ବରିଷ୍ଠ କବି ଓ ସମାଲୋଚକ ଭଗବାନ ଜୟସିଂହଙ୍କ ସହିତ ଅନ୍ତରଙ୍ଗ ଆଳାପ

“ସେଦିନ କୁମାର ମହାନ୍ତି ଭୟଙ୍କର କ୍ରୋଧିତ ହୋଇଗଲେ ଓ ପତ୍ରିକାଟିକୁ ଚିରି ଫୋପାଡ଼ି ଦେଲେ। ଯଦିଓ ମୁଁ କାନ୍ଦିପାରି ନ ଥିଲି, କିନ୍ତୁ ସେଇଭଳି ଗୋଟିଏ ଅନୁଭବ ମୋତେ ହୋଇଥିଲା।”

ସୁବିଦିତ କବି ଓ ସମାଲୋଚକ ଭଗବାନ ଜୟସିଂହଙ୍କ ବୟସ ଏବେ ୭୨ ବର୍ଷ। ସେ ୨୦୧୬ ମସିହାରେ ନିଜର କବିତା ସଂକଳନ ‘ଫେରନ୍ତି ଘର’ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏଯାବତ୍ ଓଡ଼ିଆ ଓ ଇଂରାଜୀରେ ତାଙ୍କର କୋଡ଼ିଏଗୋଟି ପୁସ୍ତକ ପ୍ରକାଶିତ। ସେ ଇଂରାଜୀ ସାହିତ୍ୟର ଜଣେ ଅଧ୍ୟାପକ ତଥା ପୁରୀସ୍ଥିତ ସାମନ୍ତ ଚନ୍ଦ୍ରଶେଖର କଲେଜର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବା ପରେ ସେବାନିବୃତ୍ତ ହୋଇଛନ୍ତି। ପୁରୀଠାରେ ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆଜ୍ଞା, ବୟସ ଆପଣଙ୍କର ୭୨ ଡେଇଁଲାଣି। ଶାରୀରିକ ଦୃଷ୍ଟିରୁ ତ ଆପଣ ବେଶ୍ ସକ୍ରିୟ ଅଛନ୍ତି, ଏବଂ କେବଳ ଶରୀର ନୁହେଁ, ଆପଣଙ୍କର କଲମ ମଧ୍ୟ ଏବେ ବେଶ୍ ସଚଳ ଅଛି। ଏହାର ରହସ୍ୟ କ’ଣ?
ଭଗବାନ ଜୟସିଂହ: ଜୀବନକୁ ମୁଁ ପାଖରୁ ଦେଖିଛି, ଦୂରରୁ ମଧ୍ୟ ଦେଖିଛି ଏବଂ ପାଖରୁ ଦେଖିବାର ଯେଉଁ ଐଶ୍ୱର୍ଯ୍ୟ, ଦୂରରୁ ମଧ୍ୟ ସେଇ ଐଶ୍ୱର୍ଯ୍ୟକୁ ଅନୁଭବ କରିଛି। ମୁଁ ସ୍ୱାସ୍ଥ୍ୟ ପ୍ରତି ଏତେ ଯତ୍ନଶୀଳ ନୁହେଁ। ତଥାପି ମୋତେ ଯେଉଁମାନେ ଦେଖନ୍ତି, କହନ୍ତି ଆପଣ ଯେଉଁଭଳି ଆଗରୁ ଦିଶୁଥିଲେ ଏବେ ବି ସେମିତି।
ସାହିତ୍ୟ ଚର୍ଚ୍ଚା: କେବଳ ଦିଶିବା କଥା ପଡ଼ିନାହିଁ, ଆପଣଙ୍କର କଲମ ମଧ୍ୟ ପୂର୍ବ ଭଳି ସକ୍ରିୟ ଅଛି। ଏବେ ମଧ୍ୟ ଆପଣ ଗୋଟିକ ପରେ ଗୋଟିଏ ନୂଆ ରଚନାମାନ ସର୍ଜନା କରି ଚାଲିଛନ୍ତି।
ଭଗବାନ ଜୟସିଂହ: ସୃଷ୍ଟିକୁ ଭାବେ ଜୀବନ। ଯେଉଁ ପର୍ଯ୍ୟନ୍ତ ଜୀବନ ଅଛି, ସେତେ ପର୍ଯ୍ୟନ୍ତ ସୃଷ୍ଟି ଅଛି।
ସାହିତ୍ୟ ଚର୍ଚ୍ଚା: ଇଂରାଜୀ ସାହିତ୍ୟର ଜଣେ ଅଧ୍ୟାପକ ଭାବରେ ଆପଣ ପାଶ୍ଚାତ୍ୟ ଜଗତର ସାହିତ୍ୟ ତତ୍ତ୍ୱକୁ ନିଜର ଓଡ଼ିଆ ରଚନାରେ ପ୍ରୟୋଗ କରିବା ପାଇଁ କେବେ ସଚେତନ ଭାବରେ ଚେଷ୍ଟା କରିଛନ୍ତି କି?

ଭଗବାନ ଜୟସିଂହ: ମୋର ଅଧିକାଂଶ ପ୍ରବନ୍ଧରେ ପାଶ୍ଚାତ୍ୟ ସାହିତ୍ୟକୁ ପୂର୍ବ ସାହିତ୍ୟ ସହ ଖାପ ଖୁଆଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ‘ଝଙ୍କାର’ରେ ଗୋଟିଏ ସମୟରେ ଏମିତି ଅନେକ ପ୍ରବନ୍ଧ ଲେଖିଥିଲେ ଯାହା ଓଡ଼ିଆ ସାହିତ୍ୟର ଆଧୁନିକତା ଉପରେ ପର୍ଯ୍ୟବସିତ।
ଭଗବାନ ଜୟସିଂହ: ଠିକ୍ କହୁଛନ୍ତି। ମୁଁ ଆଧୁନିକ ଓଡ଼ିଆ କବିତା ଉପରେ ବିଶେଷ ଲେଖିଛି।
ସାହିତ୍ୟ ଚର୍ଚ୍ଚା: ତେବେ ପାଶ୍ଚାତ୍ୟ ତତ୍ତ୍ୱକୁ ଓଡ଼ିଆ କବିତାରେ କେମିତି ଦେଖିଛନ୍ତି?
ଭଗବାନ ଜୟସିଂହ: ଯେତେବେଳେ ଧରନ୍ତୁ, ମୁଁ ସଚ୍ଚି ରାଉତରାୟଙ୍କ ଉପରେ ପ୍ରବନ୍ଧ ଲେଖିଛି, ରମାକାନ୍ତ ରଥଙ୍କ ଉପରେ ଲେଖିଛି, ସୀତାକାନ୍ତ ମହାପାତ୍ରଙ୍କ ଉପରେ ଲେଖିଛି…
ସାହିତ୍ୟ ଚର୍ଚ୍ଚା: ଗୁରୁ ମହାନ୍ତିଙ୍କ ଉପରେ ବି ଅନେକ ଲେଖିଛନ୍ତି।
ଭଗବାନ ଜୟସିଂହ: ହଁ, ଗୁରୁ ମହାନ୍ତିଙ୍କ ଉପରେ ଲେଖିଛି। ଏହି ସବୁ ସ୍ରଷ୍ଟାମାନେ ପାଶ୍ଚାତ୍ୟ ସାହିତ୍ୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି। କାରଣ ବିନା ପାଶ୍ଚାତ୍ୟ ସାହିତ୍ୟରେ ଏମାନଙ୍କର ସୃଷ୍ଟି ସମ୍ଭବ ନ ଥିଲା। ଏସବୁ ମୁଁ ଆଲୋଚନା କରିଛି ଅନେକ ପ୍ରବନ୍ଧରେ।
ସାହିତ୍ୟ ଚର୍ଚ୍ଚା: ୬୦ ଓ ୭୦ ଦଶକ ପରେ, ଟି.ଏସ୍‌.ଏଲିୟଟ୍‌ଙ୍କ ପରେ ଯେଉଁ ଆଧୁନିକତାବାଦ ଆସିଲା, ଓଡ଼ିଆ କବିମାନେ ତାହାକୁ ସିଧାସଳଖ ଅନୁକରଣ କରିଛନ୍ତି, ନା ତାହାକୁ ଓଡ଼ିଆ ପରିବେଶରେ ଢାଳିଛନ୍ତି?
ଭଗବାନ ଜୟସିଂହ: ନା, ବହୁତ ଓଡ଼ିଆ କବି, ଏପରିକି ସଚ୍ଚି ରାଉତରାୟ ସ୍ୱୀକାର କରିଛନ୍ତି ଏବଂ ଗୁରୁପ୍ରସାଦ ମହାନ୍ତି ମଧ୍ୟ ସ୍ୱୀକାର କରିଛନ୍ତି, ଯେ ଟି.ଏସ୍‌. ଇଲିୟଟ୍‌ଙ୍କର ଅନୁସରଣ କରିଛୁ। ଏଲିୟଟ୍‌ଙ୍କୁ ନେଇକରି ସେମାନେ ସୃଷ୍ଟିଶୀଳ ହୋଇଛନ୍ତି। ବିନା ଏଲିୟଟ୍‌ରେ ସେମାନଙ୍କ ସୃଷ୍ଟିକୁ ସମୀକ୍ଷା କରିବା ସମ୍ଭବ ନୁହେଁ।
ସାହିତ୍ୟ ଚର୍ଚ୍ଚା: ‘ମାୟା ଘେରରେ କାଳିଦାସ’ ଆପଣଙ୍କର ଏକ ବହୁଚର୍ଚ୍ଚିତ କବିତା ସଂକଳନ। ମାୟା ଘେରରେ, ନା ବନ୍ୟା ଘେରରେ? କାରଣ ଶୁଣିଛୁ ଯେ ପୁରୀ ସହରରେ ଥରେ ପାଞ୍ଚଦିନ କାଳ ବନ୍ୟାଘେରରେ ରହିବା ପରେ ଏହି କବିତାଟିର ଭାବ ଆପଣଙ୍କ ମନରେ ରୂପ ନେଇଥିଲା।

ଭଗବାନ ଜୟସିଂହ: ଏ ପ୍ରସଙ୍ଗରେ ଗୋଟିଏ ସୁନ୍ଦର କାହାଣୀ ଅଛି। ପୁରୀରେ ଜଣେ ବର୍ଷୀୟାନ ସାହିତ୍ୟିକ ଥିଲେ, ଏମାର୍ କେଆର, ଆପଣ ଜାଣିଥିବେ। ସେ ଦିନେ ସକାଳୁ ସକାଳୁ ମୋତେ ଦେଖା କରିବାକୁ ଚାହିଁଛନ୍ତି। ମୋ ଘର ଚାରିପଟେ ବର୍ଷାଜଳ ଘେରିକରି ଅଛି। ସେ ତିନି ଚାରି ଥର ମୋ ପାଖକୁ ଆସିବା ପାଇଁ ଚେଷ୍ଟା କରି ଫେରିଯାଇଛନ୍ତି। କିଛି ଦିନ ପରେ ଯେତେବେଳେ ପାଣି ଟିକିଏ କମିଯାଇଛି, ସେ ଆମ ଘରକୁ ଆସି ପହଞ୍ଚିଛନ୍ତି। ସାଙ୍ଗରେ କିନ୍ତୁ ଗୋଟିଏ କବିତା ନେଇ ଆସିଛନ୍ତି, ଯାହାର ଶୀର୍ଷକ ଥିଲା, ‘ଜଳ ଘେରରେ ଜୟସିଂହ’। ସେଦିନ କାହିଁକି କେଜାଣି, ମୁଁ ଟିକିଏ ଦାର୍ଶନିକ ହୋଇଗଲି।
ସାହିତ୍ୟ ଚର୍ଚ୍ଚା: ଏହାର ପରିଣାମରେ ସୃଷ୍ଟି ହେଲା କି, ‘ମାୟା ଘେରରେ କାଳିଦାସ’?
ଭଗବାନ ଜୟସିଂହ: ହଁ।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ଧରଣର ମୃତ୍ୟୁ ଚେତନାରେ ଆବିଷ୍ଟ ହୋଇଛି କବିତାଟି। ତେବେ କବିତାର ସେଇ ‘କାଳିଦାସ’ କଣ ଆପଣ ନିଜେ?
ଭଗବାନ ଜୟସିଂହ: ପ୍ରକୃତରେ ମୃତ୍ୟୁଚେତନା ତ ଆସିଛି ସେଇଥିରେ; କିନ୍ତୁ ତାହା ମୃତ୍ୟୁଚେତନା ଉପରେ ସମ୍ପୂର୍ଣ୍ଣ ଭାବରେ ପର୍ଯ୍ୟବସିତ ନୁହେଁ। କାରଣ, ଏହାର ଆଧାର ହେଉଛି ମାୟା। ମାୟା କେଉଁଭଳି ଭାବରେ ମଣିଷକୁ ଗ୍ରାସ କରୁଛି, ଏବଂ ମାୟାମୁକ୍ତ ହେବା ପାଇଁ କେମିତି ମଣିଷ ଚାହୁନି, ସେଥିରୁ ହିଁ କବିତାଟିର ଜନ୍ମ। କାଳିଦାସ ସେହି କବିତାର ଚରିତ୍ରଟିଏ ମାତ୍ର।
ସାହିତ୍ୟ ଚର୍ଚ୍ଚା: ଅନାମ କବିତା ଆନ୍ଦୋଳନ ଉପରେ ଆପଣ ଅନେକ ସମାଲୋଚନାତ୍ମକ ପ୍ରବନ୍ଧ ଲେଖିଛନ୍ତି ଏବଂ ଏହାକୁ ପାଖରୁ ଦେଖିଛନ୍ତି ମଧ୍ୟ। ତେବେ ଆପଣଙ୍କ ମତରେ, ଏହି ଅନାମ ଧାରାର କବିତା ଶେଷକୁ ବିଲୀନ କାହିଁକି ହୋଇଗଲା?
ଭଗବାନ ଜୟସିଂହ: ଅନାମ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ କୁମାର ମହାନ୍ତି ଗୋଟିଏ କବିତା ସଂକଳନ ପ୍ରକାଶ କରିଥିଲେ, ଯାହାର ନାମ ଥିଲା ‘ନବାନ୍ୱେଷୀ’। ଏଥିରେ ସେ ଚିନ୍ତା କରିଥିଲେ ଯେ କିଛି ଗୋଟିଏ ନୂଆ କରିବେ। ସେତେବେଳେ ଆମେ ଯେଉଁମାନେ ନୂଆ ନୂଆ କବିତା ଲେଖୁଥିଲୁ ପାଶ୍ଚାତ୍ୟ ଧାରାରେ, ସେତେବେଳେ କୁମାର ମହାନ୍ତି ଏହାକୁ ପସନ୍ଦ କରୁ ନ ଥିଲେ। ସେ ଚାହୁଥିଲେ ଆଧୁନିକ ଓଡ଼ିଆ କବିତାର ତଥାକଥିତ ଦୁର୍ବୋଧ୍ୟତା ଭିତରେ ପ୍ରବେଶ ନ କରିପାରିବାର ଯେଉଁ ଦୁଃଖ, ତାହାକୁ ଭାଙ୍ଗିବା ପାଇଁ। ସେ ଚିନ୍ତା କରୁଥିଲେ ଯେ ଏମିତି ଏକ ଆନ୍ଦୋଳନ ଆରମ୍ଭ କରିବେ, ଯାହା ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ସମୟରେ ଏହା ସଫଳ ମଧ୍ୟ ହୋଇଥିଲା।
ଭଗବାନ ଜୟସିଂହ: ହଁ, ସଫଳ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ତାଙ୍କର ଦେହାନ୍ତ ପରେ ଅନ୍ୟ ସମସ୍ତେ ତାଙ୍କୁ କାହିଁକି ଅନୁସରଣ କଲେ ନାହିଁ?
ଭଗବାନ ଜୟସିଂହ: ତାଙ୍କ ସମୟରେ ମଧ୍ୟ ତାହାର ଅବକ୍ଷୟ ଆରମ୍ଭ ହୋଇଯାଇଥିଲା। କାରଣ ଏମାନେ ଛନ୍ଦୋବଦ୍ଧ କବିତା ଲେଖୁଥିଲେ। ଦ୍ୱିତୀୟତଃ, ଅନାମ-୧ ଯେତେବେଳେ ପ୍ରକାଶ ପାଇଲା ଏଥିରେ କିଛି ନଗ୍ନତା ଥିଲା, ଯାହା ପୁରୀବାସୀଙ୍କ ପାଇଁ ଗ୍ରହଣୀୟ ନ ଥିଲା ଏବଂ କେତେକ ସ୍ଥାନରେ ମଧ୍ୟ ଅନାମ ବହିକୁ ସେମାନେ ପୋଡ଼ିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଅନାମ ଆନ୍ଦୋଳନ ଯେତେବେଳେ ଜଗନ୍ନାଥ ଚେତନାକୁ ନେଇକରି ନୂଆ ରୂପରେ ଆବିର୍ଭୂତ ହେଲା, ତାହା ଲୋକଙ୍କୁ ଛୁଇଁଲା।
ସାହିତ୍ୟ ଚର୍ଚ୍ଚା: ଶିରୋନାମା ବିହୀନତା ଥିଲା ଅନାମ କବିତାର ଅନ୍ୟତମ ପରିଚୟ। ଶୁଣିଛୁ ଯେ ଆପଣଙ୍କ ଦ୍ୱାରା ସମ୍ପାଦିତ କେତେକ କବିତାରେ ଶିରୋନାମା ଦିଆଯାଇଥିବାର ଦେଖି କୁମାର ମହାନ୍ତି ଭୀଷଣ ରାଗିଯାଇଥିଲେ ଏବଂ ତାହାକୁ ଚିରି ଦେଇଥିଲେ। ଏହା ସତ କି?
ଭଗବାନ ଜୟସିଂହ: ସତ। କାରଣ ମୁଁ ଯେତେବେଳେ ୱେଷ୍ଟ ହଷ୍ଟେଲ୍‌ରେ ରହି ବି.ଏ. ଇଂରାଜୀ ଅନର୍ସ୍‌ର ଛାତ୍ର ଥିଲି, ସେତେବେଳେ ଗୋଟିଏ ପତ୍ରିକା ସମ୍ପାଦନା କରୁଥିଲି ଯାହାର ନାମ ଥିଲା- ‘ଉତ୍ତରାୟଣ’। ସେତେବେଳେ କୁମାର ମହାନ୍ତି ମୋର ଘନିଷ୍ଠ ବନ୍ଧୁ ଓ ବଡ଼ ଭାଇ ଭଳି। ସେ ମୋତେ ବିଭିନ୍ନ ଅନାମ କବିଙ୍କର କିଛି କବିତା ଦେଇଥିଲେ ମୋ ପତ୍ରିକାରେ ପ୍ରକାଶ କରିବା ପାଇଁ। ମୁଁ ସେ ସବୁ ପ୍ରକାଶ କରିଥିଲି; କିନ୍ତୁ ଶୀର୍ଷକବିହୀନ କବିତା ମୋ’ର ପସନ୍ଦ ନ ଥିଲା। ତେଣୁ ସବୁଥିରେ ଶୀର୍ଷକ ଯୋଡ଼ିଦେଲି। ଏହା ଦେଖି କୁମାର ମହାନ୍ତି ଭୟଙ୍କର କ୍ରୋଧିତ ହୋଇଗଲେ ଓ ପତ୍ରିକାଟିକୁ ଚିରି ଫୋପାଡ଼ି ଦେଲେ। ଯଦିଓ ମୁଁ କାନ୍ଦିପାରି ନ ଥିଲି, କିନ୍ତୁ ସେଇଭଳି ଗୋଟିଏ ଅନୁଭବ ମୋତେ ହୋଇଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଆ ଆଧୁନିକ କବିତା ଉପରେ ଗୋଟିଏ ପ୍ରବନ୍ଧ ଲେଖିଛନ୍ତି, ଯାହାର ନାମ, ‘ଡୋର୍‌ସ୍ ଟୁ ଡିସ୍‌ପେଆର୍‌।’ ଡିସ୍‌ପେଆର୍ କାହିଁକି? ଆଧୁନିକ ଓଡ଼ିଆ କବିତା କ’ଣ ନିରାଶାର ଦିଗକୁ ଗତି କରୁଛି?
ଭଗବାନ ଜୟସିଂହ: କଥାଟି ସେମିତି ନୁହେଁ। ଷଷ୍ଠ, ସପ୍ତମ, ଅଷ୍ଟମ ଓ ଏପରିକି ନବମ ଦଶନ୍ଧିର କବିତାକୁ ଦେଖିଲେ ଆପଣ ପାଇବେ ଯେ ପଶ୍ଚିମ ପ୍ରେରିତ ନିରାଶା, ଦୁଃଖ, ଯନ୍ତ୍ରଣା, ଯାହାକୁ କେହି ଓଡ଼ିଆ ସମାଲୋଚକ ଯୁଗଯନ୍ତ୍ରଣା ବୋଲି ଅଭିହିତ କରିଛନ୍ତି, ଏହା ତାହା ଦ୍ୱାରା ଜର୍ଜରିତ। ସେତେବେଳର ରମାକାନ୍ତ ରଥ, ଜୟନ୍ତ ମହାପାତ୍ର ଆଦିଙ୍କ କବିତାରେ ତେଣୁ ଦୁଃଖ ହିଁ ଦୁଃଖ। ଏପରିକି ଦେବଦାସ ଛୋଟରାୟଙ୍କ କବିତାରେ ଆପଣ ଦେଖିଥିବେ: “ମନ ଭଲ ନାହିଁ, କାରଣ କିଶୁ ଦୋକାନରେ ପାନ ମିଳୁନାହିଁ।’
ସାହିତ୍ୟ ଚର୍ଚ୍ଚା: ଆପଣ କେତେଜଣ ବରିଷ୍ଠ ଓ କନିଷ୍ଠ ଉଭୟ ବର୍ଗର ଓଡ଼ିଆ ଲେଖକଙ୍କ ରଚନାକୁ ଇଂରାଜୀରେ ଅନୁବାଦ କରି ସେମାନଙ୍କ ପାଇଁ ସ୍ୱୀକୃତି ଆଣିଦେଇଛନ୍ତି। ଜଣେ ଅନୁବାଦକର ଦୃଷ୍ଟିରେ ଆପଣ ନୂଆ ପିଢ଼ିର ଓଡ଼ିଆ କବିମାନଙ୍କର କବିତାର ମାନ ସମ୍ପର୍କରେ କ’ଣ କହିବେ?
ଭଗବାନ ଜୟସିଂହ: ଓଡ଼ିଆ କବିତାର ଭବିଷ୍ୟତ ଉଜ୍ଜ୍ୱଳ ଏଇଥିପାଇଁ ଯେ ନବାଗତମାନେ ଗତ କୋଡ଼ିଏ ବର୍ଷ ହେଲା ଯେଉଁ କବିତା ଲେଖୁଛନ୍ତି, ସେମାନେ ଆଉ ପୂର୍ବବର୍ତ୍ତୀ କବିମାନଙ୍କୁ ଅନୁକରଣ କରୁନାହାନ୍ତି। ସେମାନେ ଯେଉଁ ଯନ୍ତ୍ରଣା ଜିଇଁଛନ୍ତି, ତାହାରି କଥା କହିଛନ୍ତି; ଦୁର୍ବୋଧ୍ୟତା ଆଉ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାରସ୍ୱତ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )

3 thoughts on “ବରିଷ୍ଠ କବି ଓ ସମାଲୋଚକ ଭଗବାନ ଜୟସିଂହଙ୍କ ସହିତ ଅନ୍ତରଙ୍ଗ ଆଳାପ

  1. ସୁନ୍ଦର ଓ ଭାବଗର୍ଭକ ଲେଖା।ପଢ଼ିଲେ ଅନେକ କିଛି ଶିଖିବାକୁ ମିଳେ।

  2. ଆଧୁନିକ କବିତାର କବିଙ୍କ ସହିତ
    ଏହି ସାରସ୍ୱତ ଆଲୋଚନାରୁ ଆମକୁ ଲେଖିବା ପାଇଁ ବହୁତ ପ୍ରେରଣା ମିଳିବ ।

Leave a Reply

Your email address will not be published. Required fields are marked *