ବିଶିଷ୍ଟ କବି ହୃଷୀକେଶ ମଲ୍ଲିକଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ

  • ଯେଉଁମାନେ ଏବେ ସାହିତ୍ୟ ସୃଷ୍ଟି କରୁଛନ୍ତି ସେ ସମସ୍ତେ ହିଁ ଭାବୁଛନ୍ତି ଯେ ସେମାନେ ପୁରସ୍କୃତ ହେବାକୁ ଯୋଗ୍ୟ।

କବି ଡ. ହୃଷୀକେଶ ମଲ୍ଲିକ ଓଡ଼ିଆ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ। ୧୯୫୪ ମସିହାରେ ଜନ୍ମିତ ଏହି ବିଶିଷ୍ଟ କବି କବିତା ବ୍ୟତୀତ ଗଳ୍ପ, ସମାଲୋଚନା ଓ ପ୍ରବନ୍ଧ ଆଦି ବିଭାଗରେ ମଧ୍ୟ ନିଜର ଲେଖନୀ ଚାଳନା କରିଛନ୍ତି। ସେ ବର୍ତ୍ତମାନ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ର ସଭାପତି ଅଛନ୍ତି ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ପୁରସ୍କାର ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ମଧ୍ୟ ଭୂଷିତ ହୋଇଛନ୍ତି। ତାଙ୍କ ସହିତ ବିବିଧ ପ୍ରସଙ୍ଗରେ ବାର୍ତ୍ତାଳାପ କରିଥିଲେ ସାହିତ୍ୟ ଚର୍ଚ୍ଚା ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା – ଆପଣ ତ ଏକାଧାରରେ ଜଣେ କବି, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଅନୁବାଦକ। ତେବେ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ କବିତା ସହିତ ଆପଣଙ୍କ ସଂପୃକ୍ତି ଅଧିକ। କବିତା ବିଭାଗ ପ୍ରତି ଏ ବିଶେଷ ଭଲ ପାଇବାର ହେତୁ କ’ଣ ହୋଇପାରେ?
ହୃଷୀକେଶ ମଲ୍ଲିକ – ଜଣେ ଯେତେବେଳେ ପ୍ରାଥମିକ ସ୍ତରରେ ଲେଖିବା ଆରମ୍ଭ କରେ ସେ ବିଭିନ୍ନ ବିଭାଗରେ କଲମ ଚଳାଏ। ଏମିତି ଲେଖୁଲେଖୁ ଯେଉଁ ବିଭାଗରେ ମୋତେ ଅଧିକ ଉତ୍ସାହ ବା ପ୍ରଶଂସା ମିଳିଛି ସେହି ଦିଗରେ ମୁଁ ଅଧିକ କଲମ ଚାଳନା କରିଛି। ବିଶେଷ କରି ଗଳ୍ପ ଏବଂ କବିତା ଉଭୟ ଲେଖୁଥିଲି। ଘଟଣା କ୍ରମେ ଯେତେବେଳେ କବିତା ଲେଖୁଥିଲି ସେତେବେଳେ ମନକୁ ଆସିଲା ଯେ ଏବେ କବିତା ହିଁ ଲେଖିଚାଲିବା ଏବଂ ଗଳ୍ପ ଲେଖିବା କଥା ପରବର୍ତ୍ତୀ ଅବସ୍ଥାରେ ଦେଖିବା। ଏଣୁ କବିତାକୁ ଟିକିଏ ପ୍ରାଧାନ୍ୟ ଦେଲି।
ସାହିତ୍ୟ ଚର୍ଚ୍ଚା -ଆପଣଙ୍କ କଲମରୁ ପ୍ରଥମ ଲେଖାଟି କ’ଣ ଏକ କବିତା ଥିଲା?
ହୃଷୀକେଶ ମଲ୍ଲିକ – ହାଇସ୍କୁଲରେ ପଢୁଥିବା ବେଳେ ମୁଁ ଯେତେବେଳେ ଲେଖାଲେଖି ଆରମ୍ଭ କଲି ଛୋଟଛୋଟ ଗଳ୍ପ ଓ କବିତା ସବୁ ଲେଖୁଥିଲି। ତା’ପରେ ସନ୍ଥକବି ତୁଳସୀ ଦାସଙ୍କ ସଂକ୍ଷିପ୍ତ ଜୀବନୀଟିଏ ଲେଖିଲି। ସେ ପାଣ୍ଡୁଲିପିଟି ଅବଶ୍ୟ କୁଆଡ଼େ ହଜିଗଲା, ପାଉନାହିଁ ଏବେ। ପରେ କଲେଜ ଓ ବାଣୀବିହାର ଜୀବନରେ ମଧ୍ୟ କିଛି ପ୍ରବନ୍ଧ ଲେଖିଲି।
ସାହିତ୍ୟ ଚର୍ଚ୍ଚା – ତଥାପି ଆପଣଙ୍କ ପ୍ରକାଶିତ ରଚନାବଳୀ ମଧ୍ୟରେ କବିତାର ଦଖଲ ଅଧିକ।
ହୃଷୀକେଶ ମଲ୍ଲିକ – ଏମିତି ଧୀରେ ଧୀରେ ଲେଖୁଲେଖୁ ଦେଖାଗଲା ଯେ କବିତାର ସଂଖ୍ୟା ଅଧିକ ହୋଇଯାଇଛି। କବିତା ପୁସ୍ତକଟିଏ ପ୍ରକାଶ ପାଇବା ପରେ ସ୍ୱୀକୃତି ମଧ୍ୟ ମିଳିଲା।
ସାହିତ୍ୟ ଚର୍ଚ୍ଚା – ଏହା ଆପଣଙ୍କୁ ଉତ୍ସାହିତ କରିଥିବ।
ହୃଷୀକେଶ ମଲ୍ଲିକ – ହଁ, ମୋ ବିଚାରରେ କବିତା ହେଉଛି ସାହିତ୍ୟର ସର୍ବୋତ୍ତମ ବିଭାଗ। ଜଣେ ଯଦି କବିତାରେ ନିଜର ପରିଚୟ ସୃଷ୍ଟି କରିଦେଇପାରିଲା, ତା’ପରେ ସେ ଯେକୌଣସି ବିଭାଗରେ ଲେଖିଲେ ବି କିଛି ଅସୁବିଧା ନାହିଁ। ପ୍ରବନ୍ଧ ବା ଗଳ୍ପରୁ ଆସି ଜଣେ କବି ହୋଇପାରିବନାହିଁ। ଆପଣ ଦେଖନ୍ତୁ ବିଶ୍ୱ ସାହିତ୍ୟରେ ଯେଉଁମାନେ ପ୍ରଥମେ ଗଦ୍ୟ ଲେଖିଛନ୍ତି, ଏବଂ ପରେ କବିତା ଲେଖିଛନ୍ତି ସେମାନେ ବିଶେଷ ସଫଳ ହୋଇପାରିନାହାନ୍ତି। କିନ୍ତୁ ଯେଉଁମାନେ କବିତାରୁ ଗଳ୍ପକୁ ଆସିଛନ୍ତି, ସେମାନେ ବେଶ୍ ଉଧେଇଛନ୍ତି। କବିତା ହେଉଛି ଏକ କଷଟି ପଥର, ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଆପଣ ଅନ୍ୟ ସମସ୍ତ ବିଭାଗରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇପାରିବେ।


ସାହିତ୍ୟ ଚର୍ଚ୍ଚା – ଆପଣଙ୍କ ମତରେ ତେବେ କବିତା ହେଉଛି ସାହିତ୍ୟରେ ଭାବ ପ୍ରକାଶର ଆଦ୍ୟସ୍ୱର।
ହୃଷୀକେଶ ମଲ୍ଲିକ – ଆଦ୍ୟସ୍ୱର କେବଳ ନୁହେଁ, ଏଥିରେ ଗୋଟିଏ ବିରାଟ କଥାକୁ ଆପଣ ସଂକ୍ଷେପରେ କହିପାରିବେ, ଏବଂ ସଂକ୍ଷେପରେ ପ୍ରକାଶ କରିବା ସହିତ ଆପଣଙ୍କ ଶୈଳୀ ଓ ପରିବେଷଣ ଭଙ୍ଗୀଟି ମଧ୍ୟ ମପାଚୁପା ହୋଇପାରିବ। ଏଣୁ ଏଥିରେ ଗୋଟିଏ କ୍ଷୁଦ୍ର ଅବୟବ ଭିତରେ ଆପଣ ବିରାଟ କଥା କହିପାରିବେ। ଗଳ୍ପରେ କାନଭାସ୍ ଅଧିକ। ଏଥିରେ କିଛି ଆଜେବାଜେ କଥା ରହିଲେ ମଧ୍ୟ ମ୍ୟାନେଜ୍ ହୋଇଯିବ। କିନ୍ତୁ କବିତାରେ ଗୋଟିଏ ବି ଶବ୍ଦ ଅଧିକା ରହିଲେ ଆପଣ ଧରା ପଡ଼ିଯିବେ।
ସାହିତ୍ୟ ଚର୍ଚ୍ଚା – ଏବେ ଅନ୍ୟ ପ୍ରସଙ୍ଗକୁ ଆସିବା। ମନେହୁଏ, ଉତ୍ତର ଆଧୁନିକ ଓଡ଼ିଆ କବିତାରେ ଏକ ନିଆରା କାବ୍ୟସ୍ୱର ଜାହିର କରିବାପାଇଁ ଆପଣ ପ୍ରୟାସରତ ଥିଲେ। ଏହି ନିଆରାପଣକୁ ଆପଣ ନିଜ ଦୃଷ୍ଟିରେ କେମିତି ପରିଭାଷିତ କରନ୍ତି?
ହୃଷୀକେଶ ମଲ୍ଲିକ – ଏଇଟା ମୋ’ ଜ୍ଞାତସାରରେ ହୋଇନାହିଁ। ସେତେବେଳେ ଆମେ ଦେଖିଲୁ ଯେ ପାଶ୍ଚାତ୍ୟ କବିମାନଙ୍କ ଦ୍ୱାରା ଆମ ଏଠାର କବିମାନେ ବେଶୀ ପ୍ରଭାବିତ ହେଉଛନ୍ତି ଏବଂ ସେ କବିତାର ସ୍ୱର ବୋଧଗମ୍ୟ ହେଉନାହିଁ ତଥା ତାହା ପାଠକ ପାଖରେ ପହଂଚିବାରେ ଅସମର୍ଥ ହେଉଛି। ତେଣୁ ମୁଁ ଦେଖିଲି ଯେ ପାଶ୍ଚାତ୍ୟ ଦେଶର କବିମାନଙ୍କୁ ବା ବୁଝିହେଉନଥିବା କବିଙ୍କୁ ଅନୁସରଣ କରି କବିତା ଲେଖିବା ଅପେକ୍ଷା ନିଜର ଅନୁଭୂତି, ନିଜର ଅନୁଭବ ଓ ନିଜର ଭାଷାରେ ମଧ୍ୟ କବିତା ଲେଖାଯାଇପାରେ। ମୁଁ ସେହି ନିଜସ୍ୱ ଭାଷାକୁ ହିଁ ପ୍ରୟୋଗ କରିଛି ମୋର ପ୍ରଥମ କବିତାମାନଙ୍କରେ। କିନ୍ତୁ ଏହା କରିବା ପରେ ଦେଖାଯାଇଛି ଯେ ହଠାତ୍ ମୋତେ ସ୍ୱୀକୃତି ମିଳିନାହିଁ, ଏବଂ ଅନେକେ ଏହାକୁ ନାପସନ୍ଦ କରିଛନ୍ତି। କାରଣ କବିତା ଯେଉଁ ଧାରାରେ ଚାଲିଥିବ, ସେଥିରୁ ବ୍ୟତିକ୍ରମୀ ହୋଇଯିବା ପରେ ଆପଣଙ୍କୁ ସ୍ୱୀକୃତି ମିଳିବା କଷ୍ଟକର। ଏହାର ଗ୍ରହଣଶୀଳତା ଟିକିଏ ବିଳମ୍ବରେ ଆସେ। ଏଣୁ ମୁଁ ଦେଖିଛି ଯେ ବିଳମ୍ବରେ ହେଲେ ମଧ୍ୟ, ମୋ କବିତାକୁ ଏକ ଭିନ୍ନ ସ୍ୱର ଭାବରେ ସମାଲୋଚକମାନେ ନେଇଛନ୍ତି।
ସାହିତ୍ୟ ଚର୍ଚ୍ଚା – ଏବେ କିଛିଦିନ ତଳେ ଦେଖିଲୁ ଯେ ମନୁ ଦାଶଙ୍କ ଦ୍ୱାରା ସଂପାଦିତ ଅନାମ କବିତା ସଂପର୍କୀୟ ଏକ ଗ୍ରନ୍ଥରେ ଆପଣ ଏହି ଅନାମ ଆନ୍ଦୋଳନ ବିଷୟରେ ଏକ ତାତ୍ତ୍ୱିକ ପ୍ରବନ୍ଧ ଲେଖିଛନ୍ତି। ତେବେ ଓଡ଼ିଆ କବିତାରେ ଏହି ଅନାମ ଆନ୍ଦୋଳନ ଯେବେ ଚାଲିଥିଲା, ସେତେବେଳେ ଆପଣଙ୍କୁ ବୟସ କେତେ?
ହୃଷୀକେଶ ମଲ୍ଲିକ – ସେତେବେଳକୁ ତ ଆମେ ଛାତ୍ର। ଆମେ ୧୯୭୪-୭୫ ବେଳକୁ ଲେଖାଲେଖି ଆରମ୍ଭ କଲୁ।
ସାହିତ୍ୟ ଚର୍ଚ୍ଚା – ଆପଣଙ୍କ କବିତା ବି ସେହି ଅନାମ ଧାରାରେ ସାମିଲ ଥିଲା କି?
ହୃଷୀକେଶ ମଲ୍ଲିକ – ନା, ମୁଁ ସେ ଧାରାରେ ସାମିଲ ନଥିଲି। ଅନାମମାନଙ୍କ ଦ୍ୱାରା ଗୋଟିଏ ନୂଆ ସ୍ୱର ଓ ନୂଆ ଶୈଳୀରେ କବିତା ଲେଖାଯାଉଥିଲା। ସେମାନଙ୍କ ମଧ୍ୟରେ କୁମାର ମହାନ୍ତିଙ୍କ କବିତା ସ୍ୱତନ୍ତ୍ର ଭାବରେ ଏକ ଆବେଦନ ଆଣିଥିଲା ପାଠକଙ୍କ ଭିତରେ।
ସାହିତ୍ୟ ଚର୍ଚ୍ଚା – କିନ୍ତୁ କବିତାରେ ଏତେ ଶକ୍ତିଶାଳୀ ଆନ୍ଦୋଳନଟିଏ ପରବର୍ତ୍ତୀ ସମୟରେ ମଳିନ କାହିଁକି ପଡ଼ିଗଲା?
ହୃଷୀକେଶ ମଲ୍ଲିକ – ଏହାର ମୁଖ୍ୟ କାରଣ ହେଲା କୁମାର ମହାନ୍ତି ଓ ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟ କବିମାନେ ସେତେ ବିଚକ୍ଷଣ ବା ପ୍ରତିଭାଶାଳୀ ନଥିଲେ। ସେମାନେ ଯାହା ଲେଖୁଥିଲେ, ତାହା କୁମାର ମହାନ୍ତିଙ୍କ ପ୍ରେରଣା ଯୋଗୁଁ। ଦ୍ୱିତୀୟରେ ସେମାନଙ୍କ ପ୍ରକାଶ ଶୈଳୀରେ ବିଶେଷ ପରିବର୍ତ୍ତନ ଆଉ ହେଲାନାହିଁ – ସମସ୍ତେ ସବୁବେଳେ ସେହି ଗୋଟିଏ ପ୍ରକାର କବିତା ହିଁ ଲେଖିଲେ। ବିଷୟବସ୍ତୁରେ ମଧ୍ୟ ବିଶେଷ ବୈଚିତ୍ର୍ୟ ଆସିଲାନାହିଁ। ତୃତୀୟ କଥା ହେଉଛି ସରକାରୀ ଚାକିରି କରିଥିବା କବିମାନେ ଡରିଲେ ପ୍ରତିବାଦର କବିତା ଲେଖିବା ପାଇଁ। ଚତୁର୍ଥରେ, ସେମାନଙ୍କ ମଧ୍ୟରୁ ଅନେକେ ପୁରସ୍କାର ପାଇଁ ଆଶାୟୀ ହୋଇ ଧାରା ବଦଳାଇ ଅନ୍ୟ ଧାରାକୁ ଚାଲିଆସିଲେ। ତେଣୁ କୁମାର ମହାନ୍ତି ଚାଲିଯିବା ପରେ ଗୋଷ୍ଠୀଟି ଭାଙ୍ଗିଗଲା।
ସାହିତ୍ୟ ଚର୍ଚ୍ଚା – ବର୍ତ୍ତମାନ ଏହାର ପୁନରାବର୍ତ୍ତନ ହୋଇପାରିବ କି?
ହୃଷୀକେଶ ମଲ୍ଲିକ – ଏହାର ପୁନରାବର୍ତ୍ତନ ଆଉ ହୋଇପାରିବ ନାହିଁ। କାହିଁକି ନା, ଯେଉଁ ସମୟରେ ଯେଉଁ କଥାର ଆବଶ୍ୟକତା ଥିବ, ସେ ସମୟ ଚାଲିଯିବା ପରେ ତାହା ଆଉ ହୋଇପାରିବ ନାହିଁ। ବର୍ତ୍ତମାନ ଯଦି ଆପଣ ଦାଣ୍ଡି ବୃତ୍ତ ବା ଚୋଖୀ ରାଗରେ କବିତା ଲେଖିବେ ତାହା କ’ଣ ଗ୍ରହଣଯୋଗ୍ୟ ହେବ?


ସାହିତ୍ୟ ଚର୍ଚ୍ଚା – ଆପଣଙ୍କ ପ୍ରଥମ କବିତା ସଂକଳନ ‘ଧାନ ସାଉଁଟା ଝିଅ’ର ଏ ଯାବତ ଚାରିଗୋଟି ସଂସ୍କରଣ ପ୍ରକାଶିତ ହୋଇସାରିଲାଣି। ଏଇଟି ବିଶେଷ ଆଦୃତ ହେବାର କାରଣ କ’ଣ?
ହୃଷୀକେଶ ମଲ୍ଲିକ – କେବଳ ‘ଧାନ ସାଉଁଟା ଝିଅ’ ନୁହେଁ, ଅନ୍ୟଗୁଡ଼ିକର ମଧ୍ୟ ଦୁଇ, ଚାରିଟି ସଂସ୍କରଣ ହୁଅନ୍ତାଣି। ଯେତେବେଳେ ସେଗୁଡ଼ିକର ପ୍ରଥମ ସଂସ୍କରଣ ସରିଗଲା ସେତେବେଳେ ଯଦି ଦ୍ୱିତୀୟ ସଂସ୍କରଣ କରାହୋଇଥା’ନ୍ତା ତେବେ ହେଇପାରିଥା’ନ୍ତା। ମୁଁ ଏଥିପ୍ରତି ଧ୍ୟାନ ନଦେବା ଫଳରେ ସେଗୁଡ଼ିକର ଅଧିକ ସଂସ୍କରଣ ବାହାରି ପାରିଲା ନାହିଁ। ଆଗକୁ ବାହାରିବ।
ସାହିତ୍ୟ ଚର୍ଚ୍ଚା – ୨୦୧୩ରେ ପ୍ରକାଶିତ ହୋଇଛି ଆପଣଙ୍କ ପୁସ୍ତକ ‘ଓଡ଼ିଆ କବିତାର ଅନ୍ଧକାର ଯୁଗ ଓ ତାପରେ’। ଏଥିରେ ଆପଣ ଯେଉଁ ଯୁଗଟିକୁ ଅନ୍ଧକାର ଯୁଗ ବୋଲି କହିଛନ୍ତି, ତାହା କେତେ ଦୂର ଯଥାର୍ଥ?
ହୃଷୀକେଶ ମଲ୍ଲିକ – ଅନ୍ଧକାର ଯୁଗ ବୋଇଲେ ଯେତେବେଳେ ଓଡ଼ିଆ କବିତା ନିଜର ସଂସ୍କୃତି ଓ ଭାଷାକୁ ଛାଡ଼ି ଅଯଥାରେ ପର ଗୋଡ଼ାଣିଆ ହେଲା, କିଛି କବି ବିଲକୁଲ୍ ଅନୁଭୂତି ନଥାଇ କବିତା ଲେଖିବାରେ ମନ ଦେଲେ, ଅହଙ୍କାର ବେଶୀ ମାତ୍ରାରେ ପ୍ରକାଶ ପାଇଲା, ସେତେବେଳେ କବିତା ଗୋଟିଏ ରୁଦ୍ଧ ପୋଖରୀ ଭଳି ହୋଇଗଲା।
ସାହିତ୍ୟ ଚର୍ଚ୍ଚା – ତେବେ ଆପଣ ଓଡ଼ିଆ କବିତାର କେଉଁ କାଳଖଣ୍ଡକୁ ଅନ୍ଧକାରର ଯୁଗ ବୋଲି କହନ୍ତି?
ହୃଷୀକେଶ ମଲ୍ଲିକ – ଷାଠିଏ ମସିହା ପରେ ପଂଚସ୍ତରୀ ପର୍ଯ୍ୟନ୍ତ, ସଚ୍ଚି ରାଉତରାଙ୍କ ପରବର୍ତ୍ତୀ ସମୟରେ ଯେଉଁ କବିମାନେ ଆସିଲେ ସେମାନଙ୍କର ଗୋଟିଏ ଯୋଡିଏ କବିତା ବହି ଆପଣ ଦେଖନ୍ତୁ, ସବୁଥିରେ ଆପଣ ପାଇବେ ଯେ ସେମାନେ ଜାଣିଜାଣି ଏକ ଦୁର୍ଭେଦ୍ୟ, ଦୁର୍ବୋଧ୍ୟ ବାତାବରଣ ତିଆରି କରିଛନ୍ତି। କାରଣ ସେମାନେ ଓଡ଼ିଆ ସାହିତ୍ୟକୁ ଭଲ ଭାବେ ନ ପଢି, ଇଂରାଜୀ କବିମାନଙ୍କ ଅନୁସରଣରେ କବିତା ଲେଖି ଚାଲିଛନ୍ତି
ସାହିତ୍ୟ ଚର୍ଚ୍ଚା – ତେବେ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିବା!
ହୃଷୀକେଶ ମଲ୍ଲିକ – ମୋର କହିବା କଥା, ଆପଣ ନିଜ ପତ୍ରିକା ତରଫରୁ ଗୋଟିଏ ସମ୍ମିଳନୀ କରନ୍ତୁ। ସେହି ସମୟର ଏହି କବିମାନେ ଯେଉଁ କବିତା ଲେଖିଛନ୍ତି, ସେଥିରୁ ମୁଁ ଦଶଗୋଟି ବାଛିଦେବି। ସେହି କବିମାନଙ୍କୁ ଡାକି କୁହାଯାଉ ନିଜର କବିତା ବୁଝାଇବାକୁ। ଯଦି ସେମାନେ ପ୍ରକୃତରେ ବୁଝାଇଦେବେ, ତା’ହେଲେ ମୁଁ କବିତା ଲେଖିବା ଛାଡ଼ିଦେବି।

ସାହିତ୍ୟ ଚର୍ଚ୍ଚା – ଆପଣ କିଛିମାସ ତଳେ ନିଜର ଏକ କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାରଟି ଘୋଷିତ ହେବାପରେ ଆପଣ କହିଥିଲେ ଯେ, ଓଡ଼ିଆ ଭାଷାର କବିତା ବିଭାଗ ପାଇଁ ପୁରସ୍କାରଟି ଘୋଷିତ ହେବାଦ୍ୱାରା ଏହି ପୁରସ୍କାର ଚୟନରେ ଗତ କିଛି ବର୍ଷ ଧରି ଆମ କବିତା ବିଭାଗକୁ ଯେଭଳି ଅଣଦେଖା କରାଯାଇଥିଲା ତାହା ସୁଧୁରାଗଲା, ଏବଂ ଏହା ବାସ୍ତବରେ ଆପଣଙ୍କ ପାଇଁ ନୁହେଁ, ବରଂ ଓଡ଼ିଆ ଭାଷାର କବିତା ପାଇଁ ଏକ ସ୍ୱୀକୃତି। ଏମିତି କାହିଁକି ଭାବନ୍ତି ଆପଣ?
ହୃଷୀକେଶ ମଲ୍ଲିକ – ଆପଣ ଦେଖୁନାହାନ୍ତି, ୨୦୧୦ରୁ ୨୦୨୧ – ଦୀର୍ଘ ଏଗାର ବର୍ଷ ଭିତରେ ମାତ୍ର ଗୋଟିଏ ଓଡ଼ିଆ କବିତା ବହି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛି। ସେଇଟି ହେଉଛି ଗୋପାଳକୃଷ୍ଣ ରଥଙ୍କର ଏକ କବିତା ସଙ୍କଳନ। ଏହା ଭିତରେ ଆଉ କୌଣସି କବିତା ବହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇନାହିଁ। ଭାରତବର୍ଷରେ ଏବର ଓଡ଼ିଆ କବିତା ଯେ ଯଥେଷ୍ଟ ଆଗରେ ଅଛି, ଏଥିରେ ସନ୍ଦେହ କରିବାର ନାହିଁ। ତଥାପି ଏହାକୁ ଅଣଦେଖା କରାଯାଇଛି। ଏଗାର ବର୍ଷ ଭିତରେ ଆମର କ’ଣ ଭଲ କବି ନଥିଲେ, ନା ଭଲ କବିତା ନଥିଲା? ତଥାପି କାହିଁକି ଏହା ପୁରସ୍କାର ପାଇଁ ବିବେଚିତ ହେଲାନାହିଁ?
ସାହିତ୍ୟ ଚର୍ଚ୍ଚା – ଆଉ ଗୋଟିଏ କଥା। ଯେତେବେଳେ ଆପଣଙ୍କ ପାଇଁ ଏହି ପୁରସ୍କାରଟି ଘୋଷିତ ହେଲା, ସେତେବେଳେ ଓଡ଼ିଆ ସାହିତ୍ୟିକଙ୍କର ଗୋଟିଏ ମହଲରେ ମୃଦୁ ଗୁଂଜରଣ ସୃଷ୍ଟି ହେଲା ଯେ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଣ୍ଡନ କରିଥିବା ଦୃଷ୍ଟିରୁ ଆପଣଙ୍କର ଏହି ପଦଟି କାଳେ ପୁରସ୍କାର ହାସଲ ପାଇଁ ଗୋଟିଏ ଘଟକ ଭାବରେ କାର୍ଯ୍ୟ କଲା। ଏ ବିଷୟରେ କ’ଣ କହିବେ ଆପଣ?
ହୃଷୀକେଶ ମଲ୍ଲିକ – ସବୁଲୋକ ନୁହନ୍ତି, କିଛି ଲୋକ ଅଛନ୍ତି ଯେଉଁମାନଙ୍କର ଈର୍ଷା ହିଁ ତାଙ୍କ ବକ୍ତବ୍ୟର ଆଧାର। ସେଭଳି ଅଳ୍ପ କିଛି ଲୋକ ହିଁ କହିଥିବେ ଏଭଳି କଥା। କଥା ହେଉଛି, ଓଡ଼ିଶା ସାହିତ୍ୟ ଏକାଡେମୀର ମୁଁ ସିନା ଏବେ ସଭାପତି ହେଲି, ଯେତେବେଳେ ମୋର ‘ଧାନ ସାଉଁଟା ଝିଅ’ ପୁରସ୍କାର ପାଇଲା ସେତେବେଳେ ତ ମୁଁ କେଉଁଠି ନଥିଲି, ମୋ’ର ତ ପରିଚୟ ବି ନଥିଲା। ତଥାପି ସେଇଟି କେମିତି ପୁରସ୍କାର ପାଇଲା? ଏହାପରେ ଯେତେବେଳେ ଶାରଳା ପୁରସ୍କାର ପାଇଲି, ସେତେବେଳେ ତ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ନଥିଲି। ଯଦି ଏହି ସଭାପତି ପଦରେ ରହିବା ହିଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାର ଅନ୍ୟତମ କାରଣ ହୁଏ, ତେବେ ମୋ ପୂର୍ବରୁ ଯେଉଁମାନେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ରହିଆସିଛନ୍ତି, ସେମାନେ ତ କାହିଁ ପାଇନାହାନ୍ତି ଏହି ପୁରସ୍କାର! (କେବଳ ଜଣେ, ଦୀପକ ମିଶ୍ରଙ୍କୁ ଛାଡ଼ି)
ସାହିତ୍ୟ ଚର୍ଚ୍ଚା – ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାର ଚୟନ ପ୍ରକ୍ରିୟା ଗତ କିଛିବର୍ଷ ଧରି ବିଳମ୍ବିତ ହେଉଥିବାର କାରଣ କ’ଣ?
ହୃଷୀକେଶ ମଲ୍ଲିକ – କାରଣ ହେଉଛି, ଯେଉଁମାନେ ଏବେ ସାହିତ୍ୟ ସୃଷ୍ଟି କରୁଛନ୍ତି ସେ ସମସ୍ତେ ହିଁ ଭାବୁଛନ୍ତି ଯେ ସେମାନେ ପୁରସ୍କୃତ ହେବାକୁ ଯୋଗ୍ୟ। ଯେତେବେଳେ ବହୁ ସଂଖ୍ୟକ ଆଶାୟୀ ପୁରସ୍କୃତ ହେବାପାଇଁ ବାହାରନ୍ତି ସେତେବେଳେ ନାନା ବିଭ୍ରାଟ ସୃଷ୍ଟି ହୁଏ। ଏପରିକି ଯେଉଁମାନେ ଏକାଡେମୀର ସଭ୍ୟ ଅଛନ୍ତି ସେମାନେ ମଧ୍ୟ କିପରି ପୁରସ୍କାର ପାଇବେ, ମୁଁ ବୁଝିପାରୁନାହିଁ। ଲେଖକମାନଙ୍କର ଗୋଟିଏ ମୁଖଲଜ୍ଜା ରହିବା ଦରକାର। ଯଦି ମୁଁ ଗୋଟିଏ ସଂସ୍ଥାରେ ସଭ୍ୟ ଅଛି, ସେହି ସଂସ୍ଥା ଯେଉଁ ପୁରସ୍କାର ଦେଉଛି ତାହା ମୁଁ ପାଇବା ଉଚିତ ନୁହେଁ ବୋଲି ନିଜେ ସଭ୍ୟମାନେ ହିଁ କହିବା କଥା।
ସାହିତ୍ୟ ଚର୍ଚ୍ଚା – ପରିଶେଷରେ, ଆପଣଙ୍କ ମତରେ ଏବେ ଆଗକୁ ଓଡ଼ିଆ କବିତାର ଗତି କୁଆଡ଼କୁ?
ହୃଷୀକେଶ ମଲ୍ଲିକ – ଓଡ଼ିଆ କବିତାର ଗତି ବହୁତ ଭଲ। ପ୍ରକୃତ କଥା ହେଲା ସବୁ ସମୟରେ ଅଳ୍ପ ସଂଖ୍ୟକ କବିଙ୍କ ଦ୍ୱାରା ହିଁ କବିତା ତା’ର ଠିକ୍ ବାଟରେ ଯାଏ।
ସାହିତ୍ୟ ଚର୍ଚ୍ଚା – ଆଜିର ଏହି ସାର୍ଥକ ଆଳାପ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

3 thoughts on “ବିଶିଷ୍ଟ କବି ହୃଷୀକେଶ ମଲ୍ଲିକଙ୍କ ସହ ଏକ ବିଶେଷ ବାର୍ତ୍ତାଳାପ

  1. ସାକ୍ଷାତକାରରେ କବିତା ସମ୍ପର୍କରେ ଅନେକ ଉପାଦେୟ କଥା କୁହାଗଲା । ସାମଗ୍ରିକ ଭାବରେ ଉତ୍ତରଗୁଡିକ ବେଶ୍ ଯଥାର୍ଥ ।

  2. କବି ହୃଷୀକେଶ ମଲ୍ଲିକଙ୍କର କଥା ସବୁ ମନୋଜ୍ଞ। ତେବେ ସମାଜ ପାଇଁ ପ୍ରତିବଦ୍ଧତା ଓ ଦାୟିତ୍ବ ରକଥା କୁହା ଯାଇଥିଲେ ବେଶୀ ଭଲ ହୋଇଥାନ୍ତା।
    ପୁରସ୍କାର ପାଇବା କଷ୍ଟକର ସେକଥା ବିଷୟରେ କବି କହିଲେ,ହେଲେ କେତେକାଂଶରେ ପୁରସ୍କାର ପାଇବା ବି ଏତେ ସହଜ କିପରି ହେଉଛି ସେ ବିଷୟରେ ସେ ସୂଚନା ଦେବା ଜରୁରୀ ଥିଲା।
    ହୃଷୀକେଶ ମଲ୍ଲିକଙ୍କର କବିତା ଗୁଡ଼ିକ ବୁଦ୍ଧିଦୀପ୍ତ । ସୁମନାସ। ନମସ୍କାର।

  3. ଧାନସାଉଁଟା ଝିଅ’ କହିଲେ ସ୍ବତଃ ଏକ ଚେହେରା ମୋ ମନକୁ ଆସିଯାଏ। ଆଉ ସେ ଚେହେରା ଆଉ କାହାରି ନୁହଁ ବିଶିଷ୍ଟ କବି ହୃଷୀକେଶ ମଲ୍ଲିକଙ୍କର। ଏହା ତାଙ୍କର ଏକ କାଳଜୟୀ କବିତା। ଯାହା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଛି। ତାଙ୍କର ଅନ୍ୟ ଦୁଇଟି ଅନନ୍ୟ ସୃଷ୍ଟି ହେଉଛି ‘ଜେଜେ ଦେଖି ନଥିବା ଭାରତ’ ଓ ‘ସରିଯାଇଥିବା ଅପେରା’ ଭାରି ମାର୍ମିକ ଓ ହୃଦୟସ୍ପର୍ଶୀ। ସେହିଭଳି ଜଣେ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବିଙ୍କର ସାକ୍ଷାତକାର ଏଠାରେ ସ୍ଥାନ ଦେଇଥିବାରୁ ସାହିତ୍ୟ ଚର୍ଚ୍ଚାର ସଂପାଦକଙ୍କୁ ଅଶେଷ ଧନ୍ୟବାଦ। ସାକ୍ଷାତକାରଟି ଖୁବ୍‌ ଭଲ ହୋଇଛି।

Leave a Reply

Your email address will not be published. Required fields are marked *