଥିଲା।
ଆନ୍ତର୍ଜାତିକ ସଂସ୍ଥା ୟୁନିସେଫ୍ ଓ ୟୁନେସ୍କୋ ମଧ୍ୟ ଏକବିଂଶ ଶତାବ୍ଦୀର ପ୍ରଥମ ଦଶକରେ ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ ପୁସ୍ତକ ପ୍ରକାଶନ ଉଦ୍ୟମ ଆରମ୍ଭ କରିଥିଲେ। ବିଭିନ୍ନ କର୍ମଶାଳା ମାଧ୍ୟମରେ ଲେଖକମାନଙ୍କୁ ଏକାଠି କରି ପୁସ୍ତକ ପ୍ରସ୍ତୁତି ଏବଂ ବିଦ୍ୟାଳୟମାନଙ୍କରେ ତାହାର କ୍ଷେତ୍ର ପରୀକ୍ଷଣ ପାଇଁ ପ୍ରୋତ୍ସାହନ ପୁସ୍ତକ ସମୀକ୍ଷା ପାଇଁ ସୃଷ୍ଟିକଲା ନୂତନ ଦିଗନ୍ତ। ଏହି କାର୍ଯ୍ୟକ୍ରମରେ ନାଳନ୍ଦା, ଜାତୀୟ ଶିଶୁ ସାହିତ୍ୟ କେନ୍ଦ୍ର, ବୋଧ ଏବଂ ଅନେକ ସଂସ୍ଥା ପ୍ରସ୍ତୁତ କରିଥିଲେ ଅଜସ୍ର ପାଠ୍ୟ ଅତିରିକ୍ତ ବା ସହଭାଗୀ ପୁସ୍ତକ। ପୁସ୍ତକ ସମୀକ୍ଷା ପାଇଁ ଏହି ସମୟରେ ପ୍ରକାଶ ପାଏ ‘ବହି ବିଚାର’ ଭଳି ଅନେକ ପତ୍ରିକା।
ପୁସ୍ତକ ସମୀକ୍ଷାର ଭବିଷ୍ୟତ
ଗତ ଶତାବ୍ଦୀରେ ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଖବରକାଗଜରେ ତତ୍କାଳୀନ ମାଲିକ ଏକ ବକ୍ତବ୍ୟ ରଖିଥିଲେ ଯେ, ‘ଆଗାମୀ ଶତାବ୍ଦୀରେ ଲୋକେ ଖବରକାଗଜ ଏବଂ ବହି କମ୍ପ୍ୟୁଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଗଣମାଧ୍ୟମରୁ ପଢ଼ିବେ।’ ଏକ ସର୍ବେକ୍ଷଣରୁ ଏବେ ଜଣାପଡିଛି ଯେ କୋଭିଡ୍ ମହାମାରୀ କାଳରେ ପୃଥିବୀର ଅର୍ଦ୍ଧାଧିକ ପାଠାଗାର ପାଠକ ଅଭାବରୁ ବନ୍ଦ ହୋଇଯାଉଛନ୍ତି। ଗତ ପାଞ୍ଚବର୍ଷ ଭିତରେ ଓଡ଼ିଆ ବହିର ପ୍ରକାଶନ ପଚାଶ ଭାଗ ହ୍ରାସ ପାଇଛି। ପୁସ୍ତକ ମେଳା ଏବେ ସରକାର କରୁଛନ୍ତି, କିନ୍ତୁ ବହିର ବିପଣନ ସତୁରି ଭାଗ ହ୍ରାସ ପାଇଛି। ସରକାରୀ ପ୍ରକାଶନ ସଂସ୍ଥାମାନେ ସରକାରଙ୍କ ଖର୍ଚ୍ଚରେ ବହି ପ୍ରକାଶ କରି ସରକାରଙ୍କୁ ସେହି ବହି ବିକି ଉପାର୍ଜନ କରିଛନ୍ତି ସତ, ମାତ୍ର ଘରୋଇ ପ୍ରକାଶନ ପ୍ରାୟତଃ ଅଧାରୁ ଅଧିକ ହ୍ରାସ ପାଇଛି। ଲୋକେ ବହି କିଣୁ ନାହାନ୍ତି, ପାଠାଗାର ପ୍ରାୟତଃ ବନ୍ଦ, ପତ୍ରପତ୍ରିକାରେ ପୁସ୍ତକ ସମୀକ୍ଷା ଲେଖୁଥିବା ବିଶେଷଜ୍ଞଙ୍କ ପରିମାଣ ହ୍ରାସ ପାଇବା ସ୍ୱାଭାବିକ। ବିପଣନ ଓ ବିଜ୍ଞାପନ ଅଭାବରୁ ଅନେକ ଓଡ଼ିଆ ପତ୍ରିକା ଏବେ ବର୍ଷକୁ ଦୁଇଟି ସଂଖ୍ୟା ବି ପ୍ରକାଶ କରିପାରୁ ନାହାନ୍ତି।
ତେବେ, ପୁସ୍ତକ ସଂସ୍କୃତିର ମୃତ୍ୟୁ ନାହିଁ। ପୁସ୍ତକ ସମୀକ୍ଷାର ବି। ଯେ ପର୍ଯ୍ୟନ୍ତ ବହି ଅଛି, ଯେମିତି ରୂପରେ ହେଉ ପଛେ, ପୁସ୍ତକ ସମୀକ୍ଷାରେ ଯାହା ବି ଲେଖା ହେଉ ପଛେ, ସାହିତ୍ୟ ଆଲୋଚନାର ପରମ୍ପରା ବି ସେପର୍ଯ୍ୟନ୍ତ ବଞ୍ଚି ରହିବ ଯେ ଯାଏଁ ସାହିତ୍ୟ ସମୀକ୍ଷକମାନେ ଲେଖିବେ ଓ ସାହିତ୍ୟ ପତ୍ରିକାମାନ ପ୍ରକାଶିତ ହେଉଥିବ। ସଂଖ୍ୟାରେ କିଛି ଯାଏ ଆସେ ନାହିଁ।
ଗତ ଚାଳିଶ ବର୍ଷରେ ପାଠକୀୟ ରୁଚି ବଦଳିଛି। ଶିଶୁମାନେ ବି ସକ୍ରିୟ ପାଠକ ହେଲେଣି। ତକନିକୀ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ସୁବିଧା ଆମେ ଉଠାଇବା ଆବଶ୍ୟକ। ଯଦି ଇ-ପାଠାଗାର ପୁସ୍ତକ ସଂସ୍କୃତି ବଢ଼ାଇପାରିବ, ଆମେ ବିଚଳିତ ହେବା କାହିଁକି? ବହି ବିଭିନ୍ନ ମାଧ୍ୟମରେ ପଢ଼ି ତାହା ସମ୍ପର୍କରେ ମତ ରଖିପାରିଲେ ପୁସ୍ତକ ସମୀକ୍ଷା ନିୟମିତ ହେବ ଏବଂ ବହିର ଭବିଷ୍ୟତ ଉଜ୍ଜ୍ୱଳ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି ୨୦୨୫ ସଂଖ୍ୟାରେ ପ୍ରକାଶିତ।)