ରକ୍ତମଗ୍ନା ରିଞ୍ଜୋଡି (୧)

ବଳରାମ ପୂଜାରୀ

ପାହାଡ ତୀଖଛୁଇଁ, ଘୁମେଁଇ ପଡିଥିବା
ନେଳି ନେଳିଆ,
ଆଞ୍ଜୁଳାଏ ଆକାଶସାରା
କିଏ, କେଜାଣି ଓଜାଡି, ଦେଇଛି
ମିଞ୍ଜିମିଞ୍ଜିଆ ଚାଙ୍ଗୁଡିଭର୍ତ୍ତି ତାରା ଫୁଲ,
ଅନ୍ଧାର ସିନ୍ଥିରେ ଗାଢକଳା
ଲେସିଦେଇଛି, ପଥର ସନ୍ଧିରେ
ଲୁଚିଥିବା, ସୁରୂଜ ପିଠିଆ ଅଣଲେଉଟା ଛଇଳି ଛାଇ
ହାଇ ଅଳସ, ମାରି ଢୁଳେଇ ପଡୁଛନ୍ତି
ଜଙ୍ଗଲଯାକର ଥକ୍କାହରା
ମାଟି, ପାଣି, ପବନ, ଗଛବୃଛ
ଡଙ୍ଗର ରାଜ୍ୟର ଆକାଶମୁହାଁ
ଅଗଣାସାରା, ଝୁଲୁଛନ୍ତି
ତୋଫାତୋଫା ରୁପାରଙ୍ଗି
କଷି କଷି ଜହ୍ନ ଆଲୁଅର ଆୟୁଷ।

କଳା ଢାଉଁଷିଆ ଅନ୍ଧାରରେ
ଘୋଡେଇ ହେଉଛି,
ପାହାଡ ଖୋପରେ, ଖାପେଇ ହୋଇଥିବା
ଥାକଥାକିଆ ପଥୁରିଆ ପରଜା ବସ୍ତି,
ମଝିଦାଣ୍ଡର ରଙ୍ଗନିପାକନା(୨) ଚକଡାରେ,
ଚକାପାରି ବସିଛନ୍ତି, ଗାଁ’ଟା ଯାକର ପଥୁରିଆ ମଣିଷ
ମୁଚୁକିମାରି ହସୁଛି, ସଞ୍ଜଉଁଉଷା ସୁଆଁ ଭଜା
ମହମହ, ଗହ ଗହରେ ଗହକୁଛି
କୁରେଇଁ ଫୁଲରେ ଗୁନ୍ଥା ପେନ୍ଥା ‘ଧାଙ୍ଗଡିବସା’(୩)
ଫିରି କୁଡିଆ ମୁଣ୍ଡିଆ ଉପରେ ହସୁଛି
ଧୋବଧାଉଲିଆ ଧାଙ୍ଗଡି ରସିଆ ଜୁଆନ ଜହ୍ନ।
ମେଳି ବାନ୍ଧୁଥିଲେ ଧାଙ୍ଗଡିମନ୍ଦା(୪),
ଦିନଯାକର ହାଡଭଙ୍ଗା ଖଟଣି ପରେ
ଧାପେ ସୁଖ ପସରାରେ ସୁଖ
ଅଣ୍ଡାଳୁଥିଲେ, ଗାଁ’ଟା ଯାକର କଷି କୁଆଁରୀ
ଢେମସାଡଗାଣିରେ(୫) ପାଦ ଛନ୍ଦୁଥିଲେ
ପାହାଡ଼ୀ କନ୍ୟା,
ଢୋଲ, ଢାମ୍ପ ଓ ପାଦପଏଁରିରେ
ନାଚୁଥିଲେ, ସମଗ୍ର ଡଙ୍ଗର ପାହାଡ
ଦୁଃଖ ସୁଖ ସେନେହ ସରଧାରେ
ପେଟ ପୂରିଯାଏ ଏ ଅବହେଳିତ ମାଟିର !

ଏଇଠି ଗାଇବାକୁ ହୁଏ
ଲାଞ୍ଛିତ, ବଞ୍ଚିତ ଜନଗଣମନର
ରକ୍ତମଗ୍ନା ରିଞ୍ଜୋଡି।
ଏଇଠି! ଅପହରଣ ହୁଏ
ଭେଣ୍ଡା ଭେଣ୍ଡା ଅବଦମିତ ସ୍ୱର।
ବାଛି ବାଛି ତୁଣ୍ଡି ବନ୍ଧାଯାଏ,
ତୁଣ୍ଡ ଖୋଲୁଥିବା ମୁଣ୍ଡିଆଳକୁ।
ଏବେ ଏବେ; ଆମ ଲାଗି ଲଢୁଥିବା
ଗାଁ ନାଇକର ଅପହୃତ, ଚର୍ଚ୍ଚିତ ଖବର,
ଚହଳ ପଡିଛି, ସମଗ୍ର ଡଙ୍ଗର ରାଜ୍ୟରେ।

(୧) କନ୍ଧ ଆଦିବାସୀଙ୍କ ସଙ୍ଗୀତ (୨) ଗାଁ ମୁଣ୍ଡରେ ଥିବା ପଥର ଚଟାଣ (୩) ରାତ୍ରିକାଳରେ ଅବିବାହିତା ଆଦିବାସୀ ଗ୍ରାମ୍ୟ ଯୁବତୀମାନଙ୍କ ରହିବା ପାଇଁ ନିର୍ମିତ ଘର (୪) ହାତ ଓ ଅଣ୍ଟା ଧରାଧରି ହୋଇ ନୃତ୍ୟରତ ଧାଙ୍ଗଡିଙ୍କ ସମଷ୍ଟି (୫) ଆଦିବାସୀଙ୍କ ଏକପ୍ରକାର ନୃତ୍ୟ।

11 thoughts on “ରକ୍ତମଗ୍ନା ରିଞ୍ଜୋଡି (୧)

  1. ଧନ୍ୟବାଦ୍ ସାର୍। ମୋର କବିତା #ରକ୍ତମଗ୍ନା ରିଞୋଡି କୁ ସ୍ଥାନିତ କରିଥିବାରୁ, ମଗ୍ନ ମାଟି ମାଲକାନଗିରିରୁ ଭୂମିଷ୍ଠ ପ୍ରଣାମ।

    ବଳରାମ ପୂଜାରୀ, କୁଡୁମୁଲୁଗୁମ୍ମା, ମାଲକାନଗିରି ।🙏

  2. ଅତି ସୁନ୍ଦର ଲେଖା ଭାଇ l ଆମ ମା ମାଟିର କଳା, ସଂସ୍କୃତି, ଐତିହ୍ୟ ପରମ୍ପରା କୁ ସାରା ବିଶ୍ୱରେ ପରିଚିତ କରିବାର ସୁନ୍ଦର ପ୍ରୟାସ ଆପଣଙ୍କର l ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନ l ପ୍ରଣାମ ଭାଇ l ଜୟ ଜଗନ୍ନାଥ 🙏

    1. ଧନ୍ୟବାଦ୍ ଦୀପକ୍ ଭାଇ ।କୁଡୁମୁଲୁଗୁମ୍ମା ମାଟି ରୁ କୃତଜ୍ଞତା

    1. ଧନ୍ୟବାଦ୍ । ସମ୍ମାନନୀୟ ସ୍ରଷ୍ଟା । ଆଦିଭୂମି ମାଲକାନଗିରି ମାଟି ରୁ ପ୍ରଣାମ ସ୍ରଷ୍ଟା । ବଳରାମ ପୂଜାରୀ, କୁଡୁମୁଲୁଗୁମ୍ମା, ମାଲକାନଗିରି ।🙏

  3. ବନଭୂଇଁର ମହକରେ ନିନାଦିତ ଶବ୍ଦ ଝରଣାର ପ୍ରତିଲିପି କୁ ସାଦର ସ୍ଵାଗତ ।

    1. ଧନ୍ୟବାଦ୍ ସ୍ରଷ୍ଟା ।ବହ୍ନିଭୂମି ରୁ ଭୂମିଷ୍ଟ ପ୍ରଣାମ

    1. ଧନ୍ୟବାଦ୍ ସମ୍ମାନନନୀୟ ସ୍ରଷ୍ଟା ।ବହ୍ନିଭୂମି ରୁ ପ୍ରଣାମ ସ୍ରଷ୍ଟା 🙏

  4. ଭଲ ଲାଗିଲା କବିତା।
    ବନ ଭୂମିର ସ୍ବର ଇଏ

    1. ଧନ୍ୟବାଦ୍ ନିରଂଜନ ସାର୍ ।ମାଲକାନଗିରି ମାଟିରୁ ଆକାଶ ଭର୍ତ୍ତି ଶୁଭେଚ୍ଛା ।🙏

Leave a Reply

Your email address will not be published. Required fields are marked *