ଦହନ ନୁହେଁ ତୁ ଦୁହିତା

ଏତେ ଗର୍ବ ଭାବ କାହିଁକି ଧରିଛୁ, ଝିଅ ମାଆ ବୋଲି ଜାଣିଥା।

ଡ. ଚପଳା ପଣ୍ଡା

କେତେ ତୁ ସହିବୁ ସହୁଥା
ଯାବତୀୟ ଦୁଃଖ ପାଉଥା
ଦିନ ରାତି ଖଟି ମରୁଥା
ଢୋକେ ପିଇ ଦଣ୍ଡେ ଜିଇଁଥା
ଲୁଣ ଆମ୍ବୁଲର ନିରୋଳା ପାଣିରେ
ଭୋକିଲା ପେଟକୁ ଭରୁଥା।

ଦୁଇ କୁଳ ଗୁଣ ଗାଉଥା
ଚୁଡ଼ା ପରି ଖାଲି ଫୁଲୁଥା
ଆଶାକୁ ଭରସା କରିଥା
ସଫଳତା ଭାବ ବାନ୍ଧୁଥା
କାହା ପାଇଁ କଣ କରିଛୁ କରିବୁ
ଜୀବନେ ହିସାବ ରଖିଥା।

ଅହଲ୍ୟା ପଣକୁ ମଣ୍ଡିଥା
ଛାତିକୁ ପଥର କରିଥା
ପ୍ରାରବ୍ଧ କର୍ମକୁ ଭୁଞ୍ଜୁଥା
ମରଣ ପଞ୍ଜିକା ଖୋଜୁଥା
ଚୋର ମାଆ ପରି କବାଟ କଣରେ
ଲୁଚି ଲୁଚି ଲୁହ ଢାଳୁଥା।

ସର୍ବସଂହା ମନ୍ତ୍ର ଭଜୁଥା
ନାରୀ ଜନ୍ମ ଧିକ କହୁଥା
ଆଗକୁ ପଛକୁ ଧାଉଁଥା
ଅଧ ରାତି ଯାଏଁ ଚେଉଁଥା
ଏତେ ଗର୍ବ ଭାବ କାହିଁକି ଧରିଛୁ
ଝିଅ ମାଆ ବୋଲି ଜାଣିଥା।

ଶୁଖିଲା ଓଠକୁ ଚାଟୁଥା
ପାନ ଖିଲ ରଙ୍ଗ ମାଖୁଥା
ସିନ୍ଦୂର କଜଳ ନାଉଥା
ଶଙ୍ଖା ଝୁଣ୍ଟିଆକୁ ପିନ୍ଧିଥା
ଧାଇଁ ଧାଇଁ ଦିନେ କଲୁରୀ ବେଣ୍ଟରେ
ଯାବତୀୟ ଅଠା ଜାଣିଥା।

ଝାଳୁଆ ମୁହଁକୁ ପୋଛୁଥା
ଫଟା ଗୋଇଠିକୁ ଘଷୁଥା
ପାଉଡର ସ୍ନୋ’ ବୋଳୁଥା
ଦର୍ପଣରେ ମୁହଁ ଦେଖୁଥା
ଅହ୍ୟ ସୁଲକ୍ଷଣୀ ବୋଲାଇବା ପାଇଁ
ଜଗା ଶୂନ୍ୟ ପାଦ ଭଜୁଥା।

ଏତିକି କଥା ତୁ ଶୁଣିଥା
ଦହନ ନୁହେଁ ତୁ ଦୁହିତା
ଭଗ୍ନାଂଶ ନୁହେଁ ତୁ ପୂର୍ଣ୍ଣତା
ମନ ପାଇଁ ମନୁ ସଂହିତା
ତୋ ପାଇଁ ପରା ଲୋ ସଂସାର ଅଚଳ
ବୁଝିବା ପଣରେ ହେଜୁଥା।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪ ସଂଖ୍ୟାରେ ପ୍ରକାଶିତ । )

2 thoughts on “ଦହନ ନୁହେଁ ତୁ ଦୁହିତା

    1. ସତରେ କ’ଣ ନାରୀ ଟିଏ ଜନ୍ମ ନେଇଥାଏ , ସାରା ଜୀବନ ଜଳି ଜଳି ମରିବାକୁ, ହେଲେ ଏ ସବୁର ଅନ୍ତ କେବେ……
      ବହୁତ ସୁନ୍ଦର

Leave a Reply

Your email address will not be published. Required fields are marked *