ଆସିବ ସୁଦିନ?

  • ଆମ ରାଇଜରେ ଏକ ସ୍ୱର୍ଣ୍ଣିମ ବ୍ୟବସ୍ଥାର ସ୍ୱପ୍ନ ଦେଖନ୍ତି କବି।
ପ୍ରଫୁଲ୍ଲ କୁମାର ତ୍ରିପାଠୀ

ନେତାଗଣ ହୋଇଯିବେ ସ୍ପଷ୍ଟ ସତ୍ୟବାଦୀ
କର୍ମୀଗଣ ହୋଇବେନି ଆଉ ପ୍ରତିବାଦୀ
ବେପାରୀ ସମୂହ ହେବେ ଖୁବ୍‌ ଦାନଶୀଳ
ଆସିବ କି ଏ ଦେଶକୁ ଏହିପରି ବେଳ ?

ଛାତ୍ରଗଣ କରିବେନି ପରୀକ୍ଷାରେ ‘କପି’
ସାଂବାଦିକ ଲେଖୁଥିବେ ସତ୍ୟାସତ୍ୟ ମାପି
ଗାୟକ ବି କରିବେନି ଚିତ୍କାର ପ୍ରବଳ
ଏ ଦେଶକୁ ଆସିବ କି ଏହିପରି ବେଳ?

ସଭା ଆୟୋଜକଗଣ ହେବେ ଶାଂତିପ୍ରିୟ
ନାରୀଗଣ ବୁଲୁଥିବେ ବାଟରେ ନିର୍ଭୟ
ପୂଜା ସହ ମଜା କେବେ ହେବନାହିଁ ମିଶା
ଏ ଦେଶକୁ ଆସିବ କି ଏପରି ସୁଦଶା ?

ଆଉ କେତେ ଯୁଗ କଲେ ଜଣାଣ, ପ୍ରାର୍ଥନା
ପ୍ରଭୁ ଆସି ହଟାଇବେ ପ୍ରାଣୀଂକ ଯଂତ୍ରଣା ?
ଜାଣଂତିନି କେହି କେବେ ସରିବ ଦୁଷ୍କାଳ
ଯୋଜନା ଓ କାର୍ଯକ୍ରମ ହୋଇବ ସଫଳ

ପଥପ୍ରାଂତେ ମିଳିବନି ଖାଦ୍ୟରୂପୀ ବିଷ
ଚିକିତ୍ସକ ଫୁଟାଇବେ ରୋଗୀ ମୁଖେ ହସ
ଲାଂଚରଂକ ହେବେନାହିଁ କର୍ମଚାରୀଗଣ
କେବେ ସତେ ଏ ଦେଶକୁ ଆସିବ ସୁଦିନ ?

3 thoughts on “ଆସିବ ସୁଦିନ?

  1. ଶୁଭେନ୍ଦୁ ରଞ୍ଜନ ନାୟକ, ଭୁବନେଶ୍ୱର says:

    ଆଜିର ପରିସ୍ଥିତିକୁ ନେଇ ଅତ୍ୟନ୍ତ ସୁନ୍ଦର ହୋଇଛି. ସାରଙ୍କୁ ଧନ୍ୟବାଦ

  2. କବିତା ‘ ଆସିବ ସୁଦିନ?’ର ସ୍ରଷ୍ଟାଙ୍କୁ ପ୍ରଣାମ । ଏବେକାର ସାମାଜିକ ପଟ୍ଟଭୂମିର ଏକ ବାସ୍ତବିକ ଚିତ୍ର।

Leave a Reply

Your email address will not be published. Required fields are marked *