ଯିଏ ମାଡ଼କୁ ପିଠେଇ ଯାଏ ତାକୁ ‘ମାଡ଼ଗଇଁଆ’ କୁହାଯାଏ; ଫକୀରମୋହନଙ୍କ ରାଣ୍ଡୀପୁଅ ଅନନ୍ତା ସେଇ କାଟର ଚରିତ୍ର ।
ମାଡ଼ ଏକ ଖାଦ୍ୟ ନୁହେଁ; କିନ୍ତୁ ଏହାକୁ ଖିଆଯାଏ। ଅବଶ୍ୟ ମାଡ଼ ଖାଇବାକୁ କେହି ଚାହେଁନି, କି ବିନା କାରଣରେ ମାଡ଼ ଦେବାକୁ କେହି ମନ କରେନି; ତଥାପି ମାଡ଼ କେମିତି ଅଦିନିଆ ବର୍ଷା ଭଳି ଅତର୍କିତ ବର୍ଷିଯାଏ। ମାଡ଼ର ଶ୍ରୀଗୌରାଙ୍ଗ ପ୍ରାୟତଃ ମା’ ହାତରୁ ହିଁ ହେଇଥାଏ। ବାଳକୃଷ୍ଣ ଓ ଯଶୋଦା ଏହାର ଉଜ୍ଜ୍ୱଳ ଉଦାହରଣ। ପର ଘରେ ପଶି ଲବଣି ଚୋରେଇ ଖାଇବାର ଅଭିଯୋଗ ଶୁଣି କୃଷ୍ଣଙ୍କ ଉପରେ ଯଶୋଦାଙ୍କ ଗୋଗୋଛ ମାଡ଼ ଦେଖି ଅଭିଯୋଗକାରିଣୀ ଗୋପାଙ୍ଗନାମାନେ କହିଛନ୍ତି- “ଯଶୋମତୀ ଜନନୀ ଗୋ ମାର ନାହିଁ ଆଉ, ଖାଇଲେ ସରଲବଣି କଳାକାହ୍ନୁ ଖାଉ।” ମା’ ତା’ ପିଲାକୁ ସିନା ମାରେ, କିନ୍ତୁ ଅନ୍ୟ କିଏ ତା’ପିଲା ଉପରକୁ ହାତ ଉଠେଇଲେ ସିଏ ସହିପାରେନି। ରାହା ଧରି କାନ୍ଦୁଥିବା ପୁଅକୁ କାଖ କରି ମା’ ପିଲାଭୁଲାଣିଆ ଗୀତ ବୋଲେ- “ମୋ ଧନକୁ କିଏ ମାଇଲା ମାଡ଼… ଭାଙ୍ଗି ପକେଇଲା କଅଁଳ ହାଡ଼….।” ମା’ ମାଡ଼ ହେଉଛି ମମତାମଧୁର ମୃଦୁ ମାଡ; ସେଇଥିପାଇଁ ମା’ ମାଡ଼କୁ ପିଲା ଖାତିର କରେନି। ତା’ ପାଇଁ ‘ମା’ ମାଡ଼, କୁଆ ପାଡ଼’।
ଜନ୍ମଠାରୁ ପାଞ୍ଚ ବର୍ଷଯାଏ ପିଲା ପରିବାର ସହ ରହେ-‘ପଞ୍ଚବର୍ଷାଣି ଲାଳୟେତ୍’। ତା’ପରେ ସେ ସ୍କୁଲକୁ ଯାଏ; ପରବର୍ତ୍ତୀ ଦଶ ବର୍ଷ ପିଲାର ପରିବେଶ, ପରିସ୍ଥିତି ବଦଳିବା ସହିତ ମାଡ଼ର ପ୍ରକାର ଓ ପ୍ରକୋପ ବି ବଦଳିଯାଏ। ତା’ପାଇଁ ଏଇ କାଳଖଣ୍ଡ ଚାଣକ୍ୟକଥିତ- ‘ତାଡ଼ୟେତ୍ ଦଶବର୍ଷାଣି’। ଏଇ ଦଶ ବର୍ଷ ହେଉଛି ଶୈଶବ ଓ କୈଶୋରର ବୟସ। ବାଲ୍ୟ ଓ ପ୍ରାକ୍ଯୌବନର ଏଇ ସନ୍ଧିକାଳ ହେଉଛି ବ୍ୟକ୍ତିତ୍ୱ ବିକାଶର ବୟସ, ପୌରୁଷ ପ୍ରକଟିବାର ବୟସ, ଯୌବନ ଜକେଇବାର ବୟସ, ସ୍ୱପ୍ନ ଦେଖିବାର ବୟସ, ଆପଣାକୁ ସ୍ୱାଧୀନ ସମର୍ଥ ମଣିବାର ବୟସ। ବୟସର ଏଇ ଉଦ୍ଦାମ ଉଚ୍ଛୃଙ୍ଖଳ ବେଳାରେ ପିଲାପାଇଁ ଅଙ୍କୁଶ ଆବଶ୍ୟକ, ଆକଟ ଆବଶ୍ୟକ, ଅନୁଶାସନ ଆବଶ୍ୟକ ଏବଂ ଏ ସବୁର ଅନୁପାନ ହେଉଛି ମାଡ଼ର ମହୌଷଧି। ମାଡ଼ ହେଉଛି ଦୁଷ୍ଟାମି ନିବାରକ, ଚଗଲାମି ପ୍ରତିଷେଧକ, ବାଳୁଙ୍ଗାମି ପ୍ରତିରୋଧକ। ସେଇଥି ପାଇଁ ଶାସ୍ତ୍ର ବଚନ କହୁଛି- “ଲାଳନେ ବହବୋ ଦୋଷାସ୍ତାଡ଼ନେ ବହବୋ ଗୁଣାଃ; ତସ୍ମାତ୍ ପୁତ୍ରଂ ଚ ଶିଷ୍ୟଂ ଚ ତାଡ଼ୟେନ୍ନ ତୁ ଲାଳୟେତ୍।” ଅତି ଗେଲବସରିଆ ଗୁଣ ଏବଂ ଆକଟ, ଅନୁଶାସନ ଅଭାବ ଓ ତାଡ଼ଣ ମାଡ଼ଣର ଅନୁପସ୍ଥିତି ଯୋଗୁ ବର୍ତ୍ତମାନ ସମାଜରେ ତରୁଣଗୋଷ୍ଠୀ ଅବାଟରେ ଯାଉଛନ୍ତି, ମଦ, ଚରସ୍, ହେରୋଇନ୍, ଗଞ୍ଜେଇ ଖାଉଚନ୍ତି; ଚୋରି, ଧର୍ଷଣ, ରାହାଜାନି, ଦାଦାଗିରି, ଗୁଣ୍ଡାଗର୍ଦ୍ଦି, ନରହତ୍ୟା ଆଦି ଅସାମାଜିକ କାମରେ ଲିପ୍ତ ରହୁୁଛନ୍ତି।
ଶୈକ୍ଷିକ ପରିବେଶରେ ମାଡ଼
ପ୍ରସିଦ୍ଧ ମନୋବିଜ୍ଞାନୀ ବି.ଏଫ୍. ସ୍କିନର୍ (୧୯୫୩), ଏ. ବାନ୍ଦୁରା ଓ ଆର୍.ଏଚ୍. ୱାଲ୍ଟର (୧୯୬୩), କାଡ଼ିନ ଏ.ଇ. (୨୦୦୫), ଏଫ୍. ଲୁଥାନ୍ସ ତଥା ଆର୍. କ୍ରାଇନର୍ (୧୯୭୫) ପ୍ରମୁଖ ଶୈକ୍ଷିକ ପରିବେଶରେ ମାଡ଼ର ମହତ୍ତ୍ୱକୁ ଗବେଷଣା ମାଧ୍ୟମରେ ପ୍ରମାଣସିଦ୍ଧ କରିଛନ୍ତି। ଏମାନଙ୍କ ଗବେଷଣାର ସଂକ୍ଷିପ୍ତ ନିର୍ଯାସ ହେଉଛି- ପିଲାର ବ୍ୟବହାର ପରିବର୍ତ୍ତନରେ ମାଡ଼ (ପନିସ୍ମେଣ୍ଟ) ତୁରନ୍ତ ଫଳ ଦିଏ। ଆଜିର ମାଡ଼ ପିଲାର ଆଗାମୀ ବ୍ୟବହାରରେ ସୁଧାର ଆଣେ, ତାକୁ ନୀତି ଓ ଆଦର୍ଶର ବାଟରେ ମୁହାଁଏ। ଶୈକ୍ଷିକ ସାଧନରେ ମାଡ଼ ପରୋକ୍ଷ ପ୍ରେରଣା ଭାବେ କାମ କରେ। କିନ୍ତୁ ପିଲାକୁ ମାଡ଼ ଦେବା ବେଳେ ଆକ୍ରୋଶ ବା ଆବେଗଚାଳିତ ନ ହୋଇ ଶିକ୍ଷକ ବିଚାର ଓ ବିବେଚନାବଦ୍ଧ ହେବା ବାଞ୍ଛନୀୟ। ଅବାଞ୍ଛିତ କାମ ପାଇଁ ମାଡ଼ ଯେମିତି ରହିବ, ବାଞ୍ଛିତ କାମ ପାଇଁ ଯଦି ପୁରସ୍କାର ସେମିତି ରହିବ, ତେବେ ତା’ର ପ୍ରଭାବ ଓ ପ୍ରତିଫଳ ସକାରାତ୍ମକ ହେବା ସୁନିଶ୍ଚିତ।
ଆମ ଓଡ଼ିଶାର ବହୁ ବିଜ୍ଞ, ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନର ଅପରାହ୍ଣରେ ବିଦ୍ୟାଳୟ ବେଳର ମାଡ଼ ଠିଆ ହେଇଛି ସୁଆଦିଆ ସ୍ମୃତି ହେଇ, ମୃଦୁ ମଧୁର ମାଦକତାରେ ମାଡ଼ ମହିମାନ୍ୱିତ ହେଇ ମୁହଁ ଦେଖେଇଛି। ମାଡ଼ର ମୂଲ୍ୟାୟନ କରିବାକୁ ଯାଇ ମାଡ଼କୁ ବ୍ୟବହାର ବିଶୋଧକ ଭାବେ ଗଣତି ମଣତି କରିିଛନ୍ତି ସମସ୍ତେ। ଛାତ୍ର ଜୀବନରେ ମାଡ଼ ମାରିଥିବା ଶିକ୍ଷକଙ୍କୁ ଏବେ ଦେଖିଲେ ମନରେ ସାମାନ୍ୟତମ ଅସମ୍ମାନ ଆସିନି; ବରଂ ବୁଢ଼ା ବୟସରେ ବି ଶିକ୍ଷକଙ୍କୁ ଦେଖିଲେ ଭକ୍ତିରେ, ପ୍ରୀତିରେ, ସମ୍ମାନରେ, ସମ୍ଭ୍ରମରେ ମୁଣ୍ଡ ନଇଁଯାଇଛି। ପାଠ ପାଇଁ ମାଡ଼ଦେଇ ବେଳେବେଳେ ଶିକ୍ଷକ ଆପଣା ଆଖି ଓଦାକରୁଥିବା ଦେଖି ପିଲା ତା’ ମାଡ଼ର ପରାସ ଭୁଲିଯାଏ। ବାପା କହୁଥିଲେ – “ମାଷ୍ଟ୍ରେ! ତମ ଦାୟିତ୍ୱରେ ପୁଅକୁ ମୋର ଛାଡ଼ୁଛି, ତା’ ଭବିଷ୍ୟ ତୁମ ହାତରେ। ଚଗଲା ହେଲେ ଆଖି କାନକୁ ଛାଡ଼ି ଗୋଡ଼ରୁ ମୁଣ୍ଡଯାଏ ପିଟିଦେଇ ଯିବ।” ଶିକ୍ଷକଙ୍କଠୁ ମାଡ଼ଖାଇ ବୋଉ ଆଗରେ ଫେରାଦ ହେଲେ ବୋଉ କହୁଥିଲା – “ଗୁରୁଙ୍କ ଛାଟ ନ ଖାଇଲେ ପାଠ କେମିତି ହବରେ ଧନ! ତାଙ୍କ ଆଶିଷ ହେଲେ ତୁ ପରା ବଡ଼ ମଣିଷ ହବୁ?”
ଦଣ୍ଡମୁକ୍ତ ଅଞ୍ଚଳ
ଏବେ କିନ୍ତୁ ବିଦ୍ୟାଳୟଗୁଡ଼ାକ ହେଇଯାଇଛି ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଦଣ୍ଡମୁକ୍ତ ଅଞ୍ଚଳ’ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ତଣ୍ଡଯୁକ୍ତ ଅଞ୍ଚଳ। ଶ୍ରେଣୀରେ ସିଗାରେଟ୍ ଟାଣିଲେ, ଝିଅ ପିଲାଙ୍କୁ ଅଶ୍ଳୀଳ ଇଙ୍ଗିତ କଲେ, ବାଡ଼ିଆପିଟା ହେଲେ ଶିକ୍ଷକ ତୁଣ୍ଡ ଖୋଲିବାକୁ ଡରୁଛନ୍ତି। ପିଲାଙ୍କୁ ବାଳୁଙ୍ଗା ବେଶାସନିଆ କରିବା ପାଇଁ ବିଦ୍ୟାଳୟ ଶିକ୍ଷାକୁ ସରକାରଙ୍କର ଅନ୍ୟତମ ଅପଦାନ ହେଉଛି ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ଟୋଲ୍ ଫ୍ରି ନମ୍ବର-୧୮୦୦୩୪୫୬୭୨୨। ଆମେ ଏବେ ବିଦେଶୀ ସଂସ୍କୃତିର ଅନ୍ଧାନୁସରଣ, ଅନ୍ଧାନୁକରଣ କରୁଛୁ। ଛାଡ଼ପତ୍ର, ବୃଦ୍ଧାଶ୍ରମ, ଏକକ ପରିବାର ଇଏ ସବୁ ମାଗିଆଣିବା ସଂସ୍କୃତି। ଆମେରିକା, ଇଂଲଣ୍ଡ ଆଦି ରାଷ୍ଟ୍ରରେ ପିଲାକୁ ସାମାନ୍ୟତମ ମାଡ଼ଗାଳି ଦେଲେ ଏମିତି କି ବାପା, ମାଆ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ବିରୋଧରେ ମକଦ୍ଦମା ଏବଂ ଦଣ୍ଡବିଧାନ ଥୁଆ। ଏ କଥା ସତ ଯେ ଶିଶୁକୁ ମାଡ଼ ଦେଇ ଅତ୍ୟଧିକ ଭୟଭୀତ କଲେ ତା’ର ବୌଦ୍ଧିକ ବିକାଶ ଓ ବ୍ୟକ୍ତିତ୍ୱର ବିକାଶରେ ବାଧା ଆସିବ। ମାତ୍ରାଧିକ ମାଡ଼ ପିଲାର ସ୍ୱାଧୀନ ଚିନ୍ତନ ଏବଂ ସ୍ୱାଧୀନ ମନନରେ ବାଡ଼ପକାଏ। କଥାରେ ଅଛିିି- ‘ଯୋଉଠି ଭୟ, ସେଇଠି ଜୟ’। ଭୟ ଅର୍ଥ ଆତଙ୍କ ନୁହଁ, ପିଲାକୁ ଭୟାର୍ତ୍ତ, ଭୟବିହ୍ୱଳ, ସଂତ୍ରସ୍ତ, ସନ୍ତାପିତ କରିବା ଆଦୌ ଉଚିତ ନୁହେଁ। ତା’ ବୋଲି ପିଲାକୁ ସମ୍ପୂର୍ଣ୍ଣ ବେପରୁଆ ଛାଡ଼ିଦେଲେ, ବିପଥରେ ଗଲେ ମଧ୍ୟ ତାକୁ ବାରଣ ନ କଲେ ସାପ ବଢ଼ିବା ସହିତ ଚକ୍ର ବଢ଼େ। କଖାରୁ ଚୋରି କଲାବେଳେ ତାକୁ ଆକଟ ନକଲେ ପିଲାଟା କଖାରୁ ଚୋରଉ ଚୋରଉ ବଡ଼ ଚୋର ପାଲଟିଯାଏ।
‘ମାଡ଼’ ଓ ‘ଦଣ୍ଡ’ର ସଂଜ୍ଞା ଓ ସ୍ୱରୂପକୁ, ପ୍ରୟୋଗ ଓ ପ୍ରକୋପକୁ ସମୀକ୍ଷା କଲେ ଏ ଦୁଇଟା ଭିତରେ ପ୍ରଭେଦର ପାଚେରିଟିଏ ନ ଥିଲେ ବି ସୂକ୍ଷ୍ମ ସୀମାରେଖାଟିଏ ବାରି ହେଇପଡ଼େ। ମାଡ଼ ଓ ଦଣ୍ଡ ସମପର୍ଯ୍ୟାୟବାଚୀ ଶବ୍ଦ। କିନ୍ତୁ ସ୍ଥାନ, କାଳ, ପାତ୍ର ଭେଦରେ, ମାତ୍ରା ଓ ପ୍ରୟୋଗ ଭେଦରେ ଭିନ୍ନ। ମାଡ଼ ଅନୁଶାସନ ପାଇଁ କିନ୍ତୁ ଦଣ୍ଡ ଶାସନ ପାଇଁ। ମାଡ଼ ସୁଧାରିବା ପାଇଁ; କିନ୍ତୁ ଦଣ୍ଡ ନିବାରିବା ପାଇଁ। ମାଡ଼ ନାବାଳଙ୍କ ପାଇଁ; କିନ୍ତୁ ଦଣ୍ଡ ସାବାଳକଙ୍କ ପାଇଁ। ନାବାଳକ ଦୋଷ କଲେ ତାକୁ ସୁଧାର ଗୃହକୁ ପଠାଇ ଦିଆଯାଏ; କିନ୍ତୁ ସାବାଳକ ଦୋଷକଲେ ତାକୁ କାରାଗାରକୁ ପଠାଇ ଦିଆଯାଏ। ପରିବାର ଓ ବିଦ୍ୟାଳୟରେ ମାଡ଼ ମିଳେ; ଆପଣାର ଗୁରୁଗାର୍ଜନଙ୍କ ହାତରୁ, ପ୍ରିୟ ପରିଜନଙ୍କ ହାତରୁ ମାଡ଼ ମିଳେ; କିନ୍ତୁ ଦଣ୍ଡ ମିଳେ ପର ହାତରୁ, ଅଚିହ୍ନା ଅପରିଚିତ ହାତରୁ; ନିଷ୍ଠୁର, ନିର୍ଦ୍ଦୟ, ନିର୍ମମ ହାତରୁ। ମାଡ଼ ସହିତ ‘ମୋ ପୁଅ’,‘ମୋ ଛାତ୍ର’ ଭଳି ‘ମୋଅର ଭାବ’ ଯୋଡ଼ି ହେଇଥାଏ; କିନ୍ତୁ ଦଣ୍ଡ ସହିତ ଏହାର ସମ୍ପର୍କ ସମ୍ବନ୍ଧ କିଛି ନ ଥାଏ। ମାଡ଼ରେ ମମତା ଥାଏ, କିନ୍ତୁ ଦଣ୍ଡରେ ନିର୍ମମତା ଥାଏ। ମାଡ଼ ବସେ ଲଘୁ ଦୋଷତ୍ରୁଟି ପାଇଁ; କିନ୍ତୁ ଦଣ୍ଡ ଆସେ ଗୁରୁତର ଅପରାଧ ପାଇଁ, ଅସାମାଜିକତା ପାଇଁ, ଅମାନବିକତା ପାଇଁ। ମାଡ଼ ଦେଲାବେଳେ ଯେମିତି ସାମାନ୍ୟତମ କ୍ଷତ ବା କ୍ଷତି ନ ହୁଏ ସେଥିପାଇଁ ସଚେତନ ଥାଆନ୍ତି ମାଡ଼ଦାତା; କିନ୍ତୁ ଦଣ୍ଡିତର କ୍ଷତିକୁ ଖାତିର କରେନି ଦଣ୍ଡଦାତା। ମାଡ଼ ମୃଦୁ ଓ ମମତାମଧୁର; କିନ୍ତୁ ଦଣ୍ଡ ଦୃଢ଼ ଓ ଦମନଦକ୍ଷ। ମାଡ଼ଦାତା ମାଡ଼ଦେଇ ଅଧିକାଂଶ ସମୟ ଲୁଚେଇ ଲୁଚେଇ କାନ୍ଦେ; କିନ୍ତୁ ଦଣ୍ଡଦାତା ଦଣ୍ଡଦେଇ ଦର୍ପିତ ହୁଏ।
ପିଲାବେଳେ ଆବଶ୍ୟକ ସ୍ଥଳେ ମାଡ଼ର ଅଭାବ ହେଇଥିଲେ ବଡ଼ହେଲେ ମାଡ଼ଟା ଦଣ୍ଡ ରୂପନେଇ ଆସେ। ମାଡ଼ କଷି ବୟସରେ, କଞ୍ଚା ବୟସରେ ଦିଆଯାଏ; କିନ୍ତୁ ଦଣ୍ଡ ଦିଆଯାଏ ପାକଳ ବୟସରେ। ମାଡ଼ ହେଉଛି ଦଣ୍ଡର କୋମଳ ଶୈଶବ, ଦଣ୍ଡର କଷି ରୂପ। ‘ଉଞ୍ଚେଇ ଥିବ ମାରିବ ନାହିଁ ଗୋଡ଼େଇ ଥିବ ଧରିବ ନାହିଁ’କୁ ମାଡ଼ ପୂର୍ବର ଲଘୁଚାପ କୁହାଯାଇପାରେ, କୁହାଯାଇପାରେ ବି ମାଡ଼ର ଫୁଲ ଛାଡ଼ି ନ ଥିବା କଅଁଳ କଷି; ଏଥିରେ ପିଲାର କ୍ଷତି ହୁଏ ନାହିଁ, କିନ୍ତୁ ନାଳି ନଡ଼ିଆ ଭଳି ଏଇ ନାଳିମାଡ଼ରେ କିଞ୍ଚିତ୍ ଭୟ ଥାଏ, କିଞ୍ଚିତ୍ ସସ୍ନେହ ସ୍ୱାଦ ବି ଥାଏ।
ଆଗେ ମାଡ଼ ପଛେ ବିଚାର
ଆମର ଗୋଟାଏ କଥା ଅଛି- ‘ଆଗେ ମାଡ଼ ପଛେ ବିଚାର’। ଚୋର ଖଣ୍ଟକୁ ପାଖରେ ପାଇଲେ ସାଧାରଣ ଲୋକେ ଆଗ ନିଜର ହାତ ଗଲୁ ଓ ଚୋରର ପିଠି ଗଲୁ ମାରନ୍ତି। ପୋଲିସ୍ ବି ମାରେ, ପିଟେ, ମାଡ଼ଦିଏ ହତ୍ୟାକାରୀକି, ଧର୍ଷଣକାରୀକି, ଚୋରକୁ, ଆତଙ୍କବାଦୀକି ତା’ଠାରୁ କଥା କାଢ଼ିବା ପାଇଁ। ଦଣ୍ଡ ପାଇଁ ଦଣ୍ଡବିଧି, ଦଣ୍ଡନୀତି, ଦଣ୍ଡ ସଂହିତା ଅଛି; କିନ୍ତୁ ମାଡ଼ ପାଇଁ ସେମିତି କିଛି ମାଡ଼ବିଧି, ମାଡ଼ବିଧାନ, ମାଡ଼ସଂହିତା ନାହିଁ। ମାଡ଼ ମାଡ଼ିଆସେ ତତ୍କ୍ଷଣାତ୍; ଠୋ, ଠୋ, ଦୁଲ୍ ଭୁସ୍ ହେଇ ବସିଯାଏ ସାମାନ୍ୟ ତ୍ରୁଟି ଦେଖିଲେ; କିନ୍ତୁ ଦଣ୍ଡ ବୁଝିବିଚାରି ଆସେ, ଆସିବାକୁ ସମୟ ନିଏ। କାଳକ୍ରମେ ଛୁରାମାଡ଼, ଗୁଳିମାଡ଼, ବୋମାମାଡ଼ ଆଦି ଶବ୍ଦ ମାଡ଼ ଶବ୍ଦ ସହ ଯୋଡ଼ିହେବା ପରେ ‘ମାଡ଼’ ଶବ୍ଦର ମର୍ଯ୍ୟାଦା ହାନି ହେଇଛି, ଅର୍ଥ ଅପରିଚ୍ଛନ୍ନ ହେଇଛି, ସଂଜ୍ଞା ସଂଶୟାନ୍ୱିତ ହେଇଛି। ଏଇ ମଉକାରେ ମାଡ଼ର ସଂଜ୍ଞାକୁ ସଂପ୍ରସାରିତ କରି କେତେକ ମାଡ଼କୁ ଦଣ୍ଡ ସହ ସମାନ କରିଛନ୍ତି, ମାଡ଼ର ଅର୍ଥକୁ ଅନର୍ଥ କରିଛନ୍ତି। ବିଦେଶୀ ତରାଜୁରେ ତଉଲି ବିଦ୍ୟାଳୟକୁ ଦଣ୍ଡମୁକ୍ତ ନାଆଁରେ ମାଡ଼ମୁକ୍ତ କରିଛନ୍ତି।
ଆମ ଓଡ଼ିଆ ମାଡ଼ର ଗୋଟାଏ ବଂଶବୁନିୟାଦି ଅଛି, ଅତୀତ ଇତିହାସ ଅଛି, ଐତିହ୍ୟ ପରମ୍ପରା ଅଛି। ତ୍ରୟୋଦଶ ଶତାବ୍ଦୀରେ କୋଣାର୍କମନ୍ଦିର ନିର୍ମିତ; ଅବଧାନେ ବେତ ଧରି ଛାତ୍ରକୁ ପଢ଼ାଉଥିବାର ମୂର୍ତ୍ତିକୁ ସେଥିରେ ଦେଖି ଡକ୍ଟର ମାୟାଧର ମାନସିଂହ କୋଣାର୍କକୁ ସମ୍ବୋଧନ କରି ଲେଖିଛନ୍ତି–
“ଜୀବନର ଯେତେ ଲୀଳାଖେଳା
ଅଙ୍ଗେ ତୁହି ଧରିଲୁ ଛବିଳା,
ଶିଖିଲା ତୋହଠୁଁ ରାଜା ଶତ୍ରୁ ମୁଖେ ଯୁଦ୍ଧ ଅଭିଯାନ,
ପାତ୍ର ମନ୍ତ୍ରୀ ରାଜା ପାଶେ କରିବାର ଯୁକ୍ତ ମନ୍ତ୍ରଦାନ।
ପ୍ରେମିକ ପ୍ରେମିକା ଆସି ତୋହଠାରୁ ଶିଖିଲେ ଆଶ୍ଳେଷ,
ବୀର ପୁଣି ଯୁଦ୍ଧଭୂମେ ଅରି ସହ କୌଶଳ ବିଶେଷ,
ବେତ୍ରହସ୍ତ ଅବଧାନ ଚାଟଶାଳେ ଶାସିବାର ପିଲା
ହେ ପାଷାଣୀ! ତୋଠାରୁ ଶିଖିଲା।”
ସ୍ୱର୍ଗତ ଗୋପାଳଚନ୍ଦ୍ର ପ୍ରହରାଜ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଦେଇଛନ୍ତି ମାଡ଼ର ଏକ ଲମ୍ବା ତାଲିକା:
ମାଡ଼- ପ୍ରହାର; ପିଟା; ଛେଚା; ତାଡ଼ନ; ବାଡ଼ିଆ; ହାତ, ଗୋଡ଼ ଆଦି ଅଙ୍ଗଦ୍ୱାରା ବିଭିନ୍ନ ପ୍ରହାରର ଭିନ୍ନ ଭିନ୍ନ ନାମ ଅଛି। ଯଥା; ମୁଣ୍ଡଦ୍ୱାରା ମାଡ଼- ମୁଣ୍ଡିଆ; ପାଟିଦ୍ୱାରା- କାମୁଡ଼ା; ହାତଦ୍ୱାରା ମାଡ଼- ବିଧା, ଚାପୁଡ଼ା(ଜାବୁଡ଼ା), ଚଟକଣା, ମୁଖୀ, ମୁଥ, ଖୁନ୍ଦା, ଲେଡ଼ା, କହୁଣିଆ, ହାବୁକା, ତଣ୍ଟିଆ, ଗର୍ଦ୍ଦନୀ, ଗଇଥା, ଧକ୍କା, ଠେଲା, ପେଲା, ଝିଙ୍କା, ଲେଡ଼ା, ବାହୁଛଟା, ଶାଙ୍କୋଳି ବା କଠାପକାଇବା, ଚିପା, କୁଣ୍ଢିଆ, ଘୋଷରା, ଓଟରା, କଚାଡ଼ିବା, ତଳେ ପକାଇବା, ପାଣିଛଟା, ପାଣିଇଡ଼ା, ଆଙ୍ଗୁଠିଦ୍ୱାରା ତଣ୍ଟିଚିପା, ନାକମୋଡ଼ା, କାନମୋଡ଼ା, ଥୋପି, ଚେଙ୍ଗା, ଚିମୁଟା, ଠଣା, ପୁଟିଆ, ଆଙ୍ଗୁଠିଗେଞ୍ଜା, ମୁଛଟଣା, ଚୁଟିଝିଙ୍କା, ଥୋଡ଼ିଟଣା, ଗାଲତୋଡ଼ା; ଆଙ୍ଗୁଳେଇବା; ନଖଦ୍ୱାରା- ରାମ୍ପଡ଼ା; ଗୋଡ଼ଦ୍ୱାରା- ଗୋଇଠା, ଆଣ୍ଠୁଆ, ଗୋତି, ଚକଟା, ଦଳାମଳା, ଗୋଡ଼ଦ୍ୱାରା ପେଞ୍ଚ। ଅନ୍ୟ ବସ୍ତୁଦ୍ୱାରା ମାଡ଼- ଜୋତା, ଖଡ଼ମ ବା କଠଉମାଡ଼, ବେତ, ଜାଉଁଳି ବେତ, ବାଡ଼ି, କୋରଡ଼ା, ଠେଙ୍ଗା, ଠେଙ୍ଗଣୀ, ଠେଙ୍ଗୁଲି, ଛାଟ, ପାଞ୍ଚଣ, ଡିହ, ଖୋବା, କୁନ୍ଦା, କେଞ୍ଚା, ଭୁଷା, ଗୋବା, ପିଟା; ଟେକା ଓ ବୋଲୁଅ ଫୋପାଡ଼ିବା, ବାଟୁଳିଖଡ଼ା; କଟୁରି କୁରାଢ଼ି ଆଦିର ବେଣ୍ଟ, କୁରାଢ଼ି ଆଦିର ପଶା, ରୁଲ୍ବାଡ଼ି, କୋରଡ଼ା, ଚାବୁକ୍, ବନ୍ଧୁକ, ଧନୁ, କାଣ୍ଡ, ଗଦା, ମୁଗୁର, ଖଣ୍ଡା, କଟୁରି, କୁରାଢ଼ି, ଟାଙ୍ଗିଆ ଆଦି ଅସ୍ତ୍ରଶସ୍ତ୍ର ଦ୍ୱାରା ମାଡ଼; ତାତିଲା ଲୁହାରେ ଚଡ଼ୁ, ଚିଆଁ ଦେବା ବା ଲାଛିବା। ମୁନିଆ ଶସ୍ତ୍ର ଦ୍ୱାରା ବିଦାରିବା, ଫୋଡ଼ିବା, କେଞ୍ଚିବା; ପଶୁଆଦିଙ୍କ ଶିଙ୍ଘ ଦ୍ୱାରା- ବିନ୍ଧିବା; ଗୋଡ଼ଦ୍ୱାରା- ନାତ, ଜାଉଁଳି ନାତ। ପକ୍ଷୀ ଆଦିଙ୍କ ଥଣ୍ଟ ଓ ପଞ୍ଝାଦ୍ୱାରା ଆଘାତ।
ସଂସ୍କୃତ ଶ୍ଳୋକାନୁକରଣରେ ରଚିତ ଓଡ଼ିଆ ଶ୍ଳୋକରେ ବି ମାଡ଼ର ତାଲିକା ଅଛି:
“କେଶାକର୍ଷଣ ହାବୁକା ଗଡ଼ଗଡା ଚାପୋଡ଼ ବିନ୍ଧା କଡ଼ି,
ଲେଡ଼ାନାକମୋଡ଼ା କହୁଣି କୋରଡ଼ା ପାଣ୍ଢୋଇ ଠେଙ୍ଗା ହଡ଼ି
ଝିଙ୍କା ବାହୁଛଟା ସମର୍ଥଗୋଇଠା ଚେଙ୍ଗା ମୁଖୀ ଚେଙ୍ଗିବା;
ଶାଙ୍କୋଳି ତଉକାନ୍ତି ଚାବୁକ ଡିହ ବେତ୍ରପ୍ରହାର ସ୍ତତଃ।”
ମାଡ଼ ମାହାତ୍ମ୍ୟ
ଆମ ଓଡ଼ିଆ ଲୋକକଥା, ଲୋକକାହାଣୀ ଢଗଢମାଳିରେ ମାଡ଼ ମାହାତ୍ମ୍ୟର ଅନେକ ଉଦାହରଣ ମିଳେ। ଆଗେ ଯଦି କୌଣସି ଔଷଧ ଭଲ କାମ ଦେଉଥିଲା, ଲୋକେ କହୁଥିଲେ- ‘ସେ ଅମୁକ ବଇଦର ଓଷଦ ପରା ମାଡ଼ ଭଳି କାଟୁକରେ।’ ଯିଏ ମାଡ଼କୁ ପିଠେଇ ଯାଏ ତାକୁ ‘ମାଡ଼ଗଇଁଆ’ କୁହାଯାଏ; ଫକୀରମୋହନଙ୍କ ରାଣ୍ଡୀପୁଅ ଅନନ୍ତା ସେଇ କାଟର ଚରିତ୍ର। ଗତ ଦୁଇ ଶତାବ୍ଦୀ ଭିତରେ ସବୁ ଦରବର ଦର ବଢ଼ିଛି, କେବଳ ମାଡ଼କୁ ଛାଡ଼ି। ଏବେ ବି ଲୋକମୁଖରୁ ଶୁଣିବାକୁ ମିଳୁଛି- ‘ସେଇଟା ସୁଧୁ ମାଡ଼ୁଆଟା ପରା। ମାଡ଼ ଭରଣ ପାହୁଲାଏ ହେଇକି ବି ସେ ମାଡ଼ ମୂଲେଇ ହଉଚି।’ ଆଉ କେତେକ ଫୁଟାଣିଆ ଧଡ଼ିଆ ଧେଡ଼ଙ୍ଗ ବାଲିଙ୍ଗି ବାଇଶିପଣ କାଢ଼ିବାର ଦେଖି ଲୋକେ ଟାହି କରନ୍ତି- ‘ଉଠି ନ ପାରି ମାରେଙ୍ଗେ, ଗବଡ଼ାଙ୍ଗ ବାଡ଼ି କରେଙ୍ଗେ।’ ସମଗ୍ର ପୁରୁଷ ସମାଜକୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀଯୁକ୍ତ ମାଧେଇ ସାହୁଙ୍କ ପ୍ରତି ସର୍ବକାଳୀନ ମନ୍ତବ୍ୟ ହେଲା- ‘ମାଇଚିଆ ମାଧେଇ ସାହୁ, ମାଇପ ହାତରୁ କହୁଣି ଖାଉ।’ କହୁଣି ମାଡ଼ରେ ଅତିଷ୍ଠ ହେଇ ମାଧେଇ ସାହୁ ଯଦି ଭୁଲ୍ରେ କେବେ ହାତ ଉଠେଇ ଦେଲେ ତେବେ ହାତରେ ରାନ୍ଧି ଖାଇବା ଥୟ- ‘ମାଡ଼ ତ ମାଇଲୁ ବେଏଶେ କଲୁ ହାତେ ରାନ୍ଧିକରି ଖା’; ଚୁଲି ଫୁଙ୍କୁ ଫୁଙ୍କୁ ନିଶ ପୋଡ଼ିଯାଉ ମାଡ଼ର ଅସୁଲୁ ପା’।’ ଭୁଆସୁଣୀମାନଙ୍କର ଆଗେ ଆତ୍ମରକ୍ଷାର ଅସ୍ତ୍ର ଥିଲା ସେମାନେ ହାତରେ ନାଉଥିବା ଓଜନିଆ ପିତ୍ତଳ ଖଡ଼ୁ। ଖଡ଼ୁ ମାଡ଼କୁ ଖଡ଼ୁଭୁଷା କୁହାଯାଉଥିଲା। ଗୋଟାଏ ଖଡ଼ୁଭୁଷା ବାଜିଲେ ମୁଣ୍ଡ ଫାଟି ଛତ୍ରଛାଳ ହେଇଯିବ। ନିତମ୍ବରେ ବଥ ହେଲେ ଛାଇ ହେଇଛି ବୋଲି କହୁଥିବା ବେହିଆ ଚରିତ୍ରର ଲୋକ ସୁନାଖଡ଼ୁଆ ହାତରୁ ପାହାରେ ପାଇଲେ ‘କନକ ସ୍ନାହାନ’ ମଣନ୍ତି। ସେମିତି ବି ବିଧାର ଶିଷ୍ଟ ନାମ ‘ବିଶାବଳି’, ଚାପୁଡ଼ାର ଶିଷ୍ଟ ନାମ ‘ଚଇତନ’ ଏବଂ ବେତର ଶିଷ୍ଟ ନାମ ‘ଗୌରାଙ୍ଗ’ ଭାବେ ବିଦିତ। ବିଧା ବସେଇବାର ସମୟ ସୁଯୋଗ ମଧ୍ୟ ଅଭିଜ୍ଞମାନେ ଆଗରୁ ନିର୍ଦ୍ଧାରଣ କରି ରଖିଛନ୍ତି- ‘ନଇଁ ପଡ଼ିଥିବ ଯେତିକି ବେଳେ, ବିଧାଏ ମାରିବ ସେତିକି ବେଳେ।’ ବିଧାର କିସମ ଭିତରେ ଦୁମୁକୁଟିଆ, ବାଇଶିପଳିଆ, ବେକମୂଳିଆ ଏବଂ ଚାପୁଡ଼ାର କିସମ ଭିତରେ ବ୍ରହ୍ମଚାପୁଡ଼ା, ହନୁମାନୀଚାପୁଡ଼ା ଓ ସରୁଚଟକଣି ପ୍ରସିଦ୍ଧ। ମାଡ଼ ଭିତରେ ଗଉଡ଼ିଆ ବାହୁଙ୍ଗି ମାଡ଼ର ସ୍ୱତନ୍ତ୍ରତା ଅଛି- ‘ତହୁଁ କାଞ୍ଜି ଗଲା ଖରେ, ଯାଇ ପଶିଲା ଗଉଡ଼ ଘରେ, ଏଣେ ଗଉଡ଼ ତେଣେ ଗଉଡ଼ କାଞ୍ଜିକି ଦେଲେ ବାହୁଙ୍ଗି ମାଡ଼।’ ମାଡ଼କୁ କୁଆଡ଼େ ମହାଦେବ ଡରନ୍ତି, ସେଥିପାଇଁ କୁହାଯାଏ- ‘ମାଡ଼ଖିଆ ମହାଦେବ, ମାଡ଼ ଖାଇଲେ ବର ଦେବ।’ କେବଳ ମହାଦେବ ନୁହନ୍ତି, ଆମ ମହାପ୍ରଭୁ ଜଗନ୍ନାଥ ବି ମାଡ଼ ଖାଆନ୍ତି-
“ଛାଡ଼ ମାଡ଼ଖିଆ ବୁଦ୍ଧି ହେ, ବଡ଼ ଦେଉଳ ବଡ଼ ଗୋସାଇଁ,
ଯେ ମାଇଲା ମାଡ଼ ସେ ହୋଇଲା ବଡ଼ ବାଡ଼ ହେଲୁ ତାକୁ ତୁହି।
ମାଡ଼ଦେଲା ଗୋପେ ଗଉଡ଼ୁଣୀରାଧା ତା’ଗୋଡ଼ଧଇଲୁ ଯାଇ,
ନନ୍ଦରାଟ ଛାଟ, ଆଣ୍ଟେ ପିଟିବାରୁ ନେଲୁ ବଇକୁଣ୍ଠ ଭୂଇଁ।
ଉଗ୍ରପଣେ ଉଗ୍ରସେନ ଓଗାଳିଲା ଲଉଡ଼ି ପଥେ ଉଞ୍ଚାଇ,
ତା’ର ଶିରେ ପାଟ ବାନ୍ଧି ନନ୍ଦଚାଟ କରିଲୁ ମଥୁରାସାଇଁ।
କାମୁଡ଼ିଲା କାଳୀ କାଳନ୍ଦୀହ୍ରଦରେ କମଳ ତୋଳନ୍ତେ ତହିଁ।
କଠାଉର ଚିହ୍ନ ତା’ଶିରେ ମୋହନ କାଳେକାଳେ ଅଛୁ ଦେଇ।
ମାଡୁଆ ମୋହନ ମାଡ଼ ବିନୁ ଆନ, ଗତି ତୋ କପାଳେ ନାହିଁ,
ବଇଷ୍ଣବ ଭକ୍ତି କଡ଼ିଆ ଧରିଛି, କରେ ଲଗାଇବା ପାଇଁ।”
-‘ଜଗନ୍ନାଥ ଜଣାଣ’-ଗଣକବି ବୈଷ୍ଣବ ପାଣି
ଗୋପାଳ ପ୍ରହରାଜଙ୍କ ବ୍ୟତୀତ ଅନ୍ୟତମ ମାଡ଼ସାହିତ୍ୟ ବିଶେଷଜ୍ଞ ହେଉଛନ୍ତି ବ୍ୟାସକବି ଫକୀରମୋହନ ସେନାପତି। ଶ୍ରୀମତୀ ସୁଲୋଚନାଙ୍କ ହାତରେ ସେ ବାବୁ ଚନ୍ଦ୍ରମଣିଙ୍କୁ ଅର୍ଦ୍ଦାଳିଆ ଛାଞ୍ଚୁଣୀ ମାଡ଼ ଖୁଆଇଛନ୍ତି, ପୁଅ ଗୋପାଳ ସିଂ ହାତରେ ବୁଢ଼ା ବାପାକୁ ଇଂରେଜୀ ଘୁଷି ଖୁଆଇଛନ୍ତି, ରାଣ୍ଡ ସିଂହାଣୀ ହାତରେ ଚୋର ଚୌକିଦାରକୁ ଚାପୁଡ଼ା ଖୁଆଇ ଓଉଫଡ଼ା ପରି ତା’ ଗାଲ ଫୁଲେଇ ଦେଇଛନ୍ତି, ଚାହାଳି ଅବଧାନ ବୈଷ୍ଣବ ମହାନ୍ତି ହାତରେ ବିଛୁଆତି ଛଡ଼ିରେ ଅନନ୍ତାକୁ ବି ପିଟା ଖୁଆଇଛନ୍ତି।
ମାଡ଼ ହାଣ୍ଡି
ଶେଷରେ ଗୋପାଳ ପ୍ରହରାଜଙ୍କ ମାଡ଼ହାଣ୍ଡି ପ୍ରସଙ୍ଗ ପ୍ରଣିଧାନଯୋଗ୍ୟ। ଗୋଟାଏ ଗାଆଁରେ ଚକୁଳିଆ ପଣ୍ଡାଟିଏ ଓ ତା’ ମା’ ରହୁଥିଲେ। ମା’ପୁଅ ଭିକ ଦୁଃଖ କରି ଚଳନ୍ତି। ଦିନେ କୋଉଠୁ କିଛିି ଭିକ ମିଳିଲାନି। ଭୋକରେ ଆଉଟୁପାଉଟୁ ହେଇ ଜଙ୍ଗଲର ଗୋଟିଏ ପୋଖରୀରୁ ଚକୁଳିଆପଣ୍ଡା ମନକୁ ବୁଝେଇବାପାଇଁ ଭାତ ଖାଉଁ, ଡାଲି ଖାଉଁ, ତରକାରି ଖାଉଁ, ଭଜା ଖାଉଁ, ଆମ୍ବିଳ ଖାଉଁ କହିି ଆଞ୍ଜୁଳା ଆଞ୍ଜୁଳାକରି ପାଣି ପିଇଲା। ଜଳଦେବତା ଗଙ୍ଗାମାତା ଏହା ଦେଖି ଦୟାରେ ବିଗଳିତ ହେଇଗଲେ। ସେ ଗୋଟାଏ ହାଣ୍ଡିରେ ଭାତ, ଡାଲି, ତରକାରି, ଭଜା ଆମ୍ବିଳ ଆଦି ଗୋଟାଏ ଗୋଟାଏ ପତ୍ର ଠୋଲାରେ ହାଣ୍ଡି ଭିତରେ ରଖି ତା’ ଉପରେ ପଲମ ଘୋଡ଼େଇ ଚକୁଳିଆପଣ୍ଡା ଆଡ଼କୁ ଭସେଇ ଦେଲେ। ଚକୁଳିଆପଣ୍ଡା ହାଣ୍ଡି ଉପରୁ ପଲମ ଉଠେଇ ଦେଖି ଆନନ୍ଦରେ କୁରୁଳି ଉଠିଲା ଓ ମନଭରି ପେଟେ ଖାଇଲା। ଯେତେ ଖାଇଲେ ବି ସେ ହାଣ୍ଡିରୁ ଖାଦ୍ୟ ସରୁ ନ ଥାଏ। ସେ ହାଣ୍ଡିଟାକୁ ଧରି ଘରକୁ ଯାଇ ଶିକାରେ ଟାଙ୍ଗି ଦେଲା। ଭୋକ ବିକଳରେ ଶୋଇଥିବା ତା’ ମା’ ବିଛଣାରୁ ଉଠି ଶିକାରେ ଟଙ୍ଗା ହେଇଥିବା ହାଣ୍ଡିକୁ ଆଣି ଭାତ ଡାଲି ଆଦି ମହାଆନନ୍ଦରେ ଖାଇଲା।
ତା’ପରଦିନ ଚକୁଳିଆପଣ୍ଡା ପୁଣି ସେ ପୋଖରୀ ପାଖକୁ ଗଲା ଏବଂ ସେମିତି ଆଞ୍ଜୁଳା ଆଞ୍ଜୁଳା କରି ପାଣି ପିଇଲା। ଜଳ ଦେବତା ପୁଣି ତା’ ପାଖକୁ ହାଣ୍ଡିରେ ଖାଦ୍ୟ ପୂରାଇ ଭସାଇଦେଲେ। ପୋଖରୀକୁ ଯାଇ ପାଣି ପିଇବା ଏବଂ ହାଣ୍ଡି ଭର୍ତ୍ତି ଖାଦ୍ୟ ଆଣି ଆସିବା ଚକୁଳିଆ ପଣ୍ଡାର ଅଭ୍ୟାସରେ ପଡ଼ିଗଲା। ଜଳଦେବତା ଦେଖିଲେ ଏ ମାଆପୁଅ ଦି’ଟାଯାକ କାମଧନ୍ଦା ନ କରି ହାଣ୍ଡିରୁ ଖାଇ ଗଣ୍ଡି ବୁହାଇଲେଣି। ଦିନେ ସେ ହାଣ୍ଡି ଭିତରେ ବିଧା, ଚଟକଣା, ଖୁନ୍ଦା, ଖୋବଣା, ଗୋଇଠା, ତଣ୍ଟିଆ ଆଦି ବିଭିନ୍ନ ପ୍ରକାର ମାଡ଼ ଭର୍ତ୍ତି କରି ଚକୁଳିଆପଣ୍ଡା ପାଖକୁ ଭସେଇ ଦେଲେ। ଚକୁଳିଆ ପଣ୍ଡା ଯେମିତି ହାଣ୍ଡିରୁ ପଲମ କାଢ଼ିଛି ଆରମ୍ଭ ହେଲା ମାଡ଼ବୃଷ୍ଟି। ଇଲୋ ବୋଉଲୋ ମରିଗଲିଲୋ କହି ଚକୁଳିଆ ପଣ୍ଡା ଚିତ୍କାର କଲା। କିନ୍ତୁ ମାଡ଼ରୁ ନିସ୍ତାର ନାହିଁ। ବିଧା, ଚଟକଣା, ଗୋଇଠା, ଖୁନ୍ଦା ବର୍ଷି ଚାଲିଥାଏ ତା’ ଅଷ୍ଟାଙ୍ଗ ଶରୀରରେ। ଚକୁଳିଆ ପଣ୍ଡା କୌଣସିମତେ ହାଣ୍ଡି ଉପରେ ପଲମଟା ଘୋଡ଼ାଇଦେବାରୁ ମାଡ଼ ବନ୍ଦ ହେଇଗଲା। ଯା’ହଉ ହାଣ୍ଡିଟାକୁ ପୁଣି ସେ ଘରକୁ ନେଇ ଶିକାରେ ଟାଙ୍ଗିଦେଲା। ବୋଉ ତା’ର ଉଠି ଭାତ ଖାଇବାକୁ ହାଣ୍ଡି ମୁହଁରୁ ପଲମ ଟେକନ୍ତେ ତା’ ଉପରେ ବର୍ଷା ହେଲା ଖୁନ୍ଦା, ଖୋବଣା, ତଣ୍ଟିଆ, ବିଧା, ଚଟକଣା। ମାଆ ପୁଅଙ୍କ ମାଗଣା ଖିଆ ପ୍ରକୃତି ମାଡ଼ ବର୍ଷଣରେ ବଦଳିଗଲା।
ଭୋଟରଙ୍କୁ ଖୁସି କରିବା ପାଇଁ ସରକାର କାଳିଆ ଯୋଜନା, ପିଠା ଯୋଜନା, ହରିଶ୍ଚନ୍ଦ୍ର ଯୋଜନା, ସୁଭଦ୍ରା ଯୋଜନା, ଟଙ୍କିକିଆ ଚାଉଳ ଯୋଜନା ଆଦି ବହୁ ଯୋଜନା କରୁଛନ୍ତି। ମାଗଣା ଖାଇ ଅଳସୁଆ କର୍ମକୋଢ଼ି ପାଲଟୁଥିବା ଲୋକଙ୍କପାଇଁ ସେମିତି ଏକ “ମାଡ଼ହାଣ୍ଡି ଯୋଜନା” କଲେ କେମିତି ହୁଅନ୍ତା???
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
ମାଡ଼ ମାହାତ୍ମ୍ୟ ଓ ଆମ ସାହିତ୍ୟ ଲେଖାଟି ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଏକ ସୁନ୍ଦର ଶିକ୍ଷଣୀୟ ରମ୍ୟ ରଚନା ଭାବିଲେ ବି ଅତି ଉପାଦେୟ ଲେଖାଟିଏ।ଲେଖକ ମହାଶୟଙ୍କ ଏହା ଏକ ଗବେଷଣା କହିଲେ ଅତ୍ୟୁକ୍ତି ହେବ ନାହିଁ.
Full of effective humour and satire. A rare entertaining article in our present grave atmosphere of odia literature.
ବହୁତ ବହୁତ ବହୁତ ବଢ଼ିଆ ହୋଇଛି ଲେଖାଟି। ସମୟୋପଯୋଗୀ ଓ ଉପାଦେୟ ।