ସ୍ୱର୍ଗ-ନର୍କ

ମଞ୍ଚରେ ନିଜ ଡାଇଲଗ୍ କହୁ କହୁ ବାସନ୍ତୀକୁ ଦେଖି କ୍ଷଣେକାଳ ବାକ୍‌ପଟୁ ରାଜାଟା ଅନ୍ୟମନସ୍କ ହୋଇ ପଡୁଥିଲା।

ଜୟନ୍ତୀ ସାହୁ

ଖୁବ୍ ସନ୍ତର୍ପଣରେ ବାଡ଼ି କବାଟ ଆଉଜାଇ ହାତରେ ଲୁଗା, ସାବୁନ୍‌, ତେଲ, ହଳଦୀ ଧରି ବାସନ୍ତୀ ପୋଖରୀ ତୁଠ ଅଭିମୁଖେ ଏକା ନିଃଶ୍ୱାସକେ ଚାଲିଲା। ମନେ ମନେ ଦୀର୍ଘଶ୍ୱାସ ଛାଡି କହୁଥାଏ, ‘ଓହୋ! ମଣିଷ ଏକାଦିନକେ ବାଘର ପଞ୍ଝାରୁ ଟିକେ ମୁକୁଳି ବାହାର ଦୁନିଆକୁ ଦେଖିଲା।’ ଅଶୋକ ଗୋଛାୟତ୍ ଘରର ଚାରିକାନ୍ଥ ମଧ୍ୟରେ ଛଅମାସ ହେଲା ବନ୍ଦୀ ହୋଇ ହୋଇ ବାସନ୍ତୀ ଅଣ ନିଃଶ୍ୱାସୀ ହୋଇପଡ଼ିଲାଣି। ତାକୁ ବାହାରର ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ଦେଖିବାକୁ ମନା। ଫଗୁଣରେ ଫଗୁ ବୋଳି ନାଚିବାକୁ ମନା। ଚଇତର ଚୋରା ଚଇତାଳି ସାଥେ ଉତ୍ତଳା ହେବାକୁ ବି ମନା। ଏତେ ସବୁ ମନା ମନାର ନିଷିଦ୍ଧ ଗାର ମଧ୍ୟରେ କେତେଦିନ ଆଉ ଡହଳବିକଳ ହେଉଥିବ ବାସନ୍ତୀ, ଟିକେ ଝରକା ଖୋଲିଲେ, କଣ୍ଟାବାଡ଼ ପାଖକୁ ଆସିଲେ ତା’ ଚୁଟି ଧରି ଘୋଷାରି ଘର ଭିତରକୁ ନେଇ ଆସେ ଅଶୋକ ଗୋଚ୍ଛାୟତ୍। ମନଇଚ୍ଛା ବକିଯାଏ ତାକୁ, ‘କୁଳଟା, କଳଙ୍କିନୀ, ବଜାରୁଣୀ, ଗୋଟିଏ ସ୍ୱାମୀରେ ତ ସନ୍ତୁଷ୍ଟ ନ ହୋଇ ମୋ ପାଖକୁ ଚାଲି ଆସିଲୁ, ପୁଣି ରାସ୍ତାରେ ଆଉ କେଉଁ ଦିବ୍ୟ ପୁରୁଷକୁ ଦେଖି ମୋତେ ଛାଡ଼ି ତା’ ପାଖକୁ ନିଶ୍ଚୟ ତୁ ଚାଲିଯିବୁ। ତତେ କ’ଣ ବିଶ୍ୱାସ ଅଛି। ସେ ବୁଢ଼ାର ବିଶ୍ୱାସରେ ବିଷ ଦେଇ ତ ପୁଣି ମୋ ପାଖକୁ ଚାଲି ଆସିପାରିଲୁ।’
ଏଭଳି ଧିକ୍କାର ବଚନ ନିଜର ପ୍ରେମିକ ଅଶୋକ ଗୋଚ୍ଛାୟତ୍ ଠାରୁ ଶୁଣି ଶୁଣି ପଥର ପାଲଟି ଗଲାଣି ବାସନ୍ତୀ। ପ୍ରଥମେ ପ୍ରଥମେ ଢେର୍ ବେଳ ଯାଏଁ କାନ୍ଦୁଥିଲା। କୃତକର୍ମ ପାଇଁ ଖୁବ୍‌ଗୁଡାଏ ଅନୁତାପ କରୁଥିଲା। ନିଜକୁ ଧିକ୍କାରୁଥିଲା। ଥରେ ଦି’ଥର ଆତ୍ମହତ୍ୟା ପାଇଁ ଉଦ୍ୟମ କରି ପୁଣି କେମିତି ଅଟକି ଯାଇଛି। ଆଜି କାହିଁକି କେଜାଣି ଛାତିକୁ ଦମ୍ଭ କରି ଏ ପୋଖରୀ ତୁଠକୁ ସେ ଆସିପାରିଛି। ପୋଖରୀ ତୁଠରେ ପହଂଚି ଦେଖିଲା, ଟିକିଏ ଦୂରରେ ଧୋବା ତୁଠରେ କାଞ୍ଚନ ମାଆ ଧୋବଣୀ ଆସି ଏକୁଟିଆ ତା’ ଧୋବା ଗଣ୍ଡିରେ ଲୁଗା କାଚୁଛି। ମାଇପି ତୁଠରେ ନ ଗାଧୋଇ ବାସନ୍ତୀ ଏକା ଏକା ଆର ଗାଁର କାଞ୍ଚନ ମାଆ ଧୋବଣୀ ପାଖକୁ ଚାଲିଲା। ନିମେଇଁପୁର ଗାଁଆରେ ବୋହୂ ହୋଇ ରହିଲା ବେଳେ ଏଇ କାଞ୍ଚନ ମାଆ ହିଁ ତା’ର ପଡୋଶୀ ଥିଲା। ନୂଆ ଭୁଆସୁଣୀବେଳେ କେତେଥର ଏଇ କାଞ୍ଚନ ମାଆ ସାଙ୍ଗରେ ସେ ଏ ପୋଖରୀ ତୁଠକୁ ଗାଧୋଇବାକୁ ଆସିଛି। ସ୍ୱାମୀ ତା’ର ଭାରି ଶାନ୍ତ, ସୁଧାର ମଣିଷଟିଏ। ମାଛିକୁ ମ’ କହନ୍ତିନି। ହଲିଲା ପାଣିକୁ ଗୋଡ଼ ବଢ଼ାନ୍ତିନି, ପ୍ରଥମ ସ୍ତ୍ରୀ ଝାଡାବାନ୍ତିରେ ମରିଗଲା ବୋଲି ଦଶ ବର୍ଷର ପୁଅ ଅଇଁଠୁର ଦେଖାଶୁଣା କରିବା ପାଇଁ ପଚିଶ ବର୍ଷର ଯୁବତୀ ବାସନ୍ତୀକୁ ଦ୍ୱିତୀୟ ବାର ବାହା ହୋଇଥିଲେ। ହେଲେ ବାସନ୍ତୀ ମନରେ କେବେ ସ୍ୱାମୀ ତା’ର ଦୁଃଖ ଦିଅନ୍ତି ନାହିଁ। ପାଳିକୁ ପାଳି ହାଟରେ ସଉଦା ବିକ୍ରି କରି ବାସନ୍ତୀର ମନ ପସନ୍ଦର ଶାଢ଼ି, ଚୁଡି, ନଖପାଲିସ୍‌, କ୍ର୍ରିମ୍‌, ପାଉଡର ଅଳତା, ଭଳିକି ଭଳି କାନଫୁଲ, ନାକଫୁଲ, ପାଉଁଜି, ଗୋଡ ମୁଦି, ହାତ ମୁଦି, ସବୁ ଆରି ତା’ ନିରାଭରଣ ଦେହକୁ ମଣ୍ଡିଦିଅନ୍ତି। ବାସନ୍ତୀ ମୁହଁର ହସରେ ସେ ସ୍ୱର୍ଗସୁଖ ପାଇଲା ଭଳି ଅନୁଭବ କରନ୍ତି। ମାତୃହରା ଅଇଁଠୁ ବି ବାସନ୍ତୀକୁ ପାଇ ନିଜ ଜନ୍ମ କଲା ମାଆ ନ ଥିବାର ଦୁଃଖକୁ ଭୁଲିଯାଇଛି। ବାସନ୍ତୀକୁ ସବୁବେଳେ ମାଆ, ମାଆ ଡାକି ପଛେ ପଛେ ଗୋଡ଼ାଉଥାଏ। ପୋଖରୀରୁ ମୀନଟାଏ କି କଙ୍କଡାଟାଏ ପାଇଲେ ସିଧା ବାସନ୍ତୀ ପାଖକୁ ଧରି ଖୁସିରେ ଦୌଡି ଆସେ। ଗାମୁଛାରେ ଗାମୁଛାଏ ଲେଖାଁ ବେତ କୋଳି, ବଇଁଚ କୋଳି ତୋଳି ମୋ ମାଆକୁ ଦେବି କହି ବାସନ୍ତୀ ପାଖରେ ଆଣି ଅଜାଡିଦିଏ। ମାଆ ଚୁଲି ଜାଳିବା ପାଇଁ ଛୋଟ ଛୋଟ କାଠ ଓ ଗୋବର ଘଷି ଆଣି ଚୁଲି ମୁଣ୍ଡରେ ଥାକ ଥାକ କରି ସଜାଡ଼ିଦିଏ। ଏମିତି ଏମିତି ସୁଖେ ଦୁଃଖେ ମା, ବାପା ଓ ପୁଅ, ତିନି ଜଣଙ୍କ ଦିନ ସୁରୁଖୁରୁରେ କଟିଯାଉଥିଲା।


ଗୋଟାଏ ଯାତ୍ରାପାର୍ଟି ଦଳ ନିମେଇଁପୁର ଗାଁ ମୁଣ୍ଡ ପଡ଼ିଆରେ ସେଦିନ ଡେରା ପକାଇଲେ। ସାତଦିନ ଧରି ନିମେଇଁପୁର ଗାଁରେ ଯାତ୍ରା ଆଖଡା ଚାଲିଲା। ନିମେଇଁପୁର ଗାଆଁର ପିଲା, ବୁଢ଼ା, ମାଇପେ ସମସ୍ତେ ସଞ୍ଜ ପ୍ରହରୁ ଯାତ୍ରା ପଡିଆ ଅଭିମୁଖେ ଧାଡ଼ି ବାନ୍ଧିଲେ। ବାସନ୍ତୀ ବି ସାହିର ଝିଅ ବୋହୂଙ୍କ ସଂଗେ ଯାତ୍ରା ଦେଖିବା ପାଇଁ ସଜ ହୋଇ ପ୍ରଥମ ରାତିଟା ବାହାରିଲା। ସେଦିନ ଯାତ୍ରାରେ ଏଇ ରସିକଶେଖର ଅଶୋକ ଗୋଚ୍ଛାୟତ୍ ହିଁ ରାଜା ପାର୍ଟ କରିଥିଲା। ଦେହରେ ଚିକ୍‌ମିକ୍ ଜରିଲଗା ପୋଷାକ ସାଙ୍ଗକୁ ମୁଣ୍ଡରେ କାରୁକାର୍ଯ୍ୟକରା ମାଳି, ଚୁମୁକି ଚିତ୍ରିତ ରାଜମୁକୁଟ ଅଶୋକ ଗୋଚ୍ଛାୟତ୍ର ସୁଗଠିତ ସୁନ୍ଦର ଦେହକୁ ଖାସ୍ ମାନୁଥିଲା। ବଳିଲା ବଳିଲା ସ୍ପର୍ଦ୍ଧିତ ବାହୁରେ ଖଡ୍‌ଗଧାରଣ ତା’ର ଯୌବନୋଚ୍ଛଳ ପୌରୁଷକୁ ସୂଚେଇ ଦେଉଥିଲା।
ବାସନ୍ତୀ ବି ସେଦିନ ସାହି ସ୍ତ୍ରୀ ଲୋକଙ୍କ ଗହଣାରେ ପୁରା ଆଗରେ ବସି ଯାତ୍ରା ଦେଖୁଥିଲା। ରାଜା ପାର୍ଟ କରୁ କରୁ କୌଶଳରେ ଖଣ୍ଡା ବୁଲାଉ ବୁଲାଉ କେଜାଣି କାହିଁକି ଅଶୋକ ଗୋଚ୍ଛାୟତ୍‌ର ଆଖି ବାସନ୍ତୀର ଅର୍ଦ୍ଧଆନତ ଆଖି ସହ ମିଶି ଯାଉଥିଲା। ଯାତ୍ରା ଶେଷ ବେଳକୁ ନିଜ ଡାଇଲଗ୍ କହୁ କହୁ ବାସନ୍ତୀକୁ ଦେଖି କ୍ଷଣେକାଳ ମେଘଡମ୍ବରୁ ନାଦ ସୃଷ୍ଟିକାରୀ ବାକ୍‌ପଟୁ ରାଜାଟା ଅନ୍ୟମନସ୍କ ହୋଇ ପଡୁଥିଲା। ଯେମିତି ଅଭିନୟରେ, ଡାଇଲଗ୍‌ରେ ତା’ର ମନ ରହୁ ନ ଥିଲା। ତା’ପରଦିନ ଏଇ କାଞ୍ଚନ ମାଆ ଧୋବଣୀ ପାଖକୁ ପୂର୍ବ ରାତିର ରାଜା ଅଶୋକ ଗୋଚ୍ଛାୟତ୍ ତା’ର ଆସନା ପୋଷାକ ସବୁ ସଫା କରିବା ପାଇଁ ଧରି ଆସିଥିଲା। ଠିକ୍ ସେତିକିବେଳେ ବାସନ୍ତୀ ନିଜ ବାଡ଼ି ପଛପଟେ ଠିଆ ହୋଇ ଓଦା ସର ସର କଳାଘୁମନ୍ତ ମୁକୁଳା ସୁଦୀର୍ଘ ଘନ କେଶରାଶିକୁ ଖରାରେ ଶୁଖାଉଥିଲା। ଅଶୋକ ଗୋଚ୍ଛାୟତ୍‌ର ରୂପ ଲୁବ୍‌ଧ ଆଖି ପୁନର୍ବାର ବାସନ୍ତୀର ମୁନି ମନ ଲୋଭା ଚେହେରାରେ ଲାଖି ରହିଲା। ଏଥର ଲୁଗାସଫାର ବାହାନା କରି ଅଶୋକ ଗୋଚ୍ଛାୟତ୍ ପ୍ରତିଦିନ ଦୁଇ ଥର ଲେଖାଁ କାଞ୍ଚନ ମାଆ ଧୋବଣୀ ପାଖକୁ ଆସିଲା। ଏଣେ ବାସନ୍ତୀର ମନରେ, ଶରୀରରେ ଏକ ଭିନ୍ନ ଧରଣର ରଙ୍ଗ ଚହଟିଗଲା ଭଳି ତାକୁ ଲାଗିଲା। ମନ କଦମ୍ବର ସହସ୍ର ଶାଖାରେ ପେନ୍ଥି ପେନ୍ଥି କଦମ୍ବ ଫୁଲର ସୁରଭିତ ବାସ୍ନା ତାକୁ ଗୋଟାପଣେ ବିଭୋର କରିଦେଲା। ସିଏ ବି ସବୁ କାମକୁ ପଛରେ ପକାଇ ଅଶୋକ ଗୋଚ୍ଛାୟତ୍‌ର ଆସିବା ବାଟକୁ ବାଡ଼ି ପଟେ ଚାହିଁ ରହିଲା।
ଏବେ ନିଜର ପୂଜ୍ୟ ସ୍ୱାମୀଙ୍କ ସଶ୍ରଦ୍ଧ ସୋହାଗ, ନିଜର ଉନ୍ନତ ଘର କରଣା, ଉତ୍କଟ ଲୋକଲଜ୍ଜା, ତୀବ୍ର ଲୋକାପବାଦ, ଅଇଁଠୁର ନିର୍ମଳ ମାଆ ଡାକ ସବୁ ଯେମିତି ବାସନ୍ତୀକୁ ତୁଚ୍ଛ ଲାଗିଲା। ଆଖି ଚାହିଁଲା ସେଇ ଅଶୋକ ଗୋଚ୍ଛାୟତ୍‌ର ରୂପ ଦେଖିବାକୁ, ମନ ଚାହିଁଲା ସବୁ ଛାଡି ସେଇ ପୁରୁଷଟି ପାଖରେ ଘଣ୍ଟା ଘଣ୍ଟା ସମୟ ବିତାଇବାକୁ। ଏମିତି ଚାହୁଁ ଚାହୁଁ ଦିନେ ମନର ଦୁର୍ବାର ଅଦମନୀୟ ପ୍ରେରଣାରେ ବାସନ୍ତୀ ସ୍ୱାମୀ ଓ ଅଇଁଠୁକୁ ଛାଡ଼ି ରାତି ଅଧରେ ଗୋଡ଼ କାଢ଼ି ତା’ ଘରକୁ ଚାଲି ଆସିଲା। ବାସନ୍ତୀ ଭାବିଥିଲା, ସ୍ୱାମୀ ତା’ର ପାଞ୍ଚ ଖଣ୍ଡ ଗାଆଁର ମୁରବିଙ୍କୁ ଡାକି ନ୍ୟାୟ, ନିଶାପ କରି ବାସନ୍ତୀକୁ ସିଧା ଛାଡପତ୍ର ଲେଖିବ। ପରନାରୀ ଅପହରଣକାରୀ ଦୋଷୀ ଅଶୋକ ଗୋଚ୍ଛାୟତ୍‌ଠାରୁ ଖୁବ୍‌ଗୁଡାଏ ମୋଟା ଅଙ୍କର ଜରିମାନା ଆଦାୟ କରିବ। ତା’ ମୁହଁକୁ ସମସ୍ତଙ୍କ ସାମ୍ନାରେ ଛେପ ପକାଇବ। ଗାଁ ଦାଣ୍ଡରେ ବେଜିତ୍ କରିବ। କିନ୍ତୁ ଏ ଯାଏଁ ତ କାହିଁ କିଛି ସେଭଳି ଦଣ୍ଡ ବିଧାନ ତାଙ୍କ ଦୁହିଁଙ୍କ ସହିତ ହେଲା ନାହିଁ। ସ୍ୱାମୀ ତା’ର କୌଣସି ଦଣ୍ଡରେ ତ ଏଯାବତ୍ ବାସନ୍ତୀକୁ କାହିଁ ଦଣ୍ଡିତ କଲେ ନାହିଁ? ତା’ ମନ ଦୁଃଖ ହେଲା ଭଳି କୌଣସି ଅପ୍ରୀତିକର ପରିସ୍ଥିତି ତ କାହିଁ ଏ ଯାଏଁ ଉପୁଜିଲା ନାହିଁ। ବରଂ ଏସବୁ ଦଣ୍ଡ ମଧ୍ୟରୁ ଅନ୍ତତଃ ଗୋଟିଏ ବି ତା’ର ପ୍ରାପ୍ୟ ହୋଇଥିଲେ ସେ ଶାସ୍ତି ମଧ୍ୟରେ ଟିକିଏ ଆଶ୍ୱସ୍ତି ପାଇଥାନ୍ତା। ପାପ ମନ କେବଳ ଦଣ୍ଡ ମଧ୍ୟରେ ହିଁ ପ୍ରାୟଶ୍ଚିତ ଖୋଜିଥାଏ ବୋଲି ବାସନ୍ତୀର କାହିଁକି ଏବେ ହୃଦ୍‌ବୋଧ ହେଉଥିଲା। ସେଥିପାଇଁ ମନେ ମନେ ନିଷ୍ପାପ ସ୍ୱାମୀଟି ପାଖରୁ ପାପର ପରିଣତିକୁ ପ୍ରତି ମୁହୂର୍ତ୍ତରେ ଆଶା କରୁଥିଲା।
କାହିଁକି କେଜାଣି ଗତକାଲି ରାତିରୁ ସ୍ୱାମୀଙ୍କ କଥା ଓ ମା ଛେଉଣ୍ଡ ଅଇଁଠୁ କଥା ବାସନ୍ତୀର ଭାରି ମନେ ପଡୁଛି। ସେଇଥିପାଇଁ ତ ଏତେ କଟକଣା ଡେଇଁ ସେ ଆଜି ଗାଧୁଆ ବାହାନାରେ ପୋଖରୀ ତୁଠକୁ ଆସିଛି। ଆଜି ପୋଖରୀ ତୁଠକୁ ଆସିବା କଥାଟା ଅଶୋକ ଗୋଚ୍ଛାୟତ୍ ପାଖରେ ଧରା ପଡିଗଲେ ମାଡଗାଳିରେ ତା’ ଜୀବନ ରହିବ ନାହିଁ। ତଥାପି ଜୀବନକୁ ପାଣି ଛଡେଇ ସେ ସ୍ୱାମୀ ଓ ଅଇଁଠୁଙ୍କ କଥା କାହାଠୁ ଟିକେ ଶୁଣିବା ପାଇଁ ଏ ପୋଖରୀକୁ ଗୋଡ କାଢ଼ିଛି। ଯାହେଉ, ଯୋଗକୁ କାଞ୍ଚନ ମାଆ ଦେଖା ହେଲାଣି। ତା’ ପାଖରୁ ସବୁ କଥା ଜଣାପଡ଼ିବ। ସେ ଯେତେ ଧିକ୍‌କାରିଲେ ଧିକ୍‌କାରୁ ପଛେ, ବାସନ୍ତୀ ତା’ ପାଖକୁ ଯାଇ ଟିକେ ସ୍ୱାମୀଙ୍କ କଥା ଓ ଅଇଁଠୁ କଥା ପଚାରିବ। ମନରେ ସାହସ ବାନ୍ଧି କାଞ୍ଚନ ମାଆ ପାଖରେ ବାସନ୍ତୀ ଯାଇ ପହଂଚିଗଲା। କାଞ୍ଚନ ମାଆ ଏ ପର୍ଯ୍ୟନ୍ତ ଏକାମୁହାଁ ଲୁଗା କାଚିବାରେ ବ୍ୟସ୍ତ ରହିଥିଲା। ଆଖି ସାମ୍ନାରେ ବାସନ୍ତୀକୁ ଦେଖି ଭୂତ ଦେଖିଲା ପରି ଚମକି ପଡିଲା। ତା’ପରେ ‘ପୋଡା ମୁହିଁ, ଅଲାଜୁକୀ, କୁଳ ବୁଡେଇ, ଦିକୁଳ ଖାଇ’ କହି କେତେ ନାହିଁ କେତେ ଗାଳିମନ୍ଦ ଦେଲା। ବାସନ୍ତୀ ସବୁ ଗାଳି ତିରସ୍କାରକୁ ମୁଣ୍ଡ ପୋତି ସହିନେଲା। ତା’ପରେ ଭୋ ଭୋ ହୋଇ କାନ୍ଦି ସେଇ ତୁଠରେ କାଞ୍ଚନ ମାଆର ହାତକୁ ଜାବୁଡି ଧରି କହିଲା, ‘ନାନୀ, ଯାହା ତ ହେବା ହେଲାଣି, ମତେ ଏଥର ତାଙ୍କ କଥାଟିକେ କୁହ। ଅଇଁଠୁ କଥା ଟିକେ କୁହ।’ ବାସନ୍ତୀର ଅନୁତାପଭରା ଅଶ୍ରୁସିକ୍ତ ମୁହଁକୁ ଚାହିଁ କାଞ୍ଚନ ମାଆ କ’ଣ ଠଉରାଇଲା କେଜାଣି, କଣ୍ଠ ସ୍ୱରକୁ ଟିକିଏ ନରମ କରି କହିଲା, ‘ତୋ ସ୍ୱାମୀ ଭଳି ସୁପୁରୁଷ ଏ ଜଗତରେ ମିଳିବେ ନାହିଁଲୋ। ଗାଁ ଲୋକେ ଯେତେ ଯେତେ ଛି’ଛାକର କଲେ ବି ସେ ଜମା ତତେ ଗାଳିମନ୍ଦ ଦେଉନାହିଁ। ଓଲଟି ସମସ୍ତଙ୍କୁ କହୁଛି ମୋ ବାସନ୍ତୀ ସେମିତି ଝିଅ ନୁହେଁ ମ। ତାକୁ କିଏ ଗୋଟାଏ ଜଡିବୁଟି, ଗୁଣିଗାରେଡି କରି ମୋ ପାଖରୁ ଛଡେଇ ନେଇ ଯାଇଛି। ଦେଖିବ, ସେ ଗୁଣିଗାରେଡିରୁ ମୁକୁଳିଲେ ବାସନ୍ତୀ ଆପଣାଛାଏଁ ମୋ ପାଖକୁ ପୁଣି ଚାଲି ଆସିବ। ମୋ ଘର ସଜାଡ଼ିବ, ମୋ ଅଗଣାରେ ତୁଳସୀ ଚଉରା ମୂଳେ ମୋର ମଙ୍ଗଳ ମନାସି ଘିଅଦୀପ ଜାଳିବ। ମୋ ଅଇଁଠୁକୁ ଆଦର ଯତ୍ନ କରିବ। ପୁଣି ମୋ ଘର ପୂର୍ବପରି ପୂରି ଉଠିବ। ଆଉ କିଛିଟା ଦିନ ସମସ୍ତେ ଗାଁ ଲୋକ ଅପେକ୍ଷା କର। ଅଇଁଠୁ ବି ତୁ ଆସିଲା ଦିନ ଠାରୁ ଖାଲି ମା, ମା କହି କାନ୍ଦୁଛି। ସ୍କୁଲକୁ ସେତେ ଯାଉନି। ମୋ ମାଆ କେବେ ଆସିବ କହି ବାପା ସଂଗେ ଢେର୍ ଅଝଟ କରୁଛି।’


କାଞ୍ଚନ ମାଆର ଏତିକି କଥା ବାସନ୍ତୀର ହୃଦସ୍ଥଳ ଥରାଇ ଦେଲା। ପତି ଦେବତାଙ୍କ ପାଦତଳେ ମଥା ସ୍ୱତଃ ତା’ର ନଇଁଗଲା। ଅଇଁଠୁର ଫୁଙ୍ଗୁଳା ଦେହ, ମାଆ ମାଆ ଡାକ ତାକୁ ଅସ୍ଥିର କରି ପକାଇଲା। ସେ ସେଇ ତୁଠରେ ତା’ର ତେଲ, ହଳଦୀ, ସାବୁନ୍‌କୁ ଫୋପାଡି ଦେଇ ଏକା ନିଃଶ୍ୱାସକେ ନିମେଇଁପୁରକୁ ଧାଇଁଲା। ବାଟରେ ସବୁ ଲୋକେ, ଭୁଆସୁଣୀଟାଏ ମୁଣ୍ଡରେ ଓଢ଼ଣାଟାଣି ଏତେ ଜୋର୍‌ରେ ଧାଉଁଥିବାର ଦେଖି ଆଶ୍ଚର୍ଯ୍ୟରେ ଚାହୁଁଥିଲେ। ଆଉ କେହି କେହି ପାଗଳୀଟାଏ ବୋଲି ଭାବୁଥିଲେ। ଏକା ନିଃଶ୍ୱାସକେ ଧାଇଁ ଧାଇଁ ବାସନ୍ତୀ ନିମେଇଁପୁର ଗାଁରେ ଘର ଅତି ଆପଣାର ଘରେ ପହଂଚିଗଲା। ବାସନ୍ତୀକୁ ଦୁଆର ମୁହଁରେ ଦେଖି ସ୍ୱାମୀ ଖୁସି ହୋଇ ଘର ଭିତରୁ ଅଗଣାକୁ ଦୌଡି ଆସିଲେ। ଅଇଁଠୁକୁ ଡାକ ପକାଇଲେ, ‘ଅଇଁଠୁ, ଅଇଁଠୁ, ଶୀଘ୍ର ଆସ, ଦେଖିବୁ ତୋ ମାଆ ଫେରି ଆସିଛି।’ ସେଇଠି ଠିଆ ହୋଇ ଗାଁ ଲୋକଙ୍କ ଉଦ୍ଦେଶ୍ୟରେ ବଡ଼ ପାଟିରେ ବାସନ୍ତୀର ସ୍ୱାମୀ କହି ଉଠିଲେ, ‘ଦେଖ ହୋ ଗାଁ ବାଲାଏ। ମୋ ବାସନ୍ତୀ କେମିତି ମୋ ଘରକୁ, ମୋ ପାଖକୁ ଫେରି ଆସିଛି। ମୁଁ କହୁଥିଲି ନା’ ତାକୁ କିଏ ଗୁଣିଗାରେଡି କରି ନେଇ ଯାଇଛି। ମୋ ବାସନ୍ତୀ କ’ଣ ମତେ, ଅଇଁଠୁକୁ ଛାଡି ଅନ୍ୟ କେଉଁଠି ରହିପାରିବ?’ ବାସନ୍ତୀ ପାଖକୁ ଯାଇ କହିଲେ, ‘ଆ, ଆ ବାସନ୍ତୀ, ତୋ ଦେହ ମୁଣ୍ଡ ସବୁ ଠିକ୍ ଅଛି ତ? ତୋ ଦେହରୁ କ’ଣ ଏମିତି ଝାଳ ବୋହି ଯାଉଛି। ତୁ ଟିକେ ଅଗଣାରେ ବସ। ଅଇଁଠୁର ମୋର ତୋତେ ତାଳପତ୍ର ବିଞ୍ଚଣାରେ ବିଞ୍ଚି ଟିକେ ସାଷ୍ଟାମ କରିଦେଉ। ତା’ପରେ ଘର ଭିତରକୁ ସୁସ୍ଥ ଦେହରେ ଯାଇ ଯାହା ରନ୍ଧାବଢ଼ା କରିବୁ।’ ଅଇଁଠୁଟା କେଉଁଠି ଥିଲା କେଜାଣି ବାପାର କଥା ନ ସରୁଣୁ ମାଟି କାନ୍ଥରେ କଣ୍ଟାରେ ଝୁଲୁଥିବା ତାଳପତ୍ର ବିଞ୍ଚଣା ଦୁଇଟା ନେଇ ଆସି ଦୁଇ ହାତରେ ମାଆକୁ ଖାଲି ବିଞ୍ôଚ ପକାଇଲା। ମାଆର ପଣତକାନିରେ ନିଜ ଆଖିର ଲୁହକୁ ପୋଛି ପକାଇ, ଆଉ ଆମକୁ ଛାଡି କେଉଁଆଡେ ଯିବୁନି ଲୋ କହି ଅଳି କରୁଥିଲା। ବାସନ୍ତୀର ମନେ ପଡୁଥିଲା ମାର୍ଗଶିର ମାସ ଆଦ୍ୟ ଗୁରୁବାର ମାଣବସାରେ ମାଆ ଜଗଜ୍ଜନନୀ ଲକ୍ଷ୍ମୀ ଠାକୁରାଣୀଙ୍କ ପାଖରେ ବୋଲାଯାଉଥିବା ଲକ୍ଷ୍ମୀ ପୁରାଣର ସେଇ ଅପାଶୋରା ଅଭୁଲା ଅମୃତୟମୟ ପଦ। ଯଥା –
“ପତି ସେବା ବିନା ନାହିଁ ନାରୀଙ୍କର ଗତି,
ପତିପ୍ରାଣା ନାରୀ କରେ ସ୍ୱର୍ଗ ଲୋକେ ଗତି।”

ସେ ସେହି ଦିବ୍ୟ ମୁହୂର୍ତ୍ତରେ ହିଁ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ପାଲଟି ଯାଉଥିଲା। ଅତି ଚଞ୍ଚଳାରୁ ଅସମ୍ଭବ ସ୍ଥିରା, ଗମ୍ଭୀରା ପାଲଟି ଯାଉଥିଲା। ତାଙ୍କ ଗାଁର ଭାଗବତ ଆଲୋଚନା ସଭାରେ ପଣ୍ଡିତ ମହାଶୟଙ୍କ ଠାରୁ ଥରେ ବାସନ୍ତୀ ଶୁଣିଥିଲା, “ଗଭୀର ପଶ୍ଚାତ୍ତାପ ହିଁ ପାପର ବିଷଫଳକୁ ବିନାଶ କରିଥାଏ।” ଏବେ ସେ ଗ୍ଳାନି, ଅପମାନ ଓ ପଶ୍ଚାତ୍ତାପର ନିଆଁରେ ଆଉଟି ହୋଇ ହୋଇ ବୋଧେ ଶୁଦ୍ଧ ସୁବର୍ଣ୍ଣ ପାଲଟିବାକୁ ଯାଉଛି। ରୂପ, ଯୌବନର ଅହଂକାର ଧୀରେ ଧୀରେ ତା’ ମନରୁ, ଅନ୍ତରରୁ ଖସି ଖସି ରସାତଳଗାମୀ ହୋଇଯାଉଛି। କିଏ ଜଣେ ତା’ କାନରେ ପଣ୍ଡିତ ପ୍ରବର ଚାଣକ୍ୟଙ୍କ ସେଇ ନୀତି ଶ୍ଳୋକ ଅହରହ ଉଦାତ୍ତକଣ୍ଠରେ ଉଚ୍ଚାରଣ କରି ଶୁଣେଇ ଦେଉଛି- “କୋକିଳାନାଂ ସ୍ୱରୋରୂପ, ନାରୀ ରୂପିଂ ପତିବ୍ରତା, କରୁଣାପାଣାଂ ବିଦ୍ୟରୂପ, କ୍ଷମା ରୂପ ତପସ୍ୱୀନାମ୍।” ଅଧୋଽବଦନା, ପରିଶ୍ରାନ୍ତା ବାସନ୍ତୀ ଏଥର କିଏ ସେହି ଶ୍ଳୋକଉଚ୍ଚାରଣକାରୀ ମହାନୁଭବ ବୋଲି ଧୀରେ ଆଖି ଟେକି ଚାହିଁଲା। ବାସନ୍ତୀକୁ ଲାଗିଲା, ଶ୍ଳୋକ ଗାଉଥିବା ପଣ୍ଡିତ ପ୍ରବର ଯେମିତି ଖାଲି ତା ସ୍ୱାମୀ ନୁହନ୍ତି, ସେ ସେହି ଶ୍ଳୋକର ମୂର୍ତ୍ତିମନ୍ତ ନାୟକ, ମହାର୍ଘ୍ “କ୍ଷମା”କୁ ଅଳଙ୍କାର କରି ପିନ୍ଧିଥିବା ନିଚ୍ଛକ୍ ତପସ୍ୱୀଟିଏ। ବାସନ୍ତୀ ଦୃଢ଼ ନିଶ୍ଚିତ ହେଲା ଯେ ପୂତ୍ତିଗନ୍ଧମୟ ନରକରୁ ସେ ବହୁ କଷ୍ଟରେ ଉଠି ଉଠି ସୁଶୋଭିତ ସ୍ୱର୍ଗ ରାଜ୍ୟରେ ଆସି ପହଁଚିଯାଇଛି। ସରଳ, ନିଷ୍କପଟ, ତପସ୍ୱୀ, ବିବେକୀ ସ୍ୱାମୀଙ୍କ କ୍ଷମାର ଦିବ୍ୟସ୍ପର୍ଶରେ ପୋଛି ହୋଇଯାଇଛି, ତା’ର କଳେବରରୁ ସମସ୍ତ ଆବର୍ଜନା। ଏଇଠି ହିଁ ତା’ର ଜୀବନ, ଏଇଠି ହିଁ ତା’ର ମୃତ୍ୟୁ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୩ ସଂଖ୍ୟାରେ ପ୍ରକାଶିତ । )

Leave a Reply

Your email address will not be published. Required fields are marked *