ପାପଗର୍ଭ

  • “ଆଜି ବି କଣ ମୋତେ ବିଶ୍ୱାସ କରିବନି ବାପା, ମୁଁ ପାପ ନୁହେଁ, ତୁମର ପୁଣ୍ୟମୟ ସୃଷ୍ଟି।”
ଚୌଧୁରୀ ବରଦାପ୍ରସନ୍ନ ଦାସ

ବାପ, ମା’ଙ୍କ ଆଗରେ ସନ୍ତାନ ସନ୍ତତି ଆରପାରିକୁ ଚାଲିଯିବା ମଣିଷ ଜୀବନ ପାଇଁ ଗୋଟାଏ ବଡ ଦୁଃଖ। ଯିଏ ଏ ଦୁଃଖକୁ ଅଙ୍ଗେ ନିଭେଇଛି ସିଏ ନିଶ୍ଚୟ କହେ “ହେ ଭଗବାନ ଏ ଦୁଃଖ ଶତ୍ରୁକୁ ନହେଉ।” ବନ୍ଧୁ ପରିବାର, ସାଇପଡିଶା ଏ କରୁଣ ଦୃଶ୍ୟକୁ ଭୁଲିଯିବେ କିନ୍ତୁ କେବେବି ଭୁଲିପାରିବେନି ବାପ, ମା’।
ସୁରମା ଆଜି ଆମ ଆଗରୁ ଚାଲିଯାଇଛି। କାଲିପରି ଲାଗୁଚି ସେ ହସିହସି ଆମକୋଳକୁ ଆସିଥିଲା। ଶଶିକଳା ପରି ବଢି ବଢି ଆଜି କଷ୍ଟେମଷ୍ଟେ ପେଟେଇ ପଡିଲା, ପୁଣିକାଲି ଘୁସୁରି ଘୁସୁରି ଖଟ ଏ ମୁଣ୍ଡରୁ ସେ ମୁଣ୍ଡକୁ ଚାଲିଗଲା। ସମୟକ୍ରମେ ଥରଥର ହୋଇ ଠିଆହେଲା ଆଉ ଆମ ଆଖିସାଥୀରେ ଆଖି ମିଳେଇ ଦରୋଟି କଣ୍ଠରେ ବା, ମା’ ବୋଲି ଡାକିଲା। ଏବେ ସେ ବଡ ହୋଇ କଲେଜ ଛାତ୍ରୀ ପାଲଟିଥିଲା। ସେ କଣ ସ୍ୱପ୍ନ ଦେଖୁଥିଲା କି ନାହିଁ ହେଲେ ତାକୁ ନେଇ ଆମେ ଅନେକ ସ୍ୱପ୍ନ ଦେଖିଥିଲୁ। ସେ ସ୍ୱପ୍ନ ଦିବା ସ୍ୱପ୍ନ ଭଳି ଅବିଶ୍ୱାସନୀୟ ନଥିଲା ବରଂ ଥିଲା ସାକାର କରିପାରିବା ଭଳି ଅନେକ ସ୍ୱପ୍ନ। ଭଲ ପାଠପଢୁଥିଲା। ଇଂରେଜୀ ଭାଷାରେ ତାର ଥିଲା ଯଥେଷ୍ଟ ଦକ୍ଷତା ଅଥଚ ସେ ମର୍ମେ ମର୍ମେ ବୁଝିଥିଲା ପାରମ୍ପରିକ ଓଡିଆ ସାହିତ୍ୟକୁ। ମୋ ବୋଉ ପାଖରେ ବସି ଯେତେବେଳେ ସିଏ ଭାଗବତ ପଢେ ମତେ ଶୁଣିଲେ ଲାଗେ ଯେମିତି ନିଜେ ଜଗନ୍ନାଥ ଦାସ ଆମ ଅଗଣାକୁ ଓହ୍ଲାଇ ଆସିଛନ୍ତି।
ହେଲେ ଆଜି ସବୁ ମିଛ ହୋଇଗଲା ଆଉ ଦୁନିଆରେ ସବୁଠୁଁ ବଡ ସତ୍ୟ ମୃତ୍ୟୁ ଆମ ସାମନାରେ ଆସି ଠିଆହେଲା। କିଛି ସମୟ ପରେ ସୁରମାର ଦେହଟା ସ୍ୱର୍ଗଦ୍ୱାର ଶ୍ମଶାନରେ ପାଉଁଶ ହୋଇଯିବ ଆଉ ମହୋଦଧିରେ ମିଶିଯିବ। ସେଦିନ କଲେଜ ଯାଇପାରିଲା ନାହିଁ ସୁରମା। ପେଟରେ ଅନୁଭବ କରୁଥିଲା ଯନ୍ତ୍ରଣା। କଣ କରିବୁ ବୋଲି ଭାବିଭାବି ତାକୁ ନେଇ ଆମେ ସ୍ୱାମୀସ୍ତ୍ରୀ ପହଁଚିଥିଲୁ ପ୍ରଫେସର ସ୍ୱାଇଁଙ୍କ ପାଖରେ। ସହରର ଯେ ଜଣାଶୁଣା ସ୍ତ୍ରୀ ରୋଗ ବିଶେଷଜ୍ଞ। ପରଦା ଅନ୍ତରାଳରେ କିଛି ସମୟ ପରୀକ୍ଷା କଲାପରେ ଫେରି ସ୍ତ୍ରୀଙ୍କୁ ଡାକିନେଲେ ତାଙ୍କ ଚାମ୍ବରକୁ। ଯାହା କହିଲେ ତାଶୁଣି ଆକାଶ ଭାଙ୍ଗିପଡିଲା ଆମ ଉପରେ। ସେ ନାମକରା ଡାକ୍ତରାଣୀ। କହିଲେ ଝିଅଟି ଅନ୍ତସତ୍ୱା। ପେଟରେ ପାପର ସ୍ୱାକ୍ଷର। ଗର୍ଭପାତ କରିବାର ସମୟ ଗଡିଯାଇଛି। ଝିଅଟା ହତାଦରର ମୂର୍ତ୍ତି ପାଲଟିଗଲା। ତାପରେ ଆଦରର ସେଇ ସୁଲକ୍ଷଣୀ ଝିଅଟା ଅମଙ୍ଗଳୀ ପାଲଟିଗଲା। ଯାଉଣୁ ଆସୁଣୁ ତା ମାର ତାକୁ ଗୋଟିଏ ପ୍ରଶ୍ନ “କହ ତୁ ଏ ପାପ କଲୁ କେଉଁଠି?” ପରିବାର ଭିତରେ ଥାଇ ମରୁଭୂମୀର ତତଲା ବାଲି କଣାଟିଏ ପାଲଟିଗଲା ସୁରମା। ବିକଳରେ କେବଳ ଅନାଏ। ବେଳେବେଳେ ମୁଁ ଭାବେ ସେ କଣ ପଥର ହୋଇଗଲା? ଆଉ ବେଳେବେଳେ ମୁଁ ଶୁଣେ ତା ମା ପାଖରେ କାନ୍ଦି କାନ୍ଦି ସେ ବାରବାର କହେ “ବୋଉଲୋ ମୁଁ ଏ ସବୁକିଛି ଜାଣେନି, ମତେ ବିଶ୍ୱାସ କର।” ତା କଣ୍ଠର ଆକୁଳତା କି ତା ଆଖିର ଅସହାୟତା ଭରା କାରୁଣ୍ୟ କେବେବି ଆମ ମନକୁ ଛୁଏଁନା। ଡାକ୍ତରାଣୀ ସ୍ୱାଇଁଙ୍କ ଉପରେ ଆମର ଅଗାଧ ବିଶ୍ୱାସ।

ପିଲାଟିବେଳୁ କେବେ ତା ଦେହରେ ହାତ ଦେଇନଥିଲି। ହେଲେ ସେଦିନ ମୋ ମାଡ ଆଉ ଅଶ୍ରାବ୍ୟ ଗାଳିରେ ସେ କେବଳ ନିରବରେ ଚାହିଁଥିଲା, ଚିତ୍କାର ବି କଲାନି। ତା ପିଠିରେ ପିଟୁପିଟୁ ଯେତେବେଳେ ସ୍କେଲଟା ଭାଙ୍ଗିଗଲା ସ୍ତ୍ରୀ ଧରିପକେଇ କହିଲେ “ମାରିଦବ ନା କଣ?” ରାଗରେ ଯେତେବେଳେ ମୁଁ କହିଲି “ଏଭଳି ଝିଅ ଥାଇ ଲାଭ କଣ ବରଂ ମରିଗଲେ ଭଲ। ସେତିକି ବେଳେ ଅସ୍ପଷ୍ଟ ଭାବରେ ତା ପାଟିରେ କେବଳ ବାହାରି ପଡିଥିଲା “ବାପା”। ଆଖିରୁ ଆଶ୍ଚର୍ଯ୍ୟ ଆଉ ହତାଶାର ଭାବ ବିଚ୍ଛୁରି ଯାଇଥିଲା। ବିକଳରେ ସେ କେବଳ କହିଥିଲା “ମୁଁ ସବୁ ଜନମରେ ତମରି ଝିଅ ହେବି।”
ଆଶ୍ଚର୍ଯ୍ୟଜନକ ଉପାଦାନରେ ଗଢା ଝିଅଗୁଡାଙ୍କର ମନ। ଯେତେଦୂରକୁ ଚାଲିଗଲେବି ମନଟା ଲାଖିଥିବ ବାପା ମା’ଙ୍କ ପାଖରେ। ଏତେ ମାଡଗାଳି ଭିତରେ ବି ସେ ମୋ ପାଖକୁ ଲାଗିଆସି କହିଥିଲା “ମତେ ବିଶ୍ୱାସ କର ବାପା।” ବାରବାର ଯୋଗାଯୋଗ କରିଥିଲି ପ୍ରଫେସର ସ୍ୱାଇଁକୁ ସେଇ ଗୋଟିଏ ଉତ୍ତର ପାପଗର୍ଭ।
ସନ୍ଦେହ ଭିତରେ ରହିଲେ ଆମ ଘରକୁ ଆସୁଥିବା ପ୍ରତ୍ୟେକ ଲୋକ। ତାର ସାଙ୍ଗସାଥୀଙ୍କ ସାଙ୍ଗରେ ମିଶିବା ମନା ହେଲା। ତାର ରହିବା ଘରଟା ଧିରେ ଧିରେ ଗୋଟାଏ କଏଦୀଖାନା ପାଲଟିଗଲା। ଖାଇବା ବେଳେ କବାଟ ଖୋଲି ଖାଇବା ଥୋଇ ଦିଆଯାଏ। କେତେବେଳେ ଖାଏତ, ପୁଣି କେତେବେଳେ ଥାଳିକି ଚାହିଁ ସେମିତି ବସିରହେ। ତାର ଏଇ ଉଦାସୀନତା ଆମକୁ ଆହୁରି ଆହୁରି କଠୋର କରିଦିଏ। ଆମେ ଖାଲି ଦିନଗଣୁ। ସୁରମା ଆମର ଗୋଟିଏ ବୋଲି ସନ୍ତାନ। ଆଗତ ପ୍ରାୟ କଳାବାଦଲ ଆମକୁ ଖାଲି ବିବ୍ରତ କଲା। ଥରେ ଝିଅ ଅନୁରୋଧ କଲା, ଆଉ କୋଉ ଡାକ୍ତରଙ୍କୁ ଦେଖେଇବାକୁ। ଡାକ୍ତର ସ୍ୱାଇଁଙ୍କର ବହୁତ ସୁନାମ। ଆମେ ଚାହିଁଲୁ ନାହିଁ ଏ ଘଟଣାକୁ ଆଉ ପ୍ରଘଟ କରିବାକୁ। ସହରରେ ଆମ ପରିବାରର ସୁନାମ ଅଛି, ପରିଚିତି ବି ଅଛି। ସ୍ଥିରକଲୁ ଝିଅକୁ ବାହାର ରାଜ୍ୟର କେଉଁ ଡାକ୍ତରଖାନାକୁ ନେଇଯିବୁ ଆଉ ତାର ଅବୈଧ ସନ୍ତାନକୁ କେଉଁ ଅନାଥଶ୍ରମରେ ଛାଡିଦେବୁ।
“ରମାଦେବୀ ଅଛନ୍ତି? ରମାଦେବୀ ଅଛନ୍ତି?” ବୋଲି ଡାକଶୁଣି ଆମେ ଦୁଆର ପାଖକୁ ଗଲାବେଳକୁ ଘର ଭିତରକୁ ପଶି ଆସିଲେ ସ୍ୱନାମଧନ୍ୟ କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ମହାନ୍ତି, ଆଜି ଅବସରପ୍ରାପ୍ତ। ଏଇ ଗାନ୍ଧିବାଦୀ ପ୍ରଫେସର ସୁରମାକୁ ଶ୍ରଦ୍ଧାରେ ରମାଦେବୀ ବୋଲି ଡାକନ୍ତି। ସୁରମାର ଶୁଭ୍ର ଚେହେରା, ନିର୍ମଳ ଦୃଷ୍ଟି ଆଉ ଦରଦୀ ମନକୁ ଦେଖି ପ୍ରଫେସର ମହାନ୍ତି ତାଙ୍କୁ ରମାଦେବୀ ବୋଲି ଖୁସିରେ ସମ୍ବୋଧନ କରନ୍ତି। ମାନବସେବା ଆଉ ଦେଶସେବାର ରକ୍ତମାଂସର ପ୍ରତିମା ଥିଲେ ମହିୟସୀ ରମାଦେବୀ। ହସିଦିଏ ମୁଁ। ବେଳେବେଳେ ମନରେ ଗର୍ବ ଆସେ। ବଡ ହେଲେ ସୁରମା ସତରେ ରମାଦେବୀଙ୍କ ପରି ନାଁ କରିବ ଭାବି ମନରେ ଖୁସି ହାବୁକା ମାରେ। ହେଲେ ସୁରମା ସେସବୁ ସ୍ୱପ୍ନକୁ ଭାଙ୍ଗିଦେଇଛି। ଏକଥା ମୋତେ ବିବ୍ରତ କରେ।
ବାଧ୍ୟ ହୋଇ ତାଙ୍କ ସାମନାକୁ ଡାକିଲି ସୁରମାକୁ। ସୁରମାକୁ ଦେଖୁଦେଖୁ ଟିକେ ଅନମନା ହୋଇ ତାକୁ ପ୍ରଫେସର ମହାନ୍ତି ପୁଣି ଡାକିନେଲେ ତାର ବେଡରୁମକୁ। ତେବେ କଣ ପ୍ରଫେସର ମହାନ୍ତି ସୁରମାର ସ୍ପର୍ଦ୍ଧିତ ଦେହକୁ ଦେଖି ଅଟକି ଗଲେ। ଲାଗିଲା ସନ୍ଦେହ କରିଛନ୍ତି। ନିବୃତ କରିବାକୁ ଯାଇ ମୁଁ କହିଲି “ଗାଇନା କଲୋଜିଷ୍ଟ ଦେଖୁଛନ୍ତି।” ମୋ କଥାର କିଛି ପ୍ରଭାବ ପଡିଲାନି ତାଙ୍କ ଉପରେ। ଭୟ ଲାଗିଲା କଥାଟା ପ୍ରଘଟ ହୋଇଯିବ ବୋଲି।
ଖଟ ଉପରେ ଶୁଆଇ ପ୍ରଫେସର ମହାନ୍ତି ଯେତେବେଳେ ସୁରମାର ରୋଗ ନିରୂପଣ ପାଇଁ କିଛି ପରୀକ୍ଷା କଲେ ସେତେବେଳେ ସେ ଚିତ୍କାର କରୁଥାଏ “ମତେ ବିଶ୍ୱାସ କରନ୍ତୁ ମତେ ବିଶ୍ୱାସ କରନ୍ତୁ।” ବିରକ୍ତିରେ ମୁହଁ ଫେରେଇଥିଲି ମୁଁ। ନିରନ୍ତର ଭାବେ ତାର ସେଇ ସଫେଇ ମୋ ଉପରେ କିଛି ରେଖାପାତ କରିନଥିଲା। ଭାବୁଥିଲି ପ୍ରଫେସର ମହାନ୍ତିକୁ ଅନୁରୋଧ କରିବି ସୁରମାର ଏଇ କାହାଣୀ କେଉଁଠି ପ୍ରକାଶ ନ କରିବାକୁ। କିନ୍ତୁ ମୋତେ ଚକିତ କରି ପ୍ରଫେସର ମହାନ୍ତି ଯାହା କହିଲେ ତା ଥିଲା ଗୋଟାଏ ବିରାଟ ଭୂସ୍ପଳନପରି।

ମୋ ନାଁ ଧରି କହିଲେ ଶୁଭେନ୍ଦୁ, ସୁରମାକୁ ଟାଟା ମେମୋରିଆଲ୍ ତୁରନ୍ତ ନେଇଯାଇପାରିବ? ପ୍ରାୟ ସେକେଣ୍ଡ ଷ୍ଟେଜ ଟପି ଗଲାଣି, “ପେଟରେ କ୍ୟାନସର”। ତାଙ୍କର ଏଇ ଉକ୍ତି ଉପରେ ମୁଁ କିଛି ଭାବିବା ଆଗରୁ ମୋ ହାତକୁ ଜାବୁଡିଧରି କାନ୍ଦି ଉଠିଲେ ଏଇ ମାନବବାଦୀ ଡାକ୍ତର। ପୁଣି କହିଲେ “ଏ ଷ୍ଟେଜରେ ଏଠି ଚିକିତ୍ସା ସମ୍ଭବ ନୁହେଁ। ପେଟ ଭିତରେ ପ୍ରାୟ ଦୁଇ କିଲୋର ମାଂସପିଣ୍ଡୁଳା।” ପ୍ରଫେସର ମହାନ୍ତି ଚାଲିିଯିବା ଯାଏ ସୁରମା କେବଳ କହୁଥାଏ “ମୋତେ ବିଶ୍ୱାସ କର ମୋତେ ବିଶ୍ୱାସ କର।” ସେତେବେଳକୁ ମୁଁ କିନ୍ତୁ ଗୋଟାଏ ଭୁଲ ରାସ୍ତାରେ ଚାଲିଯାଇଥିଲି ଅନେକ ଦୂର , ଅନେକ ଦୂର। ରାସ୍ତା ନିଶ୍ଚୟ ଥିଲା ଅଫେରନ୍ତିର।
ବହୁ ମାନସିକ ଦ୍ୱନ୍ଦ୍ୱ ଭିତରେ ଯେତେବେଳେ ଟାଟା ମେମୋରିଆର କ୍ୟାନସର ହସପିଟାଲ ମୁମ୍ବାଇକୁ ଯିବା କଥା କହିଲି ଆଶ୍ଚର୍ଯ୍ୟଜନକ ଭାବରେ ଠିକଣା ପାଇଲା ପରି ହସିଦେଲା ସୁରମା। ଶେଷରେ ଗଲୁ ଟାଟା ମେମୋରିଆଲ ହସ୍ପିଟାଲ, ପରେଲ ମୁମ୍ବାଇ। ହସ୍ପିଟାଲର ବେଡ୍ ତାର ଶେଷ ଠିକଣା ହେଲା। ଚାଲିଯିବା ଆଗରୁ ଏକ ଦାର୍ଶନିକ ପରି କହିଲା “ବାପା ମୁଁ ହସିହସି ଯାଉଛି କାରଣ ତମର ବିଶ୍ୱାସକୁ ଜିତିପାରିଛି। ଆଜି ବି କଣ ମୋତେ ବିଶ୍ୱାସ କରିବନି ବାପା, ମୁଁ ପାପ ନୁହେଁ, ତୁମର ପୁଣ୍ୟମୟ ସୃଷ୍ଟି।” କାନ୍ଦିବାକୁ ଲୁହ ନଥିଲା ମୋ ଆଖିରେ।
ସୁରମାର ଦେହଟା ଜଳିଯାଉଛି ଏବେ ସ୍ୱର୍ଗଦ୍ୱାର ଶ୍ମଶାନରେ। ସତରେ ସେ ନୁହେଁ ମୁଁ ଥିଲି ପାପଗର୍ଭର ପାପୀ। ଇଛା ହେଉଛି ଏ ଦୁନିଆଁ ସାରା ବୁଲିବୁଲି ସମସ୍ତଙ୍କୁ କହିବି ମୋ ପରି ଏମିତି ପାପ ଆଉ କେହି ନ କରନ୍ତୁ, ନ କରନ୍ତୁ।

3 thoughts on “ପାପଗର୍ଭ

  1. ସତ୍ୟ ଏତେ କ୍ରୁର ହୋଇପାରେ ! ଛାତି ଦୋହଲେଇ ଦେଲା ପରି କାହାଣୀ । 😪

  2. ହଁ ବହୁତ କଷ୍ଟ ….

  3. Padhu padhu mo ajanatare chhatira koha akhira konare duitopa luha hei jharipadila. Satare bichitra a dunia, bichitra srushti aau srushtira niyamare bandha a nari.

Leave a Reply

Your email address will not be published. Required fields are marked *