ଅତୁଲ୍ୟ ଶ୍ରୀଜଗନ୍ନାଥ

ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅନୁଭବର ଦେବତା। ତା’ଙ୍କ ତତ୍ତ୍ୱର ଗଭୀରତା ଅମାପ; ଭାବ ଅପରିସୀମ। ସେଥିପାଇଁ କୁହାଯାଏ, ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର। ଏହି ଅନୁଭବ ଓ ଭକ୍ତିର ମାଧ୍ୟମ ଦେଇ ଆମ ସମସ୍ତଙ୍କ ପାଇଁ ଜଗନ୍ନାଥାୟନର ପଥକୁ ସୁଗମ କରିଦେଇଛନ୍ତି ସୁପରିଚିତ ଲେଖକ, ଗବେଷକ ତଥା ପ୍ରକାଶକ ପୀତବାସ ରାଉତରାୟ। କେବଳ ବର୍ଷେ କିମ୍ବା ଦୁଇବର୍ଷ ନୁହେଁ, ୨୦୦୬ ମସିହାରୁ ଦୀର୍ଘ ବହୁ ବର୍ଷ ଧରି ଅନବରତ ଭାବେ ଓଡିଆ ପାଠକଙ୍କ ସମକ୍ଷରେ ସେ ପ୍ରସ୍ତୁତ କରିଆସିଛନ୍ତି ଅନୁଭବୀ ଲେଖକମାନଙ୍କ ଦ୍ୱାରା ରଚିତ ଶ୍ରୀଜଗନ୍ନାଥଙ୍କ ସଂପର୍କିତ ଅନୁଭୂତିମାନଙ୍କର ଉଚ୍ଚକୋଟୀର ପ୍ରତିବେଦନ। ଏହି କ୍ରମରେ ଚଳିତ ବର୍ଷ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରକାଶ ପାଇଛି, ଏହି ଶୃଂଖଳର ୨୨ତମ ପ୍ରସ୍ତୁତି, ‘ଅତୁଲ୍ୟ ଶ୍ରୀଜଗନ୍ନାଥ’।
୭୯୧ ପୃଷ୍ଠା ବିଶିଷ୍ଟ ଏହି ସଂକଳନଟିରେ ସ୍ଥାନିତ ହୋଇଛି ୧୫୫ଗୋଟି ଜଗନ୍ନାଥ-ମନସ୍କ ରଚନା। ସନ୍ନିବେଶିତ ଲେଖାଗୁଡିକୁ ‘ପ୍ରତିଭା ପ୍ରଣାମ’, ‘ବାଇଶି ପାହାଚରେ ବାଇଶିଟି ଅନ୍ତରଙ୍ଗ ଅନୁଭୂତି’, ‘ଶ୍ରୀକ୍ଷେତ୍ର ବାହାରେ ଜଗନ୍ନାଥ ପୂଜନ’ ଓ ‘ଶ୍ରୀମନ୍ଦିର କରିକ୍ରମା’ ଆଦି ବିଭିନ୍ନ ପର୍ଯ୍ୟାୟରେ ବର୍ଗୀକୃତ କରାଯାଇଛି। ଏଥିରେ ଚଳିତ ବର୍ଷ ପଦ୍ମ ପୁରସ୍କାରରେ ସମ୍ମାନିତ ହୋଇଥିବା ଦୁଇଜଣ ପ୍ରତିଭାଧରଙ୍କ ସହ ସାକ୍ଷାତକାର ମଧ୍ୟ ଅନ୍ତର୍ଭୁକ୍ତ। ସୂଚୀପତ୍ରରେ ସ୍ଥାନ ପାଇଥିବା ଶିରୋନାମାଗୁଡିକରୁ ହିଁ ଝଲସିଯାଏ ସଂପୃକ୍ତ ରଚନାଗୁଡିକର ନିଆରା ଅନ୍ତଃସ୍ୱର; ଯେମିତି, ‘ଅନନ୍ୟ ସେ ଆଖି, ଅନନ୍ୟ ସେ ରୂପ’ (ସୀତାକାନ୍ତ ମହାପାତ୍ର), ‘ସେ କଳା ଲୋକଟି କିଏ?’ (ସୌମ୍ୟରଂଜନ ପଟ୍ଟନାୟକ), ‘ଏ ସର୍ବ ତୋହରି ରଚନା’ (ଗୌରହରି ଦାସ), ‘ଭାବ ଓ ଭାବନାର ନୀଳ ଢେଉ’ (କିରଣବାଳା ରଥ), ‘ସାଆନ୍ତଙ୍କୁ ଚିଟାଉ’ (ବନଜ ଦେବୀ), ‘ଗର୍ବଗଂଜନ ଜଗନ୍ନାଥ’ (ଜୟନ୍ତୀ ରଥ), ଓ ‘କେତେ ଯେ ଲୀଳା ତୁମର’ (ଜୟାଶୀଷ ରାୟ) ଆଦି।
ଚଳିତ ବର୍ଷ ପ୍ରକାଶିତ ହୋଇଥିବା ସଂକଳନଟିର ବିଶେଷତ୍ୱ ହେଲା, ଏଥିରେ ଅନ୍ତର୍ଭୁକ୍ତ ଶ୍ରୀମନ୍ଦିରର ସପ୍ତ ବିଗ୍ରହଙ୍କ ସହ ଭିତର ବେଢ଼ା ଓ ବାହାର ବେଢାର ସମସ୍ତ ଦେବଦେବୀଙ୍କ ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା। ଅନ୍ୟତମ ଆକର୍ଷଣ ହେଉଛି, ‘ବାଇଶିଟି ପାହାଚରେ ବାଇଶିଟି ଅନ୍ତରଙ୍ଗ ଅନୁଭୂତିର ବୟାନ’। ଏହି ବର୍ଗରେ ବଦ୍ରି ମିଶ୍ର, ଇନ୍ଦ୍ରମଣି ଜେନା, ପର୍ଶୁରାମ ଦ୍ୱିବେଦୀ, ଭାବଗ୍ରାହୀ ବଳ ଓ ଦୀପାବଳି ଦାଶ ପ୍ରମୁଖ ୨୨ ଜଣ ଲେଖକ ବାଇଶି ପାହାଚ ସହିତ ଜଡିତ ନିଜର ଦିବ୍ୟ ଅନୁଭୂତିମାନ ଉପସ୍ଥାପନ କରିଛନ୍ତି।
ଆଲୋଚ୍ୟ ସଂକଳନର ପୃଷ୍ଠାଗୁଡ଼ିକର ଶୋଭା ବର୍ଦ୍ଧନ କରିଛି ପ୍ରଖ୍ୟାତ ଚିତ୍ରଗୁରୁ ବଳଦେବ ମହାରଥାଙ୍କ ଦ୍ୱାରା ଅଙ୍କିତ ଶ୍ରୀଜଗନ୍ନାଥଙ୍କର ବିବିଧ ଭାବର ପ୍ରସ୍ତୁତି।
ନିୟମିତ ଭାବରେ ପ୍ରକାଶ ପାଉଥିବା ଏହି ସଂକଳନଟି ବର୍ଷକୁ ବର୍ଷ ପୃଥୁଳକାୟ ହୋଇଚାଲିଥିବା ଲକ୍ଷ୍ୟ କରାଯାଏ। ମନେ ହୁଏ, ଏଥି ମଧ୍ୟରୁ କେତେକ ସୁନିର୍ବାଚିତ ଲେଖାକୁ ନେଇ ଏହାର ପୃଷ୍ଠା ସଂଖ୍ୟା ବୋଧହୁଏ ଟିକିଏ ହ୍ରାସ କରାଯାଇ ପାରିଥାନ୍ତା। କାରଣ ଆଜିକାଲିର ବ୍ୟସ୍ତ ଜୀବନଯାତ୍ରାରେ ଭାରାକ୍ରାନ୍ତ ପାଠକ ନିଜ ପାଖରେ ଉପଲବ୍ଧ ଥିବା ସୀମିତ ସମୟ ମଧ୍ୟରେ ଏଭଳି ବୃହତ୍ ଆକାରର ଗ୍ରନ୍ଥଟିଏ ପଢି ସେଥିର ସବୁତକ ରଚନା ପ୍ରତି ନ୍ୟାୟ କରିପାରିବା କଷ୍ଟସାଧ୍ୟ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅଗଷ୍ଟ, ୨୦୨୩ ସଂଖ୍ୟାରେ ପ୍ରକାଶିତ । ) 

Leave a Reply

Your email address will not be published. Required fields are marked *