ଓଡିଆ ଓଷା ବ୍ରତର ଇକୋନୋମିକ୍ସ୍

  • ସାବିତ୍ରୀ ବାସିଦିନ ଯେଉଁ ବାବୁଆଣି କ୍ଲବକୁ ଯେତେ ଓଜନିଆ ଜିନିଷ ପିନ୍ଧି ଯାଇଥିବେ, ଜାଣିବେ ତାଙ୍କ ବାବୁ ସେଡିକି ଧୁରନ୍ଧର !
ଡାକ୍ତର ଅଭୟ ଦାଶ

ଆମେ ଓଡିଆ ! କହିଲା ମାତ୍ରେ ଛାତି ଖାଲି ଫୁଲିଉଠେ ବୋଲି ଜାଣନ୍ତୁ। ଭୁଲିଯାଇ ଥିଲେବି ପୁର୍ବପୁରୁଷମାନଙ୍କୁ ଭିଡିଓଟାରି ଆଣି ମଞ୍ଚ ଉପରେ ଠିଆ କରାଇଦେଉ। କଣ ନ କରିଥିଲେ ସେମାନେ ! ଜାଭା, ସୁମାତ୍ରା ଠାରୁ କାଞ୍ଚି, କାବେରୀ, କୋଣାର୍କ ପର୍ଯ୍ୟନ୍ତ ମାନସପଟ୍ଟକୁ ଦୋହଲେଇ ପକାନ୍ତି। ଖୁବ୍ ଗପୁ ବୀର ରସରେ ଅନୁପ୍ରାଣିତ ହୋଇ। ମାତ୍ର ସଭାସ୍ଥଳରେ ତାଳିଟାଏ ଶୁଭେ ନାହିଁ। ମନେ ମନେ ଭାବୁ ଏଗୁଡା ନୁହନ୍ତି! ସଭାରେ ଆଜି ଚର୍ଚ୍ଚାର ବିଷୟ, “ଓଡିଆ ପର୍ବ ପର୍ବାଣିରେ ଅର୍ଥନୈତିକ ପ୍ରଭାବ”। ଏପରି ଏକ ନୁତନ ବିଷୟବସ୍ତୁକୁ ନେଇ ଆମ ରିସର୍ଚ୍ଚ୍ କାମ ଚାଲିଛି।

ଶୁଣିଆସିଛୁ ଓଡିଶାରେ ବାରମାସରେ ତେର ଯାତ୍ରା, ଏକା ଜଗନ୍ନାଥ ମହାପ୍ରଭୁଙ୍କ କଣ୍ଟ୍ରୋଲରେ। ବାକି ଏଗ୍ରିକଲ୍ଚର ଡିପାର୍ଟମେଣ୍ଟ ଅଣ୍ଡରରେ ଚିତଉ ଅମାବାସ୍ଯା, ଗର୍ଭଣା ସଂକ୍ରାନ୍ତି, ରଜପର୍ବ, ବଉଳ ଅମାବାସ୍ୟା ଆଦି। ସ୍ବାସ୍ଥ୍ୟ ବିଭାଗ ଅଣ୍ଡରରେ ଷଠି ଓଷା, ଭାଇଜିଅନ୍ତିଆ, ମଙ୍ଗଳବାର ଓଷା, ପୋଢୁଆଁ ଅଷ୍ଟମୀ ଅଛି। ସେମିତି ଆୟୁଷ୍ମାନ ଭାରତ ଅଣ୍ଡରରେ ସାବିତ୍ରୀ ବ୍ରତ ଓ ରକ୍ଷାବନ୍ଧନ। ଆଉ ମଧ୍ୟ ରକ୍ଷାପଞ୍ଚମୀ (ଘଣ୍ଟାକର୍ଣ ପୂଜା), ବିଶ୍ୱକର୍ମା ପୂଜା ଏବଂ କବାଟଲେଖା ସଂକ୍ରାନ୍ତି ଅଛି ମିନିଷ୍ଟ୍ରି ଅଫ ୱାର୍କ୍ସ ଆଣ୍ଡ ହାଉସିଂ ଅଣ୍ଡରରେ। ସେମିତି ଗଣେଶପୁଜା ଓ ସରସ୍ବତୀ ପୂଜା ମିନିଷ୍ଟ୍ରି ଅଫ ଏଜୁକେସନରେ, ତଥା ଦୁର୍ଗା ପୂଜା ମିନିଷ୍ଟ୍ରି ଅଫ ଡିଫେନ୍ସ (ଡି ଆର୍ ଡି ଓ) ଅଧୀନରେ ଥିବା କଥା ଆମେ ଜାଣୁ। ମାଣବସା ଗୁରୁବାର , ଲକ୍ଷ୍ମୀ ପୂଜା ଓ ଦୀପାବଳି ଅମାବାସ୍ୟା ଫାଇନାନ୍ସ ମିନିଷ୍ଟ୍ରି ଅଣ୍ଡରରେ ଥିବାବେଳେ ପିତୃପକ୍ଷକୁ ପ୍ରତ୍ନତତ୍ତ୍ୱ ବିଭାଗ, କାର୍ତ୍ତିକ ପୁର୍ଣିମା – ବାଲିଯାତ୍ରାକୁ ମିନିଷ୍ଟ୍ରି ଅଫ ସିପିଙ୍ଗ୍ ଆଣ୍ଡ ଟ୍ରାନ୍ସପୋର୍ଟ ବିଭାଗ ସହ ସଂଯୋଗ କରାଯାଇଛି।
ଜଗନ୍ନାଥଙ୍କ ଯାତ୍ରା ସମୂହ ବିଶେଷତଃ ରଥଯାତ୍ରାରେ ସମସ୍ତ କଣ୍ଟ୍ରୋଲ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର। ତାଙ୍କ ଇଛାହେଲେ ଚାଲିବେ ଇଛା ହେଲେ ରହିବେ! ତାଙ୍କର ସ୍ପେସିଆଲ୍ ଭେଟୋ ପାୱାର ଅଛି। ସେ କାହାକୁ ଉତ୍ତର ଦାୟୀ ନୁହନ୍ତି। ତାଙ୍କର ସ୍ବତନ୍ତ୍ର ଇକୋନୋମିକ୍ ଓ ଫାଇନାନ୍ସ ପାୱାର ଅଛି। ତାଙ୍କ ସମ୍ବିଧାନର ମାଲିକ ସିଏ ନିଜେ ! ତାଙ୍କ ଜମିରୁ ଚାଉଳ , କାଠ, ରଥକାଠ ,ଚନ୍ଦନ, ତୁଳସୀ ,ଫୁଲ, ସବୁକିଛି ଆସେ। ଛତିଶ ପାଟକ, ଛତିଶାନିଯୋଗ ଖଞ୍ଜା ତାଙ୍କ ସେବାରେ। ଏମିତି ଠାକୁର କିଏ ଦେଖିଛ? ଛାଡ ତାଙ୍କ କଥା ! ଆସିବା ବିଷୟ ଉପରକୁ। ଏଇ ଇକୋନୋମିକ୍ସ୍!

ଆମ ଓଷା ବ୍ରତ ମଧ୍ୟରୁ ତିନୋଟି – କୁଆଁର ପୁନିଅଁ, ରଜ, ସାବିତ୍ରୀଙ୍କୁ ଛାଡିଦେଲେ ଦୁର୍ଗାଷ୍ଟମୀ ବା ଦଶହରା ମଧ୍ୟ ଏକ ଏପରି ପର୍ବ ଯେଉଁଥିରେ ଲୁଗାପଟା ଭାର ମିଠା, ଫଳ, ଉଖୁଡା ଆଦି ବିବାହିତା ଝିଅ ଘରକୁ ବାପ ଘରୁ ଆସିବା ବିଧି। ଆଜି କାଲି ବ୍ୟାଙ୍କ ଟ୍ରାନ୍ସଫର ରେ ଏହା ସହଜ ହୋଇଯାଇଛି। ଯାହାହେଉ ଅର୍ଥନୈତିକ ସମ୍ପର୍କରେ କିଛି କମି ଆସିନାହିଁ। ମୁଦ୍ରାସ୍ଫୀତି ସହ ତାଳଦେଇ ଡିମାଣ୍ଡ ବଢିଚାଲିବାରୁ, ସରକାରୀ ବାବୁମାନେ ଏହି ବ୍ରତ-ଓଷାର ଖର୍ଚ୍ଚ ମେଣ୍ଟାଇବା ପାଇଁ ପି.ଏଫ୍ ରୁ ଟଙ୍କା ଉଠାଇ ପାରିବା ନିୟମ ଅଛି। ଫଳ କି ଶାଢୀରେ ଆଉ ସେ ଡିମାଣ୍ଡ, ଆବଶ୍ୟକତା ସୀମିତ ନରହି ବହୁତ ଆଗକୁ ବଢିଯିବାରୁ, ବାବୁଆଣି ମାନଙ୍କର ଆର୍ଥିକ ପିପାସା ବଢିଯାଇଛି। ସେଥିପାଇଁ ଆବଶ୍ୟକତାର ଗ୍ୟାପ୍ ବା ଅସନ୍ତୁଳନକୁ ଦୂର କରିବାକୁ, କଣ୍ଟ୍ରାକ୍ଟର ରୂପି ସ୍ବେଛାସେବୀମାନଙ୍କ ଆବିର୍ଭାବ ହୋଇଛି। ସିଏ କଣ ତୁମ ଆମ ଭଳିଆ ଲୋକଙ୍କ ପାଖକୁ ଆସିବେ? ସେଥିପାଇଁ ଖାସ୍ ଲୋକ ଅଛନ୍ତି। ସେ ଡିପାର୍ଟମେଣ୍ଟ ସେମିତି ଆଜ୍ଞା ! ଯେଉଁଠି ଦେଶ ଗଠନ ହୁଏ। ଦେଶର ରାସ୍ତା ଘାଟ, ପାଣି, ବିଜୁଳି, ଅର୍ଥନୀତି ଯେଉଁଠି କଣ୍ଟ୍ରୋଲ ହୁଏ ସେଇଭଳି ଡିପାର୍ଟମେଣ୍ଟ ! ଭୁବନେଶ୍ଵରର ବାବୁଆଣିମାନଙ୍କୁ ଲାଗିପଡି ଓଷାଵ୍ରତରେ ପାଟଶାଢୀ, ସୁନାଗହଣା, ହୀରା ବସା ଗହଣା ଯୋଗାଇଦିଅନ୍ତି ଏମନ୍ତ ସ୍ବେଚ୍ଛାସେବୀମାନେ। ଯେଉଁ ବାବୁଆଣିଙ୍କୁ ଏ ଅଳଙ୍କାର ସୁଟ୍ ନକରେ ତାଙ୍କ ପାଇଁ ପ୍ଲାଟିନମ୍ ହ୍ବାଇଟ୍ ଗୋଲ୍ଡ୍ ର ଏଣ୍ଟ୍ରି ଟାକୁ ଆଈନସଙ୍ଗତ, ମାନେ ଲିଗାଲାଇଜ୍ କରାଇ ନେଇଛନ୍ତି। ସାବିତ୍ରୀ ବାସିଦିନ ଯେଉଁ ବାବୁଆଣି କ୍ଲବକୁ ଯେତେ ଓଜନିଆ ଜିନିଷ ପିନ୍ଧି ଯାଇଥିବେ, ଜାଣିବେ ତାଙ୍କ ବାବୁ ସେଡିକି ଧୁରନ୍ଧର ! ଏହାକୁ ସୋସିଓ କଲ୍ଚରାଲ୍ ଇକୋନୋମିକ୍ ଇଣ୍ଡେକ୍ସ୍ କହିପାରନ୍ତି ! ଯାହା ଆଗରୁ କେବେ ଶୁଣା ନଥିଲା ।
ପଞ୍ଝାଏ ଦେଖି ସହି ନପାରିଲା ଲୋକେ ଏହାକୁ କରପ୍ସନ ଲିଷ୍ଟ୍ ରେ ସାମିଲ କରିବାକୁ ଲବିଙ୍ଗ୍ କରିବା ଶୁଣାଯାଏ। ଇଆବୋଲି କଣ ଆମ ଓଷା ବ୍ରତ ପୂଜା ପାର୍ବଣ ଆସ୍ଥା ସବୁ ବନ୍ଦ ହୋଇଯିବ? କି କାଳ ଆସିଲା ହୋ!

3 thoughts on “ଓଡିଆ ଓଷା ବ୍ରତର ଇକୋନୋମିକ୍ସ୍

  1. ସମୟ ଉପଯୋଗୀ ସମାଲୋଚନା ଟିଏ, —-ବଢିଆ ରୂପାୟନ ।।

Leave a Reply

Your email address will not be published. Required fields are marked *