ଓରିସା-ଉଡ଼ିଶା-ଓଡ଼ିଶା

ଆପଣ ଦକ୍ଷିଣୋଡ଼ିଶା ଯାଆନ୍ତୁ, ସେଠି ଯେଡ଼େ ଯେଡ଼େ ଶିକ୍ଷିତ ଜ୍ଞାନୀ ଥାଆନ୍ତୁ ପଛେ ସେ ତାଙ୍କ ଆଞ୍ଚଳିକ ଭାଷା ବୋଲି ମୋଟେ ଛାଡ଼ିବେନି।

ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟ

ଇଂରେଜମାନଙ୍କ ଓଠ ତାଙ୍କ ମୂଲକରେ ଉହୁଉହୁ ହୋଇ ଥରୁଥାଏ ବୋଲି, ଓଡ଼ିଶାକୁ ଓରିଶା କଲେ। ଆପଣ ଦେଖିବେ ଯେ ଇଂରାଜୀରେ ଗଡ଼କୁ ଗର୍ହ (Garh) ବୋଲି ଆମେ ଏବେ ବି ଲେଖୁଛେ। ତାଙ୍କ ପାଟିରେ ଯେନ୍ତା ପଶିଲା ସେମାନେ ସେନ୍ତା କଲେ। କୁଟାକ, ଅଉଲ, ବାଲାଶୋର, ବେରହାମପୁର ଭଳି ନୂଆ ଶବ୍ଦ ଆମକୁ ଚିହ୍ନେଇଲେ। ଆମେ ବି ପାଦୁକ ପରିକା ଚାଟି ପକେଇଲେ। ମୁଁ ତ ପିଲାଦିନେ ଅନେକଥର ମୋର ସାଙ୍ଗିଆ ଆଚାରିଆ ବୋଲି ଗର୍ବରେ କହିଥିବି। ଆମର ଜଣେ ତାମିଲ ସାର୍ ଥିଲେ। ତାଙ୍କ ନାଁ ଏଲ୍‌.ଟି. ଆୟାର। ସେ ଉପସ୍ଥାନ ପକେଇବା ବେଳେ ନାଁ ଧରି ଡାକନ୍ତି। ମୋ ନାଁ’କୁ ଜମେଇକି ଡାକିବେ : ଗୋପଲ୍କ୍ରୀଷ୍ନା ଆଚାରିଆ। ମୁଁ ନିଜ ଉପରଛାତି ବୋତାମଟାକୁ ସେତିକି ବେଳେ ଖୋଲି ପକାଏ।
ଏମିତି ହେଲା ଯେ ମୋତେ ହଷ୍ଟେଲର ଯେଉଁ ଘର ମିଳିଲା, ସେଠି ମୋ ସହ ରହିବାକୁ ଜଣେ ପୂର୍ବତନ ମନ୍ତ୍ରୀଙ୍କ ଭଣଜାକୁ ଅନୁମତି ମିଳିଲା। ସେ ବିଚାରା ଡରିହରି ଛାନିଆ। ଯାଇ ଡାଇରେକ୍ଟର ସାରଙ୍କୁ ନେହୁରା ହେଲା: ସାର୍‌! ପ୍ଲିଜ୍ ଆଲଟ୍ ଆନାଦର୍ ରୁମ୍ ଫର ମି।
ଡାଇରେକ୍ଟର ପଚାରିଲେ: ଫର୍ ହ୍ୱାଟ୍‌?
ସେ କହିଲା: ବିକଜ୍ ମାଇ ରୁମମେଟ୍ ଇଜ୍ ନନ୍‌ଓଡ଼ିଆ।
କି କଥା କହିଲେ। ମୁଁ ବ୍ରାହ୍ମଣ ଛୁଆଟା। ପୁଣି ଆଚାର୍ଯ୍ୟ। ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଶଙ୍କରାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟଙ୍କ ପରି ମୁଁ କେତେବଡ଼ ଓଡ଼ିଶାର ଆଚାର୍ଯ୍ୟ। ମୁଁ କିଆଁ ଅଣୋଡ଼ିଆ ହେବି!
ଡାଇରେକ୍ଟର ଆଜ୍ଞା ହସିଲେ। କହିଲେ: ବାବୁରେ ସେ ଆମ ଓଡ଼ିଆଚାର୍ଯ୍ୟ। ଅଣୋଡ଼ିଆଚାର୍ଯ୍ୟ ନୁହେଁ। ବୁଝିଲ?
ତହୁଁ ମନ୍ତ୍ରୀଙ୍କ ଭାଗିନେୟ ଧାଇଁଲେ ନସରପସର ହୋଇ। ମୋ ସହିତ କରମର୍ଦ୍ଦନ କଲେ। ଆମ୍ଭର ବନ୍ଧୁତ୍ୱର ପରିବର୍ଦ୍ଧନ ହେଲା।
ବନ୍ଧୁ କହିଲେ: ମୁଁ ତ ଡରି ଯାଇଥେଲି ହୋ!
ମୁଁ କହିଲି: ହଉ। ମୋ ଭଳି ପାଣିହଗୁରା ଆଉ କାହାର ଏହି ବାଗରେ ହେଲେ ଡରର କାରଣ ହେଉ।

ଆଚାରିଆ କହିବାର ସୁଆଦ
ମୋର କିନ୍ତୁ ସେଇ ଆଚାରିଆ କହିବାର ସୁଆଦଟି ଓଠରେ ଅନେକ ଦିନ ଧରି ଲାଗିଥାଏ। ଥରେ ମାଡମ ଡକ୍ଟର ଅନ୍ନପୂର୍ଣ୍ଣା ମିଶ୍ର ଆମର ଫିଜିଓଲୋଜି କ୍ଲାସ୍ ନଉଥାନ୍ତି। ଗୋଟିଏ ପ୍ରଶ୍ନ ପଚାରିଲେ। ମୋର ସେଇ ବିଷୟଟି ଭଲ ହେଉଥିଲା। ମୁଁ କହିଦେଲି। ସେ ଗେହ୍ଲାରେ ମୋ ନାଁ ‘ ପଚାରିଲେ। ମୁଁ କହିଲି: ଗୋପଲ୍କ୍ରୀଷ୍ନା ଆଚାରିଆ।
ସେ ମୋ ଆଡ଼କୁ ସନ୍ଧାନୀ ଆଖିରେ ଚାହିଁଲେ। ମୁଁ ଡରି ଗଲି।
କହିଲେ: ତମେ ଆଚାର୍ଯ୍ୟଟି?
ମୁଁ କହିଲି: ଆଜ୍ଞା।
ସେଇଠୁ ସେ ଗୋଟିଏ ତାଚ୍ଛଲ୍ୟହସର ଚଟକଣାଟେ ଫୋପାଡ଼ି ମୋତେ କହିଲେ: ବାବୁରେ! କେତେ ସୁନ୍ଦର ନାଁ’ଟେ ତୋର। ତୁ ଏମିତି କାହିଁକି କହୁଛୁ। ମୁଁ ମିଶ୍ର। ମିଶ୍ରା କହୁନି ତ। ମୁଁ ଓଡ଼ିଆ। ଏହି ନାମରେ ହିଁ ମୋର ଓଡ଼ିଆତ୍ୱ ଲୁଚିଚି।
ମୁଁ ଲାଜରେ ଶାଙ୍କୁଳି ହୋଇଯାଉଥିଲି। ତା’ପରଠୁ ମୁଁ ପ୍ରତିଜ୍ଞା କଲି ଯେ ଓଡ଼ିଆ ଥିଲି, ଅଛି, ରହିବି ମଧ୍ୟ। ଆଉ କାହା ଢଙ୍ଗରେ ନିଜକୁ ବ୍ୟଙ୍ଗ କରିବିନି। ମୁହଁରେ ପଛରେ ନାଲିବୋଳି ପାତିମାଙ୍କଡ଼ ବନି କାହାର ହାତରୁ ନଡ଼ିଆ ଛଡ଼େଇବିନି।
ଅଛି ତ! ଏଯାଏ ଅତି ଆବଶ୍ୟକ ନ ହେଲେ ଇଂରାଜୀ କହୁନି।
ମୋର କିନ୍ତୁ ଇଂରାଜୀ ଭାଷା ଓ ଇଂରେଜମାନଙ୍କ ପ୍ରତି ସମ୍ମାନବୋଧ ଯଥେଷ୍ଟ ରହିଛି। କାହିଁକି ସେକଥା ପରେ କହିବି।
ଏବେ ଆସିବା ମୂଳକଥାକୁ। ଏଇ ନଗଦାନଗଦି ଜଣେ ମହାନ ଜନନାୟକ ଆମ ମାଟିକୁ ଆସିଥିଲେ। ସେ ତାଙ୍କର ରାଜନୀତିକ ବକ୍ତବ୍ୟ ଛଳରେ ବାରବାର ଓଡ଼ିଶାକୁ ଉଡ଼ିଶା ଉଡ଼ିଶା ବୋଲି ଉଚ୍ଚାରଣ କଲେ। ଓଡ଼ିଆ ଜନତା ବି ତାଳି ଠୋକିଲେ ନାଦି କି। ମୋ’ଠି କିନ୍ତୁ ଶବ୍ଦଟି ଅଗ୍ନିମାନ୍ଦ୍ୟ ରଚିଦେଲା। ଏଣୁ,ଏହାକୁ ମୋ ଭଳି ବାମନର ବମନ ବୋଲି ଆପଣ ଧରି ନେଇ ପାରନ୍ତି।
ଦିନେ ଜଣେ ଅନାମଧେୟ ଭଟ୍ଟାଚାର୍ଯ୍ୟ ତା ତୋଡ଼ିମୋଡ଼ି ଓଷ୍ଠଶୈଳୀ ଭାଷାରେ ‘ଉଡ଼ିୟା ଏକ୍ଟା ସ୍ୱତନ୍ତ୍ର ଭାଷା ନୟ’ କହିଦେଲା ବୋଲି ଓଡ଼ିଶା ଚହଲିଗଲା, ଉଠିଲା ପଡ଼ିଲା।
ମତ୍ତ ବଳରାମ ଦାସଙ୍କ ପାଇଁ ଜଣେ ବଙ୍ଗାଳୀ ବି ପ୍ରଶସ୍ତି ଗାଇଥିଲେ: ବନ୍ଦେ ଉଡ଼ିୟା ବଲରାମ ଦାସ ମହାଶୟ/ଜଗନ୍ନାଥ ବଲରାମ ଯାର ବଶ ହୟ।
ଆମେ ଥିଲୁ ‘ଉଡ଼ିୟା’
ଆମେ ଖୁସି ହେଲେ। ସେତେବେଳେ କେହି ବି ପାଟି ଫିଟେଇ ନ ଥିଲେ। ଏମିତି ବି ଆମକୁ ବାହାରେ ଅନେକ ଉଡ଼ିୟା ବୋଲି ବଙ୍ଗାଳୀଙ୍କ ଉଚ୍ଚାରଣରୁ ଜାଣୁଥିଲେ। କାରଣ, ଆମ ନିମାପଡ଼ା, ଅସ୍ତରଙ୍ଗ, କାକଟପୁର, ଭୋଗରାଇର ପାନ ବାହାରେ କଲକତିପାନ୍ ହୋଇ ବିକ୍ରୀ ହୁଏ। ଆମେ କେବେ ବି ଏ ବିଷୟରେ ଆପତ୍ତି ଉଠାଇନେ। ସୁଭାଷଙ୍କୁ ଛାଡ଼- ଜୟଦେବ, ରସଗୋଲା ବି ତାଙ୍କର ହୋଇଗଲା। ସେମାନେ ରସଗୋଲା ଜିଆଇ ଟ୍ୟାଗ୍ ନେବା ପରେ ଆମେ ପାଇଲେ। ମୁଗାମ୍ବୋ ଖୁସ୍ ହୁଆ। ରସଗୋଲା ବିବାଦ ଥମ ହୋଇଗଲା। ଜୟଦେବ ଏଯାଏ କୁହୁଳୁଛନ୍ତି।
ମୁଁ ଭୂମିଷ୍ଠ ପ୍ରଣାମ କରୁଛି କିଂବଦନ୍ତୀ କଥାକାର ଶାନ୍ତନୁ ଆଚାର୍ଯ୍ୟଙ୍କୁ ଯେ କି ତାଙ୍କ ‘ଅନୋମାର କନ୍ୟା’ରେ ବୁଦ୍ଧଦେବଙ୍କ କପିଳବାସ୍ତୁ, ପୁରୀର କପିଳେଶ୍ୱରପୁର ବୋଲି ପ୍ରତିପାଦିତ କରିବାକୁ ପ୍ରାଣପଣେ ଅଣ୍ଟା ଭିଡ଼ିଛନ୍ତି। ଆମେ କିନ୍ତୁ ଓଡ଼ିଆ ହୋଇ ଓଠ ନେଫେଡ଼େଇ କହୁଛେ: ମୋର ଟିକେ ଓଡ଼ିଆ ଭଲ ହୁଏନି ତ…ସେ ତିନିଟା ଶ ଷ ସ ମୁଁ ଜାଣିପାରେନି କି ବନାନ ବି ଠିକ୍‌ସେ ଜାଣିପାରେନି। ହି ହି ହି।
ଛାଡ଼ନ୍ତୁ଼:୧୯୩୬ରେ ଭାଷାଭିତ୍ତିକ ପ୍ରଦେଶ ଗଠନ ହେବା ପରେ ଓଡ଼ିଶା ବି ଅନେକକାଳ ବ୍ରିଟିଶିଆ ଓ ବଙ୍ଗାଳିଆ ହୋଇ ବିକଳାଙ୍ଗ ରହିଗଲା। ଓରିଶା, ଉଡ଼ିଶା ଏବେ ବି ଚମକୁଚି ଜୋକରଟୋପି ପିନ୍ଧି…
ଆମ ଓଡ଼ିଶାର ନାମକରଣ ବିଷୟରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ କ’ଣ କୁହେ ଦେଖନ୍ତୁ: ଗ୍ରୀକରେ ‘ଓରୁଜା’ର ଅର୍ଥ ଚାଉଳ ଏବଂ ଗ୍ରୀକ୍‌? ଭାଷାକୁ ଏହା ପ୍ରାଚ୍ୟରୁ ଯାଇଛି ବୋଲି ପ୍ରମାଣ ରହିଛି। ସେହି ସୂତ୍ରରେ ଗ୍ରୀକ ଓରୁଜାକୁ ନେଇ ‘ଓରିଟିସ୍‌’ ବା ‘ଓର’ ହେଲା ଚାଉଳ ଉତ୍ପାଦନକାରୀ ବା ଭାତକୁ ମୁଖ୍ୟ ଭୋଜନ ଭାବରେ ଗ୍ରହଣ କରିଥିବା ଜାତିର ଲୋକ ସମୂହ। ଏଥିରୁ ଅନୁମାନ କରାଯାଏ ଯେ, ଓଡ଼ିଆପାଇଁ ନିର୍ଦ୍ଦିଷ୍ଟ ଭାବେ ଓରିଟିସ୍ ଶବ୍ଦ ବ୍ୟବହାର କରାଯାଇଛି। ନବମ ଓ ଦଶମ ଶତାବ୍ଦୀର ଦୁଇଜଣ ମଧ୍ୟଏସିଆର ଭୌଗୋଳିକ ଇବନ୍ ଖୁର୍ଦ୍ଦାଦଭି ଓ ହାଦୁଦ୍ ଅଲ୍ ଆଲାନ ଓଡ଼ିଶାକୁ ‘ଉର୍ସିନ’ ବା ‘ଉର୍ସଫିନ’ ବୋଲି ଉଲ୍ଲେଖ କରିଛନ୍ତି। ଏକାଦଶ ଶତାବ୍ଦୀରେ ଆଲବେରୁନି ତାଙ୍କ ପ୍ରସିଦ୍ଧ ପୁସ୍ତକ ‘ଇଣ୍‌ତିଆ’ରେ ଓଡ଼ିଶାକୁ ‘ଉର୍ଦ୍ଦାବିଶାଉ’ ବୋଲି ଲେଖିଛନ୍ତି, ଯାହାକୁ ସଂସ୍କୃତ ‘ଓଡ୍ର ବିଷୟ’ ବା ଓଡ୍ର ପ୍ରଦେଶର ଅପଭ୍ରଂଶ ଭାବରେ ଗ୍ରହଣ କରାଯାଏ। ପ୍ରଥମ ଥର ପାଇଁ ସ୍ପଷ୍ଟ ଶବ୍ଦରେ ଚତୁର୍ଦ୍ଦଶ ଶତାବ୍ଦୀରେ ସାମ୍‌ସଇ ସିରାଜ ଅଫିପ ନାମକ ଜଣେ ମୁସଲିମ୍ ଲେଖକ ଯାଜନଗର ଉଡ଼ିଶା କ୍ଷେତ୍ରର ନାମୋଲ୍ଲେଖ କରିଛନ୍ତି। ସେହି ସମୟରେ ସୀମାଚଳମର ଏକ ଶିଳାଲେଖରେ “ଓଡ୍ୟାଦେଶ’ ନାମର ଉଲ୍ଲେଖ ରହିଛି। ‘ଓଡିଶା’, ‘ଓଡ଼ିଶା ରାଷ୍ଟ୍ର’, ତଥା ‘ଓଡ଼ିଶା ରାଜ୍ୟ’ ଆଦି ନାମର ବ୍ୟବହାର ଗଜପତି ରାଜା କପିଳେନ୍ଦ୍ରଦେବ ପଞ୍ଚଦଶ ଶତାବ୍ଦୀର ଆଦ୍ୟ ଭାଗରେ କରିଛନ୍ତି। ଏହା ପରେ ଉଭୟ ସରକାରୀ ନଥିପତ୍ରରେ ତଥା ଲୌକିକ ସ୍ତରରେ ‘ଓଡ଼ିଶା’ ନାମ ଲୋକପ୍ରିୟ ହୋଇଛି। ଓଡ଼ିଆ ମହାଭାରତର ରଚୟିତା ସାରଳା ଦାସ ମଧ୍ୟ ତାଙ୍କ ରଚନାରେ ଓଡ଼ିଶା ରାଷ୍ଟ୍ର ବା ‘ଓଡ଼ରାଷ୍ଟ୍ର’ର ଉଲ୍ଲେଖ କରିଛନ୍ତି। ଏଥିରୁ ଗୋଟିଏ କଥା ସାବ୍ୟସ୍ତ ହୁଏ ଯେ, ଅନ୍ତତଃ ମଧ୍ୟକାଳରୁ ବା ହୋଇପାରେ ପ୍ରାଚୀନ କାଳରୁ, ଆଜି ଓଡ଼ିଶା ନାମରେ ଖ୍ୟାତ ଅଞ୍ଚଳକୁ ତଥା ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ‘ଉଡ୍ର’, ‘ଓର’ ଆଦି ନାମରେ ଲୋକ ଜାଣୁଥିଲେ। ସମୟ କ୍ରମେ ଅର୍ଥାତ୍‌, ଆଧୁନିକ କାଳରେ ଏହି ନାମକୁ ମହତ୍ତ୍ୱ ମିଳିଲା, କାରଣ ଏହାର ମୁଖ୍ୟ ଆଧାର ହେଲା ଭାଷା- ଯାହା ‘କଳିଙ୍ଗ’ ବା ‘ଉତ୍କଳ’ ନାମରେ ନ ଥିଲା।
ଦ୍ରଶନ କରିବା କାହାକୁ?
ଅତଏବ ଯେଉଁ ଓଡ଼ିଆ ଭାଷା ପାଇଁ ଆମେ ଓଡ଼ିଶା ପାଇଛେ, ସେ ଉଡି଼ଶ୍ୟା, ଉଡ଼ିଶା ହେବ କାହିଁକି? ଆପଣମାନେ ଜାଣିଥିବେ ଯେ ପ୍ରଫେସର କଇଳାଶ ପଟ୍ଟନାୟକ ତାଙ୍କ ପିତୃଦତ୍ତ ନାମକୁ ପ୍ରାଧାନ୍ୟ ଦେଇ କୈଳାସ ନଲେଖି କଇଳାସ ହିଁ ଲେଖନ୍ତି। ସେମିତି ସାଲବେଗଙ୍କ ଭଜନରେ “ଦ୍ରଶନ କରିବା କାହାକୁ’ ଶବ୍ଦକୁ ‘ଦର୍ଶନ କରିବା’ କହି ବୋଲି ପାରିବେନି ବୋଲି ବିଶିଷ୍ଟ କିଂବଦନ୍ତୀ ପୁରୁଷ ସଂଗୀତସମ୍ରାଟ ଅକ୍ଷୟ ମହାନ୍ତି ଶ୍ରୋତାଗଣଙ୍କୁ ରୋକଠୋକ ମନା କରି ଦେଇଛନ୍ତି। ସନ୍ଥ ରାମଦାସଙ୍କ କୃତ୍ୟ “ଦାର୍ଢ଼୍ୟତାଭକ୍ତି’ ରସାମୃତ ବୈୟାକରଣିକଙ୍କ ଦୃଷ୍ଟିରୁ ଦୋଷଯୁକ୍ତ ଶବ୍ଦ ହେଲେ ମଧ୍ୟ କବିଙ୍କୁ ସମ୍ମାନ ଜଣାଇ ଏହି ନାମକୁ ଅକ୍ଷୁର୍ଣ୍ଣ ରଖାଯାଇଛି। ବଡ଼ ଦୁର୍ଭାଗ୍ୟ ଯେ ଆମର ଏହି ଶୁଦ୍ଧ ନାମଟିକୁ ବଡ଼ ବଡ଼ ଲୋକ ଆମ କାନରେ ସୋଲ ଭର୍ତ୍ତି କରି ଅଶୁଦ୍ଧ କରି ଏବେ ବି କହୁଛନ୍ତି, ଅଥଚ ଆମେ ଆଦୌ ପ୍ରତିକ୍ରିୟା ଦେଖାଉନେ।
ଦେଖନ୍ତୁ ତ୍ରିଭେନ୍ଦ୍ରମ ହେଲା ତିରୁବାନନ୍ତପୁରମ୍‌, ମାନ୍ଦ୍ରାଜ ହେଲା ଚେନ୍ନାଇ, ବମ୍ବେ ହେଲା ମୁମ୍ବାଇ, କିନ୍ତୁ ଆମେ ଏବେ ବି ଲେଖିଲୁ, କହିଲୁ ବାଲାଶୋର। ହଁ’ ଥରେ ଜଣେ ସଚେତନ ମଣିଷଠୁ ମୁଁ ଠୋକର ଖାଇଥିଲି ବରହମପୁର କହି। ସେ ମୋତେ ସ୍ପଷ୍ଟ କହିଥିଲେ କୁହନ୍ତୁ ‘ବ୍ରହ୍ମପୁର’। ମୁଁ ଆଉ ଭୁଲରେ କାହା ଆଗରେ ଏମିତି କହୁନି ସେଦିନଠୁ। ଭାଇ ଆପଣ ଦକ୍ଷିଣୋଡ଼ିଶା ଯାଆନ୍ତୁ, ସେଠି ଯେଡ଼େ ଯେଡ଼େ ଶିକ୍ଷିତ ଜ୍ଞାନୀ ଥାଆନ୍ତୁ ପଛେ ସେ ତାଙ୍କ ଆଞ୍ଚଳିକ ଭାଷା ବୋଲି ମୋଟେ ଛାଡ଼ିବେନି। ପଶ୍ଚିମ ଓ ଉତ୍ତର କଥା ବି ସେଇଆ। କିନ୍ତୁ ଦଳେ ପୂବେଇ ଓ ବିଶେଷ କରି ରାଜଧାନୀଆ ବହିଭାଷା ସହିତ ହିଙ୍ଗେ୍ଲାଡିଆ ଛୁଙ୍କେଇ ଏମିତି ଆମ ଭାଷାକୁ ବିଜାରିଆ କୁଆଖଣ୍ଡିଆ କରିଦେବେ ଯେ ଋଷି ବାଳ ଛିଣ୍ଡେଇ ମରିବ।
ଯଥା: ମୋର ସେଠିକି ଥୋଡ଼ିନା ଯିବା ଜରୁରତ୍ ପଡ଼ିଚି। ଲିଟରାଲି ସ୍ପିକିଂ ମୁଁ ଫ୍ୟାକ୍ଟର ବଡ଼ ଫ୍ୟାନ୍।
ଯା ଭମାଳୁ ଥା…
ଏମାନଙ୍କ ପାଇଁ ଉଡ଼ିଶା, ଉଡ଼ିଶ୍ୟା ବା ଓରିସା କିଛି ଫରକ ପଡ଼ିବ କି ଭାଇ??
ବହୁ ଡେରିରେ ଇଂରାଜୀରେ ଉଚ୍ଚାରିତ ଆମ ରାଜ୍ୟର ନାମ ‘ଓରିଶା’, ‘ଓଡ଼ିଶା’ ଓ ଆମ ଭାଷାର ଇଂରାଜୀ ଉଚ୍ଚାରଣ ‘ଓରିଆ’ ‘ଓଡ଼ିଆ’ ହୋଇଛି। ଆମ ସଂବିଧାନରେ ଆମ ରାଜ୍ୟର ନାମ ହିନ୍ଦୀରେ ଆଗରୁ ‘ଉଡ଼ିଶା’ ଲେଖା ହୋଇଥିଲା। ତାହା ମଧ୍ୟ ବଦଳିଯାଇ ‘ଓଡ଼ିଶା’ ହୋଇଛି। ଓଡ଼ିଶା, ଓଡ଼ିଆ- ଏହି ଜାତୀୟ ସ୍ୱୀକୃତି ବିଲ୍‌ଟି। ମହାମାନ୍ୟା ରାଷ୍ଟ୍ରପତି ଶ୍ରୀମତୀ ପ୍ରତିଭାଦେବୀ ସିଂହ ପାଟିଲଙ୍କ ଅନୁମୋଦନ ଲାଭକରି ଆଇନରେ ପରିଣତ ହୋଇଛି। ଏ ସଂପର୍କିତ ଭାରତ ସରକାରଙ୍କ ଗେଜେଟ ନୋଟିଫିକେସନ୍ ପ୍ରକାଶ ପାଇଛି ୪.୧୧.୨୦୧୧ ତାରିଖରେ। ଏହି ବିଜ୍ଞପ୍ତି ଫଳରେ ୧-୧୧-୨୦୧୧ ତାରିଖଠାରୁ ଏହି ସଂଶୋଧିତ ନାମ ସାରା ଦେଶରେ କାର୍ଯ୍ୟକାରୀ ହୋଇଛି।
ଏହି ନାମ ପରିବର୍ତ୍ତନରେ ଓଡ଼ିଶାବାସୀ କାଳେ ଆନନ୍ଦରେ ବିଭୋର ହୋଇଯାଇଥିଲେ ବୋଲି ‘ନୂତନ ଓଡ଼ିଶା’ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କର ପ୍ରଥମ ପତ୍ର ତତ୍କାଳୀନ ରାଷ୍ଟ୍ରପତି ମାନନୀୟା ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ୍‌ଙ୍କ ଉଦ୍ଦେଶ୍ୟରେ ଲେଖି ରାଜ୍ୟବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟସାରା ଲୋକେ ଏହି ଖୁସିରେ ସାମିଲ ହେବାପାଇଁ ମୁଖ୍ୟମନ୍ତ୍ରୀ ୫-୧୧-୨୦୧୧ ତାରିଖ ଶନିବାର ଦିନଟିକୁ ଛୁଟି ଘୋଷଣା କରିିଥିଲେ।

ଭଉଣୀ ନୁହେଁ ସିଷ୍ଟର୍‌
ଆଉ ଗୋଟିଏ ପ୍ରସଙ୍ଗ ଏଠାରେ ନ ଲେଖିଲେ ମୋ ମନ ମୋଟେ ଶାନ୍ତ ହେବନାହିଁ। ମୁଁ ପଢ଼ାଉଥିବା ଅନୁଷ୍ଠାନର ଜଣେ ଛାତ୍ରୀ ତା’ର ଜଣେ ସାଙ୍ଗ ସହିତ ଅନୁଷ୍ଠାନକୁ ଆସିଥାଏ। ତାର ସେ ସାଙ୍ଗ ସହିତ କି ସମ୍ପର୍କ ବୋଲି ପଚାରିବାରୁ ସେ ‘ସିଷ୍ଟର’ ବୋଲି କହିଲା। ଏ ସିଷ୍ଟର ଓ ସାର୍ ସମ୍ବୋଧନ ବର୍ତ୍ତମାନ ଭାରି ଗୋଳିଆମୋଳିଆ ହୋଇଗଲାଣି। ସିଷ୍ଟର କହିଲେ ପ୍ରାୟ ଆମେ ଡାକ୍ତରଖାନାର ଚିକିତ୍ସା ସହାୟିକାଙ୍କୁ ତତ୍‌କ୍ଷଣାତ ବୁଝିଯାଇଥାଉ। ମୋ ଦୃଷ୍ଟିରେ ଭଉଣୀ ସମ୍ବୋଧନର ସାରବତ୍ତା ଏହାଠାରୁ ଢେର୍ ଅଧିକ। ଏଣୁ, ମୁଁ ଏହି ପରିଚୟ ଶୁଣି ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ। ଆମେ ତ ଭାଷାଜନନୀ ପାଇଁ କିଛି ବି କରିପାରିଲେନି, ଅନ୍ତତଃ ମା’ର ଭାଷାକୁ କ’ଣ ଟିକିଏ ସମ୍ମାନ ଦେଇପାରିବାନି?
ମୁଁ ଟିକିଏ ତାଗିଦ କରି କହିଲି: ଭଉଣୀ କହୁନୁ ଝିଅ।
ସେ ଝିଅଟି ପିନ୍ଧିଥିଲା ଗୋଟିଏ ଛୋଟ ପୋଷାକ ଉପରେ ଅଧାଜାକେଟ। ସେଦିନ ଶିକ୍ଷାଦାନ ନ ଥିଲା ବୋଲି ଏକକ ପରିଧାନ ଛାଡ଼ି ଏହି ପୋଷାକରେ ଆସିଥିଲା ବୋଧହୁଏ। କାରଣ, ସାଧୁ ବନିବା ବା ଶୃଙ୍ଖଳିତ ହେବାର ଯନ୍ତ୍ରଣା ଆଜିକାଲି ଛୁଏ ବେଶ ଅଙ୍ଗେ ନିଭେଇଛନ୍ତି। କଥାକଥାକେ ବଡ଼ଙ୍କୁ ମୁହେଁ ମୁହେଁ ଉତ୍ତର, ସେମାନଙ୍କ ଆଗରେ ଉଚ୍ଚସ୍ୱରରେ କଥାଭାଷା ଓ ପ୍ରତିକ୍ରିୟାଶୀଳତା ବୋଧହୁଏ ଆମର ମାଖନମରା ନାଭିକୀୟ ପରିବାରର ବିରାଟ ଅବଦାନ। ଆଗରୁ ପରିବାର ନିୟନ୍ତ୍ରଣ ଡାକରା ଥିଲା: ତିନୋଟି ସନ୍ତାନ ଯଥେଷ୍ଟ। ତା’ପରେ ହେଲା:ଆମେ ଦୁଇ ଆମର ଦୁଇ। ଏବେ ଚାଲିଛି:ଆମେ ଦୁଇ ଆମର ଏକ।
ଆଉ କେତେଦିନ ପରେ ପୃଥିବୀ ଅପତ୍ୟଶୂନ୍ୟ ହୋଇଯିବ। ନାରା ଆସିବ: ଆମେ ଦୁଇ ଆମର ନାହିଁ।
ଏଠି ଆମ ଛଡ଼ା ଆଉ କେହି ନାହିଁ। ଜେଜେ, ଜେଜୀ, ଦାଦା, ଖୁଡ଼ୀ, ବଡ଼ବାପା, ବଡ଼ବୋଉ, ଭାଇ, ଭଉଣୀରେ ଗହଗହ ନନ୍ଦ କହ୍ନେଇର ସମୂହ ପରିଚର୍ଚ୍ଚା ଆଉ କାହିଁ?
ଏଠି ଶିଶୁଙ୍କ ସାଥୀ ଯନ୍ତ୍ର। ସେ ମଥା କେତେ ସହିବ କହୁନ। ଚିଡ଼ିଚିଡ଼ାପଣ, ଅସୌଜନ୍ୟ ବ୍ୟବହାର ଛଡ଼ା ଏଥିରୁ ଉତ୍ତର ପିଢ଼ିଙ୍କଠାରୁ ଆମେ କ’ଣ ଆଶା କରିବା!
ଖାଲି ପଢ଼, ପଢ଼। ରୋଜଗାର କର କୁଢ଼କୁଢ଼। ବିଦେଶ ଯାଅ। ଖଟ। ପଶୁ ପାଲଟ। ନାଇଁ ନାଇଁ ଭୁଲ କହିଲି। ପଶୁଙ୍କ ସଂଗଠନ ଓ ଶୃଙ୍ଖଳା ଢେର। ପିମ୍ପୁଡ଼ି ଦଳାଚକଟାରେ ମରେନି। ମଣିଷ ଭିଡ଼ା କାମୁଡ଼ା ଠେଲାପେଲାରେ ଲହୁଲୁହାଣ ହୁଏ। ତଥାପି କିଛି ଶିଖି ନ ଥାଏ କି ଶିଖୁ ବି ନ ଥାଏ। ବାପମା’ ଦେଶରେ ପଡ଼। ମର। ସଢ଼।
ଖାଉଥା’ ଇଟାପଥର। ଚାଟୁଥା ହାମୁଡ଼େଇ ସୁନିର୍ମିତ, ସୁସଜ୍ଜିତ ବଙ୍ଗଳା। ସେପଟେ ଆଗଟା ସୁଦୁଲଙ୍ଗଳା। ଆମେ ସେତେବେଳେ ହେଙ୍ଗଳା ଥିଲେ ସତ, ମେରିରେ ବନ୍ଧା ହୋଇ ବେଙ୍ଗଳା ବି ବୁଲୁଥିଲେ। ଗଲା ଶବୁ।
ପିଲାଟି ମୋର ଏଭଳି ପରାମର୍ଶ ବା ତାଗିଦକୁ ସାମାନ୍ୟ ଖାତିର କଲା ନାହିଁ। କହିଲା: ହେଃ! ଓଡ଼ିଆକୁ କିଏ ପଚାରେ!
ମୋ ଦେହରେ ରାଗ ଚରିଗଲା।
ସବୁଠାରୁ କୌତୂହଳ କଥାଟି ହେଲା, ସେ ଇଂରାଜୀର ସବୁତକ ବର୍ଣ୍ଣ ମଧ୍ୟ ଠିକ ଭାବେ କହିପାରୁ ନ ଥିଲା। ମୁଁ ଆହୁରି ବିସ୍ମିତ ହେଲି, ଯେତେବେଳେ ଶୁଣିଲି କି ତା’ର ବାପାଙ୍କର ଆର୍ଥିକ ଅବସ୍ଥା ଅତି ଦୁର୍ବଳ ଥିଲା। ସେ ହୁଏତ ସ୍ୱପ୍ନ ଦେଖୁଥିବ ଗୋଟିଏ ଓଡ଼ିଆ ବିଦ୍ୱେଷୀ ବିଦେଶୀ ଶାବକର ଅଭିଭାବକ ବନିବାର ରାଜସୁଖ ପାଇବା ପାଇଁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

ଇଂରାଜୀ

3 thoughts on “ଓରିସା-ଉଡ଼ିଶା-ଓଡ଼ିଶା

  1. ଡ.ଗୋପାଳକୃଷ୍ଣ ଆଚାର୍ଯ୍ୟଙ୍କ ଲେଖାଟି ଅତ୍ୟନ୍ତ ଚମତ୍କାର ହୋଇଛି; କିନ୍ତୁ ଆମର ଆଜିକାଲି ପାଠପଢ଼ୁଆ ପିଲାମାନଙ୍କର ସ୍ଥିତି ଯାହା ଏହି ଲେଖା ସେମାନଙ୍କ ପାଇଁ ଦିନରେ ଲଣ୍ଠନ ଦେଖାଇବା ଭଳି କଥା। ସେ ଯାହାହେଉ ଡ. ଆଚାର୍ଯ୍ୟ ଯେଉଁ ପ୍ରସଙ୍ଗଟି ଉଠାଇଛନ୍ତି ତାହା ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ଏହାର ଗୁରୁତ୍ୱ ମଧ୍ୟ ରହିଛି। ସବୁଠାରୁ ବଡ଼କଥା ହେଉଛି ଇଂରାଜୀରେ ଆମ ରାଜ୍ୟର ନାମ ଓରିଶାରୁ ଓଡ଼ିଶା ସିନା ହୋଇଛି, କିନ୍ତୁ ଏବେ ମଧ୍ୟ ଅନେକ ସରକାରୀ ନଥିପତ୍ର , ବିଶେଷ କରି ଅନ୍‌ଲାଇନ ବ୍ୟବସ୍ଥାରେ ଓରିଶା ବା Orissa ପ୍ରଚଳିତ ରହିଛି। ଏ ସମ୍ପର୍କରେ ଆମର ଜନପ୍ରିୟ ଓ ଲୋକପ୍ରିୟ ତଥା ବିଭିନ୍ନ ଭାବରେ ରେକର୍ଡର ଅଧିକାରୀ ଆମ ମୁଖ୍ୟମନ୍ତ୍ରୀ କିମ୍ବା ତାଙ୍କର କାର୍ଯ୍ୟାଳୟ ଜାଣିଛନ୍ତି କି ନାହିଁ, ମୁଁ ଜାଣିନାହିଁ। ଏଠାରେ ଗୋଟେ କଥା ଲେଖିଲେ ଉଚିତ ହେବ ଯେ, ଗତ ମାସରେ ଓଡ଼ିଶାରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ୱ ଓଡ଼ିଆ ସମ୍ମିଳନୀ (ସରକାରୀ ଭାବେ) କେତେ ସଫଳ ବା ବିଫଳ ତାହା ଲୋକେ କହିବେ, କିନ୍ତୁ ଏହାଦ୍ୱାରା ବିଭିନ୍ନ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସହିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବେଶ୍‌ ଖୁସି ହୋଇଥିବାର ଜଣାପଡ଼ୁଛି। ସରକାରୀ କଳ ଓ ସରକାରୀ ଦଳ ଯେଉଁଥିପାଇଁ ଏହି ସମ୍ମିଳନୀ କରିଥିଲେ ତାହା ସଫଳ କି ବିଫଳ ମୁଁ ଜାଣିନାହିଁ, କିନ୍ତୁ ଏହି ସମ୍ମିଳନୀ ନିର୍ବାଚନ ବୈତରଣୀ ପାରି ପାଇଁ ଏକ ଭଲ ବ୍ୟବସ୍ଥା ବୋଲି ମୋର ମତ। ଶେଷରେ ପଦେ – ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟଭାବେ ଗର୍ବିତ ଆମେ ଓଡ଼ିଆମାନେ ବାରମ୍ବାର ଲଜ୍ଜିତ ହେଉଛନ୍ତି ନିଜ ଭାଷାର ଅପମାନ ପାଇଁ, ଏହା ଆଉ କେତେଦିନ ଚାଲିବ ?

  2. ଖାଣ୍ଟି ଓଡ଼ିଆ କଥା,ହୃଦୟ କୁ ଛୁଇଁଛି।ଅତି ସରଳ ଓ ପ୍ରାଞ୍ଜଳ ଭାବରେ ଅନୁଭୂତି,ଇତିହାସ, ଓଡିଆ ଙ୍କ ହାବ ଭାବ ପଢ଼ି ଖୁସୀ ଅନୁଭବ ହେଉଛି। ଲେଖକଙ୍କୁ ହୃଦୟ ରୁ ଆନ୍ତରିକତା ସହ ଧନ୍ୟବାଦ

  3. ବହୁତ ସୁନ୍ଦର ଆଲେଖ୍ୟ |

Leave a Reply

Your email address will not be published. Required fields are marked *