ପ୍ରକଟ

ଭଗବାନଙ୍କ ରକ୍ତର ଗ୍ରୁପ୍ ବି ଜଣାପଡିଗଲା।

ହରେକୃଷ୍ଣ ସାହୁ

ଭୁବନର ନିଦ ଭାଙ୍ଗିଗଲା। ରାତି କେତେଟା ବାଜିଥିବ କେଜାଣି। ଜାଣିବାର ଉପାୟ ନ ଥିଲା। ଖୁବ୍ ଭୋକରେ ପେଟ ଭିତରଟା ଆଉଟୁ ପାଉଟୁ ହୋଇଯାଉଛି। ଗତକାଲି ଦିନର ଆଗ ରାତିରେ ଗୋଟେ ଭୋଜିରେ ପେଟପୂରା ଖାଇଥିଲା। ଗତ ଦିନସାରା କିଛି ଖାଇନାହିଁ। ଭୋକିଲା ପେଟକୁ ମାଡ଼ିବସି ଭୁବନ ଶୋଇବାକୁ ଚେଷ୍ଟା କଲା।
ପଡ଼ିଶା ଘର କାନ୍ଥଘଣ୍ଟା ରାତି ଦୁଇଟା ବାଜିବାର ସାଙ୍ଗୀତିକ ସୂଚନା ଦେଲା। ନା ଏଭଳି ଭୋକି ପେଟକୁ ନେଇ ଶୋଇ ହେବ ନାହିଁ। କ୍ଷୁଧା ପେଟ ଭିତରେ ଡିଆଁକୁଦା କରୁଛି। ତାକୁ ଶାନ୍ତ କରିବା ପାଇଁ ପାଣି ପିଇଲା। ପୁଣି ପେଟ ମାଡ଼ି ଶୋଇଲା। ନିଦ ହେଲା ନାହିଁ।
ଭୋକରେ ଭଲ ନିଦ ହୁଏ। କଥାଟିଏ ଅଛି “ଭୋକେ ଓଡ଼ିଆ ନିଦ ଯାଏ।” ଭୁବନ ଏ କଥାଟିକୁ ଅଗ୍ରାହ୍ୟ କରିଦେଲା। ଭୋକେ ମଣିଷ ମରିଯାଏ। ଏଇଟା ଠିକ୍ ହେବ। ଭଲ ନିଦ ପାଇଁ ଯଦି ଭୋକିଲା ପେଟ ଦରକାର, ତେବେ ଚିରଦିନ ଭୋକରେ ରହି ଭଲ ନିଦରେ ଶୋଇହେବ କି!
ନା, ଆଉ ନିଦ ହେବ ନାହିଁ। ଭୋକ ସହିତ ତ ଦୁଃଖମାନେ ବି ମାଡ଼ି ଆସିଲେ। ତା’ର ଏ ଦାରିଦ୍ର‌୍ୟ ପାଇଁ, ଦୁଃଖ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଗାଳି ଦେଲା। ଏ ଦେଶର ରାଜନୀତି ତା’ର ଦୁଃଖ ଓ ଦାରିଦ୍ର‌୍ୟ ପାଇଁ ଦୋଷୀ। ଚତୁର୍ପାଶ୍ୱର୍ରେ ଥିବା ଲୋକମାନେ ଦାୟୀ। ଈଶ୍ୱର ଦାୟୀ।
ଭୁବନ ବିଛଣା ଛାଡ଼ି କବାଟ ଖୋଲିଲା। ବାହାରକୁ ଚାଲିଲା। ଆଉ ନିଦ ଆସିବାର ନାହିଁ। ତେଣୁ ବୁଲି ବୁଲି ରାତି ବିତାଇ ଦେବାକୁ ମନସ୍ଥ କଲା। ଚାଲୁ ଚାଲୁ ଗାଁ ମୁଣ୍ଡରେ ପହଞ୍ôଚଗଲା। ଦେଖା ହେଲା ମନ୍ଦିର। ମନ୍ଦିର ଭିତରେ ଲାଲ୍ ରଙ୍ଗର ଆଲୁଅଟିଏ ଜଳୁଥିଲା। ଠାକୁରଙ୍କ ମୂର୍ତ୍ତିଟା ଠିଆ ହୋଇଥିବାର ଦେଖାଗଲା। ମୂର୍ତ୍ତି ଉପରେ ନଜର ପଡ଼ିବା ମାତ୍ରେ କ୍ରୋଧରେ ତା’ ମୁଣ୍ଡକୁ ରକ୍ତ ଉଠିଗଲା।

ଭୁବନ ମନ୍ଦିର ଭିତରେ ପଶିଲା। ଏଇ ଠାକୁର ହିଁ ସବୁ ନାଟର ଗୋବର୍ଦ୍ଧନ। ମୋ ସମସ୍ତ ଦୁଃଖର କାରଣ। ଖୁବ୍ ରାଗିଗଲା ଭୁବନ। ଭୋକ ଓ ଦୁଃଖ କ୍ରୋଧକୁ ବହୁଗୁଣିତ କରିଦେଲା। ଭୁବନ ଠାକୁରଙ୍କ ମୁହଁକୁ ମାରିଲା ଗୋଟେ ଶକ୍ତ ମୁଥ। ଆଃ…. ମାର୍ବଲ ମୂର୍ତ୍ତିର ପଥର ନାକରେ ମୁଥଟା ବାଜି ହାତ ପାପୁଲିର ପଛ ଫାଟିଗଲା। ରକ୍ତ ବାହାରିଗଲା। ଠାକୁରଙ୍କ ନାକ ପାଖରୁ ରକ୍ତର ଧାର ବୋହି ଓଠ ଭିଜିଗଲା।
ଭୁବନ ଡାହାଣ ହାତର ପାପୁଲିକୁ ବାଁ ହାତରେ ମୁଠେଇ ଧରି ଘରକୁ ଫେରି ଆସିଲା। ଛିଣ୍ଡା କନାରେ ହାତକୁ ଗୁଡ଼େଇ ବିଛଣାରେ ପଡିଗଲା। ଅନେକ ସମୟ ଧରି ଛଟପଟ ହେବା ପରେ ଯନ୍ତ୍ରଣା ବିରାମ ନିଦଟିଏ ମାଡ଼ି ଆସିଲା। ଭୁବନ ଶୋଇ ପଡ଼ିଲା।
ସକାଳ ହେବାରୁ ପୂଜାରୀ ମନ୍ଦିରରେ ପହଞ୍ଚିଲେ। ଠାକୁରଙ୍କର ଦେହରୁ ବାସିଫୁଲ ବାହାର କଲା ବେଳକୁ ଦେଖିଲେ ନାକ ଓ ଓଠରେ କିଛି ଲାଲ୍ ଜିନିଷ ଲାଗିଛି। ଠାକୁରଙ୍କ ଦେହରେ ତ ସିନ୍ଦୂର ଲଗାଯାଏ ନାହିଁ। ଚନ୍ଦନ ଲଗାଯାଏ। ଏ ଲାଲ୍ ଜିନିଷ କ’ଣ?
ଭଲଭାବରେ ନିରୀକ୍ଷଣ କରି ଦେଖିବାରୁ ଜଣାଗଲା କିଛି ତରଳ ଲାଲ୍ ଜିନିଷ ନାକରୁ ବୋହି ଓଠ ଅତିକ୍ରମ କରି ଥୋଡ଼ିରେ ଲାଗି ଯାଇଛି। ଇଏ ରକ୍ତ ବ୍ୟତୀତ ଆଉ କିଛି ନୁହେଁ। ଶୁଖିଯାଇଥିବାରୁ ଟିକେ ଖଇରିଆ ଦେଖାଯାଉଛି। ଠାକୁରଙ୍କ ରକ୍ତ! ଆହା, ଆମ ଠାକୁର ତା’ ହେଲେ ଜୀବନ୍ତ ଦେବତା!
ପୂଜାରୀ ମନ୍ଦିର ପରିଚାଳକଙ୍କୁ ଡକାଇ ଠାକୁରଙ୍କ ମୁହଁ ଦେଖାଇଲେ। ଦୁହେଁ ସ୍ଥିର ନିଶ୍ଚିତ ହେଲେ ଯେ ଏହା ଠାକୁରଙ୍କ ରକ୍ତ। ତାଙ୍କର ବିଶ୍ୱାସକୁ ସାର୍ବଜନୀନ କରିବା ପାଇଁ ସେଥିରୁ ଟୁକୁଡ଼ାଏ ଧରି ପରିଚାଳକ ମହାଶୟ ଆଦିକନ୍ଦ ଘରେ ପହଞ୍ଚିଲେ। ଆଦିକନ୍ଦ ନୂଆବଜାର ଛକରେ କ୍ୟାବିନ୍‌ଟିଏ ପକାଇ ସେଥିରେ ଲୋକଙ୍କ ରକ୍ତ, ମଳ, ମୂତ୍ର, କଫ ଇତ୍ୟାଦି ପରୀକ୍ଷା କରୁଥିଲା। ତା’ର ସବୁଠୁ ମୂଲ୍ୟବାନ ସମ୍ପତ୍ତି ଥିଲା ମାଇକ୍ରୋସ୍କୋପ୍। କାଠ କ୍ୟାବିନ୍ ସୁରକ୍ଷିତ ନ ଥିବାରୁ ଆଦିକନ୍ଦ ରାତିରେ ସେଇଟିକୁ ବ୍ୟାଗ୍‌ରେ ପୂରାଇ ଘରକୁ ଆଣୁଥିଲା। ପରିଚାଳକ ମହାଶୟ ରକ୍ତ ଟୁକୁଡାଟିକୁ ଆଦିକନ୍ଦର ହାତରେ ଦେଇ କହିଲେ, ତମ ମେସିନ୍‌ରେ ପକେଇ ଦେଖିଲ ଏଇଟା କ’ଣ?
ଆଦିକନ୍ଦ ହାତରେ ଧରୁ ଧରୁ କହିଲା, ରକ୍ତ। ପାଞ୍ଚ ମିନିଟ୍‌ରେ ପରୀକ୍ଷା କରି କହିଲା, ଇଏ ରକ୍ତ। ଗ୍ରୁପ୍ ହେଲା ‘ଓ ପଜେଟିଭ୍‌’।
ଭଗବାନଙ୍କ ରକ୍ତର ଗ୍ରୁପ୍ ବି ଜଣାପଡିଗଲା। ତା’ପରେ ମନ୍ଦିର ପରିଚାଳକ ଖବରକାଗଜ ଓ ଟେଲିଭିଜନ କାର୍ଯ୍ୟାଳୟକୁ ଖବର ଦେଲେ ଓ ମୋବାଇଲ୍‌ରେ ଫଟୋ ଉଠାଇ ପଠାଇ ଦେଲେ।
ଫଳରେ ଘଣ୍ଟାଏ ଭିତରେ ଖବରଟି ରାଜ୍ୟସାରା ବ୍ୟାପିଗଲା। ସ୍ଥାନୀୟ ବିଧାୟକ ଟେଲିଭିଜନରୁ ଖବର ଜାଣି ସୁନା ଫରୁଆଟିଏ ଧରି ମନ୍ଦିରରେ ପହଞ୍ଚିଗଲେ। କହିଲେ, ଠାକୁରଙ୍କ ରକ୍ତରୁ ଛୋଟ ବକଳଟିଏ ଛଡ଼ାଇ ଏ ସୁନା ଫରୁଆରେ ଦିଅ।
ଏତକ କହି ବିଧାୟକ ମହାଶୟ ପକେଟରୁ ପାଞ୍ଚ ହଜାର ଟଙ୍କା ବାହାର କରି ମନ୍ଦିର ପରିଚାଳକଙ୍କ ହାତରେ ଧରାଇ ଦେଲେ। ପୁନଶ୍ଚ କହିଲେ, ଏ ରକ୍ତ ସିଧାସଳଖ ଆଉ କାହାକୁ ଦିଅ ନାହିଁ। ଦଶ ପନ୍ଦର ଜଣଙ୍କୁ ଦେଲା ପରେ ତ ସବୁ ସରିଯିବ। ଏଭଳି ପବିତ୍ର ଓ ଦୁର୍ଲଭ ଦ୍ରବ୍ୟ ଠାକୁରଙ୍କ ବ୍ରହ୍ମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ଏହାକୁ ସମସ୍ତେ ପାଇବା ଉଚିତ। ଗୋଟେ କାମ କର। ମନ୍ଦିର ପରିସରରେ ଥିବା କୂଅରେ ରକ୍ତର ଖଣ୍ଡେ ବକଳ ପକାଇଦିଅ। ଆଉ ସେ ପାଣିକୁ ବିକ୍ରୀ କର। ଠାକୁରଙ୍କ ରକ୍ତ ମିଶ୍ରିତ ପବିତ୍ର ପାଣି, ଏକ ବୋତଲରେ ମୂଲ୍ୟ ଏକ ହଜାର ଟଙ୍କା।
ଟେଲିଭିଜନ୍‌ରେ ଅନବରତ ଠାକୁରଙ୍କ ଜୀବନ୍ତ ହେବା ବିଷୟ ପ୍ରଚାର ହୋଇ ଚାଲିଲା। ଠାକୁରଙ୍କ ରକ୍ତ ପାଣିରେ ମିଶାଇ ବିକ୍ରୀ କରାଯାଉଛି, ସେ କଥା ଜଣାଇ ଦିଆଗଲା। ଠାକୁରଙ୍କ ରକ୍ତ ସମସ୍ତ ଦୁଃଖ ହରଣ କରିପାରିବ। ମଣିଷକୁ ରୋଗମୁକ୍ତ କରିପାରିବ। ଧନବାନ କରିପାରିବ। ସୁଖୀ କରିପାରିବ। ସମସ୍ତ ପ୍ରକାର ଅସମ୍ଭବକୁ ସମ୍ଭବରେ ପରିଣତ କରିପାରିବ ବୋଲି ପ୍ରବଚକ, ପୁରାଣବିତ୍‌, ଜ୍ଞାନୀଗୁଣୀ ଲୋକମାନେ ଟେଲିଭିଜନ ଜରିଆରେ କହିବାକୁ ଲାଗିଲେ।
ତେଣୁ ରାଜ୍ୟସାରାର ଲୋକ ପବିତ୍ର ପାଣି କିଣିବା ପାଇଁ ମନ୍ଦିର ଅଭିମୁଖେ ଯାତ୍ରା କରିବାକୁ ଲାଗିଲେ।
ଭୁବନର ନିଦ ଭାଙ୍ଗିଲା ବେଳକୁ ସକାଳ ନଅଟା ହୋଇ ଯାଇଥିଲା। ଡାହାଣ ହାତଟା ଧକ୍‌ଧକ୍ ହୋଇ ବିନ୍ଧୁଥିଲା। ରକ୍ତ ବହିବା ବନ୍ଦ ହୋଇଯାଇଥିଲା। କିନ୍ତୁ ପାପୁଲିଟା ଫୁଲି ଯାଇଥିଲା। ବୋଧହୁଏ କୌଣସି ଗୋଟେ ଆଙ୍ଗୁଳିର ହାଡ଼ ଭାଙ୍ଗିଯାଇଥିଲା। ହାତ ପାପୁଲିକୁ ଗାମୁଛାରେ ଗୁଡ଼ାଇ ଭୁବନ ଗାଆଁ ମୁଣ୍ଡ ପୋଖରୀ ଆଡ଼କୁ ଚାଲିଲା। ଘରୁ ବାହାରିବା ମାତ୍ରେ ଶୁଣିଲା ମନ୍ଦିର ପାଖରେ ମାଇକ୍ ବାଜୁଛି। ପାଖରେ ପହଞ୍ଚି ଦେଖିଲା ପ୍ରବଳ ଭିଡ଼। ବହୁତ ଗାଡ଼ି ମଟର ଠିଆ ହୋଇଛି। ଅସ୍ଥାୟୀ ଦୋକାନ ଲାଗି ଯାଇଛି। ହଜାର ହଜାର ଲୋକ ଖାଲି ବୋତଲଟିମାନ ଧରି ଧାଡ଼ିରେ ଠିଆ ହୋଇଛନ୍ତି।
ଜଣେ ଗାଁ ଲୋକଙ୍କୁ ଦେଖି ଭୁବନ ପଚାରିଲା, ଆଜି କିଛି ପର୍ବ ଅଛି କି? କାଲି ତ କିଛି ଜଣାଯାଉ ନ ଥିଲା। ଆଜି ହଠାତ୍ କାହିଁକି ଏତେ ଭିଡ଼?
ଲୋକଟା କହିଲା, ତୋର ବୋଧହୁଏ ଏବେ ନିଦ ଭାଙ୍ଗିଲା। ସକାଳ ଛଅଟାରୁ ଭିଡ଼ ହେଲାଣି।
ଭୁବନ ପଚାରିଲା, ସମସ୍ତେ କ’ଣ ଗୋଟେ ଗୋଟେ ବୋତଲ ଧରିଛନ୍ତି?
ଅସଲ କଥାଟା ତ ସେଇଠି। ଆମ ଠାକୁର କାଲି ରାତିରେ ଜୀବନ୍ତ ହୋଇଯାଇଛନ୍ତି। ତାଙ୍କ ନାକରୁ ରକ୍ତ ବାହାରିଛି।
ସତେ ନା କ’ଣ?
ଠାକୁରଙ୍କ ରକ୍ତ ମାନେ ପବିତ୍ର ରକ୍ତ। ସେ ରକ୍ତକୁ କୂଅ ପାଣିରେ ମିଶାଇ ଦିଆଯାଇଛି। ସେହି ପାଣି ବିକ୍ରି ହେଉଛି। ନଅଟା ସୁଦ୍ଧା ଦଶଲକ୍ଷ ଟଙ୍କାର ପାଣି ବିକ୍ରି ସରିଲାଣି। ସେ ପାଣି ଯିଏ ନେବ ତା’ର ଭାଗ୍ୟ ବଦଳିଯିବ।

ଏତିକି କହିଦେଇ ଲୋକଟା ପଳେଇଲା। ଭୁବନ ଭାବିଲା କହି ଦେବି କି ଏଗୁଡ଼ା ସବୁ ମିଛକଥା। ସେ ରକ୍ତ ଠାକୁରଙ୍କର ନୁହେଁ। ମୋର, ମାନେ ଭୁବନର।
ଭୁବନ ଲୋକ ଗହଳିକୁ ଚାହିଁଲା। ପାଣି ପାଇଁ ଲୋକେ ବୋତଲ ଧରି ଧାଡ଼ିରେ ଠିଆ ହୋଇଛନ୍ତି। ଯିଏ ପାଣି ନେଇ ମନ୍ଦିର ପାଖରୁ ଫେରୁଛି, ତା’ ମୁହଁ ସଫଳତାରେ ହସ ହସ ଦେଖାଯାଉଛି। ଏ ପର୍ଯ୍ୟନ୍ତ ଦଶଲକ୍ଷ ଟଙ୍କା ରୋଜଗାର ହେଲାଣି। ଆହୁରି ରୋଜଗାର ହେବ। ସବୁଦିନେ ରୋଜଗାର ହେବ। ଯାହା ଚାଲିଛି ଠିକ୍ ଚାଲିଛି। ସେମିତି ଚାଲିଥାଉ।
ଭୁବନ ଭାବୁଥିଲା, ରକ୍ତ ତ ଭୁବନର। ରକ୍ତ ପାଣି ବିକ୍ରି ପଇସାରୁ କିଛି ଭୁବନକୁ ଦେଲେ ଠିକ୍ ହୁଅନ୍ତାନି। ତା’ର ଦୁଃଖ ବି ଦୂର ହୋଇ ଯାଆନ୍ତା। ଚିନ୍ତା କଲା, ଭିଡ଼ କମିଲେ ପୂଜାରୀଙ୍କୁ ସେ ଏ କଥା କହିବ।
କିନ୍ତୁ ଅନେକ ଦିନ ବିତିଗଲା। ମାସ, ବର୍ଷ ବିତିଗଲା। ପୂଜାରୀ ବା ପରିଚାଳକଙ୍କ ବ୍ୟସ୍ତତା କମିଲା ନାହିଁ। ତାଙ୍କ ବ୍ୟସ୍ତତାରୁ ତିଆରି ହେଲା ଧର୍ମଶାଳା, ଡାକ୍ତରଖାନା, ସ୍କୁଲ, କଲେଜ ଓ ମାଗଣା ଭୋଜନ ବ୍ୟବସ୍ଥା।
ଲୋକେ ଠାକୁରଙ୍କ ରକ୍ତମିଶା ପାଣି ନେଇ ପୂଜା କରୁଥିଲେ। ଶୁଭ କାମରେ ଗଲାବେଳେ ମୁଣ୍ଡରେ ମାରୁଥିଲେ ଓ ପାଦୁକ ରୂପରେ ପାଟିରେ ମାରୁଥିଲେ। ସମସ୍ତଙ୍କର ମନସ୍କାମନା ପୂରଣ ହେଉଛି ବୋଲି କହୁଥିଲେ।
ସମୟକ୍ରମେ ମନ୍ଦିର ପରିଚାଳନା କମିଟି ତରଫରୁ ଭୁବନକୁ ମନ୍ଦିର ସଫେଇ କାମଟିଏ ମିଳିଗଲା। ଦୈନିକ ଶହେ ଟଙ୍କା ମଜୁରୀ ସହିତ ମାଗଣାରେ ଦୁଇବକ୍ତ ଖାଇବାକୁ ମିଳିଲା। ସେତେବେଳକୁ ଗାଁ ସାରାର ସମସ୍ତ ପରିବାର ପବିତ୍ର ପାଣିରୁ ଏକ ଏକ ବୋତଲ କିଣି ଘରେ ରଖିସାରିଥିଲେ। ପିଲାମାନେ ସ୍କୁଲ କଲେଜକୁ ପରୀକ୍ଷା ଦେବାପାଇଁ ଗଲାବେଳେ, ବୟସ୍କ ମାନେ ଶୁଭ କାର୍ଯ୍ୟରେ ବାହାରିବା ବେଳେ ଓ ମହିଳା ମାନେ ପୂଜା ଶେଷ କଲାପରେ ଟୋପାଏ ପାଟିରେ ପକାଉଥିଲେ ଓ ଟୋପାଏ ମୁଣ୍ଡରେ ମରୁଥିଲେ। ଏବଂ ଏଥିରୁ ଶୁଭଫଳ ମିଳୁଛି ବୋଲି କହୁଥିଲେ।
ବାରମ୍ବାର ସମସ୍ତଙ୍କର ସଫଳତା କଥା ଶୁଣି ଭୁବନ ପ୍ରଥମ ମାସର ଦରମାରୁ ଏକ ହଜାର ଟଙ୍କା ଖର୍ଚ୍ଚ କରି ଗୋଟେ ବୋତଲ ପାଣି କିଣିଲା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ପ୍ରକଟ

  1. ଖୁବ ମନଛୁଆଁ ଗପ।
    ବ୍ଯଙ୍ଗ ବି ମଣିଷର ଭାବନାକୁ ଚାହିଁ ଠିକ ହୋଇଛି।
    ଶେଷରେ ଭୁବନ ନିଜେ ପାଣି ବୋତଲଟେ କିଣିବା ଆମ ଚେତନା ସ୍ତରର ସଠିକ ଉପସ୍ଥାପନ।👌

Leave a Reply

Your email address will not be published. Required fields are marked *