- ଦଶହରାର ପବିତ୍ର ଲଗ୍ନରେ କବି ଦେବୀଙ୍କୁ ଆବାହନ କରିଛନ୍ତି ଏକ ନିଆରା ଦୃଷ୍ଟିରେ ।
ସମ୍ବୋଧନୀ…!
ଯଦି ଛନ୍ଦ କପଟରେ ଏତେ ଥିଲା ତୋ ମନରେ
ଥରକେ ମହିଷା ବଧ କଲୁନି କିଆଁ;
ଥାଟ ଧରି ଆସିବାକୁ, ନରବଳୀ ଖାଇବାକୁ
ଦଶଭୂଜା ଦଶଦିଗେ ହୋଇଛୁ ଠିଆ;
ସନ୍ନିଧାପନୀ…!
ଏଇ ଭେଟି ପାଇବାକୁ ଦେଖୁନୁ ମୋ ସଂସାରକୁ,
ଧାଁ ଧପଡ଼ ହୋଇ ଆଜି ଛାନିଆ;
ନଡ଼ିଆ ଚିତା ଚନ୍ଦନ, ସିନ୍ଦୂର ଝୁଣା କଙ୍କଣ
ଚିନ୍ତା ଚଇତନ ସବୁ ହେଲାଣି ସ୍ୱାହା;
ସଂସ୍ଥାପନୀ…!
ନଟରାଜକୁ ସୁହାଏ ଅପୂର୍ବ ତାଣ୍ଡବ ଲୀଳା ଇଏ
ଶିଖିଗଲୁ କଳା ଏଇ ମା ଠାକୁରାଣୀ;
ଆଶିଷ ଆଗକୁ ଥୋଇ, ଦେଲୁ ହେଲୁକି ବାଇ
ଝଡ଼ ବାଆ ବତାସ ବରଷା ପାଣି;
ଆବାହନୀ…!
ଆ ତୁ ଆ ଆଜି, ପ୍ରଳୟ ସହ ଗରଜି
ମନ୍ତ୍ର ତନ୍ତ୍ର ଯନ୍ତ୍ର ଯଜ୍ଞେ ସବୁ ଅର୍ପଣ;
ଆମ୍ଭର ସର୍ବ ବିନାଶ ହେଉ ଅବା ସବୁ ଧ୍ୱଂସ
ମହୋତ୍ସବେ ଆଜି ତୋର ସରବ ଶୂନ୍ୟ;
ସମ୍ମୁଖୀକରଣ…!
ଆବାହନୀ; ହେ ମାଆ, ସନ୍ନିଧାପନୀ; ହେ ମାଆ,
ସମ୍ବୋଧନୀ; ହେ ମାଆ, ସଂସ୍ଥାପନୀ; ହେ ମାଆ;
ତୃପ୍ତି ହୁଅ; ହେ ମାଆ, ଶାନ୍ତ ହୁଅ; ହେ ମାଆ
କ୍ଷାନ୍ତ ହୁଅ; ହେ ମାଆ, ଜଗଜ୍ଜନନୀ ହେ ମାଆ …!
Beautiful poem. Very well written.