ଅଜଣା ପୁଲିସର ଆତ୍ମ କଥା

  • ପୁଲିସ ସବୁବେଳେ ବଦନାମ। ଗାଈ ମାଇଲେ ମଲି, ଗାଈକୁ ମାଇଲେ ମଲି। ଚୋର ଧରିଲେ ଦୋଷ, ଛାଡିଦେଲେ ଦୋଷ।
ଡା. ଅଭୟ ଦାଶ

ପୁଲିସ, ଆମ ପିଲାଦିନେ କହୁଥିଲେ ନାଲି ପଗଡିଆ। ଆଜିକାଲି ସେ ନାଲିପଗଡିର ଇଭୋଲ୍ୟୁସନ ବା ବିବର୍ତ୍ତନ ହୋଇଛି। ସେଇଟା ଥିଲା ସର୍ବ କନିଷ୍ଠ କର୍ମଚାରୀଙ୍କ ପୋଷାକ, ବ୍ରିଟିଶ ଶାସନ କାଳରୁ ଚଳି ଆସିଛି କେତେ ପରିବର୍ତ୍ତନ ଦେଇ। “ମାଛ ଖାଇବ ଇଲିସି ଚାକିରି କରିବ ପୁଲିସି,” ବହୁ ପୁରୁଣା ଲୋକୋକ୍ତି। ଅଧ୍ୟାପକ ଜୋଇଁଟିର ପ୍ରସ୍ତାବ ଫିକା ପଡିଯାଏ ପୁଲିସ ସବ୍ ଇନ୍ସପେକ୍ଟର ପ୍ରସ୍ତାବ ଆଗରେ। ଆଜି ନୁହେଁ, ବହୁ ପ୍ରାଚୀନ ପରମ୍ପରା ଇଏ। କାରଣ ସମସ୍ତଙ୍କୁ ଜଣା। ଅବଶ୍ୟ ଅଧ୍ୟାପକମାନେ ସେ ରାସ୍ତା ଧରିଲେଣି ଖାତା ଦେଖା ଟିଉସନ ମାଧ୍ୟମରେ। ଛୁଟି, ଷ୍ଟ୍ରାଇକ ଏକ୍ସଟ୍ରା ପର୍କ। 

ପୁଲିସ ସବୁବେଳେ ବଦନାମ। “ଗାଈ ମାଇଲେ ମଲି, ଗାଇକୁ ମାଇଲେ ମଲି।” ଚୋର ଧରିଲେ ଦୋଷ, ଛାଡିଦେଲେ ଦୋଷ। ଜୀବନକୁ ବାଜି ଲଗେଇ ଲଢିବାକୁ ହୁଏ ସିନା, ବଦନାମ ପାଖ ଛାଡେ ନାହିଁ। ସତହେଉ କି ମିଛହେଉ ଶୁଣିବ, “ଶଳା ଖାଇଲା!” ଏ ‘ଶଳା’ ପଦଟା ପୁଲିସ କହେ ଚୋର, କୈଦୀ, ଆରୋପିଙ୍କୁ, କିନ୍ତୁ ଜନତା ବି କହେ ପୁଲିସକୁ। ଏ ପଦଟା ଯେମିତି ସମ୍ବିଧାନ ଦ୍ୱାରା ଗୃହୀତ, ପୁଲିସ ବିଭାଗ ପାଇଁ ମରିଗଲେ କେହି ଲୁହ ଗଡାଇବେ ନା଼ହିଁ। ଯାହାଙ୍କ ଦୁଆରେ ଚବିଶ ଘଣ୍ଟା ଜଗିଥିବେ, ଖରା ବରଷାରେ ଯାହାଙ୍କପାଇଁ ଠିଆହୋଇ ଟ୍ରାଫିକ୍ କଣ୍ଟ୍ରୋଲ କରୁଥିବେ, ସେମାନେ କେବେ ହେଲେ ଭଲ ପଦେ କହିବା ଶୁଣାଯାଏ ନାହିଁ। ପୁଲିସ ର ନାଲି ଆଖି ସମସ୍ତେ ଜାଣନ୍ତି। ସେଇଟା କଣ ଭଲ ଲୋକଙ୍କ ପାଇଁ? କଣ ନା ଇନକ୍ୱାରୀ ହେଉ। ତୁମେ ପଥର ପକେଇଲ, ସିଏ ଗୁଳି ଚଳେଇଲେ ଏଇଟା ତାଙ୍କର ଦୋଷ? ଯାହାଙ୍କୁ ସୁରକ୍ଷା ଦେଉଥିଲେ ସେ କହିଲେ ଇନକ୍ୱାରୀ କର। ଆଗ ସସ୍ପେଣ୍ଡ୍‌ ! ତା ପରେ ଇନକ୍ୱାରୀ। ଜୁଡିସିଆଲ ଇନକ୍ୱାରୀ। ସରକାରୀ ସମ୍ପତ୍ତି ର ସୁରକ୍ଷା କରିବାକୁ ଯାଇ ଜୀବନ ଦାନ କରିବାକୁ ହୁଏ। କିଏ ଶୁଣୁଛି? 

କରୋନା ହେଲା ଯେ, କେହି ପୁଅ ଝିଅ ବି ପାଖରେ ପଶିଲେ ନାହିଁ ! ଶ୍ମଶାନକୁ ନେବାଠାରୁ ସତ୍କାର ପର୍ଯ୍ୟନ୍ତ ସବୁ କଲେ ପୁଲିସ। ସରକାର ତାଙ୍କୁ କରୋନା ଯୋଦ୍ଧା କହି ତାଳି ମରାଇଲେ। ଯେଉଁମାନେ ତାଳି ମରାଇଲେ, ସେମାନେ ଦେଶ ରକ୍ଷକର ମେଡାଲ ଝୁଲାଇ ବୁଲିଲେ ଆସନ୍ତା ନିର୍ବାଚନକୁ ଆଖିଆଗରେ ରଖି। ଯେଉଁମାନଙ୍କ ସଭାରେ ଆଗରୁ ଆସି, କୁକୁର ସୁଙ୍ଘାଇ ସଭାମଞ୍ଚ ସୁରକ୍ଷିତ ରଖିବା ଦାୟିତ୍ୱ ନେଇ, ସଭାକୁ ସାଫଲ୍ୟ ମଣ୍ଡିତ କରିବାରେ ହାତ ବଢାଉଥିଲେ,ତାଙ୍କପାଇଁ କେବେ ପଦେ ପ୍ରଶଂସା ବାଣୀ ଶୁଣିଛନ୍ତି? ସଭାରେ ସେଇମାନେ ଶଣ୍ଢ ପୁରାନ୍ତି ଯେଉଁମାନେ ଆରପଟର। ୟାଙ୍କୁ ସହିବାକୁ ହୁଏ। କହନ୍ତୁ ନାହିଁ ଆଜ୍ଞା! ଯେତେ ଯାତ୍ରା ମେଳା ମଉଚ୍ଛବରେ ଆପଣମାନେ ପିଲାଛୁଆଙ୍କୁ ଧରି ଯାଆନ୍ତି, ଦେଖିଥିବେ କେତେ ପୁଲିସ ଆପଣଙ୍କ ଜୀବନରକ୍ଷା ପାଇଁ ତୈନାତ ଥିବେ। ତାଙ୍କ ପରିବାରକୁ କିଏ ଯାତ୍ରା ଦେଖାଇ ନେଉଥିବ? ଡ୍ୟୁଟି ଯେ, ସାତସାତ ଦିନଯାଏ ନିଜ ପିଲାଙ୍କ ମୁହଁ ଦେଖିବା ସମ୍ଭବ ହୋଇପାରେ ନାହିଁ। କିଏ ଶୁଣିବ? 

ପୁଲିସଟାଏ ମଲା ମବ୍ କଣ୍ଟ୍ରୋଲ ଏକ୍ସରସାଇଜରେ, କଣ ପାଇଲା? ଇନକ୍ୱାରୀ ହେଲା, ଜୀବନ ରକ୍ଷା ପାଇଁ ସରକାରୀ ସମ୍ପତ୍ତିକୁ ସୁରକ୍ଷା ଦେବାପାଇଁ ବନ୍ଧୁକଟା ଚଲାଇ ଦେଲାଯେ, ଗୁଳିଟା ଆଇନ୍ ନମାନି ଟିକିଏ ଉପରକୁ ଚାଲିଯାଇ ଜଣଙ୍କର ଜୀବନ ନେଲା। ଆଇନ୍ ଶକ୍ତ ହୋଇଗଲା। ମାନ୍ୟବର ଅବସରପ୍ରାପ୍ତ ନ୍ୟାୟାଧୀଶ ରାୟ ଦେଲେ ଗୁଳିଟା ଆଇନ୍‌ର ସୀମା ଲଙ୍ଘନ କରିଛି। 

ଯାହା ହେବା କଥା! ଆଈନ୍ ଲଙ୍ଘିଲେ ଯାହା ହୁଏ! ନା ଜନତା, ନା ନେତା କେହି ପଦେ ପାଟି ଫିଟାଇଲେ ନାହିଁ। ପତ୍ରକାରେ ହୋ ହୋ ହେଲେ। ଆମେ କହିଲୁ ବିଚରା ପୁଲିସ!

One thought on “ଅଜଣା ପୁଲିସର ଆତ୍ମ କଥା

  1. ବାସ୍ତବରେ ବହୁତ ସୁନ୍ଦର ଭାବରେ ଉପସ୍ଥାପନା କରାଯାଇଛି।

Leave a Reply

Your email address will not be published. Required fields are marked *