ସମକାଳୀନ ଓଡ଼ିଆ କବିତାରେ ଛନ୍ଦ

ଓଡ଼ିଆରେ ଗଦ୍ୟ କବିତା ଲେଖିବାକୁ ହେଲେ ତାହାର ଭାବ ଓ ପ୍ରବୃତ୍ତି ପ୍ରତି ଧ୍ୟାନଶୀଳ ହେବା ଦରକାର।

Udaya Nath Sahoo
ପ୍ରଫେସର ଉଦୟନାଥ ସାହୁ

କବିତାର ନିୟମନିଷ୍ଠ ବନ୍ଧନ ଛନ୍ଦ ନାମରେ ଖ୍ୟାତ। ଏହି ଛନ୍ଦ ସମ୍ପର୍କରେ ଆଲୋଚନା ଆମେ ଭରତ ମୁନିଙ୍କର ‘ନାଟ୍ୟଶାସ୍ତ୍ର’ରେ ଦେଖିବାକୁ ପାଉ।
ସେଥିରେ କୁହାଯାଇଛି :-
“ଏବଂ ନାନାର୍ଥସଂଯୁନ୍ତୈଃ ପାଦୈର୍ବର୍ଣ୍ଣ ବିଭୂଷିତୈଃ ।
ଚତୁର୍ଭିସ୍ତୁଭବେଦ୍ୟୁନ୍ତଂ ଛନ୍ଦୋବୃତ୍ତାଭିଧାନବତ୍ ।ା
(୧୩ ଅଧ୍ୟାୟ, ୩୯ ଶ୍ଳୋକ)

ଛନ୍ଦର ଗଠନ ଦ୍ୱାରା ଯେଉଁ ପଦ୍ୟ ରଚନା ହୋଇଥାଏ ସେଥିରେ ଚାରୋଟି ପାଦ ଥାଏ, ସେଥିରେ ଅନେକ ଅର୍ଥର ଅଭିବ୍ୟଞ୍ଜନ ଥାଏ, ତଥା ବର୍ଣ୍ଣମାନଙ୍କର ଗୁରୁ ଲଘୁ ସ୍ୱରୂପ ଦ୍ୱାରା ତାହା ସ୍ପଷ୍ଟ ହୋଇଥାଏ। ଏଭଳି ରଚନା ଛନ୍ଦ ଅଥବା ବୃତ୍ତ ନାମରେ ଅଭିହିତ ହୋଇଥାଏ। ଅନ୍ତରର ଅଭିବ୍ୟକ୍ତିର ଚାପରେ ଯେପରି ସ୍ୱତଃ କବିତାର ଭାଷା ଆସିଛି, ଛନ୍ଦ ମଧ୍ୟ ସେହିଭଳି ସ୍ୱାଭାବିକ ଭାବରେ ହିଲ୍ଲୋଳିତ ହୋଇଉଠିଛି। ଛନ୍ଦ ହିଁ କବିତାକୁ ଗଦ୍ୟଠାରୁ ପୃଥକ କରେ, କିନ୍ତୁ ଗଦ୍ୟରେ ମଧ୍ୟ ଏକ ପ୍ରକାର ଛନ୍ଦ ରହିଛି, ତାହା ଗଦ୍ୟକୁ ଉନ୍ନତ ରୁଚିପୂର୍ଣ୍ଣ କରିଥାଏ। ଅନେକ ପାଶ୍ଚାତ୍ୟ କବି କବିତାରେ ଛନ୍ଦ ପ୍ରୟୋଗ ପ୍ରତି ଭିନ୍ନ ମତ ଦେଇଥିଲେ ହେଁ କବିତାରେ ଛନ୍ଦର ଆବଶ୍ୟକତାକୁ ପରୋକ୍ଷରେ ସ୍ୱୀକାର କରିଛନ୍ତି। ଆଧୁନିକ ଓଡ଼ିଆ କବିତାରେ ଭିନ୍ନ ଭିନ୍ନ ଛନ୍ଦର ବ୍ୟବହାର ଦୃଷ୍ଟିଗୋଚର ହୋଇଥାଏ। “ଅକ୍ଷର ବୃତ୍ତ” ଓ “ମାତ୍ରା ବୃତ୍ତ” ପ୍ରତି ଆଧୁନିକ ଓଡ଼ିଆ କବି ସେତେ ସଚେତନ ନ ରହିଲେ ବି ଛନ୍ଦର ବନ୍ଧନଠାରୁ ଆଧୁନିକ ଓଡ଼ିଆ କବିତା ମୁକ୍ତ ନୁହେଁ। ଏହି ଛନ୍ଦ କ୍ଷେତ୍ରରେ ଯେଉଁ ନୂତନତା ଆସିଛି, ତାହା କିନ୍ତୁ ଐତିହ୍ୟକୁ ସମ୍ପୂର୍ଣ୍ଣର୍ ରୂପେ ଅସ୍ୱୀକାର କରିଆସିଛି ବୋଲି କହି ହେବ ନହିଁ। ଆଧୁନିକ ଓଡ଼ିଆ କବିତାର ଛନ୍ଦ କ୍ଷେତ୍ରରେ ଏହି ଦୃଷ୍ଟିରୁ ସାରଳା ଦାସ, ବଳରାମ ଦାସ, ଜଗନ୍ନାଥ ଦାସ, ନାରାୟଣନନ୍ଦ ଅବଧୂତ ସ୍ୱାମୀ, ବ୍ରଜନାଥ ବଡ଼ଜେନା, ଉପେନ୍ଦ୍ର ଭଞ୍ଜ, ବଳଦେବ ରଥ ପ୍ରମୁଖ ନୂତନ ପ୍ରେରଣାଧାରୀ ଦଣ୍ଡାୟମାନ। ପ୍ରାଚୀନ କବି ଓ କବିତାର ଘଟିଛି ପୂର୍ଣ୍ଣ ମୂଲ୍ୟାୟନ ଓ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ପରିଦୃଷ୍ଟ ହୋଇଛି ଏକ ନୂତନ ପ୍ରଜ୍ଞାନ୍ୱିତ ଓ ସାଂସ୍କୃତିକ ରୂପାନ୍ତର ଓ ଅଭିବୃଦ୍ଧି।
ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ମୁଖ୍ୟତଃ ତିନୋଟି ଛନ୍ଦର ପରିଚୟ ମିଳିଥାଏ। ସେଗୁଡ଼ିକ ଯଥା:- (କ) ଗଦ୍ୟଛନ୍ଦ ବା ଗଦ୍ୟ କବିତା (ପ୍ରୋଜ୍ ପୋଏମ୍‌) (ଖ) ମୁକ୍ତ କବିତା ବା ମୁକ୍ତ ଛନ୍ଦ (ଫ୍ରି ଭର୍ସ) (ଗ) ମେଳଯୁକ୍ତ ପଦ୍ୟ କବିତା ବା ମୁକ୍ତ ଛନ୍ଦ (ଭର୍ସ)।
କବି ସଚ୍ଚି ରାଉତରାୟ ଆଧୁନିକ ଛନ୍ଦର ବିବିଧତା ସମ୍ପର୍କରେ ସୂଚାଇ କବିତାରେ ଛଅ ପ୍ରକାର ଛନ୍ଦର ପରିଚୟ ପ୍ରଦାନ କରିଛନ୍ତି। ସେଗୁଡିକ ହେଲା :-
(୧) ପୟାର ଜାତୀୟ (୨) ମିଶ୍ରିତ ବାକ୍ ଛନ୍ଦ (୩) ବାକ୍‌ଛନ୍ଦ (୪) ଗଦ୍ୟ ଛନ୍ଦ (୫) ଗଦ୍ୟ ଧର୍ମୀ ଛନ୍ଦ (୬) ମୁକ୍ତ ଛନ୍ଦ। କିନ୍ତୁ କୁହାଯାଏ ଯେ କବିତାର କୌଣସି ନିର୍ଦ୍ଦିଷ୍ଟ ସୀମା ଭିତରେ ପରିଚାଳନା କରୁଥିବାରୁ କବିଙ୍କର କବି ଶକ୍ତି ବୃଦ୍ଧି ଲାଭ କରେ। କିନ୍ତୁ ଛନ୍ଦହୀନ କବିଙ୍କୁ ନିଜର କବିତା ପାଇଁ ଛନ୍ଦ ଆବିଷ୍କାର କରିବାକୁ ପଡ଼େ। ଅଧିକାଂଶ କବିଙ୍କର କବିତାରେ ନୂତନ କଳ୍ପନା, ନୂତନ ଛନ୍ଦ ନା ନୂତନତା କିଛି ନ ଥାଏ।

ଗଦ୍ୟ ଛନ୍ଦ
ଅନ୍ତଃମିଳନ ନ ଥାଇ କବିତା ସୃଷ୍ଟି ହେବା ବିସ୍ମୟଜନକ ନୁହେଁ। ସେଥିରେ ମଧ୍ୟ ଛନ୍ଦ ସୁଲଭତା ଦେଖାଯାଏ। ତାହା ହିଁ ଗଦ୍ୟ କବିତାର ଛନ୍ଦ। ରବୀନ୍ଦ୍ର ନାଥ ଟାଗୋର ଏହି ଗଦ୍ୟରୀତି ସମ୍ପର୍କରେ ସୂଚାଇଛନ୍ତି ଯେ ବୃହତ୍ ଭାବର ଭାର ଅକ୍ଳେଶରେ ବହନ କରିବାର ଶକ୍ତି ଗଦ୍ୟ ଛନ୍ଦ ମଧ୍ୟରେ ରହିଛି। ଯେପରି ବନସ୍ପତି ସଦୃଶ ତା’ର ପଲ୍ଲବ-ପୁଞ୍ଜର ଛନ୍ଦ ବିନ୍ୟାସ କଟାଛଟା ହୋଇ ସଜ୍ଜିତ ନୁହେଁ, ତା’ର ସ୍ତବକ ସବୁ ଅସମ, କିନ୍ତୁ ସେଇଥିରେ ହିଁ ନିହିତ ଥାଏ ତାର ଗାମ୍ଭୀର୍ଯ୍ୟ ଓ ସୌନ୍ଦର୍ଯ୍ୟ। ଏହି ଗଦ୍ୟଛନ୍ଦ ମୁଖ୍ୟତଃ ଭାବଛନ୍ଦ। ଅନ୍ୟ କେହି ସମାଲୋଚକ ମଧ୍ୟ ମତ ଦିଅନ୍ତି ଯେ ଗଦ୍ୟରେ ଆବେଗର ସ୍ପର୍ଶ ଲାଗିଲେ ଗଦ୍ୟ କବିତା ଝରିପଡ଼େ। ଗଦ୍ୟ କବିତାର ଧ୍ୱନିପର୍ବ ସମମାତ୍ରିକ ନୁହେଁ, ସେହି ପର୍ବରେ ଆବର୍ତ୍ତନ ମଧ୍ୟ ଅତି ନିରୂପିତ ନୁହେଁ। ଅଧିକନ୍ତୁ ଗଦ୍ୟ ଛନ୍ଦ ଅପେକ୍ଷାକୃତ ବଡ଼ ବିଚିତ୍ର; କାରଣ ପଦ୍ୟ ଛନ୍ଦ ପରି ସମୟର କୌଣସି ଧରାବନ୍ଧା ନିୟମ ବାନ୍ଧିବାକୁ କେବେ ବାଧ୍ୟ ନୁହେଁ। ଛନ୍ଦ ବ୍ୟବହାର କରିବା ନ କରିବାର ସୁଯୋଗ ଓ ସ୍ୱାଧୀନତା ହେଉଛି କବିଙ୍କର। ଆଜିକାଲି ଗଦ୍ୟଛନ୍ଦର ଭାବପର୍ବ ଓ ପଦ୍ୟଛନ୍ଦର କେତେକ ଆଦର୍ଶ ଗଙ୍ଗାଯମୁନା ପରି ମିଶିପାରୁଛନ୍ତି। ଅଧିକାଂଶ ସାମ୍ପ୍ରତିକ କବିତା ହେଉଛି ପ୍ରିଭର୍ସ। ତେବେ ଏହି ମୁକ୍ତ ଛନ୍ଦର କବିତା ତୁଳନାରେ ଗଦ୍ୟ କବିତା କମ୍‌। ମୁକ୍ତଛନ୍ଦର କବିତାର ଆବିର୍ଭାବ ପୂର୍ବରୁ ଓଡ଼ିଆରେ ଗଦ୍ୟ କବିତା ଜନ୍ମଗ୍ରହଣ କରିଥିଲା। ପ୍ରତାପ ସେନଙ୍କର ‘ଚତୁର୍ଥୀ’ ପ୍ରଥମ ଓଡ଼ିଆ ଗଦ୍ୟ କବିତା ବୋଲି ପ୍ରଫେସର ନିତ୍ୟାନନ୍ଦ ଶତପଥୀ ମତ ଦିଅନ୍ତି, ଯାହା କି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ୧୯୩୫ ଏପ୍ରିଲ ମାସରେ ପ୍ରକାଶିତ ହୋଇଥିଲା। ଚର୍ଯ୍ୟାଗୀତି, ସାରଳା ଦାସଙ୍କ ଦାଣ୍ଡିବୃତ୍ତ, ନାରାୟଣ ନନ୍ଦ ଅବଧୂତ ସ୍ୱାମୀଙ୍କ ‘ରୁଦ୍ର ସୁଧାନିଧି’, ବ୍ରଜନାଥ ବଡ଼ଜେନାଙ୍କ ‘ଚତୁର ବିନୋଦ’ରେ ଯେଉଁ ଅପୂର୍ବ ସମ୍ମିଶ୍ରଣ ଓ ସମନ୍ୱୟ ସଂଘଟିତ ହୋଇଛି, ତାହା ହିଁ ଆଧୁନିକ ଓଡ଼ିଆ କବିତା ଛନ୍ଦ ସୃଷ୍ଟିର ଭୂମିପର୍ବ। ଓଡ଼ିଆ କବିତାର ଛନ୍ଦ ନିର୍ଣ୍ଣୟ ପାଇଁ ଏହି ରଚନାଗୁଡ଼ିକ ଯେଉଁ ଦିଗ୍‌ଦର୍ଶନ ଦେଇଛନ୍ତି ତାହାର ଦୃଷ୍ଟାନ୍ତ କେବଳ ଭାରତୀୟ ପ୍ରାଦେଶିକ ସାହିତ୍ୟ କାହିଁକି, ପୃଥିବୀର ଅନ୍ୟ ପ୍ରାଚୀନ ସାହିତ୍ୟରେ ମଧ୍ୟ ବିରଳ। ଏହି ଗଦ୍ୟ ଛନ୍ଦର ଲକ୍ଷଣ ହେଲା :- ଏଥିରେ ପରିମିତ ଆବର୍ତ୍ତନ ସବୁବେଳେ ଆଶା କରାଯାଇ ନ ପାରେ। ଏହି ଛନ୍ଦରେ କବି ଏକ କାବ୍ୟିକ ସ୍ପନ୍ଦନ ସୃଷ୍ଟି କରିପାରେ। ଏହି ଗଦ୍ୟ ଛନ୍ଦ ହିଁ ବାକ୍ ଛନ୍ଦ।
ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଏହି ଗଦ୍ୟ କବିତାକୁ ଛନ୍ଦହୀନ ନଗ୍ନ କବିତା ବୋଲି ସମାଲୋଚନା କରିଛନ୍ତି। ପଣ୍ଡିତ ନୀଳକଣ୍ଠ ଦାସ ଗଦ୍ୟ କବିତାର ସାର୍ଥକତା ମଧ୍ୟ ସୂଚାଇଛନ୍ତି। ସେ ଅମିତ୍ରାକ୍ଷର ଛନ୍ଦର କବିତାକୁ ଗଦ୍ୟ କବିତାର ପ୍ରାକ୍ତନ ରୂପ ବୋଲି କହିଛନ୍ତି। ଓଡ଼ିଆରେ ଏହି ଗଦ୍ୟ କବିତା ଲେଖିବାକୁ ହେଲେ ତାହାର ଭାବ ଓ ପ୍ରବୃତ୍ତି ପ୍ରତି ଧ୍ୟାନଶୀଳ ହେବା ଦରକାର। ସାମ୍ପ୍ରତିକ କାଳରେ ବହୁ କବି ଗଦ୍ୟ କବିତା ଲେଖିଛନ୍ତି। ସେଥିପାଇଁ ମଧ୍ୟ ଗଦ୍ୟ ସର୍ବସ୍ୱତା ଯୋଗୁ ବହୁ କବିଙ୍କୁ ବିରୋଧର ଶରବ୍ୟ ହେବାକୁ ପଡ଼ିଛି। ଗଦ୍ୟକବିତା ପ୍ରତି ସର୍ବାଧିକ ଆଗ୍ରହ ପ୍ରକାଶ କରିଥିବା ଓଡ଼ିଆ କବିମାନଙ୍କ ମଧ୍ୟରେ ସମ୍ଭବତଃ ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ। ତାଙ୍କର “ଅନବତାର” ଓଡ଼ିଆ ଗଦ୍ୟ କବିତାର ସଫଳତା ଓ ବିଫଳତାର ଏକ ବୀର୍ଯ୍ୟଦୃପ୍ତ ପ୍ରତୀକ ଭାବେ ଠିଆ ହୋଇଛି। ଅଳଙ୍କାର ଶାସ୍ତ୍ର ଅନୁଯାୟୀ ପ୍ରଚଳିତ ଚତୁର୍ବିଧ ଗଦ୍ୟଶୈଳୀ ମଧ୍ୟରୁ ଗଦ୍ୟ କବିତାର ଶୈଳୀକୁ “ବୃତ୍ତଗନ୍ଧି” ଶୈଳୀ ସହିତ ସମ୍ପୃକ୍ତ କରାଯାଇପାରେ।
ମୁକ୍ତ ଛନ୍ଦ
ମୁକ୍ତ ଛନ୍ଦ ପ୍ରଥାନୁଗତ ଛନ୍ଦ ବନ୍ଧନରୁ ମୁକ୍ତ ହୋଇ ନୂତନ କବିତାର ପଥ ପରିଷ୍କାର କରିଛି। ଏହା ପ୍ରଥମେ ଫ୍ରାନ୍‌ସରେ ସୃଷ୍ଟି ହୋଇଥିଲା। ପ୍ରତୀକବାଦୀ କବିମାନେ ଏହି ଛନ୍ଦକୁ ସର୍ବୋତ୍କୃଷ୍ଟ ଛନ୍ଦ ଭାବରେ ଗ୍ରହଣ କରିଥିଲେ। ଏଥିରେ ଛନ୍ଦ ପାରମ୍ପରିକ ବିଧିବିଧାନ ଲଙ୍ଘନ କରି କବିର ସ୍ୱାଧୀନତା ଅକ୍ଷୁର୍ଣ୍ଣ ରଖେ। ପ୍ରଚଳିତ ଛନ୍ଦର ବନ୍ଧନରୁ ମୁକ୍ତି ଲାଭ କରିଥିବାରୁ ଏହି ଛନ୍ଦର ନାମ ‘ମୁକ୍ତ ଛନ୍ଦ’। ଏହି ‘ମୁକ୍ତ ଛନ୍ଦ’ କବିତାରେ ଗଦ୍ୟଧାରାକୁ ପ୍ରଶ୍ରୟ ଦିଏ। କେଉଁଠି ଗଦ୍ୟରେ ପଦ୍ୟ ଆଭାସ ଫୁଟାଏ ତ, ଆଉ କେଉଁଠି ପଦ୍ୟ ଛନ୍ଦରେ ଗଦ୍ୟରୀତିକୁ ସହଜରେ ଅନୁପ୍ରବେଶ କରାଇଦିଏ। ଗୁରୁ ପ୍ରସାଦ ମହାନ୍ତିଙ୍କ “କାଳପୁରୁଷ” ଏହି ମୁକ୍ତ ଛନ୍ଦର ସାର୍ଥକ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରାଯାଇପାରେ। ଉଦାହରଣ ସ୍ୱରୂପ :-
ନିଃଶବ୍ଦ ଏ ବାଲିରେ, ବାଲି ଆଉ ବାଲି
ବିବର୍ଣ୍ଣ ଘାସ ଓ ବାଲି ପଥ ହୀନ
ବିବର୍ଣ୍ଣ ପୃଥିବୀ
ଉପରେ ନିସ୍ତେଜ ଖରା ପଥହୀନ ବିବର୍ଣ୍ଣ ଆକାଶ
ବିବର୍ଣ୍ଣ ବାଲି ଓ ଘାସ ଶେଷହୀନ ଶୋଷ ଆଉ ଶୋଷ
ନିସ୍ତେଜ ଧୂସର ସ୍ତବ୍‌ଧ ବାଲି ପୁଣି, ବାଲି ଓ ଆକାଶ।

ବାକ୍ ଛନ୍ଦ
ସାମ୍ପ୍ରତିକ କବିତା ରୀତି ସଙ୍ଗତ ପଦ୍ୟଛନ୍ଦ ପରିହାର କରି ତା’ ପରିବର୍ତ୍ତେ ବାକ୍ ଛନ୍ଦକୁ ବରି ନେଇଛି। ବାକ୍‌ରୀତି ହିଁ ମୁକ୍ତଛନ୍ଦର ଏକ ବିଶିଷ୍ଟ ଲକ୍ଷଣ ଭାବରେ ଗୃହୀତ ହୋଇଥିଲେ ହେଁ ତା’ର ମଧ୍ୟ ରହିଛି ଏକ ସ୍ୱତନ୍ତ୍ର ମର୍ଯ୍ୟାଦା। ପଦ୍ୟ ଛନ୍ଦ ପରି ନିର୍ଦ୍ଦିଷ୍ଟ ସୀମା ମାନିବାକୁ ସେ ପ୍ରସ୍ତୁତ ନୁହେଁ। ମୁକ୍ତ ଛନ୍ଦ ବହୁ ପରିମାଣରେ ବାକ୍‌ଛନ୍ଦର ସମଧର୍ମୀ।
“ବିନତା ପଚାରିଲା – ୟେ କ’ଣ?
ତରଙ୍ଗୀ କହିଲା – ସାପ, ସାପ, ସାପ।”

କେତେକ କବିତାଗୁଡ଼ିକରେ ବାକ୍‌ଛନ୍ଦ ଓ କାବ୍ୟଛନ୍ଦର ମିଳନ ଘଟିଚି ଯେପରିକି – “ସେହି ନିଆଁ କରେଇରେ ଭାଜିଭୁଜି / ସନ୍ତୁଳି ସାନ୍ତୁଳି ହେଲା / କଡ଼ କଡ଼ ଚଡ଼ ଚଡ଼ ଶବ୍ଦ କରି / ଗଛ ବୃଚ୍ଛ, ମାଟି, ଖାଲ, ବଣ ବିଲ / ପାଣି ଶୁଖି ଠିରିକି ଫାଟି ଗଲାଣି ହୃଦୟର / ବାରମାସି ପାଣି ଭରା ଝିଲ୍ଲ। (ମୃତ୍ୟୁନାଚ – ସୀତାକାନ୍ତ ମହାପାତ୍ର)
ସାମ୍ପ୍ରତିକ କବିତାରେ ଛନ୍ଦର ବିଭିନ୍ନ ପରୀକ୍ଷା ଦେଖିବାକୁ ମିଳେ। ପାରମ୍ପରିକ ଛନ୍ଦଠାରୁ ଆରମ୍ଭ କରି ବାକ୍‌ରୀତି ପର୍ଯ୍ୟନ୍ତ ତାହା ପରୀକ୍ଷିତ। ଅନେକ ସମୟରେ ଏସବୁ ଛନ୍ଦର ମୁଖ୍ୟ ବିଭବ ହେଲା ଆବେଗପ୍ରବଣତା ଓ ନାଟକୀୟତା। ତେଣୁ ବହୁ କବି ଯଥା :- ହରିହର ମିଶ୍ର, ସୌଭାଗ୍ୟ ମିଶ୍ର, ରମାକାନ୍ତ ରଥ, ବିନୋଦ ଚନ୍ଦ୍ର ନାୟକ ପ୍ରମୁଖ ଏହି ବାକ୍ ଛନ୍ଦକୁ ପ୍ରଶ୍ରୟ ଦେଇ ଅଛନ୍ତି। ୧୯୧୫ ମସିହାରେ ପ୍ରକାଶିତ “ସମ୍ – ଇମାଜିଷ୍ଟ ପୋଏଟ୍‌ସ”ରେ ଛନ୍ଦ ସମ୍ପର୍କରେ ନିର୍ଦ୍ଦେଶ ହେଉଛି – “ନୂଆ ନୂଆ ମୁଡ୍‌ର ବାହକ ରୂପେ ନୂଆ ଛନ୍ଦ ହିଁ ଉପଯୋଗୀ। ପୁରୁଣା ଛନ୍ଦ ପୁରୁଣା ମୁଡ୍‌ର ପ୍ରତିଧ୍ୱନି ମାତ୍ର। ମୁକ୍ତ ଛନ୍ଦ କବିତା ଯେ ଏକମାତ୍ର ଫର୍ମ ଆମେ ଏହା ଉପରେ ବେଶି ଜୋର ଦେଉ ନାହୁଁ। କିନ୍ତୁ ଆମେ ବିଶ୍ୱାସ କରୁ ଯେ ପାରମ୍ପରିକ ମିତ୍ରାକ୍ଷର କବିତା ତୁଳନାରେ ମୁକ୍ତ କବିତା ଦ୍ୱାରା କବିର ବ୍ୟକ୍ତିତ୍ୱ ଅଧିକ ପରିସ୍ଫୁଟ ହୁଏ।”

ଛନ୍ଦରେ ପରୀକ୍ଷାନିରୀକ୍ଷା
ପ୍ରକୃତରେ ସାଧାରଣ କଥିତ ଭାଷାରେ ସେମାନେ ଗୁରୁତ୍ୱ ଦେଇଥିଲେ। ତେବେ ସାମ୍ପ୍ରତିକ କବିତାର ଛାନ୍ଦସିକ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷାର ସୀମା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜିକାଲି ଲେଖାଯାଉଥିବା ବହୁ କବିତାର ପ୍ରଭାବ ଛନ୍ଦ ଓ ଆବେଗ ଦୃଷ୍ଟିରୁ ସ୍ପଷ୍ଟ। ମେଳଯୁକ୍ତ ଛନ୍ଦମୟ ଓ ସାଙ୍ଗୀତିକ କବିତାର ଧାରା ସର୍ବବିଧ ରୂପାନ୍ତର ସତ୍ତ୍ୱେ ଆଜି ମଧ୍ୟ ନିଷ୍ପ୍ରଭ ହୋଇନାହିଁ। ଆଧୁନିକତାରୁ ଗୁଣକୁ ରକ୍ଷା କରି ମେଳଯୁକ୍ତ ଛନ୍ଦୋମୟ କବିତା ରଚନା କରାଯାଇପାରେ। ରବୀନ୍ଦ୍ର ନାଥଙ୍କ “ବଳାକା” ଛନ୍ଦଠାରୁ ଆରମ୍ଭ କରି ଲୋକଗୀତ ଛନ୍ଦ ଓ ପୟାର ଜାତୀୟ ଛନ୍ଦ ଭିତରେ ତାହାର ପରୀକ୍ଷା ନିରୀକ୍ଷା କରାଯାଉଅଛି। କାରଣ ରବୀନ୍ଦ୍ର ନାଥଙ୍କ ପ୍ରଭାବିତ ଓଡ଼ିଆ ଛନ୍ଦ ଭାବେ “ମାତ୍ରାବୃତ୍ତ” ଓ “ବଳାକା” ଶ୍ରେଷ୍ଠ।
ସାମ୍ପ୍ରତିକ ଓଡ଼ିଆ କବିତା ଛନ୍ଦହରା ହୋଇ ଆପାତତଃ ବିଚ୍ଛନ୍ଦ ପରି ପ୍ରତୀତ ହେଲେ ହେଁ ତା’ର ଅନ୍ତର୍ନିହିତ ଛନ୍ଦ ହଜିଯାଇନାହିଁ। ତହିଁରେ ଗଦ୍ୟର ଅନୁପ୍ରବେଶ ଘଟିଥିଲେ ହେଁ ତାହା କବିତା ସ୍ପର୍ଶରେ କାବ୍ୟଶ୍ରୀମଣ୍ଡିତ ହୋଇ ପଡ଼ିଛି। ଧାରାବାହିକ ଛନ୍ଦମୁକ୍ତି ସାମ୍ପ୍ରତିକ କବିତାର ଏକ ବିଶେଷ ଗୁଣ ହୋଇଯାଇଛି। ଏହି ସାମ୍ପ୍ରତିକ କବିତା ଭାବାବେଗର ରୋମନ୍ଥନ ନ ହୋଇ ହୋଇଛି ଭାବ-ସମ୍ଭୋଗର ନିଦର୍ଶନ। ସାମ୍ପ୍ରତିକ କବିତା କ୍ଷେତ୍ରରେ ଛାନ୍ଦସିକ ପରୀକ୍ଷା ନିରୀକ୍ଷାର ଗୋଟିଏ ବିଶିଷ୍ଟ ଦିଗ ଭାବରେ ସ୍ୱୀକୃତ ହୋଇପାରେ, ପ୍ରତିଷ୍ଠିତ ବା ପୂର୍ବବର୍ତ୍ତୀ ଛନ୍ଦର ନବବିନ୍ୟାସ। ଏଥିରେ ମଧ୍ୟ ଅମିତ୍ରାକ୍ଷର, ଏକାନ୍ତର ମେଳ, ମାତ୍ରାବୃତ୍ତ, ସଙ୍ଗୀତ ସହିତ ଲୋକଗୀତ ପ୍ରଭୃତି ଶୈଳୀର ସଂଶ୍ଳେଷଣକୁ ଅନ୍ତର୍ଭୁକ୍ତ କରାଯାଇଛି। ସାମ୍ପ୍ରତିକ କବିତାରେ ଗଦ୍ୟଧର୍ମିତାକୁ କାବ୍ୟର ବୈଶିଷ୍ଟ୍ୟ ବୋଲି ମନେ କରୁଥିଲେ ହେଁ ଗୀତିଧର୍ମିତା ପ୍ରତି ପ୍ରବଣତା ପ୍ରଦର୍ଶନ କରିବା ଏକ ଶୁଭ ଲକ୍ଷଣ ଅଟେ। ଯାହାକି ସାମ୍ପ୍ରତିକ ଓଡ଼ିଆ କବିତାର ସଦ୍ୟତମ ନୂତନ ପ୍ରବୃତ୍ତି।
କେତେକ କ୍ଷେତ୍ରରେ ଆବେଗ ଶୁଷ୍କତା ଓ ବୌଦ୍ଧିକ ଜଟିଳତା କବିତାର କୋମଳତାକୁ ମଧ୍ୟ ଗ୍ରାସ କରିଛି। ଅନେକ କବି ଗଦ୍ୟରୀତି ବା ବାକ୍‌ରୀତିକୁ ପ୍ରାଧାନ୍ୟ ଦେଇଛନ୍ତି। ଢଗଢମାଳି, ସ୍ତୋତ୍ର, ପ୍ରହେଳିକା ପରି ଲୋକମାନସ ପ୍ରସୂତ କାବ୍ୟକୌଶଳକୁ ଗ୍ରହଣ କରିଛନ୍ତି। ଏହି ସବୁ କବିତାର ଛନ୍ଦ ଭାବଧର୍ମୀ ଓ ଏଥିରେ କବିର ସ୍ୱାଧୀନତା ଓ ମନନଶୀଳତା ନିିହିତ। ବାସ୍ତବିକ୍ ସାମ୍ପ୍ରତିକ କବିତା ଭିନ୍ନ ଭିନ୍ନ ଛନ୍ଦରେ ଉଚ୍ଚାରିତ ହୋଇ ଉଠିଛନ୍ତି। ଅନେକ ସମୟରେ ଗୋଟିଏ ଗୋଟିଏ ଶବ୍ଦ ପ୍ରୟୋଗ ମାନ୍ୟତା ପାଇଛି। ଅଧିକ ନାଟକୀୟ ପ୍ରକାଶ ଭଙ୍ଗୀ, ପ୍ରଶ୍ନବାଚୀ, ବିସ୍ମୟ ଚିହ୍ନ, ସ୍ୱଗତଃ ସଂଳାପରେ ସମୃଦ୍ଧ ହୋଇଛି। ଏହି ଛନ୍ଦ ପ୍ରୟୋଗ କୃତ୍ରିମ ନ ହୋଇ ଏକାନ୍ତ ସ୍ୱାଭାବିକ ବା ସ୍ୱତଃସ୍ଫୂର୍ତ୍ତ ହୋଇଅଛି। ଏହି କବିତାର ଅଭିବ୍ୟକ୍ତି ଓ ଭଙ୍ଗୀକୁ ଅଧିକ ଅର୍ଥବାହୀ ଓ ଚାତୁର୍ଯ୍ୟପୂର୍ଣ୍ଣ କରିବାରେ ସହାୟକ ହୋଇଛି। ଗଦ୍ୟ ଛନ୍ଦର ପ୍ରୟୋଗ ସହ ଭାଷାର ସର୍ଜନାଶକ୍ତି ଉପରେ ଆସ୍ଥା, ଶବ୍ଦ ସଂଯୋଜନାରେ ସ୍ୱାଭିମାନ ପ୍ରଭୃତି ସାମ୍ପ୍ରତିକ କବିତାରେ ବିପୁଳ ପରିବର୍ତ୍ତନ ଆଣି ଦେଇଛି।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )

One thought on “ସମକାଳୀନ ଓଡ଼ିଆ କବିତାରେ ଛନ୍ଦ

  1. ସମକାଳୀନ ଓଡ଼ିଆ କବିତାରେ ଛନ୍ଦ ଶୀର୍ଷକ ପ୍ରବନ୍ଧଟି ଭଲ ଲାଗିଲା। ଗଦ୍ୟ ଛନ୍ଦ, ପଦ୍ୟ ଛନ୍ଦ, ବାକ୍ ଛନ୍ଦ, ମୁକ୍ତ ଛନ୍ଦ ଆଦି ସମ୍ପର୍କରେ ତଥ୍ୟ ଜାଣିବାକୁ ମିଳିଲା। ଛନ୍ଦ ସମ୍ପର୍କରେ ପରୀକ୍ଷା ନିରୀକ୍ଷା ସମ୍ବଦ୍ଧରେ ମଧ୍ୟ ଜାଣିବାକୁ ମିଳିଲା।

Leave a Reply

Your email address will not be published. Required fields are marked *