ଗୀର୍ବାଣବାଣୀ*

ପାଠକଙ୍କ ପଦୁଟିଏ କଥା, ଦି ପଦ ମନ୍ତବ୍ୟ ଆଉ ଚାରିପଦ ପ୍ରେରଣାରେ ହିଁ ଲେଖକର ସାହିତ୍ୟତରୀ ଏଇ ଆଲୋଚନା ଆଉ ସମାଲୋଚନାର ସମୁଦ୍ରରେ ଆଗେଇ ଚାଲେ।

ପ୍ରଶାନ୍ତ ଭୂୟାଁ

ଉପନିଷଦରୁ ପଢ଼ିଥିଲି; ପ୍ରଜ୍ଞାର କଥା, ବିଜ୍ଞର କଥା।
“ଆତ୍ମାନଂ ରଥୀନଂ ବିଧି ଶରୀରଂ ରଥମେବ ଚ।
ବୁଦ୍ଧିଂ ତୁ ସାରଥୀଂ ବିଧି ମନଃ ପ୍ରଗ୍ରହମେବ ଚ।।”

ଆପଣାକୁ ଯାତ୍ରୀ, ଶରୀରକୁ ରଥ, ବୁଦ୍ଧିକୁ ରଥୀ ଆଉ ମନକୁ ଲଗାମ ବୋଧରେ ଆଗେଇ ଯିବା ହିଁ ବିଧେୟ। ହେଲେ ସାମ୍ପ୍ରତିକ ସାହିତ୍ୟବୋଧରେ ଯେଉଁ ଗୀର୍ବାଣବାଣୀ ସବୁ ଶୁଣିବାକୁ, ପଢ଼ିବାକୁ, ଜାଣିବାକୁ ମିଳୁଛି ସେଥିରୁ ଅଧିକାଂଶ ବୁଝିଲେ ଯୌଗନ୍ଧରାୟାଣି ଭାଷ ପ୍ରାୟେକ, ନ ବୁଝିଲେ ଖଟାଙ୍ଗପୁରାଣ।
ଚୈତନ୍ୟମୟ ଦୁଇପଦ ଲେଖିବାର ଅସମସାହସ ଯେ କରିପାରେ; ସେଇ ଲେଖକ ହିଁ ସୃଷ୍ଟି କରେ ପାଠକ ସମଗ୍ର। ସେଇ ଅର୍ଥ୍ୟ ସର୍ବେ ସଦା ନମସ୍ୟ। ଲେଖକର ଏହି ଦାୟିତ୍ୱବୋଧ ରହିବା ଉଚିତ ଯେ ସେ ସୁଧୀ ପାଠକସମୂହ ସୃଷ୍ଟି କରିପାରିବ ନିଜର ଲେଖନୀମୁନରେ। ସାହିତ୍ୟର ଉଦ୍ଦେଶ୍ୟ ଆଉ ସାହିତ୍ୟିକଙ୍କ ଉପଲବ୍ଧାର୍ଥ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ହେଲେ ହିଁ ସମାଜ ପାଇଁ ଏହା ହିତକାରୀ। ହେଲେ ଆଜି ସାହିତ୍ୟରେ ରାଜନୀତିର ପ୍ରଚ୍ଛନ୍ନ ଛାୟା; ଏଣୁ ଚୟନ ଆଉ ନିର୍ଦ୍ଧାରଣ, ସମ୍ମାନ ଆଉ ଜ୍ଞାନ ତଥା ଶ୍ରଦ୍ଧା ଆଉ ସହୃଦୟତାର ଅବବୋଧର ଅଭାବ।
ବହିଟିଏ କିଣିବାକୁ ଭ୍ରୁକୁଞ୍ଚନ କରୁଥିବା ଆଉ ମାଗଣା ବହିଟିଏ ପାଇବା ପାଇଁ ହାଇଁପାଇଁ ହେଉଥିବା ବେରସିକ ଅଧାପାଠିଆଙ୍କ ହାଟରେ ସ୍ତୁତିପାଠକଟିଏ ବିରଳ। ଆଦର୍ଶ ପାଠକଟିଏ ହିଁ ସାହିତ୍ୟ ତ୍ରିଭୁଜର ନିନ୍ୟଷ୍ଟି। ଲେଖକର ସର୍ଜନା ଆଉ ପ୍ରକାଶକର ଅଳଙ୍କରଣର ନିମନ୍ତେ ଅଭିଳାପଟିଏ ସେ। ଜଣେ ପ୍ରିୟ ଲେଖକର ଲେଖାକୁ ଏତେ ଆଦର ଆଉ ଯତ୍ନରେ ତାକୁ ସର୍ବଜନବିଦିତ କରିଥାନ୍ତି ଏଇ ପାଠକ। ଏଇ ପାଠକ ପାଇଁ ଲେଖକର ପରିଚିତି ଆଉ ପ୍ରତିଷ୍ଠା ବଢ଼େ। ଲେଖକକୁ ଆହୁରି ଭଲ ଲେଖିବାକୁ ପ୍ରେରଣା ମିଳେ। ଲେଖକ ଲେଖିଚାଲେ ଆଉ ପାଠକ ପଢ଼ିଚାଲେ। ଅନନ୍ତ ଆଉ ଅସରନ୍ତି ଏଇ ଭାବ।
ପାଠକଙ୍କ ପଦୁଟିଏ କଥା, ଦି ପଦ ମନ୍ତବ୍ୟ ଆଉ ଚାରିପଦ ପ୍ରେରଣାରେ ହିଁ ଲେଖକର ସାହିତ୍ୟତରୀ ଏଇ ଆଲୋଚନା ଆଉ ସମାଲୋଚନାର ସମୁଦ୍ରରେ ଆଗେଇ ଚାଲେ। କେତେବେଳେ ପଶ୍ଚିମା ତ କେତେବେଳେ ଦକ୍ଷିଣା। ହେଲେ ଆମର ନୂତନ ପିଢ଼ିର ଲେଖକ ଏବେ ଏକ ମୃଗତୃଷ୍ଣାର ମହାମୋହରେ ମାତି ଚାଲିଛନ୍ତି। ସେମାନେ ଆଗଧାଡ଼ିର ସାହିତ୍ୟିକଙ୍କୁ ଈଶ୍ୱର ଅବା ଅବତାର କହି ନିତିପ୍ରତି କୀର୍ତ୍ତନ ଆରମ୍ଭ କରିଦିଅନ୍ତି ବିଭିନ୍ନ ମଞ୍ଚରେ। ନିଜର ଦୁଇ ଚାରିଧାଡ଼ିର ପ୍ରକାଶନ ଲୋଭରେ ରାତିଦିନ ଏକ କରି ବାର୍ତ୍ତାଳାପ ମାଧ୍ୟମରେ ସେଇ ଦୁଇପଦ ଛାପିବାକୁ ତୈଳମର୍ଦ୍ଦନ ଆରମ୍ଭ କରି ଦିଅନ୍ତି। ଆଉ ଅନେକ ଆଗଧାଡ଼ିର ଲେଖକ ବ୍ରହ୍ମା ବିଳିବିଳେଇଲେ ବେଦ ପ୍ରାୟେକ ଯାହା ଦୁଇପଦ ଲେଖିଲେ ଏଇ ନୂଆଲେଖାଳି ସବୁ ବାହାବା…ବାଃ ବାଃ କରି ତାଙ୍କୁ ଉଠାନ୍ତି ଆଉ ନିଜକୁ ପକାଇଦିଅନ୍ତି ସେଇ ଦୁଇପଦ ତଳେ। ଆହା ବିଚରା ଆଶାୟୀଗଣ!
ଏହି ଉଚ୍ଛନ୍ନଦଶାରେ ପୁଣିଥରେ କହିବି; ଉଧାର ଆଣି ବଖାଣିବା ଦର୍ଶନ; ଘୋଷା ହୋଇ ଘେନାଇବା ସାହିତ୍ୟ; ଅସମ୍ପୂର୍ଣ୍ଣ ପରୀକ୍ଷଣ ହୋଇ ରହିଥିବା ଜ୍ଞାନର ବିବୃତ; ହୁଏତ ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଅର୍ଥ – ସମ୍ମାନ-ପୁରସ୍କାରର ଏକ ଅନ୍ତର୍ଦ୍ଦ୍ୱାର ହୋଇପାରେ, ପରନ୍ତୁ ସମାଜର ଉଚ୍ଛ୍ରୟ – ଅଭ୍ୟୁଥାନ- ସମୃଦ୍ଧି ନିମନ୍ତେ ଏହା ଅର୍ଦ୍ଧଅରା।

ପ୍ରଭୂ

* ଗୀର୍ବାଣବାଣୀ – ବାକ୍ୟ ଯେଉଁମାନଙ୍କର କାର୍ଯ୍ୟସାଧନରୂପ ଅସ୍ତ୍ର ସେହିମାନଙ୍କ ବାଣୀ।

( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ। )

One thought on “ଗୀର୍ବାଣବାଣୀ*

  1. ପ୍ରତିଥର ଭଳି ଏଥର ମଧ୍ୟ ନୂଆ ଶବ୍ଦ ସମ୍ପର୍କରେ ଜାଣିଲି।

Leave a Reply

Your email address will not be published. Required fields are marked *