“ପାଠକ ରୂପେ ଜଣାଶୁଣା ହେଲେ କେହି ଛାଡ଼ିବେନି ପିଛା,” କହନ୍ତି କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ।
![](https://www.sahityacharcha.com/wp-content/uploads/2020/08/Prafulla-Tripathy-4.jpg)
‘ ପାଠକ ‘ ନାମରେ ଚିହ୍ନିତ ହେବାକୁ
ନାହିଁ କାହାର ଇଚ୍ଛା
ପାଠକ ରୂପେ ଜଣାଶୁଣା ହେଲେ
କେହି ଛାଡ଼ିବେନି ପିଛା
ଲେଖକ, କବି, ସଂପାଦକ ଆସି
ଘର ଆଗେ ହେବେ ଠୁଳ
‘ ଆମ ବହି ପଢ଼ ‘ କହି ବାରଂବାର
କରିବେ ହଟ୍ଟଗୋଳ
ଏହି ଡର ଯେଣୁ ନୁହେ ଅମୂଳକ
ପାଠକେ ରହଂତି ଲୁଚି
ପଠନାନଂଦ ପାଇ ନିରଂତର
ସୁଖରେ ରହଂତି ବଂଚି
![](https://www.sahityacharcha.com/wp-content/uploads/2023/03/Reading-a-book-4-1024x768.jpg)
ପାଠକମାନେ କେଉଁଠି କେବେ
ଗଢ଼ଂତିନାହିଁ ସଂଘ
ତେବେ ବି ସେମାନେ ଚଢ଼ିପାରଂତି
ଭାଷା, ସାହିତ୍ୟର ଶୃଂଗ
‘ ବହୁବିକ୍ରୀତ ‘ ବହିର ନାମାଦି
ଥାଏ ଲୋକଂକର ମନେ
‘ ବହୁପଠିତ ‘ ବହି ଆଲୋଚନା
ଶୁଣିନାହିଁ କେବେ ଦିନେ
‘ ଗ୍ରଂଥ ‘ ବଦଳରେ ‘ ଗ୍ରଂଥକାର ‘ ଏଠି
ପାଆଂତି ଅଧିକ ଧ୍ୟାନ
ସେଥି ଯୋଗୁଁ ହୁଏ ପାଠକକୁଳର
ସର୍ବାଧିକ ଅପମାନ
କେଉଁ ବହି କେତେ ଜଣ ପଢ଼ିଛଂତି
କେବେ ହୋଇନାହିଁ ଗଣା
କେଉଁ ବହି କେତେ ପୁରସ୍କାର ପାଏ
ତାହା ସମସ୍ତଂକୁ ଜଣା
ବହୁତ ଭଲ ଲାଗିଲା। ପାଠକମାନଙ୍କୁ ସବୁବେଳେ ଅବହେଳା କରାଯାଉଛି,ଯାହା ଠିକ୍ ନୁହେଁ।
ସତରେ ନିରୁତା ପାଠକଙ୍କ ସଂଖ୍ୟା ଏବେ ଲେଖକ ସଂଖ୍ୟାଠୁ କମ୍। ତେଣୁ ପାଠକଙ୍କ ଆଦର ଦିନକୁ ଦିନ ବଢୁଛି।
ଏବକା ଲେଖକମାନେ ଅନ୍ୟ ଲେଖକଙ୍କ ଲେଖା ପଢୁଥିବା ନାହାନ୍ତି। ଏହା ଆମର ଦୁର୍ଭାଗ୍ୟ।
ପାଠକ ? Endangered species.
ସାର୍ ଆପଣଙ୍କ କବିତା ବେଶ୍ ଚମତ୍କାର ଓ ସାମ୍ପ୍ରତିକ ସମୟ ପାଇଁ ଉପଯୋଗୀ ମଧ୍ୟ। କିନ୍ତୁ ମୋ ଭଳି ଜଣେ ପାଠକ ଯେତେବେଳେ ଯେଉଁ ଲେଖକଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଛି , ପ୍ରାୟ ସମସ୍ତେ ଭଲ ଉତ୍ତର ଦେଇଛନ୍ତି ଓ ଖୁସି ହୋଇଛନ୍ତି। ଅନ୍ୟପାଠକଙ୍କ ମତାମତ ମୋତେ ଜଣନାହିଁ। ମୁଁ ପ୍ରଚୁର ପଢିଥାଏ ଓ ଯାହା ଭଲଲାଗେ ତୁରନ୍ତ ସେହି ଲେଖକଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ମୋର ମତ ଦେଇଥାଏ। ତେଣୁ ମୋ ମତରେ ପାଠକ ସଂଘ ଗୋଟିଏ ହେବା ଉଚିତ ଏବଂ ସେଥିରେ ଯେଉଁମାନେ କେବଳ ପାଠକ, ସେମାନେ ରହିବା ଉଚିତ।