“ଦୋଳି ଖେଳୁଛି ମୋ ଗୋରୀ / ବାରିରୁ ତୋଳିଲି ଏତକ ଚେରୀଲୋ / ଜହ୍ନ ହସେ କିରିକିରି ।”

ସାତ ସମୁଦର ଡେଇଁ
ଓଡ଼ିଆ ପରବ ଆଣିଛି ନେଇଲୋ
ଦୋଳିରେ ଝୁଲିବା ପାଇଁ
ଟରୋଣ୍ଟରୁ ମୁଁ ଡାକୁଛି
ବରଷକେ ଥରେ ରଜ ଆସିଛିଲୋ
ମଉଜ ଏଠି ଚାଲିଛି।
ଟରୋଣ୍ଟୋ ଗାଁ’ର କଥା
ଭଉଣୀ ଆଣିଛି ମୋ ପୋଡ଼ପିଠାଲୋ
ମନ ହୃଦ ମିଠା ମିଠା

ନାଲି ଯେ କଇଁଚ କୋଳି
ଚେଁ ଚାଁ ହେଲା ବିରି ଚକୁଳିଲୋ
ଖାଇଲୁ ସଭିଏଁ ମିଳି
ଟମାଟୋ ଖଜୁରୀ ଖଟା
ଚକୁଳି ସାଙ୍ଗରେ ମାଉଁସ କସାଲୋ
ସାଥୀରେ କ୍ଷୀରି କି ମିଠା
ବନସ୍ତରେ ବାଟ ବଣା
ବେସର କଲି ମୁଁ ସାଇବଚଣାଲୋ
ଖାଇଲେ ଗିନାକୁ ଗିନା
ଭାଇମୋ ରାନ୍ଧିଲା ମାଂସ
ସୁଆଦ ପାଟିକୁ ଯେସନେ ରସଲୋ
କହିବି ମୁଁ ଆଉ କିସ
ଡାଳକୁ ଡିଏଁ ମାଙ୍କଡ଼
ତେଲରେ ଭାଜିଲି କଷି କାଙ୍କଡ଼ଲୋ
ସାଥେ ଶତାବରୀ ନାଡ଼
ଆଣିଲା ପୁଞ୍ଜାଏ ପାନ
ବିଡ଼ିଆ ମିଠାରେ ସୁବାସ ତେଲଲୋ
ପାକୁଳେଇଗଲେ ଜନ
ରଜ ପାନଖିଲ ମିଠା
ବାରିରେ କାଟିଛି ନାଲିପାନ ମୁଁ ଲୋ
ବସି ହେବା ସେଠି କଥା
ଏପଟେ ଶେଷ ଏ ରଜ
ସେପଟେ ଯାଉଛି ପଶ୍ଚିମେ ସୂର୍ଯ୍ୟଲୋ
କାଲି ପାଇଁ ହେବ ସଜ
ଦୁଇପଦ ପଢ଼ି ଲେଖେ
ବାରିରେ ଖେଳୁଛି ସୂରୁଯ ଦେଖେଲୋ
ସବୁଜ ଘାସ ପରଖେ
ସୂରୁଯ ଯାଉଛି କହି
ଓଡ଼ିଆ ସଭିଏଁ ଭଉଣୀ ଭାଇଲୋ
ଓଡ଼ିଶାକୁ ହୃଦେ ବହି
ଆକାଶରେ ଜହ୍ନତାରା
ବିଛାଇ ହୋଇଛି ସବୁଜ ସାରାଲୋ
ଦିବ୍ୟ ଏଇ ଆମ ଧରା

ଦୋଳି ଖେଳୁଛି ମୋ ଗୋରୀ
ବାରିରୁ ତୋଳିଲି ଏତକ ଚେରୀଲୋ
ଜହ୍ନ ହସେ କିରିକିରି
ଅଛି ଆକାଶ ପୃଥିବୀ
ଏମାନଙ୍କ ସହ ମୁଁ ରହିଥିବି ଲୋ
କେବେ ଏଠି ମିଶିଯିବି
ଖୁବ୍ ସୁନ୍ଦର ଲେଖା।
ଅତି ସୁନ୍ଦର ଉପସ୍ଥାପନା।