ସାହିତ୍ୟରେ ଚୋରୀ ଭାବଗତ ହୋଇପାରେ। ମୂଳ ଭାବଟିକୁ ଟିକେ ବୁଲେଇ ବଙ୍କେଇ କହିଦେଲେ ତାହା ନିଜର ହୋଇଯିବ ବୋଲି ଅନେକ ମନେକରିଥାନ୍ତି।
ଓଡିଆ ସାହିତ୍ୟରେ ପ୍ରତିଦିନ ଅଧିକରୁ ଅଧିକ ପୁସ୍ତକ, ପତ୍ରପତ୍ରିକା ପ୍ରକାଶିତ ହେବାବେଳେ ଦୈନିକ, ସାପ୍ତାହିକ, ପାକ୍ଷିକ ସମ୍ବାଦପତ୍ରଗୁଡିକର ସଂଖ୍ୟା ମଧ୍ୟ ବଢୁଛି। ରାଜ୍ୟର ୭୦ହଜାରରୁ ଅଧିକ ଶିକ୍ଷାନୁଷ୍ଠାନଗୁଡିକରେ ହାତଲେଖା ପ୍ରାଚୀରପତ୍ରଠାରୁ ବାର୍ଷିକ ପତ୍ରିକା ମଧ୍ୟ ପ୍ରକାଶ ପାଉଛି। ଏହା ଓଡିଆ ସାହିତ୍ୟର ଭିତ୍ତିଭୂମିକୁ ଭବିଷ୍ୟତ ପାଇଁ ସଶକ୍ତ କରୁଛି ନିଶ୍ଚୟ। କିନ୍ତୁ ଏହି ସମୟରେ ଯେତେ ସବୁ ରଚନା ପତ୍ରପତ୍ରିକାରେ ପ୍ରକାଶ ପାଉଛି ସେ ସବୁର ଅଧ୍ୟୟନ, ଅନୁଶୀଳନ, ସୂଚୀକରଣ, ସମୀକ୍ଷା, ଆଲୋଚନା ଆଦି ହେଉନାହିଁ। ଯଦିଓ କେଉଁଠି କେହି ଜଣେ ଭଲ ଲେଖିଲା ତା ପାଇଁ ପ୍ରେରଣାଦାୟକ ଏବଂ ଉତ୍ସାହ ବୃଦ୍ଧି ହେଲା ପରି ଦି’ପଦ ସମର୍ଥନ କରି କେହି ଲେଖିବା ଦେଖାଯାଉନାହିଁ। ସମସ୍ତେ ନିଜ ନିଜ ଲେଖାର ସଂଖ୍ୟା ବଢାଇବାରେ ବ୍ୟସ୍ତ, ବହି ଛାପିବାରେ ବ୍ୟସ୍ତ। ଲୋକେ କିଣନ୍ତୁ ନ କିଣନ୍ତୁ, ପଢନ୍ତୁ ବା ନ ପଢନ୍ତୁ , ପସନ୍ଦ କରନ୍ତୁ ବା ନକରନ୍ତୁ , ନିଜ ବହି ଛାପି ମାଗଣାରେ ବାଣ୍ଟିଦେଇ ଆତ୍ମସନ୍ତୋଷ ଲାଭ କରିବାରେ ବ୍ୟସ୍ତ। ଏଥିପାଇଁ ରାଜ୍ୟରେ ଦିନକୁ ଦିନ ଅଧିକରୁ ଅଧିକ ରଦ୍ଦି ଗୋଦାମର ସଂଖ୍ୟା ବଢିବାରେ ଲାଗିଛି, ସହର-ବଜାରର ଗଳିକନ୍ଦିରେ ଏହି ଗୋଦାମଗୁଡିକରୁ ସବୁ ସପ୍ତାହରେ ଟ୍ରକ୍ ଟ୍ରକ୍ ପରିମାଣର ପତ୍ରପତ୍ରିକା ଏବଂ ପୁସ୍ତକମାନ କିଲୋଦରରେ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି।
ଏବେ ୪୦ରୁ ଅଧିକ ଦୈନିକ ଖବରକାଗଜ ରାଜ୍ୟରୁ ବାହାରୁଥିଲା ବେଳେ ସେମାନଙ୍କ ସାହିତ୍ୟ ପୃଷ୍ଠା ପାଇଁ ୪୦୦ରୁ ଅଧିକ ଲେଖା ଏବଂ ଦୈନିକ ୧୦୦ରୁ ଅଧିକ ଲେଖା ସଂପାଦକୀୟ ପୃଷ୍ଠା ପାଇଁ ଲୋଡା ହେଉଛି। ନବାଗତ ଲେଖକ-ଲେଖିକା ଏସବୁରେ ସ୍ଥାନ ପାଇ ଭବିଷ୍ୟତରେ ବଡ ଲେଖକ ହେବେ, ଭଲ ଲେଖକ ହେବେ ଏଥିରେ ସନ୍ଦେହ ନାହିଁ। କିନ୍ତୁ କଥା ହେଲା ଯେ ପ୍ରକାଶପ୍ରାବଲ୍ୟ ମଧ୍ୟରେ କାହା ଲେଖା କିଏ ନେଇ କେଉଁଠି, କାହା ନାମରେ ପ୍ରକାଶିତ କରୁଛି ତାହା ଜଣା ପଡୁନାହିଁ। ଏବେ ସଂଖ୍ୟାଧିକ ପତ୍ରପତ୍ରିକା ପ୍ରକାଶ ସାଙ୍ଗକୁ ସଂଖ୍ୟାଧିକ ଲେଖା ଓ ଭାବ ଚୋରୀ ଏବେ ବଡ ସମସ୍ୟା ହୋଇ ଦେଖାଦେଲାଣି, ଯେଉଁଥିପାଇଁ ନିଉଜ୍ୱାଚ୍ ପରି ଲିଟରେଚର ୱାଚ୍, ରାଇଟର ୱାଚ୍ ସଂସ୍ଥାମାନ ଖୋଲିବା ଦରକାର ହେଲାଣି।
ସେବେ ବି ଥିଲା
ଅତୀତ ଦିନରେ ଯେ ଏହି ଲେଖାଚୋରୀ ନଥିଲା , ତା’ନୁହେଁ। କିନ୍ତୁ ସଂଖ୍ୟାରେ ସେସବୁ କମ୍ ଥିଲା ଯାହା ଆଜିକାଲି ଢେର ବଢିଯାଇଛି। ଏକଦା ଏମିତି ଏକ କବିତା ୯୦ ଦଶକରେ ଝଙ୍କାର ପୃଷ୍ଠାରେ ‘ଚିଠି’ ଶୀର୍ଷକରେ ଜୟକୃଷ୍ଣ ବାରିକଙ୍କ ନାମରେ ବାହାରିଥିଲା। କିନ୍ତୁ ‘ପୁନଶ୍ଚ କବିତା’ରେ ଡକ୍ଟର ପ୍ରଫୁଲ୍ଲ କୁମାର ରଥ ସେହି ଲେଖାଟି ବଙ୍ଗଳାର ‘ଚିଠି’ କବିତାର ଅବିକଳ ନକଲ ବୋଲି ଅଭିଯୋଗ କରିବା ସଙ୍ଗେ ସଙ୍ଗେ ମୂଳ ଲେଖାଟି ସହ ଶ୍ରୀ ବାରିକଙ୍କ ନାମରେ ପ୍ରକାଶିତ କବିତାକୁ ମଧ୍ୟ ଛାପିଥିଲେ, ଯାହା ଧାଡି ଧାଡି ମିଶିଯାଉଥିଲା। ପରେ ପ୍ରାୟ ତିନିବର୍ଷ ଯାଏଁ ଶ୍ରୀ ବାରିକଙ୍କର କବିତା ପ୍ରକାଶ ବନ୍ଦ ହେବାର ପରିଲକ୍ଷିତ ହୋଇଥିଲା। ୧୯୮୦ଦଶକରେ ଏସ୍ସିଇଆର୍ଟିରେ ଶରତ ଚନ୍ଦ୍ର ଦାସ ଦାୟିତ୍ୱରେ ଥିଲାବେଳେ କେତେକ ପାଣ୍ଡୁଲିପି ପ୍ରସ୍ତୁତ ହୋଇଥିଲା ପ୍ରକାଶନ ପାଇଁ। ପରବର୍ତ୍ତୀ କାଳରେ ଦୀର୍ଘଦିନ ଧରି ପାଣ୍ଡୁଲିପିକୁ କର୍ତ୍ତୃପକ୍ଷ ପକାଇ ରଖିଲେ। ହେଲେ ସେହି ପାଣ୍ଡୁଲିପି ୧୫ ବର୍ଷ ପରେ ଉକ୍ତ ସଂସ୍ଥାରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ପତ୍ନୀଙ୍କ ନାମରେ ପ୍ରକାଶ ପାଇବା ଦେଖାଯାଇଥିଲା। ସଂପୃକ୍ତ ଲେଖକ ଦିଗରାଜ ବ୍ରହ୍ମା ଏକଦା ସେହି ସଂସ୍ଥାରେ ଥିଲେ ଏବଂ ପ୍ରକାଶକ ମଧ୍ୟ ସେହି ସଂସ୍ଥାରେ ପରବର୍ତ୍ତୀ ସମୟରେ କର୍ମଚାରୀ ହୋଇଥିଲେ। ଏମିତି ପୁସ୍ତକ ଚୋରୀର ବିଷୟ ପ୍ରମାଣିତ କରିବାକୁ ମୂଳ ଲେଖକ କୋର୍ଟ କଚେରୀକୁ ନଯାଇ ଚୁପ୍ ରହିବାରୁ ମାମଲାଟି ସେଇଠି ରହିଗଲା।
ଅନେକ ବଡ ଲେଖକ ଓ କବି ସେମାନଙ୍କ ଚମତ୍କାର ଚାଲାକୀରେ କିପରି ଅନ୍ୟ ସାହିିତ୍ୟର ପାଠକୁ ଉଠାଇପାରନ୍ତି ତାହା ଆମେ ଲକ୍ଷ୍ୟ କରିପାରିବା। ଯେମିତି ଇଂରାଜୀରେ ଏଲିୟଟ ଲେଖିଥିଲେ-
“ହିଅର୍ ଇଜ୍ ନୋ ୱାଟର୍ , ବଟ୍ ଓନ୍ଲି ରକ୍।
ରକ୍ ଆଣ୍ଡ ନୋ ୱାଟର ଆଣ୍ଡ ଦି ସ୍ୟାଣ୍ଡଲି ରୋଡ୍।”
ଗୁରୁ ପ୍ରସାଦଙ୍କ ଲେଖାରେ ତାର ପ୍ରତିଫଳନ ଆମେ ଦେଖିବାକୁ ପାଉ –
“ନିଶବ୍ଦ ଏ ବାଲିଚର ବାଲି ଆଉ ବାଲି
ବିବର୍ଣ୍ଣ ଘାସ ଓ ବାଲି ପଥହୀନ ବିବର୍ଣ୍ଣ ପୃଥିବୀ।”
ଏଲିୟଟ ତାଙ୍କର ୱେଷ୍ଟଲାଣ୍ଡରେ – ‘ଏପ୍ରିଲ୍ ଇଜ୍ ଦି କ୍ରୁଏଲେଷ୍ଟ୍ ମନ୍ଥ ’ ଲେଖିବା ପରି ଗୁରୁପ୍ରସାଦ କାଳପୁରୁଷରେ ଲେଖିଛନ୍ତି – ବର୍ଷାଋତୁ ନିର୍ମମ ନିଷ୍ଠୁର। ଆଉ ଏକ ସ୍ଥାନରେ ଏଲିୟଟ୍ ଲେଖିଛନ୍ତି – ‘ଷ୍ଟରିଂ ଡଲ୍ ରୁଟ୍ସ୍ ୱିଥ୍ ସ୍ପ୍ରିଙ୍ଗ୍ ରେନ୍’ ।
ଗୁୁରୁପ୍ରସାଦ ଲେଖିଛନ୍ତି-
“ବର୍ଷା ପଡେ ଝରି,
ଥରାଇ ମୁମୂର୍ଷୁ ଆତ୍ମା
ଥୁଣ୍ଟା ଗଛ ଶିଅ ମୂଳେ ମୂଳେ..।”
ଏଲିୟଟ ତାଙ୍କ ୱେଷ୍ଟଲାଣ୍ଡରେ ଲେଖିଛନ୍ତି, ‘…. ସମର୍ ସର୍ପ୍ରାଇଜ୍ଡ୍ ଅସ୍। ’
ଗୁରୁ ପ୍ରସାଦ ବର୍ଷାଋତୁ ସଂପର୍କରେ ବର୍ଣ୍ଣନାକରି ଲେଖିଛନ୍ତି-
“ସେଦିନ ଆସିଲା ବର୍ଷା….
…ଚମତ୍କୃତ ବିସ୍ମିତ ମୁଁ …।”
‘ଦିସ୍ ମ୍ୟୁଜିକ୍ କ୍ରେପ୍ଟ୍ ବାଇ ମି ଅପନ୍ ଦି ୱାଟର୍ସ୍ ’ -ଲେଖିଛନ୍ତି ଏଲିୟଟ। ଠିକ୍ ସେମିତି ଗୁୁରୁପ୍ରସାଦ ଲେଖିଛନ୍ତି “ଗୀତ ମୋର ଭାସିଗଲା
ସୁଏ ସୁଏ କେନାଲ ପାଣିରେ।”
ଏଲିୟଟଙ୍କ ‘ଅନ୍ରିଅଲ୍ ସିଟି ’ ପରି ‘ପ୍ରିୟବାନ୍ଧବୀ’ କବିତାରେ ଗୁରୁପ୍ରସାଦ ଲେଖିଛନ୍ତି – “ମୋ ଆଖିରେ ଅବାସ୍ତବ ପାଲଟିଛି ଏସହର ତେବେ।”
ଭାବଗତ ଚୋରୀ
ସାହିତ୍ୟରେ ଚୋରୀ ଭାବଗତ ହୋଇପାରେ। ମୂଳଭାବଟିକୁ ଟିକେ ବୁଲେଇ ବଙ୍କେଇ କହିଦେଲେ ତାହା ନିଜର ହୋଇଯିବ ବୋଲି ଅନେକ ମନେକରିଥାନ୍ତି। ଯଦି କେହି ତ୍ରୁଟିବିଚ୍ୟୁତିକୁ ଧରିନେଇ ସମାଲୋଚନା କରିବସେ ତେବେ ପରବର୍ତ୍ତୀ କାଳରେ ସେମାନେ ଅସହିଷ୍ଣୁ ହୋଇପଡିଥାନ୍ତି। କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ନିଜସ୍ୱ ରଚନାରେ ଏହାର ପ୍ରମାଣ ରହିଛି। ସେ ଲେଖିଛନ୍ତି, “ମୁଁ ଏଭଳି ଅସୌଜନ୍ୟପୂର୍ଣ୍ଣ ବ୍ୟବହାର ପୃଥିବୀର ଅନ୍ୟ କୌଣସି ଦେଶରେ ପାଇନାହିଁ କି ଅନ୍ୟ କିଏ ପାଇବାର ଜାଣିନାହିଁ। ଭାରତବର୍ଷର ପ୍ରାୟ ସମସ୍ତ ଅଙ୍ଗ ରାଜ୍ୟରେ ମୁଁ ଦୀର୍ଘ ସମୟ ଅତିବାହିତ କରିଚି। ପୃଥବୀର ବିଭିନ୍ନ ଦେଶମାନଙ୍କରେ ବହୁବାର ବିଭିନ୍ନ ଅନୁଷ୍ଠାନମାନଙ୍କ ଆମନ୍ତ୍ରଣ ଓ ଆନୁକୂଲ୍ୟରେ ଦୀର୍ଘଦିନ କଟାଇବାର ସୁଯୋଗ ପାଇଛି। ସବୁଠି ମୁଁ ପାଇଚି ଅକୃପଣ ସ୍ନେହ, ଶ୍ରଦ୍ଧା, ଆତିଥ୍ୟ ଓ ସମ୍ମାନ ଏବଂ ଅକାତର ସାହାଯ୍ୟ , ସହାନୁଭୂତି ପଛରୁ ଛୁରି ଭୁଷା ବା ଗୋଡଟଣା ନୁହେଁ। ଆମ ଦେଶ ଭଳି ସ୍ନେହ -ମମତା ବର୍ଜିତ, ଈର୍ଷାପରାୟଣ ଏବଂ ଅରୁଚିକର ଜଳବାୟୁ ପୃଥିବୀର ଅନ୍ୟ କେଉଁଠି ଅଛି ବୋଲି ମୋର ମନେ ହୁଏ ନାଇଁ।” କିନ୍ତୁ କବିଙ୍କ ଆଦର୍ଶଗତ ପରିବର୍ତ୍ତନକୁ ସମାଲୋଚନା କରି ସ୍ୱର୍ଗତ ଗୋଦାବରୀଶ ମହାପାତ୍ର ‘ନିଆଁଖୁଣ୍ଟା’ରେ ଲେଖିଥିଲେ-
“ଭରି ନିଆଁବାଣ ମାରୁଥଲ ତୁମେ ରାଉତରା
କବିତାରେ ତୋଳି ନୂଆ ଝଡ,
କେଶୋରାମ ମିଲ ଅଡୁଆ ସୂତାରେ ହୋଇ ଧରା
କି ମନ୍ତ୍ରରେ ତୁମେ ହେଲ ଜଡ।”
ରବି ସିଂହଙ୍କ ଅଭିଯୋଗ
କବି ସଚ୍ଚି ରାଉତରାୟ ଅନେକ ବଙ୍ଗଳା କବିତାର ଓଡିଆ ରୂପ ପ୍ରଦାନ କରିଥିବା ଅଭିଯୋଗ ଅତୀତରେ ଆଣିଥିଲେ କବି ରବି ସିଂହ। କବି ଜୀବନାନନ୍ଦ ଦାଶଙ୍କ ଅନେକ ଭାବକୁ ଓଡିଆରେ ରାଉତରାୟ କପି କରିଥିବା ସଂପର୍କରେ ସେ ପ୍ରମାଣ ପ୍ରଦାନ କରିବା ସହ ଏ ପ୍ରକାର କାର୍ଯ୍ୟକୁ ଓଡିଆ ସାହିତ୍ୟରେ ଧର୍ଷଣ ବୋଲି ଲେଖି ଉକ୍ତ ଶୀର୍ଷକରେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ।
ଏକଦା ହ୍ୱିଟମ୍ୟାନ ଲେଖିଥିଲେ –
‘ଦିସ୍ ଇଜ୍ ନୋ ବୁକ୍, ହୁ ଟଚେସ୍ ଦିସ୍ ଟଚେସ୍ ଏ ମ୍ୟାନ୍। ‘
କବି ସଚ୍ଚି ରାଉତରାୟ ଲେଖିଛନ୍ତି – ତୁମେ ମୋର ଛାପାବହି ଯେତେ ବେଳେ ଛୁଅଁ, ଛୁଅଁ ନୂଆ ମଣିଷର ଛାତି….
(ରାଜଜେମା, ପାଣ୍ଡୁଲିପି, ଗ୍ରନ୍ଥାବଳୀ ପୃ- ୧୫୧)
ଏହା କଣ ଭାବଚୋରୀ, ଲେଖାଚୋରୀ ନୁହେଁ କି? ଯେମିତି କବି ରବି ସିଂ ମଧ୍ୟ କବି ରାଉତରାୟଙ୍କ ଏକ ଲେଖାକୁ ମଧ୍ୟ ସାମାନ୍ୟ ବଦଳାଇ ଲେଖିଛନ୍ତି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଖଳନାୟକ ହିଟଲରକୁ ସମାଲୋଚନା କରି ସଚ୍ଚି ବାବୁ ଲେଖିଥିଲେ –
“ରାହିନ କୂଳର ପାଇନ ବନରେ
ଶୁଭେ ଝନ୍ଝାର ହସ।”
କବି ରବି ସିଂହ ଲେଖିଲେ –
“ଆଇନର ସେଇ ପାଇନ୍ ବନରେ ସଦା ତୁଷାରର ଝଡ।”
ଅଳକା ସାନ୍ୟାଲ୍
ତେଣୁ ବଙ୍ଗଳାର ‘ବନଲତା ସେନ୍’ ଓଡିଆରେ ‘ଅଳକା ସାନ୍ୟାଲ୍’ ହେଲାପରି ଜୀବନାନନ୍ଦଙ୍କ ‘ଧୂସର ପାଣ୍ଡୁଲିପି’ ମଧ୍ୟ ଓଡିଆରେ ‘ପାଣ୍ଡୁଲିପି’ ରୂପ ନେଇଛି। ବଙ୍ଗଳାର କବି ଜୀବନାନନ୍ଦ ଦାଶଙ୍କ ମହାପୃଥିବୀ ଆଟ ବଚ୍ଛର ଆଗେଇ ଏକଦିନରେ ରହିଛି –
‘ଲାସ୍କଟା ଘରେ ଶୁୟେ ଘୁମୋୟ ଏବାର
ଏଇ ଘୂମ ଚେୟେଛିଲ ବୁଝି। ‘
କବି ସଚ୍ଚି ରାଉତରାୟ ଲେଖିଛନ୍ତି –
“ବହୁଦୂରେ ଲାସ୍କଟା ଘରେ
ଏକ ହାରିକେନ ବତି
ଜଳୁଥିଲା ଦୁକୁଦୁକୁ, ଭୟାନକ ଅତି”।
(ପ୍ରତିମା ନାୟକ)
ଜୀବନାନନ୍ଦଙ୍କ ‘ଧୂସର ପାଣ୍ଡୁଲିପି’ର ଅନୁକରଣରେ ସଚ୍ଚିବାବୁଙ୍କ ଓଡିଆ ‘ପାଣ୍ଡୁଲିପି’ର ଶୀର୍ଷକ ଆସିଛି।
ଜୀବନାନନ୍ଦ ଲେଖିଥିଲେ –
‘ସିଗାରେଟର ଧୋଆଁ
ଟେରିକାଟା କୟେକାଟା ମାନୁଷେର ମାଥା।
ଏଲୋ ମେଲୋ କୟେକଟା
ବନ୍ଧୁ କହି ମନିଷ୍ପନ୍ଦ
ନିରପରାଧ ଘୂମ। ‘
ସଚ୍ଚି ବାବୁ ଲେଖିଛନ୍ତି –
“ନିଃଶବ୍ଦ ଜନତା ମ୍ଳାନ-
କଣ୍ଠେ ତାର ନିର୍ବାପିତ ବାଣୀ
ବେଳେବେଳେ ରକ୍ତହୀନ ଟେରିକଟା
ବ୍ୟାଙ୍କର କିରାଣୀ
ନିରୁଦ୍ଦେଶେ କରେ ଧୂମପାନ,
ନିର୍ଜୀବ ସ୍ନାୟୁରେ ତାର ଦବାଲାଗି
ସାମୟିକ ଶାଣ”।
ସାହିତ୍ୟରେ କିଏ ବହି, କିଏ ଲେଖା, କିଏ ଭାବକୁ ଚୋରୀ କରି ଲେଖୁଥିଲେ ହେଁ ସେ ବିଷୟରେ ଆଲୋଚନା, ସମାଲୋଚନା ଆଜି ବହୁତ କମ୍ ହେଉଛି। କାରଣ ପୁରସ୍କାର ପଛରେ ଧାଇଁଥିବା ଲୋକେ, ଅନ୍ୟର ଗୁଡବୁକରେ ରହିବାକୁ ଚାହୁଁଥିବା ଲୋକେ ଏହାକୁ ଆଦୈା ପସନ୍ଦ କରିବେ ନାହିଁ କିମ୍ବା କାହାର ଶତ୍ରୁ ହେବାକୁ ଚାହିଁବେ ନାହିଁ। କିନ୍ତୁ ଓଡିଆ ସାହିତ୍ୟର ବିକାଶ ଦୃଷ୍ଟିରୁ, ବୈାଦ୍ଧିକ ଆଲୋଚନାର ପ୍ରକାଶ ଦୃଷ୍ଟିରୁ ଏସବୁର ଅଧିକ ଆଲୋଚନା ହେବା ଆବଶ୍ୟକ।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଫେବୃଆରି, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଠିକ୍ କଥା ଲେଖିଛନ୍ତି ଲେଖକ ମହାଶୟ
ଅତ୍ୟନ୍ତ ତଥ୍ୟାତ୍ମକ ଓ ଉପାଦେୟ ଲେଖା