ଲେଖକୀୟ ସୃଜନଶୀଳତା ଓ ଦୈବୀ ପ୍ରେରଣା

ଆଦିକବି ସାରଳା ଦାସ ସାରସ୍ୱତ ସର୍ଜନା ସ୍ଫୁରଣରେ ଦେବୀ ଶାରଳାଙ୍କର ଅପାରକୃପା ଥିବା ବିନମ୍ରତାର ସହିତ ବାରମ୍ବାର ସ୍ୱୀକାର କରିଛନ୍ତି।

ଡ. ରମାକାନ୍ତ ନାୟକ

ସ୍ଥୂଳ ଜୀବନ ଅବା ସୂକ୍ଷ୍ମ ଚେତନାରେ ନିଜ ଅଭିରୁଚି କ୍ଷେତ୍ରରେ, ଗତାନୁଗତିକ ଧାରା ବହିର୍ଭୂତ କୌଣସି ନୂତନ ସୃଷ୍ଟି ସର୍ଜନାର କଳାକୁ ସୃଜନଶୀଳତା କୁହାଯାଏ। ସୃଜନଶୀଳତା ଏକ ଅନ୍ତଃସଲିଳା ଫଲ୍‌ଗୁ, ଯାହା ପ୍ରଜାପତି ତୁଲ୍ୟ ସ୍ରଷ୍ଟାର ରଚନାରେ ସର୍ବଦା ନୂତନତ୍ୱ ଓ ମୌଳିକତ୍ୱକୁ ପ୍ରତିବିମ୍ବିତ କରେ। ଜିଜ୍ଞାସାଭାବ, ଅଧ୍ୟୟନ, ଏକାଗ୍ରତା, ଅଭିଜ୍ଞତା, ମନଃସଂଯମ, ମନନ, ଚିନ୍ତନ, ଧ୍ୟାନ, ଶୃଙ୍ଖଳିତ ପରିବେଶ, ପ୍ରସାରିତ ଦୃଷ୍ଟିକୋଣ ଓ ନୈର୍ବ୍ୟକ୍ତିକ ସମୀକ୍ଷା ଦ୍ୱାରା ସୃଜନର ବର୍ଣ୍ଣବିଭା ପ୍ରକାଶିତ ହୋଇଥାଏ।
କୌଣସି ଲେଖକ ସଦାସର୍ବଦା ସର୍ଜନଶୀଳ ହେବା ସମ୍ଭବ ନୁହେଁ, ଏହା ଅବିସମ୍ବାଦିତ। ତୀବ୍ର ପ୍ରଚୋଦନା ବା ଊର୍ଦ୍ଧ୍ୱାୟିତ ପ୍ରେରଣାର ସ୍ପନ୍ଦନ ସୃଜନଶୀଳତା ପ୍ରକଟ ପାଇଁ ମାର୍ଗ ଉନ୍ମୀଳନ କରେ। ଯେଉଁ ମୁହୂର୍ତ୍ତରେ ଲେଖକ ସର୍ଜନ କର୍ମରେ ନିମଗ୍ନ ହୁଏ, ତାହା ଏକ ସ୍ନିଗ୍ଧ ସମାହିତ ମନୋବସ୍ଥା, ଏକ ତୁରୀୟ, ତଲ୍ଲୀନ ଓ ବାଙ୍‌ମୟ ମୁହୂର୍ତ୍ତ, ଯାହା ସକଳ ପ୍ରୟାସ ସତ୍ତ୍ୱେ ସାରସ୍ୱତ ସ୍ରଷ୍ଟାର ଇଚ୍ଛାନୁଯାୟୀ କରାୟତ୍ତ ହୋଇପାରେନାହିଁ।
ଅନ୍ତର୍ଲବ୍ଧ ଜ୍ଞାନ
ଅନ୍ତର୍ଲବ୍ଧ ଜ୍ଞାନ ବିଦ୍ୟୁତ୍ ସ୍ଫୁଲିଙ୍ଗ ପରି ଆତ୍ମପ୍ରକାଶ କରି କେତୋଟି ମୁହୂର୍ତ୍ତରେ ହଠାତ୍ ଅନ୍ତର୍ହିତ ହୋଇଯାଏ ଏବଂ ସେହି ବିରଳ ଅନୁଭବକୁ ସାହିତ୍ୟସ୍ରଷ୍ଟା ନିଜର ବାକ୍ୟ ଓ ଶବ୍ଦ ବିନ୍ୟାସ ଜରିଆରେ ପ୍ରକାଶ କରିବା ନିମନ୍ତେ ଚେଷ୍ଟିତ ହୁଏ। ପ୍ରେରଣାର ବଶବର୍ତ୍ତୀ ହୋଇ ଚିରଚଞ୍ଚଳ ମନ ପ୍ରାତ୍ୟହିକତାଠାରୁ ମନସ୍ତାତ୍ତ୍ୱିକ ଭାବରେ ସ୍ଥୂଳ ଶରୀର ଓ ପାର୍ଥିବ ଜଗତ ସର୍ବସ୍ୱ ଜୀବନଧାରାଠାରୁ ବିଚ୍ଛିନ୍ନ ହୋଇଯାଏ। ସେତେବେଳେ ଚିନ୍ମୟ ଅନ୍ତଃସତ୍ତା ସହିତ ଲେଖକର ନିବିଡ଼ ମିଳନ ଘଟେ; ବ୍ୟକ୍ତିସତ୍ତା ପରାହତ ହୋଇ ସୁପ୍ତ ଅନ୍ତଃସତ୍ତା ଜାଗ୍ରତ ହୋଇଉଠେ, ହୃଦୟରେ ସୃଷ୍ଟି ହୁଏ ନବସର୍ଜନା ପାଇଁ ଉଦ୍‌ବେଳନ ଓ ଅପୂର୍ବ ସ୍ପନ୍ଦନ। ସେତେବେଳେ ବାହ୍ୟ କୋଳାହଳ ସତ୍ତ୍ୱେ ଅନ୍ତରରେ ଅନୁଭୂତ ହୁଏ ନୀଳ ନିରବତା। ଏହି କ୍ଷଣରେ ବ୍ୟକ୍ତିସତ୍ତା ନିରବ ହୋଇ ଆତ୍ମା ହୁଏ ମୁଖରିତ। ଅତୀନ୍ଦ୍ରିୟ ଚେତନାରେ ବିଚରଣ କରୁଥିବା ଲେଖକୀୟ ସତ୍ତାର ଅଭିବ୍ୟକ୍ତି ଆଉ ବ୍ୟକ୍ତିକ ନ ହୋଇ ସମୂହର ପ୍ରାଣସ୍ପନ୍ଦନକୁ ଭାବଘନ ଶବ୍ଦରୂପରେ ପ୍ରତିଭାତ କରେ। ସେଥିପାଇଁ ଯଥାର୍ଥରେ ଶ୍ରୀଅରବିନ୍ଦ କାବ୍ୟକାରକୁ ଜଣେ ଋଷି ଭାବରେ ଚିତ୍ରଣ କରନ୍ତି। ପୃଥିବୀରେ ଯେତେସବୁ ସାହିତ୍ୟସୃଷ୍ଟି କାଳବକ୍ଷରେ ଅମ୍ଳାନ ସ୍ୱାକ୍ଷର ଛାଡ଼ିଯାଇଛନ୍ତି, ସେଗୁଡ଼ିକ ଏହିପରି ପ୍ରେରଣା ସମ୍ଭୂତ ମନ୍ତ୍ର-ସ୍ନିଗ୍ଧ ସମାଧିସ୍ଥ ମନୋବସ୍ଥାରୁ ଉଦ୍ଭବ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ୱର ସମସ୍ତ ସାହିତ୍ୟ ପଦବାଚ୍ୟ ରଚନା ପାଇଁ ଊଣାଅଧିକେ ପ୍ରେରଣା ହିଁ ଦାୟୀ।

ପ୍ରେରଣା ସ୍ରଷ୍ଟାକୁ ଉଦ୍‌ବୁଦ୍ଧ କରେ, ତାହାର ଲେଖନୀକୁ କରେ ଚଳଚଞ୍ଚଳ। ଗ୍ରୀକ୍ ଦାର୍ଶନିକ ପ୍ଲାଟୋ କହନ୍ତି, “ଜଣେ ମାମୁଲି କବି ପ୍ରେରଣା ଚାଳିତ ହୋଇ କେବେ କେବେ ଚମତ୍କାର କବିତାଟିଏ ଲେଖି ପକାଇପାରେ, ଅପରପକ୍ଷରେ ଜଣେ ସକ୍ଷମ କବି ଯେତେବେଳେ ବିନା ପ୍ରେରଣାରେ ଲେଖେ ସେ ଲେଖା ହୁଏ ମାମୁଲି।” ପ୍ରେରଣା ହୋଇପାରେ ଭୌତିକ ଅବା ଆଧିଭୌତିକ। କେଉଁଠି ପ୍ରେରଣାର ଉତ୍ସ ହୋଇଥାଆନ୍ତି ଦୈବୀ ପ୍ରଚୋଦନା ତ ଆଉ କେଉଁଠି ନିଜସ୍ୱ ପୃଥିବୀ, ପାରିପାର୍ଶ୍ବିକ ଜଗତ, ସମସାମୟିକ କାଳ ଓ ସମାଜ, ଦର୍ଶନ, କିଂବଦନ୍ତୀ ଅବା ଇତିହାସ। ପ୍ରେରଣା ସମ୍ବନ୍ଧରେ ଶ୍ରୀଅରବିନ୍ଦଙ୍କ ବକ୍ତବ୍ୟ, “ଯେଉଁ ପ୍ରେରଣା ଜଣେ ପ୍ରତିଭାଧରର କୃତିକୁ କରେ ଅମର, ତାହା ଆସିଥାଏ ଊର୍ଦ୍ଧ୍ୱାଲୋକର ଏକ ସଂଗୁପ୍ତ ଉତ୍ସରୁ। ଶବ୍ଦ, ଶୈଳୀ, ମହତ୍ତ୍ୱ, ସୌକୁମାର୍ଯ୍ୟ- ସେସବୁ ଗୋଟିଏ ପ୍ରଚଣ୍ଡ ଅଗ୍ନିର ଏକ ଏକ ସ୍ଫୁଲିଙ୍ଗ।”(ସାବିତ୍ରୀ-୨ୟ ଖଣ୍ଡ) ଯଶସ୍ୱୀ ଦାର୍ଶନିକ ସକ୍ରେଟିସ କହନ୍ତି, “କ୍ରିଏଟିଭିଟି ଇଜ ଦ ରେଜଲ୍ଟ ଅଫ ଡିଭାଇନ୍ ଇନ୍‌ସ୍ପିରେସନ।”
ଧର୍ମଚିନ୍ତନ
ପୃଥିବୀର ପ୍ରତ୍ୟେକ ସଭ୍ୟତାର ଉନ୍ମେଷ କାଳରେ ସମଗ୍ର ସାହିତ୍ୟଜଗତ ଧର୍ମଚିନ୍ତନକୁ ପାଥେୟ କରି ଧ୍ୱନିମୟ ହୋଇଛି। ଓଡ଼ିଆ ସାହିତ୍ୟରେ ବୌଦ୍ଧ ଚର୍ଯ୍ୟାପଦ ଯୁଗଠାରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଧର୍ମଗତ ପ୍ରେରଣା ତଥା ଦୈବୀକୃପା ସମସ୍ତ କାଳଜୟୀ ସାହିତ୍ୟ ସୃଷ୍ଟିର ପ୍ରଧାନ ହେତୁ ବୋଲି ସାରସ୍ୱତ ସ୍ରଷ୍ଟାମାନେ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି। ଜର୍ମାନ ଦାର୍ଶନିକ ଇମାନୁଏଲ କାଣ୍ଟ୍ କହନ୍ତି, “ଗଭୀରତମ ଆବେଗରୁ ଯେଉଁ ଭାବ ସୃଷ୍ଟି ଲାଭକରେ, ତାହା ସୁନ୍ଦର ଓ ମନୋରମ। ଏହି ସୌନ୍ଦର୍ଯ୍ୟାନୁଭୂତିମୂଳକ ଭାବକୁ ପ୍ରକାଶ କରିବା ନିମିତ୍ତ ପ୍ରୟୋଜନ ହୁଏ ଗୋଟିଏ କଳେବର। ଏହି କଳେବର ହେଉଛି ଶବ୍ଦ।” ବ୍ୟକ୍ତିଗତ ଅନୁଭୂତି ଓ ଉତ୍ତରିତ ଚେତନାର ମୁକ୍ତ ପ୍ରକାଶ ବ୍ୟତିରେକେ ଉନ୍ନତ ସାହିତ୍ୟର ସୃଷ୍ଟି ଅସମ୍ଭବ। ସୃଜନଶୀଳତା ଏକ ଉଦ୍ଭାବନ। ପ୍ରଥିତଯଶା ସାହିତ୍ୟିକ ମନୋଜ ଦାସଙ୍କ ଭାଷାରେ, “ପ୍ରେରଣା ବୋଇଲେ କିଛି ଅସ୍ୱାଭାବିକ ଅଥବା ଅପ୍ରାକୃତିକ ବିଶେଷକୁ ବୁଝାଏ ନାହିଁ। ସାରା ସୃଷ୍ଟି ହିଁ ଏକ ଅଭିବ୍ୟକ୍ତି। ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଉତ୍ତାଳ ସମୁଦ୍ର, ବେଗବାନ ପବନ, ସ୍ରୋତସ୍ୱିନୀ ନଦୀଠୁଁ ଆରମ୍ଭ କରି ଫୁଲଫଳ, ଦୂର୍ବାଦଳଟିଏ – ସବୁକିଛି ହିଁ ସୃଷ୍ଟିନିହିତ ଅଭିବ୍ୟକ୍ତି ଶକ୍ତିର ଏକ ଏକ ସ୍ଫୁରଣ।” ପ୍ରେରଣାପ୍ରସୂତ ମହନୀୟ ସାରସ୍ୱତ ସୃଜନର ଦୃଷ୍ଟାନ୍ତ ବିଶ୍ୱ ଇତିହାସରେ ପ୍ରଚୁର।
ମହାକବି କାଳିଦାସ ‘ରଘୁବଂଶମ୍‌’ର ମଙ୍ଗଳାଚରଣ ଶ୍ଳୋକରେ ଶବ୍ଦ ଓ ଅର୍ଥର ପ୍ରତିପତ୍ତି ଲାଭ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି, “ବାଗର୍ଥାବିବ ସଂପୃକ୍ତୌ / ବାଗର୍ଥ ପ୍ରତିପତ୍ତୟେ / ଜଗତଃ ପିତରୌ ବନ୍ଦେ ପାର୍ବତୀ ପରମେଶ୍ୱରୌ।” (ପ୍ରଥମ ସର୍ଗ, ପ୍ରଥମ ଶ୍ଳୋକ) କଥିତ ଅଛି ଏକଦା ଭକ୍ତକବି ଜୟଦେବ ଧ୍ୟାନସ୍ଥ ଥିବା ସମୟରେ ତାଙ୍କ ଆରାଧ୍ୟ ପ୍ରଭୁ ଶ୍ରୀକୃଷ୍ଣ ଆବିର୍ଭାବ ହୋଇ ମୁରଲୀ ବାଦନ କରିବାରୁ ତାଙ୍କ ଧ୍ୟାନ ଭଗ୍ନ ହେଲା। ପ୍ରଭୁଙ୍କ ଦର୍ଶନରେ ତାଙ୍କ ଭକ୍ତି ବିଗଳିତ ହୃଦୟରୁ ସ୍ୱତଃ ନିଃସୃତ ହେଲା, “ମେଘୈର୍ମେଦୁରମମ୍ବରଂ ବନଭୂବଃ ଶ୍ୟାମାସ୍ତମାଳ ଦ୍ରୁମୌଃ / ର୍ନକ୍ତଂ ଭୀରୁରୟମ୍ ତ୍ୱମେବ ତଦିମଂ ରାଧେ! ଗୃହଂ ପ୍ରାପୟ।”
ଉତ୍କଳୀୟ କବିମାନଙ୍କର ଏକ ବୈଶିଷ୍ଟ୍ୟ ଯେ, ସେମାନେ କାବ୍ୟର ପିତୃତ୍ୱ ସ୍ୱୟଂ ଈଶ୍ୱରଙ୍କଠାରେ ଆରୋପ କରନ୍ତି। କବିଙ୍କର ଇଷ୍ଟଦେବତା ଯେତିକି ଅବତାରଣା କରନ୍ତି, ସେତିକି ମାତ୍ର ସେ ଲିପିବଦ୍ଧ କରନ୍ତି। ଆହୁରି ମଧ୍ୟ ପ୍ରାଚୀନ ଓ ମଧ୍ୟଯୁଗୀୟ ପ୍ରାୟ ସମସ୍ତ କାବ୍ୟପୁରାଣର ରଚୟିତାମାନେ ନିଜକୁ ଅତ୍ୟନ୍ତ ଦୀନହୀନ, ନଗଣ୍ୟ, ମୂର୍ଖ, ମହାପାପୀ, କ୍ଷୁଦ୍ରବୁଦ୍ଧି ବୋଲି ପରିଚୟ ଦେଇ ସ୍ୱୀକାର କରନ୍ତି, ଭଗବତ ପ୍ରସାଦ ବିନା ଯେପରି କାବ୍ୟରଚନା ନିମନ୍ତେ ସେମାନଙ୍କର ସାମାନ୍ୟତମ ସାମର୍ଥ୍ୟ ନାହିଁ। ଆଦିକବି ସାରଳା ଦାସ ସାରସ୍ୱତ ସର୍ଜନା ସ୍ଫୁରଣରେ ଦେବୀ ଶାରଳାଙ୍କର ଅପାରକୃପା ଥିବା ବିନମ୍ରତାର ସହିତ ବାରମ୍ବାର ସ୍ୱୀକାର କରିଛନ୍ତି। ‘ମହାଭାରତ’ ବନପର୍ବରେ ସେ ଲେଖିଛନ୍ତି, “ଗିରିଜା ନନ୍ଦିନୀ ସେ ସାରୋଳ ଚଣ୍ଡୀ ନାମ/ ତାହାଙ୍କର ସଦୟେ କିଛି କହିଲି ପୁରାଣ / ରାତ୍ରେ ଯାହା କହଇଁ ତାହା ଦିବସେ ଲେଖଇଁ / ଏଣୁକରି ସଦୟେ ମୋତେ ହୋଇଲେ ମହାମାୟୀ,” ଶ୍ରୀମଦ୍ ଭାଗବତ ଗୀତାରେ ସିଦ୍ଧକବି ବଳରାମ ଦାସ କହନ୍ତି, “ଯେଉଁ ଅର୍ଥ ବ୍ୟାସମୁନି ନ ପାରିଲେ ସନ୍ଧି / ଶ୍ରୀଜଗନ୍ନାଥ କୃପାରୁ ତାହା ମୁହିଁ ବାନ୍ଧି / ପହଡ଼କ ଭିତରେ ଲେଖିଲି ଗୀତା ଅର୍ଥ / ମୋହର ଆୟତ ନାହିଁ କହିଲେ ଜଗନ୍ନାଥ।” ‘ରସକଲ୍ଲୋଳ’ ପରି ସରସ କାବ୍ୟରେ ଦୀନକୃଷ୍ଣ ଲେଖିଛନ୍ତି “କୋଟି ବ୍ରହ୍ମାଣ୍ଡ ପ୍ରଭୁ ଜଗନ୍ନାଥ / କରନ୍ତି ପୂର୍ଣ୍ଣ ଜନ ମନୋରଥ / କଲି ମୁଁ ଏହି ଘେନ ଅଭିମତ / କରିବାକୁ ରସକଲ୍ଲୋଳ ଗୀତ / କହିଲେ ସେ ଯେଣୁ / କରରେ ମାତ୍ର ମୁଁ ଲେଖିଲି ତେଣୁ /” ଏହି ଭଗବଦୈକପ୍ରାଣତା କବିର ପରିଚାୟକ। କବି ଭଗବତ ପ୍ରାଣ ନ ହେଲେ, ନିଜକୁ ପୂର୍ଣ୍ଣରୂପେ ପରମାତ୍ମାଙ୍କଠାରେ ସମର୍ପଣ କରି ନ ପାରିଲେ, କବିଙ୍କ ଲେଖନୀରୁ ସୃଷ୍ଟି ନିଃସୃତ ହେବା ସମ୍ଭବପର ନୁହେଁ ବୋଲି ସେତେବେଳେ ଦୃଢ଼ ବିଶ୍ୱାସ ଥିଲା। ସନ୍ଥ ଅଚ୍ୟୁତାନନ୍ଦ ଦାସ ‘ଉଦୟ କାହାଣୀ’ରେ ବର୍ଣ୍ଣନା କରିଛନ୍ତି, “ଯୁଗ ଯୁଗାନ୍ତେ ଶ୍ରୀକୃଷ୍ଣ ସଙ୍ଗତେ / ଭଗତ ଜନମ ଅମୃଚ୍ଛକ ଚିତେ / ଆମ୍ଭେ ପଞ୍ଚସଖା ଜନମ ହେଉ। ଶ୍ରୀକୃଷ୍ଣ ଲୀଳାରେ ଭାବ ବଞ୍ଚାଉ।” ରାଜପଦକୁ ତୁଚ୍ଛକରି କବିପଣକୁ ଆଦରି ନେଇଥିବା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଢାମଣୀ ଖୋଲ ପର୍ବତ ଗୁମ୍ଫାରେ ‘ରାମତାରକ ମନ୍ତ୍ର’ ସିଦ୍ଧି କରି କାବ୍ୟରଚନା କରିବାକୁ ସମର୍ଥ ହୋଇଥିବା ସ୍ୱୀକାର କରନ୍ତି। ‘ଲାବଣ୍ୟବତୀ’ରେ ସେ ଉଲ୍ଲେଖ କରିଛନ୍ତି, “ତାରକମନ୍ତ୍ର ପରସାଦେ / ମୋହର କବିପଣ ଉଦେ।” ସନ୍ଥକବି ଭୀମଭୋଇ ଥିଲେ ମହିମା ଗୋସେଇଁଙ୍କ ଚରଣରେ ପୂର୍ଣ୍ଣ ସମର୍ପିତ। ତାଙ୍କ କୃତଜ୍ଞପ୍ରାଣର ବିନୟୀ ଭାଷାରେ ସେ ‘ଶ୍ରୁତି ନିଷେଧ’ ଗୀତାରେ ପ୍ରକାଶ କରିଛନ୍ତି, “ସୁଜନେ ସାବଧାନେ ଶୁଣ / ମୁଁ ଅଟେ ମୂରୁଖ ଅଜ୍ଞାନ / କେହି ମୋ ନାହିଁ ବଳ ସାହା / ଶ୍ରୀଗୁରୁ ସ୍ୱାମୀ ମୋର ସାହା / ପାଠ ଶାହାସ୍ତ୍ର ନାହିଁ ପଢ଼ି / ଗୋଷ୍ଠୀ ମେଳକୁ ହିଁ ନଗଡ଼ି।”

ପୋଏଟ୍‌ସ୍ ଆର୍ ବର୍ଣ୍ଣ
ଇଂରାଜୀରେ ଗୋଟିଏ ଆପ୍ତବାକ୍ୟ ବହୁ ପ୍ରଚଳିତ “ପୋଏଟ୍‌ସ ଆର ବର୍ଣ୍ଣ୍‌, ନଟ୍ ମେଡ୍‌।” ବାଧ୍ୟବାଧକତାରେ ଆଇନଜୀବୀର ବୃତ୍ତି ଗ୍ରହଣ କରିଥିବା ଚାର୍ଲସ୍ ଡିକେନ୍‌ସ ଦୈବୀପ୍ରେରଣାର ଆହ୍ୱାନରେ ନିଜ ଜୀବିକା ପ୍ରତି ବୀତସ୍ପୃହ ହୋଇ ଆପରାଧିକ ସତ୍ତାଗୁଡ଼ିକୁ ଜୀବନ୍ୟାସ ଦେଇ ନାନା କାଳଜୟୀ ଉପନ୍ୟାସର ସୌଷ୍ଠବ ନିର୍ମାଣ କଲେ। ୱାସିଂଟନ ଇରଭିଂଙ୍କ ଜୀବନ ଚରିତରେ ମଧ୍ୟ ଅବିକଳ ଅନୁରୂପ ଘଟଣା ଦୃଶ୍ୟମାନ ହୁଏ। ଇଂରେଜ କବି ମିଲ୍‌ଟନ, ‘ପାରାଡାଇଜ୍ ଲଷ୍ଟ’ ରଚନାର ପ୍ରାରମ୍ଭରେ ଏହି କାବ୍ୟର ସାର୍ଥକତା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରି ଲେଖିଛନ୍ତି, “ହ୍ୱାଟ ଇଜ ଇନ୍ ମି ଡାର୍କ / ଇଲୁମିନ ହ୍ୱାଟ ଇଜ ଲୋ, ରେଜ୍ ଆଣ୍ଡ ସପୋର୍ଟ।” ବ୍ରିଟେନ, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ ଓ ଫ୍ରାନ୍ସ ସମେତ ପ୍ରାୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରର ସୁବିଖ୍ୟାତ କବିଗଣ ତାଙ୍କର ସୃଜନରେ ମିଲଟନଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ରାଲ୍‌ଫ ଇମରସନ ଓ ଡେଭିଡ୍ ଥରୋ ଏହି ଅତୀନ୍ଦ୍ରିୟ ଭାବନାର ପରିପ୍ରକାଶ କରିଛନ୍ତି ସେମାନଙ୍କ ବିଦ୍‌ବତ୍ତାପୂର୍ଣ୍ଣ ସୃଜନ ସମ୍ଭାରରେ। ଅରହାନ ପାମୁକଙ୍କ ଉପନ୍ୟାସ ‘ସ୍ନୋ’ରେ ନାୟକର ସଂଳାପ ମାଧ୍ୟମରେ ଔପନ୍ୟାସିକଙ୍କ ବକ୍ତବ୍ୟ ଥିଲା, “କବିତା ମୋ ପାଖକୁ ଆସେ; ମୁଁ କେବଳ ମାଧ୍ୟମ ବା ଲିପିକାର ମାତ୍ର।” ବିଶ୍ୱ ସାହିତ୍ୟର ବହୁଚର୍ଚ୍ଚିତ ଉପନ୍ୟାସ ‘ଅଙ୍କଲ ଟମ୍‌ସ କେବିନ’ର ଲେଖିକା ହାରିଏଟ୍ ବିଚର ଷ୍ଟୋ କହନ୍ତି, ଏହି ଉପନ୍ୟାସ ରଚନା କରିଛନ୍ତି ସ୍ୱୟଂ ଲର୍ଡ ଏବଂ ସେ ତାଙ୍କ ହାତରେ ସାଧନ ମାତ୍ର। ପ୍ରସିଦ୍ଧ ଇଂରାଜୀ ସାହିତ୍ୟ ସମାଲୋଚକ ଆର.ଏ. ସ୍କଟ ଜେମ୍‌ସଙ୍କ ମତରେ, ‘ଅଲ ଆର୍ଟ ଦ୍ୟାଟ୍ ୱାଜ ଆର୍ଟ, ୱାଜ ଅଫ ଡିଭାଇନ ଅରିଜିନ।”
ଗଣକବି ବୈଷ୍ଣବ ପାଣି ଇଷ୍ଟଦେବତା ଶ୍ରୀଶ୍ରୀ ବିନୋଦ ବିହାରୀଙ୍କ ନିକଟରେ ଆଠଦିନ ଅଧିଆ ପଡ଼ିବା ପରେ ସ୍ୱପ୍ନାଦେଶ ହେଲା ରଚନା କରିବାକୁ ଗୀତାଭିନୟ। ତାଙ୍କ ଲେଖନୀରୁ ଝଙ୍କୃତ ହେଲା, ତାଙ୍କ ଜୀବନର ପ୍ରଥମ ଗୀତିନାଟକ ‘ମେଘନାଦ ବଧ’। ଐଶୀ କୃପା ବଳରେ ଅମୃତ କବିତ୍ୱ କିପରି ସ୍ଫୁରଣ ହୁଏ, ଗଣକବି ତାହାର ପ୍ରକୃଷ୍ଟ ନିଦର୍ଶନ। କୃତବିଦ୍ୟ ଔପନ୍ୟାସିକ ଗୋପୀନାଥ ମହାନ୍ତି ‘ସ୍ରୋତସ୍ୱତୀ-୩’ରେ ଲେଖିଛନ୍ତି, “ଯେଉଁ ଅଦୃଶ୍ୟ ଶକ୍ତି ଲୋଡ଼ିଥିଲା ଯେ, ମୋ ହାତରେ ଯତ୍ ସାମାନ୍ୟ ଲେଖିହେବ, ସେ ତା’ର ଉଦ୍ଦେଶ୍ୟ ସାଧନ ପାଇଁ ମତେ ଯେପରି ନାନା ଅଭିଜ୍ଞତା, ନାନା କ୍ଷୋଭ, ମନସ୍ତାପ, ଯନ୍ତ୍ରଣାମୟ ଅନୁଭୂତି ଦିଆଯାଇଥିଲା, ସେହିପରି ତାକୁ ସାହିତ୍ୟରେ ରୂପାନ୍ତରିତ କରି ଲେଖିବା ପାଇଁ।” ଉତ୍କଳଘଣ୍ଟ କବି ଯଦୁମଣିଙ୍କ ଉକ୍ତି, “ହୟଗ୍ରୀବ ମହାପ୍ରଭୁ ପ୍ରତାପେ xxx ଦୂର୍ବାଦଳ ଶ୍ୟାମଳ କୃପାରୁ ମୋ ନାମ ଉତ୍କଳ ଘଣ୍ଟ ଯେ।” କବି ମାୟାଧର ମାନସିଂହଙ୍କ ବାଲ୍ୟକାଳର ଏକ ଘଟଣା। ଇଂଲଣ୍ଡରେ ରାଜା ସପ୍ତମ ଏଡ୍‌ୱାର୍ଡଙ୍କ ସିଂହାସନ ଆରୋହଣ ଉତ୍ସବ ଅବସରରେ ପାରିକୁଦ ଦରବାରରେ ଏକ ସଭାର ଆୟୋଜନ ହୋଇଥାଏ। ଏକ ଅଲୌକିକ ପ୍ରବର୍ତ୍ତନାରେ ବାଳକ ମାନସିଂହ ଗଦ୍ୟରେ ଲେଖିଲେ ଏକ ପ୍ରଶସ୍ତିମୂଳକ ରଚନା ଏବଂ ତାହାକୁ ପାଠକଲେ ପ୍ରବୀଣମାନଙ୍କ ସମ୍ମୁଖରେ। ଏହା ଥିଲା ତାଙ୍କ ଜୀବନର ପ୍ରଥମ ସୃଷ୍ଟି। ଏହା ସମ୍ବନ୍ଧରେ ଲେଖକ ପ୍ରକାଶ କରନ୍ତି, “ହୁଏତ ଏହା ହିଁ ଥିଲା ଗଦ୍ୟରେ ଆରମ୍ଭ ଏକ ଦୈବୀସୂଚନା ଯେ ଜୀବନଟା ନିରାଟ ଗଦ୍ୟମୟ ହେବ, ଯାହା ହିଁ ହୋଇଛି।”
ବିନା ପ୍ରେରଣାରେ ଲେଖିନାହିଁ
ଓଡ଼ିଆ ସାହିତ୍ୟର ଯଶସ୍ୱୀ ଲେଖକ ମନୋଜ ଦାସ କହନ୍ତି, “ମୋର ଯେତେସବୁ ସୃଜନାତ୍ମକ ଲେଖା, ସେସବୁ ମୁଁ ସମ୍ପୂର୍ଣ୍ଣ ଭାବରେ ପ୍ରେରଣା ଉପରେ ନିର୍ଭର କରି ଲେଖିଛି। ବିନା ପ୍ରେରଣାରେ ମୁଁ କେବେ ବି କିଛି ଲେଖିନାହିଁ। ସେ ଗୋଟିଏ ପ୍ରବେଗ, ତାହା ଊଣା ଅଧିକେ ଊର୍ଦ୍ଧ୍ୱରୁ ଆସୁଥିବା ଗୋଟିଏ ନିମନ୍ତ୍ରଣ, ଗୋଟିଏ ରହସ୍ୟ ନିଜକୁ ଖୋଲିଦେବା ପାଇଁ।” ଖ୍ୟାତନାମା କବି ରମାକାନ୍ତ ରଥଙ୍କର ବକ୍ତବ୍ୟ ଏଠାରେ ପ୍ରାସଙ୍ଗିକ ହେବ। “ବିଶ୍ୱାସ କରନ୍ତୁ, ମୋର ଶ୍ରୀରାଧାଟିକୁ ମୁଁ ଲେଖିନାହିଁ। ମୋତେ ଜଣେ କିଏ ଡାକି ଦେଇଛି। ସେ ଯଦି କବି ହୁଏ, ମୁଁ ଷ୍ଟେନୋଗ୍ରାଫର ମାତ୍ର। ‘ଶ୍ରୀପଳାତକ’ ଯେତେବେଳେ ମୁଁ ନିଜ ଚେଷ୍ଟାରେ ଲେଖିଲି, ସେଇଟା ସେତେ ସଫଳ ହେଲା ନାହିଁ। ସେହି ପ୍ରେରଣା (ଅତୀନ୍ଦ୍ରିୟ ବା ଦୈବୀ ପ୍ରେରଣା) ସବୁ।” (ସମ୍ପାଦକ ନିହାର ରଞ୍ଜନ ଶତପଥୀଙ୍କ ସହିତ ସାକ୍ଷାତ୍‌କାର, ସାହିତ୍ୟଚର୍ଚ୍ଚା, ଅକ୍ଟୋବର ୨୦୨୨)। କବୀ ଗାୟତ୍ରୀବାଳା ପଣ୍ଡା କହନ୍ତି, “ହଠାତ୍ ଧାଡ଼ିଟିଏ ବା ଦୁଇଧାଡ଼ି ମନକୁ ଆସିଯାଏ ବିନା ଯୋଜନା ବିନା ପ୍ରସ୍ତୁତିରେ। ପରେ ପରେ ମନ ଅସ୍ଥିର ହୁଏ ଓ କିଛି ସମୟ ଏକାଗ୍ର ହୋଇପାରିଲେ ଧାଡ଼ି ପରେ ଧାଡ଼ି ପଛକୁ ପଛ ଖଞ୍ଜି ହୋଇଯାଏ। ଯଦି ସେଇ ପ୍ରଥମ ଧାଡ଼ିଟି କୌଣସି କାରଣ ବଶତଃ ମୁଁ ଲେଖି ପାରେନି, ତେବେ କବିତାଟି ଆଦୌ ଲେଖି ହୁଏନା। କବିତା ଲେଖିବା ପାଇଁ ମୁଁ କେବେ ମାର୍ଗ ଖୋଜି ଯାଇନି। ପ୍ରତିଥର ମାଧ୍ୟମ ପାଲଟିଯାଇଛି। ମୋର ବିଶ୍ୱାସ ମାର୍ଗ ଖୋଜିବସିଲେ ବା ଗଢ଼ି ବସିଲେ କବିତା ଲେଖି ହୁଏନା। xxx ତେବେ କବିତା ଅନେକ ସମୟରେ ନିଜେ ଯେମିତି ଗଢ଼ି ହୋଇଛି। ତାକୁଇ ଅବଧାରିତ ବୋଲି ମାନିବାକୁ ହୋଇଛି।” (ନିତିଦିନ, ୨୯ ନଭେମ୍ବର ୨୦୧୯)
ସାରସ୍ୱତ ଅଭିବ୍ୟକ୍ତିର ଏକ ନୂତନ ଧାରା ଅନ୍ୱେଷଣ ପାଇଁ ମହର୍ଷି ବାଲ୍ମୀକିଙ୍କ ଅନ୍ତଃସତ୍ତା ଅନେକ ଦିନରୁ ବ୍ୟାକୁଳ ଥିଲା। ହଠାତ୍ ବ୍ୟାଧର ଶରାଘାତରେ କ୍ରୌଞ୍ଚ ଯୁଗଳଙ୍କର ମର୍ମନ୍ତୁଦ ପରିଣତି ତତ୍‌କ୍ଷଣାତ୍ ଭବିଷ୍ୟତର ମହାକବିଙ୍କ ଚେତନାରୁ ସ୍ଫରିତ କଲା ନୂତନ ଛନ୍ଦ, ଭାବ ଓ ଭବିଷ୍ୟବାଣୀ ଆଧାରିତ ଅନନ୍ୟ ସୃଷ୍ଟି; ଆତ୍ମପ୍ରକାଶ କଲା ବିଶ୍ୱର ପ୍ରାଚୀନତମ କାରୁଣ୍ୟଧର୍ମୀ ଗୀତିକବିତା। ଏହିପରି ଅନ୍ୟ ଏକ ଘଟଣାର ଦୃଷ୍ଟାନ୍ତ ପାଶ୍ଚାତ୍ୟ ଜଗତରେ। ଯୌବନର ସୁନେଲି ବୟସର ପ୍ରିୟତମ ପୁରୁଷର ଦାରୁଣ ବିଚ୍ଛେଦରେ ମର୍ମାହତ ନିଃସଙ୍ଗ ଶିକ୍ଷୟିତ୍ରୀ ଗାବ୍ରିଏଲା ମିଷ୍ଟ୍ରାଲ। ଉପହାସର ଶରବ୍ୟ ଏକ ଆସନ୍ନପ୍ରସବା ନାରୀ ଶ୍ରମିକର ଦୟନୀୟ ଅବସ୍ଥା ଗଭୀର ରେଖାପାତ କଲା ତାଙ୍କ ମନରେ। ନିଃସହାୟ ମାତୃତ୍ୱ ଓ ଧରିତ୍ରୀ ମାତାର ଅସହ୍ୟ ବେଦନା ତାଙ୍କୁ ଅଥୟ କଲା। ଏହି ପଟ୍ଟଭୂମିରେ ତାଙ୍କ ଲେଖନୀ ନିଃସୃତ ମା’ ଶୀର୍ଷକ କବିତା କାଳଜୟୀ ହେଲା। ସେ ହେଲେ ନୋବେଲ ପୁରସ୍କାର ବିଜୟ କରିବାରେ ସର୍ବପ୍ରଥମ ଲାଟିନ ଲେଖିକା। ଗୋଟିଏ ଗୋଟିଏ ସାଧାରଣ ଘଟଣା ପଶ୍ଚାତରେ ନିହିତ ଥିବା ଅନ୍ତଃପ୍ରବାହୀ ଭାବାତ୍ମକ ପ୍ରତିକ୍ରିୟା କିପରି ପ୍ରେରଣାଦାୟକ ହୁଏ, ଏହି ଦୁଇଟି ପ୍ରସଙ୍ଗ ତାହାର ଉଜ୍ଜ୍ୱଳ ଦୃଷ୍ଟାନ୍ତ।

ସୃଜନର ଦୃଷ୍ଟିଭଙ୍ଗୀ
ବିଂଶ ଶତକର ଶିଳ୍ପାୟନ ସଭ୍ୟତା ଓ ତତ୍‌କୈନ୍ଦ୍ରିକ ଆର୍ଥନୀତିକ ସମାଜ ବ୍ୟବସ୍ଥା, ଯୁଦ୍ଧଖୋର ବିଶ୍ୱ ରାଜନୀତି, ସ୍ୱାଧୀନତୋତ୍ତର ସାଂସ୍କୃତିକ ଅବକ୍ଷୟ, ବିଜ୍ଞାନସମ୍ମତ ବିଳାସମୟ ଜୀବନଚର୍ଯ୍ୟାର ବିକାଶ ଓ ପ୍ରଜ୍ଞାପିତ ହେବାର କୌଶଳ ଚାତୁର୍ଯ୍ୟ ଓ ଲାଳସା ସୃଜନଶୀଳତାକୁ ବିଶେଷ ପ୍ରଭାବିତ କରିଛି। ସାରସ୍ୱତ ସ୍ରଷ୍ଟାମାନଙ୍କର ସୃଜନ ଦୃଷ୍ଟିଭଙ୍ଗୀରେ ବ୍ୟାପକ ପରିବର୍ତ୍ତନ ସଂଘଟିତ ହୋଇଛି। ଏହି ପରିପ୍ରେକ୍ଷୀରେ ବୈଜ୍ଞାନିକ ଥମାସ୍ ଏଡିସନଙ୍କ ବକ୍ତବ୍ୟ ପ୍ରଣିଧାନଯୋଗ୍ୟ। ସେ କହନ୍ତି ‘ଜିନିଅସ ଇଜ ୱାନ ପରସେଣ୍ଟ ଇନସ୍ପିରେସନ ଆଣ୍ଡ ନାଇଣ୍ଟିନାଇନ୍ ପରସେଣ୍ଟ ପରସ୍ପିରେସନ।” ଯଦିଓ ଏହା ବିଜ୍ଞାନ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ, ତଥାପି ଏହାକୁ ସାରସ୍ୱତ ସୃଜନଶୀଳତା ପାଇଁ ଅପ୍ରାସଙ୍ଗିକ ବୋଲି କହିହେବ ନାହିଁ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖକ ଜଗନ୍ନାଥ ପ୍ରସାଦ ଦାସଙ୍କ ଉକ୍ତି ଉଲ୍ଲେଖଯୋଗ୍ୟ। ସେ କହନ୍ତି, “ଲେଖକମାନେ ଯାହାକୁ ଦୈବୀ, ଅଶରୀରୀ ବାଣୀ, କୃପା, ଶ୍ରୁତଲିଖନ ବୋଲି କହୁଛନ୍ତି ତାହା ଏକ ଆଳଙ୍କାରିକ ପ୍ରୟୋଗ ମାତ୍ର; ସେମାନେ ଏହା ଦ୍ୱାରା ପ୍ରେରଣାକୁ ହିଁ ବୁଝାଉଛନ୍ତି। ଏ ବ୍ୟାଖ୍ୟା ମଧ୍ୟ ସମସ୍ୟାଜନକ, କାରଣ ଏଥିରୁ ନିଷ୍କର୍ଷ ବାହାରିବ ଯେ, ପ୍ରେରଣା ବଳରେ ହିଁ ଲେଖକ ଲେଖିଚାଲିବ, ଏଥିରେ ସମ୍ପାଦନା, ସଂଶୋଧନ, ପରିବର୍ତ୍ତନ, ବିବର୍ତ୍ତନ, ପ୍ରଗତି ବା ପୁନର୍ଲେଖନର ଆବଶ୍ୟକତା ନାହିଁ।” ପୁନଶ୍ଚ ସେ ନିଜ ବିଷୟରେ କହନ୍ତି, “ଲେଖିବା ପାଇଁ ମତେ ବାରମ୍ବାର ବିଭିନ୍ନ ଅଭିଧାନ ଓ ସମାର୍ଥ ଶବ୍ଦକୋଷ ଦେଖିବାକୁ ପଡ଼େ। ଅନେକ କଟାକଟି ଅଦଳବଦଳ ପୁନର୍ଲେଖନ କରିବାକୁ କିଛି ଦିନ ବନ୍ଦ କରି ରଖିଦିଏ, ପୁଣିଥରେ ତାକୁ ଖୋଲି ପୁଣି ସେହି ପ୍ରକ୍ରିୟା ଦେଇଯାଏ। ଯେତେବେଳେ ମନେ ହୁଏ ଯେ ବହୁତ କଟାକଟି ହୋଇଗଲା ଓ ଲେଖାଟି ଉପରେ ଆଉ ସମୟ ଦେବା ଉଚିତ ନୁହେଁ, ମୁଁ ପରବର୍ତ୍ତୀ ଦୁସ୍ତର କାମଟିରେ ହାତ ଦିଏ।”
ପୂଜା ପତ୍ରିକା
କେତେକ ଲୋକପ୍ରିୟ କବି, ଗାଳ୍ପିକ ଏକ ସମୟରେ ତିନିଚାରିଟି ସୃଷ୍ଟି ରଚନାରେ ହାତ ଦେଇଥାଆନ୍ତି। ବିଶେଷତଃ ଏହି ପ୍ରକ୍ରିୟା ପୂଜା ସମୟରେ ପ୍ରକାଶିତ ସାହିତ୍ୟ ପତ୍ରିକା ପାଇଁ ବହୁଳ ଭାବରେ ଆବଶ୍ୟକ ହୁଏ ବୋଲି କେତେକ ଲେଖକ ସ୍ୱୀକାର କରନ୍ତି। ଗବେଷଣାତ୍ମକ ପ୍ରବନ୍ଧ ଓ ଆଲୋଚନା ପାଇଁ ଯେଉଁ ଅବିଶ୍ରାନ୍ତ ଶ୍ରମ ଆବଶ୍ୟକ ପଡ଼େ, ତାହା କହିବା ନିଷ୍ପ୍ରୋୟଜନ। ହେମିଙ୍ଗୱେ ତାଙ୍କ ଲେଖାକୁ ୩୯ଥର ପରିବର୍ତ୍ତନ କରିଥିଲେ। ଲିଓ ଟଲଷ୍ଟୟ ତାଙ୍କର ଉପନ୍ୟାସ ‘ୱାର ଆଣ୍ଡ ପିସ୍‌’କୁ ସାତଥର ସଂଶୋଧନ କରିଥିଲେ। କବି ୟେଟସ ତାଙ୍କ ‘ଏ ସେକେଣ୍ଡ କମିଙ୍ଗ’ କବିତାକୁ ଶହେ ପ୍ରକାରର ଲେଖିଥିଲେ। ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ତାଙ୍କର ରଚନାକୁ ବାରମ୍ବାର ବଦଳାଉ ଥିଲେ। କବି ଡିଲାନ୍ ଟମାସ୍ ତାଙ୍କର ‘ଏଲ୍‌ଜି’ କବିତା ରଚନାକୁ ତାଙ୍କ ଜୀବଦ୍ଦଶାରେ ମଧ୍ୟ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ଫ୍ରାଙ୍କ ଓକନର ଇଚ୍ଛା କରିଥିଲେ ଚିତ୍ରକର ହେବାକୁ, କିନ୍ତୁ ହୋଇଗଲେ ବିଶିଷ୍ଟ ଲେଖକ। ଭିକ୍ଟର ହ୍ୟୁଗୋ ଏକାଦିକ୍ରମେ ଚଉଦଘଣ୍ଟା ଲେଖାଲେଖି କରୁଥିଲେ। ଜେମ୍ସ ଜଏସ୍ ଶଯ୍ୟାରେ ଶୋଇରହି ଲେଖୁଥିଲେ। ଡକ୍ଟର ଜନସନ୍ ପାର୍କରେ ଏବଂ ୱାର୍ଡସୱର୍ଥ ବଗିଚାରେ ତାଙ୍କର ଉତ୍କୃଷ୍ଟ କବିତାଗୁଡ଼ିକ ରଚନା କରିଥିଲେ। ସାଭେଜ୍ ରାସ୍ତାରେ ଚାଲୁଥିଲା ବେଳେ ନାଟକର ଡାଇଲଗ୍ ଲେଖି ପକାଉଥିଲେ। ଆଗାଥା କ୍ରିଷ୍ଟି ଗୋଟିଏ ଉପନ୍ୟାସ ରଚନା ପ୍ରାରମ୍ଭରେ ଛଅ ସପ୍ତାହ ବ୍ୟାପୀ ଗମ୍ଭୀର ଭାବରେ ଚିନ୍ତା କରୁଥିଲେ। କବିବର ରାଧାନାଥଙ୍କ ‘ମାଲ୍ୟଗିରି’ କାବ୍ୟର ପରିକଳ୍ପନା ଚରିତାର୍ଥ ହେବା ତାଙ୍କ ମୃତ୍ୟୁ ପୂର୍ବରୁ ସମ୍ଭବପର ହୋଇପାରି ନ ଥିଲା। ତେଣୁ ଗୋଟିଏ ଲେଖାର ସର୍ଜନା ପଶ୍ଚାତ୍‌ରେ କେତେ ଶ୍ରମ ବ୍ୟୟ ହୋଇଥାଏ, ତାହା ବିଚାରଯୋଗ୍ୟ।
ସାହିତ୍ୟ ସମାଲୋଚକମାନଙ୍କ ମତରେ ଇନ୍ଦ୍ରିୟପ୍ରବଣ ରଚନାଠାରୁ ଭାବପ୍ରବଣ ଲେଖା, ଭାବପ୍ରବଣ ଲେଖାଠାରୁ ଚିତ୍ତପ୍ରବଣ ଲେଖା, ଚିତ୍ତପ୍ରବଣ ଲେଖାଠାରୁ ବୁଦ୍ଧିପ୍ରବଣ ଲେଖା ଅଧିକ ମହତ୍ତର ଏବଂ ସବୁଠାରୁ ଉତ୍କୃଷ୍ଟ ରଚନା ହେଉଛି ଉଚ୍ଚତର ଉତ୍ସରୁ ପ୍ରେରିତ ସାରସ୍ୱତ ସୃଷ୍ଟି। ପ୍ରତ୍ୟେକ ରଚନାର ମୂଳଉତ୍ସ ହିଁ ରଚନାର ଗୁଣବତ୍ତାର ପରିଚାୟକ। ସନ୍ଥକବି ଭୀମଭୋଇ, ଗ୍ରୀକ୍ କବି ହୋମର ଥିଲେ ବାହ୍ୟତଃ ଦୃଷ୍ଟିହୀନ। ଅଥଚ ଉଚ୍ଚତର ଚେତନାରୁ ଆନୀତ ପ୍ରେରଣାର ଦୃଷ୍ଟିରେ ଉଦ୍‌ବୁଦ୍ଧ ତାଙ୍କ ଲେଖନୀରୁ ଯେଉଁ ସୃଷ୍ଟି ନିଷ୍ପନ୍ନ ହେଉଥିଲା, ବିଶ୍ୱ ସାହିତ୍ୟ ଜଗତରେ ତାହାର ପଟ୍ଟାନ୍ତର ନାହିଁ।
ସାହିତ୍ୟ ସର୍ଜନା ପାଇଁ ଆବଶ୍ୟକ ନୂତନ ମୌଳିକ ଚିନ୍ତନ, ନବ ପରିକଳ୍ପନା, ବିପୁଳ ଅଭିଜ୍ଞତା, ଅନୁଭୂତି ଓ ଅଧ୍ୟବସାୟ। ନୂତନତାର ଆବିଷ୍କାର ପାଇଁ ଲୋଡ଼ା କୌତୂହଳ ଓ ଆଗ୍ରହ। ଆବଶ୍ୟକ ମଧ୍ୟ ପ୍ରତ୍ୟେକ ଘଟଣାର ଅନ୍ତରାଳରେ ଥିବା ତତ୍ତ୍ୱ ପ୍ରତି ଜିଜ୍ଞାସା ଓ ସୂକ୍ଷ୍ମ ଅନ୍ତର୍ଦୃଷ୍ଟି ଏବଂ ନିଜ ଭାବନାକୁ ପରିପ୍ରକାଶ କରିବାର ପ୍ରବଣତା। ଏହିସବୁର ସନ୍ନିବେଶ ସହିତ ମନରାଜ୍ୟରେ ଅନ୍ତଃପ୍ରେରଣାଟିଏ ସଞ୍ଚାର ହେବା ମାତ୍ରେ ନୂଆ ନିର୍ମାଣଟିଏ ଆତ୍ମପ୍ରକାଶ କରିବାକୁ ପ୍ରତୀକ୍ଷା କରେ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

One thought on “ଲେଖକୀୟ ସୃଜନଶୀଳତା ଓ ଦୈବୀ ପ୍ରେରଣା

  1. ଅନନ୍ୟ ରଚନା, ଅନନ୍ୟ ବର୍ଣ୍ଣନା ଓ ଅନନ୍ୟ ବିଷୟଭିତ୍ତିକ ଶବ୍ଦ ସଂଯୋଜନା ଓ ଯଥେଷ୍ଟ ଶିକ୍ଷଣୀୟ ଲେଖା। ସାହିତ୍ୟ ସର୍ଜନା ପାଇଁ ଏକ ମାଇଲଖୁଣ୍ଟ କହିଲେ ଅତ୍ୟୁକ୍ତି ହେବନାହିଁ।

Leave a Reply

Your email address will not be published. Required fields are marked *