ପୁଅର ଭକ୍ତି ! କେଉଁ ମାଆକୁ ଭଲ ନ ଲାଗିବ ଯେ !
-“ମା’! ଆଜି ଟିକେ ଆଇଁଷ ତରକାରୀ କରିଥିବୁ ତ!” ଘରୁ ବାହାରି ଯାଉ ଯାଉ ପୁଅ ମାଆକୁ କହିଲା।
ଏବେ ଏବେ ଆଇଁଷ ତରକାରୀ ପାଇଁ ତା’ ଭିତରେ ଖୁବ ଇଚ୍ଛା ଓ ଆଗ୍ରହ ବଢ଼ିଛି। ଭାତ ପାଖରେ ଚିକେନ୍ କିମ୍ବା ମଟନ୍ ତରକାରୀ ଦେଖିଲେ ସେ ଭାରି ଉଲ୍ଲସିତ ହେଉଛି। ସମୟ ଓ ଅବସ୍ଥା ଏମିତି ବଦଳାଇଦିଏ ମଣିଷକୁ।
ପୁଅର ଇଚ୍ଛା ପୂରଣ କରିବାକୁ କେଉଁ ମାଆ ପଛେଇ ଯାଏ କ’ଣ! ନିଜର ପାରିବାପଣ ଭିତରେ ଯେତିକି ହୁଏ ଅବଶ୍ୟ କରେ। ‘ମୋ ଗେହ୍ଲା ପୁଅ’, ‘ମୋ ଗେହ୍ଲା ପୁଅ’ – ବାରମ୍ବାର ପୁଅକୁ ଏମିତି କହି ଆସୁଥିଲା ତା’ର ମାଆ। ପୁଅକୁ ଦେଖିଲେ ଖୁସି ହେଉଥିଲା। ତେଣୁ ପୁଅର କଥାଶେଷରେ ‘ହଁ, କରିଥିବି’ ବୋଲି ନ କହି ପଚାରିଲା – “ଚିକେନ୍ ନା ମଟନ୍?”
ପୁଅ ମୁର୍କି ହସିଲା। ଯୋଗ୍ୟ ପୁଅର ଏଇ ମୁର୍କି ହସରେ ମାଆର ପେଟ ପୂରିଉଠିଲା। ପୁଅ କହିଲା – “ଚିକେନ୍ ଚଳିବ। ଯଦି ମଟନ୍ ଆଣି କରିପାରିବୁ, ତେବେ ଆହୁରି ଭଲ।”
-“ହଉ,ଦେଖିବା।” ମାଆ ଏତିକି କହିଲା। ଆଉ କିଛି କହିଲା ନାହିଁ। ପୁଅ ଘରୁ ବାହାରି ଗଲା।
ମାଆର ଅବସ୍ଥା ଆଉ ଆଗ ଭଳି ନ ଥିଲା। ୟା ଭିତରେ ତାକୁ ମିଳି ସାରିଥିଲା ବିଧବା ଭତ୍ତା। ଟଙ୍କିକିଆ ଚାଉଳ ତା’କୁ ନିୟମିତ ମିଳୁଥିଲା। ଏବେ ତ ସେଇଟା ଆଉ ଟଙ୍କିକିଆ ବି ନୁହଁ, ପୂରା ମାଗଣା ହୋଇଯାଇଛି। ଆଉ ଅନ୍ୟାନ୍ୟ ରାସନ୍ ବି ସେ ପାଉଥିଲା ସରକାରଙ୍କଠାରୁ। ଆବାସ ଯୋଜନାରେ ଯେଉଁ ପକ୍କା ଘର ମିଳିଥିଲା, ଧରାଧରି କରି ପୁରୁଣା ଘରେ ରଙ୍ଗ ବୋଳି ଟଙ୍କା ସବୁ ନେଇ ଗାଆଁ ଡାକଘରେ ଜମା ରଖିଥିଲା ସେ। ପୁରୁଣା ପାଇଖାନାରେ ରଙ୍ଗ ବୋଳି, ସେଥିପାଇଁ ମିଳିଥିବା ଟଙ୍କାକୁ ମଧ୍ୟ ଜମା ରଖିଥିଲା।
ଏବେ ତା’ ପାଖରେ ବହୁତ ଟଙ୍କା ଥିଲା। କହିବାକୁ ଗଲେ ଏକପ୍ରକାର ସ୍ବଚ୍ଛଳ ଅବସ୍ଥା ଦେଇ ଗତି କରୁଥିଲା ସେ; ଏବଂ ଏହି କାରଣରୁ ତା’ ପ୍ରତି ପୁଅର ଭକ୍ତି ମଧ୍ୟ ଖୁବ୍ ବଢ଼ି ଯାଇଥିଲା।
ପୁଅର ଭକ୍ତି! କେଉଁ ମାଆକୁ ଭଲ ନ ଲାଗିବ ଯେ! ପୁଅ କାନ୍ଦିଲେ ତାକୁ ସ୍ତନରୁ କ୍ଷୀର ଦେଇଥିଲା ସେଇ ମାଆ। ଏବେ ସେ ଭାବୁଥିଲା ଯେମିତି ଭକ୍ତିଭାବରେ ପୁଅ ତା’ର ଋଣ ସୁଝୁଛି। ଖୁସି ହେଉଥିଲା ମାଆ।
ଏଇ ଖୁସିରେ ପୁଅ ଏବେ ପଚାଶ ମାଗିଲେ ତା’ ହାତକୁ ଶହେ ବଢ଼ାଇ ଦେଉଥିଲା ମାଆ।ଆଗରୁ ପୁଅକୁ ଭୋକ ବେଳରେ ଭାତ ମୁଠେ ଦେଇପାରୁ ନ ଥିବା ମାଆ ଏବେ ଶହେ ବାହାର କରୁଥିବାରୁ ପୁଅର ଆନନ୍ଦ ମଧ୍ୟ ଆକାଶକୁ ଛୁଇଁ ଯାଉଥିଲା।
ସାଇପଡ଼ିଶାରେ ଏବେ ମାଆ ମୁହଁରେ ଥିଲା ପୁଅର କାହିଁରେ କ’ଣ ପ୍ରଶଂସା। – “କିଏ ତିନିଟା ପାଞ୍ଚଟା ଝିଅ ରଖିଲାଣି, ତ କିଏ ମଦ ପିଇ ପଇସା ଉଡ଼େଇଲାଣି। ମୋ ପୁଅ ସେମିତି ନୁହେଁ। ତା’ର ଭାରି ମୋ ଚିନ୍ତା।” ଏମିତି କହୁଥିଲା ମାଆ।
ପୁଅ ବି ଏବେ ସାଇପଡ଼ିଶାରେ ମାଆର ପ୍ରଶଂସା କରୁଥିଲା। କହୁଥିଲା – “ବାପାର ଅଭାବ ମୋତେ ଜାଣିବାକୁ ଦେଇନି ମୋ ମାଆ। ତା’ ପାଇଁ ମୁଁ ଆଜି ଗର୍ବରେ ଦାଣ୍ଡରେ ଠିଆ ହୋଇପାରୁଛି। ସେ ମୋର ଏବେ ସବୁ ସୁଖଶାନ୍ତିର ଚାବିକାଠି।”
ଆହା! କେଡ଼େ ଆଦର୍ଶ ଏ ମାଆ ପୁଅ ଦିହେଁ! ଏମାନଙ୍କ ଠାରୁ ସମସ୍ତେ ଶିଖିବାର କଥା। – ସାଇପଡ଼ିଶାର ଲୋକେ ସେମାନଙ୍କ ପଛରେ କୁହାକୁହି ହେଉଥିଲେ।
ପୁଅ ଘରୁ ବାହାରି ଚାଲିଗଲାଣି ସେତେବେଳକୁ। ମାଆକୁ ଚିକେନ୍, ମଟନ୍ ଚିନ୍ତା ଘାରିଲା। ଯା’ ହେଉ ସେଦିନ ସେ ପଡୋଶୀଘର ପୁଅ ହାତରେ ମଟନ୍ ମଗାଇବାକୁ ସମର୍ଥ ହୋଇପାରିଲା। ମଟନ୍ ଆସି ଘରେ ପହଞ୍ଚିଲାରୁ ତାକୁ ତେଲ, ମସଲା ଦେଇ ମନଯୋଗ ସହକାରେ ରାନ୍ଧିଲା।
ରାତି ସେତେବେଳକୁ ଦଶଟା ପରେ ହେଲାଣି। ଘରକୁ ଫେରିଲା ପୁଅ। ଘରସାରା ମଟନ୍ ମହକ ଖେଳୁଥାଏ।ପୁଅ ହସିଦେଇ କହିଲା – “ମୋ ମାଆ ପରି କିଏ ହେବ!”
ମାଆ ପୁଅର କଥା ବୁଝିପାରି କହିଲା – “ଆମର କ’ଣ ପଇସା ନାହିଁ! ଆମେ କାହିଁକି ଚିକେନ୍, ମଟନ୍ ଖାଇବାନି!”
-“ହଁ, ମା’! ମୁଁ ତ ସେୟା କହୁଛି। ଚିକେନ୍, ମଟନ୍ ହେଲେ ମୋର ତ ଖୁସି।” ପୁଅ ଉଛୁଳିପଡ଼ି କହିଲା।
-“ହେଲେ ଆଗରୁ ତ ତୁ ଏପରି ନ ଥିଲୁ! ଏବେ ତୋର କାହିଁକି ଆଇଁଷ ଆଡ଼କୁ ଏତେ ମନ ଟାଣୁଛି?” ମାଆ କହିଲା।
-“ତୁ କ’ଣ ଆଗରୁ ଏପରି ଥିଲୁ, ମା’! ମାଗିଲେ ମୋ ହାତରେ ଟଙ୍କାଟିଏ ପରା ତୁ ଦେଇପାରୁ ନ ଥିଲୁ। ସତ କହିବି? ଏବେ ତୋ ପଇସାରେ ମୋର ବୋତଲେ ମଦ ହୋଇଯାଉଛି ପରା। ପାଟିଟା କେମିତି ଆଇଁଷ ନ ଖୋଜିବ ତୁ କହ!” ପୁଅ କହିଲା।
ପୁଅର ଏଇ କଥା ଶୁଣି ମାଆର ଛାତି ଧକ୍ ଧକ୍ ହେଲା। ମୁହଁ ଶୁଖିଗଲା। ପୁଅକୁ କ’ଣ କହିବ ହଠାତ୍ ଭାବି ପାରିଲାନି ସେ। ମନଦୁଃଖ କରି କଥା ବାଆଁରେଇ ଅନ୍ୟ ଆଡ଼କୁ ଚାଲିଗଲା।
ଏବେ ଏମିତି ହୋଇଛି ଯେ ସାଇପଡ଼ିଶାରେ ଆଉ ପୁଅର ପ୍ରଶଂସା କରିପାରୁନି ମାଆ। ସବୁବେଳେ ଲୁଚିଲୁଚି କାନ୍ଦୁଛି।
ଖୁବ୍ ସୁନ୍ଦର ହୋଇଛି ଗଳ୍ପଟି।