ଆକାଶ ପରି ବ୍ୟାପ୍ତ ମସ୍ତିଷ୍କର ଠାଏ ଠାଏ ମନ ମେଘ ପରି ଅଟକିଯାଇ ରସ ବର୍ଷା କରାଏ।
‘ରସ’ ର ବୈଜ୍ଞାନିକ ଅର୍ଥ ହେଉଛି ନିର୍ଯାସ, ଅର୍ଥାତ୍ କୌଣସି ବସ୍ତୁର ସାରାଂଶ। ସେହି କ୍ରମରେ ରସ ହେଉଛି ଅନୁଭବର ଅର୍କ, ଆବେଗର ଆଲେଖ୍ୟ ଏବଂ ଭାବର ଭାସ୍କର୍ଯ୍ୟ। ତେଣୁ ସାହିତ୍ୟରେ ‘ରସ’ ହେଉଛି ତା’ର ଆତ୍ମା – ସର୍ଜନାବୃତ୍ତର କଳାମୟ କେନ୍ଦ୍ର। ପ୍ରେମ ଓ ଅନୁରାଗ ଯଦି ପଦ୍ମ ହୋଇ ନ ଫୁଟିଲା କବିତାରେ, ସେ କି କବିତା? ଦୁଃଖ ଓ ଯନ୍ତ୍ରଣା ଯଦି ଜୁଇ ହୋଇ ନ ଜଳିଲା କାହାଣୀରେ, ତେବେ ସେ କି କାହାଣୀ? ପ୍ରଜ୍ଞା ଓ ପିପାସା ଯଦି ପ୍ରସ୍ଫୁଟିତ ନ ହେଲା ପ୍ରବନ୍ଧରେ, ତେବେ ସେ କି ପ୍ରବନ୍ଧ? ବସ୍ତୁତଃ ପାଣିଚିଆ ଲାଗୁଥିବା ବିଷୟକୁ ବହଳ କରିବା, ଫିକା ଫିକା ଦିଶୁଥିବା ଦୃଶ୍ୟକୁ ଗାଢ଼ କରିଦେବା ଏବଂ ମିଞ୍ଜିମିଞ୍ଜି ଅନୁଭବକୁ ଆଲୋକିତ କରିଦେବା ହେଉଛି ରସର କାର୍ଯ୍ୟ। ତାହାହେଲେ ଯାଇ ବିଷୟକୁ ଠିକ୍ ଭାବରେ ବୁଝିହେବ, ଦେଖିହେବ ଏବଂ ଚିହ୍ନି ହେବ। ଭାବ ଯେତେ ରସୋତୀର୍ଣ୍ଣ ହେବ, ସୃଷ୍ଟି ସେତେ ସ୍ପଷ୍ଟ, ସମୃଦ୍ଧ ଓ ବୋଧଗମ୍ୟ ହେବ। ରଚନା ଯେତେ ସାବଲୀଳ ଓ ହୃଦୟସ୍ପର୍ଶୀ ହେବ, ସାହିତ୍ୟ ସେତେ ପାଠକୀୟ ଶ୍ରଦ୍ଧା ଓ ସମ୍ମାନ ଲାଭ କରିବ। ଏହା ହିଁ ନିରୂପଣ କରିବ କବିତାର ଆୟୁଷ, ଗଳ୍ପର ସ୍ଥାୟିତ୍ୱ ଏବଂ ନିବନ୍ଧର ନିଃଶ୍ୱାସ। ଏଣୁ ରସର ସାର୍ବଭୌମତ୍ୱକୁ ସାହିତ୍ୟରେ ସ୍ୱୀକାର କରାଯାଇଛି।
ଇତର ପ୍ରାଣୀମାନେ ମଧ୍ୟ ରସର ଚମତ୍କାରିତା ଅନୁଭବ କରନ୍ତି ନିଜ ଭିତରେ। ମାତ୍ର ତାହା ଆହାର-ବିହାର-ଭୟ-ମୈଥୁନ ଭିତରେ ସୀମାବଦ୍ଧ। ଜୀବନ ଯେତେବେଳେ ଉଚ୍ଚ ମାଧ୍ୟମର (ମଣିଷ) ଶରୀରରେ ବିଚରଣ କରେ, ସେତେବେଳେ ଶରୀର ପାଲଟିଯାଏ ଏକ ମନୋରମ ରଙ୍ଗମଞ୍ଚ। ମସ୍ତିଷ୍କ ହୁଏ ଆକାଶ, ମନ ହୁଏ ମେଘ ଏବଂ ବିଜୁଳି ହୁଏ ଆବେଗ। ଆଉ ଏହି ବିଭୋର ଉତ୍ସବରେ ଭିନ୍ନ ଭିନ୍ନ ଅନୁଭବ, ଯେଉଁ ଭାବର ପରିବେଷଣ କରନ୍ତି ତାହା ହୁଏ ରସର ବର୍ଣ୍ଣାଳି। ରସ ଉତ୍ପତ୍ତି ହୁଏ ସେତେବେଳେ, ଯେତେବେଳେ ଯୁକ୍ତ ଏବଂ ବିଯୁକ୍ତାତ୍ମକ ଭାବସତ୍ତା ସାନ୍ଦ୍ରରୁ ସାନ୍ଦ୍ରତର ହୋଇ ଗୁମ୍ଫିତ ହୋଇଯାନ୍ତି ଭାସମାନ ମନରେ। ମନ ସେଗୁଡ଼ିକୁ ଅଧିକ ସମୟ ଧରି ରଖିପାରନ୍ତା ନାହିଁ ଯଦି ମସ୍ତିଷ୍କରେ ସେମାନଙ୍କ ପାଇଁ ଖୋଲା କାନ୍ଭାସ୍ ନ ଥାଆନ୍ତା। ସେମାନଙ୍କୁ ଯଥାଯଥ ରୂପରେ ଆଙ୍କିପାରନ୍ତା ନାହିଁ ଯଦି ପରିମିତ ପରିମାଣରେ ହରମୋନ୍ର ତୂଳୀ ନ ଥାନ୍ତା। ସେମାନଙ୍କୁ ଠିକ୍ ଢଙ୍ଗରେ ରଙ୍ଗେଇ ପାରନ୍ତା ନାହିଁ ଯଦି ଉପଯୁକ୍ତ ସ୍ନାୟବିକ ସଙ୍କେତର ନିର୍ଦ୍ଦେଶ ନ ମିଳନ୍ତା। ବସ୍ତୁତଃ ‘ରସ’ ସୃଷ୍ଟିର ପୃଷ୍ଠଭୂମିରେ ରହିଛି ନାନାବିଧ ଜୈବିକ ପ୍ରକ୍ରିୟା। ତେଣୁ ସାହିତ୍ୟ, ସଙ୍ଗୀତ ଓ ଚିତ୍ରରେ ରସ ସମ୍ଭାର ଘଟିଲା ବେଳେ କବି, ଶିଳ୍ପୀ ଓ ଚିତ୍ରକର ନିଜ ଅଜାଣତରେ ସେହି ବୈଜ୍ଞାନିକ ସତ୍ୟରେ ସ୍ନାନ କରି ସାରିଥାନ୍ତି। ବିଦଗ୍ଧ ଦର୍ଶକ, ଶ୍ରଦ୍ଧାଶୀଳ ଶ୍ରୋତା ଏବଂ ତନ୍ମୟ ପାଠକ ମଧ୍ୟ ଆପେ ଆପେ ସେହିପରି ଏକ ରାସାୟନିକ ରଙ୍ଗମଞ୍ଚକୁ ପ୍ରବେଶ କରନ୍ତି। ଲେଖକ ଓ ପାଠକଙ୍କ ମଧ୍ୟରେ ଯେଉଁ ସମ୍ପର୍କର ସେତୁଟି ସ୍ଥାପିତ ହୁଏ, ତାହା ଏକ ରାସାୟନିକ ବନ୍ଧନ ଛଡ଼ା ଆଉ କିଛି ନୁହେଁ।
ଭିନ୍ନ ଭିନ୍ନ ଆବେଗ ପାଇଁ ମସ୍ତିଷ୍କରେ ରହିଛି ପୃଥକ୍ ପୃଥକ୍ କେନ୍ଦ୍ର। ସେମାନଙ୍କ ନିର୍ଦ୍ଦେଶରେ କ୍ଷରିତ ହୁଏ ଅଲଗା ଅଲଗା ନ୍ୟୁରୋଟ୍ରାନ୍ସ୍ମିଟର। ସେମାନେ ସଂଜ୍ଞାବାହୀ ଓ ଆଜ୍ଞାବାହୀ ସ୍ନାୟୁ ସହିତ ଯୋଗସୂତ୍ର ରକ୍ଷାକରି ବିଦ୍ୟୁତ୍ ଚୁମ୍ବକୀୟ ସଙ୍କେତ ମାଧ୍ୟମରେ ଆବେଗରେ ପୂର୍ତ୍ତି ଆଣନ୍ତି। ପୂର୍ତ୍ତିର ଚରମ ମୁହୂର୍ତ୍ତରେ ପ୍ରକାଶ ପାଏ ଭୟ, କ୍ରୋଧ, ଘୃଣା, ପ୍ରେମ ଇତ୍ୟାଦି।
ମାତ୍ର ଇନ୍ଦ୍ରଧନୁର ମହିମାରେ ସମ୍ମୋହିତ ମାନବ ଜାଣିପାରେ ନାହିଁ ଯେ ସେ ବର୍ଣ୍ଣୋତ୍ସବର ବିନ୍ଧାଣି। କାରଣ ସେତେବେଳେ ସେ ବନ୍ଦୀ ହୋଇ ସାରିଥାଏ ଆନନ୍ଦର ଅଣସର ଘରେ। ଜଳକଣାରେ ପ୍ରତିସରିତ ରହସ୍ୟମୟ ରଶ୍ମି ପରି ଶରୀରରେ ପ୍ରତି କୋଷରୁ ବିଚ୍ଛୁରିତ ହେଉଥିବା ଅବିଭୂତ ଐଶ୍ୱର୍ଯ୍ୟକୁ ବୁଝିବାର ସ୍ଥିତିରେ ସେ ନ ଥାଏ।
ସଂଚରଣଶୀଳ ଜଳଦ ହିଁ ସଂଗ୍ରହ କରିପାରେ ଧୂଳିକଣା ଏବଂ ସଂଚୟ କରିପାରେ ଜଳବିନ୍ଦୁ। ମନ ନିମିତ୍ତ କଳ୍ପନା ହେଉଛି ଧୂଳି ଏବଂ ଜଳ ହେଉଛି ଚିନ୍ତା। କଳ୍ପନା ଓ ଚିନ୍ତାରେ ମେଦୁରିତ ମନ କେବଳ ସୃଜିପାରେ ରସର ଶ୍ରାବଣ। ତାହା କୁଣ୍ଡାଝଡ଼ା ଫିସ୍ ଫିସ୍ ଜଳ ପରି ଜକେଇପାରେ ଚର୍ମକୁ, ଝିପିଝିପି ବାରି ପରି ଭିଜେଇପାରେ ଦେହକୁ ଏବଂ ମୂଷଳ ବର୍ଷା ପରି ପ୍ଳାବିତ କରିପାରେ ଅଷ୍ଟାଙ୍ଗ। ମାତ୍ର ଭାବନାର ନାଭିଚକ୍ର ମନନ ଓ ମମତାରେ ମନୋଜ୍ଞ ନ ହେଲା ଯାଏ ତାହା ଆନନ୍ଦର ଆଭା ପ୍ରାପ୍ତ ହୁଏ ନାହିଁ। ସ୍ୱଚ୍ଛତା ହି ସମ୍ମୋହନର ସୂତ୍ର।
ରସଚର୍ଯ୍ୟାର ପ୍ରମୁଖ ପୀଠ
ସମଗ୍ର ମସ୍ତିଷ୍କ ପ୍ରତ୍ୟେକ ରସଚର୍ଯ୍ୟାରେ ଅଂଶଗ୍ରହଣ କରେ ନାହିଁ। ଆକାଶ ପରି ବ୍ୟାପ୍ତ ମସ୍ତିଷ୍କର ଠାଏ ଠାଏ ମନ ମେଘ ପରି ଅଟକିଯାଇ ରସ ବର୍ଷା କରାଏ। ତେଣୁ ଗୋଟିଏ ଅଞ୍ଚଳ ରସସ୍ନାତ ହେଲାବେଳେ ଅନ୍ୟ ସ୍ଥାନ ରହିପାରେ ବୃଷ୍ଟିଛାୟା ଅଞ୍ଚଳ ପରି ଶୁଷ୍କ। ପୁଣି ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣୀ ଓ ପୁଷ୍କର ଭେଦରେ ସେମାନେ ଝରାଇ ପାରନ୍ତି ହାସ୍ୟ, କରୁଣ, ଶୃଙ୍ଗାର କି ବୀରତ୍ୱର ବର୍ଷା।
କିଛି ସ୍ନାୟୁପୁଞ୍ଜ ଏକତ୍ର ହୋଇ ଗଠନ କରନ୍ତି ରସର ସ୍ଥାୟୀ ରଙ୍ଗମଞ୍ଚ। ସେଠାରେ ବର୍ଷ ସାରା ଅଭିନୀତ ହୁଏ ପୃଥକ ପୃଥକ ନାଟକ ଭିନ୍ନ ଭିନ୍ନ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ। ମାତ୍ର ସବୁବେଳେ ନାୟକ-ନାୟିକା ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତି ନର-ନାରୀ। ଯେଉଁ ନାୟକ ଗୋଟେ ରଙ୍ଗମଞ୍ଚରେ ଗାଣ୍ଡିବ ଧାରଣ କରି ଯୁଦ୍ଧର ଡାକରା ଦିଏ ସେ ପୁଣି ସେହିଠାରେ ଅସ୍ତ୍ର ସମ୍ବରଣ କରି ହୋଇପଡ଼େ ବିଷାଦଗ୍ରସ୍ତ। ଗୋଟେ ମଞ୍ଚରେ ହସୁଥିବା ଅଭିଜ୍ଞ ଅଭିନେତା ଆର ମଞ୍ଚରେ କାନ୍ଦି କାନ୍ଦି ହୋଇପଡ଼େ ଦୁଃଖାର୍ତ୍ତ କରୁଣ। ମଞ୍ଚର ମାୟାରେ ପଡ଼ି ସଞ୍ଜକୁ ଡରୁଥିବା ନାୟିକା ନିଃସଙ୍ଗ ଓ ନିଶଙ୍କ ହୋଇ ନିସ୍ତବ୍ଧ ରାତିରେ ବି ନିକାଞ୍ଚନ ସ୍ଥାନରେ ରଚିପାରେ ଅଭିସାର। ଶୃଙ୍ଗାର ଚେତନା ସାମାଜିକ ଶୃଙ୍ଖଳାର ସରହଦ ଟପି ନୀତି ନିୟମର ଲକ୍ଷ୍ମଣରେଖାକୁ ଆଡ଼େଇ ଭେଟିପାରେ ରତିମୁଦ୍ରାରେ ଯୋଗାରୂଢ଼ ତୃପ୍ତି। ଭୟରେ ଭୂଇଁ ଦୁଲୁକାଉଥିବା ଖଳନାୟକ ଜଡ଼ବାତ୍ୟା ଓ ଅଗ୍ନ୍ୟୁଦ୍ଗିରଣ ନିକଟରେ ମୁହୂର୍ତ୍ତକରେ ହୋଇପଡ଼େ ତୁଚ୍ଛ ଓ ନଗଣ୍ୟ।
ରସର ସବୁ ରଙ୍ଗମଞ୍ଚ ଏ ପର୍ଯ୍ୟନ୍ତ ଆବିଷ୍କୃତ ହୋଇନାହିଁ। ଯେତେଗୁଡ଼ିଏ ଆବିଷ୍କୃତ ହୋଇଛି ସେସବୁର ସମ୍ୟକ ସ୍ୱରୂପ ଦେବାକୁ ମୁଁ ଯୁକ୍ତିଯୁକ୍ତ ମଣୁ ନାହିଁ। ସଂକ୍ଷେପରେ ସେଗୁଡ଼ିକ ହେଉଛି ଏମିଗଡାଲା, ହିପୋକ୍ୟାମ୍ପସ୍, ହାଇପୋଥାଲାମସ୍, ପ୍ରିପ୍ରଞ୍ଚାଲ କର୍ଟେକସ୍, ପାରେଇଟାଲ ଲୋବ ଏବଂ ବେସାଲ ଗାଙ୍ଗ୍ଲିଆ। ଅନେକ ଆଗରୁ ନଅଟି ନାଟକ ଅଭିନୟ ହୋଇ ଆସୁଛି ଯଥା : ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ଅଦ୍ଭୁତ, ଡ୍ରାମା ଓ ଶାନ୍ତରସ। ବୈଜ୍ଞାନିକମାନେ ଆଉ ଦୁଇ ପ୍ରକାରର ନାଟକ ଅଭିନୟ ହେଉଥିବାର ଲକ୍ଷ୍ୟ କରିଛନ୍ତି। କେତେକ ରସଶାସ୍ତ୍ରୀ ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ସେହି ଦୁଇଟି ଅତ୍ୟନ୍ତ ଉଚ୍ଚକୋଟିର ରସ ଏଥିରେ ଦ୍ୱିରୁକ୍ତି ନାହିଁ। ସେହି ଦୁଇଟି ହେଉଛି ପ୍ରେୟାନ୍ ରସ ବା ବାତ୍ସଲ୍ୟ ରସ ଏବଂ ଭକ୍ତିରସ।
ରଙ୍ଗମଞ୍ଚର ନିର୍ଦ୍ଦେଶକ
ରସଚର୍ଯ୍ୟା ପାଇଁ ଛାମୁଆଁ ନିର୍ଦ୍ଦେଶକ ଅଛନ୍ତି ଅନେକ, ସେମାନେ ନିଜ ନିଜର ନିଷ୍ଠା ଓ ପରାକାଷ୍ଠା ପାଇଁ ବେଶ୍ ପ୍ରତିଷ୍ଠିତ। ସେମାନଙ୍କର ଆନ୍ତରିକତା ନ ରହିଲେ ରସ ପାଣିଚିଆ ହୋଇଯାଏ। ତେଣୁ ସେମାନେ ଏକାଗ୍ର ଚିତ୍ତରେ ରସର ନିଖୁଣ ପରିବେଷଣ ପାଇଁ ପ୍ରଚେଷ୍ଟା କରନ୍ତି। ଉକ୍ତ ନିର୍ଦ୍ଦେଶକମାନେ ଆଉ କେହି ନୁହନ୍ତି କେତେକ ରସାୟନିକ ପଦାର୍ଥ। ସେମାନେ ସ୍ନାୟୁ-ସ୍ନାୟୁ ମଧ୍ୟରେ ସମ୍ପର୍କ ସ୍ଥାପନ କରୁଥିବାରୁ ସେମାନଙ୍କୁ ନ୍ୟୁରୋଟ୍ରାନ୍ସମିଟର କୁହାଯାଏ।
ସଂଜ୍ଞାବାହୀ ସ୍ନାୟୁ ପଞ୍ଚେନ୍ଦ୍ରିୟ ସହାୟତାରେ ଦୃଷ୍ଟି, ଶ୍ରୁତି, ସ୍ୱାଦ, ସ୍ପର୍ଶ ଓ ଗନ୍ଧ ଗ୍ରହଣ କରି ମସ୍ତିଷ୍କକୁ ପ୍ରେରଣ କରନ୍ତି। ଜ୍ଞାନେନ୍ଦ୍ରିୟ ତା’ର ବିଶ୍ଳେଷଣ କରନ୍ତି ଆଉ କର୍ମେନ୍ଦ୍ରିୟ ପ୍ରକାଶ କରନ୍ତି ପ୍ରତିକ୍ରିୟା। ଜ୍ଞାନ ହିଁ ସ୍ଥାୟୀଭାବ ଏବଂ ପ୍ରତିକ୍ରିୟା ହିଁ ସଞ୍ଚାରୀଭାବ। ଆଉ ଏ ସମସ୍ତ ପ୍ରକ୍ରିୟା ପରିଚାଳିତ ହୁଏ ନ୍ୟୁରୋଟ୍ରାନ୍ସମିଟରଙ୍କ ତୀକ୍ଷ୍ଣ ତତ୍ତ୍ୱାବଧାନରେ।
ନ୍ୟୁରୋଟ୍ରାନ୍ସମିଟରର ବହଳତା, ପରିମାଣ ଓ ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ରସର ମାଧୁର୍ଯ୍ୟ- ନଦୀ ପରି ସେମାନେ ମନୋଭୂମିକୁ ଉର୍ବର କରନ୍ତି। ଜୁଆର ଭଟ୍ଟାରେ ସୃଷ୍ଟି କରନ୍ତି ବନ୍ୟା ଓ ମରୁଡ଼ି। ନିର୍ଦ୍ଦେଶକ ନୀରବ ହୋଇ ପଡ଼ିଲେ ଅଭିନୟ ଅସଙ୍ଗତ ହୋଇଯାଏ। ନିର୍ଦ୍ଦେଶକ ଢିଲା ହୋଇଗଲେ ଅଭିନେତା ଅଭିନେତ୍ରୀ ସ୍ୱାଧୀନ ହୋଇ ଯାଆନ୍ତି। ପୁଣି ଅତିରିକ୍ତ କଠୋର ହୋଇପଡ଼ିଲେ ନାୟକ-ନାୟିକା ସଂଳାପ ଭୁଲି ପ୍ରଳାପ କରନ୍ତି। ଏପରି ଅସଂଲଗ୍ନ ଅବସ୍ଥାରେ ପ୍ରେମ କବିତା ଅଧାଲେଖାରେ ରହିଯାଏ ଏବଂ କରୁଣ କାହାଣୀ ଅଟକିଯାଏ ଅଧାକୁହାରେ। କ୍ରୋଧ କୁହୁଳା କଲିଜାରୁ ଉଠି ପ୍ରଜ୍ୱଳିତ ରୂପ ନେଇପାରେ ନାହିଁ। କାନ୍ଦ ଫୁଟେ ନାହିଁ ଲୁହରେ। ହସ ଉକୁଟେ ନାହିଁ ବ୍ୟଙ୍ଗରେ। ଅଧା ଅଧାରେ ଅଶକ୍ତ ହୋଇଯାଏ ଅନୁଭବ।
ରସକୁ ଶଣ୍ଠଣା ଶିଖାଉଥିବା, ଶୁଦ୍ଧ କରୁଥିବା ଏବଂ ମୁକୁଳିତ କରୁଥିବା କେତୋଟି ମୁଖ୍ୟ ନ୍ୟୁରୋଟ୍ରାନ୍ସମିଟର ହେଉଛନ୍ତି ଡିପୋସିନ୍, ଅକ୍ସିଟୋସିନ୍, ଭାସୋପ୍ରେସିନ୍, ସିରୋଟୋନିନ୍, ଇଷ୍ଟ୍ରୋଜେନ, ପ୍ରୋଜେଷ୍ଟିରନ୍, ନରଏପିନେଫ୍ରିନ୍ ଓ କର୍ଟିସଲ୍। ଏଠାରେ ଏତକ ଜାଣିଲେ ଯଥେଷ୍ଟ ହେବ ଯେ ଗୋଟିଏ ରସର ସଫଳ ରୂପାୟନ ପାଇଁ ଏକାଧିକ ନ୍ୟୁରୋଟ୍ରାନ୍ସମିଟର ସହଯୋଗର ହାତ ବଢ଼ାଇ ଥାଆନ୍ତି। ପୁଣି ଓଭର ଏକ୍ଟିଂରେ ନାଟକକୁ ଭେରଷା କି ହାସ୍ୟାସ୍ପଦ ନ କରିବା ପାଇଁ ବିରୁଦ୍ଧାଚରଣ କରୁଥିବା ନ୍ୟୁରୋଟ୍ରାନ୍ସମିଟରର ଉପସ୍ଥିତିକୁ ଗୁରୁତ୍ୱ ଦିଆଯାଏ।
ମୁଖ୍ୟ ସ୍ନାୟୁ-ସଞ୍ଚାରକ
୧. ନରଏପିନେଫ୍ରିନ୍ (Norepinephrine) – ଯୁଦ୍ଧ ଓ ପଳାୟନର ପଥ ପ୍ରଦର୍ଶକ।
ତେଣୁ ସାହସ-ଧୈର୍ଯ୍ୟ-ଉତ୍ସାହ ସହ ସମ୍ପୃକ୍ତ ହୋଇଥିବା ରୌଦ୍ର, ବୀର, କରୁଣ, ଶୃଙ୍ଗାର ଆଦି ରସର ପରିପୂରକ।
୨. ଡୋପାମିନ (Dipamine) – ଆନନ୍ଦ ଓ ଆଗ୍ରହର ଆବାହକ।
ତେଣୁ ପ୍ରେମ-ପ୍ରତାରଣା, ସ୍ନେହ-ସୌନ୍ଦର୍ଯ୍ୟ ଓ ନିନ୍ଦା-ପ୍ରଶଂସା, ଆବେଗ-ସମୃଦ୍ଧ, ହାସ୍ୟ-ଶୃଙ୍ଗାର, ବାତ୍ସଲ୍ୟ ଓ ବୀଭତ୍ସ ରସର ସଞ୍ଚାରକ।
୩. ସିରୋଟୋନିନ୍ (Serotonine-5HT) – ନିଦ୍ରା, ମୋହ ଓ ଶାନ୍ତିର ପ୍ରବର୍ତ୍ତକ।
ତେଣୁ ଭୟ-ବିସ୍ମୟ-ଶାନ୍ତ ଅନୁଭବକୁ ପ୍ରକାଶ କରୁଥିବା ଅଦ୍ଭୁତ, ଭୟାନକ ଏବଂ ଶାନ୍ତ ରସର ସ୍ରଷ୍ଟା।
ବୈଜ୍ଞାନିକ ଦୃଷ୍ଟିକୋଣରୁ ବହୁବିଧ ଆବେଗ ମଧ୍ୟରୁ କ୍ରୋଧ, କରୁଣ, ଭୟ, ଆନନ୍ଦ ଓ ଆସ୍ଥା ହେଉଛନ୍ତି ପଞ୍ଚ ପ୍ରମୁଖ। ଆଉ ପ୍ରତ୍ୟେକ ରସ ଉପରେ ରହିଛି ସ୍ମୃତି-ଅନୁଭୂତି, ଶିକ୍ଷା-ସଂସ୍କୃତି ଓ ବ୍ୟବହାର-ବୈଶିଷ୍ଟ୍ୟର ପ୍ରଭାବ।
ମନନ-ଚିନ୍ତନ-ଆବେଗ ଗୋଟିଏ ଗୋଟିଏ ଶକ୍ତି। ଏହାର ଶାବ୍ଦିକ ରୂପାନ୍ତର ହେଉଛି କବିତା-ଗଳ୍ପ-ନିବଂଧ। ଆଇନଷ୍ଟାଇନଙ୍କ ଆପେକ୍ଷିକ ତତ୍ତ୍ୱ ଅନୁସାରେ ବସ୍ତୁକୁ ଆଲୋକର ବେଗ ପ୍ରଦାନ କଲେ ତାହା ଶକ୍ତି ହୋଇଯିବ ଏବଂ ଶକ୍ତିକୁ ସଂକେନ୍ଦ୍ରିତ କଲେ ତାହା ବସ୍ତୁ ହୋଇଯିବ। ସାରସ୍ୱତ ଜଗତରେ ଏହି ଦୁଇଟି ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ଲେଖାଲିପ୍ତ ସାଧକ ତୀବ୍ର ଆବେଗକୁ କେନ୍ଦ୍ରିଭୂତ କରି ଥାପି ଦିଅନ୍ତି ଅକ୍ଷରରେ- ସେ ହୋଇଯାଏ ଅକ୍ଷର ବ୍ରହ୍ମ। ଶ୍ରଦ୍ଧାଶୀଳ ପାଠକ ଶବ୍ଦରେ ଲିପିବଦ୍ଧ ସେହି ଶକ୍ତିର ସଂପ୍ରସାରଣ କରି ପାଆନ୍ତି ଆନନ୍ଦ-ରସର ନିର୍ଯାସ-ଭାବର ଭାସ୍କର୍ଯ୍ୟ। ଏହି ରୂପାନ୍ତର ପ୍ରକ୍ରିୟାର ସୂତ୍ରଧର ହେଉଛନ୍ତି ନ୍ୟୁରୋଟ୍ରାନ୍ସମିଟର- ପ୍ରତିଭାର ରୂପକାର-ରସର ଉତ୍ପାଦକ ଓ ଆସ୍ୱାଦକ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ବହୁଦିନ ପରେ ଗୋଟିଏ ଆନ୍ତଃ-ବିଷୟ ଭିତ୍ତିକ ମୌଳିକ ଆଲୋଚନା ପଢ଼ିବାକୁ ମିଳିଲା। ଲେଖକ ଓ ସମ୍ପାଦକଙ୍କୁ ଧନ୍ଯବାଦ।
ମାନସିକ ଲୀଲାଖେଳାର ଜୈବିକ ଭିତ୍ତି ଉପରେ ଅନେକ ଅଜ୍ଞାତ ଦିଗ ପ୍ରତି ସୂଚନା ଦେଉଛି ଲେଖାଟି। ସନ୍ଦର୍ଭଟି ଆହୁରି ବିଶଦ ଆଲୋଚନାର ଅପେକ୍ଷା ରଖୁଚି।