ପୁସ୍ତକ ସମ୍ପାଦନା କାହିଁକି

ଏହି କାହିଁକିର ଯଥାର୍ଥ ଉତ୍ତରଟିଏ ଖୋଜିବା ପାଇଁ ଆମ ଓଡ଼ିଆ ସାହିତ୍ୟ ଜଗତର ନା ଲେଖକ, ନା ପ୍ରକାଶକ, କେହି ବି ଆଗ୍ରହୀ ଥିବା ଭଳି ମନେହୁଏ ନାହିଁ। ଏହାର ପରିଣାମ ହେଲା, ଆମ ଭାଷାରେ ପ୍ରକାଶିତ ହେଉଥିବା ବହିଗୁଡ଼ିକ ମୁଦ୍ରିତ ହେବା ପୂର୍ବରୁ କୌଣସି ବୃତ୍ତିଗତ ସମ୍ପାଦକଙ୍କ ଦ୍ବାରା ସମ୍ପାଦିତ ହୁଅନ୍ତି ନାହିଁ।
ଆମେ ଏଠାରେ ପ୍ରୁଫ୍ ସଂଶୋଧନର କଥା କହୁନାହୁଁ; କାରଣ ପ୍ରୁଫ୍ ସଂଶୋଧନ ଓ ସମ୍ପାଦନା ଦୁଇଟି ଭିନ୍ନ କାର୍ଯ୍ୟ। ଅବଶ୍ୟ ପ୍ରୁଫ୍-ସଂଶୋଧନ ସ୍ଥଳ ବିଶେଷରେ ସମ୍ପାଦନାର ଏକ ଅଙ୍ଗ ମଧ୍ୟ ହୋଇପାରେ, ଅର୍ଥାତ୍ ଜଣେ ପୁସ୍ତକ-ସମ୍ପାଦକ ନିଜ ସମ୍ପାଦନା କାର୍ଯ୍ୟର ଅଂଶ ସ୍ବରୂପ ପ୍ରୁଫ୍ ସଂଶୋଧନର ଦାୟିତ୍ବ ମଧ୍ୟ ବହନ କରିପାରନ୍ତି।
କିନ୍ତୁ ଆମ ଭାଷାରେ ପ୍ରକାଶିତ ଅନେକ ବହିର ତ ପ୍ରୁଫ୍ ସଂଶୋଧନ ହିଁ ହୁଏନାହିଁ; ଏବଂ ଏମିତି ବି ଦେଖାଯାଏ ଯେ କେବେ କେବେ ସଂପୃକ୍ତ ବହିର ଲେଖକ ଜଣକ ନିଜେ ହିଁ ନିଜ ବହିର ପ୍ରୁଫ୍‌-ରିଡର୍ ଭୂମିକାରେ ଅବତୀର୍ଣ୍ଣ ହୋଇ ତାହାର ସଂଶୋଧନ କରିଦିଅନ୍ତି। ଏହା ପଛରେ ହୁଏତ ଥାଏ ଲେଖକୀୟ ଅହଂ, ଅର୍ଥାତ୍, “ମୋ’ର ଲେଖାରେ ଆଉ ଜଣେ କେମିତି ବା ଭୁଲ୍ ଖୋଜିପାରିବ?” ଭଳି ଚିନ୍ତନ। ଏହାର ଅନ୍ୟ‌ ଏକ ଦିଗ ହେଲା, “ଆପେ ରୁଚି ଭୋଜନ, ପର ରୁଚି ବସନ” – ଅଧିକାଂଶ ଲେଖକ ନିଜର ରଚନାକୁ ଏହି ଲୋକୋକ୍ତିରେ ଥିବା ଭୋଜନ ସହିତ ତୁଳନା କରିନିଅନ୍ତି; ପର ରୁଚି (ଅର୍ଥାତ୍ ପାଠକମାନଙ୍କ ପାଇଁ ଉଦ୍ଦିଷ୍ଟ) ବସନ ସହିତ ନୁହଁ। ତେଣୁ ସେମାନେ ନିଜର ରଚନାକୁ ନିଜର‌ ରୁଚି ମୁତାବକ ହିଁ ସଜାଡନ୍ତି; ଏବଂ ତାହାକୁ ଜଣେ ସମ୍ପାଦକଙ୍କ ନୀତି ଅନୁସାରେ ବଦଳାଇବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ।
ଆମ ରାଜ୍ୟରେ କିଛି ସଂଖ୍ୟକ ଦକ୍ଷ ପ୍ରୁଫ୍-ରିଡର୍ ଅଛନ୍ତି; କିନ୍ତୁ ବୃତ୍ତିଗତ ପୁସ୍ତକ-ସଂପାଦକ ଜଣେ ବି ନାହାନ୍ତି; କାରଣ ଆମର ପ୍ରକାଶନ ଶିଳ୍ପରେ ସେମାନଙ୍କର ଲୋଡ଼ାପଡ଼େ ନାହିଁ। ଭୁବନେଶ୍ବରରେ ଅବସ୍ଥାନ କରୁଥିବା ଇଂରାଜୀ ଭାଷାର ବର୍ଷୀୟାନ ତଥା ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପୁସ୍ତକ-ସମ୍ପାଦକ ଜୀବନ ନାୟାରଙ୍କ ସହିତ ଏ ବିଷୟରେ ବାର୍ତ୍ତାଳାପ କରିବାର ଅବସର ଥରେ ଆମକୁ ମିଳିଥିଲା। ସେ କହିଲେ ଯେ, ଜଣେ ଲେଖକ ଯେତେ ଦକ୍ଷ ହୋଇଥାଆନ୍ତୁ ନା କାହିଁକି, ଅପର ଜଣେ ଯେତେବେଳେ ତାଙ୍କର ସମ୍ପାଦିତ ହୋଇନଥିବା ଲେଖାଟିଏ ପଢ଼ନ୍ତି ସେତେବେଳେ ସେଥିରେ ତାଙ୍କୁ କିଛି ନା କିଛି ତ୍ରୁଟି ଦିଶିଯାଏ।
ଏ ଦୃଷ୍ଟିରୁ କୌଣସି ବହିର ମୁଦ୍ରଣ ପୂର୍ବରୁ ଜଣେ ବୃତ୍ତିଗତ ସମ୍ପାଦକଙ୍କ ଦ୍ବାରା ତାହାର ସମ୍ପାଦନା କରାଇବାର ମହତ୍ତ୍ବ ସମସ୍ତ ଲେଖକ ଓ ପ୍ରକାଶକମାନେ ଅନୁଭବ କରିବାର ବେଳ ଆସିଛି। ଗୋଟିଏ ବହିକୁ ମାନସମ୍ପନ୍ନ କରିବାପାଇଁ ଜଣେ ସମ୍ପାଦକଙ୍କର ଦାୟିତ୍ବ ଅନେକ; ଯେମିତି (୧) କଥାବସ୍ତୁର ସଂରଚନା ଓ ଚରିତ୍ରମାନଙ୍କର ଗଢ଼ଣରେ ସୁଧାର, (୨) ଲାଇନ୍-ଏଡିଟିଂ, ଅର୍ଥାତ୍ କାହାଣୀ କିମ୍ବା ବିଷୟବସ୍ତୁର ପ୍ରବାହ ଓ ରଚନା ଶୈଳୀରେ ଉପଯୁକ୍ତ ପରିବର୍ତ୍ତନ, (୩) କପି-ଏଡିଟିଂ, ଅର୍ଥାତ୍ ଭାଷାର ବ୍ୟାକରଣଗତ ତ୍ରୁଟି ଓ ଲେଖାର ତଥ୍ୟଗତ ତ୍ରୁଟି କିଛି ଥିଲେ ସେଥିରେ ସଂଶୋଧନ ସହ ତାହାକୁ ଲେଖକଙ୍କ ନିର୍ଦ୍ଦିଷ୍ଟ ଶୈଳୀରେ ଢାଳିବା, (୪) ପ୍ରୁଫ୍-ରିଡିଂ, ଅର୍ଥାତ୍ ଟାଇପିଙ୍ଗ୍ ଜନିତ ତ୍ରୁଟି ଓ ବାକ୍ୟ ଗଠନ ଜନିତ ବିସଙ୍ଗତିଗୁଡ଼ିକର ସଂଶୋଧନ, ତଥା (୫) ବହିର ମାନ ଓ ଆଦୃତି ବଢ଼ାଇବା ଉଦ୍ଦେଶ୍ୟରେ ଲେଖକଙ୍କୁ ଯଥୋଚିତ ପରାମର୍ଶ।
ଗୋଟିଏ ବହିର ସଫଳତା ପଛରେ ଏହି ସମସ୍ତ ଧରଣର ସମ୍ପାଦନା-ସେବାର ଭୂମିକାକୁ କେହି ଅସ୍ବୀକାର କରିପାରିବେ ନାହିଁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୫ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )

2 thoughts on “ପୁସ୍ତକ ସମ୍ପାଦନା କାହିଁକି

  1. ଆପଣଂକର ସଂପାଦକୀୟ “ପୁସ୍ତକ ସଂପାଦନା କାହିଁକି” ମୋତେ ବହୁତ ଭଲ ଲାଗିଲା।
    ଓଡ଼ିଶାରେ କାହିଁକି, ପ୍ରାୟ ସବୁ ପ୍ରାନ୍ତୀୟ ଭାଷାରେ ଲେଖକର ଲେଖାକୁ ପ୍ରକାଶକର କେହିଜଣେ କିଛି ମାତ୍ରାରେ ବି ବଦଳେଇ ଦେବା କଥାର କୌଣସି ପ୍ରଚଳନ ଅଥବା ପରମ୍ପରା ନାହିଁ।
    କେବଳ ପତ୍ରିକାର ଅଥବା ଖବରକାଗଜର ସଂପାଦକର କତୁରୀ ବା ଚାତୁରୀକୁ ଲେଖକ ମାନିଯିବା କଥା, ମୁଁ ଦେଖିଛି।
    ବିଦେଶୀ ପ୍ରକାଶନ ସଂସ୍ଥାରେ ପେସାଦାର ପାଠକ ଓ ସଂପାଦକ ଥାଆନ୍ତି। Trending ବହି ଏକାଧିକ ପାଠକ ଓ ସଂପାଦକଙ୍କ କତୁରିକୁ ସାମ୍ନା କରିଥାଆନ୍ତି। ନାମକରା ପାର୍ଲର ବା ବୁଟିକ୍‌ର କତୁରି ତ ସୌନ୍ଦର୍ଯ୍ଯକୁ ବହୁଗୁଣିତ ଇ କରିଦେଇଥାଆନ୍ତି। ତଥାପି, ସେ ନେଇ ବାଦ ବିବାଦ ଯେ ନହେଇଛି, ଏକଥା କହିହେବନାହିଁ।
    ନୋବେଲ୍ ବିଜେତା ନାଇପଲ୍‌ଙ୍କର ଅଠର ଟି ବହିକୁ ସଂପାଦନା କରିଥିବା Diana Athill ଓ ନାଇପଲ୍‌ଙ୍କ ମଧ୍ଯରେ ହେଇଥିବା ସଂପାଦନା ସଂପର୍କିତ କଥା କଟାକଟି ତ ବହୁ ଚର୍ଚ୍ଚିତ ।

    ୨ ।

    ମନେପଡୁଛି, ଓଡ଼ିଶାରେ, ବିଭୂତି ପଟ୍ଟନାୟକଂକ ଆତ୍ମଜୀବନୀ “ଜୀବନପାତ୍ର ମୋ ଭରିଛ କେତେମତେ”କୁ ଛାପିବା ପୂର୍ବରୁ, ପ୍ରକାଶକ ସହଦେବ ପ୍ରଧାନ (ଫ୍ରେଣ୍ଡସ୍ ପବ୍ଲିଶର୍ସ୍) “ଲେଖା ଚାଲିଥିବା ଓ ଛପା ଚାଲିଥିବା” ପାଣ୍ଡୁଲିପିକୁ “ଝଙ୍କାର”ର ସଂପାଦକ ସରୋଜ ରଂଜନ ମହାନ୍ତିଙ୍କୁ ପଢ଼ିବା ପାଇଁ ଦେଇଥିଲେ। ସଂପାଦକ, ପ୍ରକାଶନ ସଂସ୍ଥାର ପେସାଦାର ପାଠକ ଅଥବା ସଂପାଦକ ନଥିଲେ। ପ୍ରକାଶକଙ୍କ ନିକଟତମ ବଂଧୁ ଓ ବିଭୂତି ପଟ୍ଟନାୟକ-ପ୍ରେମୀ ହିଁ ଥିଲେ।
    ତେବେ ତାଂକ ଆଖିରୁ କିଛି ତ୍ରୁଟି ବିଚ୍ୟୁତି ଯେ ବର୍ତ୍ତିଯିବ ନାହିଁ, ଏ ‘ ସହଜ ବିଶ୍ବାସ ଥିଲା ପ୍ରକାଶକଂକର।
    ସେଇ କଥା ଘଟିଥିଲା।
    ସେତେବେଳକୁ ବେଶ୍ କିଛି ପୃଷ୍ଠା ଛପାସରିଥିଲା । ଅଥଚ, ତାଳଦଣ୍ଡା କେନାଲ୍‌ର ନିର୍ମାଣ କାଳ ଓ ବହିଟିର କୌଣସି ଚରିତ୍ରର ଜୀବନ କାଳ ଭିତରେ ଥିବା ଅସମ୍ଭବ ଅସଙ୍ଗତି କଥାର ସୂଚନା ଦେଇଥିଲେ ସଂପାଦକ। ୟା ପରେ, ଲେଖକଙ୍କୁ ବେଶ୍ କିଛି ଛପାସରିଥିବା ପୃଷ୍ଠାର ବର୍ଣନା କୁ ଏକବାରେ ବଦଳେଇ ଦେବାକୁ ପଡ଼ିଥିଲା ଓ ବହିଟିର ପ୍ରକାଶ ସମୟକୁ ଘୁଂଚାଇ ଦେବାକୁ ବି ପଡ଼ିଥିଲା।
    ଏ’କଥା ଲେଖକ ନିଜେ ମୋତେ କହିଲାବେଳେ, ମୁଁ ବେଶ୍ ଦେଖିଥିଲି ତାଂକ ଆଖିରେ, ଜଣେ ସଂପାଦକ ପ୍ରତି ଥିବା ତାଙ୍କର କୋମଳ କୃତଜ୍ଞତାର ଅକପଟ ଚମକ।
    ସଂପାଦକ ହିସାବରେ କେଜାଣି କେତେ ଲେଖକଙ୍କର ଲେଖାକୁ ସେ ନିଜେ କେତେ ସଜେଇଥିବେ ଓ ସଜାଡ଼ିଥିବେ !!

    ୩ ।

    ଅବଶ୍ଯ, ପାଣି ଉଠିଯାଏ ଓ ଯାଇଛି ଅନେକ ସମୟରେ ବିପଦ ସଂକେତ ଉପରକୁ, ଯଦି ଓ ଯେବେ, ସଂପାଦକ ମନେ କରିଛି, ସେ ଧରିଥିବା ବା ପଢ଼ୁଥିବା ପାଣ୍ଡୁଲିପିର ସେ ନିଜେ ଇ ହେଉଛି ସତେ ଅବା ପ୍ରକୃତ ଲେଖକ ଏବଂ ସେଇ ଅନ୍ଯ ଲେଖକ ଜଣକ କିଛି ବା କେହି ନୁହେଁ !!

    🙏

    ଶ୍ଯାମାପ୍ରସାଦ ଚୌଧୁରୀ

  2. ପୁସ୍ତକ ସମ୍ପାଦନା ସମ୍ପର୍କରେ ଆପଣଙ୍କ ମତାମତ ଯଥାର୍ଥ । ବହିଟିଏ ବଜାରକୁ ଆସିବା ପୂର୍ବରୁ, ତାର ସମ୍ପାଦନା ନିହାତି ଜରୁରୀ । ସମ୍ପାଦିତ ପୁସ୍ତକର ମୂଲ୍ଯ ତଥା ଚାହିଦା ଅନ୍ଯ ପୁସ୍ତକ ଅପେକ୍ଷା ଅଧିକ। ଜଣେ ଗୁଣୀ, କୁଶଳୀ ସମ୍ପାଦକ ହାତରେ ହିଁ ବହିଟି ପଠନଯୋଗ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *