ମଶାଣି

ବୁଝିଛି ଏତିକି ଶେଷ ପ୍ରାଣ ବିନ୍ଦୁ ପାଉଁଶ ମୁଠାଏ ସତେ

ଡ. ଚପଳା ପଣ୍ଡା

ମଶାଣି କାହାର ଠିକଣା ଜାଣିନି
ଜାଣିନି କାହାର ନାଆଁ,
କଳା ଗୋରା ରଙ୍ଗ କେବେ ବି ଦେଖିନି
ଦେଖିଛି କେବଳ ନିଆଁ।
ଧନ ମାନ ଯଶ କାହାର କେତେ ଯେ
ଖୋଜିନାହିଁ କେବେ ଯିଏ,
ମଳିମୁଣ୍ଡିଆ କି କୁବେରାଧିପତି
କାହିଁକି ବୁଝିବ ସିଏ।
ଗର୍ବ ଦମ୍ଭ ଖ୍ୟାତି ମାନ ଅପମାନ
ନାହିଁ ତା’ର ଦରକାର ,
କେବଳ ଲୋଡ଼ିଛି ମୁଖାଗ୍ନିର ଦୃଶ୍ୟ
ବାହୁନା କାନ୍ଦଣା ସ୍ବର ।

ଦେଖିନାହିଁ ସିଏ ରୋଗୀ ଭୋଗୀ ଯୋଗୀ
ମରଣର କେଉଁ ଢଙ୍ଗ,
କେବଳ ଦେଖିଛି ମାଲ ଭାଇଙ୍କର
ହାତର ଖେଞ୍ଚଣା ଡାଙ୍ଗ।
କିଏ କେତେ ଦେଲା କିଏ କେତେ ନେଲା
ଅଯଥା ଭାବନା ନାହିଁ,
କେବଳ ଶୁଣିଛି ସମବେଦନାର
ମାପକରେ କୁହାକୁହି।
ଦାମୀ ଗାଡ଼ି ଘୋଡ଼ା ସବାରି ପାଲିଙ୍କି
ଯାଏ ଆସେ କେତେ ତା’ର,
କେବଳ ବୁଝିଛି କୋକେଇ ତିଆରି
ଛଅ ଖଣ୍ଡ ବାଉଁଶର।
ରୂପ ଯଉବନ ହିସାବ ରଖିନି
କାହାର କି ଜମି କେତେ
ବୁଝିଛି ଏତିକି ଶେଷ ପ୍ରାଣ ବିନ୍ଦୁ
ପାଉଁଶ ମୁଠାଏ ସତେ ।
କ୍ଷୀରି ପୁରି ସର ଲବଣି ଚାହିଁନି
ଚାହିଁଛି କଉଡ଼ି ଖଇ,
ବୟସ ମାପିନି ସମୟ ମାଗିନି
ମାପିଛି ସମାନ ଭୂଇଁ।
ଯିଏ ଯେତେ ବଡ଼ ହୋଇଥାଉ ପଛେ
ଚିନ୍ତା କେବେ କରିନାହିଁ,
ଅଚିନ୍ତାରେ ଦେଖେ ଲଙ୍ଗଳା ଦେହକୁ
ଜୁଇ ନିଆଁ ଖାଉଥାଇ।
ସବୁ ଦେଖି ସାରି ସବୁ ବୁଝି ସାରି
ଗାଇଥାଏ ପଦେ ଗୀତ ,
ମିଛ ମାୟା ଭରା ଏ ସାରା ଦୁନିଆ
କର୍ମ ଫଳେ ଯାଆ ମିତ।

5 thoughts on “ମଶାଣି

  1. ବହୁତ ସୁନ୍ଦର ଓ ଉପାଦେୟ ଲେଖା।

  2. ” ଅଚିନ୍ତାରେ ଦେଖେ ଲଙ୍ଗଳା ଦେହକୁ
    ଜୁଇ ନିଆଁ ଖାଉଥାଇ”।

    ଏମିତି ଏକ ଚମତ୍କାର ଚିତ୍ର, ହଠାତ୍ ମୋ ମୁଣ୍ଡ ଭିତରକୁ ଆଣୁଛି, ମୋ ବାପା ଓ ମା’ଙ୍କ ଆଁ ଭିତରେ କେମିତି କେତେ ଅଦ୍ଭୁତ ଅସହାୟତା ରେ ମୁଁ ନିଜେ ଇ ଦେଇଥିଲି ନିଆଁ।

    ଦେଇଥିଲି ନା ସେମାନଂକୁ ଖୋଇଦେଇଥିଲି?

    ଏବଂ ସେଇ ନିଆଁ ତ ପରେ ପରେ ଖାଇଥିବ ନା, ସେମାନଂକୁ! ସେମାନଂକର ଲଙ୍ଗଳା ଦେହକୁ !!

    ପଛକୁ ନଚାହିଁବାପାଇଁ ଏବଂ ଜୁଇକୁ ଥରେ ବି ବୁଲିପଡ଼ି ନଦେଖିବା ପାଇଁ କୁହାଯାଇଥିଲା ମୋତେ।

    ସେଇ ନିଆଁ ସେମାନଂକୁ ଖାଉଥିବା କଥା ନ ଦେଖିବାର ନିୟମ ବା ନୀତି କାହିଁକି ଥାଏ କେଜାଣି, କବୟିତ୍ରୀ ଙ୍କ ଏ ଦି’ ଧାଡ଼ି ପଢ଼ିଲା ପରେ କିନ୍ତୁ, ଠିକ୍ ଏବେ ଦେଖିପାରୁଛି, ଏତେ ବର୍ଷ ପରେ ବି।

    କବୟିତ୍ରୀଙ୍କୁ ମୋର ନମସ୍କାର।

  3. ଏହା ହିଁ ସତ୍ଯ, ବାସ୍ତବ ଓ ଚିରନ୍ତନ। ଯାହାକି ମଣିଷ ସହଜରେ ଗ୍ରହଣ କରିପାରେନି। 🙏

Leave a Reply

Your email address will not be published. Required fields are marked *