“କେତେ ପ୍ରଶ୍ନ ମାଟି ଭିତରୁ ଫଣା ଟେକୁଥିବେ?” ଚଳିତ ବର୍ଷ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରରେ ସମ୍ମାନିତ କବି ଆଶୁତୋଷ ପରିଡ଼ାଙ୍କର ଏକ ହୃଦୟସ୍ପର୍ଶୀ କବିତା।
କିଏ ଉଷୁମ ନିଦରେ ଶୋଇଥିବ
କିଏ ମୁହଁରେ ତୁଣ୍ଡି ବାନ୍ଧି ବସିଥିବ
କିଏ ହୁସିଆର ହୋଇ ଗଣୁଥୁବ
ପଦପାତର ଦୂରତ୍ଵ
କିଏ ପାଗଳ ହୋଇ କାଟୁଥିବ
ନିଜେ ନିଜର ହାତ ।
କେତେ ପ୍ରଶ୍ନ ମାଟି ଭିତରୁ
ଫଣା ଟେକୁଥିବେ
କେତେ ବିଷାଦ ଜଳି ଜଳି
ବାଷ୍ପ ହେଉଥିବେ
କେତେ କାହାଣୀ
ପୁରୁଣା ହୋଇ ଖତ ଖାଉଥିବେ
କେତେ ଇମାରତ
ନିଜ ଓଜନରେ ଭାଙ୍ଗି ପଡୁଥିବେ ।
ତଥାପି କିଏ ଧାଉଁଥିବ
ଶତ୍ରୁ ସହିତ ଚୁକ୍ତି କରିବାକୁ
କିଏ ଆସୁଥିବ
ମୃତ୍ୟୁ ସହିତ ଯୁକ୍ତି କରିବାକୁ
କିଏ ଗୋଡକୁ ଟାଣୁଥିବ ପଛରୁ
କିଏ ଫେରାର ହେଉଥିବ
ହସ କାନ୍ଦର ଅଗଣାରୁ
କିଏ ଧାରେ ରକ୍ତର ଦଉଡିରେ
ବାନ୍ଧିବାକୁ ଯାଉଥିବ ଜହ୍ନକୁ
କିଏ କୂଳରେ ଠିଆ ହୋଇ ଭାବୁଥିବ
ଡେଇଁବ କି ନ ଡେଇଁବ ନଈକୁ ।
ପାଦରେ କଣ୍ଟା ଫୁଟୁଥିବ
ମଥାରେ ଫାଟ ଦିଶୁଥିବ
ପ୍ରତିଦିନ ଗୋଟେ ସ୍ଵପ୍ନ ପାଖରେ
ମାନିବାକୁ ଥିବ ପରାଜୟ
ଗୋଟେ ଅକ୍ଷର ଡେଣା ଛିଡାଇ
ଶୂନ୍ୟରୁ ଖସି ପଡୁଥିବ ।
ବିନା କ୍ରମରେ ଆସୁଥିବେ
ମୌନ ସକାଳ
ମୁଖର ଦୁଃଖ
ଗଛରୁ ଝରିଥିବା ପତ୍ର
ଇତିହାସ ପାଲଟିଥିବା କ୍ଷତ,
କବିତାକୁ ହଜାଇ ଦେଇଥିବା
କାକୁସ୍ଥ କବି ।
କେଉଁଠି ଖୋଜି ହେବ ସମ୍ପର୍କ ?
କିଏ ଜାଣେ
ଏତେ ସବୁ ଅଡୁଆ କଥା ଭିତରେ
କେଉଁଠି କିଛି ସମ୍ପର୍କ
ଥିବ କି ନଥିବ !
କବିଙ୍କୁ କୋଟିଏ ନମସ୍କାର ।
ତାଂକର ଏଇ ଶବ୍ଦକୁ ନେଇ କହିବି, ପ୍ରାୟତଃ ‘ମୌନ ସକାଳ’କୁ ‘ମୁଖର’ ଯାହା ହଠାତ୍ କରିଦେଇପାରେ – ତା’ ବି ଖୁବ୍ ସହଜରେ – ତା’ କେବଳ କବିତା ହିଁ ହେଇପାରେ ।।
ମୂଳକଥା ସବୁବେଳେ ନିଶ୍ଚେ କବିତା,
ଅନ୍ଯ ସବୁ କିଛି, ଅନାବନା ଗପ ।।
ଧାରେ ରକ୍ତର ଦଉଡ଼ିରେ ଜହ୍ନକୁ ବାନ୍ଧିବା –
କିଏ ଥାଉ କି ନଥାଉ
କବିଟିଏ ନିଶ୍ଚିତଭାବେ ବସିଛି
ଅଶ୍ରୁନଦୀର ତୀରେ
ବାନ୍ଧିବାକୁ ପବନର ବନ୍ଧ ।
ଚମତ୍କାର….
ପ୍ରକୃତରେ କବିଙ୍କ ଲେଖା ଆଜି ସାମ୍ପ୍ରତିକ ସମୟରେ ଦେଖିବାକୁ ମିଳିଛି । ସମ୍ପର୍କ କେବଳ କାଗଜ କଲମ ବା ବ୍ୟବସ୍ଥା ଭିତରେ ରହିଥିବା ଏକ ଶବ୍ଦ ହୋଇ ରହିଛି। ଧନ୍ୟବାଦ କବି ମହୋଦୟ।
VERY NICE POEM . A RARE INSTANCE OF UNIQUE PRESENTATION .