ଅଚିନ୍ତା ପହଣ୍ଡ *

ପ୍ରଶାନ୍ତ ଭୂୟାଁ

“ଶ୍ଲୋକ ତହିଁରେ ଅଛି ସହସ୍ର ଦ୍ୱାଦଶ; କହି ଅଛନ୍ତି ଚର୍ମବାସ ବେଦବ୍ୟାସ”
କୃଷ୍ଣସିଂହଙ୍କ ବିରଚିତ ମହାଭାରତରେ ଏଇ ପଦଟି ଆଖିରେ ପଡ଼ିଲା ଲେଉଟାଇଲା ବେଳେ। ନିଠେଇ ପଢ଼ିଲି; ଆଗକୁ ବଢ଼ିଲି। ଯେତେ ଆଗକୁ ସେତେ ଆଗ୍ରହ, ଉତ୍କଣ୍ଠା ବଢ଼ିଲା। ପଢ଼ିବାର, ବୁଝିବାର ଆଉ ଜାଣିବାର ବୋଧ କେତେ ମସ୍ତର ଅଛି ସତରେ! ତା ସାଙ୍ଗକୁ ଅଛି ଆଉ ଗୋଟିଏ ଦିବ୍ୟ ଗୁଣ; ସେଇଟା ହେଉଛି ଶୁଣିବାର। ମନ ଦେଇ, ଧ୍ୟାନର ସହ; ଆତ୍ମସାର କରିବା ନିମିତ୍ତ। ଯାହା ଆଜିକାଲି ହଜି ଯାଉଛି ଶତପ୍ରତିଶତ ଶ୍ରୋତା ମଣ୍ଡଳରୁ। ଶୁଦ୍ଧପୂତ ହୋଇ ଶୁଣିବା ହେଉଛି ଐଶ୍ୱରୀୟ ଅବବୋଧର ଅଚିନ୍ତା ପହଣ୍ଡ।
ଅଚିନ୍ତା ପହଣ୍ଡ କହିଲେ ସର୍ବାଗ୍ରେ ସଭିଏଁ ବୁଝନ୍ତି ଯେ, ଆମ ସାଆନ୍ତଙ୍କ ରୋଷଘର ଠାରୁ ନାଟମନ୍ଦିର ପର୍ଯ୍ୟନ୍ତ ଥିବା ଆବୃତ ବାଟରେ ଅହ୍ମଣିଆ ଅନ୍ନବ୍ୟଞ୍ଜନ ସମସ୍ତ ରୋଷ-ପାକ-ଭୋଗ ଦେବା ପାଇଁ ଦେଉଳ ଗର୍ଭଗୃହ ଭିତରକୁ ଭୋଗମଣ୍ଡପକୁ ନିଆଯାଏ। ସାହିତ୍ୟକୁ ମୁଁ ନୈବେଦ୍ୟ ବୋଲି ହୃଦୟଙ୍ଗମ କରେ; ଯାହାକୁ ମୋ ଚକ୍ଷୁ ଓ କର୍ଣ୍ଣଗହ୍ୱର ଦେଇ ମୋର ମନ-ପ୍ରାଣ-ଆତ୍ମାର ଭୋଗମଣ୍ଡପକୁ ନିଏ ଶବ୍ଦବ୍ରହ୍ମର ପୂଜାର୍ଚ୍ଚନା ନିମନ୍ତେ। ସେଇ ବୋଧ ହେତୁ, ଏବେ ମଧ୍ୟ ଭାଗବତ, ଭାବ ସମୁଦ୍ର, ବୈଦେହୀଶ ବିଳାସ, ତପସ୍ୱିନୀ, ପ୍ରଭୃତି ପଢ଼େ, ଗାଏ, ଶୁଣେ କାନ ପତେଇ। ଅମୃତତୁଲ୍ୟ ଏଇ ଶରୀରର ରକ୍ତ-ଅସ୍ଥି-ମଜ୍ଜାରେ ଅପ୍ରମେୟ ଶକ୍ତିସ୍ରୋତ ପ୍ରବାହିତ ହୁଏ।
ଏବେ ଭାଷାକୋଷରୁ ପଢ଼ି ବୁଝିଲି ଯେ; ଶ୍ରୀମନ୍ଦିରର ନାଟମନ୍ଦିର ମଧ୍ୟସ୍ଥ ସ୍ଥାନବିଶେଷ, ଯେଉଁଠାରେ ଭକ୍ତମାନେ ବସି ସ୍ତୁତି ପାଠ ଓ ଭଜନ କରନ୍ତି ଓ ସେହି ସମୟରେ ସେମାନଙ୍କୁ ସଂସାର ଚିନ୍ତା ବାଧେ ନାହିଁ; ତାହାର ନାମ ମଧ୍ୟ ଅଚିନ୍ତା ପହଣ୍ଡ। ଏବେ ବୁଝନ୍ତୁ ଶୀର୍ଷକ ପଦର ଆଉ ଏକ ଗୁମର। ଆଉ ଆତ୍ମବିଶ୍ଲେଷଣ କରନ୍ତୁ। ଆମ ସାହିତ୍ୟ ମଞ୍ଚ କ’ଣ ସେହି ଭଳି ଏକ ଦିବ୍ୟବୋଧର ପରିବେଶ ନୁହଁ! ଏହା ବୁଝିବାକୁ ଆମର ଆଗଧାଡ଼ିଆ ଓ ବଡ଼ବଡ଼ିଆଙ୍କ ଠାରୁ ଆରମ୍ଭ କରି ସର୍ବସାଧାରଣଙ୍କୁ ଏତେ ବିଳମ୍ବ କିଆଁ!
କିଛିଦିନ ତଳେ ଆପଣା ଅନୁଭୂତିରେ ଦେଖି-ଶୁଣି-ବୁଝି ଘୁରି ଆସିଲି ନିଜ ଭୂଇଁ ଓଡ଼ିଶାରୁ। ସାହିତ୍ୟକୁ ନୁହଁ; ସାହିତ୍ୟିକର ସାବାସୀ ହେଉଛି। ସାହିତ୍ୟ ନିମନ୍ତେ ନୁହଁ ସାହିତ୍ୟିକ ନିମନ୍ତେ ଗୋଷ୍ଠୀସମୂହ ଅଣ୍ଟା ଭିଡ଼ୁଛନ୍ତି। ସାହିତ୍ୟର ନୁହଁ; ସାହିତ୍ୟ ମଞ୍ଚ ଏବେ ଆତ୍ମପ୍ରଚାରର ମାଧ୍ୟମ ହେଉଛି। ସାହିତ୍ୟର ଶବ୍ଦସମ୍ଭାର ନୁହଁ ଆପଣାର ଶିଂଗାରକୁ ପ୍ରାଧାନ୍ୟ ଦିଆ ହେଉଛି। ସାହିତ୍ୟ ନୁହଁ; ସମ୍ମାନ, ପୁରସ୍କାର, ଉପଢୌକନ, ଆତ୍ମଘୋଷିତ ପଦବୀ ଓ ପଦ୍ମ ପଛରେ ପ୍ରାୟତଃ ସଭିଏଁ ବାୟା।
ସାହିତ୍ୟ ମଞ୍ଚ ଲୋକ ଦେଖାଣିଆ, ରାଜନୈତିକ ଚର୍ଚ୍ଚା, ଆତ୍ମବଡ଼ିମା ଓ ଚିତ୍ରୋତ୍ତଳନର ଶସ୍ତା ମାଧ୍ୟମ ନହେଉ। ସାହିତ୍ୟ ମଞ୍ଚ ଓ ସାହିତ୍ୟ ସଂସାରର ସମସ୍ତ ଜ୍ଞାନୀ ଓ ଗୁଣୀ ସଭିଏଁ ପ୍ରତିଦ୍ୱନ୍ଦୀ ପ୍ରାୟେକ ନହୁଅନ୍ତୁ। ଆମ ସାହିତ୍ୟ ସଂସାର ଅନେକଙ୍କୁ ନାମ, ପରିଚୟ ଓ ସମ୍ମାନ ଦେଇଛି; ରାଜ୍ୟରେ ଓ ରାଜ୍ୟ ବାହାରେ। ହେଲେ କେତେଜଣ ମହାରଥୀ ନୂତନ ପୀଢ଼ିର ଲେଖକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି! ଏଇ ଗୁମର ବୁଝିବାର ସମୟ ଉପନୀତ ଏବେ।
ବୁଝିବା ହେଉ ଯେ, ସମସ୍ତ ବକ୍ତା, ଶ୍ରୋତା, ଦର୍ଶକ, ଲେଖକ, ପ୍ରକାଶକ, ପାଠକ ଓ ସମୀକ୍ଷକଙ୍କ ନିମନ୍ତେ ସାହିତ୍ୟ ମଞ୍ଚ ହେଉଛି ଆମ୍ଭର ଅଚିନ୍ତା ପହଣ୍ଡ *। ଏହାର ଆତ୍ମମର୍ଯ୍ୟାଦା ରହିଛି। ବକ୍ତା ଶୁଦ୍ଧ ସାହିତ୍ୟ କଥା କୁହନ୍ତୁ। ଏହି ମଞ୍ଚର ପବିତ୍ରତା ଓ ଗୌରବମୟ ସମୃଦ୍ଧିରେ ସହାୟକ ହୁଅନ୍ତୁ।
ପ୍ରଭୂ

* ଅଚିନ୍ତା ପହଣ୍ଡ : ଯେଉଁ ଆବୃତ ଗଳିରାସ୍ତା ବାଟେ ଜଗନ୍ନାଥ ମହାପ୍ରଭୁଙ୍କ ରୋଷରୁ ଭୋଗମଣ୍ଡପକୁ ରନ୍ଧା ହୋଇଥିବା ଅହ୍ମଣିଆ ଅନ୍ନ ବ୍ୟଞ୍ଜନାଦି ବୁହା ହୁଏ।

ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୨ ସଂଖ୍ୟାରେ ପ୍ରକାଶିତ ଶ୍ରୀ ପ୍ରଶାନ୍ତ ଭୂୟାଁଙ୍କ ନିୟମିତ ସ୍ତମ୍ଭ 

4 thoughts on “ଅଚିନ୍ତା ପହଣ୍ଡ *

  1. ଲେଖକ ନିଛକ ସତକଥା ଲେଖିଛନ୍ତି । କେତେଜଣ ମହାରଥୀ ନୂତନ ପୀଢ଼ିର ଲେଖକଙ୍କୁ ପ୍ରୋତ୍ସାହନ ଦେଉଛନ୍ତି! ଏଥିପ୍ରତି ସମସ୍ତ ଲେଖକ ମହୋଦୟ ଧ୍ୟାନ ଦେବା ଉଚିତ ।

    1. ଗଙ୍ଗାଧର ଭାଇ
      ସୁମନାସ

      ଶୁଣହୋ ପାଠକେ ତ୍ରାହି ତ୍ରାହି ଡାକ
      ଏବେ ଜାଗ୍ରତର ବେଳ।
      ଶବଦ ସଂସାର ନପାଇବ ଥଳ
      କୂଳ ଜଗତେ କେବଳ॥

      ଏଣୁ ବେଳହୁଁ ସାବଧାନ ହୋଇ ଆମ ଓଡ଼ିଆ ସାହିତ୍ୟ ସଂସାରର ସଭିଙ୍କୁ ପ୍ରୋତ୍ସାହନ ଦେବା ବିଧେୟ।
      -ପ୍ରଭୂ

  2. ନୂତନ ପୀଢ଼ିର ଲେଖକଙ୍କୁ ପ୍ରୋତ୍ସାହନ ଦେଲେ ଭଲ ହୁଅନ୍ତା

    1. ବନୀତା ଭଉଣୀ
      ସୁମନାସ

      ନିଶ୍ଚୟ ଦେବା। ଆମେ ନଦେଲେ ଦେବ କିଏ !
      ଗତ କେଇ ବର୍ଷ ଧରି ସାହିତ୍ୟ ସଭା ଆଉ ମହୋତ୍ସବ ସବୁ ଦେଖି ଆସୁଛି ଆଉ ତାସହ ଦେଖି ଆସୁଛି ରାଜନୀତି ସମାବେଶ ଆଉ ପ୍ରଚାର ସମଗ୍ର।
      ସାହିତ୍ୟରେ ରାଜନୀତିର ପ୍ରଚ୍ଛନ୍ନ ଛାୟା; ଏଣୁ ଚୟନ ଆଉ ନିର୍ଦ୍ଧାରଣ, ସମ୍ମାନ ଆଉ ଜ୍ଞାନ ତଥା ଶ୍ରଦ୍ଧା ଆଉ ସହୃଦୟତାର ଅବବୋଧର ଅଭାବ। ସେଇମତେ ରାଜନୀତି ସଭାରେ ନେତାଙ୍କର ତର୍କ ବିତର୍କରେ ନବରସ ଶବ୍ଦବୋଧ, ଅଙ୍ଗଭଙ୍ଗୀ ସହ ଅଭିନୟ ଚାତୁରୀ, ଭାବପ୍ରବଣତା ଆଉ ‘ସର୍ବଜନ ହିତାୟ ଚ’ ଅବବୋଧ।
      ଏଇ ସବୁଥିରେ କେବଳ ଗୋଟିଏ ନିଷ୍କର୍ଷ ଜାଣିବାକୁ – ବୁଝିବାକୁ – ଦେଖିବାକୁ ମିଳୁଛି ଯେ ଏଇ ଦୁହିଙ୍କର ଦୁଆର ବୋଧହୁଏ ବଦଳି ଯାଇଛି। ତେଣୁ’ତ ପାଠକ, ଦର୍ଶକ, ଶ୍ରୋତା, ରସିକ ଜନତା ସଭିଙ୍କ ଛନ୍ଦଣି ମନ୍ଦଣି ଅବସ୍ଥା ପ୍ରବେଶ ଦ୍ୱାରରେ।
      -ପ୍ରଭୂ

Leave a Reply

Your email address will not be published. Required fields are marked *