“ଅଭୟ ଦାଶ ଶୃଙ୍ଗାର ରସ ବିଷୟକ ନିଜର ପୁସ୍ତକଟି ଉନ୍ମୋଚନ କରାଇଦେଇ ଚାହିଁ ରହିଛି କିଏ ଖଣ୍ଡେ କିଣିନେବ ଅବା !”
![](https://www.sahityacharcha.com/wp-content/uploads/2023/03/Abhaya-Dash-1004.jpg)
ଶୃଙ୍ଗାର, ବୀର, ବୀଭତ୍ସ, ହାସ୍ୟ, କରୁଣ ଓ ଭୟଂକର ହେଉଛନ୍ତି ଷଡ଼ରସ। ଅଭୟ ଦାଶ ଓରଫ ସ୍ବାମୀ ଅଭୟାନନ୍ଦର କାହିଁକି ସିଆଡ଼କୁ ମନ ଗଲା ସେଇ ଏକା ଜାଣେ। ରିସର୍ଚ୍ଚିଆ ମୁଣ୍ଡଟା ତ ସେଥିପାଇଁ ସେଆଡ଼କୁ ମାଡ଼ିଯାଇଛି। କଥା କଣ କି,ଏ ବାବାଜିଗୁଡାକ ଘରସଂସାର ନକଲେ ମଧ୍ୟ ସମାଜକୁ ବିଭିନ୍ନ ରାସ୍ତା ଦେଖାଇବାକୁ ନିଜର କର୍ତ୍ତବ୍ୟ ମନେ କରିଆସିଛନ୍ତି ଯୁଗେ ଯୁଗେ।
ଆମର ବିଜ୍ଞାନ ସହ ପ୍ରଥମ ପରିଚୟରେ ଜି ଜେ ମେଣ୍ଡେଲ୍ ଙ୍କ ନାମ ଶୁଣିବାକୁ ମିଳିଲା। ମଟର ଗଛ ସହ ବ୍ରିଡିଂ, କ୍ରସ୍ ବ୍ରିଡିଂ ପରୀକ୍ଷଣ ଆରମ୍ଭ କରି ମେଣ୍ଡେଲିଆନ୍ ଥିଓରି ଅଫ୍ ଜେନେଟିକ୍ସ୍ ଦେଇଗଲେ। ଶୃଙ୍ଗାର ମଣିଷର ଆଦିମ ପ୍ରବୃତ୍ତି, ଏ କଥା ସମସ୍ତେ ଜାଣି, ଅନୁଭବ କରି ମଧ୍ୟ ଲୁଚାଇ ରଖନ୍ତି। ଛି! ଅସଭ୍ୟ କଥା! କହନ୍ତି ଅନେକ।
![](https://www.sahityacharcha.com/wp-content/uploads/2023/12/Sringar-Ras-4.jpg)
ମନସ୍ତତ୍ତ୍ୱବିତମାନେ ସେକଥା ସିଗ୍ମଣ୍ଡ୍ ଫ୍ରୟେଡଙ୍କ ଉପରେ ଛାଡ଼ିଦେଇ ପାଣ୍ଡିତ୍ୟ ବଖାଣନ୍ତି। ଏ କଥା “ବଡ଼ ମାୟାବୀ ଜୀବ ନୁହେଁ କାହାରି”ର କବି ଯଶୋବନ୍ତ ଦାସ ମହାପ୍ରଭୁ ଲେଖିଥିଲେ, “ପନ୍ଦର ବରଷେ ହେଲୁ ଅମରମତା, କୋଡ଼ିଏ ବରଷେ କଲୁ କାମିନୀ ଚିନ୍ତା”! ଅବଶ୍ୟ ସେ ଗୃହସ୍ଥାଶ୍ରମରେ ବିଶ୍ବାସ ରଖିଥିବା ଜଣାଯାଏ।
ବିଦେଶୀ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରିୟବୃତ୍ତି ଥିଲା ସ୍ବାନ-ପ୍ରଜନନ ବା ଡଗ୍-ବ୍ରିଡିଂ। ସେମାନଙ୍କ ନାମରେ ବିଦେଶୀ କୁକୁରମାନଙ୍କ ନାମକରଣ ହୋଇଥିବା ଶୁଣାଯାଏ। ଯଥା ଡୋଭରମ୍ୟାନ୍, ସେଣ୍ଟ ବାର୍ଣାଡ୍, ଆଦି। ଥାଇଲ୍ୟାଣ୍ଡ୍ ବୁଦ୍ଧ ଧର୍ମ ପାଗୋଡ଼ାରେ ଧର୍ମାଧିକାରୀ ବା ଭିକ୍ଷୁମାନେ ବ୍ୟାଘ୍ର ପ୍ରଜନନ କରୁଥିବା ଦେଖା ଯାଇଥିଲା, ଯାହା କୌଣସି କାରଣରୁ ବନ୍ଦ କରିଦିଆଗଲା ।
ଆଉ ଜଣେ ସନ୍ଥ ବା ସେଣ୍ଟ୍ , ବର୍ତ୍ତମାନ ଯୁବସମାଜରେ ବହୁଚର୍ଚ୍ଚିତ। ସିଏ ହେଲେ ବହୁବିବାଦିତ, ତୃତୀୟ ଶତାବ୍ଦୀର ରୋମୀୟ ସାଧୁ ସେଣ୍ଟ୍ ଭାଲେଣ୍ଟାଇନ୍। ଯାହାଙ୍କୁ ନେଇ ଯୁବକ ଓ ଅଧାଡୁଆମାନଙ୍କ ମଧ୍ୟରେ ସମସ୍ୟାଗତ ଝଗଡା, ଯେଉଁଥିରେ ଆର୍ଚିସ୍ କମ୍ପାନୀ ବହୁ ଅୟୁତ ବା ମଲ୍ଟିମିଲିୟନ ଡଲାର ରୋଜଗାର କରନ୍ତି। ପ୍ରତିବର୍ଷ ଫେବୃଆରୀ ଆସିଲାନି ଯେ, କାଳ ଆସିଲା। ସହରର ଯେତେ ପାର୍କ, ସବୁଠେଇଁ ପୁଲିସ୍ ତୈନାତ ! ମଟର ସାଇକେଲରୁ ଓହ୍ଲେଇଲା ବେଳକୁ, ପୁଲିସ୍ ଦି ପାହାର ଦେବ ! ଓ ହୋ ! ଶଳା ବୁଢାମାନେ, ଶାନ୍ତିରେ ବସେଇ ଦେବେ ନାହିଁ! ବିତର୍କ ଯେ, ସଂସ୍କୃତି, କଲଚର୍, କେତେ କଣ? ନିଜ ଯୁବାବସ୍ଥା ଭୁଲିଗଲେ ଯେପରି। ଏଗୁଡ଼ା ସେମିତି ରହିଥିବେ ! ଚଟୁ ଆଇଁଷ, ବେଣ୍ଟ ନିରାମିଷ।
ଧର୍ମ ଆଡ଼କୁ ଜମା ଯିବା କଥା ନୁହେଁ। ବାର ଝାମେଲା ! ଘରକୁ ପଥର ମାରିବେ, ଗାଡ଼ି କାଚ ଭାଙ୍ଗିବେ, ଫୋନରେ ଗାଳି ଧମକ; ଛାଡ଼ ସେ କଥା।
ବାତ୍ସାୟନ ଋଷି ଦେଇଗଲେ ଅନବଦ୍ୟ କାମସୂତ୍ର। କେତେ ଭାଷାରେ ଅନୁବାଦ ହୋଇଛି। ବିଶ୍ୱ ଦରବାରରେ ଭାରତକୁ ପରିଚୟ ଦେଇଛି। ତାହା ଉପରେ ଆଧାରିତ ଭେଷଜ ଶାସ୍ତ୍ରରେ କାମୋଦ୍ଦୀପକ ଅଉଷଧ ‘ଆଫ୍ରୋଡିସିଆକ୍’ର ସୃଷ୍ଟି ହୋଇଛି । ସେ ଓଷଦ ସବୁ ରଜା ମହାରାଜାମାନଙ୍କର ବହୁତ ଦରକାର ପଡୁଥିଲା। ସେଥିପାଇଁ ତାଙ୍କର ବୈଦ୍ୟମାନେ ପୋଷାହୋଇ ରହୁଥିଲେ। ଆପଣ ନିଜେ ଭାବିଦେଖିଲେ ! ଅନେଶ୍ୱତ ଶହେ ରାଣୀ, ଗୋଟାଏ ରଜା; ଏ ଓଷଦ ବିନା ଚଳିବ କେମିତି? ଆମେ ମନକୁ କହୁନାହୁଁ, ଆପଣ ‘ଦିୱାନ୍ ଜର୍ମନୀ ଦାସ କୃତ ମହାରାଜା’ ପୁସ୍ତକ ଦେଖିପାରନ୍ତି! ସାହାଜାହାନଙ୍କ ପତ୍ନୀ ମମତାଜ ମହଲ ବହୁତ ସୁନ୍ଦର ଥିବାରୁ, ରିପିଟେଡ୍ ଚାଇଲଡ୍ ବାର୍ଥ, ବାରଂବାର ପ୍ରସବ ପୀଡା, ରକ୍ତହାନି ଓ ରକ୍ତହୀନତା ରୋଗରେ ମୃତ୍ୟୁବରଣ କରିଥିଲେ। ସେ କଣ ଗୋଟାଏ ନା ଦୁଇଟା? ଗଣି ଗଣିକରି ଅଠର। ଅଠର ଆଜ୍ଞା, ଆମ କଥା ଯଦି ମିଛ, ‘ଅଙ୍କୁଶ୍ ଫର୍ ଆନ୍ ଏଲିଫ୍ୟାଣ୍ଟ୍’ ପଢ଼ନ୍ତୁ।
ଏତେ ବଡ଼ କବି କାଳିଦାସ। “କାବ୍ୟେଷୁ ମାଘଃ କବି କାଳିଦାସଃ”! ଜୀବନ ବିତିଗଲା ବେଶ୍ୟାଳୟରେ। ଦେଇଗଲେ , “ଶୃଙ୍ଗାର ତିଳକମ୍ କାବ୍ୟ”! କବି ଭର୍ତ୍ତୃହରି ବିକ୍ରମାଦିତ୍ୟଙ୍କ ବଂଶଧର ଲେଖିଗଲେ ଅମରୁଶତକଂ। ଭକ୍ତ କବି ବଳରାମ ଦାସ, ପରବର୍ତ୍ତୀ ସମୟରେ ଗୋପାଳ ପ୍ରହରାଜ, ବୈଷ୍ଣବ ପାଣି ଥିଲେ ବେଶ୍ୟାସକ୍ତ। ସାହିତ୍ୟ, ନାଟକ, ଭକ୍ତି ମାର୍ଗର ନମ୍ବର ଏକ୍ ଥିଲେ ସେମାନେ। ଏପରି ଆହୁରି ଅନେକ ଥିବେ ଯେଉଁମାନଙ୍କ ଜନଗଣନା ବା ସେନସସ୍ ହୋଇନାହିଁ।
ସେଇ ଲୁକ୍କାୟିତ ପ୍ରତିଭାମାନଙ୍କ ଆବଶ୍ୟକତା ମେଣ୍ଟାଇବାକୁ, ସ୍ବାମୀ ଅଭୟାନନ୍ଦ ଲେଖିଲା ,”ଶୃଙ୍ଗାର ରତ୍ନାବଳୀ” ! ଭାବିଥିଲା, ମାଲାମାଲ୍ ହୋଇଯିବ। ବହୁତ ଲୋକ କିଣିବେ! ଯେଉଁଠି ଗୋଟିଏ ରାଜ୍ୟର ବିଧାନସଭାରେ ମୁଖ୍ୟମନ୍ତ୍ରୀ ନାନା ଠାରରେ ଯୌନଶିକ୍ଷା ଦିଅନ୍ତି , ଦୁଇଟି ସାପଙ୍କର ମ୍ୟାଟିଂ ଗେମ୍ ବା ଯୌନମୁଦ୍ରା ଦେଖି ଲୋକେ ପଇସା ପକାନ୍ତି, ଆଉ କୁକୁରଙ୍କୁ ଟେକା ମାରନ୍ତି, କଣ କହିବା ସେମାନଙ୍କୁ? ଗୋଟାଏ ରିସ୍କ ନେବା କଥା। ନେବାକୁ ତ ହେବ ! ନହେଲେ, କିଏ ପଚାରିବ?
ଯେଉଁ ଦେଶରେ ମନ୍ଦିର ଗାତ୍ରରେ ପଥର କଥା କହେ କାମସୂତ୍ରର, ଅଜନ୍ତା ଏଲୋରାର ଚିତ୍ର ଭଣେ ସେହି ଶାଶ୍ବତ ଶୃଙ୍ଗାର ରସ, ଯେଉଁଠି ଆଦିକବି ବାଲ୍ମୀକିଙ୍କ ଲେଖନୀ ଲେଖିଥିଲା, “ଯତ୍ କ୍ରୌଞ୍ଚ ମିଥୁନାଦେକମ୍ ଅବଧୀଃ କାମମୋହିତମ୍”! ଅଭୟ ଦାଶ ଶୃଙ୍ଗାର ରସ ବିଷୟକ ନିଜର ପୁସ୍ତକଟି ଉନ୍ମୋଚନ କରାଇଦେଇ ଚାହିଁ ରହିଛି କିଏ ଖଣ୍ଡେ କିଣିନେବ ଅବା! ପୁସ୍ତକବିକ୍ରେତା ପଇସା ଦେବାକୁ ଚାହାନ୍ତି ନାହିଁ। ଯିଏ ଯୁଆଡ଼େ ଖାଇପିଇଦେଇ ଗଲେ। କେହି ଲେଉଟି ଆସି ବହି ଖଣ୍ଡେ ନେଇ ନାହାନ୍ତି। ଅଭୟ ଦାଶ ବସି ମୁଣ୍ଡରେ ହାତ ବାଡେଇ କହୁଥାଏ ,”ଶ୍ୟଃ, ଅଣପୁରୁଷାଗୁଡା ! କଣ ବୁଝିବେ ଶୃଙ୍ଗାର ରସ?”
ଚମତ୍କାର ଲେଖା। ପଢ଼ିଲାବେଳେ ମନରେ ବିଭିନ୍ନ ପ୍ରକାର ଭାବ ଜାଗ୍ରତ ହେଲା। ‘ଚଟୁ ଆଇଁଷ ବେଣ୍ଟ ନିରାମିଷ’ ପଢ଼ି ହସରୋଳ ଉଠି ଆସିଲା ବେଳକୁ ବଳରାମ ଦାସ, ଗୋପାଳ ପ୍ରହରାଜ ଇତ୍ୟାଦିଙ୍କ ସଉକ ବିଷୟରେ ଶୁଣି ମୁଁ ଚମକି ପଡ଼ିଲି। ସେଣ୍ଟ ବର୍ନାଡ ଠାରୁ ନୀତିଶ କୁମାର ପର୍ଯ୍ୟନ୍ତ ଏତେ ପାତ୍ର ଅତି ସୁନ୍ଦର ଭାବରେ ଗୁନ୍ଥି ହେଇଛନ୍ତି।